Unknown

 

 

 

 

 

 

 

 

 

୬୨ତମ ସଂଖ୍ୟା କୋଣାର୍କ -୧୯୮୬

ଓଡ଼ିଆ ସାହିତ୍ୟ ଏକାଡେମୀ

 

କୋଣାର୍କ

(ଓଡ଼ିଶା ସାହିତ୍ୟ ଏକାଡେମୀର ତ୍ରୈମାସିକ ମୁଖପତ୍ର)

 

ସମ୍ପାଦକ :

ରାଧାମୋହନ ଗଡ଼ନାୟକ

ପରିଚାଳନା ସମ୍ପାଦକ :

ସୁରେନ୍ଦ୍ର ନାଥ ଶତପଥୀ

 

ଓଡ଼ିଶା ସାହିତ୍ୟ ଏକାଡେମୀର

ଭୁବନେଶ୍ୱର

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର-୭୫୧୦୧୪

 

ମୁଦ୍ରଣ :

ପ୍ରଜାତନ୍ତ୍ର ପ୍ରେସ୍‌, କଟକ-୭୫୩୦୦୨

୬୨ତମ ସଂଖ୍ୟା-୧୯୮୬

ମୂଲ୍ୟ : ପାଂଚଟଙ୍କା ମାତ୍ର

 

 

ଏ ସଂଖ୍ୟାର ଲେଖା ଓ ଲେଖକ

 

୧.

ଓଡ଼ିଶାରେ ସାଂସ୍କୃତିକ

ପରମ୍ପରାର କ୍ରମବିକାଶ

ସ୍ୱର୍ଗତ ଡକ୍ଟର ନବୀନ କୁମାର ସାହୁ

୨.

ମଧୂସୁଦନ ଆଶାବାଦ

ଶ୍ରୀ ସୁରେନ୍ଦ୍ର କୁମାର ମହାରଣା

୩.

ସୃଜନଶୀଳ କନ୍ନଡ଼

ସାହିତ୍ୟର ଆଧୁନିକ ଧାରା

ଡକ୍ଟର କେ.ଭି. ନାରାୟଣ,

ଅନୁବାଦ-ଶ୍ରୀ ରମେଶଚନ୍ଦ୍ର ଧଳ

୪.

ସାମ୍ପ୍ରତିକ ଓଡ଼ିଆ

କବିତାରେ ସୌନ୍ଦର୍ଯ୍ୟ ଚେତନା

ଡକ୍ଟର ପ୍ରତିଭା ଶତପଥୀ

୫.

‘ଷୋଳପାଲା’ : ଏକ

ଲୋକ-ସାଂସ୍କୃତିକ ବିବେଚନ

ଡକ୍ଟର ମନୀନ୍ଦ୍ର ମହାନ୍ତି

୬.

ଆଧୂନିକ ଓଡ଼ିଆ

କାବ୍ୟ-ସାହିତ୍ୟରେ ‘କୃଷକ’

ଜାନନୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)

୭.

ଓଡ଼ିଶାରେ ରାଧାମାଧବ

ଉପାସନା

ଡକ୍ଟର ଲକ୍ଷଣ କୁମାର ପଣ୍ଡା

୮.

ସାଂପ୍ରତିକ ଓଡ଼ିଆ

ଉପନ୍ୟାସର ସମସ୍ୟା

ପଠାଣି ପଟ୍ଟନାୟକ

୯.

ଗୀତଗୋବିନ୍ଦର ଗୀତ –

ଲଳିତ ଲବଙ୍ଗଲତା

ମୂଳ : ଜୟଦେବ

ଅନୁବାଦ : ରାଧାମୋହନ ଗଡ଼ନାୟକ

୧୦.

ମେଘାସନ

ନିରଞ୍ଜନ ବେହେରା

୧୧.

ଆର୍ଯ୍ୟ ସଂସ୍କୃତିରେ

ମଦ୍ୟ ଓ ମାଂସ

ଅଧ୍ୟାପକ ଡଃ ଗୋପୀନାଥ ମହାପାତ୍ର

୧୨.

ବାଗ୍‌ବିଶେଷ

 

୧୩.

ଏକାଡେମୀ ସମାଚାର

 

୧୪.

ସଂପାଦକୀୟ

 

୧୫.

ଏକାଡେମୀ ପ୍ରକାଶିତ

ପୁସ୍ତକାବଳୀ

 

 

***

 

‘‘କୋଣାର୍କ’’ ପ୍ରକାଶନର ନିୟମାବଳୀ

୧.

ପ୍ରତିବର୍ଷ ‘କୋଣାର୍କ’ର ୪ ଗୋଟି ସଂଖ୍ୟା ନିୟମିତ ଭାବେ ମାର୍ଚ୍ଚ, ଜୁନ, ସେପଟେମ୍ବର ଓ ଡିସେମ୍ବର ମାସର ପ୍ରଥମ ସପ୍ତାହରେ ପ୍ରକାଶିତ ହେବ । ପ୍ରତି ସଂଖ୍ୟାର ମୂଲ୍ୟ ଟ ୫/- ରହିବ । ବାର୍ଷିକ ଗ୍ରାହକ ଦେୟ ଟ ୧୬/- ରହିବ । ବିଶେଷ ସଂଖ୍ୟାଗୁଡ଼ିକର ମୂଲ୍ୟ ସ୍ୱତନ୍ତ୍ର ଭାବେ ନିରୂପିତ ହେବ ଏବଂ ଏଗୁଡ଼ିକ ବାର୍ଷିକ ଗ୍ରାହକମାନଙ୍କୁ ଯୋଗାଇବାକୁ ଥିବା ୪ ଗୋଟି ସଂଖ୍ୟାର ଅନ୍ତର୍ଭୁକ୍ତ ହେବନାହିଁ । ବିଷୟବସ୍ତୁ ବା ଥିମ ଦୃଷ୍ଟିରୁ ଅତୀତରେ ଯେପରି ବିଭିନ୍ନ ବିଶେଷ ସଂଖ୍ୟା ପାଈଁ ଅତିଥି-ସମ୍ପାଦକ ମନୋନୀତ ହୋଇଛନ୍ତି, ସେହିପରି ପ୍ରୟୋଜନ ସର୍ତ୍ତରେ ମନୋନୀତ ହେବେ ।

 

୨.

‘କୋଣାର୍କରେ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ସାଧାରଣତଃ ଗବେଷଣାଧର୍ମୀ ପ୍ରବନ୍ଧମାନ ସ୍ଥାନ ପାଇବ । କେବଳ ଓଡ଼ିଆ ସାହିତ୍ୟ ଛଡ଼ା ଅନ୍ୟ ଭାରତୀୟ ବା ବିଶ୍ୱର ତୁଳନାତ୍ମକ ସାହିତ୍ୟ ସମ୍ପର୍କିତ ନିବନ୍ଧମାନ ମଧ୍ୟ ଏଥିରେ ସ୍ଥାନ ପାଇବ । ସୃଜନଶୀଳ ସାହିତ୍ୟକୁ ଉତ୍ସାହ ଦେବାଲାଗି ଅନ୍ତତଃ ଦୁଇଟି ଉତ୍କୁଷ୍ଟ ମାନର କବିତା ଓ ଗୋଟିଏ କ୍ଷୁଦ୍ରଗଲ୍ପ ପ୍ରତି ସଂଖ୍ୟାରେ ସ୍ଥାନ ପାଇବ । ଏହାଛଡ଼ା ଗ୍ରନ୍ଥସମୀକ୍ଷା ମଧ୍ୟ ଏଥିରେ ସ୍ଥାନ ପାଇବ । ଗ୍ରନ୍ଥସମୀକ୍ଷାଟି ସଂକ୍ଷିପ୍ତ ହେବା ସଙ୍ଗେ ସଙ୍ଗେ ଆଲୋଚ୍ୟ ଗ୍ରନ୍ଥଟି ମଧ୍ୟ ସାହିତ୍ୟିକ ଦୃଷ୍ଟିକୋଣରୁ ମର୍ଯ୍ୟାଦାବନ୍ତ ହୋଇଥିବା ବାଂଛନୀୟ ।

 

୩.

ନିବନ୍ଧଗୁଡ଼ିକ ଅତି ବେଶିରେ ୩୫୦୦ ଶବ୍ଦ ବିଶିଷ୍ଟ ହେବା ଆବଶ୍ୟକ, ଯଦ୍ଦ୍ୱାରା କି ଏହା ରୟାଲ୧/୮ ଆକାର ବିଶିଷ୍ଟ ‘କୋଣାର୍କ’ ର ୧୦ ପୃଷ୍ଠା ମଧ୍ୟରେ ସୀମିତ ରଖାଯାଇପାରିବ ।

 

୪.

ପୁର୍ବରୁ ପ୍ରକାଶିତ କୌଣସି ରଚନା ‘କୋଣାର୍କ’ରେ ପ୍ରକାଶନ ପାଇଁ ଯୋଗ୍ୟ ବିବେଚିତ ହେବନାହିଁ ।

 

୫.

‘କୋଣାର୍କ’ରେ ପ୍ରକାଶନ ପାଇଁ ପ୍ରେରିତ ଲେଖାଗୁଡ଼ିକର ନକଲ ଲେଖକ/ଲେଖିକାମାନେ ନିଜ ପାଖରେ ରଖିବା ପାଇଁ ଅନୁରୋଧ । କାରଣ, ଅମନୋନୀତ ଲେଖାଗୁଡ଼ିକ ଫେରସ୍ତ ଦେବାର ବ୍ୟବସ୍ଥା ନାହିଁ । ଲେଖାଗୁଡ଼ିକ କାଗଜର ଗୋଟିଏ ପାର୍ଶ୍ୱରେ ପରିଷ୍କାର ହସ୍ତାକ୍ଷରରେ ଲିଖିତ ହେବା ଆବଶ୍ୟକ ।

 

୬.

ଲେଖକ/ଲେଖିକାମାନଙ୍କଠାରୁ ଅନୁରୋଧ କ୍ରମେ ମଗାଯାଇଥିବା ଲେଖାଗୁଡ଼ିକ ପ୍ରକାଶିତ ହେବା ବାଞ୍ଛନୀୟ ।

 

୭.

‘କୋଣାର୍କ’ରେ ପ୍ରକାଶିତ ଲେଖକ ଓ ସମାଲୋଚକମାନଙ୍କ ମତାମତ ଓଡ଼ିଶା ସାହିତ୍ୟ ଏକାଡେମୀର ଆନୁଷ୍ଠାନିକ ମତାମତ ରୂପେ ଗୃହୀତ ନ ହୋଇ ତାହା କେବଳ ସେମାନଙ୍କର ବ୍ୟକ୍ତିଗତ ମତାମତ ରୂପେ ବିବେଚିତ ହେବ ।

 

୮.

‘‘କୋଣାର୍କ’’ରେ ପ୍ରକାଶିତ ପ୍ରତ୍ୟେକ ଲେଖାପାଇଁ ଲେଖକଙ୍କୁ ଟ ୧୦୦.୦୦ (ଏକଶତଟଙ୍କା) ପାରିତୋଷିକ ପ୍ରଦାନ କରାଯିବ ।

 

୯.

‘‘କୋଣାର୍କ’’ରେ ପ୍ରକାଶନ ପାଇଁ ଉଦ୍ଦିଷ୍ଟ ସମସ୍ତ ଲେଖା ପ୍ରଥମେ ପତ୍ରିକାର ପରିଚାଳନା ସମ୍ପାଦକଙ୍କୁ ପ୍ରଦାନ କରାଯିବ । ପରିଚାଳନା ସମ୍ପାଦକ ତାହା ଯଥା ସମୟରେ ସମ୍ପାଦକଙ୍କ ନିକଟକୁ ନିର୍ବାଚନ ପାଇଁ ପଠାଇବେ । ଲେଖା ନିର୍ବାଚନର ଦାୟିତ୍ୱ ସଂପୂର୍ଣ୍ଣ ରୂପେ ସମ୍ପାଦକଙ୍କ ରୁଚି ଓ ବିଚାର ଉପରେ ନିର୍ଭରଶୀଳ ।

 

 

***

 

ଓଡ଼ିଶାରେ ସାଂସ୍କୃତିକ ପରମ୍ପରାର କ୍ରମବିକାଶ

ସ୍ୱର୍ଗତ ଡକ୍ଟର ନବୀନ କୁମାର ସାହୁ

 

ସଂସ୍କୁତି ସାଧାରଣତଃ ମନୁଷ୍ୟର କ୍ରିୟାକଳାପରେ ତଥା ଭାବଧାରା ମାଧ୍ୟମରେ ପ୍ରକାଶ ପାଇଥାଏ । ପ୍ରାଗୈତିହାସିକ କାଳରୁ ଜୀବନଧାରଣ ନିମନ୍ତେ ମନୁଷ୍ୟ ଯେଉଁସବୁ ଉପାୟ ଓ କୌଶଳ ଅବଲମ୍ବନ କରି ଆସିଅଛି ଏବଂ ଚିନ୍ତାଧାରାର ଉନ୍ମେଷ ଦ୍ୱାରା ଯେଉଁ ନୁତନ ପନ୍ଥା ଓ ଜୀବନଦର୍ଶନ ପ୍ରଦର୍ଶନ କରିଅଛି, ତହିଁରେ ସାଂସ୍କୃତିକ ପରମ୍ପରା ରୂପାୟିତ ହୋଇଅଛି । ଆଦିମ ମନୁଷ୍ୟର ପ୍ରସ୍ତର ଶିଲ୍ପରେ ମୌଳିକ ଶୈଳୀର ବିକାଶ କ୍ରମରେ ତାହାର ସାଂସ୍କୃତିକ ବିକାଶଧାରା ଲକ୍ଷ୍ୟ କରାଯାଏ । ମନୁଷ୍ୟ ଅଗ୍ନିର ବ୍ୟବହାର ଜାଣିବା ପରେ ପଶୁପାଳନ ଓ କୃଷି କର୍ମରେ ଅଭିଜ୍ଞତା ଲାଭକରି ମାଟିପାତ୍ର ନିର୍ମାଣ କୌଶଳ ମଧ୍ୟ ଜାଣିପାରିଲା । ତାହାଫଳରେ ସେ ବର୍ବରତାଠାରୁ ସଭ୍ୟତା ସ୍ତରକୁ ବୈପ୍ଲବିକ ପଦକ୍ଷେପ ଗ୍ରହଣ କରିଥିଲା । ଓଡ଼ିଶାରେ କଳାହାଣ୍ଡି ଜିଲ୍ଲାର ଜୋଙ୍କ ନଦୀ ଅବବାହିକାରେ କ୍ଷୁଦ୍ର ପ୍ରସ୍ତର ଯୁଗ (Microlithic Age)ର ଯେଉଁ ମାଟିପାତ୍ର ମିଳିଅଛି ତହିଁରେ ପ୍ରାଚୀନତମ ଆଦିମ ସଭ୍ୟତାର ପରିଚୟ ପ୍ରକାଶ ପାଇଅଛି । ମୟୂରଭଞ୍ଜ ଜିଲ୍ଲାର ବଇଦିପୁରଠାରେ ନୂତନ ପ୍ରସ୍ତର ଯୁଗ (Neolithic Age)ର ମାଟିପାତ୍ର ବହୁ ପରିମାଣରେ ଆବିଷ୍କୃତ ହୋଇଅଛି । ମନୁଷ୍ୟ ବର୍ବରତା ଅବସ୍ଥାରୁ ଅଗ୍ରଗତି ଲାଭ କରି କ୍ରମେ ସଭ୍ୟତାର ସୀମାରେ ଉପନୀତ ହେବା ପରେ ତାହାର ସାଂସ୍କୃତିକ ପରମ୍ପରାର ଦ୍ରୂତ ରୂପାନ୍ତର ସମ୍ଭବ ହୋଇଥିଲା । ଓଡ଼ିଶାର ବିକ୍ରମଖୋଲ. ଗୁଡ଼ହାଣ୍ଡି, ଯୋଗୀମଠ, ମାଣିକ ମଡ଼ା ତଥା ଉଲଫ୍‌ଗଡ଼ଠାରେ ଯେଉଁ ଚିତ୍ରଲିପିଯୁକ୍ତ ଅଭିଲେଖମାନ ମିଳିଅଛି, ତହିଁରେ ଆଦିମ ମନୁଷ୍ୟର କଳାତ୍ମକ ଓ ସାହିତ୍ୟିକ ଚେତନା ରୂପଲାଭ କରିଅଛି । ତାହା ମାଧ୍ୟମରେ ଓଡ଼ିଶାର ପ୍ରାଗୈତିହାସିକ ସଂସ୍କୃତି ଯେପରି ମୌଳିକ ଓ ବଳିଷ୍ଠ ଭାବରେ ଆତ୍ମପ୍ରକାଶ କରିଅଛି ତାହାର ପଟାନ୍ତର ଭାରତର ଅନ୍ୟତ୍ର ପରିଦୃଷ୍ଟ ହୁଏନାହିଁ । ତାହା ବିକାଶୋନ୍ନୁଖୀ ଆଗାମୀ ସଂସ୍କୃତିର ଭିତ୍ତିଭୂମି ରୂପେ ଏବଂ ମନୁଷ୍ୟର ମହନୀୟ କୃତି ଭାବରେ ବିଶେଷ ଗୁରୁତ୍ୱପୁର୍ଣ୍ଣ ।

 

ଭାରତରେ ପ୍ରାଗୈତିହାସିକ ସଂସ୍କୃତି କିପରି ଭାବରେ ଐତିହାସିକ ଯୁଗର ମାନବ ସଂସ୍କୃତିରେ ରୂପାୟିତ ହେଲା ତାହା ଜାଣିବା ସମ୍ଭବପର ନୁହେଁ । ଓଡ଼ିଶାରେ ମଧ୍ୟ ସେହି ନିରବଚ୍ଛିନ୍ନ କ୍ରମବିକାଶର ସଙ୍କେତ ସ୍ପଷ୍ଟ ରୂପେ ମିଳି ପାରିନାହିଁ । ଓଡ଼ିଶାର ଐତିହାସିକ ଯୁଗର ପ୍ରାଚୀନତମ ପରମ୍ପରାରେ ଯେଉଁ ଧର୍ମଧାରଣା ଓ ସାମାଜିକ କ୍ରିୟାକଳାପର ପରିଚୟମିଳେ ତାହାହିଁ ପ୍ରାଗୈତିହାସିକ ସଂସ୍କୃତିର ଅନ୍ତଃସଲିଳ ସ୍ରୋତର ପରିଣତି ଓ ପରିପ୍ରକାଶ ବୋଲି ଗ୍ରହଣ କରିବାକୁ ହେବ । ପ୍ରାଚୀନତମ ଧାର୍ମିକ ପରମ୍ପରାରେ ବୃକ୍ଷ, ପୂଜା, ଯକ୍ଷ, ଗନ୍ଧର୍ବ ଓ ନାଗଦେବତାଙ୍କ ପୂଜା ବିଶେଷ ରୂପେ ପ୍ରଚଳିତ ଥିବା ଜଣାପଡ଼େ । ସେହି ଧର୍ମ ଧାରଣାରେ ବୈଦିକ ଆର୍ଯ୍ୟସଭ୍ୟତାର ପ୍ରଭାବ ପ୍ରକାଶ ପାଇ ନ ଥିଲା ଏବଂ ସାମାଜିକ କ୍ରିୟାକଳାପ ମଧ୍ୟ ସେହି ପ୍ରଭାବ ମୁକ୍ତ ରହିଥିଲା । କୃଷିଭିତ୍ତିକ ପର୍ବପର୍ବାଣୀ, ଜଙ୍ଗଲ ସହିତ ସଂପୃକ୍ତ ନାନାବିଧି କ୍ରିଡ଼ା, କସରତ୍‌, ଲୋକଗୀତ ଓ ଲୋକନୃତ୍ୟ ଆଦି ସେହି ସମାଜର ସଂହତି ରକ୍ଷା କରିଥିଲା । ତିତ୍ତିର ଜାତକର ପ୍ରାଚୀନ ଗାଥାରେ ସେକାଳର କଳିଙ୍ଗରେ ଲୋକଜୀବନ ସମ୍ପର୍କୀୟ ଯେଉଁ ବର୍ଣ୍ଣନା ଲିପିବଦ୍ଧ ହୋଇଅଛି, ତହିଁରେ ସରଳ ନିରାଡ଼ମ୍ବର ସୁଖଶାନ୍ତିମୟ ସାମାଜିକ ଚିତ୍ର ପ୍ରତିଫଳିତ ହୋଇଥିବା ମିଳେ ।

 

ଖ୍ରୀଷ୍ଟପୁର୍ବ ଅଷ୍ଟମ ଶତକରେ ପାର୍ଶ୍ୱନାଥ କଳିଙ୍ଗକୁ ଆଗମନ କରିଥିଲେ ଚତୁର୍ଯ୍ୟାମ ଧର୍ମ ପ୍ରଚାର କରିବା ଉଦ୍ଦେଶ୍ୟରେ । ତତ୍‌କାଳୀନ କଳିଙ୍ଗ ରାଜ କରଦଣ୍ଡୂ ପାର୍ଶ୍ୱନାଥଙ୍କ ଦ୍ୱାରା ସେହି ଧର୍ମରେ ଦୀକ୍ଷିତ ହେବା ଫଳରେ କଳିଙ୍ଗର ସାଂସ୍କୃତିକ ଇତିହାସରେ ଏକ ନୂତନ ପର୍ବର ସୁତ୍ରପାତ ଘଟିଥିଲା । ସେହିକାଳଠାରୁ ସର୍ବଭାରତିୟ ଧର୍ମ ଧାରା ସହିତ କଳିଙ୍ଗର ଧର୍ମଜୀବନର ସଂଯୋଗ ସମ୍ଭବ ହୋଇଥିଲା । କରକଣ୍ଡୁଙ୍କ ସମସାମୟିକ ପାଞ୍ଚାଳ ରାଜା ଦୁର୍ମୂଖ, ଗାନ୍ଧାର ରାଜା ନଗ୍ନଦିତ ଏବଂ ବିଦେହର ରାଜା ନିମି ମଧ୍ୟ ପାଶ୍ୱର୍ନାଥ ପ୍ରଚାରିତ ଚତୁର୍ଯ୍ୟାମ ଧର୍ମ ଗ୍ରହଣ କରିଥିବା ଜଣାପଡ଼େ । ସେହି ନବ ପ୍ରବର୍ତ୍ତିତ ଜୈନଧର୍ମ କରକଣ୍ଡୁଙ୍କ ପୃଷ୍ଠପୋଷକତା ଲାଭ କରି କଳିଙ୍ଗରେ ଲୋକପ୍ରିୟ ହୋଇଥିଲା ଏବଂ ଜୈନ ସଂସ୍କୃତିର ଭିତ୍ତିଭୂମି ନିର୍ମାଣ କରିଥିଲା । କରକଣ୍ଡୁ ଧାର୍ମିକ ସଂସ୍କୃତିର ଜଣେ ଯୁଗଦ୍ରଷ୍ଟା ରୂପେ ଜୈନ ଓ ବୌଦ୍ଧ ସାହିତ୍ୟରେ ପରିକୀର୍ତ୍ତିତ ହୋଇଅଛନ୍ତି । ଜୈନମାନେ ତାଙ୍କୁ ରାଜର୍ଷି ରୂପେ ଏବଂ ବୌଦ୍ଧମାନେ ଜଣେ ପ୍ରତ୍ୟେକ ବୁଦ୍ଧ ଭାବରେ ସମ୍ମାନ ପ୍ରଦର୍ଶନ କରିଅଛନ୍ତି । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତକରେ ମହାବୀର ସ୍ୱାମୀଙ୍କର କଳିଙ୍ଗ ଆଗମନ ଜୈନ ସଂସ୍କୃତିର ବିଶେଷ ଅଭିବୃଦ୍ଧି ସାଧନ କରିଥିଲା । ମହାବୀର ପାର୍ଶ୍ୱନାଥ ପ୍ରବର୍ତ୍ତିତ ଚତୁର୍ଯ୍ୟାମ ଧର୍ମର ସଂସ୍କାର ସାଧନ କରି ଜୈନ ଧର୍ମକୁ ପଂଚସାମ ଧର୍ମରେ ପରିଣତି କରିଥିଲେ । ଖାରବେଳଙ୍କ ହାତିଗୁମ୍ପା ଅଭିଲେଖରୁ ଜଣାପଡ଼େ ଯେ ମହାବୀର କଳିଙ୍ଗର କୁମାରୀ ପର୍ବତ ଠାରେ ପଞ୍ଚଯାମ ଜୈନଧର୍ମ ପରିପ୍ରଚାର କରିଥିଲେ । ପରବର୍ତ୍ତୀ ଜୈନ ସାହିତ୍ୟରେ ମଧ୍ୟ ମହାବୀର ଧର୍ମପ୍ରଚାର ଉଦ୍ଦେଶ୍ୟରେ କଳିଙ୍ଗ ଆଗମନ କରିଥିବା ବର୍ଣ୍ଣନା ଲିପିବଦ୍ଧ ହୋଇଅଛି ।

 

ମାତ୍ର ବୁଦ୍ଧ ତାଙ୍କର ବିଂଶବର୍ଷ ଧର୍ମପ୍ରଚାର କାଳ ମଧ୍ୟରେ କଳିଙ୍ଗକୁ ଆସିବାପାଇଁ ଅବସର ପାଇ ନ ଥିଲେ । ବସ୍ତୁତଃ ମଧ୍ୟ-ଗାଙ୍ଗେୟ ଉପତ୍ୟକାରେ ତାଙ୍କର ପ୍ରଚାର କାର୍ଯ୍ୟ ସୀମିତ ଥିଲା । ବୁଦ୍ଧ ନିଜେ କଳିଙ୍ଗକୁ ଆସିନଥିଲେ ମଧ୍ୟ ତାଙ୍କର ପ୍ରଚାରିତ ଧର୍ମ ସେତେବେଳେ କଳିଙ୍ଗରେ ଅଜ୍ଞାତ ନ ଥିଲା । ଉତ୍କଳର ତପସୁ ଓ ବହ୍ଲିକ ନାମଧେୟ ଦୁଇଜଣ ସାର୍ଥବାହ ପାଞ୍ଚଶହ ଶକଟରେ ପଣଦ୍ରବ୍ୟ ଘେନି ମଧ୍ୟଦେଶ ଯିବା ବାଟରେ ଉରୁବେଳା ଜଙ୍ଗଲରେ ବୁଦ୍ଧଙ୍କୁ ଭେଟିଥିଲେ । ବୋଧିଲାଭ ପରେ ବୁଦ୍ଧ ସେ ଦୁହିଁଙ୍କଠାରୁ ପ୍ରଥମ ହୋଇ ଖାଦ୍ୟ ଗ୍ରହଣ କରି ନିଜ ଜୀବନ ରକ୍ଷା କରିଥିଲେ । ସେ ଦୁହେଁ ପ୍ରଥମ ବୌଦ୍ଧ ରୂପେ ସମ୍ମାନିତ ଏବଂ ସେମାନଙ୍କ ପ୍ରଚେଷ୍ଟାରେ ବୌଦ୍ଧଧର୍ମ ବୁଦ୍ଧଙ୍କ ଜୀବନ କାଳରେ ଉତ୍କଳରେ ପ୍ରବେଶ କରିପାରିଥିବା ଜଣାଯାଏ ।

 

ବୁଦ୍ଧଙ୍କ ସମୟରେ ଉତ୍କଳ ଥିଲା ପୁରାଣକାଶ୍ୟପ ନାମକ ଅନ୍ୟ ଜଣେ ଧର୍ମପ୍ରବର୍ତ୍ତଙ୍କର ପ୍ରଚାରଭୂମି । ତାଙ୍କ ପ୍ରଚାରିତ ଅବିରିଆବାଦ ସେଠାରେ କିଛିକାଳ ବିଶେଷ ଲୋକପ୍ରିୟ ହୋଇଥିଲା । ପୁରାଣକଶ୍ୟପଙ୍କ ମତରେ ମନୁଷ୍ୟ ଭଲ ବା ମନ୍ଦ ଯାହା କରେ, ସେଥିପାଇଁ ସେ ନିଜେ ଦାୟୀ ନୁହେଁ, କାରଣ ସେ ଏକ ଅଦୃଶ୍ୟ ଶକ୍ତିର ନିମିତ୍ତ ମାତ୍ର ହୋଇ କାର୍ଯ୍ୟ ସଂପାଦନ କରିଥାଏ । ମାତ୍ର ବୁଦ୍ଧଙ୍କ ପ୍ରଚାରିତ ନୀତିରେ ମନୁଷ୍ୟକୁ ନିଜ କର୍ମଫଳ ପାଇଁ ସଂପୂର୍ଣ୍ଣ ରୂପେ ଦାୟୀ କରାଯାଇଥିଲା ଏବଂ ମନୁଷ୍ୟର ଦଣ୍ଡଭୋଗ ବା ପୁରସ୍କାର ଲାଭ କୌଣସି ଶକ୍ତିର ଇଚ୍ଛାଧିନ ନୁହେଁ ବୋଲି ପ୍ରକାଶ କରାଯାଇଥିଲା । ବୁଦ୍ଧଙ୍କର ନୀତି ଉତ୍କଳର ଜନସାଧାରଣ କ୍ରମେ ଉପଲ୍‌ବଧି କରି ବୌଦ୍ଧଧର୍ମରେ ଅନୁପ୍ରାଣିତ ହୋଇଥିଲେ । ମାତ୍ର ପୁରାଣକାଶ୍ୟପଙ୍କ ଅବିରିଆବାଦ ଉତ୍କଳର ଜୀବନଦର୍ଶନକୁ ବିଶେଷ ରୂପେ ପ୍ରଭାବିତ କରି ଆସିଅଛି ଏବଂ ତାହାର ପ୍ରଭାବ ଶ୍ରୀମଦ ଭଗବତ୍‍ଗୀତାର ଦାର୍ଶନିକ ତତ୍ତ୍ୱକୁ ମଧ୍ୟ ଆଲୋଡ଼ିତ କରିଥିବା ଜଣାପଡ଼େ ।

 

ଅଶୋକଙ୍କର କଳିଙ୍ଗ ଯୁଦ୍ଧ ଭାରତର ସାଂସ୍କୃତିକ ପରଂପରାରେ ବହୁ ପରିବର୍ତ୍ତନ ଆନୟନ କରିଥିଲା । ସେହି ଯୁଦ୍ଧର ପୂର୍ବବର୍ତ୍ତୀ କାଳରେ ବୌଦ୍ଧଧର୍ମ ଏକ ସାମାନ୍ୟ ଅସ୍ପଷ୍ଟ ଧର୍ମ ରୂପେ ମଧ୍ୟ ଗାଙ୍ଗେୟ ଉପତ୍ୟକାରେ କେତେକ ସ୍ଥାନରେ ଆବଦ୍ଧ ଥିଲା । କଳିଙ୍ଗ ଯୁଦ୍ଧ ଘଟି ନଥିଲେ ସମ୍ଭବତଃ ତାହା ଅନ୍ୟ ଅନେକ ଧର୍ମ ସଂପ୍ରଦାୟ ଭଳି କାଳକବଳିତ ହୋଇଥାନ୍ତା । ମାତ୍ର ଅଶୋକଙ୍କ ସଦୃଶ ଜଣେ ମହାନ୍‌ ରାଜା ଏକ ମହାଯୁଦ୍ଧର ପରିଣତିରେ ବୋଦ୍ଧଧର୍ମରେ ଦୀକ୍ଷିତ ହେବା ଘଟଣା ସେହି ଧର୍ମ ପକ୍ଷରେ ଅତି ଅନୁକୂଳ ବାତାବରଣ ସୃଷ୍ଟି କଲା ଏବଂ ଦ୍ରୃତ ବେଗରେ ତାହା ଭାରତର ସର୍ବତ୍ର ପ୍ରସାରିତ ହେଲା । କଳିଙ୍ଗ ଯୁଦ୍ଧର ଅଲ୍ପ କେତୋଟି ବର୍ଷ ମଧ୍ୟରେ ବୋଦ୍ଧଧର୍ମ କାଶ୍ମୀରଠାରୁ କୁମାରିକା ଯାଏ ବ୍ୟାପିଗଲା ଏବଂ ଭାରତର ସୀମାରେଖା ଲଙ୍ଘି ପଶ୍ଚିମରେ ଗ୍ରୀକ୍‍ମାନଙ୍କ ଅଞ୍ଚଳ, ପୂର୍ବରେ ବ୍ରହ୍ମଦେଶ ଏବଂ ଦକ୍ଷିଣରେ ସିଂହଳ ପର୍ଯ୍ୟନ୍ତ ସେ କାଳରେ ଜଣାଥିବା ସମଗ୍ର ପୃଥିବୀରେ ପ୍ରସାରଲାଭ କରିଥିଲା । ସିଂହଳର ରାଜା ଦେବାନଂପ୍ରିୟ ତିସ୍‌ସଙ୍କୁ ସେତେବେଳେ ଥେର ମହେନ୍ଦ୍ର ବାସ୍ତବରେ କହିଲେ- ‘‘ସମଗ୍ର ଜମ୍ବୁଦୀପ ହଳଦିଆ ପୋଷାକରେ ଉଦ୍‍ଭାସିତ ହୋଇଉଠିଛି ।’’

 

ଅଶୋକଙ୍କ କାଳରେ ବୌଦ୍ଧଧର୍ମ ଓ ସଂସ୍କୃତି କଳିଙ୍ଗରେ ଦୃଢ଼ଭିତ୍ତିରେ ସଂଗଠିତ ହୋଇଥିଲା । ଆଚାର୍ଯ୍ୟ ଧର୍ମ ରକ୍ଷିତ ବନବାସୀ, ଅପରାନ୍ତ୍ର, ମହାରାଷ୍ଟ୍ର ଅଞ୍ଚଳରେ ଧର୍ମ ପ୍ରଚାର କରି ଶେଷ ଜୀବନରେ କଳିଙ୍ଗକୁ ଆସି ଥେରବାଦ ବୌଦ୍ଧଧର୍ମ ସୁସଙ୍ଗଠିତ କରିଥିଲେ । ଅଶୋକ ନିଜ ଭ୍ରାତା ତିସ୍‌ସଙ୍କ ନିମନ୍ତେ କଳିଙ୍ଗରେ ଯେଉଁ ଭୋଜକଗିରି ବିହାର ନିର୍ମାଣ କରିଥିଲେ ଧର୍ମରକ୍ଷିତ ସେହିଠାରେ ଅନ୍ତିମ ଜୀବନ ଅତିବାହିତ କରିଥିଲେ । ତିସ୍‌ସ ପ୍ରଥମେ ଥିଲେ ଧର୍ମ ରକ୍ଷିତଙ୍କର ଶିଷ୍ୟ ମାତ୍ର ପରେ ସେ ବୌଦ୍ଧଧର୍ମର ମହାସଂଘିକ ଶାଖା ଅନୁସରଣ କରିଥିବା ଜଣାପଡ଼େ । ଆଚାର୍ଯ୍ୟ ମହାଦେବ ଦାକ୍ଷିଣାତ୍ୟରେ ଧର୍ମ ପ୍ରଚାର କରିବା ଅବସରରେ କଳିଙ୍ଗକୁ ଆସି ମହାସଂଘିକବାଦ ଲୋକପ୍ରିୟ କରିବା ପାଇଁ ପ୍ରଚେଷ୍ଟା କରିଥିଲେ । ସର୍ବାସ୍ତିବାଦୀ ଆଚାର୍ଯ୍ୟ ଉପଗୁପ୍ତ ଓ ମଧ୍ୟନ୍ତ୍ରିକ କଳିଙ୍ଗକୁ ଆସିଥିବା ଜଣାଯାଏ ନାହିଁ, ମାତ୍ର ସେ ଦୁହିଁଙ୍କର ଶିଷ୍ୟ ଧିତିକ କୁମାର କଳିଙ୍ଗରେ ବୌଦ୍ଧ ଧର୍ମର ସର୍ବାସ୍ତିବାଦ ନୀତି ବହୁକାଳ ଧରି ପ୍ରଚାର କରିଥିଲେ । ଧିତିକଙ୍କ ଶିଷ୍ୟ କାଲ (କୃଷ୍ଣ) ମଧ୍ୟ କଳିଙ୍ଗରେ ସର୍ବାସ୍ତିବାଦ ପ୍ରଚାର କରିଥିଲେ ଏବଂ ତାଙ୍କର ଶିଷ୍ୟ ପୋଷାଢ଼ ପରବର୍ତ୍ତୀକାଳରେ ସେହି ଧର୍ମନୀତି କଳିଙ୍ଗରେ ଲୋକପ୍ରିୟ କରିପାରିଥିଲେ । ଅଶୋକଙ୍କ କାଳଠାରୁ ଖାରବେଳଙ୍କ ସମୟ ଯାଏ ଥେରବାଦ, ମହାସଂଘିକ ଏବଂ ସର୍ବାସ୍ତିବାଦ ଧର୍ମ ନୀତି କଳିଙ୍ଗରେ ବିଶେଷ ରୂପେ ପ୍ରଚାରିତ ହୋଇଥିଲା ଏବଂ ବୌଦ୍ଧଧର୍ମ ଦୃଢ଼ଭିତ୍ତିରେ ସଂଗଠିତ ହୋଇପାରିଥିଲା ।

 

ଖ୍ରୀଷ୍ଟପୂର୍ବ ପ୍ରଥମ ଶତକରେ କଳିଙ୍ଗରେ ଚେଦି ରାଜବଂଶର ଶାସନ ପ୍ରତିଷ୍ଠିତ ହେବାପରେ ଜୈନଧର୍ମର ପୁନରୁତ୍‌ଥାନ ଦେଖାଦେଇଥିଲା । ଖାରବେଳଙ୍କ କାଳରେ ସେହି ଧର୍ମ କଳିଙ୍ଗର ରାଷ୍ଟ୍ରଧର୍ମରେ ପରିଣତି ହୋଇଥିବା ଜଣାପଡ଼େ । ଖାରବେଳଙ୍କ ତିନିଶତ ବର୍ଷ ପୂର୍ବେ ମଗଧ ସମ୍ରାଟ ମହାପଦ୍ମନନ୍ଦ କଳିଙ୍ଗର ଉପାସ୍ୟ ଦେବତା କାଳିଙ୍ଗଜିନଙ୍କୁ ବଳପୂର୍ବକ ଘେନିଯାଇଥିଲେ । ସେହି ଜିନ ପ୍ରତିମାଙ୍କୁ ଖାରବେଳ କଳିଙ୍ଗକୁ ଫେରାଇ ଆଣି କଳିଙ୍ଗର ପୂର୍ବ ରାଜଧାନୀ ପୀଥୁଣ୍ଡଠାରେ ପୁନଃ ସଂସ୍ଥାପନ କରିବା ଫଳରେ କଳିଙ୍ଗରେ ଜୈନଧର୍ମର ମର୍ଯ୍ୟାଦା ଓ ଲୋକପ୍ରିୟତା ବିଶେଷ ରୁପେ ବୃଦ୍ଧି ଲାଭ କରିଥିଲା । ସେ କାଳରେ ଉଦୟଗିରି ଓ ଖଣ୍ଡଗିରି ଭାରତର ଏକ ପ୍ରଖ୍ୟାତ ଧର୍ମକେନ୍ଦ୍ର ଥିଲା ଏବଂ ବହୁ ବ୍ରାହ୍ମଣ୍ୟ ତପସ୍ୱୀ, ବୌଦ୍ଧ ଭିକ୍ଷୁ ଓ ଜୈନଯତି ଦୂର ଅଞ୍ଚଳରୁ ସେଠାକୁ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ଆସୁଥିଲେ । ଖାରବେଳ ସେଠାରେ ଆଗନ୍ତୁକ ଅତିଥିଗଣଙ୍କ ନିମନ୍ତେ ଯେଉଁ ବିଶ୍ରାମାଗାର ନିର୍ମାଣ କରିଥିଲେ ତାହା ଅତି ଉନ୍ନତ କଳା ଯୁକ୍ତ ପ୍ରସାଦ ଥିବା ଜଣାପଡ଼େ ।

 

ଧାର୍ମିକ ପ୍ରେରଣା ଫଳରେ କଳା ଓ ସ୍ଥାପତ୍ୟର ବିକାଶ ଯୁ‌ଗେଯୁଗେ ସମ୍ଭବ ହୋଇଆସିଅଛି । କାରଣ୍ଡକ ବିହାରରେ କଳିଙ୍ଗରାଜ କାରକଣ୍ଡୁ ଯେଉଁ ହସ୍ତୀପ୍ରତିମା ନିର୍ମାଣ କରିଥିଲେ ତାହା କଳିଙ୍ଗରେ ଧାର୍ମିକ କଳାର ପ୍ରଥମ ଅଭିବ୍ୟକ୍ତି । ସମ୍ଭବତଃ ମୂର୍ତ୍ତିପୂଜାର ପ୍ରଥମ ନିଦର୍ଶନ ହେଉଛି କଳିଙ୍ଗର ପ୍ରାଚୀନ ରାଜଧାନୀ ପୀଥୁଣ୍ଡଠାରେ କାଳିଙ୍ଗଜିନଙ୍କ ପୁଜା ଯାହା ହାତୀଗୁମ୍ପା ଅଭିଲେଖ ଅନୁସାରେ ଖ୍ରୀ: ପୂର୍ବ ଚତୁର୍ଥ ଶତାବ୍ଦୀ ପୁର୍ବରୁ ପ୍ରଚଳିତ ଥିଲା । ଜୈନ ଉତ୍ତରାଧ୍ୟୟନ ସୂତ୍ରରୁ ସୂଚିତ ହୁଏ ଯେ ମହାବୀରଙ୍କ କାଳରେ ମଧ୍ୟ ପୀଥୁଣ୍ଡ (ପୀହୁଣ୍ଡ) ଠାରେ ଜିନଙ୍କ ପୁଜା ଲୋକପ୍ରିୟ ଥିଲା । ସୁତରାଂ ଭାରତ ବର୍ଷରେ ମୂର୍ତ୍ତିପୂଜାର ପରମ୍ପରା ଯେ ପ୍ରଥମେ କଳିଙ୍ଗରେ ଅଭିବ୍ୟକ୍ତି ଲାଭ କରିଥିଲା ତାହା ନିଃସନ୍ଦେହରେ କୁହାଯାଇପାରେ । ଅଶୋକଙ୍କ କାଳରେ ସମଗ୍ର ଭାରତରେ ପ୍ରସ୍ତର ଶିଲ୍ପର ବହୁଳ ବିକାଶ ସାଧିତ ହୋଇଥିଲା ଏବଂ କଳିଙ୍ଗରେ ସେହି ଶିଲ୍ପର ବିଶେଷ ଅଗ୍ରଗତି ଦେଖା-ଦେଇଥିଲା । ଧଉଳି ପାହାଡ଼ରେ ଖୋଦିତ ହସ୍ତୀ ପ୍ରତିମାରେ ଯେଉଁ ଜୀବନ୍ତ ଶୈଳୀ ଓ ଧାର୍ମିକ ଭାବ ପରିସ୍ପୁଟିତ ହୋଇଛି, ତାହା ସେକାଳରେ କଳିଙ୍ଗ ଶିଲ୍ପୀଙ୍କ କଳା କୌଶଳର ସୂଚନା ପ୍ରଦାନ କରେ । କଳିଙ୍ଗରେ କଳା ଓ ସ୍ଥାପତ୍ୟର ପରଂପରା ଖ୍ରୀ: ପୂ: ପ୍ରଥମ ଶତକରେ ଖାରବେଳଙ୍କ କାଳରେ ଅତି ଉନ୍ନତ ରୂପେ ପ୍ରକାଶ ପାଇଥିଲା । ଉଦୟଗିରି ଏବଂ ଖଣ୍ଡଗିରିଠାରେ ଗୁମ୍ପା ଖନନ ଶୈଳୀ ଭାରତୀୟ ଗୁମ୍ପାସ୍ଥପତି କ୍ଷେତ୍ରରେ ଏକ ନୂତନ ଦୃଷ୍ଟି କୋଣ ପ୍ରଦାନ କରିଥିଲା ଏବଂ ପରବର୍ତ୍ତିୀ କାଳରେ ପ୍ରସ୍ତର ଖୋଦିତ ବୌଦ୍ଧବିହାରମାନଙ୍କରେ ସେହି ଶୈଳୀର ପ୍ରଭାବ ପରିଲକ୍ଷିତ ହୋଇଥାଏ । ଉଦୟଗିରି ଓ ଖଣ୍ଡଗିରିସ୍ଥ ଗୁମ୍ପା ଗାତ୍ରରେ ଯେଉଁ ଅନବଦ୍ୟ କଳାଯୁକ୍ତ ଚିତ୍ର ଖୋଦିତ ହୋଇଛି, ତାହା ବରହୁତ, ସାଞ୍ଚି ଓ ବୋଧଗୟାରେ ବିକାଶ ଲାଭ କରିଥିବା କଳା ପରଂପରାର ଅଙ୍ଗ ହେଲେ ମଧ୍ୟ ତହିଁରେ ଅଧିକତର ଉନ୍ନତ କଳା ପ୍ରକାଶିତ ହୋଇଅଛି । ସେହି ସବୁ ଗୁମ୍ପାଗାତ୍ରରେ କଳିଙ୍ଗର ପ୍ରାଚୀନ କଳା ପରଂପରାର ପରିପାଟି ପରିଲକ୍ଷିତ ହୁଏ । କେବଳ କଳାନୈପୁଣ୍ୟ ପ୍ରକାଶ ନିମନ୍ତେ ନୁହେଁ, ସାମାଜିକ ଜୀବନ ତଥା ଗୀତନୃତ୍ୟ ବାଦିତ୍ର ଆଦି ଗାନ୍ଧର୍ବ ବିଦ୍ୟାର ଉନ୍ନତ ବିକାଶ ପ୍ରଦର୍ଶନ କରିବାରେ ଉକ୍ତ ଖୋଦନ ଶିଳ୍ପର ଗୁରୁତ୍ୱ ଉଲ୍ଲେଖଯୋଗ୍ୟ । ରାଣୀଗୁମ୍ପାର ତଳ ମହଲାରେ ଏବଂ ତତୁଆ ଗୁମ୍ପାର ଉପର ମହଲାରେ ଦୁଇଜଣ ତରୁଣୀ ଯେଉଁ ଅପୁର୍ବ ନୃତ୍ୟଶୈଳୀ ଓ ଅଙ୍ଗ ଭଙ୍ଗୀ ପ୍ରଦର୍ଶନ କରୁଥିବା ଅଙ୍କିତ ହୋଇଛି, ତହିଁରେ ଓଡ଼ିଶାର ନୃତ୍ୟକଳାର ପ୍ରାଚୀନତମ ପରଂପରା ସ୍ପଷ୍ଟ ଭାବରେ ପ୍ରକାଶ୍ୟ ପାଇଅଛି ।

 

ହାତୀଗୁମ୍ପା ଅଭିଲେଖର ଭାଷା ଯେ ଭରତଙ୍କର ନାଟ୍ୟଶାସ୍ତ୍ରରେ ସୂଚିତ ଓଡ଼୍ର ପ୍ରାକୃତ ତହିଁରେ ସନ୍ଦେହର ଅବକାଶ ନାହିଁ । କେତେକ ଭାଷାବିଦ୍‌ ଧଉଳି ଓ ଜଉଗଡ଼ଠାରେ ଉତ୍କୀର୍ଣ୍ଣ ଅଶୋକଙ୍କ ଅନୁଶାସନର ମାଗଧ ପ୍ରାକୃତକୁ ଓଡ଼ିଆ ଭାଷାର ମୂଳ (Source) ଅନ୍ୱେଷଣ କରିବା ପାଇଁ ଓଡ୍ର ପ୍ରାକୃତର ଯଥାର୍ଥ ଗବେଷଣା ଆବଶ୍ୟକ ଏବଂ ଏହି ପ୍ରାକୃତ ହିଁ ହାତିଗୁମ୍ପାର ଭାଷା, ଯାହା ସହିତ ଅଶୋକଙ୍କର ଅନୁଶାସନିକ ଭାଷାର ବ୍ୟାକରଣଗତ ବା ଭାଷାଗତ ସାମଞ୍ଜସ୍ୟ ନାହିଁ । ହାଥୀଗୁମ୍ପାର ଭାଷା ସହିତ ପାଲି ଭାଷାର ଯେଉଁ ସାଦୃଶ୍ୟ ପରିଲକ୍ଷିତ ହୁଏ, ତାହାର ଗୁରୁତ୍ୱ ବିଚାର ସାପେକ୍ଷ । ସେ କାଳରେ କଳିଙ୍ଗ ସହିତ ସିଂହଳର ଯେଉଁ ବାଣିଜ୍ୟିକ, ଧାର୍ମିକ ଓ ସାଂସ୍କୃତିକ ଆଦାନପ୍ରଦାନ ନିରବଚ୍ଛିନ୍ନ ଭାବରେ ଚାଲିଥିଲା, ତହିଁରୁ ନିଶ୍ଚିତ ସୂଚନା ମିଳେ ଯେ କଳିଙ୍ଗର ଓଡ୍ର ପ୍ରାକୃତ ସିଂହଳକୁ ପାଲି ରୂପରେ ସ୍ଥାନନ୍ତରିତ ହୋଇଥିଲା । ଏହା ବହୁ ଆଧୁନିକ ଭାଷାବିଦ୍‌ଙ୍କର ଅଭିମତ ।

 

ଖ୍ରୀଷ୍ଟୀୟ ପ୍ରଥମ ଶତକରେ ମହାଯାନ ବୌଦ୍ଧଧର୍ମର ଅଭ୍ୟୁଦୟ ଭାରତୀୟ ସଂସ୍କୃତିକୁ ବହୁ ଭାବରେ ପ୍ରଭାବିତ କରିଥିଲା । ସାଧାରଣ ମନୁଷ୍ୟ ଯେ ଦିନେ ବୁଦ୍ଧ ହୋଇପାରିବ ସେହି ଭାବ ବୌଦ୍ଧଧର୍ମର ପରିକଲ୍ପିତ ହୋଇନଥିଲା । ସେହି ଚିନ୍ତାଧାରା ପ୍ରଥମ ହୋଇ ରୂପାୟିତ ହେଲା ‘ଅଷ୍ଟସାହସ୍ରିକା ପ୍ରଜ୍ଞାପାରମିତା ’ରେ ଯାହା ରଚିତ ହେଲା ଓଡ଼୍ର ଦେଶର ଖ୍ରୀଷ୍ଟୀୟ ପ୍ରଥମ ଶତକରେ-। ଓଡ଼ିଶା ଅଷ୍ଟ ସାହସ୍ରିକା ତଥା ମହାଯାନ ବୌଦ୍ଧଧର୍ମର ପ୍ରକାଶନ ଭୂମି ରୂପେ ଧାର୍ମିକ ଇତିହାସରେ ଗୌରବମୟ ସ୍ଥାନ ଅଧିକାର କରିଅଛି । ଖ୍ରୀଷ୍ଟୀୟ ଦ୍ୱିତୀୟ ଶତକରେ ବୋଧିସତ୍ତ୍ୱ ନାଗାର୍ଜୁନ ପରିମଳ ଗିରି (ସମ୍ବଲପୁର-ବଲାଙ୍ଗିର ଜିଲ୍ଲା ସୀମା ନିର୍ଦ୍ଦେଶ କରୁଥିବା ଆଧୁନିକ ଗନ୍ଧଗିରି) ବିହାରରେ ଅଷ୍ଟ ସାହସ୍ରିକା ପ୍ରଜ୍ଞା ପାରମିତାର ଭାଷ୍ୟ ରଚନା କରିଥିଲେ । ତାହା ହେଉଛି ସୁବିଖ୍ୟାତ ପ୍ରଜ୍ଞା ପାରମିତା, ଶାସ୍ତ୍ର ଏବଂ ତହିଁରେ ବୌଦ୍ଧ ମାଧ୍ୟମିକ ଦର୍ଶନ ପ୍ରଥମ ହୋଇ ପ୍ରବର୍ତ୍ତିତ ହୋଇଥିଲା । ମାଧ୍ୟମିକ ଦର୍ଶନର ସୂଦୂରପ୍ରସାରୀ ପ୍ରଭାବ ଶଙ୍କରାଚାର୍ଯ୍ୟଙ୍କର ବ୍ରହ୍ମସୂତ୍ର ଭାଷ୍ୟରେ ପରିଲକ୍ଷିତ ହୋଇଥାଏ । ମହାଯାନ ବୌଦ୍ଧଧର୍ମର ଅନ୍ୟ ଏକ ବିଶିଷ୍ଟ ଦର୍ଶନ ହେଉଛି ବିଜ୍ଞାନବାଦ, ଯାହା ଖ୍ରୀଷ୍ଟୀୟ ୩ୟ ଶତକରେ ମୈତ୍ରେୟନାଥଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଥିଲା । ଖ୍ରୀଷ୍ଟୀୟ ୪ର୍ଥ ଶତକରେ ଆଚାର୍ଯ୍ୟ ଦିଙ୍‌ନାଗ ଓଡ଼ିଶାର ଭୋରଶୈଳ ବିହାରରେ ବିଜ୍ଞାନବାଦ ଦର୍ଶନ ଅବଲମ୍ବନ କରି ସୁବିଖ୍ୟାତ ‘ପ୍ରମାଣ–ସମୁଚ୍ଚୟ’ ଗ୍ରନ୍ଥ ପ୍ରଣୟନ କରିଥିଲେ । ତାହା ହେଉଛି ଭାରତୀୟ ତର୍କଶାସ୍ତ୍ରର ମୂଳଗ୍ରନ୍ଥ ଏବଂ ଦିଙ୍‌ନାଗ ଭାରତୀୟ ନ୍ୟାୟର ପିତା ରୂପେ ସମ୍ମାନିତ । ‘ସାଂଖ୍ୟକାରିକା’ ପ୍ରଣେତା ଇଶ୍ୱରକୃଷ୍ଣ ଭୋରଶୈଳ ବିହାରରେ ଦିଗ୍‌ନାଗଙ୍କଦ୍ୱାରା ତର୍କରେ ପରାଜୟ ସ୍ୱୀକାର କରିଥିବା ଜଣାପଡ଼େ । କଳିଙ୍ଗର ଅନ୍ୟତମ ବିଜ୍ଞାନବାଦୀ ଦାର୍ଶନିକ ହେଉଛନ୍ତି ଧର୍ମକୀର୍ତ୍ତି । ସେ ଖ୍ରୀଷ୍ଟୀୟ ୭ମ ଶତକରେ ଆଧୁନିକ କୋରାପୁଟଜିଲ୍ଲାର ଜଗମଣ୍ଡା ପାହାଡ଼ରେ ଥିବା ନିଜ ବିହାରରେ ନ୍ୟାୟବିନ୍ଦୁ ଗ୍ରନ୍ଥ ରଚନା କରି ତତ୍‌କାଳୀନ ଦାର୍ଶନିକ ଜଗତରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ । ସାଂଖ୍ୟଦର୍ଶନର ପ୍ରସିଦ୍ଧ ଆଚାର୍ଯ୍ୟ କୁମାରିଲ ଭଟ୍ଟଙ୍କୁ ଧର୍ମକୀର୍ତ୍ତି ଶାସ୍ତ୍ରବାଦରେ ସମ୍ପୂର୍ଣ୍ଣ ରୂପେ ପରାଜିତ କରିଥିବା ଜଣାଯାଏ ।

 

ଓଡ଼ିଶା ଦୀର୍ଘ ସାତ ଶତାବ୍ଦୀ ଧରି ମହାଯାନ ବୌଦ୍ଧ ଧର୍ମ ଓ ଦର୍ଶନର ଭୂମି ରୂପେ ପ୍ରଖ୍ୟାତ ଲାଭ କରିଥିଲା । ସେହିକାଳ ମଧ୍ୟରେ ବୌଦ୍ଧକଳା ଓ ସ୍ଥାପତ୍ୟର ଉନ୍ନତ ବିକାଶ ଓଡ଼ିଶାରେ ପରିଲକ୍ଷିତ ହୁଏ । ଲେଖକ ୧୯୭୮ ସାଲରେ ବୋଡ଼ାସମ୍ବରରେ ଥିବା ଗଣିଆପାଲିଠାରେ ଭୂ-ଖୋଦନ କରି ଇଷ୍ଟକ ନିର୍ମିତ ଯେଉଁ ବିଶାଳ ବୌଦ୍ଧ ବିହାରର ଅବଶେଷ ଉଦ୍ଧାର କରିଥିଲେ ତାହା ଖ୍ରୀଷ୍ଟୀୟ ୫ମ ଶତକରେ ନିରୂପଣ କରାଯାଇଅଛି । ଗଣିଆପାଲିସ୍ଥ ମୁଚଲିନ୍ଦ ବୁଦ୍ଧ ହେଉଛନ୍ତି ଓଡ଼ିଶାର ପ୍ରାଚୀନତମ ବୁଦ୍ଧପ୍ରତିମା । ସେଠାରେ ଦୁଇଟି ବୁଦ୍ଧ ପ୍ରତିମା ମୁଚଲିନ୍ଦନାଗର ଫଣାଛତ୍ର ତଳେ ଯୋଗାସନରେ ଉପବିଷ୍ଟ ଅବସ୍ଥାରେ ମିଳିଛି । ସେ ଦୁଇଟି ନୀଳ ମୁଗୁନି ପଥରରେ ମନୁଷ୍ୟ ମାପ (Life size)ରେ ଅତି କୌଶଳରେ ଖୋଦିତ ହୋଇଥିବା ଦେଖାଯାଏ । ଚୀନା ପରିବ୍ରାଜିକ ହୁଏନ୍‌ସାଂ ପରିମଳଗିରି ବିହାରର ଯେଉଁ ଚାକ୍ଷୁଷ ବର୍ଣ୍ଣନା ଦେଇଯାଇଅଛନ୍ତି ତହିଁରୁ ତାହାର ନିର୍ମାଣ କୌଶଳ ଓ କଳା ବିଭବର ପରିଚୟ ମିଳେ । ନିଦା ସୁନାରେ ନିର୍ମିତ ମନୁଷ୍ୟ ମାପର ବୁଦ୍ଧ ବିଗ୍ରହମାନ ଉକ୍ତ ବିହାରରେ ବହୁ ସଂଖ୍ୟାରେ ଥିବା ହୁଏନ୍‌ସାଂ ପ୍ରକାଶ କରିଅଛନ୍ତି ।

 

ଖ୍ରୀଷ୍ଟୀୟ ଅଷ୍ଟମ ଶତକରେ ମହାଯାନ ବୌ‌ଦ୍ଧଧର୍ମ ବଜ୍ରଯାନରେ ରୂପାନ୍ତରିତ ହେଲା । ସମ୍ବଳର ରାଜା ସିଦ୍ଧ ଇନ୍ଦ୍ରଭୁତିଙ୍କୁ ବଜ୍ରଯାନର ପ୍ରବର୍ତ୍ତକ ରୂପେ ସାଧାରଣତଃ ଗ୍ରହଣ କରାଯାଏ । ବଜ୍ରଯାନର ବୁଦ୍ଧଙ୍କୁ ଇନ୍ଦ୍ରଭୁତି ଆଦିବୁଦ୍ଧ, ବଜ୍ରସତ୍ତ୍ୱ ଏବଂ ଜଗନ୍ନାଥ ରୂପେ ବ୍ୟକ୍ତ କରିଅଛନ୍ତି । ‘ଜଗନ୍ନାଥ’ ଶବ୍ଦ ବ୍ୟାପକ ଅର୍ଥରେ ବହୁପୂର୍ବରୁ ପ୍ରଚଳିତ ଥିଲେ ହେଁ ସେହି ନାମଧେୟ ଠାକୁରଙ୍କର ପୂଜା ଯେ ସର୍ବପ୍ରଥମେ ଇନ୍ଦ୍ରଭୂତିଙ୍କ ଦ୍ୱାରା ପ୍ରବର୍ତ୍ତିତ ହେଲା ତାହା କୁହାଯାଇପାରେ । ମହାନଦୀକୂଳସ୍ଥ ସିର୍‌ପୁର୍‌ (ଶ୍ରୀପୁର)ଠାରେ ଲକ୍ଷ୍ମଣ ମନ୍ଦିର ଗାତ୍ରରେ ଥିବା ରାଣୀ ବାସଟାଙ୍କ ଅଭିଲେଖ (ଯାହା ଅଧୁନା ରାୟପୁର ମ୍ୟୁଜିୟମରେ ସଂରକ୍ଷିତ)ରୁ ଜଣାପଡ଼େ ଯେ ଖ୍ରୀଷ୍ଟୀୟ ଅଷ୍ଟମ ଶତକରେ ସେଠାରେ ପୁରୁଷୋତ୍ତମଙ୍କ ପୂଜା ପ୍ରତିଷ୍ଠାଲାଭ କରିଥିଲା । ନବମ ଓ ଦଶମ ଶତାବ୍ଦୀ ବେଳକୁ ଉଭୟ ଜଗନ୍ନାଥ ଓ ପୁରୁଷୋତ୍ତମ ଓଡ଼ିଶାର ଉପକୂଳ ଅଞ୍ଚଳରେ ପୂଜିତ ହେଉଥିବା ବୌଦ୍ଧ ଓ ବ୍ରାହ୍ମଣ୍ୟ ଧର୍ମର ସାହିତ୍ୟରୁ ସୂଚିତ ହୁଏ ।

 

ଇନ୍ଦ୍ରଭୂତିଙ୍କ ଭଗିନିୀ ଲକ୍ଷ୍ମୀକରା ସହଜଯାନ ବୌଦ୍ଧଧର୍ମର ପ୍ରବର୍ତ୍ତିକା । ସେ ସହଜାତ ଗୁଣ ବା ସହଜକୁ ଅନ୍ତିମ ସତ୍ୟ ରୂପେ ପ୍ରକାଶକରି ସହଜ ସାଧନା ବା କାୟାସାଧନା ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେହି ମତବାଦ ଫଳରେ ତନ୍ତ୍ରର ବ୍ୟାପକ ବିକାଶ ଘଟିଥିଲା ଏବଂ ଓଡ଼ିଶାର ସାମାଜିକ ଜୀବନ ଓ ଧର୍ମ ଧାରଣାରେ ତାନ୍ତ୍ରିକ ସଂସ୍କୃତିର ଗଭୀର ପ୍ରଭାବ ପଡ଼ିଥିଲା । ଲକ୍ଷ୍ମୀକରାଙ୍କ ପଦାଙ୍କ ଅନୁସରଣ କରିଥିବା ଏବଂ ନିଜକୁ ଛଦ୍ମନାମରେ ପ୍ରକାଶ କରିଥିବା କେତେକ ସିଦ୍ଧ ନାରୀ, ଯଥା:-ନିତାଈ ଧୋବଣୀ, ଗାଙ୍ଗୀ ଗଉଡ଼ୁଣୀ, ଶୁକୁଟି ଚମାରୁଣୀ, ଶୁଆ ତେଲୁଣୀ ପତ୍ରପିନ୍ଧି ସହରୁଣୀ ଆଦି ତନ୍ତ୍ରସାହିତ୍ୟର ରଚୟିତା ଭାବରେ ସମ୍ମାନିତା ହୋଇଅଛନ୍ତି । ମାତ୍ର ସେମାନଙ୍କର ରଚନାବଳୀ ସଂଗ୍ରହ କରିବା ଉଦ୍ୟମ ଏପର୍ଯ୍ୟନ୍ତ ଯଥାର୍ଥ ଭାବରେ ହୋଇପାରିନାହିଁ । ଅନ୍ୟପକ୍ଷରେ ଲୋଇପା, ଶବରୀପା, କାହ୍ନୁପା ଆଦି ସିଦ୍ଧାଚାର୍ଯ୍ୟଙ୍କର ଗାନ ଓ ଦୋହାମାନ ସଂଗୃହୀତ ହୋଇ ସହଜଯାନ ସଂସ୍କୃତି ଉପରେ ଯଥେଷ୍ଟ ଆଲୋକପାତ କରାଯାଇପାରିଅଛି । ମାତ୍ର ସେହି ଗାନ ଓ ଦୋହା ଗୁଡ଼ିକର ଭାଷା କେଉଁ ଅଞ୍ଚଳର ତାହା ନେଇ ସାହିତ୍ୟିକ ଓ ପଣ୍ଡିତଙ୍କ ମଧ୍ୟରେ ମତଦ୍ୱୈଧ ରହିଆସିଅଛି । ସେହି ଭାଷା ପ୍ରାଚୀନ ଓଡ୍ର ପ୍ରକୃତରୁ ଉଦ୍‍ଭୂତ ହୋଇଥିବା ବିଶେଷ ସମ୍ଭାବନା । ଭଦ୍ରକରୁ ପ୍ରାପ୍ତ ରାଜା ଗଣଭଦ୍ରଙ୍କର ଶିଳାଲେଖର ଭାଷା ହେଉଛି ଓଡ୍ର ପ୍ରକୃତ ଏବଂ ହାତିଗୁମ୍ପା ଅଭିଲେଖର ଭାଷା ସହିତ ତାହାର ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଏ । ବୌଦ୍ଧଗାନ ଓ ଦୋହାର ଭାଷା କେତେଦୂର ସେହି ପ୍ରାକୃତ ଭାଷାର ଅନୁଗାମୀ ତାହା ଅନୁସନ୍ଧାନ କରିବା ନିତାନ୍ତ ଆବଶ୍ୟକ ।

 

ବୈଦିକ ବ୍ରାହ୍ମଣ୍ୟ ଧର୍ମର ପ୍ରଭାବ କଳିଙ୍ଗକୁ କେବେ ପ୍ରବେଶ କଲା, ତାହା ଠିକ୍‌ ରୂପେ କହିବା ସମ୍ଭବ ନୁହେଁ । ଖ୍ରୀ:ପୂ: ଚତୁର୍ଥ ଶତକରେ ରଚିତ ବୈଧାୟନ ଧର୍ମ ସୂତ୍ରରେ କଳିଙ୍ଗବାସୀଙ୍କୁ ସଂକୀର୍ଣ୍ଣ ଯୋନିଜାଃ ବୋଲି ବର୍ଣ୍ଣନା କରାଯାଇଅଛି ଏବଂ ସେହି ଅଞ୍ଚଳକୁ ତିର୍ଥ ଯାତ୍ରା ବିନା ଅନ୍ୟ ଉଦ୍ଦେଶ୍ୟରେ ଯାତ୍ରା କରିବା ନିଷିଦ୍ଧ କରାଯାଇଅଛି । ତେବେ ବୈଧାୟନଙ୍କର ବହୁ ପୂର୍ବରୁ କଳିଙ୍ଗରେ ବ୍ରାହ୍ମଣ ବସତି ଥିବା ବୌଦ୍ଧ ଜାତକମାନଙ୍କରୁ ଜଣାପଡ଼େ । ଅଶୋକଙ୍କ ପୂର୍ବବର୍ତ୍ତୀ କାଳରେ କଳିଙ୍ଗର ସାମାଜିକ ତଥା ଧାର୍ମିକ ଜୀବନରେ ବ୍ରାହ୍ମଣମାନଙ୍କର ବିଶେଷ ପ୍ରଭାବ ଥିଲା । କଳିଙ୍ଗ ଯୁଦ୍ଧରେ ବ୍ରାହ୍ମଣ ଓ ଶ୍ରମଣମାନଙ୍କର କ୍ଷୟକ୍ଷତି ଘଟିଥିବା ହେତୁ ଅଶୋକ ତ୍ରୟୋଦଶ ଅନୁଶାସନରେ ନିଜ ଅନୁଶୋଚନା ଲିପିବଦ୍ଧ କରିଅଛନ୍ତି । ଖାରବେଳଙ୍କ ସମୟରେ ମଧ୍ୟ କଳିଙ୍ଗରେ ବ୍ରାହ୍ମଣମାନଙ୍କର ବିଶେଷ ପ୍ରଭାବ ଥିବା ହାତିଗୁମ୍ପା ଅଭିଲେଖରୁ ଜଣାଯାଏ । ବ୍ରାହ୍ମଣଧର୍ମର ତିନି ଦେବତାଙ୍କ ପୂଜା ଖ୍ରୀଷ୍ଟୀୟ ତୃତୀୟ ଶତକରେ ପ୍ରଚଳିତ ଥିବା ଗଣଭଦ୍ରଙ୍କର ଭଦ୍ରକ ଅଭିଲେଖରୁ ମିଳେ । ଖ୍ରୀଷ୍ଟୀୟ ଚତୁର୍ଥ ଶତକରେ ଶୈବ ଓ ଭାଗବତ ଧର୍ମ ଯଥାକ୍ରମେ ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରସାର ଲାଭ କରିଥିବା ଜଣାପଡ଼େ । ଅସନପାଟ ଶିଳାଲେଖରୁ ଜଣାଯାଏ ଯେ ସେତେବେଳେ ଶୈବଧର୍ମ ଉତ୍ତର ଓଡ଼ିଶାରେ ଲୋକପ୍ରିୟ ହୋଇପାରିଥିଲା ଏବଂ ମାଠର ରାଜବଂଶର ତାମ୍ରଶାସନରୁ ଓଡ଼ିଶାର ଦକ୍ଷିଣାଂଚଳରେ ଭାଗବତ ଧର୍ମର ଅଭିବୃଦ୍ଧି ଘଟିଥିବା ସ୍ପଷ୍ଟ ସୂଚନା ମିଳେ । ମାଠରଙ୍କ ପରବର୍ତ୍ତୀ କାଳରେ ଓଡ଼ିଶାରେ ଲକ୍ଷ୍ମୀନାରାୟଣଙ୍କ ପୂଜା ବିଶେଷ ରୂପେ ପ୍ରସାରିତ ହୋଇଥିବା ଦେଖାଯାଏ । ଶୈଳୋଦଭବବଂଶୀ ରାଜା ତୃତୀୟ ମାଧବରାଜାଙ୍କର ଟେକ୍‌କାଲି ତାମ୍ରଶାସନରେ କ୍ଷିରସାଗରରେ ମଧୁସୂଦନ ଲକ୍ଷ୍ମୀଙ୍କୁ ରମଣ କରୁଥିବା ବର୍ଣ୍ଣନାମିଳେ । ବିଷ୍ଣୁଙ୍କୁ ନାରାୟଣ, ମା‌ଧବ ଶ୍ରୀନିବାସ ଆଦି ନାମରେ ଏବଂ ଲକ୍ଷ୍ମୀଙ୍କୁ ଶ୍ରୀ, ଶ୍ରୀମା ନାମରେ ଅଭିଲେଖ ଗୁଡ଼ିକରେ ଉଲ୍ଲେଖ କରାଯାଇଅଛି । ବିଷ୍ଣୁଙ୍କ ପାଦ ପୂଜା ସେକାଳରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ଲୋକପ୍ରିୟ ହୋଇଥିଲା । ନଳବଂଶୀ ରାଜାଙ୍କ ରାଜଧାନୀ ପୁଷ୍କରୀ (ଆଧୁନିକ କୋରାପୁଟ ଜିଲ୍ଲାରେ) ଠାରେ ବିଷ୍ଣୁପାଦ ପୁଜା ନିମନ୍ତେ ଏକ ସୁରମ୍ୟ ମନ୍ଦିର ନର୍ମିତ ହୋଇଥିଲା । ବିଷ୍ଣୁପାଦ ବିଷ୍ଣୁଙ୍କ ବାମନ ଅବତାରର ସଙ୍କେତ ରୂପେ ଗୃହୀତ ହୋଇଥିବା ଜଣାଯାଏ-। ଷଷ୍ଠ ଓ ସପ୍ତମ ଶତାବ୍ଦୀରେ ବିଷ୍ଣୁ ପୂଜା ସହିତ ସୂର୍ଯ୍ୟ ପୂଜା ବିଶେଷ ରୂପେ ଆଦୃତ ହୋଇପାରିଥିଲା । ସୁମଣ୍ଡଳ ତାମ୍ରଶାସନ (୫୭୦ ଖ୍ରୀ:ରେ ପ୍ରଥମ ଧର୍ମରାଜ ନିଜକୁ ସହସ୍ର ରଶ୍ମି ପାଦଭକ୍ତ ରୂପେ ପ୍ରକାଶ କରିଅଛନ୍ତି । ତାଙ୍କର ରାଜକୀୟ ମୁଦ୍ରାରେ ଚକ୍ରହୀନ ରଥ ଉପରେ ଗୋଲାକାର ସୂର୍ଯ୍ୟଙ୍କ ଚିତ୍ର ଅଙ୍କିତ ହୋଇଥିବା ମିଳେ । ସୂର୍ଯ୍ୟଦେବତାଙ୍କ ରଥୋତ୍ସବ ମାଘ ସପ୍ତମୀ ଦିନ ପାଳିତ ହେଉଥିବା ଗଙ୍ଗରାଜା ତୃତୀୟ ଇନ୍ଦ୍ର ବର୍ମାଙ୍କର ଚିକାକୋଲ ତାମ୍ରଶାସନ (୬୩୦ ଖ୍ରୀ:)ରୁ ସୂଚିତ ହୁଏ । କେତେକ ସ୍ଥାନରେ ମୈତ୍ରାୟଣୀୟ ସୂର୍ଯ୍ୟପୂଜକ ବ୍ରାହ୍ମଣ ରାଜବୃତ୍ତି ଭୋଗକରି ମିତ୍ର (ସୂର୍ଯ୍ୟ) ବିଷୟକ ଶାସ୍ତ୍ର ଚର୍ଚ୍ଚାରେ ରତଥିବା ଅଭିଲେଖରୁ ଜଣାପଡ଼େ ।

 

ଉତ୍ତର ଓଡ଼ିଶାରେ ଖ୍ରୀଷ୍ଟୀୟ ଚତୁର୍ଥ ଶତକ ବେଳକୁ ଶୈବଧର୍ମ ପ୍ରସାରିତ ହୋଇଥିବା ଇତିପୂର୍ବେ ଉଲ୍ଲେଖ କରାଯାଇଅଛି । ପ୍ରାୟ ୫୦୦ ଖ୍ରୀ: ରେ ମହେନ୍ଦ୍ରଗିରି ପୃଷ୍ଠରେ ଗୋକର୍ଣ୍ଣେଶ୍ୱର ଶିବଙ୍କ ସଂସ୍ଥାପନା କରି ଗଙ୍ଗରାଜାମାନେ ଶୈବଧର୍ମକୁ ବିଶେଷ ଲୋକପ୍ରିୟ କରିଥିଲେ । ସପ୍ତମ ଶତକରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଶୈବଧର୍ମର ମତ୍ତମୟୁର ଶାଖା ଏବଂ ଉପକୂଳ ଅଞ୍ଚଳରେ ପାଶୁପତ ଶାଖା ପ୍ରଭାବ ବିସ୍ତାର କରିଥିଲା । କ୍ରମେ ରାଣୀପୁର ଝରିଆଲ ମତ୍ତମୟୁର ଶୈବଙ୍କର ଏବଂ ଭୁବନେଶ୍ୱର ନକୁଳୀଶ ପାଶୁପତ ସମ୍ପ୍ରଦାୟର ଶୈବମାନଙ୍କର ପ୍ରଧାନ କ୍ଷେତ୍ରରୂପେ ପରିଣତ ହୋଇଥିଲା । ଭୁବନେଶ୍ୱରସ୍ଥ ଭରତେଶ୍ୱର ମନ୍ଦିରରେ ନକୁଳୀଶଙ୍କ ପ୍ରାଧାନ୍ୟ ପ୍ରଥମ ହୋଇ ଦେଖାଯାଏ; ପରେ ଦଶମ-ଏକାଦଶ ଶତକରେ ପାଶୁପତ ମତ ଓଡ଼ିଶାରେ ଅତି ବ୍ୟାପକ ଆକର ଧାରଣ କରିଥିଲା । ଭୁବନେଶ୍ୱରର ବ୍ରାହ୍ମେଶ୍ୱର ଏବଂ ଲିଙ୍ଗରାଜ ମନ୍ଦିର ନକୁଳୀଶ ପାଶୁପତ ଶୈବ ଧର୍ମର ମହନୀୟତା ପରିପ୍ରଚାର କରି ଆସିଅଛି ।

 

ଶୈବଧର୍ମ ସହିତ ଶାକ୍ତ ଧର୍ମ ଖ୍ରୀଷ୍ଟୀୟ ପଞ୍ଚମ ଶତକରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଲୋକପ୍ରିୟ ହୋଇଅଛି । କଳାହାଣ୍ଡି ଜିଲ୍ଲାର ତେରାସିଙ୍ଗାରୁ ପ୍ରାପ୍ତ ରାଜା ତୁଷ୍ଟିକରଙ୍କର ତାମ୍ରଶାସନରେ (୫ମ ଶତାବ୍ଦୀ) ସ୍ତମ୍ଭେଶ୍ୱରୀଙ୍କ ପୂଜା ସୂଚିତ ହୋଇଅଛି । ସେ କାଳରେ ଶକ୍ତି ପୂଜାର ମହତ୍ତ୍ୱପୂର୍ଣ୍ଣ କେନ୍ଦ୍ର ଥିଲା ବିରଜା, ଆଧୁନିକ ଯାଜପୁର । ଦେବୀ ବିରଜାଙ୍କର ମହୀଷମର୍ଦ୍ଦିନୀ ଦ୍ୱିଭୁଜା ବିଗ୍ରହ ହେଉଛି ଭାରତରେ ପ୍ରାଚୀନତମ ଦେବୀ ମୂର୍ତ୍ତି । କ୍ରମେ ଦୁର୍ଗାଙ୍କ ସହିତ ଚାମୁଣ୍ଡା ଓ ସପ୍ତମାତୃକାଙ୍କର ପୂଜା ପ୍ରଚଳିତ ହେଲା ଏବଂ ମଧ୍ୟଯୁଗରେ ଶକ୍ତିପୂଜା ବିଶେଷ ରୂପେ ଲୋକପ୍ରିୟ ହୋଇଥିଲା । ଅଷ୍ଟମ ଶତାବ୍ଦୀରେ ରାଣୀପୁର ଝରିଆଲଠାରେ ଏବଂ ନବମ ଶତାବ୍ଦୀରେ ହୀରାପୁରଠାରେ ଯୋଗିନୀପୀଠ ସ୍ଥାପିତ ହୋଇ ଚଉଷଠି ଯୋଗିନୀ ପୂଜା ପ୍ରଚଳିତ ହୋଇଥିଲା । ଯୋଗିନୀ ସମ୍ପ୍ରଦାୟ ଶାକ୍ତ ମତର ତାନ୍ତ୍ରିକ ସ୍ୱରୂପ ପ୍ରଚାର କରୁଥିଲେ ।

 

ଦଶମ ଶତକରେ ଶ୍ରୀମଦ୍‍ ଭାଗବତ ପୁରାଣ ରଚିତ ହେବାପରେ ଭାଗବତ-ବୈଷ୍ଣବ ଧର୍ମର ଲୋକପ୍ରିୟତା ବିଶେଷ ଭାବରେ ବୃଦ୍ଧି ଲାଭକଲା । ଓଡ଼ିଶାରେ ଶ୍ରୀଧର ସ୍ୱାମୀ ଶ୍ରୀମଦ୍‌ଭାଗବତର ଟୀକା ପ୍ରଣୟନକରି ଭାବାର୍ଥ ଦୀପିକା ନାମରେ ପ୍ରକାଶକଲେ ଏବଂ ତାହାଫଳରେ ଭାଗବତ ଧର୍ମର ପ୍ରଭାବ ଓଡ଼ିଶାର ଜନସାଧାରଣଙ୍କୁ ଅନୁପ୍ରାଣିତ କରିବାକୁ ଲାଗିଲା-। ପରିଶେଷରେ ପଞ୍ଚଦଶ ଶତାବ୍ଦୀରେ ଜଗନ୍ନାଥଦାସ ଶ୍ରୀମଦ୍‌ଭାଗବତର ଓଡ଼ିଆ ଅନୁବାଦ କରି ଓଡ଼ିଶାର ଧାର୍ମିକ ଜୀବନରେ ବୈଷ୍ଣବ ଧର୍ମର ଗଭୀର ପ୍ରେରଣା ଓ ଉତ୍ସାହ ପ୍ରଦାନ କରିଥିଲେ ।

 

ଦ୍ୱାଦଶ ଶତାବ୍ଦୀରେ ରାମାନୁଜାଚାର୍ଯ୍ୟଙ୍କର ଉତ୍କଳ ଆଗମନ ବୈଷ୍ଣବ ଧର୍ମ ଓ ସଂସ୍କୃତିରେ ବିଶେଷ ପ୍ରଭାବ ପକାଇଥିବା ଜଣାପଡ଼େ । ସେ ବିଶିଷ୍ଟାଦ୍ୱୈତବାଦ ପ୍ରଚାର କରିବା ସଙ୍ଗେ ଶ୍ରୀ ବୈଷ୍ଣବ ଧର୍ମର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ତାଙ୍କ ପ୍ରଚାର ଫଳରେ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ପୂଜା ଲୋକପ୍ରିୟ ହୋଇଥିଲା ଏବଂ ବିଷ୍ଣୁଙ୍କର ଅବତାରବାଦ ବହୁଳ ଭାବରେ ପ୍ରଚାର ଲାଭ କଲା । ଦ୍ୱାଦଶ ଶତାବ୍ଦୀର ମଧ୍ୟ ଭାଗରେ ଚୋଡ଼ଗଙ୍ଗଦେବ ପୁରୁଷୋତ୍ତମ ବିଷ୍ଣୁଙ୍କର ବିଶାଳ ମନ୍ଦିର ସମୁଦ୍ରକୂଳରେ ନିର୍ମାଣ କରି ତାହା ସହିତ ଲକ୍ଷ୍ମୀଙ୍କ ମନ୍ଦିର ମଧ୍ୟ ନିର୍ମାଣ କରାଇଥିଲେ । ସେହିକାଳଠାରୁ ପୁରୁଷୋତ୍ତମ-ପୁରୀ ଏକ ପ୍ରଧାନ ବୈଷ୍ଣବ କ୍ଷେତ୍ର ରୂପେ ସମଗ୍ର ଭାରତରେ ଖ୍ୟାତି ଲାଭ କରିଅଛି ।

 

ଅଷ୍ଟମ ଶତାବ୍ଦୀଠାରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଜୀବନରେ ବହୁବିଧ ବିକାଶ ସାଧିତ ହୋଇଥିବା ଜଣାପଡ଼େ । ସେହି ସମୟ ମଧ୍ୟରେ ଶୈବ ଶାକ୍ତ ଓ ବୈଷ୍ଣବ ଧର୍ମର ଯେଉଁ ଅଗ୍ରଗତି ଘଟିଥିଲା ତାହା କଳା, ସ୍ଥାପତ୍ୟ, ନୃତ୍ୟ, ସଙ୍ଗୀତ ମାଧ୍ୟମରେ ଉନ୍ନତ ରୂପେ ପ୍ରକାଶ ପାଇଥିଲା । ସେତେବେଳେ ଜୈନ ଓ ବୌଦ୍ଧ ସଂସ୍କୃତିରେ ମଧ୍ୟ ଅଭିନବ ଉନ୍ନୟନ ଘଟିଥିବା ଜଣାପଡ଼େ । ଅଷ୍ଟମ ଶତାବ୍ଦୀରେ କଟକ ଜିଲ୍ଲାର ରତ୍ନଗିରି, ଲଳିତଗିରି ଓ ଉଦୟଗିରି ଠାରେ ମହାଯାନ ବୌଦ୍ଧ ଧର୍ମ ସହିତ ବଜ୍ରଯାନର ଉଜ୍ଜ୍ୱଳ ଆଲୋକଶିଖା ପ୍ରକାଶ ପାଇଥିଲା । ରତ୍ନଗିରି ମହାବିହାର ଏକ ପ୍ରସିଦ୍ଧ ଶିକ୍ଷାକେନ୍ଦ୍ର ରୂପେ ଏବଂ ବୌଦ୍ଧକଳାର ବିଶିଷ୍ଟ ପୀଠରୂପେ ସମଗ୍ର ଭାରତରେ ଖ୍ୟାତିଲାଭ କରିଥିଲା । ରତ୍ନଗିରିର ଉନ୍ନତ କଳା ସମୁଦ୍ର ଅତିକ୍ରମ କରି ଶୈଳେନ୍ଦ୍ର ସାମ୍ରାଜ୍ୟର ବୋରୋବୁଦୁର ଓ ଚଣ୍ଡୀକଳସଠାରେ ଏବଂ ସିଂହଳର ଅନୁରାଧାପୁର ଓ ପୋଲୋନୁରୋଆ ଠାରେ ପ୍ରଭାବ ବିସ୍ତାର କରିଥିଲା । ଶୈଳୋଦ୍‌ଭବ ରାଣୀ କଲ୍ୟାଣଦେବୀ ଜୈନଧର୍ମର ପୃଷ୍ଠପୋଷକତା କରି ସେହି ଧର୍ମର ମର୍ଯ୍ୟାଦା ବୃଦ୍ଧି କରିଥିଲେ । କେନ୍ଦୂଝର ଜିଲ୍ଲାର ବୈଦାଖିଆ ଓ ଆନନ୍ଦପୁର ଅଞ୍ଚଳରେ କଳାହାଣ୍ଡି ଜିଲ୍ଲାର ମାରାଗୁଡ଼ା ଉପତ୍ୟକାରେ ଏବଂ କୋରାପୁଟ ଜିଲ୍ଲାର ସୁଆଇ ଓ ଭୈରବସିଙ୍ଗ୍‌ ପୁରଠାରେ ଜୈନ କଳା ଓ ସ୍ଥାପତ୍ୟର ବିଶେଷ ଅଗ୍ରଗତି ପ୍ରକାଶ ପାଇଥିଲା । ଏକାଦଶ ଶତାବ୍ଦୀରେ ଜୈନ ଆଚାର୍ଯ୍ୟ ଶୁଭଚନ୍ଦ୍ର ଖଣ୍ଡଗିରି ଆଗମନ କରି ବାରଭୁଜା ଓ ନବମୁନୀ ଗୁମ୍ପା ଦ୍ୱୟକୁ ଜୈନତୀର୍ଥଙ୍କର ଉପାସନା ମନ୍ଦିରରେ ପରିଣତ କରିଥିଲେ । ସେତେବେଳେ ସେଠାରେ ୨୪ ଜଣ ତୀର୍ଥଙ୍କରଙ୍କ ନିମନ୍ତେ ସୁନ୍ଦର ମନ୍ଦିରମାନ ନିର୍ମିତ ହୋଇଥିଲା ଏବଂ ମୁଗିନିପଥର ନିର୍ମିତ ଉନ୍ନତ କଳାବିଶିଷ୍ଟ ଜୈନ ବିଗ୍ରହମାନ ସ୍ଥାପିତ ହୋଇଥିଲା-। ଭୁବନେଶ୍ୱରଠାରେ ଶୈବଧର୍ମର ବିକାଶ ସହିତ ମନ୍ଦିର ନିର୍ମାଣ କଳା ଓ ଶୈଳୀର ବିଶେଷ ଅଗ୍ରଗତି ସାଧିତ ହୋଇଥିଲା । ପ୍ରାୟ ୧୦୦୦ ଖ୍ରୀ:ରେ ସୋମବଂଶୀ ରାଜା ଇନ୍ଦ୍ରରଥ ନିର୍ମାଣ କରାଇଥିବା ରାଣୀପୁର ଝରିଆଲଠାରେ ଗୋପାଳଙ୍କ ଇଷ୍ଟକ ମନ୍ଦିର ଏବଂ ଭୁବନେଶ୍ୱରଠାରେ ରାଜାରାଣୀ ମନ୍ଦିର ଉଭୟ କଳାନୈପୁଣ୍ୟରେ ସମଗ୍ର ଭାରତରେ ସୁବିଖ୍ୟାତ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ପୁରୀର ଜଗନ୍ନାଥ ମନ୍ଦିର ଏବଂ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଓଡ଼ିଶାର ମହାନ କଳା ପରମ୍ପରା ପୁଞ୍ଜୀଭୂତ ହୋଇ ଓଡ଼ିଆ ଜାତିର ମହତ୍ତ୍ୱପୂର୍ଣ୍ଣ ସଂସ୍କୃତିର ପରିଚୟ ପ୍ରଖ୍ୟାପନ କରୁଅଛି ।

 

ଦ୍ୱାଦଶ ଶତାବ୍ଦୀରେ କବି ଜୟଦେବ ଗୀତଗୋବିନ୍ଦ ରଚନା କରି ରାଧାକୃଷ୍ଣ ପ୍ରେମର ମହତ୍ତ୍ୱ ଓ ମାଧୂର୍ଯ୍ୟ ପ୍ରଚାର କରିଥିଲେ । ତ୍ରୟୋଦଶ ଶତାବ୍ଦୀ ବେଳକୁ ଗୋପାଳକୃଷ୍ଣ ମୂର୍ତ୍ତିର ପରିକଲ୍ପନା ହୋଇଥିଲା ଏବଂ କୃଷ୍ଣ ପୂଜା ଓଡ଼ିଶାରେ ପ୍ରସାରଲାଭ କରିଥିଲା । ମାତ୍ର ରାଧା ଓ କୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଅଷ୍ଟାଦଶ ଶତାବ୍ଦୀଯାଏ ଜନସାଧାରଣଙ୍କ ଦ୍ୱାରା ଗୃହୀତ ହୋଇପାରିନଥିଲା-। ଚୈତନ୍ୟଙ୍କର ଓଡ଼ିଶା ଆଗମନ ଏବଂ ତାଙ୍କର ଦୀର୍ଘକାଳ ଅବସ୍ଥାନ ବୈଷ୍ଣବ ଧର୍ମ ଓ ସଂସ୍କୃତିର ଅଭିବୃଦ୍ଧି ନିମନ୍ତେ ବିଶେଷ ସହାୟକ ହୋଇଥିଲା । ରାୟ ରାମାନନ୍ଦ ଓଡ଼ିଶାରେ ଗୋପିଭାବ ଓ ରାଧାଭାବ ଜନିତ ମଧୂର ରସ ଉପାଦନାର ପ୍ରବର୍ତ୍ତକ ଭାବରେ ଚୈତନ୍ୟଙ୍କୁ ଆକୃଷ୍ଟ କରିଥିଲେ । ରାଧାକୃଷ୍ଣ ପ୍ରେମର ମାଧୁର୍ଯ୍ୟ କବି ଜୟଦେବ, ବିଦ୍ୟାପତି ଏବଂ ଚଣ୍ଡୀଦାସଙ୍କ ହୃଦୟସ୍ପର୍ଶୀ କାନ୍ତ ପଦାବଳୀରେ ରୂପାୟିତ ହୋଇ ବୈଷ୍ଣବ ଧର୍ମରେ ଯେଉଁ ନୂତନ ଭାବଧାରା ସୃଷ୍ଟି କରିଥିଲା ରାୟ ରାମାନନ୍ଦ ଥିଲେ ତାହାର ବିଦଗ୍‌ଧ ସ୍ତାବକ । ପ୍ରେମ ଚେତନାର ଗଭୀର ସ୍ପନ୍ଦନକୁ ସେ ଜଗନ୍ନାଥ ବଲ୍ଲଭ ନାଟକରେ ରୂପାୟିତ କରି ନୈର୍ବ୍ୟକ୍ତିକ ପ୍ରଣୟର ମହତ୍ତ୍ୱ ପ୍ରକାଶ କରିଅଛନ୍ତି । ଚୈତନ୍ୟ ଥିଲେ ସେହି ମାଧୂର୍ଯ୍ୟ ପ୍ରେମ ଭାବର ସମର୍ଥକ ଓ ଦ୍ୟୋତକ । ମାତ୍ର ଚୈତନ୍ୟ ନିଜେ ପ୍ରଣୟନ କରିଥିବା କୌଣସି ଗ୍ରନ୍ଥ କିମ୍ବା ସମସାମୟିକ କବି ଓ ଲେଖକ ତାଙ୍କ ସମ୍ପର୍କରେ ଲେଖିଥିବା କୌଣସି ବିବରଣ ମିଳି ନ ଥିବା ହେତୁ ସେ ତତ୍‌କାଳୀନ ଓଡ଼ିଶାର ଧର୍ମଜୀବନ ଉପରେ କି ପ୍ରଭାବ ପକାଇ ଥିଲେ ତାହା ଜାଣିବା ସମ୍ଭବ ହେଉନାହିଁ । ଚୈତନ୍ୟଙ୍କର ପରବର୍ତ୍ତୀ କାଳରେ ବୃନ୍ଦାବନ ଧାମର ସମୃଦ୍ଧି ଘଟିଥିଲା ଏବଂ ନବ ପ୍ରବର୍ତ୍ତିତ ବୈଷ୍ଣବ ଭାବଧାରାର ପ୍ରସାର କଳ୍ପେ ବହୁ ଉଦ୍ୟମ କରାଯାଇଥିଲା । ବଳଦେବ ବିଦ୍ୟାଭୂଷଣ ବ୍ରହ୍ମସୂତ୍ରର ଗୋବିନ୍ଦଭାଷ୍ୟ ପ୍ରଣୟନକରି ରାଧାକୃଷ୍ଣ ଯୁଗଳ ତତ୍ତ୍ୱର ଧାର୍ମିକ ତଥା ଦାର୍ଶନିକ ବ୍ୟାଖ୍ୟା ପ୍ରତିପାଦନ କରିଥିଲେ । ବିଦ୍ୟାଭୂଷଣଙ୍କ ପ୍ରବର୍ତ୍ତିତ ଅଚିନ୍ତ୍ୟ ଭେଦାଭେଦ ଭାବ ବୈଷ୍ଣବ ଧର୍ମର ଚିନ୍ତାକ୍ଷେତ୍ରରେ ନୂତନ ଦୃଷ୍ଟିକୋଣ ଓ ସମ୍ବେଦନ ସୃଷ୍ଟିକଲା ଏବଂ ତାହା ଫଳରେ ରାଧାକୃଷ୍ଣ ଯୁ‌ଗଳ ମୁର୍ତ୍ତିର ଉପାସନା ସ୍ୱୀକୃତ ହୋଇ ଲୋକପ୍ରିୟ ହୋଇପାରିଥିଲା ।

 

ରାଧାମୂର୍ତ୍ତିର ପରିକଲ୍ପନା ଓଡ଼ିଶାରୁ ଉଦ୍‌ଭବ ହୋଇଥିବା ନରହରି ତୀର୍ଥଙ୍କର ଭକ୍ତି ରତ୍ନାକର ପୁସ୍ତକରୁ ଜଣାପଡ଼େ । ବୃଷଭାନୁ ନାମକ ଜଣେ ବ୍ରାହ୍ମଣ ବଣିକ ଏକ ନାରୀ ପ୍ରତିମାକୁ ଅତି ଯତ୍ନରେ ରଖି ତାକୁ ଦୁହିତା ଜ୍ଞାନରେ ବାତ୍ସଲ୍ୟ ପ୍ରଦାନ କରୁଥିଲେ । ତାଙ୍କ ମୃତ୍ୟୁରେ ଗଜପତି ରାଜା ପୁରୁଷୋତ୍ତମଦେବ (୧୬୦୫-୧୬୨୧) ସେହି ପ୍ରତିମୂର୍ତ୍ତିକୁ ନେଇ ପୁରୀମନ୍ଦିର ବେଢ଼ାରେ ରଖାଇଲେ ଏବଂ ସେଠାରେ ତାହା ଲକ୍ଷ୍ମୀ ରୂପେ ପୁଜିତ ହେଉଥିଲା । ପରେ ଉକ୍ତ ବୃଷଭାନୁ ନନ୍ଦିନୀଙ୍କୁ ବୃନ୍ଦାବନ ନିଆଯାଇ ମଦନମୋହନଙ୍କ ପାର୍ଶ୍ୱରେ ରାଧାରୂପେ ପ୍ରତିଷ୍ଠିତ କରାଯାଇଥିଲା । ଅଚିନ୍ତ୍ୟ ଭେଦାଭେଦ ଦର୍ଶନ ପ୍ରବର୍ତ୍ତିତ ହେବା ପରେ ଓଡ଼ିଶାର ଧାର୍ମିକ ଚେତନା, ସାହିତ୍ୟ ଓ କଳାରେ ରାଧାକୃଷ୍ଣ ତତ୍ତ୍ୱର ପ୍ରଭାବ ଗଭୀର ରେଖାପାତ କରିଅଛି ।

 

ଧର୍ମ ଓ ଦର୍ଶନ ସାଂସ୍କୃତିକ ପରମ୍ପରାର ଆଦର୍ଶ ଓ ଆଭିମୁଖ୍ୟର ନିୟାମକ ରୂପେ ସମାଜରେ ମାନବିକତାର ମୁଲ୍ୟବୋଧ ପ୍ରତିଷ୍ଠିତ କରିଥାଏ । ମାତ୍ର ସେହି ମାନବିକ ମୂଲ୍ୟବୋଧ ଏବଂ ସାଂସ୍କୃତିକ ଚେତନାର ସ୍ୱରୂପ ଭାଷା, ସାହିତ୍ୟ ଓ କଳା ମାଧ୍ୟମରେ ପ୍ରକାଶିତ ହୋଇଥାଏ । ଓଡ଼ିଶାରେ ଚତୁର୍ଥ ଶତାବ୍ଦୀଠାରୁ ପଞ୍ଚଦଶ ଶତାବ୍ଦୀଯାଏ ସଂସ୍କୃତ ଭାଷା ଜାତିର ଆତ୍ମପ୍ରକାଶ ଓ ଭାବ ଅଭିବ୍ୟକ୍ତିର ଆବଶ୍ୟକତା ପୁରଣ କରିଆସିଥିଲା । ମଧ୍ୟଯୁଗର ସାମନ୍ତବାଦୀ ସମାଜ, ବ୍ରାହ୍ମଣ୍ୟବାଦୀ ଧର୍ମ ଏବଂ ପଣ୍ଡିତାଭିମୂଖୀ ଶିକ୍ଷା ସଂସ୍କୃତ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଓ ଉପଯୋଗିତାର ପରିବେଶ ସୃଷ୍ଟି କରିଥିଲା । ଚର୍ଯ୍ୟାଗୀତିର ସାନ୍ଧ୍ୟ ଭାଷାରେ ପ୍ରାଚୀନ ନାଥ ସାହିତ୍ୟର କବିତାରେ ଏବଂ ଇତସ୍ତତଃ କେତେକ ଅଭିଲେଖରେ ଓଡ଼ିଆଭାଷା କ୍ଷୀଣ ଅବସ୍ଥାରେ ସୀମିତ ଥିଲା । ମାତ୍ର ଗଙ୍ଗ ଶାସନ କାଳରେ ଓଡ଼ିଆ ଭାଷାପ୍ରତି କ୍ରମେ ଜନସାଧାରଣଙ୍କ ଆସକ୍ତି ବଢ଼ିଉଠିଥିଲା ଏବଂ ସଂସ୍କୃତ ଅନେକଙ୍କ ପକ୍ଷରେ ଦୁର୍ବୋଧ୍ୟ ହୋଇଥିବାରୁ ତାହାର ବିକଲ୍ପ ରୂପେ ଓଡ଼ିଆ ଭାଷାପ୍ରତି ସ୍ୱାଭାବିକ ଆଦର ଓ ଆକର୍ଷଣ ପ୍ରକାଶ ପାଇଲା । ପ୍ରଥମ ଭାନୁଦେବ (୧୨୬୪-୧୨୭୮ଖ୍ରୀ:)ଙ୍କ କାଳରେ ସୋନପୁର ଅଞ୍ଚଳର ଗଙ୍ଗ ପ୍ରଶାସକ ଜନସାଧାରଣଙ୍କ ଚାହିଦା ଅନୁସାରେ ସଂସ୍କୃତ ବଦଳରେ ଓଡ଼ିଆ ଭାଷାରେ ରାଜକୀୟ ଘୋଷଣା ପ୍ରକାଶ କରିଥିବା ଜଣାଯାଏ । ମାତ୍ର ଗଙ୍କରାଜାଙ୍କ ଦରବାରରେ ସଂସ୍କୃତ ରାଜକୀୟ ଭାଷାରୂପେ ଶେଷପର୍ଯ୍ୟନ୍ତ ସମାଦୃତ ହୋଇଆସିଥିଲା । ଜନସାଧାରଣଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ସଂସ୍କୃତ ଏବଂ ଓଡ଼ିଆ ଉଭୟ ଭାଷାରେ ଘୋଷଣାମାନ ବେଳେବେଳେ ପ୍ରକାଶ କରାଯାଉଥିଲେହେଁ ଭାଷାପ୍ରଶ୍ନ ନେଇ ରାଜ୍ୟରେ ତୀବ୍ର ଅସନ୍ତୋଷ ଘନେଇ ରହିଥିବା ଜଣାପଡ଼େ । ପଞ୍ଚଦଶ ଶତାବ୍ଦୀରେ ସେହି ଅସନ୍ତୋଷରୁ ବିପ୍ଲବର ସ୍ପୁଲିଙ୍ଗ ପ୍ରକାଶିତ ହେଲା ଏବଂ ଭାଷା କ୍ଷେତ୍ରରେ ଅନିବାର୍ଯ୍ୟ ପରିବର୍ତ୍ତନ ଦେଖାଦେଲା । ମହାକବି ଶାରଳାଦାସ ଓଡ଼ିଆ ଜାତିର ଜୀବନ ଦର୍ଶନ ଓ ସମାଜ ଚେତନା ରୂପାୟିତ କରି ଯେଉଁ ବିଖ୍ୟାତ ମହାଭାରତ ପ୍ରଣୟନ କଲେ ତହିଁରେ ସେ ସଂସ୍କୃତ ସହିତ ଓଡ଼ିଆ ଭାଷାର ଭାରସାମ୍ୟ ରକ୍ଷାକରିବା ପାଇଁ ପ୍ରତ୍ୟକ୍ଷ ଉଦ୍ୟମ କରିଥିଲେ ।

 

ଚୋଡ଼ଗଙ୍ଗଦେବଙ୍କଠାରୁ ଆରମ୍ଭ କରି ଗଙ୍ଗବଂଶର ପ୍ରତ୍ୟେକ ନରପତି ପୁରୁଷୋତ୍ତମ ବିଷ୍ଣୁଙ୍କୁ ଉତ୍କଳର ରାଷ୍ଟ୍ର ଦେବତା ରୂପେ ପୁଜା କରିଆସିଥିଲେ । ମାତ୍ର ସେତେବେଳେ ଜଗନ୍ନାଥ ଉପାସନା ସାର୍ବଜନୀନ ଭାବରେ ଜନସାଧାରଣଙ୍କ ମଧ୍ୟରେ ପ୍ରଭାବ ବିସ୍ତାର କରିଥିଲା । ଓଡ଼ିଆଭାଷା ଆନ୍ଦୋଳନ ସହିତ ଜନଦେବତା ଜଗନ୍ନାଥଙ୍କ ଆରାଧନା ନିମନ୍ତେ ଧାର୍ମିକ ଆନ୍ଦୋଳନ ସମ୍ମିଶ୍ରିତ ହୋଇ ଏକ ବ୍ୟାପକ ସାଂସ୍କୃତିକ ବିପ୍ଲବ ମୁଣ୍ଡ ଟେକିଥିବା ଜଣାପଡ଼େ । ସେହି ବିପ୍ଲବ ଗଙ୍ଗବଂଶ ଶାସନର ଅବସାନ ଏବଂ ସୂର୍ଯ୍ୟବଂଶର ଅଭ୍ୟୁଦୟ ନିମନ୍ତେ ବହୁପରିମାଣରେ ଦାୟୀ ହୋଇଥିଲା । ୧୪୩୫ ଖ୍ରୀ: ରେ ସେନାଧ୍ୟକ୍ଷ କପିଳେଶ୍ୱରଦେବ ସିଂହାସନ ଆରୋହଣ କରି ଓଡ଼ିଶାର ଇତିହାସ ଓ ସଂସ୍କୃତିରେ ଏକ ନୂତନ ଯୁଗର ସୂତ୍ରପାତ କରିଥିଲେ । ସେହିଠାରୁ ରାଜ୍ୟର ନାମ ଉତ୍କଳ ପରିବର୍ତ୍ତେ ଓଡ଼ିଶା ରୂପେ ବିଦିତ ହେଲା ଏବଂ ସଂସ୍କୃତ ପରିବର୍ତ୍ତେ ଓଡ଼ିଆ ହେଲା ରାଷ୍ଟ୍ରଭାଷା । ପୁରୁଷୋତ୍ତମ ବିଷ୍ଣୁଙ୍କ ଉପାସନାରେ ମଧ୍ୟ ଧାର୍ମିକ ଦୃଷ୍ଟି ଏବଂ ଅନୁରକ୍ତିର ପରିବର୍ତ୍ତନ ଘଟିଥିଲା ଏବଂ ରାଷ୍ଟ୍ରଦେବତାଙ୍କୁ ଆଉ ପୁରୁଷୋତ୍ତମ ନ କହି କୁହାଗଲା ଜଗନ୍ନାଥ । ସିଂହାସନରୋହଣ ପରେ ଗଜପତି କପିଲେଶ୍ୱରଦେବ ପୁରୀ ଜଗନ୍ନାଥ ମନ୍ଦିରରେ ରାଜକୀୟ ଘୋଷଣା ଓଡ଼ିଆ ଭାଷାରେ ଲିପିବଦ୍ଧ କରି ଜଣାଇଦେଲେ ଯେ ରାଜ୍ୟର ନାମ ହେଉଛି ‘ଓଡ଼ିଶା ରାଜ୍ୟ’ ଏବଂ ରାଷ୍ଟ୍ରଦେବତା ହେଉଛନ୍ତି ଜଗନ୍ନାଥ । ସେହି ଐତିହାସିକ ପରିବର୍ତ୍ତନ ହଠାତ୍‌ ଏକ ଆହୋରାତ୍ର ମଧ୍ୟରେ ସମ୍ଭବ ହୋଇନାହିଁ । ବହୁକାଳଧରି ଗଙ୍ଗଶାସିତ ଉତ୍କଳରେ ରାଜନୈତିକ ଧାର୍ମିକ ଓ ଭାଷାଗତ ଆନ୍ଦୋଳନ ଏକତ୍ର ସଙ୍ଗଠିତ ହୋଇ ଓଡ଼ିଶାର ନିଜସ୍ୱବୋଧର ପ୍ରତିଷ୍ଠା ନିମନ୍ତେ ପ୍ରତିକ୍ରିୟାଶୀଳ ଶକ୍ତି ବିରୁଦ୍ଧରେ ସଂଗ୍ରାମ କରି ଆସିଥିଲା । ସମ୍ଭବତଃ ସେନାପତି କପିଳେଶ୍ୱରଦେବ ସେହି ବଳିଷ୍ଠ ଜନଆନ୍ଦୋଳନର ନେତୃତ୍ୱ ଗ୍ରହଣ କରିଥିଲେ ଅଥବା ସକ୍ରିୟ ସମର୍ଥନ ପ୍ରଦାନ କରିଥିଲେ । ୧୪୩୫ ଖ୍ରୀ:ରେ ତାଙ୍କର ସିଂହାସନାରୋହଣରେ ସେହି ଆନ୍ଦୋଳନ ଜୟଯୁକ୍ତ ହୋଇ ଓଡ଼ିଆ ସଂସ୍କୃତିର ମୁକ୍ତି ପ୍ରତିଷ୍ଠା କରିଥିଲା । ସେହି ସଂସ୍କୃତିର ନୂତନ ଆଭିମୂଖ୍ୟରେ ଷୋଡ଼ଶ ଶତାବ୍ଦୀର ଧର୍ମ ଓ ସାହିତ୍ୟ ଅନୁରଞ୍ଜିତ ହୋଇଥିଲା । ସେକାଳରେ ବଳରାମ, ଜଗନ୍ନାଥ, ଅନନ୍ତ, ଯଶୋବନ୍ତ ଓ ଅଚ୍ୟୁତାନନ୍ଦ ଦାସ ପ୍ରମୁଖ ବରେଣ୍ୟ କବିଗଣ ଓଡ଼ିଶାର ଧାର୍ମିକ ମହିମା ଏବଂ ଆଦର୍ଶନିଷ୍ଠ ସଂସ୍କୃତିର ଯେଉଁ ରୂପାୟନ କରିଅଛନ୍ତି ତାହା ଓଡ଼ିଆ ଜାତିକୁ ଆଜିଯାଏ ଉଦ୍‍ବୁଦ୍ଧ କରୁଅଛି । ପରବର୍ତ୍ତୀ କାଳରେ ଓଡ଼ିଶା ଯେତେବେଳେ ଆଫଗାନ୍‌, ମୋଗଲ ଓ ମରହଟ୍ଟାଙ୍କ ଶାସନଚକ୍ରତଳେ ନିଷ୍ପେସିତ ହୋଇଥିଲା, ସେତେବେଳେ ସେହି ଧର୍ମାଦର୍ଶ ହିଁ ଜାତିର ମୂଲ୍ୟବୋଧ ଜାଗ୍ରତ କରି ରଖିଥିଲା ଏବଂ ଓଡ଼ିଆ ଜାତି ସେହି ଦୁର୍ଦ୍ଦିନରେ ଆଶା ଆଶ୍ୱାସନା ପାଇ ବଞ୍ଚିରହିଥିଲା ।

 

ଓଡ଼ିଶାର ସାଂସ୍କୃତିକ ପରମ୍ପରାର ସମାଜିକ ମହତ୍ତ୍ୱ ଏବଂ କଳାତ୍ମକ ବିଭବ କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କର କାବ୍ୟକବିତାରେ ଅତି ଉନ୍ନତଭାବେ ଅଭିବ୍ୟକ୍ତ ଲାଭ କରିଥିବା ଦେଖାଯାଏ । ସେ କାବ୍ୟ ଜଗତରେ ଅନିର୍ବଚନୀୟ ଜାଗତିକ ପ୍ରେମକୁ ମହାନ୍‌ ଆଦର୍ଶବୋଧ ଦେବା ସଙ୍ଗେ ଓଡ଼ିଆ ସମାଜର ବେଶଭୂଷା, ଅଙ୍ଗାଭରଣ ଓ ଅଳଙ୍କରଣ ତଥା ରୂପସଜ୍ଜା ଓ ରୂପଚର୍ଯ୍ୟାର ରୁଦ୍ଧିମନ୍ତ ଚିତ୍ର ପ୍ରଦାନ କରିଅଛନ୍ତି । ଉପେନ୍ଦ୍ରଭଞ୍ଜ କେବଳ ସାହିତ୍ୟ ସମ୍ରାଟ ନୁହନ୍ତି, ସଙ୍ଗୀତ ସମ୍ରାଟ ମଧ୍ୟ । ତାଙ୍କର ଛନ୍ଦ ରାଗମୟ ବର୍ଣ୍ଣିଳ କାବ୍ୟକୃତିରେ ସଙ୍ଗୀତ କଳାର ଯେଉଁ ପରିପ୍ରକାଶ ମିଳେ ତାହା ଜାତିର ଅନ୍ତର୍ମାନସରେ ଆଜିଯାଏ ସକ୍ରିୟ ରହିଅଛି । ତାହାର ସାହିତ୍ୟିକ ତଥା ସାଙ୍ଗୀତିକ ପରମ୍ପରା ପରବର୍ତ୍ତୀ କାଳରେ ଅଭିମନ୍ୟୁ, କବିସୂର୍ଯ୍ୟ ବଳଦେବ, ଗୋପାଳକୃଷ୍ଣ ଏବଂ ବନମାଳୀଙ୍କ ରଚନାବଳୀରେ ପ୍ରଭାବ ବିସ୍ତାର କରିଅଛି । ଓଡ଼ିଶାରେ ପାଲା, ଦାସକାଠିଆ, ସୁଆଙ୍ଗ ଆଦି ପାରମ୍ପରିକ ଲୋକସଙ୍ଗୀତ ସହିତ ଉନ୍ନତ ରୁଚିସମ୍ପନ୍ନ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତର ସଂଯୋଜନା କଳାତ୍ମକ ଚେତନାରେ ପ୍ରାଣବନ୍ତ ହୋଇପାରିଅଛି ।

 

ଇଂରେଜଙ୍କ ଶାସନକାଳରେ ଇଂରାଜୀ ଶିକ୍ଷାର ପ୍ରସାର ସଙ୍ଗେ ଖ୍ରୀଷ୍ଟଧର୍ମ ପ୍ରଚାର ତଥା ବ୍ରାହ୍ମଧର୍ମ, ଆର୍ଯ୍ୟସମାଜ ଓ ରାମକୃଷ୍ଣ ମିଶନର ସଂସ୍କାର ମୂଳକ, ଧର୍ମନୀତି ଭାରତୀୟ ସଂସ୍କୃତିରେ ଯେଉଁ ଅପୂର୍ବ ଆଲୋଡ଼ନ ସୃଷ୍ଟି କରିଥିଲା, ତାହାର ଆଦର୍ଶଗତ ପ୍ରଭାବରୁ ଓଡ଼ିଶା ମୁକ୍ତହୋଇ ରହି ନ ଥିଲା । ଓଡ଼ିଶାର ସଂସ୍କୃତିରେ ଆର୍ଯ୍ୟସମାଜ ବ୍ରାହ୍ମଧର୍ମ ବା ରାମକୃଷ୍ଣ ମିଶନ୍‌ ବିଶେଷ କିଛି ପ୍ରଭାବ ପକାଇଥିବା ଜଣାପଡ଼େନାହିଁ, ମାତ୍ର ଇସଲାମ ଏବଂ ଖ୍ରୀଷ୍ଟଧର୍ମର ପ୍ରଭାବ ଅସ୍ୱୀକାର କରାଯାଇପାରିବ ନାହିଁ । ହିନ୍ଦୁ ମୁସଲମାନ ସଂସ୍କୃତି ସମନ୍ୱୟର ଶୁଭ ଫଳ ରୂପେ ପ୍ରକାଶ ପାଇଥିଲା ପାଲା ଏବଂ ସତ୍ୟପୀର ପୁଜା ସମ୍ଭବତଃ କଦମରସୁଲଙ୍କ ଆରାଧନା । ବଂଶୀବଲ୍ଲଭ ଗୋସ୍ୱାମୀଙ୍କର ମୋଗଲତାମସା ଭଳି କେତେକ ଲଘୁନାଟକକୁ ହିନ୍ଦୁ ଓ ଇସଲାମ ସଂସ୍କୃତିର ସମନ୍ୱୟ ରୂପେ କେହି କେହି ମତବ୍ୟକ୍ତ କରିଅଛନ୍ତି । ମାତ୍ର ମୋଗଲ ଅମଳର କୁଶାସନକୁ ବ୍ୟଙ୍ଗ କରି ଲୋକପ୍ରିୟ ଅଭିନୟ ରଚନା କରିବାରେ ସମନ୍ୱୟ ଉଦ୍ୟମ ପ୍ରକାଶ ପାଇପାରେନାହିଁ । ଆରବୀ ଓ ପାର୍ସୀ ଭାଷାର ଶବ୍ଦକୋଷ ଏବଂ ଭାବବିନ୍ୟାସ ଦ୍ୱାରା ଓଡ଼ିଆ ସାହିତ୍ୟ କେତେକ ପରିମାଣରେ ରୁଦ୍ଧିମନ୍ତ ହୋଇଥିବା କୁହାଯାଇପାରେ ।

 

ଖ୍ରୀଷ୍ଟିୟାନ୍‍ ମିଶନାରୀମାନେ ଓଡ଼ିଆଭାଷାକୁ ବିଶେଷତଃ ଓଡ଼ିଆ ଗଦ୍ୟ ଶୈଳୀକୁ ବିଶେଷ ଅବଦାନ ଦେଇଯାଇଛନ୍ତି । ଓଡ଼ିଆ ଲିପିର ସଂସ୍କାର ସାଧାନାକରି ମୁଦ୍ରାଯନ୍ତ୍ର ଦ୍ୱାରା ଓଡ଼ିଆ ପୁସ୍ତକ ପ୍ରକାଶନ କରିବାଦ୍ୱାରା ସେମାନେ ବଙ୍ଗଳାଠାରୁ ଓଡ଼ିଆ ଭାଷାର ସ୍ୱାତନ୍ତ୍ର୍ୟ ରକ୍ଷା କରିପାରିଥିଲେ । ଓଡ଼ିଶାରେ ଆଧୁନିକ ଶିକ୍ଷାର ପ୍ରଚଳନ ମିଶନାରୀମାନଙ୍କର ଏକ ମହତ ଦାନ । ମାତ୍ର ନବ ଶିକ୍ଷିତଙ୍କ ମଧ୍ୟରେ ଖ୍ରୀଷ୍ଟିଧର୍ମପ୍ରତି ଆଗ୍ରହ ବୃଦ୍ଧି ଲାଭ କରିବା ଫଳରେ ଓଡ଼ିଆ ସଂସ୍କୃତି ବିପଦଗ୍ରସ୍ତ ହୋଇପଡ଼ିଥିବା ଅନେକେ ଆଶଙ୍କା ପ୍ରକାଶ କରିଥିଲେ । ଉନବିଂଶ ଶତାବ୍ଦୀରେ ମହିମାଧର୍ମର ଉତ୍ପତ୍ତି ଓ ବିକାଶ ଓଡ଼ିଶାରେ ଖ୍ରୀଷ୍ଟଧର୍ମର ପ୍ରସାରକୁ ବିଶେଷ ପରିମାଣରେ ବ୍ୟାହତ କରିପାରିଥିବା ଜଣାପଡ଼େ ।

 

ମହିମାଧର୍ମ ଓଡ଼ିଶାର ଧାର୍ମିକ ସଂସ୍କୃତିର ଏକ ମହତ୍ତ୍ୱପୂର୍ଣ୍ଣ ପରିପ୍ରକାଶ । ସେକାଳର ଗଡ଼ଜାତ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ସେହି ଧର୍ମପ୍ରବାହ ଯେଉଁ ଅପୂର୍ବ ପ୍ରାଣସ୍ପନ୍ଦନ ସୃଷ୍ଟି କରିଥିଲା, ତାହା ଓଡ଼ିଆ ସଂସ୍କୃତିର ଏକ ପ୍ରଧାନ ଆଭିମୁଖ୍ୟ ରୂପେ ବିବେଚିତ ହେଲା । ଦାର୍ଶନିକ କବି ଭୀମାଭୋଇ ସରଳ ସାବଲୀଳ ଶୈଳୀରେ ଅସଂଖ୍ୟ ଭଜନ-ସଙ୍ଗୀତ ସୃଷ୍ଟିକରି ଓଡ଼ିଆଜାତିର ନୀତିବୋଧ ଓ ଆଦର୍ଶ ଦ୍ୱାରା ମହିମା ଧର୍ମ ତତ୍ତ୍ୱକୁ ଅତିରଞ୍ଜିତ କରିଥିଲେ । ତାହା ପଲ୍ଲୀଜୀବନକୁ ଧାର୍ମିକ ରସଚେତନା ଦ୍ୱାରା ଆପ୍ଲୁତ କରିଥିଲା ଏବଂ ଓଡ଼ିଆ ଧାର୍ମିକ ସାହିତ୍ୟର ନୂତନ ଆଲେଖ୍ୟ ରୂପେ ସମ୍ମାନିତ ହୋଇଥିଲା ।

 

ଏହିରୂପେ ବହୁ ବୈପ୍ଲବିକ ପର୍ଯ୍ୟାୟରେ ଓଡ଼ିଶାର ସାଂସ୍କୃତିକ ପରମ୍ପରା ଯୁଗଯୁଗ ଧରି ପ୍ରବାହିତ ହୋଇ ଜାତୀୟ ଜୀବନକୁ ମହତ୍ତ୍ୱପୂର୍ଣ୍ଣ ଚେତନାରେ ଉଦ୍‌ବୁଦ୍ଧ କରିଆସିଅଛି ।

***

 

ମଧୁସୂଦନଙ୍କ ଆଶାବାଦ

ଶ୍ରୀ ସୁରେନ୍ଦ୍ର କୁମାର ମହାରଣା

 

ଭକ୍ତକବି ମଧୂସୂଦନଙ୍କର ଆବିର୍ଭାବ ହୋଇଥିଲା ଏକ ସନ୍ଧିକ୍ଷଣରେ, ଯେତେବେଳେ ପାଶ୍ଚାତ୍ୟ ଶିକ୍ଷାଭିମାନୀ ଉଚ୍ଚଶିକ୍ଷିତ ବ୍ୟକ୍ତିଗଣ ନାସ୍ତିକତା ତଥା ଉଚ୍ଛୃଙ୍ଖଳତାର ଚରମ ସୀମାରେ ଉପନୀତ ହୋଇଥିଲେ । ଏହି ଦୁର୍ଗତିକୁ ମର୍ମେ ମର୍ମେ ଅନୁଭବ କରି ଆଧୁନିକ ଯୁଗର ଆର୍ଯ୍ୟଋଷି, ଭାରତୀୟ ଆଧ୍ୟାତ୍ମିକତାର ପରମ ଉପାସକ ଭକ୍ତକବି ମଧୁସୂଦନ ଗଭୀର ଭଗବତ୍‍ ବିଶ୍ୱାସ, ନୈତିକତା ଓ ଏକଶ୍ୱରବାଦର ପ୍ରତିଷ୍ଠା କରିବା ପାଇଁ ଚେଷ୍ଟିତ ହୋଇଥିଲେ । ବାଲ୍ୟକାଳରୁ ତାଙ୍କ ହୃଦୟରେ ଦୟା ଓ ଧର୍ମର ଅଙ୍କୁରୋଦ୍‌ଗମ ହୋଇଥିଲା । ଇଶ୍ୱର ଆରାଧନାପୂର୍ବକ ଇଶ୍ୱରସତ୍ତା ଉପଲବ୍‌ଧି କରିବା ତାଙ୍କ ଜୀବନର ପ୍ରଧାନ ଲକ୍ଷ୍ୟ ଥିଲା । ସେ ଯେଉଁ କାବ୍ୟ କବିତା ରଚନା କରୁଥିଲେ, ତହିଁରେ ତା’ର ସ୍ୱଚ୍ଛ ଓ ସ୍ୱଚ୍ଛନ୍ଦ ପ୍ରତିଫଳନ ନ ଥିଲା । ସେଥିପାଇଁ ସେ ଓଡ଼ିଆ ସାହିତ୍ୟରେ ଭକ୍ତକବି ଭାବରେ ପରିଚିତ ।

 

ଭକ୍ତକବି ମଧୂସୂଦନ ଥିଲେ ଓଡ଼ିଆ ସାହିତ୍ୟରେ ଆଧୁନିକ ଯୁଗର ପ୍ରବର୍ତ୍ତକ; କବିବର ରାଧାନାଥଙ୍କର ପଟ୍ଟଶିଷ୍ୟ । ରାଧାନାଥ ପୁରୀ ଜିଲ୍ଲା ସ୍କୁଲରେ ଶିକ୍ଷକ ଥିଲାବେଳେ ମଧୂସୂଦନ ଥିଲେ ଛାତ୍ର । ମଧୂସୂଦନଙ୍କ ଠାରେ କବିପ୍ରତିଭାର ସନ୍ଧାନ ପାଇ ରାଧାନାଥ ତା’ର ଉତ୍ତରୋତ୍ତର ବିକାଶ ଓ ପ୍ରକାଶ ପାଇଁ ଦିଗ୍‌ଦର୍ଶନ ଦେଇଥିଲେ । ତେଣୁ ସେ ଥିଲେ ମଧୁସୂଦନଙ୍କ ସାହିତ୍ୟିକ ଗୁରୁ-। ପରବର୍ତ୍ତୀକାଳରେ ସେମାନେ ହେଲେ ଦୁଇ କବି-ବନ୍ଧୁ ଓ ଓଡ଼ିଆ ସାହିତ୍ୟକୁ ପ୍ରଗତି ପଥରେ ଆଗେଇ ନେବାର ଅଭି‌ଯାତ୍ରୀ । ବ୍ୟକ୍ତିଗତ ଜୀବନରେ ଏତେ ଆନ୍ତରିକତା ସତ୍ତ୍ୱେ ସେମାନଙ୍କର ଜୀବନାଦର୍ଶରେ ଉଲ୍ଲେଖଯୋଗ୍ୟ ବୈଷମ୍ୟ ମଧ୍ୟ ପରିଲକ୍ଷିତ ହୁଏ । ରାଧାନାଥ କଳାପ୍ରାଣ, ଅନୁଭୂତି ପ୍ରବଣ ଓ ପ୍ରକୃତି ଉପାସକ । ମାତ୍ର ମାନବ ଚିତ୍ରରେ ନ୍ୟାୟ-ଅନ୍ୟାୟ, ରୁଚି-ଅରୁଚି ଓ ନୀତି-ଅନୀତିକୁ ବିଚାରକୁ ନେଇ ଯାହା ବାସ୍ତବ ଓ ସ୍ୱାଭାବିକ ତାହା ସେ କାବ୍ୟ କବିତାରେ ରୂପ ଦେଇଛନ୍ତି । ଜୀବନର ଆଭିମୁଖ୍ୟରେ ଘୋର ବିଷାଦବାଦର ପରିଚୟ ଦେଇଛନ୍ତି । ତେଣୁ ତାଙ୍କ ‘ଚିଲିକା’ କାବ୍ୟରେ ଆତ୍ମପ୍ରକାଶ କରିଛି –

 

‘‘ଚିରଦିନ ଦୁଃଖ-ପ୍ରହାରେ ଜର୍ଜର,

ପଟ୍ଟଶିଷ୍ୟ ମୁହିଁ ଦୁଃଖ ଗୁରୁଙ୍କର ।

ଦୁଃଖଦତ୍ତ ଜ୍ଞାନ-ଚକ୍ଷୁରେ ଜଗତ,

ଦେଖିବାରେ ମୁହଁ ଅଭ୍ୟସ୍ତ ସତତ ।

ସୁଖ-ବୋଲି ଯା’କୁ ବୋଲଇ ସଂସାର

କରୁଥାଇ ତାଜୁ ଦୁରୁଁ ମୁଁ ଜୁହାର ।

ସୁଖରୂପେ ଯାହା ଜନନେତ୍ରେ ଦିଶେ,

ହାତେ ଆସେ ହାତୁଁ ପଡ଼ିବା ପାଇଁ ସେ ।’’

 

କେବଳ ଚିଲିକା କାବ୍ୟରେ ନୁହେଁ, ପାର୍ବତୀ, ଚନ୍ଦ୍ରଭାଗା, ମହାଯାତ୍ରା, ଦରବାର ଇତ୍ୟାଦି କାବ୍ୟମାନ ମଧ୍ୟ ବ୍ୟଥା, ବେଦନାର ସ୍ୱରରେ ଅନୁରଣିତ । ଏହା ନିଷ୍ଫଳତାର ହାହାକାରରେ ପୂର୍ଣ୍ଣ ରାଧାନାଥଙ୍କ ଜୀବନ ଦର୍ଶନର ପ୍ରତିଫଳନ ବୋଲି ଗୃହିତ ହୋଇପାରେ ।

 

ରାଧାନାଥଙ୍କୁ ସାହିତ୍ୟ-ସାଧନାର ଆଦ୍ୟଗୁରୁ ରୂପେ ଗ୍ରହଣ କରିଥିଲେହେଁ ତାଙ୍କପରି ମଧୂ ସୂଦନ ବିଷାଦବାଦୀ ନୁହନ୍ତି । ତାଙ୍କ ହୃଦୟରେ ବିଷାଦର ସାମୟିକ ଛାୟାପାତ ଯେ ଦେଖା ନ ଦେଇଛି, ତାହା ନୁହେଁ; ମାତ୍ର ତାହା ଅତ୍ୟନ୍ତ କ୍ଷୀଣ । ସେ ନୀତି ଓ ରୁଚିର କବି । ତାଙ୍କ ସାହିତ୍ୟର ଅଭିବ୍ୟକ୍ତି ତା’ରି ମଧ୍ୟରେ ଆବଦ୍ଧ । ଆଦେଶର ରୂଢ଼ ନିଦ୍ଦେର୍ଶ ମାନି ଜୀବନକୁ ଗଢ଼ିବାର ପ୍ରୟାସ କରିଛନ୍ତି ମଧୂସୂଦନ । ଜଗତର ଅଧୋପତନରେ ସେ ବ୍ୟଥିତ ହୋଇନାହାନ୍ତି । ଏହି ଅଧୋପତିତ ଜଗତର ଯେ ଦିନେ ଉଜ୍ଜୀବନ ହୋଇପାରେ, ଏ ଆଶା ସେ ସର୍ବଦା ପୋଷଣ କରିଛନ୍ତି । ତେଣୁ ସେ ନୈରାଶ୍ୟବାଦୀ ନ ହୋଇ ହୋଇଛନ୍ତି ଆଶାବାଦୀ ।

 

ଶ୍ରୀଯୁକ୍ତ କାଳିନ୍ଦୀ ଚରଣ ପାଣିଗ୍ରାହୀ ରାଧାନାଥ ଓ ମଧୂସୂଦନଙ୍କୁ ଯଥାକ୍ରମେ ଇଂରେଜ କବି Shelly ଓ wordsworthଙ୍କ ସହିତ ତୁଳନା କରିଛନ୍ତି । Shellyଙ୍କ ଭଳି ରାଧାନାଥ ନିରାଟ ଅନୁଭୂତି ପ୍ରଧାନ ଓ ସେ ଜୀବନକୁ ଏକ ବିୟୋଗାନ୍ତକ ନାଟକ ରୂପେ ଗ୍ରହଣ କରିଛନ୍ତି । ଦୃଷ୍ଟାନ୍ତ ସ୍ୱରୂପ –

 

‘Smiling they live and

Call life a pleasure,

But my cup is dealt

With another measure.

--P.B. Shelly’’

 

ଋାଧାନାଥ ତାଙ୍କର ପଦାଙ୍କ ଅନୁସରଣ କରି ଗାଇଛନ୍ତି –

 

‘‘ହସି ଖେଳି ସେହୁ ଗମନ୍ତି ସମୟ,

ଜୀବନ ମଣନ୍ତି ମହୋତ୍ସବମୟ ।

ଛାର ଭାଗ୍ୟ ମୋର ପିହିତ ପାଷାଣେ,

ମୋ ଜୀବନ ଗଢ଼ା ଅନ୍ୟ ଉପାଦାନେ ।’’

 

ମଧୂସୂଦନ କିନ୍ତୁ Wordsworthଙ୍କ ଭଳି ଦୁଃଖ ଓ ସୁଖକୁ ସଂସାରର ଚିରାଚରିତ ନିୟମ ରୂପେ ଗ୍ରହଣ କରି ବିଷାଦଭାବକୁ ବହୁ ପଛରେ ପକାଇ ଆଶାବାଦରେ ଆଗେଇ ଯାଇଛନ୍ତି-। ମଧୂସୂଦନ କିପରି Wordsworthଙ୍କ ଆବେଗ ଓ ପ୍ରକାଶ-ପ୍ରାବଣତାରେ ଅନୁସାରୀ ହୋଇଛନ୍ତି, ତାହା ଦୁଇ କବିଙ୍କ ନିମ୍ନୋକ୍ତ କେତୋଟି ପଙ୍‌କ୍ତିରୁ ସୁସ୍ପଷ୍ଟ ।

 

Wordsworth---

‘‘The heavens laugh with you in your Jubilee..

Heaven lies about us in our infancy !

Thou little child, yet glorious in the might

Of heaven-born freedom on thy being’s height.”

 

ମଧୁସୂଦନଙ୍କ ଆଶାବାଦ

ମଧୁସୂଦନ –

 

‘‘ଏ କି ଦେବଦୃଶ୍ୟ ଆଜି ଦେଖଇ ନୟନ ?

ନିଖିଳ ଜନନୀ ନିଜେ ବ୍ରହ୍ମାଣ୍ଡ-ଇଶ୍ୱର

ମୋ ଚନ୍ଦନ ବୋଲି ଆହା ବଢ଼ାଇ ଶ୍ରୀକର

ଧରିଛନ୍ତି ପ୍ରେମକ୍ରୋଡ଼େ ପ୍ରେମପ୍ରସ୍ରବଣ ।’’

 

ତେଣୁ ରାଧାନାଥ ଯେତିକି ପରିମାଣରେ ବିଷାଦବାଦୀ (Pessimist), ମଧୁସୂଦନ ସେତିକି ପରିମାଣରେ ଆନନ୍ଦବାଦୀ ବା ଆଶାବାଦୀ (Optimist) ।

 

ମଧୂସୂଦନ ସୌନ୍ଦର୍ଯ୍ୟପୂର୍ଣ୍ଣ ଏହି ବିରାଟ ସଂସାରରେ ବିଭୁକରୁଣା ହେତୁ ପିତା, ମାତା, ଭାଇ, ଭଉଣୀ ପ୍ରଭୃତିଙ୍କ ଗହଣରେ ଅତି ଆନନ୍ଦରେ ବାସ କରୁଛନ୍ତି ବୋଲି ପ୍ରକାଶ କରିଛନ୍ତି । ତାଙ୍କ ଆନନ୍ଦପୁର୍ଣ୍ଣ ହୃଦୟର ଭାଷାରେ ---

 

‘‘କି ସୁନ୍ଦର ଆହା, କି ଆନନ୍ଦମୟ ଏହି ବିଶାଳ ସଂସାର

ଧନ୍ୟ ମହାପ୍ରଭୁ, ମହିମା ତୁମ୍ଭର, ଅଟେ ଅନନ୍ତ ଅପାର ।

ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭର ଆଜ୍ଞାରେ ବରଷନ୍ତି ଜ୍ୟୋତିରାଶି,

ତୁମ୍ଭରି କୁସୁମ ପ୍ରତି ପ୍ରଭାତରେ ହସଇ ଆନନ୍ଦେ ଭାସି ।

ପିତା ମାତା ବନ୍ଧୁ ଭାଇ ଭଗିନୀର ହୃଦୟେ ଦେଇଛ ପ୍ରୀତି

ତେଣୁ ମୁଁ ସଂସାରେ ରହିଛି ଆନନ୍ଦେ ସୁଖ ଭୁଞ୍ଜି ନିତି ନିତି ।’’

 

ଭକ୍ତକବି ମଧୁସୂଦନ ଆଶାବାଦୀ ହେବାର ଏକ ଆଧ୍ୟାତ୍ମିକ କାରଣ ମଧ୍ୟ ରହିଛି । ସେ ବ୍ରାହ୍ମଧର୍ମରେ ଦୀକ୍ଷିତ ହୋଇଥିଲେ । ‘ବ୍ରହ୍ମ’ ଆରାଧନା ବ୍ରହ୍ମବାଦୀର ପରମ କାମ୍ୟ ହୋଇଥିବାରୁ ତାଙ୍କ ମୌଳିକ ପ୍ରତିଭାର ଏକ ଉଲ୍ଲେଖ ଯୋଗ୍ୟ ବିଭାବ ହେଉଛି ବ୍ରହ୍ମଜ୍ଞାନ ଭାବନା । ବ୍ରହ୍ମ ସର୍ବବ୍ୟାପୀ । ଜଳ, ସ୍ଥଳ, ଆକାଶ ଓ ସମଗ୍ର ବିଶ୍ୱବ୍ରହ୍ମାଣ୍ଡରେ ବ୍ରହ୍ମର ସତ୍ତା ସେ ଅନୁଭବ କରିଛନ୍ତି । ତେଣୁ ସେ ଗାଇଛନ୍ତି –

 

‘‘ଭୁଲୋକେ ଦ୍ୟୁଲୋକେ ବ୍ରହ୍ମ            ସାଗରେ ପର୍ବତେ ବ୍ରହ୍ମ

ଜଳେ ବ୍ରହ୍ମ ସ୍ଥଲେ ବ୍ରହ୍ମ ବିଶ୍ୱ ବ୍ରହ୍ମ ନିକେତନ ।’’

(ସଙ୍ଗୀତମାଳା)

 

ଏଠାରେ ବ୍ରହ୍ମର ସ୍ଥିତି ଅନୁଭବ କରିବାରେ ବ୍ରହ୍ମଜ୍ଞ କବିଙ୍କର ଦୃଷ୍ଟି ସମସ୍ତ ସୀମାକୁ ଅତିକ୍ରମ କରିଯାଇଛି । ଅସୀମର ଦ୍ୟୋତନା ଓ ଆହ୍ୱାନ କବିଙ୍କୁ ସଚ୍ଚିଦାନନ୍ଦ ପ୍ରାପ୍ତ କରାଇଛି ଓ ସେ ଅନନ୍ତ ପ୍ରେମ ଓ ଅସୀମ ଆନନ୍ଦରେ ନିମଜ୍ଜିତ ହୋଇଛନ୍ତି । ତାଙ୍କର ଏକାନ୍ତ ଇଶ୍ୱରନିଷ୍ଠା ଓ ଋଷିପ୍ରାଣତା ନିମନ୍ତେ ସେ ବିଦ୍ୱାନ ମଣ୍ଡଳୀରେ ଖୁବ୍‌ ଶ୍ରଦ୍ଧା ଲାଭ କରିଛନ୍ତି । ତାଙ୍କ ପରଲୋକଗମନ ପରେ ବ୍ୟାସକବି ଫକୀରମୋହନ ଯଥାର୍ଥରେ ଲେଖିଛନ୍ତି--

 

‘‘ଏକାନ୍ତ ଇଶ୍ୱର ନିଷ୍ଠା ଧର୍ମ ଆଚରଣେ

ସେ ମଧୁ ସମାନ ଆଉ ଦେଖିନାହିଁ ଜଣେ ।

ଶରୀର ଗଠିତ ସତ୍ୟ ମାନବ ଆକାରେ

ସମସ୍ତ ଦେବତା ଧର୍ମ ଥିଲା ତାହାଠାରେ ।’’

 

ବ୍ରହ୍ମବାଦୀ କବିଙ୍କ ଜୀବନ ବ୍ରହ୍ମ ଚରଣାରବିନ୍ଦରେ ଅର୍ପିତ; ବ୍ରହ୍ମ ଶାଶ୍ୱତ ଏବଂ ସର୍ବ ଆନନ୍ଦର ଉତ୍ସ । ତେଣୁ ବିଷାଦର ଘନ ତମିସ୍ରା ମଧ୍ୟରେ ଆନନ୍ଦାଲୋକର ପ୍ରତିଫଳନ ହିଁ ତାଙ୍କ ଜୀବନାଦର୍ଶ । ଏହି ସତ୍ୟକୁ ପ୍ରତିପାଦନ କରିବା ନିମନ୍ତେ କବିଙ୍କର ‘ଜୀବନ ଚିନ୍ତା’ କବିତାଟି ଯଥେଷ୍ଟ । ଏହାର ଛବିଶ ଗୋଟି ପଦ ମଧ୍ୟରୁ ପ୍ରଥମ ତେରଟିରେ କବି ମଣିଷ ଜୀବନକୁ ନୈରାଶ୍ୟର ଆଳୟରୂପେ ଏବଂ ଯୁବତୀର ରକ୍ତାଧର, ପ୍ରୌଢ଼ର ଚତୁର ଜ୍ଞାନ, ଯୁବକର ତେଜ, ବୀର୍ଯ୍ୟ ଇତ୍ୟାଦି ଭଳି ଅନିତ୍ୟ ଓ ନଶ୍ୱର ବୋଲି ବର୍ଣ୍ଣନା କରିଛନ୍ତି । ଏ ସଂସାର ସୁଖ-ଶାନ୍ତି ବିବର୍ଜିତ; ଏଠାରେ ଅହଂକାର, ଦ୍ୱେଷ, ରୋଷ, ଲୋଭ, ମୋହ, ଅସନ୍ତୋଷର ଅସଯତ୍ନ ରାଜତ୍ୱ । ଏଗୁଡ଼ିକ ନୈରାଶ୍ୟବାଦର ସଙ୍କେତ ବାହକ । କିନ୍ତୁ ପରବର୍ତ୍ତୀ ତେରଟି ପଦରେ ନୈରାଶ୍ୟ ଓ ବିଷାଦରେ ଭାଙ୍ଗି ନ ପଡ଼ିବାକୁ କବି ମଣିଷ-ସମାଜକୁ ଉଦ୍‍ବୋଧନ ଦେଇଛନ୍ତି । ସେ ପ୍ରକାଶ କରିଛନ୍ତି ଯେ, ଏ ନୈରାଶ୍ୟ ଓ ବିଷାଦର ଦୁରୀକରଣ ନିମନ୍ତେ ଅମୃତ ମହୌଷଧି ଅଛି, ଯାହାର ସେବନ ଫଳରେ ଆଶା, ଉଦ୍ଦୀପନା ଜାତ ହୁଏ, ବିଷାଦଭାବ ଦୂରୀଭୁତ ହୁଏ । କବିଙ୍କ ଭାଷାରେ

 

‘‘ରେ ହୃଦୟ ! ନ ହୁଅ କାତର

ସଂସାରର ବିଡ଼ମ୍ବନା            ପାପ ସନ୍ତାପ ଯାତନା

ବିପଦ ଦୁର୍ଦ୍ଦିନତମ ଘୋର ଭୟଙ୍କର

ନିରେଖି ନିରାଶା ବିଷେ ନ ହୁଅ ଜର୍ଜର ।

ଧର ଧୈର୍ଯ୍ୟ ଘେନରେ ସାନ୍ତ୍ୱନା,

ଅଛି ସେହି ମହାଧନ,            ସେ ମହାସ୍ପର୍ଶ ରତନ,

ସେ ଅମୃତ ମହୌଷଧି, ଯାହାର କାମନା

ଆଶା ଜାଗ୍ରତ ସତତ, କରେ ଉଦ୍ଦୀପନା ।’’

 

କବି ପ୍ରଥମେ ନିଜ ବିଷାଦଗ୍ରସ୍ତ ଚିତ୍ତର ପରିଚୟ ଦେଇଥିଲେ ହେଁ ପରେ ଆଶାବାଦର ଉପସ୍ଥାପନା କରିଛନ୍ତି । ତେଣୁ ତାଙ୍କ ଆଶାବାଦ (Optimism)ର ସୌଧ ଯେ ବିଷାଦ(Pessimism)ର ସୁଦୃଢ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ, ତାହା ସ୍ପଷ୍ଟ ପ୍ରମାଣିତ ହୁଏ ।

 

ଶ୍ରୀପଞ୍ଚମୀ ଉପଲକ୍ଷେ ରଚିତ ହୋଇଥିବା ‘ଭାରତୀ ବନ୍ଦନା’ କବିତାରେ ଅତି ବିଷାଦଗ୍ରସ୍ତ ହୃଦୟରେ ଭାରତୀଙ୍କ ବନ୍ଦନା ଗାନ କରିଛନ୍ତି । ଆଜି ଭାରତର ସନ୍ତାନଗଣ ଜ୍ଞାନହୀନ ଓ ମୃତବତ୍‌-। ସେମାନଙ୍କ ଜୀବନବୀଣାର ସମସ୍ତ ତାର ଆଜି ଛିନ୍ନ । ଦିନେ ଭାରତ ସ୍ୱାଧୀନ ଥିଲା; ନିଜର ଐତିହ୍ୟ, ପରମ୍ପରା ଓ ଗୌରବ ପାଇଁ ସେମାନେ ଗର୍ବ ଅନୁଭବ କରୁଥିଲେ । ମାତ୍ର ଆଜି ଭାରତ ପରାଧୀନତାର ଶୃଙ୍ଖଳରେ ଆବଦ୍ଧ । ସମସ୍ତ ଗୌରବମୟ ପରମ୍ପରା ତାର ଆଜି ଲୁପ୍ତ । ଜଡ଼ତା, ନୈରାଶ୍ୟ ଆଜି ଅତୀତର ସବୁ କିଛି ମାଡ଼ି ବସିଛି । ଆଜିର ଏ ଦୁର୍ଦ୍ଦଶାରେ ସେ ତେଣୁ ଭାରତୀଙ୍କୁ ଆହ୍ୱାନ କରିଛନ୍ତି ଭାରତକୁ ଆଗମନ କରିବାକୁ । ତାଙ୍କର ଗଭୀର ଆଶା ଓ ବିଶ୍ୱାସ ଯେ, ଭାରତୀ ନିଶ୍ଚୟ ଆସିବେ ନିଜର ସନ୍ତାନଗଣଙ୍କୁ ରକ୍ଷା କରିବା ପାଇଁ, ସେମାନଙ୍କର ହୃତ ଗୌରବ ଫେରାଇ ଆଣିବା ପାଇଁ । ତେଣୁ କବିଙ୍କ କଣ୍ଠରୁ ଝରି ଆସିଛି---

 

‘‘ଆସ ମା ଆସ ମା ଆସ ମା ଜନନୀ,

ଆଜି ପୁଣ୍ୟ ମାସେ ପୁଣ୍ୟ ଶ୍ରୀପଞ୍ଚମୀ,

x x x

ଦିଅ ମା ଫିଟାଇ ସ୍ୱରଗର ଦ୍ୱାର,

ଉଜ୍ଜ୍ୱଳ କର ମା ଭାରତ ସଂସାର ।

ସ୍ୱରଗର ପ୍ରେମ ପୁଣ୍ୟ ଜ୍ୟୋତିରାଶି

ଭାରତ ଲଲାଟେ ଧୌତ କରୁ ଆସି,

ପୁଣ୍ୟଜଳେ ଧୂଅ ଭାରତର ତନୁ

ପାପ ତାପ ଯାଉ ଭାରତ ଭବନୁ,

କର ମା କରୁଣା ଭାରତ ପ୍ରତି ।’’

 

ଏହି କବିତାରେ ମଧ୍ୟ କବି ମଧୂସୂଦନ କ୍ଷଣିକ ବିଷାଦବାଦ (Pessimism)ରୁ ମୁକ୍ତ ହୋଇ ଆଶାବାଦ (Optimism) ରେ ଉପନୀତ ହୋଇଛନ୍ତି ।

 

‘ଗ୍ରୀଷ୍ମ’ କବିତାରେ କବିଙ୍କ ବିମଳ ଆଶାର ଆଲୋକ ପ୍ରତିଫଳିତ ହୋଇଥିବା ଲକ୍ଷ୍ୟ କରାଯାଏ । ଗ୍ରୀଷ୍ମ ଦାରୁଣକାଳ; ଏ ସମୟରେ ସୂର୍ଯ୍ୟକିରଣ ଅତି ପ୍ରଖର ହୁଏ, ନଦୀ ଓ ପୁଷ୍କରଣୀର ଜଳ ଶୁଖିଯାଏ, ଜଳଚର ପ୍ରାଣୀଗଣ ମୁତ୍ୟୁ ମୁଖରେ ପଡ଼ନ୍ତି, ପକ୍ଷୀ ଓ ଅନ୍ୟାନ୍ୟ ଜୀବ ତୃଷାତୁର ହୁଅନ୍ତି, ମାନବ ଜଗତ ଗ୍ରୀଷ୍ମ ସନ୍ତାପରେ ଅସ୍ଥିର ହୋଇପଡ଼େ, ପଥିକ ମୃଗତୃଷ୍ଣାର ଅପରୂପ ଶୋଭାରେ ପ୍ରତାରିତ ହୁଏ ଏବଂ ପର୍ବତ ଓ ଅରଣ୍ୟ ମହାନଳରେ ଦଗଧ୍‌ ହୁଏ । ଏହିପରି ଏକ ନିଦାରୁଣ କାଳର ବର୍ଣ୍ଣନା ଦେଲାବେଳେ କବି ବ୍ୟଥା ଅନୁଭବ କରିନାହାନ୍ତି; ଅଶିବ ମଧ୍ୟରେ ସେ ଶିବର ସନ୍ଧାନ ପାଇଛନ୍ତି । ନିଦାଘକାଳ ମେଘ ସୃଷ୍ଟି କରି ପ୍ରାଣୀଜଗତର ହିତ ସାଧନ କରେ ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କ ଭାଷାରେ –

 

‘’ନିଦାଘ ସମୟ                        ହେଲେହେଁ ଦାରୁଣ

ଅଟେ ଜଗତର ମିତ୍ର,

ଜନମାଇ ମେଘ                        ସାଧେ ପ୍ରାଣୀ ହିତ

ବିଧି ବିଧାନ ବିଚିତ୍ର ।’’

 

‘ପଦ୍ମ’ କବିତାରେ କବି ପଦ୍ମର ରୂପ ଦର୍ଶନରେ ବିମୋହିତ ହୋଇଛନ୍ତି । ସେ ପଦ୍ମ ସହିତ ଅପୂର୍ବ ଯୋଗସୂତ୍ର ଆବିଷ୍କାର କରିଛନ୍ତି । ତଥାପି ସଂସାରର ପାପ ପଙ୍କରେ ସର୍ବଦା ଘାଣ୍ଟି ହେଉଥିବାରୁ ସେ ସର୍ବଶୋଭାର ସଦ୍ମ ପଦ୍ମ ସହିତ ସମାନ ହୋଇପାରିବେ ନାହିଁ ବୋଲି ଖେଦୋକ୍ତି ପ୍ରକାଶ କରି କହିଛନ୍ତି –

 

‘‘କଳୁଷ ପଙ୍କେ ମୁହଁ            କେଡେ ମଳିନ !

କେମନ୍ତେ ସରି ତୋର            ହେବି ନଳିନ’’

 

କବିଙ୍କର ଏହି ଖେଦଭାବ ବେଶି ସମୟ ସ୍ଥାୟୀ ହୋଇ ରହି ନାହିଁ । ତାଙ୍କ ହୃଦୟରେ ସହସା ଆଶାର ଝଲକ ଖେଳିଯାଇଛି । ପଙ୍କରୁ ଜାତ ହୋଇ ପଦ୍ମ ଯଦି ଶୁଭ୍ର ସୁନ୍ଦର ଓ ସୁର୍ଯ୍ୟୋପାସକ ହୋଇପାରିଲା, ସେ କାହିଁକି ହୋଇପାରିବେ ନାହିଁ ? ତାଙ୍କର ଏହି ମାନସିକ ସଂଶୟ ମୋଚନ କରି ଆଶାର ବାଣୀ ଛୁଟିଆସିଛି –

 

‘‘ପଙ୍କଜ ଅଟୁ ତୁହି            ତେଣୁ ଭରସା

ତୋ ପରି ଶୁକ୍ର ହେବି      ଲାଭ ସୂଦଶା’’

 

ଏହି କବିତାଟିରେ ମଧ୍ୟ ବିଷାଦବାଦର ଅନ୍ତଃସ୍ୱରରେ ଆଶାବାଦର ଶାଶ୍ୱତ ତରଙ୍ଗ ପ୍ରବାହିତ ହୋଇଥିବା ଲକ୍ଷ୍ୟ କରାଯାଏ ।

 

ଆଶାବାଦର ଭିତ୍ତିଭୂମି ଉପରେ ଗଢ଼ିଉଠିଥିବା ‘ଆଶା’ କବିତାଟିରେ ମଧ୍ୟ ମଧୁସୂଦନ ପ୍ରଥମେ ନୈରାଶ୍ୟର ଛାୟା ସଂଦର୍ଶନ କରି ପରେ ଆଶା ଓ ଆଶ୍ୱାସନାର ଆଲୋକ ପାଇଛନ୍ତି । ଏଥିରେ ସେ ବିଷାଦ ଓ ନୈରାଶ୍ୟକୁ ବେଶ୍‌ ନାଟକୀୟ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଢଙ୍ଗରେ ପରିବେଷଣ କରିଛନ୍ତି, ସଂସାରକୁ ଏକ ଭୈରବବନ ସହିତ ତୁଳନା କରିଛନ୍ତି ଏବଂ ପଥହରା ପାନ୍ଥ ମଧ୍ୟରେ ଲକ୍ଷ୍ୟହରା ମଣିଷର ଆର୍ତ୍ତନାଦର ସନ୍ଧାନ ପାଇଛନ୍ତି । ପଥହରା ପାନ୍ଥ ନୈରାଶ୍ୟପୀଡ଼ିତ ହୋଇ ବିଷର୍ଣ୍ଣ ମନରେ ଏକକୀ ଭ୍ରମଣ କରୁଛି ଏହି ଭୈରବବନ ମଧ୍ୟରେ । ମୋହାନ୍ଧକାରରୁ ରକ୍ଷା ପାଇବା ପାଇଁ ସେ ଜଗତ ଜନନୀଙ୍କର କରୁଣା ଭିକ୍ଷା କରିଛି ଓ ପରେ ପରେ ମୂର୍ଚ୍ଛିତ ହୋଇପଡ଼ିଛି-। ପର ମୁହୂର୍ତ୍ତରେ ତା’ ହୃଦୟ କନ୍ଦରରେ ଦିବ୍ୟବାଣୀ ଝଂକୃତ ହୋଇଉଠିଛି; ସେ ଆଶାର ଆଲୋକପ୍ରାପ୍ତ ହୋଇ ଆହ୍ୱାନ ଦେଇଛି-

 

‘‘ଆସ ଆସ ପାପୀ ତାପୀ            ସେ ଅଛ ଜଗତେ,

ସେବି ଦେବୀ ପଦ

ପ୍ରବେଶ ସ୍ୱରଗଧାମେ             ଭୁଞ୍ଜି ସେ ସନ୍ତତେ

ଅମୃତ ସମ୍ପଦ ।’’

 

ମନେହୁଏ, ସେହି ଅସହାୟ, ନିରାଶ ଓ ବିଷର୍ଣ୍ଣ ପଥହରା ପାନ୍ଥଟି କବି ମଧୂସୂଦନଙ୍କ ବ୍ୟତୀତ ଅନ୍ୟ କେହି ନୁହେଁ । ପ୍ରଥମେ ସଂସାରର ସ୍ତୂପୀକୃତ ମୋହର ଚାପରେ ଅଣନିଃଶ୍ୱାସୀ ହୋଇ ସେଥିରୁ ଆତ୍ମରକ୍ଷା ପାଇଁ କବି ଜଗତ ଜନନୀଙ୍କୁ ପ୍ରାର୍ଥନା କରିଛନ୍ତି ଓ ପରେ ତାଙ୍କ କୃପାଲାଭ କରିବା ଦ୍ୱାରା ଆଶାବାଦୀ ହୋଇ ଦୁନିଆ ପଥରେ ଆଗେଇ ଯାଇଛନ୍ତି ।

 

‘ଜରା ଆକ୍ରମଣ’ କବିତାଟିରେ ମଧ୍ୟ କବି ଘୋର ନୈରାଶ୍ୟ ମଧ୍ୟରେ ଆଶାର ଆଲୋକରେଖାର ସନ୍ଧାନ ପାଇଛନ୍ତି । କବିତାଟିରେ ପ୍ରଥମ ଭାଗରେ ବର୍ଣ୍ଣିତ ହୋଇଛି ଯେ ଜରା ଆକ୍ରମଣରେ କବିଙ୍କର ଶକ୍ତି କ୍ରମଶଃ ହ୍ରାସପାଉଛି; ଯୌବନର ଉଦ୍ଦାମତା ତାଙ୍କଠାରୁ ଧୀରେ ଧୀରେ ଦୁରେଇ ଯାଉଛି, ଚକ୍ଷୁ ନିଷ୍ପ୍ରଭ ହେବାକୁ ଆରମ୍ଭ କରିଛି, ପାଦର ଶକ୍ତି ହ୍ରାସପାଉଛି, ମସ୍ତକର କେଶରାଶି ବିଗଳିତ ହେଉଛି, କଣ୍ଠସ୍ୱର କ୍ଷୀଣ ହୋଇଯାଉଛି ଓ ସେ ବଞ୍ଚିବାର ସମସ୍ତ ଆଶା ହରାଇ ମୃତ୍ୟୁକୁ ଅପେକ୍ଷା କରିଛନ୍ତି; ମାତ୍ର କବି ହଠାତ୍‌ ସଚେତନ ହୋଇଉଠିଥିବା ଲକ୍ଷ୍ୟ କରାଯାଉଛି । ଜରା ଆକ୍ରମଣ ହେତୁ ଅଶାନ୍ତି ଓ ନୈରାଶ୍ୟ ମଧ୍ୟରେ ବ୍ୟଥିତ ନ ହେବାକୁ ସେ ନିଜକୁ ନିଜେ ଉପଦେଶ ଦେଇଛନ୍ତି । କାରଣ ସେ ଆଶା ଓ ଆନନ୍ଦର କବି । ଜରା ଆକ୍ରମଣରେ ସେ କ’ଣ କେବେହେଲେ ନିରାଶ ହୋଇପାରିବେ ନା ନିରାଶର କଥା କହିପାରିବେ ? କବି ତେଣୁ ନିରାଶ ନ ହୋଇ ନିଜ ଆଶାବାଦୀ କାବ୍ୟ ପୁରୁଷର ସଚେତନ ଅଭିବ୍ୟକ୍ତିକୁ ପ୍ରକାଶ କରି କହିଛନ୍ତି---

 

‘‘ଜରା ଆକ୍ରମଣ ତେବେ ହେବି କି ନିରାଶ ?

ଢାଳିବି କି ଆର୍ତ୍ତନାଦେ ବିଷାଦର ଶ୍ୱାସ ?

ନିରାଶର କଥା ଛି ଛି କହିବି କେମନ୍ତେ,

ଅନ୍ତରରେ ଅନୁଭବ ଅନନ୍ତ ବସନ୍ତେ ?’’

 

କବିଙ୍କର ଅନ୍ୟ ଏକ କବିତା ‘ପତିତାରମଣୀ’ରେ କବିଙ୍କ କୋମଳ ତଥା ସମ୍ବେଦନଶୀଳ ଅନନ୍ତର ପରିପ୍ରକାଶ ଘଟିଛି । ପତିତାରମଣୀ ପ୍ରତି ତାଙ୍କର ଅଶେଷ ମମତା । ତା’ର ଦୁରବସ୍ଥାର ସଂଦର୍ଶନରେ କବିଙ୍କ ହୃଦୟର କୋମଳ ତନ୍ତ୍ରୀଗୁଡ଼ିକ ଥରିଉଠିଛନ୍ତି । ତାଙ୍କ ମୁଖରୁ ହଠାତ୍‌ ବାହାରିପଡ଼ିଛି –

 

‘‘ନାରୀକୂଳ କଳଙ୍କିନୀ ପତିତାରମଣୀ

ଦୁଃଖିନୀ ତୋପରି ଆହା ଅଛି କେ ସଂସାରେ ?’’

 

ତା’ର ଦୁଃଖରେ କବି ସମଭାଗୀ ହୋଇଛନ୍ତି । ସେ ତାକୁ ଭଗିନୀ ବୋଲି ସମ୍ବୋଧନ କରି ନିରାଶ ନ ହେବାକୁ ଉପଦେଶ ଦେଇଛନ୍ତି । ସେ ପତିତା ହେଲେହେଁ ବିଶ୍ୱମୋହିନୀ ପତିତପାବନୀଙ୍କର ତନୟା । ତାକୁ ତାର ନ୍ୟାଯ୍ୟ ଅଧିକାର ନିଶ୍ଚୟ ମିଳିବ ବୋଲି ଆଶାବାଦୀ କବି ପ୍ରକାଶ କରିଛନ୍ତି-

 

‘‘ସତୀତ୍ୱ, ଦେବୀତ୍ୱ, ତାର ଲଲାଟେ ଲିଖିତ,

କେ ତାକୁ ସେଥିରୁ ବିଶ୍ୱେ କରିବ ବଂଚିତ ?’’

 

ଅଶିବରେ ଶିବର ଅନ୍ୱେଷଣ ଏହି କବିତାର ମୂଳ ବୀଜ । ନାରୀମାତ୍ରେହିଁ ବ୍ରହ୍ମକନ୍ୟା । ଶାସ୍ତ୍ର ପୁରାଣ ବା କାବ୍ୟ କବିତାରେ ପତିତା ଜୀବନରେ ଅପୂର୍ବ ଭାବାନ୍ତର ଆସିଥିବାର ବା ପତିତା ଦେବୀତ୍ୱ ଲାଭ କରିବାର ଭୁରି ଭୁରି ଦୃଷ୍ଟାନ୍ତ ରହିଅଛି । ଏପରିକି ଶ୍ରୀମଦ୍‌ ଭାଗବତରେ ଉପସ୍ଥାପିତ ଚବିଶ ଗୁରୁ ପ୍ରସଙ୍ଗରେ ବାରାଙ୍ଗନା ପିଙ୍ଗଳା କଥା ଉତ୍‌ଥାପିତ ହୋଇଛି । ପରେ ସନ୍ନ୍ୟାସନୀ ହେବା ଦ୍ୱାରା ତାହାଠାରୁ କ’ଣ ଶିକ୍ଷଣୀୟ ତାହା ମନୋଜ୍ଞ ଭାବରେ ଉଲ୍ଲିଖିତ ହୋଇଛି –

 

‘‘ପିଙ୍ଗଳା ନାମ ବେଶ୍ୟାସୀଦ୍‌ ବିଦେହ ନଗରେ ପୁରା ।

ତସ୍ୟା ମେ ଶିକ୍ଷିତଂ କିଞ୍ଚିତ ନିର୍ବୋଧ ନୃପନନ୍ଦନ ।।’’

 

ବିଶ୍ୱକବି ରବିନ୍ଦ୍ରନାଥ ମଧ୍ୟ ତାଙ୍କର ପତିତା କବିତାରେ ରୁଷ୍ୟଶୃଙ୍ଗଙ୍କ ମୁଖରେ କୁହାଇଛନ୍ତି-

 

‘‘ତୋମାର ପରଶ ଅମୃତ ସରସ

ତୋମାର ନୟନେ ପୁଣ୍ୟବିଭା ।’’

ତାହା ପତିତା ଜୀବନରେ ପବିତ୍ରତାର ଆବିଷ୍କାର ।’’

 

‘ବିଚ୍ଛେଦ’ କ୍ଷୁଦ୍ର କବିତାଟି କବିଙ୍କର କୌଣସି ଜଣେ ବନ୍ଧୁ ପତ୍ନୀଙ୍କ ବିୟୋଗରେ ରଚିତ । ଏଥିରେ କବିଙ୍କ ଜୀବନଦର୍ଶନ ଓ ସ୍ୱତନ୍ତ୍ର ଦାର୍ଶନିକ ଦୃଷ୍ଟିକୋଣର ପ୍ରତିବିମ୍ବନ ଲକ୍ଷ୍ୟ କରାଯାଏ । ଅଛି ଓ ନାହିଁର ଦୁନିଆରେ ଦରିଦ୍ର ଓ ଧନୀର ସ୍ୱତନ୍ତ୍ର ସଂଜ୍ଞା ପ୍ରଦାନ କରି କବି କହନ୍ତି ଯେ ସଂସାରରେ ଯାହାର କେବେ କିଛି ହଜି ନାହିଁ, ସେ ହେଉଛି ଦରିଦ୍ର । କାରଣ ହଜିଯିବା ପାଇଁ ତା ପାଖରେ କିଛି ନ ଥିବାରୁ ହଜାଇବାର ସୁଖରୁ ସେ ବଂଚିତ । ତଦପେକ୍ଷା ଦରିଦ୍ର, ଯେ ହରାଇ ଦେବା ସଙ୍ଗେ ସଙ୍ଗେ ପାସୋରି ପକାଏ ଏବଂ ସର୍ବୋପରି ଦରିଦ୍ର, ଯେ ହଜାଇ ଦେଇ ପାସୋରି ଦେବାର ଭାବ ମନରେ ପୋଷଣ କରେ । ତେବେ ଜଗତରେ ଧନୀ କିଏ ? କବିଙ୍କ ମତରେ ସେ ହେଉଛି ଧନୀ ଯେ ଶୋକର ଅତଳ ପାରାବାରରେ ଭାସି ଭାସି ଗାଢ଼ ଅନ୍ଧକାର ମଧ୍ୟରେ ମର୍ମବେଦନାରେ ପ୍ରେମର ଦୀପାଳୀ ଜାଳି ପ୍ରେମମନ୍ତ୍ର ଜପ କରେ ।

 

‘‘ଶୋକର ଅସୀମ ମସୀମୟ ଅନ୍ଧକାରେ

ପ୍ରେମର ଦୀପାଳି ଜାଳି ମର୍ମବେଦନାରେ

ଯେ ଜନ ଜପଇ ଶିବରାତ୍ରି ଜାଗରଣେ

ଅଶ୍ରୁପୂତ ପ୍ରେମ-ମନ୍ତ୍ରେ ହୃଦୟ ରତନେ,

ସେହି ଏକା ଏ ଜଗତେ ମହାଧନେ ଧନୀ ।’’

 

ପତ୍ନୀବିୟୋଗରେ ଶୋକାକୁଳ ବନ୍ଧୁଙ୍କୁ କବିଙ୍କର ଏହା କେବଳ ସାନ୍ତ୍ୱନା ପ୍ରଦାନ ନୁହେଁ, ତାଙ୍କ ନିଜ ପ୍ରତି ମଧ୍ୟ ଏହା ପ୍ରଜୁଜ୍ୟ । କବିତାଟି ଆକାରରେ କ୍ଷୁଦ୍ର ସତ; ମାତ୍ର ଏଥିରେ ନିହିତ ଦାର୍ଶନିକ ମନୋଭାବ ଓ ସ୍ୱତନ୍ତ୍ର ଜୀବନ ସତ୍ୟର ଆଦର୍ଶବାଦ ନିମନ୍ତେ କବିଙ୍କ ସମଗ୍ର ରଚନାବଳୀରେ ଏକ ଅମୂଲ୍ୟ ରତ୍ନ । ତେଣୁ ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ଯଥାର୍ଥରେ କହିଛନ୍ତି- ‘‘ଚଉଦଟି ଧାଡ଼ିରେ ମଧୁସୂଦନ ଚଉଦ ପୃଷ୍ଠାର କଥା କହିପାରିଛନ୍ତି ।’’ (ମଧୁସୂଦନ ଗ୍ରନ୍ଥାବଳୀ, ମୁଖବନ୍ଧ, ପୃ -୭୦)

 

ନବବର୍ଷ କବିତାରେ କବି ବିଷାଦବାଦରୁ ମୁକ୍ତ ହୋଇ ଆନନ୍ଦବାଦ ଆଡ଼କୁ ଗତି କରିଛନ୍ତି-। ଚିର ପରିଚିତ ବନ୍ଧୁ ପୁରାତନ ବର୍ଷ ବିଦାୟ ନେବାରୁ କବି ନୈରାଶ୍ୟ ଜର୍ଜ୍ଜରିତ ହୋଇପଡ଼ିଛନ୍ତି । ମାତ୍ରଏହି ନୈରାଶ୍ୟ ଦୀର୍ଘସ୍ଥାୟୀ ହୋଇ ନାହିଁ । ତାଙ୍କ ମନରୁ ନୈରାଶ୍ୟକୁ ବିତାଡ଼ିତ କରି ସେହି ସ୍ଥାନ ଅଧିକାର କରିନେଇଛି ନୂତନ ବର୍ଷ । ତାଙ୍କ ମନ ଆଶା ଓ ଆନନ୍ଦରେ ଭରିଯାଇଛି । ସେ ନବବର୍ଷର କଣ୍ଠରେ ଭାଷା ଦେଇ ପୃଥିବୀର ଅମୃତ ସନ୍ତାନଗଣଙ୍କୁ ଯେଉଁ ବାଣୀ ଶୁଣାଇଛନ୍ତି, ତାହା ତାଙ୍କ ଆନନ୍ଦବାଦ ଓ ଆଧ୍ୟାତ୍ମକବାଦର ଏକ ପ୍ରକୃଷ୍ଟ ଉଦାହରଣ ।

 

‘‘ହେ ମର୍ତ୍ତ୍ୟପ୍ରବାସୀ ନର, ଅମୃତପ୍ରୟାସୀ

ଅମୃତ ସନ୍ତାନ ତୁମ୍ଭେ ସ୍ୱରଗର ଯାତ୍ରୀ ।

ହୁଅ ହେ ଅନନ୍ତ ଭକ୍ତ ଅନନ୍ତ ବିଶ୍ୱାସୀ,

ଦେଖ ପଳାଉଛି ଭୟେ ଘୋର କାଳରାତ୍ରି ।

ସତ୍ୟ- ଶିବ- ସୁନ୍ଦରର ଧ୍ରୂବ ଶୂଭ୍ର ଲୋକ

ଲୋକେ ଲୋକେ ପ୍ରାଣେ ପ୍ରାଣେ ନିତ୍ୟ ବିରାଜିତ,

ବିନାଶି ନିରାଶା ଦୁଃଖ ପାପ ତାପ ଶୋକ

ମଙ୍ଗଳ ଆଶ୍ୱାସେ ବିଶ୍ୱ କରଇ ପ୍ଲାବିତ ।’’

 

‘କବି ବସନ୍ତ ଭାବନା’ କବିତାଟିରେ କବି ବସନ୍ତ ରୁତୁର ଆଗମନରେ ଧରାଙ୍ଗନରେ ପ୍ରକୃତିର ଅପରୁପ ଶୋଭା ସମ୍ଭାରର ଚିତ୍ର ପ୍ରଦାନ କରିଛନ୍ତି । ବସନ୍ତ ମାଧୂରୀ ମଦିରା ପାନରେ ପ୍ରମତ୍ତ ଧରା ଉଦ୍ଦାମର ଉଚ୍ଛ୍ୱାସରେ ଯୌବନର ସ୍ୱାଦ ଆସ୍ୱାଦନ କରିବାରେ ରତ । ମାତ୍ର ମାନବ ମନରେ କୌଣସି ପ୍ରକାର ପୁଲକ ଦେଖାଯାଉନି । ମାନବ ଇନ୍ଦ୍ରିୟ ବାସନାର ଶିକାର ହୋଇ ବ୍ୟର୍ଥତା ମଧ୍ୟରେ କାଳାତିପାତ କରୁଛି । ତା’ର ହୃଦୟ ଘୋର ସଂକଟରେ ସଂକୁଚିତ ହେବା ସଙ୍ଗେ ସଙ୍ଗେ ବିଷାଦରେ ଜର୍ଜ୍ଜରିତ । ଚତୁପାର୍ଶ୍ୱରେ ନୈରାଶ୍ୟର ବିକଟତା । ଅମୃତର ସନ୍ତାନ ମାନବର ଚିତ୍ତ ଆଜି ଦୁଃଖମୟ, ଆନନ୍ଦ ବିହୀନ । କବି ମଣିଷର ଏ ଦୁର୍ଦ୍ଦଶା ବିଷୟରେ ଯେତେ ବେଶି ଭାବିଛନ୍ତି ତାଙ୍କ ମନ ସେତେ ବେଶି ବିଷାଦଗ୍ରସ୍ତ ହୋଇଛି । ତାଙ୍କ ମନରେ ଦେଖାଦେଇଛି ଅନ୍ଧକାର । ମାତ୍ର ଏହି ଅନ୍ଧକାର ଅପସାରିତ ହେବା ପାଇଁ ଅଧିକ କାଳ ଲାଗି ନାହିଁ । ତାଙ୍କ ହୃଦୟାକାଶରେ ମହାଜ୍ଞାନ ସୂର୍ଯ୍ୟ ଉଦିତ ହୋଇଛି । ସେତେବେଳେ ସେ ଜୀବନର ରହସ୍ୟ ଓ ଦୁର୍ଗତିରୁ ପରିତ୍ରାଣ ଲାଭ କରିବାର ଉପାୟ ପାଇଛନ୍ତି । କବି ବିଳମ୍ବ ନ କରି ନୈରାଶ୍ୟର ଘୋର ଅନ୍ଧକାର ମଧ୍ୟରେ ମଣିଷ ସମାଜକୁ ଆଶାର ଆଲୋକବର୍ତ୍ତିକା ଦେଖାଇଛନ୍ତି । ପୃଥିବୀରେ ବିରାଜିତ ଶେଷହୀନ ବସନ୍ତକୁ ଉପଭୋଗ କରିବାକୁ ଉଦ୍ଦିଷ୍ଟ ସରଣୀର ନିଦ୍ଦେର୍ଶ କରିଛନ୍ତି । କବିକଣ୍ଠରୁ ଏହି ଆଶାର ବାଣୀ ସ୍ପୂରିତ ହୋଇଛି –

 

‘‘ଆଶା-ପାରିଜାତ ଫୁଟିବ

 

ହୃଦ-ନନ୍ଦନ ବନେ,

ଜ୍ଞାନ-ଭକ୍ତି-କର୍ମ-ସୌରଭ

 

ବ୍ୟାପିଯିବ ଜୀବନେ ।

ସ୍ୱରଗର ଶିରୀ ସମ୍ପଦେ

 

ହେବୁ ତୁହି ସୁନ୍ଦର,

ଅମୃତ ସଙ୍ଗୀତ ଝଙ୍କାରେ

 

ପୂରିଯିବ ଅନ୍ତର ।’’

 

ଏହିପରି ବହୁ କବିତାରେ ଗଭୀର ଦୁଃଖ ମଧ୍ୟରେ କବି ସୁଖ ସ୍ୱପ୍ନ ଦେଖିଛନ୍ତି । କିନ୍ତୁ ‘ଏ ସୃଷ୍ଟି ଅମୃତମୟ’ ହେ କବିତାଟିରେ କବିଙ୍କ ଆଶାବାଦର ସର୍ବଶ୍ରେଷ୍ଠ ସାର୍ଥକତା ନିହିତ ଥିଲେ ହେଁ ଏଥିରେ ନୈରାଶ୍ୟବାଦର ପ୍ରତିଧ୍ୱନି ଶୁଣିବାକୁ ମିଳେ ନାହିଁ । ଅନ୍ୟ ଭାଷାରେ, ପୁର୍ବାଲୋଚିତ କବିତାଗୁଡ଼ିକ ଭଳି ଏହି କବିତାରେ ରୂପାୟିତ ଆଶାବାଦ ବିଷାଦବାଦରୁ ଉତ୍ସାରିତ ନୁହେଁ । ଏଥିରେ କବି ଏକ ଦାର୍ଶନିକର ଭୂମିକା ଗ୍ରହଣ କରି ଦାର୍ଶନିକତା ଭିତରେ ସୃଷ୍ଟିର ବିଜୟଗୀତ ଗାନରେ ବିହ୍ୱଳ । ଏହି ସୃଷ୍ଟି ଯେ ସ୍ରଷ୍ଟାଙ୍କର ଆନନ୍ଦର ସୃଷ୍ଟି । ଅମୃତର ସୃଷ୍ଟି –ଏହା କବି ଅନୁଭବ କରିପାରିଛନ୍ତି । ସୃଷ୍ଟିର ଅନନ୍ତ ଉଦାର ଆକାଶ, ଅକୂଳ ଅତଳ ପାରାବାର, ନଭଶ୍ଚୁମ୍ଭୀ ମହାମହୀଧର, ଦିଗନ୍ତ ବିହାରୀ ସମୀର, କୋମଳ ଶ୍ୟାମ-ତୃଣ-ଶଯ୍ୟାରେ ବିଚିତ୍ରିତ ଧରଣୀ ଇତ୍ୟାଦି ସୃଷ୍ଟିର ପ୍ରତ୍ୟେକ ବିଭବରେ ସେହି ସୁଧାମୟ ଐଶ୍ୱରିକ ସତ୍ତାର ସ୍ପର୍ଶ । ଏପରିକି ମରୁ ଅନ୍ତରରେ ମଧ୍ୟ କବି ସ୍ୱଚ୍ଛ ମନ୍ଦାକିନୀର ଧାରା ଦେଖିପାରିଛନ୍ତି ।

 

‘‘ମରୀଚିକା ମୟ                   ତରୁ ଶୂନ୍ୟ-ମରୁ

ଘୋର ତୃଷା-ରଙ୍ଗାଲୟ ହେ,

ଦିଗନ୍ତ ବିସ୍ତୃତି                   ଜ୍ୱଳନ୍ତ ପ୍ରାନ୍ତର

ପଥଶୂନ୍ୟ ନିରାଶ୍ରୟ ହେ,

ସେ ମରୁ ଅନ୍ତରୁ                   ବହେ ସୁଧା-ସ୍ରୋତ

ପିଅ ସେହି ସୁଧା ପୟ ହେ ।

 

ଏହି ସୃଷ୍ଟିରେ ସବୁ ଅମୃତମୟ ହୋଇଥିବାରୁ ଏଥିରେ ବିଷାଦବାଦ ଓ ନୈରାଶ୍ୟବାଦର ଛାୟାପାତ ଏକାନ୍ତ ଅସମ୍ଭବ । ତେଣୁ କବି ହର୍ଷୋତ୍‌ଫୁଲ୍ଲ କଣ୍ଠରେ ଗାଇଛନ୍ତି –

 

ମଧୁମୟ ସୃଷ୍ଟି                   ସୁଧାମୟ ସୃଷ୍ଟି

ଏ ସୃଷ୍ଟି ଅମୃତମୟ ହେ ।

ଜାଗ ନରନାରୀ                   ଅମୃତ-ସନ୍ତତି,

ପିଅ ସେ ଅମୃତପୟ ହେ ।

ପିଇ ସେ ଅମୃତ                   ଦିବସ ଶର୍ବରୀ

ଗାଅ ଅମୃତର ଜୟ ହେ ।

 

ଏହି କବିତାଟି ସମ୍ବନ୍ଧରେ ଶ୍ରୀଯୁକ୍ତ କାଳିନ୍ଦୀଚରଣ ପାଣିଗ୍ରାହୀ ମତ ପ୍ରକାଶ କରି କହନ୍ତି ଯେ ଏହାର ପ୍ରତ୍ୟେକଟି ଶ୍ଲୋକ ଗୋଟିଏ ଗୋଟିଏ ଅମୂଲ୍ୟ ମଣି ଏବଂ ଏହାର ପ୍ରତ୍ୟେକ ପଂକ୍ତିରେ ମଧୁସୂଦନଙ୍କ ମହୋଚ୍ଚ ଆନନ୍ଦବାଦର (Robust Optimism) ସାକ୍ଷ ମିଳୁଅଛି ।

 

ପୂର୍ବରୁ କୁହାଯାଇଛି, ଭକ୍ତକବି ମଧୁସୂଦନ ଥିଲେ ବ୍ରହ୍ନବାଦୀ । ସେ ଅଧ୍ୟାତ୍ମିକ ଜୀବନର ବିକାଶକଳ୍ପେ ମନ ପ୍ରାଣ ଢାଳି ଦେଇଛନ୍ତି । ସେ ସତ୍ୟ ଶିବ ସୁନ୍ଦରର ଉପାସକ । ନୈରାଶ୍ୟବାଦ ତାଙ୍କୁ କେବେ କବଳିତ କରିପାରିନାହିଁ । ଦୁଃଖର ତମୋମୟ ଘନଘଟା ମଧ୍ୟରେ ସେ ଆବିଷ୍କାର କରିଛନ୍ତି ଅମୃତର ଉଜ୍ଜ୍ୱଳ ବିଦ୍ୟୁଚ୍ଛଟା । ତେଣୁ ତାଙ୍କ କବିମାନସ ସର୍ବଦା ନୈରାଶ୍ୟରୁ ଆଶା ଓ ଆନନ୍ଦ ଦିଗକୁ ଧାବମାନ । ପ୍ରଶସ୍ତ-ଉଦାର ମହାମାନବିକତାର ଅଧିକାରୀ ଋଷିପ୍ରାଣ ପୁଣ୍ୟଶ୍ଲୋକ ମଧୁସୂଦନ ଆର୍ତ୍ତ ମାନବସମାଜକୁ ସର୍ବଦା ଶୁଣାଇଛନ୍ତି ଆଶା, ଆନନ୍ଦ ଓ ଆଶ୍ୱସ୍ତିର ଅମୃତମୟ ବାଣୀ । ଓଡ଼ିଆ ଜାତି ଏ ଧରାପୃଷ୍ଟରେ ଥିବା ପର୍ଯ୍ୟନ୍ତ ସେହି ମହାନ ସାଧକ, ଋଷି, ଭକ୍ତ ଓ ସାହିତ୍ୟିଙ୍କ ଅମରବାଣୀ ଦ୍ୱାରା ଅନୁପ୍ରାଣିତ ହେଉଥିବ ।

 

ଅର୍ଥବିଭାଗ

ଓଡ଼ିଶା ସେକ୍ରେଟେରିୟଟ୍‌,

ଭୁବନେଶ୍ୱର

***

 

ସୃଜନଶୀଳ କନ୍ନଡ଼ ସାହିତ୍ୟର ଆଧୁନିକ ଧାରା

ଡକଟର କେ.ଭି. ନାରାୟଣା

ଅନୁବାଦ–ଶ୍ରୀ ରମେଶ ଚନ୍ଦ୍ର ଧଳ

 

ନିର୍ଦ୍ଦିଷ୍ଟ ସମୟର ସାହିତ୍ୟର ସବିଶେଷ ପର୍ଯ୍ୟାଲୋଚନା କରିବାର କେତେକ ପ୍ରତିବନ୍ଧକ ରହିଛି । ପ୍ରଥମରୁ କହିବାକୁ ଗଲେ, ଜଣେ ଏହି ସମୟର ପୂର୍ବରୁ ଏବଂ ପରେ ଏହା ଉପରେ ପଡ଼ିଥିବା ପ୍ରଭାବ ଓ ପ୍ରେରଣାର ଅନୁସନ୍ଧାନ ନକରି ରହିପାରିବ ନାହିଁ । ସାହିତ୍ୟର ଅବିଚ୍ଛିନ୍ନ ପରମ୍ପରା ପ୍ରତି ଆମେ ସଚେତନ ନ ରହିଲେ, ଆମର ଏହି ପର୍ଯ୍ୟାଲୋଚନାର କୌଣସି ଅର୍ଥ ନାହିଁ-। ଗତ ପଚିଶ ବର୍ଷ ମଧ୍ୟରେ ବହୁ ସାହିତ୍ୟିକ ସମ୍ମିଳନୀ, ପାଠଚକ୍ର ଓ ଆଲୋଚନା ଚିତ୍ର ମାଧ୍ୟମରେ ଏହି ସାହିତ୍ୟର ସମୀକ୍ଷା କରାଯାଇଛି । ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଠ ଆଭିମୁଖ୍ୟ ନେଇ ଏହିସବୁ ପର୍ଯ୍ୟାଲୋଚନା କରାଯାଉଛି । ବିଭିନ୍ନ ସଂସ୍ଥାଗୁଡ଼ିକ ଯେଉଁ ପର୍ଯ୍ୟାଲୋଚନା କରୁଛି ତାହା ମୁଖ୍ୟତଃ ଏହି ସମୟର ବିଭିନ୍ନ ସାହିତ୍ୟିକ କୃତୀକୁ ଭିତ୍ତି କରି କରୁଛନ୍ତି । କିନ୍ତୁ ଏହି ପର୍ଯ୍ୟାଲୋଚନାର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଏହି ସମୟର ସମସ୍ତ ସାହିତ୍ୟିକ କୃତୀର ସୃଷ୍ଟି ପାଇଁ କେଉଁ ସବୁ ପ୍ରଭାବ ପ୍ରଭାବିତ କରିଛି, ସେ ସବୁର ଅନୁସନ୍ଧାନ କରିବା ।

 

ଗତ ପଚିଶ ବର୍ଷ ମଧ୍ୟରେ ନବୋଦୟ (ପୁନର୍ଜାଗରଣ) ପ୍ରଗତିଶୀଳ (ପ୍ରଗତିବାଦୀ), ନବ୍ୟ (ଆଧୁନିକ), ଏହି ତିନୋଟିର ସାହିତ୍ୟ ସୃଷ୍ଟିରେ ଅନେକ ଅବଦାନ ରହିଛି । ଯଦିଓ ଏହି ତିନୋଟି ଆନ୍ଦୋଳନ ଗୋଟାକ ପରେ ଗୋଟାଏ ଗୋଟାଏ ଆରମ୍ଭ ହୋଇଛି, କୌଣସି ଗୋଟିଏ କେବେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଯାଇନାହିଁ । ନବୋଦୟ, ବିଭିନ୍ନ ସାଂସ୍କୃତିକ କେନ୍ଦ୍ରରେ ବିକାଶ ଲାଭ କରି ବହୁ ପରିମାଣରେ ଅବଦାନ ଦେଇପାରିଛି । ପ୍ରଥମେ ପ୍ରଗତିଶୀଳ ଓ ପରେ ନବ୍ୟଙ୍କ ଦ୍ୱାରା ହୋଇଥିବା ସୃଷ୍ଟି ମୁଖ୍ୟତଃ ତାତ୍ତ୍ୱିକ ସ୍ତରରେ ବର୍ତ୍ତମାନ ରହିଯାଇଥିବା ପରି ମନେ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କନ୍ନଡ଼ ସାହିତ୍ୟକୁ ନବୋଦୟ ଆନ୍ଦୋଳନ ସମୃଦ୍ଧ କରିବାରେ ଲାଗିଛି ।

 

ପ୍ରଗତିଶୀଳ ସାହିତ୍ୟରେ ଯେଉଁ ସାମାଜିକ ସଚେତନତା ଅତିମାତ୍ରାରେ ସରଳତା ଓ ରୋମାଞ୍ଚ ଦେଖାଦେଇଥିଲା, ନବ୍ୟବାଦୀମାନେ ତାର ବିରୋଧ କରୁଥିଲେ । ମାତ୍ର ବିଭିନ୍ନ ଘଟଣାର ବର୍ଣ୍ଣନାଶୈଳୀ ଏବଂ ସଂଳାପ ଯାହାକି ପ୍ରଗତିଶୀଳମାନେ ଆରମ୍ଭ କରିଥିଲେ, ନବ୍ୟମାନେ ତାହା ବାଦ୍‌ ଦେଇନଥିଲେ । ୧୯୭୫ ମସିହାରେ ପ୍ରଗତିଶୀଳ ଆନ୍ଦୋଳନକୁ ପୁନର୍ଜୀବିତ କରିବା ପାଇଁ ଚେଷ୍ଟା କରାଯାଇଥିଲା, କାରଣ ଏହି ସମୟର ପ୍ରଗତିଶୀଳ ଲେଖକମାନଙ୍କର ବ୍ୟକ୍ତିତ୍ୱର ପ୍ରଭାବ ସେମାନଙ୍କ ସୃଷ୍ଟିରେ ପରିଲିକ୍ଷିତ ହୋଇନଥିଲା । ଅନୁରୂପ ରଚନା ଭବିଷ୍ୟତରେ ପାଠକମାନଙ୍କ ମଧ୍ୟରେ ସଚେତନତା ଜାଗ୍ରତ କରାଇବା ପାଇଁ ସମର୍ଥ ହୋଇପାରିବ ନାହିଁ ।

 

ନବ୍ୟ ଆନ୍ଦୋଳନ ଦୀର୍ଘ ପଚାଶ ବର୍ଷ ଧରି ଭୂମିକା ଗ୍ରହଣ କରିଛି । ଏହା ସାହିତ୍ୟର ବିଭିନ୍ନ ବିଭାଗକୁ ସମୃଦ୍ଧ କରିଛି । ଏମାନେ ସୃଜନଶୀଳ ରଚନାକୁ ସଚେତନ ଓ ବୌଦ୍ଧିକ କାର୍ଯ୍ୟକଳାପ ରୂପେ ଗ୍ରହଣ କଲେ ଏବଂ ଏହାଦ୍ୱାରା ସେମାନେ ପାଠକରି ଭାବପ୍ରବଣତାକୁ ଜାଗ୍ରତ କରିବା ପାଇଁ ଚେଷ୍ଟା କଲେ । ଏମାନେ ଏକ ନିର୍ଦ୍ଦିଷ୍ଟ ଶୈଳୀରେ ସାହିତ୍ୟ ରଚନା କଲେ । ନବ୍ୟ ଆନ୍ଦୋଳନର ସମକ୍ଷ ଓ ବିପକ୍ଷବାଦୀମାନେ ପରସ୍ପର ବିରୋଧ କଲେ । ଏହର ଫଳାଫଳ ବ୍ୟାପକ ଭାବେ ଆଲୋଚିତ ହେଲା ।

 

ଶତକଡ଼ା ସତୁରିଭାଗ ନିରକ୍ଷର ଥିବା ସମାଜରେ ନବ୍ୟବାଦୀମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ, କାରଣ ସେମାନଙ୍କ ରଚନା ପଢ଼ିବାର ପାଠକ ସଂଖ୍ୟା କମ୍‌ ଥିଲା । ମାତ୍ର ନବ୍ୟ ଲେଖକମାନେ ସେମାନଙ୍କର ରଚନା ଓ ପାଠକମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଉପରେ ବିଶେଷ ଗୁରୁତ୍ୱ ଆରୋପ କରୁଥିଲେ । ଏହି ମନୋଭାବ ସେମାନଙ୍କୁ ଯଥେଷ୍ଟ ସ୍ୱାଧୀନତା ଦେଇଥିଲା । ଏହା ନବ୍ୟବାଦୀମାନଙ୍କର ଏକ ଉଲ୍ଲେଖନୀୟ କୃତିତ୍ୱ ଥିଲା । ନବ୍ୟ ଆନ୍ଦୋଳନର ପରବର୍ତ୍ତୀ ପର୍ଯ୍ୟାୟରେ ଏହି ସ୍ୱାଧୀନ ମନୋଭାବ ନେଇ ଯେଉଁ ଲେଖକମାନେ କଲମ ଚଳାଇଲେ, ସେମାନେ ହିଁ ସକ୍ରିୟ ରହିଲେ ।

 

ପର୍ଯ୍ୟାଲୋଚନା କଲେ ଦେଖାଯାଏ ଯେ ଏହି ସମୟର ଶେଷ ଛଅବର୍ଷର ଆଦର୍ଶଗତ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଲେଖା ମଧ୍ୟମରେ ଲେଖକର ଚିନ୍ତାଧାରା ଯେଉଁ ଭୂମିକା ଗ୍ରହଣ କରୁଥିଲା, ମୁଖ୍ୟତଃ ସେ ସମ୍ପର୍କରେ ବହୁ ପ୍ରଶ୍ନ ଉତ୍‌ଥାପିତ ହୋଇଥିଲା । ଅଧିକନ୍ତୁ ଜଣେ ଲେଖକର ଆଦର୍ଶଗତ ଚିନ୍ତାଧାରା ନଥିବା ରଚନାଗୁଡ଼ିକୁ ନାପସନ୍ଦ କରିବା ଏକ ଫେସନରେ ପରିଣତି ହୋଇଥିଲା । ମାତ୍ର ଏହି ଭାବଧାରା ଯଥାର୍ଥ ନଥିଲା, କାରଣ ଏକ ଉଚ୍ଚକୋଟୀର ସାହିତ୍ୟିକ ସୃଷ୍ଟି କେବଳ ଏକ ନିର୍ଦ୍ଦିଷ୍ଟ ଆଦର୍ଶକୁ ଭିତ୍ତି କରି ହୋଇପାରେନା । ବରଂ ଏହା ସାହିତ୍ୟ ଓ ସମାଜ ମଧ୍ୟରେ ଥିବା ଭୁଲ୍‌ ବୁଝାମଣାର ଭିତ୍ତିଭୂମି ଉପରେ ଗଢ଼ାହୋଇଥାଏ । ଏହି ଧାରଣାକୁ ଭିତ୍ତିକରି କୌଣସି ରଚନାକୁ ପ୍ରଶଂସା ବା ନିନ୍ଦା କରିବା ଯଥାର୍ଥ ନୁହେଁ, କାରଣ ଲେଖକମାନେ ଏହି ଚାହିଦା ଅନୁସାରେ ସେମାନଙ୍କର ଲେଖା ଲେଖିଥାନ୍ତି । ଆଶ୍ୱାସନାର ବିଷୟ ଯେ ଏବେ ମଧ୍ୟ କେତେ ଲେଖକ ଅଛନ୍ତି ଯେଉଁମାନେ ସମସ୍ତ ବିଷୟରେ ସଚେତନ ଅଛନ୍ତି ଏବଂ ସ୍ୱାଧୀନ ଭାବେ ଲେଖୁଛନ୍ତି ।

 

ଯୋଗାଯୋଗ ଏବଂ ଗଣମାଧ୍ୟମର ବିକାଶ :-

ଗଣମାଧ୍ୟମର ବିକାଶ ହେତୁ କଳା ଓ ସାହିତ୍ୟ ବର୍ତ୍ତମାନ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛି । କେବଳ ଶିକ୍ଷିତମାନଙ୍କ ପାଇଁ ନୁହେଁ, ସର୍ବସାଧାରଣଙ୍କ ଶିକ୍ଷା ଓ ମନୋରଞ୍ଜନ ପାଇଁ ରେଡ଼ିଓ ଓ ଟେଲିଭିଜନ ଏକ ମାଧ୍ୟମରୂପେ ଦେଖାଦେଇଛି । ବର୍ତ୍ତମାନ, ସାମ୍ବାଦିକତା ପୂର୍ବାପେକ୍ଷା ଅଧିକ ପ୍ରଭାବ ବିସ୍ତାର କରିଛି,ନିଃସନ୍ଦେହଭାବେ, ସାମ୍ବାଦିକତାର ବିକାଶ, ସାହିତ୍ୟ ସୃଷ୍ଟି କରିବାରେ କେତେକାଂଶରେ ସହାୟ ହୋଇଛି । ଏହା ମଧ୍ୟ ଭାବପ୍ରକାଶ ପାଇଁ, ସାହିତ୍ୟରେ କେତେ ଶସ୍ତା ପ୍ରଭାବ ପକାଇଛି । ଗଣମାଧ୍ୟମର ଏହି ଦୈତ ଭୁମିକା ନିକଟ ଅତୀତରେ ବିଶେଷଭାବେ ଅନୁଭୁତ ହେଲା । ଏହା ମଧ୍ୟ ସତ୍ୟ ଯେ, ସାମ୍ବାଦିକତା କେତେକ ସ୍ଥଳରେ ସାହିତ୍ୟକୁ ଆଗେଇ ନେଇଛି । କିନ୍ତୁ ଏହା ମୋ ଦୃଷ୍ଟିରେ ସମ୍ବାଦିକତା ଧର୍ମୀ ସାହିତ୍ୟ ବିକାଶରେ ସହାୟ ହୋଇଛି । ଏହା ଫଳରେ ଛତୁ ଫୁଟିଲା ପରି ବିଭିନ୍ନ ପ୍ରସଙ୍ଗକୁ ନେଇ ସାହିତ୍ୟ ଗଢ଼ିଉଠିଛି । ଏଭଳି ସାହିତ୍ୟ ପଢ଼ି ପାଠକମାନେ ଯଥାର୍ଥରେ ଉତ୍ତମ ସାହିତ୍ୟ ଓ କେବଳ ପ୍ରଲୋଭିତ କରୁଥିବା ସାହିତ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ଜାଣିପାରି ନାହାଁନ୍ତି । କେତେକ ମୁଖ୍ୟ ନବ୍ୟବାଦୀ ବର୍ତ୍ତମାନ ମଧ୍ୟ ଜନପ୍ରିୟ ହେଲାପରି ଲେଖା ଲେଖିବା ଲାଗି ପରୀକ୍ଷା ନିରୀକ୍ଷା ଚଳାଇଛନ୍ତି । କିନ୍ତୁ ଏହି ପରୀକ୍ଷା ନିରୀକ୍ଷା ବ୍ୟର୍ଥ ହୋଇଛି ବୋଲି କହିବା ନିଷ୍ପ୍ରୟୋଜନ ।

 

ଆମ ଭିତରେ ବର୍ତ୍ତମାନ ମଧ୍ୟ ଆହୁରି ଅନେକ ଲେଖକ ଅଛନ୍ତି, ଯେଉଁମାନେ ଗଣମାଧ୍ୟମ ହେତୁ ଦେଖାଦେଇଥିବା ଆହ୍ୱାନର ସମ୍ମୁଖୀନ ହୋଇଛନ୍ତି ଏବଂ ଗତ ଦଶବର୍ଷ ଧରି ସେମାନେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରିଚାଲିଛନ୍ତି ଏବଂ ତାହା ସାହିତ୍ୟର ବିଭିନ୍ନ ବିଭାଗରେ ଦେଖାଦେଇଛି । ଏକ ସମୟରେ ଏହି ଲେଖକମାନେ ଦୂରଦର୍ଶନ ଓ ରେଡ଼ିଓର ଚାକଚକ୍ୟ ପରିବେଶ ଦ୍ୱାରା ବିଶେଷଭାବେ ପ୍ରଲୋଭିତ ହୋଇଛନ୍ତି । ନିକଟ ଭବିଷ୍ୟତରେ, ଏହି ଲକ୍ଷଣ ଏହି ଲେଖକମାନଙ୍କ ଉପରେ ବିଶେଷ ଭାବରେ ପ୍ରଭାବ ପକାଇବ ।

 

ଅନ୍ୟାନ୍ୟ ବିଭାଗରେ ସାଫଲ୍ୟ :

କବିତା :- ୧୯୫୬ ସୁଦ୍ଧା, ନବୋଦୟ କବିତା ବିରୁଦ୍ଧରେ ନବ୍ୟପନ୍ଥୀମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଦୀର୍ଘ ପନ୍ଦରବର୍ଷ ଧରି ନବ୍ୟପନ୍ଥୀମାନଙ୍କର କବିତା ସମୃଦ୍ଧ ହୋଇଥିଲା । ନବ୍ୟ କବିତା ଓ ସମାଲୋଚନା ପରସ୍ପର ଉପରେ ନିର୍ଭରଶୀଳ ଥିଲେ । ଏକ ନିର୍ଦ୍ଦିଷ୍ଟ ଧରଣର କବିତା ଲେଖାଯାଇଥିଲା ଯାହା କେବଳ ବୌଦ୍ଧିକତା ଉପରେ ପର୍ଯ୍ୟବସିତ ହୋଇଥିଲା, ମାତ୍ର ହୃଦୟକୁ ସ୍ପର୍ଶ କରିପାରୁ ନଥିଲା । ବସ୍ତୁତଃ, ଏହା ତର୍କବିତର୍କ ଭିତରେ ବଞ୍ଚି ରହିଥିଲା । ସେ ଯାହା ହେଉନା କାହିଁକି, ଏହି ଧରଣର କବିତା ବ୍ୟତୀତ ନବ୍ୟପନ୍ଥୀମାନେ ଅନ୍ୟ ଧରଣର କବିତା ରଚନା କରୁଥିଲେ । ନବ୍ୟ କବିତାର ଅନେକ କଥା ନବ୍ୟ ସମାଲୋଚନାରେ ପ୍ରତିଫଳିତ ହେଉ ନଥିଲା । ଏହା କେବଳ ଗୋଟିଏ ପ୍ରକାର କବିତାର ସମାଲୋଚନା କରୁଥିଲା ପରି ମନେ ହେଉଥିଲା । ସମାଲୋଚକମାନେ ଏହି କବିତାର ସମାଲୋଚନା କରୁଥିଲା ପରି ମନେ ହେଉଥିଲା । ସମାଲଚୋକମାନେ ଏହି କବିତାର ଗଠନ ଶୈଳୀରେ ଥିବା ତୃଟି ଓ ଶବ୍ଦବିନ୍ୟାସ ଓ ରୁଢ଼ି ପ୍ରୟୋଗର ପୁନରାବୃତ୍ତି ହେତୁ ଦେଖାଦେଇଥିବା ଦୁର୍ବଳତା ଦର୍ଶାଇଥିଲେ । ଏଥିରେ ବିସ୍ମିତ ହେବାର କୌଣସି କାରଣ ନାହିଁ । ଏହା ସତ୍ତ୍ୱେ ଏକସମୟରେ, କବିତା ମଧ୍ୟକୁ କନ୍ନଡ଼ର ବିଭିନ୍ନ ପ୍ରାନ୍ତୀୟଭାଷା ଏବଂ କଥିତ ଭାଷାର ପ୍ରୟୋଗ ଦ୍ୱାରା କବିତାକୁ ସମୃଦ୍ଧ କରିବାର ଉଦ୍ୟମ କରାଯାଇଥିଲା । ସାତ ଦଶକରେ କବିତା କ୍ଷେତ୍ରରେ କେତେକ ଚମତ୍କାର ପରୀକ୍ଷା ନରୀକ୍ଷା କରାଯାଇଥିଲା । ସେଥିମଧ୍ୟରୁ କେତେକ କବିତା ନବ୍ୟପନ୍ଥୀମାନେ ରଚନା କରିଥିବା ରୀତିରେ ଲେଖାଯାଇଥିଲା । ଅନ୍ୟ କେତେକ ଧରଣର କବିତା ସମାଜରେ ଦେଖାଦେଇଥିବା ସଂଘର୍ଷ ସମ୍ପର୍କରେ ସଚେତନତା ଜାଗରଣ କରିବା ପାଇଁ ଲେଖା ଯାଇଥିଲା । ପ୍ରଥମ ଧରଣର କବିତାଗୁଡ଼ିକ ପାରମ୍ପରିକାତାର ସ୍ୱର ନିଶ୍ଚିହ୍ନ କରିବା ସଙ୍ଗେ ସଙ୍ଗେ ମଧୂରତାର ସ୍ୱର ଭରି ଉଠିଥିଲା-। ଦ୍ୱିତୀୟ ଧରଣର କବିତାଗୁଡ଼ିକ, କବିତା ଓ ନୀଚକୋଟୀର ରାଜନୈତିକ ଗଦ୍ୟ ମଧ୍ୟରେ ଥିବା ବ୍ୟବଧାନରେ ସମତା ରକ୍ଷା କରିଥିଲା । ପାରମ୍ପରିକତାକୁ ଭିତ୍ତି କରି ନବ୍ୟପନ୍ଥୀମାନେ ଯେଉଁ ପରୀକ୍ଷା ନିରୀକ୍ଷା କରିଥିଲେ, ସେଥିରେ ବହୁ ପୁରାତନ ସମୟର ପ୍ରକାଶଭଙ୍ଗୀ ଦେଖାଯାଇଥିଲା ।

 

ଏହାର ଅର୍ଥ ନୁହେଁ ଯେ, ଆମ୍ଭେମାନେ ନବୋଦୟ ସମୟର ଗୀତି କବିତାକୁ ପୁଣି ଫେରିଆସିଲୁ । କବିତା ରଚନା କରିବା କ୍ଷେତ୍ରରେ ରଚନାଶୈଳୀର ନିର୍ଦ୍ଦିଷ୍ଟ ନିୟମକୁ ମାନି ନିଆଯାଇଥିଲା ।

 

ନାଟକ :- ଛଅ ଦଶକରେ ସୌଖୀନ ଥିଏଟରଗୁଡ଼ିକ ରାଜଧାନୀରେ ବହୁଳଭାବେ ମୁଣ୍ଡଟେକି ଉଠିଥିଲା । ଏହା ବ୍ୟବସାୟିକ ଥିଏଟର୍‌ ଉପରେ ପ୍ରଭାବ ପକାଇଥିଲା । ଯଦିଓ, ଏହି ପ୍ରବନ୍ଧରେ ଥିଏଟର ସମ୍ପର୍କରେ ଆଲୋଚନା କରିବା କଥା ନୁହେଁ, ତଥାପି ଆମେ ଥିଏଟର ହେତୁ ଦେଖାଦେଇଥିବା ପରିବର୍ତ୍ତନ ସମ୍ପର୍କରେ ସମ୍ୟକ୍‌ ଆଲୋଚନା କରିବା ଉଚିତ୍‌ । ନାଟକ ରଚନା କ୍ଷେତ୍ରରେ ନବ୍ୟ ଲେଖକମାନଙ୍କର ବିଭିନ୍ନ ମତକୁ ମାନିନେବା ସେ ସମୟର ଏକ ଉଲ୍ଲେଖନୀୟ ଘଟଣା । ସେ ସମୟରେ କେବଳ ପଢ଼ିବା ପାଇଁ ନୁହେଁ, ମାନସିକ ସ୍ତରରେ ତାହା ଯେପରି କଲ୍ପନା କରାଯାଇପାରିବ, ସେଥିପାଇଁ ନାଟକ ରଚନା କରାଯାଉଥିଲା । ଆହୁରି ମଧ୍ୟ ନବ୍ୟ ନାଟ୍ୟକାରମାନେ ଯୋଗାଯୋଗର ନୂତନ ପଥର ଅନୁସନ୍ଧାନ କରୁଥିଲେ । ଏହା ଯଥାର୍ଥ ଯେ ଛଅ ଦଶକରେ ଯେଉଁ ଥିଏଟର ଆନ୍ଦୋଳନ ହେଲା, ସେମାନେ ତାର ନେତୃତ୍ୱ ନେଇଥିଲେ ।

 

ଏହି ସମୟର ନାଟକଗୁଡ଼ିକରେ କୈଳାସମ୍‌ ଓ ସମ୍‌ସର ମଡେଲ ପରିବର୍ତ୍ତେ ଆଧୁନିକ ପାଶ୍ଚାତ୍ୟ ମଡେଲ୍‌ ବ୍ୟବହୃତ ହେଲା । ନୂତନ ନାୟକ, ନିଃସଙ୍ଗ ଓ କ୍ରୋଧୀ ଯୁବକ ମଞ୍ଚ ଉପରେ ଦେଖାଦେଲା । ମାତ୍ର ଯେଉଁମାନେ ମଞ୍ଚ ଉପରେ ବାସ୍ତବ ଜିନିଷ ଦେଖି, ତାହା ବୁଝିପାରୁନଥିଲେ ସେମାନଙ୍କ ପାଇଁ ଏହା ଏକ ସମସ୍ୟା ସୃଷ୍ଟିକଲା । ଯଦିଓ, ସାହିତ୍ୟିକ ଦୃଷ୍ଟିକୋଣରୁ ଏହାର ଅବଦାନ ଖୁବ୍‌ ବେଶି ଥିଲା । କାରଣ ଏ ପର୍ଯ୍ୟନ୍ତ ଥିଏଟର ବ୍ୟକ୍ତିକୈନ୍ଦ୍ରିକ ହୋଇପାରି ନଥିଲା ।

 

ସାତ ଦଶକରେ ନାଟକର ଗଠନ ଓ ମଂଚସ୍ଥ ସମ୍ପର୍କରେ ନାଟ୍ୟପ୍ରେମୀ ମହଲରେ ତର୍କ ବିତର୍କ ଆରମ୍ଭ ହୋଇଥିଲା । ଫଳରେ, ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ନାଟକ କ୍ଷେତ୍ରରେ ହୋଇଥିବା ବିକାଶ ପ୍ରତି ଲକ୍ଷ୍ୟ ରଖି କନ୍ନଡ଼ ଭାଷାରେ ନାଟକ ଲେଖାଗଲା । ଦ୍ୱିତୀୟତଃ, ଜନସାଧାରଣଙ୍କୁ ନେଇ ଏକ ନୂତନ ଧରଣର ନାଟକ ରଚିତ ହେଲା ଓ ତାହା ଲୋକମାନଙ୍କ ପାଇଁ ମଞ୍ଚସ୍ଥ କରାଗଲା-। ଏହି ନାଟକଗୁଡ଼ିକ ଅଭିନୟ ଧର୍ମୀ ଓ ଏଗୁଡ଼ିକ ସଂପୂର୍ଣ୍ଣ ଭାବେ ସାହିତ୍ୟିକ ନୀତିନିୟମରୁ ମୁକ୍ତ ଥିଲା ।

 

ଗତ ଦଶବର୍ଷ ଧରି ଯାତ୍ରାଦଳଗୁଡ଼ିକ ନାଟକଗୁଡ଼ିକ ଉପରେ ବହୁ ପ୍ରଭାବ ପକାଇଛି । ସେମାନେ ସହରବାସୀମାନଙ୍କ ମନରେ ଗାଁର ଅତୀତ ସ୍ମୃତି ସବୁକୁ ଜାଗ୍ରତ କରାଇ ପାରିଛନ୍ତି । କଥୋପକଥନ ସାଙ୍ଗକୁ, ସେମାନେ ଗୀତ ଓ ନୃତ୍ୟ ପରିବେଷଣ କରୁଥିଲେ ।

 

ବର୍ଣ୍ଣନାତ୍ମକ ରଚନାଗୁଡ଼ିକୁ ନାଟ୍ୟ-ରୂପ ଦେବା ଦିଗରେ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ ପାଇଥିଲା । ସେ ଯାହା ହେଉନା କାହିଁକି, ଲେଖା ଗୁଡ଼ିକୁ ନାଟ୍ୟ-ରୂପ ଦେବାର ପ୍ରଭାବ ଏବଂ ବର୍ଣ୍ଣନାତ୍ମକ ସାହିତ୍ୟ ମଧ୍ୟରେ ସଂପର୍କ ଥିଲା ବୋଲି କହିବାର କୌଣସି ଆବଶ୍ୟକତା ନାହିଁ ।

 

ଉପନ୍ୟାସ;- ଗଣମାଧ୍ୟମ ଦ୍ୱାରା ଉପନ୍ୟାସ କ୍ଷେତ୍ରରେ ହୋଇଥିବା ବିକାଶ କଥା ପୂର୍ବରୁ ଉଲ୍ଲେଖ କରାଯାଇଛି । ଏହା ସାକ୍ଷରା ବୃଦ୍ଧି ଦିଗରେ ମଧ୍ୟ ସହାୟ ହୋଇଛି ।

 

ନବୋଦୟ ଲେଖକମାନେ ବ୍ୟବହାର କରିଥିବା ଶୈଳୀ, ସେମାନଙ୍କ ସୁଦିନରେ ମଧ୍ୟ ଆଦୃତ ହେଉ ନଥିଲା । ନେପଥ୍ୟରେ ରହି ଜଣେ ଘଟଣା ବର୍ଣ୍ଣନା କରିବା ନବୋଦୟ ବର୍ଣ୍ଣନାତ୍ମକ ରଚନାର ମୁଖ୍ୟ ଲକ୍ଷଣ ଥିଲା । ନବ୍ୟମାନେ ଏହାକୁ ପରିହାର କରିଥିଲେ । ପରିବର୍ତ୍ତିତ ମୂଲ୍ୟବୋଧରକୁ ଚାହିଁ ସେମାନେ ପୁରାତନ ଘଟଣାଗୁଡ଼ିକର ପୁନଃସମୀକ୍ଷା କରିବାକୁ ଚାହିଁଥିଲେ । ସେମାନେ ବ୍ୟକ୍ତିଗତ ଜୀବନର ସତ୍ୟାସତ୍ୟ ଉପରେ ବିଶ୍ୱାସ କରୁଥିଲେ । ଏହି ବର୍ଣ୍ଣନା ଶୈଳୀକୁ ବାଦ୍‌ଦେଲେ ଏହା କାର୍ଯ୍ୟକଲାପ ଓ ସମାଜ ସମ୍ପର୍କରେ ବିଭିନ୍ନ ସମସ୍ୟାର ଉତ୍‌ଥାପନ କରୁଥିଲା । ପରେ ଏହା କ୍ଷୁଦ୍ରଗଳ୍ପ ରଚନାରେ ଦୁଇଟି ମୁଖ୍ୟ ପରିବର୍ତ୍ତନ ଆଣିଥିଲା ।

 

(୧)

ବ୍ୟକ୍ତିଗତ ଅନୁଭୁତିରୁ ବର୍ଣ୍ଣିତ ଘଟଣା ଅପେକ୍ଷା ସାମାଜିକ ସ୍ତରରେ ଦେଖା ଦେଇଥିବା ଅସଙ୍ଗତିଗୁଡ଼ିକ ସମ୍ପର୍କରେ ଅଧିକ ବର୍ଣ୍ଣନା କରାଗଲା । ସରଳ ସାମ୍ଭାବିକତା ଢଙ୍ଗରେ ଏହି ଧରଣର ଅନେକ ରଚନା କରାଗଲା । ଅଲ୍ପ କେତେଜଣ ଲେଖକ କଥାବସ୍ତୁର ଏକ ନିର୍ଦ୍ଦିଷ୍ଟ ଅନ୍ତର୍ଦୃଷ୍ଟି ପ୍ରତି ଗୁରୁତ୍ୱ ନ ଦେଇ ଆଭ୍ୟନ୍ତରିଣ ଅସଙ୍ଗତ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ଯଥାର୍ଥରେ ଏହା ଏକ ପ୍ରଶଂସନୀୟ ଉଦ୍ୟମ ।

 

(୨)

ନବ୍ୟମାନେ ବିଶ୍ୱାସ କରୁଥିବା ବ୍ୟକ୍ତିଗତ ସଚେତନତାକୁ ବାଦ୍‌ ନ ଦେଇ, ସମାଜ ସହିତ ବ୍ୟକ୍ତିବିଶେଷର ବିଭିନ୍ନ ସମ୍ପର୍କକୁ ଚିତ୍ରଣ କରିବା ପାଇଁ ସେହି ସଚେତନତାକୁ ବ୍ୟବହାର କରାଗଲା । ଏହା କ୍ଷୁଦ୍ର ଗାଳ୍ପିକମାନଙ୍କୁ ନୂତନ ଦାୟିତ୍ୱ ଦେଇଥିଲା ।

 

ଏହି ସମୟ ମଧ୍ୟରେ ନବୋଦୟ ଓ ପ୍ରଗତିଶୀଳ ଲେଖକମାନେ ଉପନ୍ୟାସ ଲେଖିବା ଅବ୍ୟାହତ ରଖିଥିଲେ । ଏହି ସମୟର କେତେକ ଉପନ୍ୟାସ ଅତି ଉଚ୍ଚକୋଟୀର ଥିଲା । ମାତ୍ର ବ୍ୟକ୍ତି ସଚେତନତା ଉପରେ ଅଧିକ ଗୁରୁତ୍ୱ ଆରୋପ ହେତୁ ନବ୍ୟପନ୍ଥୀମାନେ ଉପନ୍ୟାସ ରଚନାର ପରିସରକୁ ସୀମିତ କରିଥିଲେ । ଏହି ଉପନ୍ୟାସଗୁଡ଼ିକର ଅନ୍ୟ ଏକ ଗୁଣ ହେଲା, ଔପନ୍ୟାସିକମାନେ କୌଶଳକ୍ରମେ ଉପନ୍ୟାସର ଦୃଷ୍ଟିକୁ ସୀମିତ କଲେ ଏବଂ ଉପନ୍ୟାସର ଶିକ୍ଷିତ ନାୟକ ସାମାଜିକ ମୁଲ୍ୟବୋଧ ସହିତ ଯେପରି ଭାବେ ସମ୍ମୁଖୀନ ହେଉଥିଲା, ତାହା ହିଁ କେବଳ ଚିତ୍ରଣ କଲେ ।

କେତେକ ଲୋକପ୍ରିୟ ଦୁର୍ବଳ ଶୈଳୀରେ ରଚିତ ଗଲ୍ପ-ସାହିତ୍ୟର ପ୍ରଭାବ ହେତୁ ଔପନ୍ୟାସିକମାନେ ଜୀବନର ଆଦର୍ଶଗତ ଅନ୍ତର୍ବାହୀଧାରା ପ୍ରକାଶ କରିବାରେ ବ୍ୟର୍ଥ ହୋଇ-ପଡ଼ିଥିଲେ ।

ନବୋଦୟମାନଙ୍କର ବାସ୍ତବଧର୍ମୀ ଉପନ୍ୟାସଗୁଡ଼ିକ ଏବେ ସୁଦ୍ଧା ଲୋକପ୍ରିୟ ହୋଇ ରହିଛି । ଏଥିରୁ ମନେହୁଏ, ସତେ ଯେମିତି ଏହି ଧରଣର ଲେଖାଗୁଡ଼ିକ ଆମର କଳା ସମ୍ପର୍କରେ ଅନୁଭୂତିର ନିକଟବର୍ତ୍ତୀ ଏବଂ ଏହା ଉନ୍ନତିର ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିବା ଅପେକ୍ଷାରେ ରହିଛି ।

ସାହିତ୍ୟରେ ତର୍କବିତର୍କ :- ବିଗତ ପଚିଶ ବର୍ଷ ଧରି ହୋଇଆସୁଥିବା ସାହିତ୍ୟିକ ତର୍କବିତର୍କ ସାହିତ୍ୟ ଉପରେ ଅନେକ ପ୍ରଭାବ ପକାଇଛି, ଯଦିଓ ଅନେକ ସମୟରେ ଏହି ତର୍କବିତର୍କ ସାହିତ୍ୟ ସୀମା ବହିର୍ଭୂତ ପ୍ରସଙ୍ଗକୁ ଆସିଛି । ଅନେକ ସମୟରେ ଏହାର ସାହିତ୍ୟ ସହିତ ସମ୍ପର୍କ ଉତ୍ସାହଜନକ ନଥିଲା । ବରଂ, ଅନେକ ସମୟରେ ଏହା ପରସ୍ପରର ବିରୁଦ୍ଧାଚରଣ କରିଛି ।

ଶୁଦ୍ର-ବ୍ରାହ୍ମଣ :- ବ୍ରାହ୍ମଣ ଏବଂ ଅଣ ବ୍ରାହ୍ମଣ ଏକତ୍ରୀକରଣ ପ୍ରକ୍ରିୟା କର୍ଣ୍ଣାଟକର ସାଂପ୍ରତିକ ରାଜନୈତିକ ଇତିହାସର ପରିପ୍ରେକ୍ଷୀରେ ଏକ ନୁତନ ଭୂମିକା ଗ୍ରହଣ କରିଛି । ବିଭିନ୍ନ କ୍ଷେତ୍ରରେ ଏହାର ପ୍ରତିକ୍ରିୟା ପ୍ରକାଶ ପାଇଛି । ନବୋଦୟ ସାହିତ୍ୟ ଏବଂ ସମାଲୋଚନା, ମାନବିକତା ଓ ଧର୍ମନିରପେକ୍ଷତା ଉପରେ ନୂତନ ମୁଲ୍ୟବୋଧ ଆରୋପ କଲା ।

ସ୍ୱାଧୀନତାର ପରବର୍ତ୍ତୀ କାଳରେ ସାମାଜିକ ବିବାଦ ଉତ୍କଟ ଆକାର ଧାରଣ କରିଥିଲା । ଏହା ଫଳରେ ଲେଖକର ସାମାଜିକ ସ୍ତର ଏବଂ ସୃଜନକ୍ଷମ କାର୍ଯ୍ୟକଳାପ ମଧ୍ୟରେ ସାମଞ୍ଜସ୍ୟକୁ ସ୍ୱୀକୃତି ମିଳିଥିଲା । ଆଶ୍ଚର୍ଯ୍ୟ ବିଷୟ ଯେ, ଶୁଦ୍ର-ବ୍ରାହ୍ମଣ ଚିନ୍ତାଧାରାର ପରିପ୍ରକାଶ ନବ୍ୟମାନଙ୍କ ସମୟରେ ହିଁ ହୋଇଥିଲା । ବ୍ୟକ୍ତିବିଶେଷ ପ୍ରତି କୌଣସି ଗୁରୁତ୍ୱ ଆରୋପ କରାଯାଇ ନଥିଲା । ଏହି ଦୁଇ ଚିନ୍ତାଧାରାକୁ ନେଇ ସାମାଜିକ ଶ୍ରେଣୀର ସୃଷ୍ଟି । ଏହା ଉପରେ ବିଶେଷ ଗୁରୁତ୍ୱ ଆରୋପ କରିବା ଉଚିତ । ଶୁଦ୍ର,ଦୃଢ଼ତା ଓ ପ୍ରମାଣିକତାର ପ୍ରତୀକ ଥିଲା ଏବଂ ଜୀବନର ଅଧିକ ନିକଟତର ଥିଲା । ବ୍ରାହ୍ମଣ ସମସ୍ତ ପ୍ରକାର ଅବୋଧ୍ୟତା ବୌଦ୍ଧିକତାର ପ୍ରତୀକ ଥିଲା । ଏହି ଦୁଇଟି କାରଣ ରଚନାତ୍ମକ ପ୍ରଗତି ଉପରେ କିପରି ପ୍ରଭାବ ପକାଉଥିଲା ତହାକୁ ସ୍ୱୀକାର କରାଯାଉଛି । ପରବର୍ତ୍ତୀକାଳରେ ଏହି ଚିନ୍ତାଧାରା ସାମାଜିକ ଅର୍ଥରେ ବ୍ୟବହୃତ ହେଲା । ଏହା ଲେଖକର ଅନୁଭବ ଶକ୍ତି ଏବଂ ସେ ଆସିଥିବା ପୃଷ୍ଠଭୂମି ମଧ୍ୟରେ ଥିବା ସଂପର୍କର ପୁନଃ ପରୀକ୍ଷା ପାଇଁ ଆଗେଇ ନେଲା । ଦୁଃଖର ବିଷୟ ଯେ, ଏହି ଶବ୍ଦଗୁଡ଼ିକ ଅନେକ ସମୟରେ କେତେକ ଲେଖକଙ୍କୁ ନିନ୍ଦା କରିବା କିମ୍ବା ପ୍ରଶଂସା କରିବା ପାଇଁ ବ୍ୟବହୃତ ହେଉଥିଲା ।

ଦଳିତ ବଳୟ :- ଏକ ଦଶକ ପରେ ଶୁଦ୍ର ବ୍ରାହ୍ମଣ ଏକତ୍ରୀକରଣ ନୂଆ ରୁପ ନେଲା । ଅଣ-ବ୍ରାହ୍ମଣ ଏବଂ ଅଣ-ଶୁଦ୍ରମାନଙ୍କୁ ଦଳିତ ବୋଲି ଅଭିହିତ କରାଯାଉଥିଲା । ସେ ସମୟରେ ଏକ ପ୍ରକାର ସାହିତ୍ୟ ଲେଖା ହେଲା, ପ୍ରତିବାଦ କରିବା ଯାହାର ମୂଖ୍ୟ ଉଦ୍ଦେଶ୍ୟ ଥିଲା । ମନେ ରଖିବା ଉଚିତ ଯେ ସାମାଜିକ ଏକତ୍ରୀକରଣ ହେତୁ ଯେଉଁ ଉତ୍ତେଜନା ପ୍ରକାଶ ପାଇଲା, ତାହା କେବଳ ସଚେତନତା ସ୍ତରରେ ସୀମିତ ରହିଲା । ଯୁକ୍ତି କରାଗଲା ଯେ କୌଣସି ଏକ ନିର୍ଦ୍ଦିଷ୍ଠ ଜାତିର ଲେଖକ ଅନ୍ୟ ଗୋଟିଏ ଜାତିର ଚାଲିଚଳନକୁ ବର୍ଣ୍ଣନା କରିପାରିବ ନାହିଁ । ଅନ୍ୟ ଗୋଟିଏ ଯୁକ୍ତି ହେଲା ଯେ ପ୍ରତିବାଦ କରିବା ନିର୍ଭର ଯୋଗ୍ୟ ସାମାଜିକ ଦଲିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ । ଅଧିକାଂଶ ଲେଖକ ଏପରି ପ୍ରତିବାଦ କରୁଥିଲେ, ଯାହା ଫଳରେ ସେମାନେ ସମାଜର ସବୁ ଶ୍ରେଣୀର ସମସ୍ୟାର ଠିକ୍‌ ଚିତ୍ର ଦେଇ ପାରୁନଥିଲେ । ସେମାନଙ୍କର ସେହି ସଚେତନତା ଅନ୍ୟମାନଙ୍କଠାରୁ ପୃଥକ କରି ରଖିଥାଏ । ଏହି ଧରଣର ସାହିତ୍ୟ କି ପ୍ରକାର ପ୍ରଭାବ ପକାଇବ ଭବିଷ୍ୟତରେ ହିଁ ତାହା ଜଣାପଡ଼ିବ ।

ସ୍ୱାଧୀନତା ପରବର୍ତ୍ତୀ କାଳର ଲେଖକମାନେ ବର୍ତ୍ତମାନ ସକ୍ରିୟ ହୋଇଉଠିଛନ୍ତି । ଯଦିଓ ସେମାନେ ସେମାନଙ୍କ ପୂର୍ବପୁରୁଷଙ୍କ ପରି କୃତିତ୍ୱ ଅର୍ଜନ କରିନାହାଁନ୍ତି ତଥାପି ସେମାନେ ସାହିତ୍ୟରେ ଏକ ନୂତନ ଯୁଗ ସୃଷ୍ଟି କରିବାରେ ସମର୍ଥ । ସେମାନେ ଅନ୍ୟମାନଙ୍କ ଭାବ ପ୍ରକାଶରେ ଆସ୍ଥା ହରାଇଛନ୍ତି ଏବଂ ଏହାକୁ ନୁଆ ମୋଡ଼ ଦେବାକୁ ଚାହାଁନ୍ତି । ଅବଶ୍ୟ ଏହା ଉତ୍ସାହ ଉଦ୍ଦୀପନାର ପ୍ରଥମ ପର୍ଯ୍ୟାୟ । କିନ୍ତୁ ଆଗକୁ ରାସ୍ତା ଅନେକ ପଡ଼ିଛି ।

ପରିଶିଷ୍ଟ :-ଏହି ପ୍ରବନ୍ଧରେ ଲେଖକ ଓ ଲେଖିକାମାନଙ୍କ ରଚନାକୁ ପୃଥକ ଭାବେ ଦର୍ଶାଇବାର ଉଦ୍ୟମ କରାଯାଇନାହିଁ । ଗତ ପଚିଶବର୍ଷ ମଧ୍ୟରେ ବହୁ ଅଧିକ ସଂଖ୍ୟକ ମହିଲା ଲେଖାଲେଖି ଆରମ୍ଭ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଉପନ୍ୟାସ ଓ ଅଳ୍ପ କେତେକ କବିତା ଲେଖିବାକୁ ବାଛି ନେଇଛନ୍ତି । ପରିବାରକୁ କେନ୍ଦ୍ର କରି ରକ୍ଷଣଶୀଳା ମହିଳା ଉପନ୍ୟାସ ରଚନା କରୁଥିବା ବେଳେ, ମଧ୍ୟବିତ୍ତ ପରିବାରର ସ୍ୱାଧୀନା ଶିକ୍ଷିତା ମହିଳାମାନେ କବିତା ରଚନା କରୁଛନ୍ତି ନାରୀମାନଙ୍କୁ କିପରି ଶୋଷଣ କରାଯାଉଛି ତା’ର ସବିଶେଷ ଚିତ୍ର ଦେଇ ଏପର୍ଯ୍ୟନ୍ତ କୌଣସି ପୁସ୍ତକ ରଚିତ ହୋଇନାହିଁ । ଲେଖିକାମାନେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହା ଯଦି ଯଥାର୍ଥ, ତେବେ ସେମାନେ ନିଶ୍ଚିତ ଭାବେ ସାହିତ୍ୟରେ ନୂତନ କିଛି ସୃଷ୍ଟି କରିବାକୁ ବାଧ୍ୟ ହେବେ ।

କ୍ଷୁଦ୍ର ପତ୍ର ପତ୍ରିକା :- କ୍ଷୁଦ୍ର ପତ୍ରପତ୍ରିକା ଏ ପର୍ଯ୍ୟନ୍ତ କୁହାଯାଇଥିବା ସାହିତ୍ୟିକ ତର୍କବିତର୍କକୁ ଆରମ୍ଭ କରିବା ସଙ୍ଗେ ସଙ୍ଗେ ଏବେ ମଧ୍ୟ ବଞ୍ଚାଇ ରଖିଛନ୍ତି । ଶୂଦ୍ର, ସଂକ୍ରମଣ, ଶକ୍ତି, ରୁଜୁଭାତୁ ପ୍ରଭୁତିର ଅବଦାନ ଏ ଦୃଷ୍ଟିରୁ ଖୁବ୍‌ ଅଧିକ । ଯୁବ ଲେଖକମାନଙ୍କୁ ଏହି ପତ୍ରପତ୍ରିକା ଉତ୍ସାହ ଦେବା ସଙ୍ଗେ ସଙ୍ଗେ ମତବ୍ୟକ୍ତ ପାଇଁ ସୁଯୋଗ ଦେଉଛନ୍ତି, ଯାହାକି ଦୈନିକ ସମ୍ବାଦପତ୍ରରେ ସମ୍ଭବ ନୁହେଁ-

ଗତ ପଚିଷ ବର୍ଷ ମଧ୍ୟରେ କୌଣସି ପୁସ୍ତକ କଥା ଆଲୋଚନାରେ ଉଲ୍ଲେଖ କରାଯାଇନାହିଁ । ଏଠାରେ ମୁଖ୍ୟତଃ ଯେଉଁ କାରଣଗୁଡ଼ିକ ସାହିତ୍ୟ ସୃଷ୍ଟି ନିମନ୍ତେ ପ୍ରେରଣା ଯୋଗାଇଛି, ସେ ସମ୍ପର୍କରେ ଏଠାରେ କୁହାଯାଇଛି, ତାହା ମୁଖ୍ୟତଃ ଯୁବଲେଖକମାନଙ୍କ ଦ୍ୱାରା ରଚିତ ।

କ୍ୱାଟର ନଂ ୩/୧, ଭି. ଆର

ଇଉନିଟ୍‍ –୩, ଭୁବନେଶ୍ୱର –୧

***

 

Unknown

ସାଂପ୍ରତିକ ଓଡ଼ିଆ କବିତାରେ ସୌନ୍ଦର୍ଯ୍ୟଚେତନା

ଡକ୍‍ଟର ପ୍ରତିଭା ଶତପଥୀ

 

ସୌନ୍ଦର୍ଯ୍ୟ ପ୍ରତି ମାନବର ହୃଦୟାବେଗ ସବୁବେଳେ ଉନ୍ନୁଖ । କବିତା ଜୀବନ-ସାଧନାରୁ ପ୍ରକଟିତ ହୁଏ ଓ ସତ୍ୟ ଶିବ ସୁନ୍ଦରର ଅଭିଳାଷକୁ ଚରିତାର୍ଥ କରେ । ଆମେ ସାଧାରଣତଃ ସୌନ୍ଦର୍ଯ୍ୟ ଦେଖି ଦେଖୁନାହିଁ, ସେଥିପ୍ରତି ଉଦାସୀନ ରହୁ । କିନ୍ତୁ କବି ଓ କଳାକାର ସୌନ୍ଦର୍ଯ୍ୟ ସନ୍ଧାନରେ ସ୍ୱ ଆତ୍ମାକୁ ଉତ୍ସର୍ଗିତ କରିଥାନ୍ତି । କୌଣସି ବସ୍ତୁ, ଘଟଣା, ଚରିତ୍ର ବା ଭାବକୁ ଆଶ୍ରୟ କରିଥିବା ସ୍ୱାନୁଭୂତିକୁ କବିର ସୌନ୍ଦର୍ଯ୍ୟ ସଚେତନତା ଶବ୍ଦଶିଲ୍ପ ମାଧ୍ୟମରେ ଅଙ୍କନ କରେ ଓ ବୋଧସମ୍ପନ୍ନ ପାଠକ ଉକ୍ତ କବିତାରୁ ସୌନ୍ଦର୍ଯ୍ୟାସ୍ୱାଦନ କରି ଭାବାଭିଭୂତ ହୋଇଥାଏ । ସୌନ୍ଦର୍ଯ୍ୟଚେତନା ଉପରୋକ୍ତ ମତେ କବିତାରେ କ୍ରିୟାଶୀଳ ହୋଇଥାଏ । କିନ୍ତୁ ସୌନ୍ଦର୍ଯ୍ୟ କେଉଁଠି ଥାଏ ? ନୟନାଭିରାମ ରୂପଶୋଭାରେ ନା ଦର୍ଶକର ହୃଦୟୋଲ୍ଲାସକାରୀ ଭାବାନୁଭୂତିରେ ନିହିତ ଥାଏ ? ପ୍ରକୃତ ପକ୍ଷେ ରୂପଗତ ଓ ଭାବଗତ ସୌନ୍ଦର୍ଯ୍ୟ ମଧ୍ୟରେ ନିର୍ଦ୍ଦିଷ୍ଟ ସୀମାରେଖା ଟାଣିବା ସମ୍ଭବ ନୁହେଁ । ଏ ଦୁଇଟି ଏକ ଅନ୍ୟର ପରିପୂରକ । ସୌନ୍ଦର୍ଯ୍ୟ କେତେକାଂଶରେ ବସ୍ତୁ ନିର୍ଭର, ଏହା ସତ୍ୟ । ମାତ୍ର ବର୍ଣ୍ଣିତ ହେବାକୁ ନିର୍ଦ୍ଦିଷ୍ଟ ଥିବା ବସ୍ତୁ ସହ କବି ସ୍ୱଆବେଗ, କଲ୍ପନା ଓ ଅନୁଭବଶକ୍ତି ସଂଯୋଗ କରି ବସ୍ତୁକୁ ବହୁ ଅଧିକ ସୌନ୍ଦର୍ଯ୍ୟରେ ରୁପାନ୍ତରିତ କରିଥାଏ । ବସ୍ତୁ ସହ ହୃଦୟାବେଗର ସଂଯୋଗ ଘଟିଲେ ସୌନ୍ଦର୍ଯ୍ୟାନୁଭୂତି ପରିପୂର୍ଣ୍ଣ ହୋଇଥାଏ । ପୁନଶ୍ଚ କଳାଗତ ରସାସ୍ୱାଦନରେ ପରିପୂର୍ଣ୍ଣତାର ଅର୍ଥ ଆପେକ୍ଷିକ । ରସଗ୍ରାହୀ ହୃଦୟର ଯୋଗ୍ୟତାନୁସାରେ ରସଗ୍ରହଣ ସମ୍ଭବ ହୋଇଥାଏ । ଆଧାର ବିଶେଷର ଗୁରୁତ୍ୱ ଏଠାରେ ସ୍ୱୀକାର୍ଯ୍ୟ । ବ୍ୟକ୍ତିମାତ୍ରକେ ତାର ସୌନ୍ଦର୍ଯ୍ୟ ଅବଧାରଣ କ୍ଷମତା ଅପରଠାରୁ ସ୍ୱତନ୍ତ୍ର । କବି ମାତ୍ରକେ ତା‘ର ସୌନ୍ଦର୍ଯ୍ୟ ପ୍ରକାଶ କ୍ଷମତା ବି ଅପରଠାରୁ ସ୍ୱତନ୍ତ୍ର । ତେଣୁ ସୌନ୍ଦର୍ଯ୍ୟାସ୍ୱାଦନରେ ପରିପୂର୍ଣ୍ଣତା ଖୋଜିଲେ ମିଳି ନ ପାରେ । ପୁଣି ଏହି ସୌନ୍ଦର୍ଯ୍ୟାନୁଭୂତି ବସ୍ତୁର ଦୃଷ୍ଟ ରୂପ ଓ ସେହି ରୂପର ଉପଲବ୍‍ଧି ଜନିତ ଆବେଗରୁ ଅଧିକ କିଛି । ସୌନ୍ଦର୍ଯ୍ୟାନୁଭୂତିଜନିତ ଏହି ସ୍ୱର୍ଗୀୟ ଆନନ୍ଦ ପୁଣି ଦୀର୍ଘକାଳ ସ୍ଥାୟୀ । ସୌନ୍ଦର୍ଯ୍ୟଭୋକ୍ତା ସୌନ୍ଦଯ୍ୟାଶ୍ରୟୀ ବସ୍ତୁର ଅବର୍ତ୍ତମାନରେ ହୁଏତ ପ୍ରକୃତିସ୍ଥ ହୋଇଯାଏ । ତଥାପି ସ୍ଥାୟୀଚିତ୍ର ହୃଦୟପଟରେ ଅଙ୍କିତ ହୋଇ ରହେ । ବାରବାର ଆସ୍ୱାଦନରେ ମଧ୍ୟ ସୌନ୍ଦର୍ଯ୍ୟ ତାର ନୁତନତ୍ୱ ହରାଏ ନାହିଁ । ସେଥିପାଇଁ ସୁନ୍ଦରବସ୍ତୁ ଦୃଷ୍ଟପୂର୍ବ ହୋଇ ମଧ୍ୟ ଅପୂର୍ବ ମନେ ହୋଇଥାଏ । କବି ରାଧାନାଥ କହିଥାନ୍ତି ‘‘ଦୃଷ୍ଟପୂର୍ବ ହୋଇ ମଧ୍ୟ ଅପୂର୍ବ ପ୍ରତୀତି /ସୁନ୍ଦର ପଣର ଚିତନ୍ତନରୀତି ।’’

 

କାୟିକ ଓ ଆତ୍ମିକ ସୌନ୍ଦର୍ଯ୍ୟ

ସୌନ୍ଦର୍ଯ୍ୟ ଚେତନାକୁ କେବଳ ଦୃଷ୍ଟରୂପ ପ୍ରଭାବିତ କରେ ନାହିଁ । ଅନୁଭବ ସକ୍ରିୟ ହୋଇ ଅଭିଜ୍ଞତାସହ ସଂଯୁକ୍ତ ହୋଇଯାଏ । ସେଥିପାଇଁ ସନ୍ତାନ ଓ ଜନନୀ ରୂପରହିତ ହେଲେହେଁ ପରସ୍ପରର ନୟନାଭିରାମ ହୋଇଥାନ୍ତି । ଏ ସମ୍ପର୍କରେ ପ୍ରଭୁ ଗଣେଶଙ୍କ ରୂପ ବର୍ଣ୍ଣନା ଦେଖନ୍ତୁ – ‘‘ଖବଂ ସ୍ଥୂଲତନୁଂ ଗଜେନ୍ଦ୍ର ବଦନଂ ଲମ୍ବୋଦରଂ ସୁନ୍ଦରଂମ୍‌’’ ଖର୍ବ, ସ୍ଥୂଳଶରୀର, ଗଜମୁଖ, ଦୀର୍ଘଉଦର ତା ସହିତ ପୁଣି ସୁନ୍ଦର- ଏହା କେବେ ରୂପଗତ ସୌନ୍ଦର୍ଯ୍ୟ ବୁଝାଏ କି ? ବରଂ ଏ ସବୁ ସୁନ୍ଦରର ବିପରୀତକୁ ପ୍ରତୀକିତ କରିଥାଏ । ତଥାପି ଭକ୍ତ ସମକ୍ଷରେ ପ୍ରଭୁ ଗଜାନନ ସୁନ୍ଦର ରୂପେ ଉଭା ହୁଅନ୍ତି । ତାଙ୍କର ଜ୍ଞାନ ଓ ପାଣ୍ଡିତ୍ୟପୂର୍ଣ୍ଣ ହୃଦୟର ଓ ବିଦ୍‌ବତ୍ତାର ସୌନ୍ଦର୍ଯ୍ୟକୁ ଏଥିରେ ଉପସ୍ଥାପିତ କରାଯାଇଛି । ଜ୍ଞାନ ଓ ପାଣ୍ଡିତ୍ୟର ଆକର୍ଷଣ ହେତୁ ଭକ୍ତ-ଚକ୍ଷୁରେ ସେ ‘ସୁନ୍ଦର’ ରୁପେ ପ୍ରତିଭାତ ହୋଇଛନ୍ତି । ସୌନ୍ଦର୍ଯ୍ୟ ତ କେବଳ ବ୍ୟକ୍ତି ବା ବସ୍ତୁର ଦୃଶ୍ୟରୂପ (ବହିଃରଙ୍ଗ ଭୂଷଣ)କୁ ବୁଝାଏ ନାହିଁ–ତାର ଆତ୍ମିକ ସୌନ୍ଦର୍ଯ୍ୟକୁ ମଧ୍ୟ ସୂଚିତ କରେ । ରୂପ ସୌନ୍ଦର୍ଯ୍ୟ ସହ ଭାବ-ସୌନ୍ଦର୍ଯ୍ୟର ଯୋଗାଯୋଗ ଅବିଚ୍ଛେଦ୍ୟ ହୋଇଥାଏ । ହୃଦୟରେ ପ୍ରେମଭାବ ଥିଲେ ରୂପହୀନ ଅପୂର୍ବ ରୁପବନ୍ତ ରୂପେ ପ୍ରତୀତ ହେବା କଥାଟି କାହାକୁ ଜଣାନାହିଁ ? ଦୃଷ୍ଟରୂପ ସହ ଭାବ ସର୍ବଦା ଓତଃପ୍ରୋତ ଥାଏ । ହୃଦୟ ଯଦି ଶତଧା ବିଦୀର୍ଣ୍ଣ, ପ୍ରାଣଶୋକାକୁଳ–ଶରତର ଜହ୍ନରାତିଟିଏ ବି ପାଉଁଶରେ ପଲସ୍ତରା ହେଲାପରି ମନେହେବା ଆଶ୍ଚର୍ଯ୍ୟଜନକ ନୁହେଁ । ହୃଦୟ ଯଦି ପରିପୂର୍ଣ୍ଣ ଆବେଗ ସଘନ ଓ ପ୍ରାଣ ପ୍ରେମବିହ୍ୱଳ, ସାଧାରଣ ଘଟଣା ବା ବସ୍ତୁଟିଏ ବି ସେଦିନ ଅସାଧାରଣ ଅର୍ଥମୟ ଓ ସୌନ୍ଦର୍ଯ୍ୟମୟ ହୋଇଉଠିବା ଅସ୍ୱାଭାବିକ ନୁହେଁ । ସାଧାରଣ ଅର୍ଥରେ ପ୍ରକୃତିର ରୂପଶୋଭା ଓ ନାରୀର ରୂପଶୋଭାରେ କବିଗଣ ସୌନ୍ଦର୍ଯ୍ୟ ଦର୍ଶନ କରିଥାନ୍ତି ।

 

ରୂପସୀପ୍ରକୃତି ଓ ନାରୀ

କାବ୍ୟକାରଗଣ ପ୍ରକୃତିର ଓ ନାରୀର ରୂପଶୋଭା ବର୍ଣ୍ଣନା କରିବାରେ ଶତମୁଖ । ନିଃସର୍ଗ ସୌନ୍ଦର୍ଯ୍ୟର ଆକର୍ଷଣ ସର୍ବଦା ବିଦ୍ୟମାନ ଥିଲେହେଁ ନାରୀରୂପ ସମ୍ମୋହନର ଅଙ୍କନାଭୀପ୍‍ସା ତହୁଁ ବଳି ପ୍ରାଚୀନତର ଓ ଗଭୀରତର । କାରଣ କବିପୁରୁଷ ଦୃଷ୍ଟିରେ ନାରୀ ପ୍ରେମର ପ୍ରତିମା । ହୃଦୟୋଚ୍ଛ୍ୱାସର ଅବଲମ୍ବନ, ପୁଲକିତ ଆତ୍ମସତ୍ତାର ନିମିତ୍ତ । କୋଉ କବି କଣ୍ଠରୁ ପ୍ରେମବିହ୍ୱଳ ଧାଡ଼ିଟିଏ ଫିଟି ନ ପଡ଼ିଛି ? କୋଉ କବି ନାରୀରୂପର ସ୍ତବ ଗାନ କରିନାହିଁ ? ଆଜିର ବସ୍ତୁବାଦୀ ସଂଘର୍ଷମୟ ଜୀବନାୟନରେ ମଧ୍ୟ କବି ସୌନ୍ଦର୍ଯ୍ୟ ପ୍ରତି ଉନ୍ମୁଖ ହୋଇଛି–ସୋନ୍ଦର୍ଯ୍ୟର ସମ୍ମୋହନରେ ତା’ର ମୁଗ୍‌ଧ ଉଚ୍ଚାରଣର ରାଶି ରାଶି ଉଦାହରଣ ମିଳିଥାଏ । ଗୋଟିଏ ଗ୍ରାମ୍ୟନଦୀର ରୂପ ବର୍ଣ୍ଣନା କରିବାକୁ ଯାଇ କବି ଗୁରୁପ୍ରସାଦ କହନ୍ତି – ‘‘ଆଜି ଯେବେ ଛାଇ ଜମେ ସେପାରିର ଅତଡ଼ାରେ/ଆଲୁଅ ନରମ ହୁଏ ହଳଦୀ ପାଣିରେ ଗୋଳି/ଚରାର କଣ୍ଟା ଓ ଘାସ, ଶଙ୍ଖଚିଲ ଡେଣା’’ (ଶିତୁଆ) ପ୍ରକୃତିର ଶୋଭା ସମ୍ଭାରର ସ୍ମୃତି କବିଙ୍କ ରଚନାରେ ଚିତ୍ରମୟ ହୋଇଛି । ବେଳେବେଳେ ପ୍ରକୃତି ମଧ୍ୟ ଏକ ନିବିଡ଼ ରହସ୍ୟର ସଂବେଦ୍ୟ ରୂପ ଧରି ଛିଡ଼ା ହୋଇଛି । ପ୍ରକୃତିର ରୂପସମ୍ଭାର ମଧ୍ୟରେ କବି ରାଜେନ୍ଦ୍ର ଏକ ଅସାଧାରଣ ଭାବର, ରହସ୍ୟ ଇଙ୍ଗିତ ଆଙ୍କି ବସନ୍ତି- ‘‘ପାହାନ୍ତାରେ ନିଦମଲମଳ ଆକ୍ଷିରେ/ବଗିଚାକୁ ଆସି ଦେଖିବୁ/କାରୁପର୍ଣ୍ଣୀ କୋଣରେ/ଉର୍ଣ୍ଣାଜାଲରେ ବିନ୍ଦୁ ବିନ୍ଦୁ ଶିଶିର/ପ୍ରତିଟି ବୁନ୍ଦାରେ ଝଲମଲ ସୂର୍ଯ୍ୟ ବିମ୍ବ/ଶିରିଶିରି ପବନରେ ଶିହରିଗଲା ଜାଲ ଭାବୁ ଭାବୁ/ନିଘା ପଡ଼ିଯିବ ତୋର ଶିକାରରତ ରତ୍ନ ବୁଢିଆଣୀ ଉପରେ (ମୋ ଝିଅକୁ) । ଏଠାରେ ପବନରେ ଦୋଳାୟିତ ଶିଶିର ବିନ୍ଦୁ ଯୁକ୍ତ ଉର୍ଣ୍ଣାଜାଲଟି—ପ୍ରତି ଶିଶିର ବିନ୍ଦୁରେ ସୂର୍ଯ୍ୟ ଝଲମଲ...ଦୃଶ୍ୟଟି ଏକ ନୟନ ସଂବେଦ୍ୟ ରୂପର ସମ୍ଭାର ତୋଳି ଧରିବା ସହିତ ମାନବଜୀବନର ଅମୋଘ ଯନ୍ତ୍ରଣା ଓ ଉଲ୍ଲାସକୁ, ସାକାର, କରିବାର ଅପେକ୍ଷାରେ ରହିଛି । ପୁଣି କବି ରମାକାନ୍ତ ଶ୍ରୀରାଧା କବିତାରେ ପରିବେଶର ସୌନ୍ଦର୍ଯ୍ୟକୁ ଆତ୍ମିକ ବିହ୍ୱଳତାରେ ଅନୁରଞ୍ଜିତ କରୁଛନ୍ତି । କୃଷ୍ଣଙ୍କର କଳ୍ପିତ ସାକ୍ଷାତ ଓ ସ୍ପର୍ଶରେ ଶ୍ରୀରାଧାଙ୍କ ଶରୀରର କଠିନତା ଲୋପପାଇଛି । ପୁରୁଣା ଅଭ୍ୟାସ, ଭୟ, ଦୁଃଖ, ସୁଖ, ଜରା, ମରଣ ଆଦି ମନ ଓ ଶରୀରର ସାଧାରଣ ଅବସ୍ଥା ବିଲୁପ୍ତ ହୋଇଛି । ଶ୍ରୀରାଧାଙ୍କ ପୁଲକିତ ସତ୍ତାର ରୂପାନ୍ତର ଘଟୁଛି – ତାହାର ଏକ ଦର୍ଶନଗ୍ରାହ୍ୟ ରୂପ କବି ଆଙ୍କିଛନ୍ତି – ‘‘ତା ପରେ ତରଳି ଯାଇ ବ୍ରହ୍ମାଣ୍ଡ ଉପରେ ବୋହିଗଲି ଯେପରି ମୁଁ ପର୍ବତ ଭିତରୁ / ସଦ୍ୟମୁକ୍ତ ହୋଇଥିବା ଚନ୍ଦ୍ରର କିରଣ ।’’

 

ନାରୀର ନୟନ ସମ୍ବେଦ୍ୟ ରୂପ ଓ ଏହି ନୟନ ସମ୍ବେଦ୍ୟ ରୂପକୁ ଅତିକ୍ରମ କରୁଥିବା ରୂପମୟତା (ଏହା ପ୍ରକୃତ ରୂପ ଓ ରୂପପ୍ରାଣର ଆବେଗ ଏ ଦୁଇର ସଂଶ୍ଲେଷରେ ପ୍ରତୀତ) ଏ ଉଭୟର ସମ୍ମିଳନରେ ସୌନ୍ଦର୍ଯ୍ୟ ନିଷ୍ପନ୍ନ ହୋଇଥାଏ । ପ୍ରଚୀନ କବିତାର (ଆହମ୍‌କବିତା-ତାମିଲ) ଅନୁବାଦରେ ଦେଖନ୍ତୁ –

 

‘‘O chaste one, loosen your garment,

….. and with

Excited heart drew the veil away

Like sword unsheathed she shone

She blushed unsheathed, she shone

She blushed atonce.”

(Ethos of Indian Lit. Sangam Poetry, P.136)

 

ଏଠାରେ ଦୃଶ୍ୟ ସୌନ୍ଦର୍ଯ୍ୟ ଏକ ଚମକପ୍ରଦ ଚିତ୍ରପଟ–ନାୟକ ପ୍ରେମବିହ୍ୱଳ, ନବପରିଣୀତାକୁ ଅବଗୁଣ୍ଠନ ଉନ୍ମୋଚିତ କରିବାକୁ ଅନୁରୋଧ ଜଣାଉଛି–ପୁଣି ପରମୁହୂର୍ତ୍ତରେ ଆବେଗାତିଶଯ୍ୟରେ ଅବଗୁଣ୍ଠନକୁ ସହସା ନିଜ ହାତରେ ଉନ୍ମୋଚିତ କରୁଛି । ନବବଧୂର ଅର୍ଦ୍ଧାଧିକ ଶରୀର ଅନାବୃତ ହୋଇପଡ଼ୁଛି – କୋଷମୁକ୍ତ ତରବାରୀ ପରି ସୁନ୍ଦରୀ ନବୋଢ଼ାର ଶରୀର ଝଲସି ଉଠୁଛି । ସେ ରୂପର ଆବେଦନ ତରବାରୀ ପରି ଉଜ୍ଜ୍ୱଳ ଓ ତୀକ୍ଷଣ ଠିକ୍‌ ସେତିକିବେଳକୁ ନବବଧୂ ଲଜ୍ଜାନତା ହୋଇପଡ଼ୁଛି । ଏଠାରେ ଏକ ବ୍ୟକ୍ତିଗତ ସଘନ ଆବେଗ ନୈର୍ବ୍ୟକ୍ତିକ ଓ ନାଟକୀୟ ଭାବେ ଉପସ୍ଥାପିତ ହୋଇଛି ।

 

ମଧ୍ୟଯୁଗୀୟ ଓଡ଼ିଆ କାବ୍ୟରେ ଅସଂଖ୍ୟ ସୁନ୍ଦର ରୂପଚିତ୍ର ଅଙ୍କିତ ହୋଇଛି । କୁଞ୍ଜବନରେ ଗୋପିକୁଳ ପୁଷ୍ପ ବିଭୂଷିତ ହୋଇଛନ୍ତି । କେଶ, କପୋଳ, ଗ୍ରୀବା,ବକ୍ଷ, ବାହୁ, ମଣିବନ୍ଧ, କଟୀ ଓ ଚରଣ ଯାଏ ନାନାବିଧ ଫୁଲର ଭୂଷଣ । ବିଭୂଷିତା ଗୋପିଗଣ ଗୋଟିଏ ଗୋଟିଏ ବିଚିତ୍ର ପୁଷ୍ପଦ୍ରୂମ ପରି ଦିଶୁଛନ୍ତି । କବି ଦେବଦୁର୍ଲ୍ଲଭଙ୍କ ଦୃଷ୍ଟିରେ ‘‘ନିର୍ମଳ କପୋଳେ ରଞ୍ଜିଲେ ଅଳକ/ବାଲି ମଲ୍ଲିକଢ଼ି ଝଡ଼ାଗୋ/ବଦନଚନ୍ଦ୍ର ଉପରେ ଶୋଭାକି ଏ ବେଢ଼ିଘନ ତଳେ ତାରା.... ନାନା କୁସୁମେ ତାଡ଼ ଚୁଡ଼ୀ ସାଜିଲେ/ଭୁଜଲତାକୁ ବନାଇ/ ବିଚିତ୍ର ପୁଷ୍ପଦ୍ରୂମ ପ୍ରାଏ ଦିଶିଲେ ସମସ୍ତେ ଦିଅ ଅନାଇଁ .....’’(ରହସ୍ୟ ମଞ୍ଜରୀ) ।

 

ସୁନ୍ଦର, ରହସ୍ୟମୟ

ସୌନ୍ଦର୍ଯ୍ୟ ଅଙ୍କନ କଦାପି ଏକ ସହଜ କର୍ମ ନୁହେଁ । ମୋର ତ ମନେହୁଏ କବି ସୁମହାନ୍‌ କବିତ୍ୱର ଅଧିକାରୀ ହୋଇଥିଲେ ହେଁ, ବିପୁଳ-ପ୍ରତିଭା ସଂପନ୍ନ ହୋଇଥିଲେ ହେଁ ସୌନ୍ଦର୍ଯ୍ୟକୁ ପରିପୂର୍ଣ୍ଣ ରୂପ ପ୍ରଦାନ କରିବା, ସ୍ୱୟଂ ସମ୍ପୂର୍ଣ୍ଣ କରିପାରିବା ତା’ପକ୍ଷେ ସମ୍ଭବ ହୋଇପାରେ ନାହିଁ । ସୁନ୍ଦର ଦୃଶ୍ୟଟିଏ ଅସଂଖ୍ୟ ଭାବ ଅଭିବ୍ୟକ୍ତ କରିଥାଏ । ଅସାଧାରଣ କବି ଜଣେ ହୁଏତ ସେଥିରୁ ଗୋଟିଏ କିମ୍ବା ଅଳ୍ପ କେତୋଟି ଭାବକୁ ଗ୍ରହଣ କରେ ଓ ଅଙ୍କନ କରିବାରେ ପ୍ରୟାସୀ ହୋଇଥାଏ । ପୁନଶ୍ଚ କବି ଯେତିକି ଅବଗତ ହୋଇଥାଏ, ଅଙ୍କନରେ ତାହା ଆହୁରି ହ୍ରସ୍ୱ ହୋଇଯାଏ । ତେଣୁ କିପରି କହିହେବ ଯେ ପ୍ରତ୍ୟକ୍ଷୀଭୂତ ରୂପ ସୌନ୍ଦର୍ଯ୍ୟକୁ କବି ସ୍ୱୟଂ ସଂପୂର୍ଣ୍ଣ ଆଙ୍କି ଦେଇପାରେ ? ସୌନ୍ଦର୍ଯ୍ୟ ସବୁକାଳେ ଗୁମ୍ପିତ । ସୁନ୍ଦରଠାରେ କେଉଁଠି ନା କେଉଁଠି ରହସ୍ୟ ଛପି ରହିଥାଏ । ରହସ୍ୟ ତ କଦାପି ପୁର୍ଣ୍ଣବୋଧଗମ୍ୟ ହୁଏନା, ପୂର୍ଣ୍ଣବ୍ୟକ୍ତ ମଧ୍ୟ ହୋଇ ପାରେନା । ସୌନ୍ଦର୍ଯ୍ୟ ତେଣୁ କେତେକାଂଶରେ ଅବ୍ୟକ୍ତ ରହିଯାଏ ।

 

ପଶ୍ଚିମାଘାଟ ପର୍ବତମାଳାର ଅଗ୍ନାଗ୍ନି ବନସ୍ତ ଭିତରେ ଅଧା ଦିଶି ଅଧା ଲୁଚି ଘନ ନିର୍ଘୋଷରେ ଝରିପଡ଼ୁଥିବା ସେଇ ଝରଣା ‘ଦୁଧ୍‌ସାଗର୍‌’ – ସେ ତ ଝରଣାଟିଏ ମାତ୍ର ନୁହେଁ, ରହସ୍ୟଗର୍ଭିତ ଜ୍ୟୋତିର୍ମୟ ଏକ ରୂପଶିଖା । ସେହି ଶିଖାର କମ୍ପନ ଓ ଅଣୁରଶ୍ମିକୁ କୋଉ କବିର ଯଥାର୍ଥଭାବେ ଲେଖିଦେଇ ପାରିବ ? ରହସ୍ୟକୁ ବିଶ୍ଲେଷଣ କରିପାରିବାର ଅଧିକାର କବିର କେତେଦୁର ସାବ୍ୟସ୍ତ ହୋଇପାରେ ? ହୃଦୟର ପ୍ରତିଟି ଅଣୁକୁ, ଦେହର ପ୍ରତିଟି ଲୋମକୂପକୁ ଉନ୍ମୁଖ କରିପାରିବାର କ୍ଷମତାରେ ଯେଉଁ ରୂପ ମହିମାମୟ, କୋଉ କବି ଆଙ୍କି ପାରିବ ସେହି ରୂପକୁ ?

 

ପୁନଶ୍ଚ କବିତାରେ ଅଙ୍କିତ ରୂପ ତ ସର୍ବଦା ଶବ୍ଦ ନିର୍ଭର । ସେହି ଶବ୍ଦମାନେ କିପରି ଦଗାବାଜ୍‍-ଉପଯୁକ୍ତ ସମୟରେ ଯଥାର୍ଥ ଆସନ୍ତି ନାହିଁ–ସେହିମାନଙ୍କୁ ନେଇ କବିର ପ୍ରକାଶ-ଗୌରବ, କବି କର୍ମର ସଫଳତା । କବିର ଶବ୍ଦଶିଲ୍ପରେ ହୁଏତ ପ୍ରକୃତିଶୋଭାର ଖଣ୍ଡିତ ଚିତ୍ରଟିଏ ଫିଟିପଡ଼ିବ–ପାଠକ ସମ୍ବନ୍ଧରେ ତାହା ଶୋଭାବନ୍ତ ଚିତ୍ରଟିଏ ଆଙ୍କିବାକୁ ସମର୍ଥ ହେବ ନିଶ୍ଚୟ । କିନ୍ତୁ ସେହି ଚିତ୍ରଟି ନିସର୍ଗ ରଚିତ ଚିତ୍ରଠାରୁ କିଛିଟା ନ୍ୟୂନ ହୋଇଯିବ ନାହିଁ କି ? ୟେ ତ ମାନବୀୟ ଅପାରଗତା । ମାଟି ମୁଠାକରୁ ନାନା ରଙ୍ଗର ଓ ଗନ୍ଧର ଫୁଲ (ଗେଣ୍ଡୁ, ଗୋଲାପ, ରଜନୀଗନ୍ଧାଦି) ସୃଜିପାରୁଥିବା ମହାନ୍‌ ସ୍ରଷ୍ଟାର ସୃଜନକଳାକୁ କବି-ମଣିଷଟି କେତେଯାଏ ଆୟତ୍ତ କରିପାରିବ ? ୟେ ଅପାରଗତଠାରୁ କବିର ମୁକ୍ତି ନାହିଁ । କବିର ଏତାଦୃଶ ଅପାରଗତାକୁ ଗଭୀରଭାବେ ଅନୁଭବ କରି ହୁଏତ ସାଂପ୍ରତିକ ଯଶସ୍ୱୀ କବି ସୀତାକାନ୍ତ ମହାପାତ୍ର ନିଜକୁ ନିଜେ ବୁଝାନ୍ତି –‘‘ସାରାଜୀବନଟା/ମିଛଟାରେ ମଣିଷଟେ ମାତିଅଛି ପିଲାଙ୍କ ଖେଳରେ/ଶବ୍ଦ ସିନା ଛାୟାନଟ, ଜଳଛବି/ବାସ୍ତବତା କେବେହେଲେ ଛୁଇଁହୁଏ/ଶବ୍ଦର ହାତରେ ।’’ (ଆରଦୃଶ୍ୟ) । ଶବ୍ଦ-ବିଧୃତ ଚିତ୍ରର ନ୍ୟୂନତା ଆଙ୍କିବାକୁ ଯାଇ କବି ଏଠାରେ ସଂରଚନା କର୍ମକୁ ‘ପିଲାଖେଳ’ ବୋଲି ରୋକ୍‌ଠୋକ୍‌ କହିଛନ୍ତି । ପୁଣି କହନ୍ତି –‘’ଶବ୍ଦ କାହିଁ, ଶବ୍ଦ କାହିଁ କବି/ନିବିଡ଼ତମ ଗୋପନ ଶୋକ ପାଇଁ’’ (ଆରଦୃଶ୍ୟ) । ବାସ୍ତବିକ ନିବିଡ଼ତମ ଅନୁଭୂତିର ଉଚ୍ଚାରଣ ପାଇଁ ଶବ୍ଦର ନିଅଣ୍ଟପଣ କୋଉ କବି ଭୋଗି ନାହିଁ ? ଅନୁଭବର ତୀବ୍ରତା ଶବ୍ଦ ମାଧ୍ୟମରେ ଖର୍ବ ହୋଇଯିବାର ଅଭିଜ୍ଞତା କୋଉ କବି ହାସଲ କରି ନାହିଁ ? ଶବ୍ଦ-ବିଧୃତ ଚିତ୍ର ବାସ୍ତବ ଚିତ୍ରଠାରୁ କିଛିଟା ଊଣା ରହିବ । ବାସ୍ତବ ସୌନ୍ଦର୍ଯ୍ୟ ଶବ୍ଦ ମାଧ୍ୟମରେ ବିମୂର୍ତ୍ତ ହୋଇପାରିବ ନାହିଁ । ଏହି ଅପାରଗତାକୁ ଆଖି ଆଗରେ ରଖି କବିର ସୌନ୍ଦର୍ଯ୍ୟ ଅଙ୍କନ କର୍ମକୁ ବିଶ୍ଲେଷଣ କରିବାକୁ ଆମେ ବାଧ୍ୟ ।

 

ଋହସ୍ୟ ସର୍ବଦା ପ୍ରକାଶର ଉଦ୍ଧ୍ୱର୍ରେ ରହୁଥିବାରୁ ଓ ସୁନ୍ଦରତମ ସହ ରହସ୍ୟମୟତାର ଅବିଚ୍ଛେଦ୍ୟ ସଂଶ୍ଲେଷ ହେତୁରୁ କବିର ଚିତ୍ରାଙ୍କନ ପରିପୂର୍ଣ୍ଣତା ହାସଲ କରିପାରିବ ନାହିଁ । ନାରୀ ସୌନ୍ଦର୍ଯ୍ୟ ଯଥାର୍ଥ ଅଙ୍କନ ପ୍ରୟାସରେ ଚଳିତ ଶତାବ୍ଦୀର ଦୁଇଜଣ ବିଶିଷ୍ଟ କବି କିପରି ରହସ୍ୟମୟତାକୁ ସ୍ୱୀକାର କରିନେଇଛନ୍ତି, ଏଠାରେ ତାହା ଲକ୍ଷ୍ୟ କରାଯାଇପାରେ । ନାରୀର ଦୃଷ୍ଟରୂପର ଅନ୍ତରାଳରେ ଏକ ବିପୁଳତାର ରୂପର ସ୍ପନ୍ଦନ ଅନୁଭବ କରି ସେମାନେ ଚମତ୍‌କୃତ ହୋଇଛନ୍ତି ଓ ସେହି ଅନୁଭବକୁ ରୂପ ଦେବାକୁ ଅଭିଜ୍ଞତା ଓ ଶବ୍ଦ ଉଭୟ ଅକୁଳାନ ମନେ ହୋଇ ଥିବାର ହୃଦୟଙ୍ଗମ କରିଛନ୍ତି । ନାରୀରୂପ ବିହ୍ୱଳ ବିଶ୍ୱକବି ରବିନ୍ଦ୍ରନାଥ କହିଥିଲେ, ‘‘ଅର୍ଦ୍ଧେକ ମାନବୀ ତୁମି, ଅର୍ଦ୍ଧେକ କଲ୍ପନା ....’’ ବାସ୍ତବିକ ସୌନ୍ଦର୍ଯ୍ୟ-ଦର୍ଶନ-କାଳ ଜାତ ଉଲ୍ଲାସକୁ କେତେ ପରିମାଣରେ ସାକାର କରିବାକୁ କବି ଯୋଗ୍ୟ ହୋଇପାରେ ? ସୌନ୍ଦର୍ଯ୍ୟ ପୁଣି ରହସ୍ୟଘନ, ସୁନ୍ଦରୀ ନାରୀ ଏଠାରେ ଅନୁଭବର ବହୁ ନୁତନ ଦିଗନ୍ତ ଉନ୍ନୋଚିତ କରେ । ତାକୁ ଚିତ୍ରିବାକୁ କବିର ଶକ୍ତି କାହିଁ, ଭାଷା ବା କାହିଁ ? ମାନବୀୟତାକୁ ଅତିକ୍ରମ କରିଯାଉଥିବା ସେହି ଅନିର୍ବଚନୀୟ ସୌନ୍ଦର୍ଯ୍ୟାଭିବ୍ୟକ୍ତି ପାଇଁ କବିଚିତ୍ତ କଲ୍ପନାର ଶରଣାପନ୍ନ ହୋଇ ନିଷକୃତି ଲୋଡ଼େ । ସେହିପରି ଜ୍ଞାନପୀଠ ପୁରସ୍କାର ବିଜେତା କବି ସ୍ୱର୍ଗତ ରାମଧାରୀ ସିଂହ ଦିନ୍‌କର ଦ୍ୟୁଲୋକ ରୁପସୀ ଉର୍ବଶୀଙ୍କ ରୂପ-ଶୋଭା ବର୍ଣ୍ଣନା କରିବାକୁ ଯାଇ କିଂକର୍ତ୍ତବ୍ୟବିମୁଢ଼ ହୋଇପଡ଼ିଛନ୍ତି । ୟେ ତ ସାଧାରଣ ସୌନ୍ଦର୍ଯ୍ୟ ନୁହେଁ । ରହସ୍ୟ-ଗୁମ୍ପିତ, ଆତ୍ମଉଦ୍‌ବୋଧକ ଏହି ସୌନ୍ଦର୍ଯ୍ୟ ଯେ ଦେଶକାଳ ପାତ୍ରକୁ ଲଂଘିଯାଉଛି - ଲଂଘିଯାଉଛି କବିର ଦେହର ସ୍ପନ୍ଦନକୁ, ଆତ୍ମାର ଉଲ୍ଲାସକୁ ଅବାଙ୍‌ମାନସଗୋଚର ଏକ ଅଦୃଷ୍ଟପୂର୍ବ ତନ୍ମୟତାରେ ଆକାଶ ପୃଥିବୀ ରୁପାନ୍ତରିତ ହୋଇଯାଉଛି-। ପ୍ରେମବିହ୍ୱଳ ପୁରୁରବା ରାଜ-ଉଦ୍ୟାନରେ ଉର୍ବଶୀଙ୍କୁ ଦେଖି ମୁଗ୍‌ଧ ଦୃଷ୍ଟିରେ ପ୍ରଶ୍ନ କରୁଛନ୍ତି – ‘‘କ୍ୟା ନାରୀ ବନକର ନିକଲ୍‌ପଡ଼ୀ ତୁମ୍‌/ନାରାୟଣୀ କୀ ମହାକଲପନା ସେ/ଏକାୟନ ମନ୍‌ସେ....’’ ଏଠାରେ ସୌନ୍ଦର୍ଯ୍ୟର ରସଘନ ଚିତ୍ର ନିକଟରେ ବାସ୍ତବତା ପରାସ୍ତ – କଲ୍ପନା ହିଁ ଏକମାତ୍ର ଚିତ୍ରକାର । ସୌନ୍ଦର୍ଯ୍ୟଦର୍ଶନର ସାମଗ୍ରିକତା କଲ୍ପନାର ବିନାଶ୍ରୟରେ ପରିସ୍ପୁଟ ହୋଇପାରୁନାହିଁ । ପୁଣି ମାନବୀୟ କଲ୍ପନାରେ ଏ ସୌନ୍ଦର୍ଯ୍ୟ ଅବଧାରିତ ହୋଇପାରୁନାହିଁ – ଐଶୀ କଲ୍ପନାର ସହାୟତା ଲୋଡ଼ୁଛି । ଉପଲବଧି ଏଠାରେ ଦୃଷ୍ଟରୂପକୁ ଲଂଘନ କରିଛି । ଅନୁଭୂତି ଏଠାରେ ବିପୁଳ ଓ ରହସ୍ୟଜଡ଼ିତ । ଦୃଷ୍ଟିରେ ଅବଧାରିତ ସୌନ୍ଦର୍ଯ୍ୟଠାରୁ କଲ୍ପନାର ସାହଚର୍ଯ୍ୟାରେ ସାକାର ସୌନ୍ଦର୍ଯ୍ୟ ମୂର୍ତ୍ତି ଏଠାରେ ବିପୁଳତାର ଅନୁଭୂତିର ଅସଂଖ୍ୟ ରୁଦ୍ଧ ଦ୍ୱାରକୁ ଉନ୍ମୋଚନ କରିବାରେ ସମର୍ଥ । ସୁନ୍ଦରୀ ନାରୀଠାରୁ ସୌନ୍ଦର୍ଯ୍ୟ ବିକୀରିତ ହୋଇ ଦିଗ୍‌ବିଦିଗ ପ୍ରସରି ଯାଉଛି । ସୌନ୍ଦର୍ଯ୍ୟର ୟେ ମହାସଞ୍ଚରଣ ମଧ୍ୟରେ ଦ୍ରଷ୍ଟା ଅଭିଭୂତ । ସ୍ୱାନୁଭବକୁ ଶବ୍ଦଗତ କରିବାରେ ତାର ଅକ୍ଷମତା ଅନେକ । ଶବ୍ଦଗତ ହୋଇ ନ ପାରିଥିବା ଅଂଶତକ ଏଠାରେ କଲ୍ପନାଶ୍ରୟୀ ହେଇପଡ଼ିଛି-

 

ସୌନ୍ଦର୍ଯ୍ୟ ଓ ଶୃଙ୍ଖଳ

କବିତା ଯାହା ଉଚ୍ଚାରଣ କରେ ତାହା ସତ୍ୟର ଏକ ରୂପ । ସତ୍ୟ ପୁଣି ଅବିକଳ୍ପ । ତେଣୁ ଏଠାରେ କବିତାର ସମ୍ମୋହନ ଶକ୍ତି ହିଁ କବିତାର ସତ୍ୟ । କବି କୀଟ୍‌ସଙ୍କ ବକ୍ତବ୍ୟ ଏଇ ପରିପ୍ରେକ୍ଷୀରେ ସ୍ୱୀକୃତ –‘’ Beauty is truth, truth beauty…..’’ ସତ୍ୟ ଯେଉଁଠି ଶୃଙ୍ଖଳା ହିଁ ସେଠାରେ ବିଦ୍ୟମାନ -ସୌନ୍ଦର୍ଯ୍ୟସହ ଶୃଙ୍ଖଳାର ଅବସ୍ଥାନ ସର୍ବସମ୍ମତ । କବିତାର ଆତ୍ମିକ ଓ ଆଙ୍ଗିକ ଯେତେବେଳେ ପରସ୍ପରର ସର୍ବାଧିକ ସହାୟକ ହୁଅନ୍ତି, ସେତେବେଳେ ହିଁ ଶୃଙ୍ଖଳା ପ୍ରତିଷ୍ଠିତ ହୋଇଥାଏ । ଚିତ୍ତବୃତ୍ତିଗତ ଗଭୀରତା ଓ ସ୍ୱଚ୍ଛତାସହ ଆଙ୍ଗିକର ଉପଯୁକ୍ତ ପ୍ରୟୋଗ ଶୃଙ୍ଖଳା ପ୍ରତିଷ୍ଠା କରେ । ଏହି ଶୃଙ୍ଖଳା ହିଁ ସୌନ୍ଦର୍ଯ୍ୟର ଜନନୀ । ଉପଲବଧିର ସ୍ୱଚ୍ଛତା ଓ ଗଭୀରତା ସର୍ବୋତ୍ତମ ଆଙ୍ଗିକକୁ ଆକର୍ଷଣ କରିଥାଏ । ଏଠାରେ କବିର ଅନ୍ତର୍ଜଗତର ଉପଲବଧିର ଶାଣିତତା ଓ ସେହି ଉପଲବଧିର ରୂପାୟନ ଦକ୍ଷତାକୁ ‘ଶୃଙ୍ଖଳା ’ରୁପେ ଗ୍ରହଣ କରାଯାଉଛି । ଗଭୀର ଅନୁଭବକୁ ମୂର୍ତ୍ତ କରିବାକୁ ଶବ୍ଦ ଓ ଛନ୍ଦ ଅନାୟାସରେ ଅବତରଣ କରିଥାନ୍ତି-। ଯେଉଁଠି ଅନୁଭବ ଅଗଭୀର ଓ କ୍ଲୁପ୍ତ, ପ୍ରକାଶ ସେଠାରେ ପ୍ରଭାବଶାଳୀ ହୋଇପାରେନାହିଁ । ଫଳରେ ଶୃଙ୍ଖଳା ବ୍ୟାହତ ହୋଇଥାଏ – ସୌନ୍ଦର୍ଯ୍ୟ ରହେ ଅନୁପସ୍ଥିତ । ଗଭୀର ଅନୁଭବର ଆକର୍ଷଣରେ ଶବ୍ଦ ଓ ଛନ୍ଦ ସ୍ୱତଃ ଓହ୍ଲାଇ ଆସିଥାନ୍ତି ଦୃଶ୍ୟଜଗତକୁ । ସୌନ୍ଦର୍ଯ୍ୟ ନିଷ୍ପତ୍ତି ପାଇଁ ଶୃଙ୍ଖଳା ଅନିବାର୍ଯ୍ୟ । ଆତ୍ମିକ ଅନୁଭବ ଓ ପ୍ରଭାବଶାଳୀ ରୂପରଚନାର ମଣିକାଞ୍ଚନ ସଞ୍ଜୋଗ ହିଁ କାବ୍ୟିକ ଶୃଙ୍ଖଳା ରୂପେ ସର୍ବଜନ ବିଦିତ ।

 

ପୃଥିବୀର ଯେ କୌଣସି ବସ୍ତୁ ବା ପରିବେଶ ହଜାର ହଜାର ବର୍ଷ ଧରି କବିତାର ଉପଜୀବ୍ୟ ହେଲେହେଁ ସେଗୁଡ଼ିକ ନୂତନତା ହରାନ୍ତି ନାହିଁ । କାରଣ ସାଧାରଣଭାବେ ସମସ୍ତେ ଜାଣିଥିବା ଘଟଣା କବି ଆମକୁ ଜଣାଇବାକୁ ଯାଏନାହିଁ । ସର୍ବଜନଜ୍ଞାତ ସେ ଘଟଣାର ଯେଉଁପରି ମୂଲ୍ୟାୟନ କବି କରିଥାଏ, ସେହିପ୍ରକାର ମୂଲ୍ୟାୟନ ହିଁ ତା‘ର ଅଭିବ୍ୟକ୍ତି ମଧ୍ୟରେ ପ୍ରକଟିତ ହୋଇଥାଏ । ପ୍ରେମ, ଘୃଣା, ଜୀବନ, ମୃତ୍ୟୁ ଆଦି ଘଟଣାକୁ ସାଧାରଣଭାବେ ଆମେ ଯେପରି ଜାଣୁ; କବି ଠିକ ସେହିପରି କହି ନ ଥାଏ । ପ୍ରେମ, ଘୃଣା, ଜୀବନ, ମୃତ୍ୟୁ ଆଦିର ଯେଉଁ ଚେହେରା କବିର ସଚେତନ ମାନସପଟରେ ଅଙ୍କିତ ହୋଇଥାଏ – ସେହି ଚେହେରାକୁ ସେ ଆମ ସମ୍ମୁଖରେ ଉପସ୍ଥାପିତ କରିଥାଏ । ଆମେ ସବୁ ଯାହା ଦେଖି ନ ଥାଉ, ଅନୁଭବ କରି ନ ଥାଉ, କବି ସେ ସବୁକୁ ପ୍ରତ୍ୟକ୍ଷୀଭୂତ କରାଇ ଆମ ଅଭିଜ୍ଞତାର ପରିସରକୁ ପ୍ରଶସ୍ତ କରେ । ପୁରାଣଯୁଗରୁ ବିଦ୍ୟମାନ ସେହି ସକଳବସ୍ତୁ ପରିବେଶ, ଘଟଣା ଚରିତ୍ର ବା ଅବେଗକୁ ସୁବ୍ୟକ୍ତିବାଦିତାରେ ସେ ରୂପାନ୍ତରିତ କରିଥାଏ – ସେହି ରୂପାନ୍ତରକୁ ଆମେ ଦେଖୁ ।

 

ବାସ୍ତବ ଓ ଆଦର୍ଶ

ସଂସାରର ସକଳ ଧକ୍କା, ପ୍ରତାରଣା, ଦୁଃଖ ଓ ହାହାକାର ଭିତରେ କବି ତଥାପି ଜୀବନ ସହ ବୁଝାମଣାର ସୁତ୍ର ଖୋଜଥାଏ । ଅସୁନ୍ଦରକୁ ସ୍ୱ ଆତ୍ମାର ରଙ୍ଗରେ ଅନୁରଞ୍ଜିତ କରିବାର ପ୍ରୟାସ ରଖେ ଏବଂ ହିଂସ୍ର, କୁତ୍ସିତ ପଶୁକୁ ଶୃଙ୍ଖଳିତ ଓ ଆୟତ୍ତାଧୀନ କରିବାର ସ୍ୱପ୍ନ ଦେଖେ । ଏହି ସ୍ୱପ୍ନ ଭଙ୍ଗୁର ହୋଇପାରେ –ତଥାପି କବିର ଜଗତ, ସ୍ୱପ୍ନର ଜଗତ । ସ୍ୱପ୍ନର ଜଗତ ବୋଲି ସେ ବାସ୍ତବଜଗତ ସହ ତାର କୌଣସି ଯୋଗାଯୋଗ ନାହିଁ – ଏହା ବୁଝିବା ଭୁଲ ହେବ । ବାସ୍ତବ ଜଗତ କବିର ଅଭିଜ୍ଞତାର ଜଗତ- ସ୍ୱପ୍ନର ଜଗତ ତାର ଅଭିଜ୍ଞତାରୁ ଉଦ୍ଭୂତ ସୃକ୍ଷ୍ମ ଏକ ଅନୁଭବର ଜଗତ । ଏହି ସ୍ୱପ୍ନର ଜଗତ ବାସ୍ତବ ଜଗତର ପରିପୂରକ – କବିର କାମ୍ୟ, କବିର ଆଦର୍ଶ ଜଗତ-। ମାତ୍ର ବାସ୍ତବ ଜଗତର ଅପୂର୍ଣ୍ଣତାର ପୃଷ୍ଠଭୂମିରେ ପରିପୁର୍ଣ୍ଣତାର ସମ୍ଭାବନା ଧରି ସ୍ୱପ୍ନର ଜଗତ ଗଢ଼ି ଉଠେ । ଏହି ଜଗତ ମାନବ ମାତ୍ରର ଇପ୍‌ସିତ, ଆନନ୍ଦଦାୟୀ । ସାମ୍ପ୍ରତିକ କାଳର ମନୁଷ୍ୟ ସ୍ୱପ୍ନଭଙ୍ଗ, ଅବିଶ୍ୱାସ, ସନ୍ଦେହ ଓ ଅଶାନ୍ତିରେ ଘାରି ହେଉଛି- ଆକଣ୍ଠ ବୁଡ଼ିରହିଛି ପ୍ରାୟ । ଅଥଚ ମଣିଷ ଜୀବନର ଲକ୍ଷ ହେଉଛି ବିଶ୍ୱାସ, ପ୍ରେମ ଓ ଶାନ୍ତି ମଧ୍ୟରେ ବଞ୍ଚିରହିବା । ପ୍ରତିମୁହୂର୍ତ୍ତରେ ମଣିଷ ତାର ମୌଳିକ ଆବେଗଠାରୁ ବଞ୍ଚିତ ହେଉଛି – ମୌଳିକ ଅଭିପ୍‌ସାଠାରୁ ଦୂରବର୍ତ୍ତୀ ହେଉଛି-। ତେଣୁ ତା’ର ଚିର ଇପ୍‌ସିତ ଧନଲାଗି ସେ ବ୍ୟାକୁଳ, ଛଟପଟ ହେଉଛି । ବିଶ୍ୱାସ, ପ୍ରେମ ଓ ଶାନ୍ତି ଦ୍ୱାରା ଗଠିତ ଏକ ବରଣୀୟ ଜଗତରେ ବାସ କରିବା ନିମିତ୍ତ କାମନା କରୁଛି । ସଚେତନ ବ୍ୟକ୍ତିଟିଏ ଭାବରେ କବିର ଏହି କାମନା ଅତୀବ ତୀବ୍ର । ବାସ୍ତବରେ ଯାହା ତା ପାଇଁ ଦୁର୍ଲ୍ଲଭ, ସ୍ୱପ୍ନର ଜଗତ ସେହି ଦୁର୍ଲ୍ଲଭ ଧନରେ ପରିପୂର୍ଣ୍ଣ । ଅସୌନ୍ଦର୍ଯ୍ୟର ନିୟତ କୋଳାହଳ ଭିତରେ କବିର ଦୃଷ୍ଟି ସୌନ୍ଦର୍ଯ୍ୟ ସନ୍ଧାନରେ ବ୍ୟାପୃତ ଯେଉଁ ବାସ୍ତବ ସୌନ୍ଦର୍ଯ୍ୟ ସେ ପ୍ରତ୍ୟକ୍ଷ କରୁଛି, ପୁଣି ଯେଉଁ ସୌନ୍ଦର୍ଯ୍ୟ ବାସ୍ତବ ହେବାକୁ ଉଦ୍ୟମରତ – ଏହି ଦୁଇପ୍ରକାର ସୌନ୍ଦର୍ଯ୍ୟର ଉପାସନାରେ ତା’ର କବି ଜୀବନ ଅନୁବ୍ରତୀ ହୋଇଛି ।

 

ସୌନ୍ଦର୍ଯ୍ୟ ଓ ସମ୍ମୋହନ

ସୌନ୍ଦର୍ଯ୍ୟମାତ୍ରେ ଆନନ୍ଦଦାୟୀ । ଆନନ୍ଦ ଏଠାରେ କାବ୍ୟାନନ୍ଦ, ରସାସ୍ୱାଦନଜନିତ ଅଭିଭୂତ ଭାବ ବା ଆହ୍ଲାଦ ଅର୍ଥରେ ଗ୍ରହଣ କରାଯାଉଛି । କିନ୍ତୁ କବିତା କ’ଣ କେବଳ ସୌନ୍ଦର୍ଯ୍ୟର ଉପାସନା କରେ ? ନନ୍ଦନବନର ଶୋଭା କେବଳ ଆଙ୍କି ବସେ ? ନର୍କର ଭୟାବହତାକୁ ରୂପଦେବା କ ଣ ତାର କବିକର୍ମର ବହୁର୍ଭୂତ ? ନର୍କର ବର୍ଣ୍ଣନା କେବଳ କୁତ୍ସିତ, ବୀଭତ୍ସ ବା ଭୟଙ୍କର ହେବ, ସୁନ୍ଦର ହୋଇପାରିବ ନାହିଁ – ଏହା ଏକପ୍ରକାର ଯୁକ୍ତି ହୋଇପାରେ । କିନ୍ତୁ ଘଟଣା ବା ଦୃଶ୍ୟକୁ ଯଥାର୍ଥ ଭାବେ ଅଙ୍କନ କରି ବାସ୍ତବ ରୂପେ ପ୍ରତୀତ କରାଇବା କବିତାର ପ୍ରକୃତ ସୌନ୍ଦର୍ଯ୍ୟ । କବିତାରେ ନନ୍ଦନତତ୍ତ୍ୱ ଅର୍ଥ କେବଳ କାବ୍ୟ ବର୍ଣ୍ଣିତ ସୌନ୍ଦର୍ଯ୍ୟ ଚିତ୍ର ନୁହେଁ । ନନ୍ଦନତତ୍ତ୍ୱ କବିତାର ସମ୍ମୋହନ ଶକ୍ତିକୁ ସୂଚିତ କରେ । ଏହି ଶକ୍ତି ବକ୍ତବ୍ୟକୁ କବିତା ପଦବାଚ୍ୟ କରିଥାଏ । ବକ୍ତବ୍ୟକୁ ଅସାଧାରଣତ୍ୱ ପ୍ରଦାନ କରିଥାଏ । ତେଣୁ କବିତାର ସୌନ୍ଦର୍ଯ୍ୟ ହିଁ ତାର ସମ୍ମୋହନ ଶକ୍ତି-। କବିତା ନାରୀର ରୂପଶୋଭା ଆଙ୍କିପାରେ, ଚିହ୍ନିପାରେ ପ୍ରକୃତିର ସାଂୟକାଳୀନ ବର୍ଣ୍ଣୋତ୍ସବ, ପ୍ରସ୍ତୁତ ବି କରିପାରେ ନର୍କର ଭୟଙ୍କର ପରିବେଶ, ଅନ୍ଧକାରର ଅତଳ ଗହ୍ୱରକୁ ମଧ୍ୟ ପ୍ରତ୍ୟକ୍ଷୀଭୂତ କରାଇପାରେ । ତେଣୁ ସାର୍ଥକ ସର୍ଜନା ହିଁ ସୁନ୍ଦର । ସୌନ୍ଦର୍ଯ୍ୟ ଯେ କେବଳ ବେପଥୂ ସୃଷ୍ଟି କରିବାକୁ ସମର୍ଥ ହୁଏ ତାହା ନୁହେଁ, ଦୁଃଖପୂର୍ଣ୍ଣ, ବିୟୋଗାନ୍ତକ କବିତା ମଧ୍ୟ ଶରୀରକୁ ରୋମାଂଚିତ କରେ–ହୃଦୟରେ ଭରିଦିଏ ରସମୟ ଆହ୍ଲାଦ । କବିତାର ଯେଉଁ ଗୁଣ ପାଠକକୁ ବିମୋହିତ ବା ବିଚଳିତ (affected) କରେ ବା ପାଠକର ଉପଲବ୍‍ଧିର ସକଳ ଦ୍ୱାରକୁ ଖୋଲିଦିଏ – ଶବ୍ଦଗଠିତ ଏକ ରୂପକୁ ଇନ୍ଦ୍ରିୟଗ୍ରାହ୍ୟ କରାଏ- ସେହି ଗୁଣ ହିଁ କବିତାର ସୌନ୍ଦର୍ଯ୍ୟ । ତେଣୁ ଯଥାର୍ଥରେ ନୟନାଭିରାମ ରୂପର ଅଙ୍କନ କେବଳ ସୁନ୍ଦର ହୋଇ ନ ପାରେ । ବୀଭତ୍ସତାର ଅଙ୍କନରେ ଯେତେବେଳେ ବୋଧଶୀଳ ପାଠକ ବୀଭତ୍ସ ଅନୁଭବରେ ଥରିଉଠେ, ଶିହରି ଉଠେ, ସେତେବେଳେ ହିଁ ବୀଭତ୍ସରସ ଆସ୍ୱାଦିତ ହୁଏ ଓ ବୀଭତ୍ସରସାଶ୍ରୟୀ କବିତାର ତାହା ହିଁ ଯଥାର୍ଥ ସୌନ୍ଦର୍ଯ୍ୟ । ଅନୁଭବକୁ ସକ୍ରିୟ ଓ ପରିପୃକ୍ତ କରିବା କବିତାର ସମ୍ମୋହନ ଶକ୍ତିର କର୍ମ । କବି କାଳାନୁଗତ ଦୁଃଖ, ଦୁଃସ୍ଥିତିର ଚିତ୍ର ଆଙ୍କୁ ବା କାଳାତିକ୍ରମ୍ୟ ଅଭିପ୍‌ସାକୁ ସାକାର କରୁ ଉଭୟ କ୍ଷେତ୍ରରେ ଏହି କବିତାତ୍ୱ ହିଁ କବିତାର ସାର୍ଥକତା, କବିତାର ସୌନ୍ଦର୍ଯ୍ୟ । କବିତାର ସୌନ୍ଦର୍ଯ୍ୟଦୃଷ୍ଟି ଯଥାର୍ଥରେ କବିତାର ରସ ସଂଚାର ଯୋଗ୍ୟତାକୁ ବୁଝାଏ । ମୁତ୍ୟୁ ବା ଭୟଙ୍କର ପରିବେଶର ସାର୍ଥକ ଚିତ୍ରଣକୁ ବିଶ୍ଲେଷଣ କରାଯାଉ । ଭୟଙ୍କର ଓ ନୈରାଶ୍ୟଜନକ, ମୃତ୍ୟୁ କବଳିତ ଏକ ପରିବେଶର ସଫଳଚିତ୍ର କବି ରମାକାନ୍ତଙ୍କ ଅଙ୍କନରେ – ‘‘ଅନ୍ଧାର ବଖରାଟିଏ, ଦର୍ଜ୍ଜା ନାହିଁ ତାର/ତା’ ଭିତର ଭୀଷଣ କାକର/ସେ ବଖରା ଦେଖାଯାଏ ମୋର ଆତ୍ମା ପରି/କିମ୍ବା ଆତ୍ମହତ୍ୟା ପରି, ସେ ବଖରା ଗଛଟିଏ ତା’ର/ଡ଼ାଳ ଭାଙ୍ଗି ଯାଏ କଳା ଡାଳିମ୍ବ ଭାରରେ/ସେ ଡାଳିମ୍ବ ତୋଳିବାକୁ ହାତ ଲମ୍ବି ଯାଏ/ମରିଯାଇଥିବା ଛୋଟ ଛୁଆମାନଙ୍କର’’ (ସଚିତ୍ର ଅନ୍ଧାର ପୃ-୧୩୯) ଏହା କେବଳ ଏକ ପରିତ୍ୟକ୍ତ, ଅଶୁଭ ବଖରା ନୁହେଁ, କବିଙ୍କ ଆତ୍ମାର ଚେହେରା ସହ ଏହି ବଖରାର ସାଦୃଶ୍ୟ ରହିଛି । ଏହି ପରିବେଶରୁ ଭୟାବହତା ଓ ନୈରାଶ୍ୟ ତୀବ୍ର ବେଗରେ ବିଚ୍ଛୁରିତ ହୋଇପଡ଼ୁଛି ଯେତେବେଳେ ମୃତ ଶିଶୁଙ୍କ ହାତ କଳା ଡାଳିମ୍ବ ତୋଳିବାକୁ ନଇଁ ଆସୁଛି । ବିଫଳତାର ଏପରି ରୋମହର୍ଷକ ଚିତ୍ରରେ ପାଠକ ଶିହରିତ, ବିଚଳିତ ହୋଇପଡ଼ିବା ଅନିବାର୍ଯ୍ୟ । ତେଣୁ ଏହି ରସସଂଚାରୀ କବିତାଂଶଟି ସୌନ୍ଦର୍ଯ୍ୟର ଝଲକଟିଏ ନ ହେବ କାହିଁକି ? ଯଦୁବଂଶ ଧ୍ୱଂସ ସୂଚକ ସେହି ଭୟାନକ ଅଭିଶାପର ସ୍ୱରୁପ କବି ସୀତାକାନ୍ତ ଚିତ୍ରଣ କରନ୍ତି- ‘‘ଚମକି ଚାହିଁଲେ ଋଷି, ଅଗ୍ନିଶର୍ମା ହଠାତ୍‌ ପଡ଼ିଲା ବଜ୍ର, ଥରିଗଲା ଆକାଶ ମେଦିନୀ/ନୀଳ ଆକାଶ ଓ ମେଘ ସବୁଗଲା ଅଚାନକ ଜଳି/ଖେଳ, ସ୍ମିତ, ସ୍ୱପ୍ନ ସବୁ ଅବଘାତେ ମରିଗଲା/ ଆକାଶେ ଉଠିଲା ଜଳି ଅଗ୍ନିର କୁଣ୍ଡଳୀ/ ତରବାରୀ ଝଲସିଲା, ଭୁମିକମ୍ପେ ସାଗର ଫାଟିଲା/କଟାମୁଣ୍ଡ ସୁଅ ଛୁଟେ ଗାଆଁ ଦାଣ୍ଡେ – ବ୍ୟବକୃତ ପଇଡ଼ର ପରି’’ (ସ୍ତନନ୍ଧୟର ଉପକଥା) ଏହି ଅଭିଶାପରେ ଏକ ପ୍ରଖ୍ୟାତ ରାଜବଂଶ ଧ୍ୱଂସ ହେବ –ୟେ ଅଭିଶାପ ଏକ ଅଦ୍ଭୁତ ଅଗ୍ନି ପରି ଆକାଶକୁ, ମେଘକୁ ଜାଳିଦେଉଛି – ସମୁଦ୍ର କି ଫାଟିଯାଉଛି ଭୂ-କମ୍ପରେ । ବ୍ୟବହୃତ ହୋଇ-ସାରିଥିବା ପଇଡ଼ ଗଡ଼ିଲା ପରି କଟାମୁଣ୍ଡ ଗଡ଼ୁଛି । ଦୃଷ୍ଟି ସମକ୍ଷରେ ଅଭିଶାପର ଏକ ସୂଚନାତ୍ମକ ଚିତ୍ର ଆଙ୍କି ଦେଉଥିବା ଏହି ଅଙ୍କନଟି ଅତୀବ ସୁନ୍ଦର ଓ ସାଥକ ନୁହେଁ କି ? ଏହାକୁ ସୌନ୍ଦର୍ଯ୍ୟ ବ୍ୟତୀତ ଆଉ କ ଣ ବୋଲି ଅଭିହିତ କରାଯିବ ? ଦକ୍ଷିଣ ଆଫ୍ରିକାର ଦଳିତ ଜନତାର ସ୍ୱାଧୀକାର ନିମିତ୍ତ ସ୍ୱରୋତ୍ତୋଳନ କରିଥିବା କବି ବେଞ୍ଜାମିନ୍‌ମୋଲେସ୍‌ଙ୍କ ପାଇଁ ରଚିତ ନିମ୍ନୋକ୍ତ ପଂକ୍ତିଗୁଡ଼ିକରେ ନିଷ୍ଠୁରତା, ହିଂସ୍ରତା ଓ ବୀଭତ୍ସତାର ଭୟାବହ ଚିତ୍ରକୁ ନିରୀକ୍ଷଣ କରାଯାଉ – ‘‘କଳା କଳା ମାଟିର ଗାଲରେ ଅବାଞ୍ଛିତ ଧଳାଛଉ/କଳାଭଅଁର ପାଣି ଉପରେ ଧଳା ଧଳା ବିଷ/ମୃତ୍ୟୁର ସଫେଦ ଦାନ୍ତରେ ଚପ୍‌ ଚପ୍‌ ରକ୍ତ/ଜହ୍ଲାଦ ହାତରେ କଟାମୁଣ୍ଡ କବିର’’ (କବିର କଟାମୁଣ୍ଡରେ ଜଳୁଛି ସୂର୍ଯ୍ୟ –କବି ଆଶୁତୋଷ ପରିଡ଼ା) ନିଷ୍ଠୁରତା ଓ ହିଂସ୍ରତାକୁ ସୀକାର କରୁଥିବା ଏହି ପଂକ୍ତିଗୁଡ଼ିକ ସାର୍ଥକ ସୁନ୍ଦର ହୋଇପାରିଛନ୍ତି ।

 

ସୌନ୍ଦର୍ଯ୍ୟ ଓ କବି କୌଶଳ :

କବିତାର ଏହି ସମ୍ମୋହନ କବିର ଶୈଲ୍ପିକଚାତୁରୀ ଉପରେ ଅନେକାଂଶରେ ନିର୍ଭରଶୀଳ-। କବିତାର ଅଭିବ୍ୟକ୍ତି ପ୍ରେମ, ମୃତ୍ୟୁ, ସାମାଜିକ ପ୍ରତିବଦ୍ଧତା ଯାହାହେଉନା କାହିଁକି ଏହି ସମ୍ମୋହନ ଶକ୍ତିରହିତ ହେଲେ କବିତା ତାର କଳାତ୍ମକ ମୂଲ୍ୟ ହରାଇବସେ । ଶବ୍ଦ ଓ ଛନ୍ଦକୁ କବି ନିର୍ଦ୍ଦିଷ୍ଟ ଲକ୍ଷ୍ୟନେଇ ବ୍ୟବହାର କରେ । ସ୍ୱର୍ଗ, ନର୍କ, ସୁଗନ୍ଧଯୁକ୍ତ ପୁଷ୍ପ କୁତ୍ସିତ ମୃତ ଶରୀର – ଏ ସବୁର ଯଥାର୍ଥ ରୂପ ଦେବାକୁ ଯାଇ କବି ତଦନୁରୂପ ଶବ୍ଦ ଓ ଛନ୍ଦ ବ୍ୟବହାର କରିଥାଏ । ସାଂପ୍ରତିକ କାଳର କବି ଅନେକ ବୈପ୍ଲବିକ ଧାରାକୁ ରୂପାୟିତ କରେ । କବିତାରେ ଶବ୍ଦକୁ ଅର୍ଥମୟତା ପ୍ରଦାନ କରି ସ୍ୱ-କବିକୌଶଳ ପ୍ରକଟିତ କରିବାରେ ସେ ଉଦ୍ୟମରତ । ପ୍ରତୀକ ସଂଯୋଜନା (ଗୋଟିଏ ବସ୍ତୁ ବା ଭାବ ମଧ୍ୟରେ ଅନ୍ୟ ଏକ ବସ୍ତୁ ବା ଭାବକୁ ଉପସ୍ଥାପନ କରିବା), ରୂପକାତ୍ମକ ଚିତ୍ରର ଅଙ୍କନ (ରୂପ ବା ଭାବଗତ ଚମତ୍କାରିତା ସଂଯୋଗରେ ଏକ ଇନ୍ଦ୍ରିୟସଂବେଦ୍ୟ ରୂପ ସୃଜିବା), ପରୋକ୍ଷ ବକ୍ତବ୍ୟର ସଂଯୋଜନା ଓ ଜାଗତିକ ଜୀବନର ଦୃଶ୍ୟ, ଘଟଣାଠାରୁ ସ୍ୱପ୍ନ ଉପାଦାନକୁ ଅଧିକ ଗୁରୁତ୍ୱ ଦେବା (ବାସ୍ତବର ଅସାମଞ୍ଜସ୍ୟକୁ ଆପେକ୍ଷ କରି ସ୍ୱପ୍ନ ମାଧ୍ୟମରେ ଇପସିତ ବାସ୍ତବତାର ସୂଚନାଦେବା) ଆଜିର କବିତାର କଳାଗତ ଧର୍ମ । ଭାଷା ଏଠାରେ ଆଶ୍ଚର୍ଯ୍ୟଜନକ ଭାବେ ଗୁରୁତ୍ୱପୁର୍ଣ୍ଣ, ଶବ୍ଦ ଏଠାରେ ଅସାଧାରଣ ଅର୍ଥମୟ । କବି ମାତ୍ରେ ଶବ୍ଦର ଅନ୍ତହୀନ ଶକ୍ତିକୁ ଅନୁଭବ କରିଥାନ୍ତି । କବିତାରେ ଶବ୍ଦ ତା’ର ଆକ୍ଷରିକ ଅର୍ଥ ପ୍ରକଟନ ପରେ ନୀରବ ରହିଯାଏନାହିଁ-। ତାହା ଆକ୍ଷରିକ ଅର୍ଥଠାରୁ ଅଧିକ କିଛି ପ୍ରକଟ କରିଥାଏ । ରସବୋଧ ସମ୍ପନ୍ନ ବି‌ଦ୍ୱାନମାନଙ୍କୁ ଶବ୍ଦର ବ୍ୟଞ୍ଜନାର୍ଥ ବହୁ ଅର୍ଥ ପ୍ରତୀତ କରାଇପାରେ । ଶବ୍ଦର ବ୍ୟଞ୍ଜନା ଶକ୍ତି ଏକ ସମୟରେ ରସଗ୍ରାହୀ ପାଠକର ବିବିଧ ଅନୁଭୂତିର ଦ୍ୱାର ଉନ୍ମୋଚିତ କରିଥାଏ । ସୁପ୍ରଯୁକ୍ତ ଶବ୍ଦର ଶକ୍ତି ବିଷୟରେ ସୂଚନା ଦେବାକୁ ଯାଇ ବୈଦିକ ଋଷି ସେଦିନ ଘୋଷଣା କରିଥିଲେ- ‘’ ଏକଃ ଶବ୍ଦଃ ସୁପ୍ରଯୁକ୍ତ ସ୍ୱର୍ଗେଲୋକେର କାମଧୁଗ୍‍ ଭବତି । ‘‘ଅର୍ଥମୟ ଏକ ଶବ୍ଦ ସୁପ୍ରଯୁକ୍ତ ହୋଇପାରିଲେ ଇହଲୋକରେ ତ ଫଳଦାୟୀ ହୋଇଥାଏ, ପରଲୋକରେ ମଧ୍ୟ ମଙ୍ଗଳ ସାଧନ କରିଥାଏ । ଦୃଶ୍ୟ ରୂପ ଓ ଅଦୃଶ୍ୟ ରୂପ -ଏହି ଉଭୟବିଧ ରୂପର ବର୍ଣ୍ଣନା ସେହି ସାଧା ଶବ୍ଦ ମାଧ୍ୟମରେ ହୋଇଥାଏ, ଯେଉଁ ଶବ୍ଦର ଆକ୍ଷରିକ ଅର୍ଥ ସହ ଆମେ ପରିଚିତ । ସୁତରାଂ ସାଧାରଣ ଭାଷା ମଧ୍ୟଦେଇ ଅସାଧାରଣ ଭାବ ଅଭିବ୍ୟକ୍ତି ହୋଇଥାଏ । ଏହି ଅସାଧାରଣ ଅଭିବ୍ୟକ୍ତି ଶବ୍ଦର ବ୍ୟଞ୍ଜନାଧର୍ମ ଉପରେ ନିର୍ଭରଶୀଳ । ବ୍ୟଞ୍ଜନାଧର୍ମି ହିଁ ଭାଷାକୁ ରସଯୁକ୍ତ କରି କାବ୍ୟୋପଯୋଗୀ କରାଏ । କବିତାକୁ ସମ୍ମୋହନ ଶକ୍ତି ପ୍ରଦାନ କରେ ।

 

ସଫଳ କବିତାରେ ଶବ୍ଦର ଗୁରୁତ୍ୱ ସାଧାରଣ ଅର୍ଥରେ ବିଲୁପ୍ତ ହୋଇଯାଏ । ପ୍ରତିଟି ଶବ୍ଦ ନିଜ ନିଜର ସ୍ୱତନ୍ତ୍ର ସତ୍ତା ହରାଇ ବିଶେଷ ଭାବେ ଅର୍ଥମୟ ହୋଇଉଠିଥାନ୍ତି ଏବଂ ସମ୍ମିଳିତଭାବେ ଚିତ୍ରଟିଏ ତୋଳିଧରନ୍ତି । ଯେପରି ମାଟିରୁ ତିଆରି ଫୁଲଦାନୀରେ ମାଟି ଆଉ ମୁଖ୍ୟ ହୋଇ ନ ଥାଏ – ମାଟିରଅନ୍ୟ ଏକ ରୂପ ପ୍ରତିଭାତ ହୁଏ । ମାଟି, ଫୁଲଦାନୀର ଆକାର, ରଙ୍ଗ ଓ ଚିତ୍ର ଅଭିନ୍ନ ଏକତ୍ୱ ଲାଭ କରିଥାନ୍ତି । ସେହିପରି ଶବ୍ଦ, ଛନ୍ଦ, ପ୍ରତୀକ ଓ ରୂପକ, ଚିତ୍ରକଳ୍ପ କବିତାଟିର ଉପାଦାନ ହେଲେହେଁ କବିତାର ସାମଗ୍ରିକ ରସାନୁଭୂତି ମଧ୍ୟରେ ଏଗୁଡ଼ିକ ନିଜ ନିଜର ସ୍ୱତନ୍ତ୍ର ଅସ୍ତିତ୍ୱ ବିସର୍ଜି ଦେଇଥାନ୍ତି । ଗୋଟିଏ ରୂପକୁ ବା ଭାବକୁ ସମ୍ପୂର୍ଣ୍ଣ କରିବାର ପ୍ରଚେଷ୍ଟାରେ ହିଁ ସେମାନଙ୍କର ସାର୍ଥକତା ଏବଂ ଏହି ସାର୍ଥକତା କବିତାର ସୁନ୍ଦର ପଣ ବୋଲି ବୁଝିବାକୁ ହେବ ।

 

ଏହି ପ୍ରରିପ୍ରେକ୍ଷୀରେ ସାଂପ୍ରତିକ ଓଡ଼ିଆ କବିତାରେ ପ୍ରକଟିତ ରାଶି ରାଶି ଆକର୍ଷଣୀୟ, ତୀବ୍ର ରସାନୁଭୂତିରୁ ଅଳ୍ପ କେତୋଟିକୁ ବିଶ୍ଲେଷଣ କରାଯାଉ । ଏକ ଅଜଣା ମୁଲକର ପ୍ରଲୋଭନରେ, ଏକ ଅଶ୍ରୂତ ଡାକର ଆଦେଶରେ ଅନ୍ତରାତ୍ମା ଛଟପଟ ହେଉଛି । ସେହି ଡାକର ଚିରନ୍ତନତା, କାରୁଣ୍ୟ ଓ ନିଃସଙ୍ଗତାକୁ ବୁଝାଇବା ନିମିତ୍ତ କବି ନିମ୍ନୋକ୍ତ ପଂକ୍ତିମାଳାରେ ରୂପ ଚିତ୍ରଟିଏ ତୋଳି ଧରିଲେ-‘‘ଡେଙ୍ଗା ଝାଉଁଗଛ ଡାଳଙ୍କ ସନ୍ଧିରେ/ତାରାଟିଏ ଦପ୍‌ଦପ୍‌ କରୁଥିବା ମୁହୂର୍ତ୍ତରେ / ଜଣାଯାଏ କିଏ/ବାରମ୍ବାର ମତେ ଡାକେ’’ (ସଚିତ୍ର ଅନ୍ଧାର –ରମାକାନ୍ତ ରଥ) । ହୃଦୟର ନିଘଞ୍ଚ ପୁଲକ ଓ ଅଶରୀରୀ ଅନୁଭବକୁ ଶବ୍ଦ ମାଧ୍ୟମରେ ଗଢ଼ି ଥୋଇବା କବିର ବାହାଦୁରୀ । ସେହି ସଂରଚନା ଭାବ ଉଦବୋଧନ ହେଲେ ହେଁ ସୌନ୍ଦର୍ଯ୍ୟ ପ୍ରକଟିତ ହୋଇ ପ୍ରସରିଯାଏ । କବି ସୌଭାଗ୍ୟଙ୍କ କବିତାରେ ଦୁଷ୍ମନ୍ତଙ୍କ ଦ୍ୱାରା ଅସ୍ୱୀକୃତା, ଆପଣା ଦୁଃଖ, ଗ୍ଲାନିରେ ଜର୍ଜରତା ପ୍ରଣୟିନୀ ଶକୁନ୍ତଳାଙ୍କ ପ୍ରେମର ପରାକାଷ୍ଟା ପରିପ୍ରକାଶ ଲାଭ କରିଛି – ‘‘କ୍ଲାନ୍ତଶ୍ରାନ୍ତ ପାରିଧିରୁ ସେ ଫେରୁଥିବେ, ମୁହଁ ଧୋଇଁବେ ଝରଣାରେ/ମୁଁ ଗୋଟେ ଝରଣା ପରି ବୋହି ଯାଉଥାଏ/ତାଙ୍କ ବିବର୍ଣ୍ଣ ସ୍ମୃତିର ଅନ୍ଧାର ଭିତରେ/ମୁଁ ତାଙ୍କ ମନଲାଖି ଗୀତଟିଏ ଗାଉଥିଲି/କେବେ ବି ଟାଣୁ ନ ଥିଲି ଦେଖିବାକୁ ଟିକିଏ ଚୋରା ସୁର୍ଯ୍ୟାଲୋକର କୋଳରେ ଝୁଲି କେମିତି /ବିନ୍ଦୁଏ ଲୁହ ମୋର ଚକ୍‌ଚକ୍‌ କରୁଚି ଗୋପନରେ’’ (ଶକୁନ୍ତଳା) ।

 

ଉପରୋକ୍ତ ସୁନ୍ଦର ଚିତ୍ର ଗୁଡ଼ିକରେ ଶବ୍ଦ ଓ ଛନ୍ଦ ପରସ୍ପରର ନିକଟତମ ସାହଚର୍ଯ୍ୟ ଲାଭ କରିଛନ୍ତି ଓ ପ୍ରତ୍ୟେକ ଶବ୍ଦ ସୁପ୍ରଯୁକ୍ତ ହୋଇ ଏକ ସାମଗ୍ରିକ ରସାନୁଭୂତିରେ ସହାୟକ ହୋଇ ପାରିଛନ୍ତି । ସୌନ୍ଦର୍ଯ୍ୟାନୁଭୂତି ହଁ ରସାନୁଭୁତିର ଅନ୍ୟ ନାମ । କାବ୍ୟପଠନ ମାତ୍ରେ କାବ୍ୟର ଯେଉଁ ଯୋଗ୍ୟତା ପାଠକକୁ କ୍ଷଣକ ପାଇଁ ହେଲେ ବି ଏକ ଚମକପ୍ରଦ, ନୂତନ ଅନୁଭବରେ ରସାଣିତ କରେ, ଉପସ୍ଥିତ ପରିବେଶରୁ ଆକର୍ଷିତ କରିନେଇ ଏକ ଅଙ୍କିତ ପରିବେଶରେ ଅଭିଷିକ୍ତ କରିଦେଇ ପାରେ, ତାହା ହିଁ କାବ୍ୟର ସୌନ୍ଦର୍ଯ୍ୟ ରୂପେ ସ୍ୱୀକୃତ ହୋଇଥାଏ । ନୟନମନଲୋଭା, ହୃଦୟୋଲ୍ଲାସକାରିଣୀ ଅପ୍‌ସରା ହେଉ ବା ଭୟଙ୍କର ଜ୍ୱଳମାନ ନର୍କ ହେଉ – କବିତାରେ ଏ ଉଭୟର ସାର୍ଥକ ବର୍ଣ୍ଣନା ହିଁ ସୌନ୍ଦର୍ଯ୍ୟ ବା ସମ୍ମୋହନ ରୂପେ ସର୍ବଜନବିଦିତ । ଏହି ସମ୍ମୋହନ କବିର ଅଭିବ୍ୟକ୍ତିକୁ କବିତା ପଯ୍ୟାୟକୁ ଉନ୍ନୀତ କରିଥାଏ ।

 

ସି.୩୦, ବାଣୀ ବିହାର

ଭୁବନେଶ୍ୱର – ୪

***

 

‘ଷୋଳପାଲା’ : ଏକ ଲୋକ-ସାଂସ୍କୃତିକ ବିବେଚନ

ଡକ୍ଟର ମନୀନ୍ଦ୍ର ମହାନ୍ତି

 

କଥିତ ଅଛି ଯେ ‘ଲୋକ ସଂସ୍କୃତି’ ହଁ ସଂସ୍କୃତି ର ଜନ୍ମଦାତ୍ରୀ । (Folk culture is the mother of culture) ଏହାର ତାତ୍ପର୍ଯ୍ୟ ‘ଲୋକ ସଂସ୍କୃତି’ ମଣିଷ ଜୀବନ ସହିତ ଯେପରି ଓତପ୍ରୋତଃ ଭାବରେ ଜଡ଼ିତ, ଅନ୍ୟ କିଛି ଯେପରି ଜଡ଼ିତ ହୋଇ ନ ପାରେ । ଏଥିରେ ଲୋକମାନଙ୍କର ଚଲଣି, ପ୍ରଥା, ଦୃଷ୍ଟିକୋଣ, ବିଚାରଧାରା, ଅଭ୍ୟାସ, ନୀତିନିୟମ, ମନୋଭାବ, ବ୍ୟବହାର ଓ ବିଶ୍ୱାସ ପ୍ରଭୁତି ପ୍ରତିଫଳିତ ହୋଇଥାଏ । ଅର୍ଥାତ୍‌ ସାଧାରଣ ଲୋକଜୀବନ ସହିତ ଏହା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ତେଣୁ ଲୋକଜୀବନର ପ୍ରାଣ-ସ୍ପନ୍ଦନ ଏଥିରେ ପ୍ରକାଶ ପାଇଥାଏ-। ଏହିପରି ଏକ ଲୋକ ସଂସ୍କୃତିର ସ୍ୱରୂପ ଲୁଚି ରହିଛି – ‘ଷୋଳପାଲା’ରେ ।

 

ଓଡ଼ିଶାର ‘ଲୋକ ସଂସ୍କୃତି’ରେ ଏହି ‘ପାଲା’ ବା ‘ଷୋଳପାଲା’ର ଭୁମିକା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ-। ଏଥିରେ ଓଡ଼ିଶାର ଲୋକ ସାଂସ୍କୃତିକ ଉପାଦାନର ସ୍ୱରୁପ ପ୍ରସଙ୍ଗରେ ଏଠାରେ ଚର୍ଚ୍ଚିତ ବିଷୟ ।

 

ପାଲା :

ସତ୍ୟନାରାୟଣ ବା ସତ୍ୟପୀର ହେଉଛନ୍ତି – ଷୋଳପାଲାର ଆରାଧ୍ୟ ଦେବତା । ‘ସତ୍ୟ’ ହିନ୍ଦୁର ‘ନାରାୟଣ’ ଓ ‘ପୀର’ ଅର୍ଥାତ ପାରସ୍ୟ ଭାଷାରେ ‘ଧର୍ମ ସଂପ୍ରଦାୟର ପ୍ରତିଷ୍ଠାତା’ । ଏହି ସତ୍ୟପୀରଙ୍କର ଗୁଣ କୀର୍ତ୍ତନ କରିବା ପାଇଁ କବିବର୍ଣ୍ଣଙ୍କ ରଚିତ ପଦାବଳୀକୁ ପୁରୋହିତ ଗାନ କରିଥାନ୍ତି । ସେ ସତ୍ୟପୀରଙ୍କ ରୂପ ବର୍ଣ୍ଣନା କରିଛନ୍ତି ‘ମର୍ଦ୍ଦଗାଜୀ ଜନ୍ମ ପାଲା’ରେ –‘‘....ଛିଣ୍ଡା କନ୍ଥା ଗୋଦଡ଼ି ପୋକ ଅଙ୍ଗଦେଶେ । କନ୍ଧେ ଝୁଲି ଶିରେ ଟୋପି ହସ୍ତେ ମଣିମାଳ, ..।’’

 

ବଙ୍ଗଳା ଭାଷାରେ ‘ପାଞ୍ଚାଲି’ ଏହି ‘ପାଲା’କୁ ବୁଝାଏ । ଏହାର ଅର୍ଥ-ପାଳି ବା ପର୍ଯ୍ୟାୟ । ଓଡ଼ିଶାରେ ଏହି ‘ପାଲା’ର ଯେଉଁ କଳାପାଟକର ଉତ୍କର୍ଷ ସାଧିତ ହୋଇଛି, ତାହା ବଙ୍ଗଳାରେ ‘ଠିଆପାଲା’ ନାହିଁ । ପୁଣି ବଙ୍ଗଳାରେ ‘ଠିଆପାଲା’ ନାହିଁ ।

 

ସତ୍ୟନାରାୟଣ ପୂଜାରେ ପୁରୋହିତେ ଗାୟକ ସାଜନ୍ତି ଏବଂ ଅନ୍ୟ କେତେଜଣ ସମବେତ ଭକ୍ତ ପାଳି ଧରି ସତ୍ୟନାରାୟଣଙ୍କ ନାମ ସଂକୀର୍ତ୍ତନ କରନ୍ତି । ଅଳ୍ପ ଲୋକରେ ଏହି ସଙ୍ଗୀତାନୁଷ୍ଠାନ ହେଉଥିବାରୁ ଗାୟକ ଆସନରେ ବସି ଗାନ କରିଲେ ମଧ୍ୟ ଅନ୍ୟମାନଙ୍କର ଅସୁବିଧା ହୁଏ ନାହିଁ । ଏହାକୁ ‘ବୈଠକ ପାଲା’ ବା ‘ବୈଠକୀ ପାଲା’ କୁହାଯାଏ ।

 

ପରେ ଯେତେବେଳେ ବହୁ ଲୋକ ସମାଗମ ହେଲା ଏବଂ ଗାୟକ ବସିକରି ବୋଲିଲାବେଳେ ଦୂରରେ ବସିଥିବା ଲୋକମାନେ ତାଙ୍କୁ ଦେଖିପାରିଲେ ନାହିଁ ବା ଶୁଣି ପାରିଲେ ନାହିଁ, ସେତେବେଳେ ସେ ପୁରୋହିତେ ଗାୟକ ଓ ଅନ୍ୟ ପାଲିଆମାନେ ଠିଆ ହେଲେ । ପରେ ପରେ ସେମାନେ ସୁଦୃଶ୍ୟ ପୋଷାକମାନ ପରିଧାନ କଲେ । ଏହିପରି କ୍ରମ ପରିଣତିରେ ଓଡ଼ିଶାରେ ଠିଆପାଲାର ଜନ୍ମ । କେବଳ କବିକର୍ଣ୍ଣ ରଚିତ ଷୋହଳ ପ୍ରକାର ବିଷୟ ଏଥିରେ ଗାନ କରା ନ ଯାଇ ମହାଭାରତ ଓ ରାମାୟଣ ପରି ପୁରାଣର ବିଷୟବସ୍ତୁକୁ ରଚନା କରି ବିଭିନ୍ନ ସ୍ୱରରେ ଠିଆପାଲାରେ ବୋଲା ହେଲା । ଏହିପରି ଏକ କ୍ରମବିକାଶ ମଧ୍ୟରେ ଓଡ଼ିଆରେ ପାଲା-ସଂସ୍କୃତିର ବିକାଶ ଘଟିଲା ।

 

କେତେକ ସମୀକ୍ଷକ ମତ ଦିଅନ୍ତି ଯେ ‘‘କବିକର୍ଣ୍ଣଙ୍କ ବହୁ ପୂର୍ବରୁ ଆମ ରାଜ୍ୟରେ ‘ପାଲା’ ବା ‘ପୁଜା’ ର ପରମ୍ପରା ରହିଥିଲା । ସେହି ମାଧ୍ୟମକୁ ଏକ ଲୋକପ୍ରିୟ ମାଧ୍ୟମ ଭାବି କବିକର୍ଣ୍ଣ ଦୁଇ ସଂସ୍କୃତିର (ହିନ୍ଦୁ ଓ ମୁସଲମାନ) ସମନ୍ୱୟ ପାଇଁ ଏଭଳି ପାଲା ରଚନା କରିଥିଲେ’’ । ଏହା ମିଶ୍ର-ସଂସ୍କୃତିର ପ୍ରତୀକ ରୂପେ ପରିଚିତ ହେଲା । ଠିଆପାଲାର ଗାୟକ ବା ଗାହାଣ ଓ ପାଳିଆମାନଙ୍କ ପାରମ୍ପରିକ ପୋଷାକ ବେଶ୍‌ ବୈଚିତ୍ର୍ୟପୂର୍ଣ୍ଣ । ସେମାନେ ମୋଗଲ ଟୋପି ମୁଣ୍ଡରେ ପିନ୍ଧିଥାନ୍ତି । ଦେହରେ ପଞ୍ଜାବୀ ସାଙ୍ଗକୁ ଘାଗରା ପିନ୍ଧନ୍ତି, କାନ୍ଧରେ ପାଟ ଚାଦର । ହାତରେ ରୂପା ଅଳଙ୍କାର । ନିଡ଼ମ୍ବ ଦେଶରେ ରୂପାର ଚନ୍ଦ୍ରାହାର ଲମ୍ବିଥାଏ । କାନରେ ସୁନାର ଚମ୍ପା ବା କୁଣ୍ଡଳ । ପାଦରେ ଘୁଙ୍ଗୁର । ଆଖିରେ କଜ୍ଜଳ । କପାଳ ଓ ଗଳାଦେଶରେ ଶାରଳା ଠାକୁରାଣୀଙ୍କ ସିନ୍ଦୂର । ଗାହାଣଙ୍କ ହାତରେ ଗିନି ଓ ଚାମର ଏବଂ ପାଲିଆମାନଙ୍କ ହାତରେ କରତାଳ ସ୍ଥାନ ପାଇଥାଏ । ସେମାନଙ୍କ କାନ୍ଧରେ ରୁମାଲ । ମୃଦଙ୍ଗ ବଜାଉଥିବା ବ୍ୟକ୍ତିକୁ ବାହାଣ ଏବଂ ଗାହାଣର ସହକାରୀ ‘ଶ୍ରୀପାଲିଆ’ (ଶିରିପାଲିଆ) କୁହାଯାଏ । ସତ୍ୟନାରାୟଣ ପାଲାର ସୃଷ୍ଟି ମୂଳରେ ଯଦିଓ ହିନ୍ଦୁ ଓ ମୁସଲମାନ ଧର୍ମର ସଂହତି ଉଦ୍ଦେଶ୍ୟ ରହିଛି, ଏହାର ପରବର୍ତ୍ତୀ କାଳରେ ସତ୍ୟନାରାୟଣ ମଧ୍ୟ ପାଲାର ଅଧିଷ୍ଠାତ୍ରୀ ଦେବୀ ବୋଲି ଗୃହୀତା ହୋଇଛନ୍ତି, କାରଣ ସାରଳା ହେଉଛନ୍ତି ଓଡ଼ିଶାର ବାଗ୍‌ଦେବୀ । ସେ ଗଳାରେ ବସିଲେ ପଦ ପଇଟିବ ବୋଲି ଗାହାଣ ବୋଲନ୍ତି । ଏହିପରି ପରମ୍ପରା ଓଡ଼ିଆ ଲୋକଗୀତର ବିଭିନ୍ନ ସ୍ଥାନରେ ମଧ୍ୟ ଶୁଣିବାକୁ ମିଳେ । ଗାହାଣ ଓ ପାଲିଆମାନେ ଦେହରେ ଘାଗରା, ଅଳଙ୍କାର ଏବଂ ପାଦରେ ଅଳଙ୍କାର ମଧ୍ୟରେ ନିଜକୁ ନାରୀ ରୂପରେ ସଜ୍ଜିତ କରିଥାନ୍ତି । ସାରଳାଙ୍କ ସହଚରୀ ବା ସେବକୀ ଭାବରେ ନିଜକୁ ପରିଚିତ କରାଇବା ପାଇଁ ସେ ଚାହାନ୍ତି ।

 

ପଶ୍ଚିମ ଓଡ଼ିଶାର ‘ସମ୍ପ୍ରଦା’ ଓ ‘ଦିଗ୍‌ସଞ୍ଚାରୀ’ ମଧ୍ୟ ଠିକ୍‌ ଏହି ଠିଆପାଲା ସଦୃଶ ।

 

ପୁଜା ପଦ୍ଧତି :

ସତ୍ୟନାରାୟଣ ପାଲାର ଗାୟକ ହେଉଛନ୍ତି – ପୁରୋହିତ । ସେ ଅରୁଆ ଚାଉଳ ଗୁଣ୍ଡରେ ଘର ଅଙ୍କନ କରି ଘଟ ସ୍ଥାପନ କରି ଖଟୁଲିରେ ପାନ ଦଶଟା ଏବଂ ତା’ ଉପରେ ଛଡ଼ାକଦଳୀ ଓ ଗୋଟାଗୁଆ ଦେଇ ପୁଜା କରିଥାନ୍ତି । ପାଞ୍ଚଟି ବେତରେ ମୟୁରଚନ୍ଦ୍ରିକା ବନ୍ଧାଯାଇ ଏହି କାଣ୍ଡ (‘ତୀର’) ପ୍ରସ୍ତୁତ କରାଯାଏ ।

 

‘‘ଚାରିକୋଳେ ଚାରି ତୀର ଯତନେ ପୋତିଲେ

ନୂତନ ବସନ ଦିୟା ଗାହାଡ଼ା ଫେରିଲେ ।’’

(ମର୍ଦ୍ଦଗାଜୀ ଜନ୍ମପାଲା/ପୃ. ୨୩)

ପୁଜା ଶେଷରେ କବିକର୍ଣ୍ଣଙ୍କ ରଚିତ ଯାହା ପାଲା କରାଯାଏ, ଏହା କିପରି ପୂଜା କରାଯିବ ତାହା ଷୋଳଖଣ୍ଡ ପାଲାରେ ବାରମ୍ବାର ଉଲ୍ଲେଖ ରହିଛି । ଏହାର ନିର୍ବାଚିତ ଅଂଶ କିଛି ନିମ୍ନରେ ପ୍ରଦତ୍ତ ହେଲା ।

 

‘‘ଚାରିଦିଗେ ଚାରିତୀରେ ପୁତିଲ ନିଶାନ,

ଉପରେ କରିଲ ଖାଡ଼ା ପୁତିଲ ନିଶାନ ।

ଉପରେ କରିଲ ଖାଡ଼ା ତାମ୍ବୁ ସାହେବାନ,

ବ୍ରାହ୍ମନ କରେନ୍‌ ପୂଜା ସତ୍ୟ ନାରାୟନ ।

ଶୁକ୍ଲପାଟ ଦିୟା ତଥା କରିଲ ଆସ୍ଥାନ,

ସତ୍ତ୍ୱା ହଜାର ପାନ ସଓ୍ୱା ହାଜାର ସୁପାରି .

ସଓ୍ୱା ହଜାର ପାକା କଲ ନିବେଦନ କରି ।’’

(ଜନ୍ମ ପାଲା/ପୃ. ୧୫)

ଆପ୍‌ନା ମହଲେ କରେ ପୀରେର ଆସ୍ଥାନ୍‌

ଉପରେ କରିଲ ଖାଡ଼ା ତମ୍ବୁ ଶମିଆନ ।

ବଙ୍ଗଲାର ମଧ୍ୟେତେ ବାନ୍ଧିଲ ସିଂହାସନ୍‌

ଚାରିଦିଗେ ଚାରତୀର ପୁତିଲ ନିଶାନ ।

ତୀରେର ଉପରେ ଫୁଲ କରିଆ ସାଜାନ

ଷୋଡ଼ଶୋପଚାରେ ପୂଜା କରିଲ ବ୍ରାହ୍ମନ ।

କାଞ୍ଚା ପାକା ଆସ୍ଥାନେ ତେ ବାଡ଼ିଲ ଶିରିନି

ବ୍ରାହ୍ମନ ମିଲିଆ ସର୍ବେ କରେ ହରି ଧ୍ୱନି ।’’

(ମର୍ଦ୍ଦଗାଜୀ ବିଭାପାଲା/୩୧)

 

ସତ୍ୟନାରାୟଣ ପୂଜାରେ ଶିରିନି ଭୋଗ ଲାଗିଥାଏ । ଅଟା ଓ ଚିନିରୁ ଏହା ତିଆରି ହୋଇଥାଏ । ସେଥିପାଇଁ ମର୍ଦ୍ଦର୍ଗାଜୀ ଜନ୍ମପାଲାରେ ରାଜା ପଚାରିଛନ୍ତି ଏବଂ ଫକୀର ଉତ୍ତର ଦେଇଛନ୍ତି –

 

‘‘ରାଜାବଲେ ମହାପ୍ରଭୁ ଶିରିନି କେମନେ ଦିବୁ

କହ ପ୍ରଭୁ ଏଥିର ପ୍ରକାରେ,

 

ସୱା ସେର ଆଟା ଆନିତାଏ ସୱା ସେର ଚିନି

ସୱା ସେର ଶିର୍ଣ୍ଣ ଦିବେ ମୋରେ ।’’

(ମର୍ଦ୍ଦଗାଜୀ ଜନ୍ମପାଲା/୮)

ସ୍କନ୍ଧ ପୁରାଣରେ ରହିଛି - ପାଚିଲା କଦଳୀ, ଚକଟା ଶିରିଣୀ, କ୍ଷୀର ଆଦି ଭୋଗ କରାଯାଏ ।

 

‘‘ରମ୍ଭାଫଳଂ ଘୃତଂ କ୍ଷୀରଂ ଗୋଧୂମସ୍ୟ ଚ ଚୂର୍ଣ୍ଣକମ,

ଅଭାବେ ଶାଳୀ ଚୁର୍ଣ୍ଣଂ ବା ଶର୍କରାଂ ବା ଗୁଡ଼ସ୍ତଥା ।’’

 

କେତେକ ସ୍ଥାନରେ ଅଟା ଓ ଗୁଡ଼ରେ ତିଆରି କରି ଶିରିଣୀ ପରିବର୍ତ୍ତେ ଭୋଗ ଲଗାଯାଇଥାଏ । ଏଥିରେ ପଞ୍ଚ ଦେବତାଙ୍କୁ ଷୋଡ଼ଶୋପଚାର କରାଯାଇଥାଏ । ଏହି ପଞ୍ଚ ଦେବତା ହେଲେ –ଗଣେଶ, ନାରାୟଣ, ରୁଦ୍ର, ଅମ୍ବିକା ଓ ସୂର୍ଯ୍ୟ ।

 

ବାଲେଶ୍ୱରର ଉତ୍ତରାଞ୍ଚଳରେ ଓ କାନ୍ଥି (ମେଦିନୀପୁର) ଅଞ୍ଚଳରେ ଯେଉଁ ଷଷ୍ଠି ମଙ୍ଗଳ ପ୍ରଚଳିତ, ତାହା ଓଡ଼ିଶାର ପାଲା ପରି । ଏହି ଷଷ୍ଠୀ ବ୍ରହ୍ମାଙ୍କ କନ୍ୟା । ତାଙ୍କୁ ବ୍ରହ୍ମା ଗଣେଶଙ୍କ ପାଇଁ ସୃଷ୍ଟି କରିଥିଲେ; କିନ୍ତୁ ଗଣେଶ ବିବାହ କଲେ ନାହିଁ । ସେହିଦିନଠାରୁ ସେ ନରନାରୀଙ୍କ ସନ୍ତାନ କାମନା ପୂର୍ଣ୍ଣକରି ପୂଜିତା ହେଲେ । ଗାୟକ ଚାନ୍ଦ ସୌଦାଗର, ଗୁଣଦେବ, ନଳନୀଳ, ରଘୁ ଚୂଡ଼ାମଣି, ପଦ୍ମକୁମାରୀ ଆଦି ଷଷ୍ଠୀ ମଙ୍ଗଳର ଗୋଟିଏ ଗୋଟିଏ ଗାଥା ଗାନ କରିଯାଏ । ଜଣେ ପଖାଉଜ ବଜାଏ ଓ ଅନ୍ୟ ଜଣେ ନୃତ୍ୟ କରିଥାଏ । ଗାୟକ ଗାଇଲାବେଳେ ପାଲିଆମାନେ ପାଳି ଧରନ୍ତି (୧)

 

ପାଲାର ମାହାତ୍ମ୍ୟ :

ଓଡ଼ିଶାର ବ୍ରତ ଓ ଓଷାପରି ସତ୍ୟନାରାୟଣ ପୂଜା କରି ପାଲା ଶ୍ରବଣ କଲେ ସଙ୍କଟମୁକ୍ତ ହେବ, ମନସ୍କାମନା ପୂର୍ଣ୍ଣ ହେବ, ଅପୁତ୍ରିକ ଲାଭ କରିବ, ନିଧନୀ ଧନୀ ହେବ-ଇତ୍ୟାଦି, ମର୍ଦ୍ଦଗାଜୀ ଜନ୍ମପାଲାର ଶେଷ ଭାଗରେ ଉଲ୍ଲେଖ ଅଛି –

 

‘‘ଅନ୍ଧ ଶୁଣିଲେ ଭାଇରେ ପାୟ ଚକ୍ଷୁଦାନ,

ନିର୍ଦ୍ଧନୀ ଶୁଣିଲେ ଭୟ ସେହୁ ଧନବାନ ।

ଅପୁତ୍ରିକ ଶୁଣିଲେ ଯେ ହୟ ପୁତ୍ର ତାର,

ସଙ୍କଟ ହଇତେ ରାଖେ ବାବା ସତ୍ୟପୀର ।

ସତ୍ୟ ନାରାୟନ ପଦେ କରିୟା ପ୍ରନାମ,

ଦାତାର ଯେ ମନୋରଥ ଫତେ ସୈବେ କାମ ।’’

(ପୃ.୨୪)

 

ବିଦ୍ୟାଧର ପାଲାରେ ଅଛି –

 

‘‘ଯାର ଘରେ ହଏ ପୂଜା ସାହେବର ନାମ,

ବଡ଼ାଇ ଦଉଲତ ତା’ର ଫତେ ହୁଏ କାମ ।

ପୁଜାଶୁଳି ସଭା ମଧ୍ୟେ ଥାକେ ଯତଜନ,

ସାବାକାରେ ନାରାୟନ ବାଞ୍ଝାବେ କଲ୍ୟାନ୍‌ ।’’

(ପୃ.୨୮)

 

ସ୍ୱର୍ଗାରୋହଣ ପାଲାରେ ପୁଣି ଲେଖା ଅଛି –

‘‘ରାଜସୂୟ ନରମେଧ ଅଶ୍ୱମେଧ ସମ,

ୟାତେ ଚତୁର୍ଗୁଣ ଫଳ ଲଭନ୍ତି ଯେ ଜନ ।

ଜ୍ଞାନ, ଦାନ, ଦୟା ଯେବା ଉଦ୍ୟାପନ କରେ,

ଅନ୍ତକାଳେ ବୈକୁଣ୍ଠତେ ଗମନ ସେ କରେ ।’’

(ପୃ.୨୭-୨୮)

 

ଷୋଳପାଲାର ରଚୟିତା :

କବିବର୍ଣ୍ଣ ଷୋଳପାଲାର ରଚୟିତା । ପ୍ରତ୍ୟେକ ପାଲାରେ ଏକାଧିକବାର ସେ ଭଣିତା କରିଛନ୍ତି । ସେ ଆତ୍ମପରିଚୟ ଦେଇ ସଦାନନ୍ଦ ସୌଦାଗର ପାଲାରେ ଲେଖିଛନ୍ତି –

 

‘‘ସଦାନନ୍ଦ ସୌଦାଗର ପାଲା ହକିକତ,

ରଚିଲେନ୍‌ କବି କର୍ଣ୍ଣ କଲାମେର ସୂତ ।’’

 

’ମର୍ଦ୍ଦଗାଜୀ ବିଭାପାଲା’ରେ ଆଉ ଗୋଟେ ପଦରେ ଅଛି –

 

‘‘ଗାଏ ଦ୍ୱିଜକବି କର୍ଣ୍ଣ ସତ୍ୟପୀଠ ପାଏ,

ଭକ୍ତେର ବାନ୍ଧବ ପ୍ରଭୁ ହବେ ବରଦାଏ ।’’

(ପୃ.୧୧)

 

ତାଙ୍କ ଜନ୍ମସ୍ଥାନ ପଶ୍ଚିମ ବଙ୍ଗଳାର ମେଦିନୀପୁର ବୋଲି ଗବେଷକମାନେ ମତପ୍ରକାଶ କରିଛନ୍ତି । ଏତଦ୍‌ବ୍ୟତୀତ କବି ରୂପରାମ ଓ ସୀତାରାମ ମଧ୍ୟ ରଚନା କରିଛନ୍ତି (୨) ।

 

କବିକର୍ଣ୍ଣଙ୍କ ରଚିତ ଷୋଳପାଲାରେ ବଙ୍ଗଳା, ଓଡ଼ିଆ ଓ ଉର୍ଦ୍ଦୁ ଭାଷାର ପ୍ରୟୋଗ ରହିଛି । ଏହି ଷୋଳଗୋଟି ପାଲା ରଚନା କରିବା ମୂଳରେ ଭଗବାନ ଶ୍ରୀକୃଷ୍ଣଙ୍କ ‘ଷୋହଳ କଳା’ର ତତ୍ତ୍ୱ ନିହିତ ଥିବା ମନେହୁଏ । ଏହି ଷୋଳପାଲାଗୁଡ଼ିକ ହେଲା–ଜନ୍ମପାଲା, ପଦ୍ମଲୋଚନ ପାଲା, ମର୍ଦ୍ଦଗାଜୀ ବିଭାପାଲା, ବିଦ୍ୟାଧର ପାଲା, ମଦନସୁନ୍ଦର ପାଲା, ସଦାନନ୍ଦ ସୌଦାଗର ପାଲା, ମନୋହର ଫାଶ୍ୟାରା ପାଲା, ଶଙ୍କର ଗୁଡ଼ିଆ ପାଲା, ଦୁର୍ଜ୍ଜନସିଂହ ପାଲା, ହେରାଚାନ୍ଦ ପାଲା,ଉଗ୍ରତାରା ପାଲା, କାଠୁରିଆ ପାଲା, ଲକ୍ଷ୍ମଣ କୁମାର ପାଲା, ଅଭିନ୍ନ ମଦନ ପାଲା ଓ ସ୍ୱର୍ଗାରୋହଣ ପାଲା । ସ୍ୱର୍ଗାରୋହଣ ପାଲାର ପ୍ରାରମ୍ଭରେ ଏହାର କ୍ରମ ସମ୍ପର୍କରେ ସୂଚନା ଦିଆଯାଇଛି ।

 

ଏବେ ଯେଉଁ ଷୋଳପାଲା ପୁସ୍ତକ ମିଳୁଛି, ସେଥିରେ ବହୁ ପ୍ରକ୍ଷେପ ରହିଛି । ସମୟକ୍ରମେ ଚୌପଦୀ, ପହଳି ପ୍ରଭୁତି ବିଭିନ୍ନ ଲେଖକଙ୍କର ରଚନାକୁ ପ୍ରକାଶକ ପତ୍ରସ୍ଥ କରିଦେଇଛନ୍ତି । ସେମାନଙ୍କ ଗୀତର ଭଣୀତାରୁ ଏହା ଅଧିକ ସୁସ୍ପଷ୍ଟ । ସେହି କବି କେତେଜଣ ହେଲେ - ନିତ୍ୟାନନ୍ଦ ସାହୁ (‘‘ନିତ୍ୟାନନ୍ଦ ସାହୁ ବୋଲେ, ପ୍ରଭୁ ନାରାୟଣ ଥିଲେ, ତୁମ୍ଭ ମନୋବାଞ୍ଛା ନିଶ୍ଚେ ସିଦ୍ଧ ହୋଇବ–ମର୍ଦ୍ଦଗାଜୀ ବିଭା ପାଲା), ଚୈତନ୍ୟ (‘‘କାରାଗୃହରେ ରହିଣ ବିଦେଶୀ, ଚସିଣ ଭାଳୁଅନ୍ତି ଦିବାନିଶି, ଦ୍ୱିଜ ଚଇତନ ଏ ପଦ ମନାସି ବୋଲେ ଭାଗ୍ୟ ଥିଲେ ଦେଖା ହୋଇବ ।’’ –କାଠୁରିଆ ପାଲା), ଜଗନ୍ନାଥ ସିଂହ (ଜଗନ୍ନାଥ ସିଂହ ବାଣୀଶୁଣି, କଲ୍ୟାଣ କରିଲେ ସାଧବାଣୀ ‘’ –ସଦାନନ୍ଦ ସୌଦାଗର ପାଲା), ରାମ (ଏ ଯୁବାକାଳ ହେଲା ବିଫଳ, କା ମୁଖ ଚାହିଁ ଯିବ ଦିନ, ମୁହିଁ ନ ମଲି, ବିଧବା ହେଲି, ଗୀତେ କହଇ ରାମଦୀନ ।’’- ଉଗ୍ରତାରା ପାଲା ।)ପ୍ରଭୁତି

 

ଭାଷା :

ଏହି ଷୋଳପାଲାରେ ଓଡ଼ିଆ, ବଙ୍ଗଳା ଓ ଉର୍ଦ୍ଦୁ ‘ଭାଷା ସହିତ – ହିନ୍ଦୀ, ଇଂରାଜୀ ଓ ଅପଭ୍ରଂଶ ଓଡ଼ିଆ ଶବ୍ଦମାନ ସ୍ଥାନ ପାଇଛି । ଓଡ଼ିଆରେ ଡ଼ୁହା, ଚୌପଦୀ, ନବାକ୍ଷର ବୃତ୍ତର ରଚନା ଏହାର ଦୃଷ୍ଟାନ୍ତ । ନଚେତ୍‌ ଅନ୍ୟସବୁ ପଦରେ ଗୋଟିଏ ପଦରେ ଓଡ଼ିଆ, ଉର୍ଦ୍ଦୁ ଓ ବଙ୍ଗଳାର ଭାଷା ପରିଲକ୍ଷିତ ହୁଏ ।

 

ନବାକ୍ଷରୀବୃତ୍ତ –

‘‘କରୀ ଗତି ପ୍ରାୟେ ଚାଲିଗୋ ।

ବିଦେଶୀ ମାରିବ ବୋଲି ଗୋ ।।

ଅଙ୍ଗ ଭଙ୍ଗୀରେ ସେ ଯାଏ ଗୋ ।

ଦୀନ କବି କର୍ଣ୍ଣ ଗାଏ ଗୋ ।।’’

(ମନୋହର ଫାଶ୍ୟାରା ପାଲା)

ବାକ୍ୟ ମଧ୍ୟରେ ବଙ୍ଗଳା ଶବ୍ଦ ସ୍ଥାନ ପାଇଛି । ଯଥା-ବସିୟା, କରିତେଛିଲ. ଛେଡ଼େଗେଲ, କାଛେ ପ୍ରଭୁତି । ହିନ୍ଦୀ ଓ ଉର୍ଦ୍ଦୁ ଭାଷାର କେତୋଟି ଶବ୍ଦ –ହମେସା, ବିଚେ, ଅପନା, ଗୋପଲ୍‌. ଉଜିର, ସଲାମତ୍‌, କବୁଲ ସଫର୍‌, ରୋଜା ପ୍ରଭୁତି । ଇଂରାଜୀ ଶବ୍ଦ କେତୋଟି ହେଲା –କୋରଳ (‘‘ସୌଦାଗର ବୋଲେ ଯଦି ଘରେ ବସ୍ୟାଥାକି, କୋରକ କରିୟାଁ ରଜା ଘର ନିବେରା ।’’–ମଦନ ସୁନ୍ଦର ପାଲା), ସାହେବ- (‘‘ଧନ୍ୟ କଳିଯୁଗେ ପ୍ରଭୁ ସାହେବ ସତ୍ୟପୀର’’- ମନୋହର ଫାଶ୍ୟାର ପାଲା ।) କେତୋଟି ଅପଭ୍ରଂଶ ଓଡ଼ିଆ ଶବ୍ଦ ହେଲା – ରାଣ୍ଡ, ଚୁଗୁଲି,ବଛା ପ୍ରଭୁତି ।

 

ପ୍ରସଂଗକ୍ରମେ ମହାଭାରତ, ରାମାୟଣ ଓ ଭାଗବତର ବିଭିନ୍ନ ଉପାଖ୍ୟାନ ଏଥିରେ ସ୍ଥାନ ପାଇଛି ଖୁବ୍‌ ସଂକ୍ଷେପରେ ।

 

ପଦରଚନା ରୀତି :

କବିକର୍ଣ୍ଣ ତାଙ୍କର ଷୋଡ଼ଶପାଲା ତଥା ସ୍ୱର୍ଗାରୋହଣ ପାଲାରେ ପଦରଚନା ପ୍ରସଂଗରେ ନିଜେ ରଚନା କରିଛନ୍ତି –

x x x

ଶୁନ ତୁମି ସଭାଜନ, ଷୋଳପାଲାର ବିଧାନ,

ଛାନ୍ଦ ପଦି କହେ ଦିବ୍ୟ ହୃଷ୍ଟେ ।

ଦୁଇ ଏକୋଇଶ ଛାନ୍ଦ, ପୟାର, ତ୍ରିପଦି ବନ୍ଧ,

ଆବର ଆଚ୍ଛୟେ ନାନାମତ ।

x x x

ବୃତ୍ତ ପଦରେ ବ୍ୟାଖ୍ୟାନ

ଛ ସହସ୍ର ପଦ ଜାନ,

ତା’ର ପରେ ତିନିଶତ ଭେଦ ।

(ସ୍ୱର୍ଗାରୋହଣ ପାଲା)

ପାଲାଗୁଡ଼ିକର ପ୍ରତ୍ୟେକ ପଦ ଦୁଇପାଦ ଏବଂ ପ୍ରତ୍ୟେକପାଦ ଚଉଦ ଅକ୍ଷର ବିଶିଷ୍ଟ । ଯଥା –

 

‘‘ବିନାୟକ ଦେଶେ ଆଛେ ଦିଲ୍ଲୀପ ରାଜନ,

ଉନଶତ ରାନୀ ତା’ର ବହୁ ପ୍ରଜାଗନ ।’’

(ଲକ୍ଷ୍ମଣ କୁମାର ପାଲା)

ମଝିରେ ମଝିରେ ଏକପଦ ବିଶିଷ୍ଟ ‘ଡୁହା’ ସ୍ଥାନ ପାଇଛି । ଯଥା –

 

‘‘ଡାକରେ ସତ୍ୟପୀର,

ତାଙ୍କ ନାମ ଧରି ସଂସାର ତର ।’’

(ହେରାଚାନ୍ଦ ପାଲା)

ତିନିପାଦ ବିଶିଷ୍ଟ ‘ତ୍ରିପଦୀ’ ମଧ୍ୟ ଏଥିରେ ସ୍ଥାନ ପାଇଛି । ଯଥା –

 

‘‘ରଜନୀର ଶେଷେ

ମନର ହରଷେ,

ସର୍ବ ନିତ୍ୟ କର୍ମ ସାରି,

ନିଜ ଗ୍ରାମ ନାମ,

ଲେଖେ ଅନୁପମ,

ପତ୍ରିକା ହସ୍ତରେ ଧରି ।’’

(ଅଭିନ୍ନ ମଦନ ପାଲା)

ଚାରିପଦ ବିଶିଷ୍ଟ ରଚନା ‘ଚୌପଦୀ’ ଏହି ପାଲାମାନଙ୍କରେ ସ୍ଥାନ ପାଇଛି । ଭଗବତର ନବାକ୍ଷରୀବୃତ୍ତ, ପୟାର ଓ ପହଳି ମଧ୍ୟ ଏହିସବୁ ପାଲାମାନଙ୍କରେ ସ୍ଥାନ ପାଇଛି । କବିକର୍ଣ୍ଣ ଛାନ୍ଦ, ପୟାର ଓ ତ୍ରିପଦୀ ରଚନାରୀତିକୁ ବିଭିନ୍ନ ପାଲାରେ ଗ୍ରହଣ କରିଥିଲେ ବୋଲି ସ୍ୱର୍ଗାରୋହଣ ପାଲାରେ ଉଲ୍ଲେଖ କରିଛନ୍ତି । କିନ୍ତୁ ଡୁହା, ପହଳି ଓ ନବାକ୍ଷରୀବୃତ୍ତ ପରବର୍ତ୍ତି କାଳରେ ପ୍ରକ୍ଷେପ ବୋଲି ଅନୁମାନ କରାଯାଏ ।

 

ଧର୍ମ-ସଂହତି :

ହିନ୍ଦୁ ଓ ମୁସଲମାନ ଧର୍ମ୍ମ ସଂପ୍ରଦାୟ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି କରିବା ପାଇଁ ସତ୍ୟନାରାୟଣ ପୂଜା ଓ ପାଲାର ଉଦ୍ଦେଶ୍ୟ ବୋଲି ପୂର୍ବରୁ ଉଲ୍ଲେଖ କରାଯାଇଛି । ଐତିହାସିକ ସ୍ୱର୍ଗତ କୃପାସିନ୍ଧୁ ମିଶ୍ର ‘ଉତ୍କଳ ଇତିହାସ’ ପୁସ୍ତକରେ ଉଲ୍ଲେଖ କରିଛନ୍ତି – ଖ୍ରୀ: ୧୭୧୨ ରେ ସୁଦାଉଦ୍ଦନଙ୍କ ଶାସନ କାଳରୁ ସତ୍ୟନାରାୟଣ ପାଲାର ସୃଷ୍ଟି ବୋଲି ମତ ପ୍ରକାଶ କରିଛନ୍ତି । ମାତ୍ର ଷୋଡ଼ଶ ଶତାବ୍ଦୀରେ ବଙ୍ଗଳାରେ ଏହା ପ୍ରଚଳିତ ଥିବାର କେତେକ ଗବେଷକ ମନେ କରନ୍ତି (୩) । ‘ଲକ୍ଷ୍ମଣ କୁମାର ପାଲା’ରେ ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମ୍ମ ମଧ୍ୟରେ ସଂହତି ସୃଷ୍ଟି କରିବା ପାଇଁ ସୂଚନା ରହିଛି । ଯଥା –

 

‘‘ଅତିଶୁନି ମହାରାଜା କର୍ଣ୍ଣେ ଦିଲ ହାତ,

ହିନ୍ଦୁ ହୟା ମୁଖେ ନିବ ମୁସଲମାନ ବାତ୍‌।

ନାରାୟନ୍‌ ବଲେ ଶୁନ ଆମାର ବଚନ,

ଋାମ, ରହିମନ ଜାନ୍‌ ଏକଇ ଜୀବନ ।

ଋାମ ଯେହୁ ଭଜେ ସେହୁ ହିନ୍ଦୁ ଭଗବାନ,

ଋହୀମ୍‌ ଯେ ପୂଜା କଲେ ସିଦ୍ଧହୟାଁ କାମ ।’’

 

‘ସ୍ୱର୍ଗାରୋହଣ ପାଲା’ରେ ମଧ୍ୟ ଠିକ୍‌ ଏହିପରି ପଦ ଶୁଣିବାକୁ ମିଳେ, ଏତଦ୍‌ବ୍ୟତୀତ ବୌଦ୍ଧଧର୍ମ୍ମ ଓ ଅଲେଖ ଧର୍ମ୍ମର ଉଲ୍ଲେଖ ଏହି ପାଲାମାନଙ୍କରେ ପରିଲକ୍ଷିତ ହୁଏ ।

 

‘‘ପ୍ରନମାମି ନାରାୟନ ଯୋଡ଼ କରି ହାତ,

କୁମାର ମହିମା କିଛୁ କହିବ ବିଖ୍ୟାତ ।

ଯୁଗେ ଯୁଗେ ଅବତାର ଆପ୍‌ନି ହଇଲେ,

କଳିଯୁଗେ ବୌଦ୍ଧରୂପ ଧାରନ କରିଲେ ।’’

(ସ୍ୱର୍ଗାରୋହଣ ପାଲା)

ବୁଦ୍ଧଦେବଙ୍କୁ ହିନ୍ଦୁମାନେ ଦଶାବତାର ମଧ୍ୟରେ ଗ୍ରହଣ କରିଛନ୍ତି । ସେହିପରି ଅନ୍ୟ ଏକ ଶାଖା ଅଲେଖଧର୍ମ୍ମ କଥା ଉଲ୍ଲେଖ କରିଛନ୍ତି ।

 

‘‘ପତ୍ସା ବଲେ ଉଜିର ମେରା ଦିଲ୍‌ ନାହିଁ ତାଏ

ଅମାର ଯେ ଇଷ୍ଟ ବଡ଼ ଅଲେଖ ଖୋଦାଏ ।’’

(ଜନ୍ମପାଲା)

 

ଉତ୍କଳୀୟ ଭାବ :

ଓଡ଼ିଶାର ଧର୍ମ୍ମ, ସଂସ୍କୃତି ତଥା ସାମାଜିକ ଜୀବନର ପ୍ରାଣକେନ୍ଦ୍ର ହେଲା – ଶ୍ରୀ ଜଗନ୍ନାଥ । କବିବର୍ଣ୍ଣ ପଶ୍ଚିମ ବଙ୍ଗଳାର ବ୍ୟକ୍ତି ହୋଇଥିଲେ ମଧ୍ୟ ଓଡ଼ିଆ ସଂସ୍କୃତିର ପ୍ରାଣକେନ୍ଦ୍ର ଓଡ଼ିଆର ପ୍ରଥମ ବଡ଼ ଠାକୁର ଶ୍ରୀ ଜଗନ୍ନାଥଙ୍କୁ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

 

‘‘ଫକୀର ହଇୟା ଆମି ଦୁନିୟା ଭିତରେ,

ଅକିଦା ବାନ୍ଧିୟା ଦୀନଜନ ଉପକାରେ ।

ଜଗନ୍ନାଥ ରୂପେ ଆମି ଓଡ଼ିଶାରେ ଆର

ହିନ୍ଦୁ, ମୁସଲମାନ ସର୍ବ କରି ଏକାକାର ।’’

(ଜନ୍ମପାଲା)

ଶଙ୍କର ଗୁଡ଼ିଆ ପାଲା ଓ ବିଦ୍ୟାଧର ପାଲାରେ ଶ୍ରୀ ଜଗନ୍ନାଥଙ୍କ କଥା ଉଲ୍ଲେଖ ରହିଛି । ସେ ଯେ ‘ପତିତପାବନ’ ସେ କଥା ମଧ୍ୟ ଏଥିରେ ସ୍ଥାନ ପାଇଛି –

 

‘‘ରାମ ଭଜ ହରେ ଗୋବିନ୍ଦ ଭଜରେ,

ପତିତପାବନ ବାନ ଉଡ଼େ କତ ଦୂରେ ।

ପତିତପାବନ ବାନା ବେଗେ ଆଶ୍ରେ କର,

ଦିଶିବ ଅମୂଲ୍ୟପଦ ହରି ହରି ବୋଲ ।’’

 

ଶିଶୁର ବିଦ୍ୟାଶିକ୍ଷା ପ୍ରସଙ୍ଗରେ ବିଭିନ୍ନ ଭାଷାଶିକ୍ଷା ମଧ୍ୟରେ ଓଡ଼ିଆ ଭାଷାକୁ ପ୍ରଥମେ ଶିକ୍ଷା କରିବାକୁ କବିବର୍ଣ୍ଣ ଉଲ୍ଲେଖ କରିଛନ୍ତି । ସଦାନନ୍ଦ ସୌଦାଗର ପିଲାଦିନେ ଅକ୍ଷର ଶିକ୍ଷା କରିଛି –

 

‘‘ସରଖଣ୍ଡ ଅଧାମ ଗୋଟିକା ଖୁଆଇବେ,

ଓଡ଼ିଆ ବଙ୍ଗଳା ଆର ଫାରଶି ପଢ଼ାବେ ।’’

 

ବିଦ୍ୟାଧର ପାଲା’ରେ ବିଦ୍ୟାଧର ସେହିପରି ବିଦ୍ୟାଶିକ୍ଷା କରିଛି ।

 

‘‘ପଢ଼ିତେ ଲାଗିଲ ବାଛା ମନରେ ହରଷେ,

ଓଡ଼ିଆ ବାଙ୍ଗ୍‌ଳା ପଢ଼େ ବସେ ଗୁରୁପାଶେ,

ଆରବୀ, ଫାରସୀ ବାଛା ପଢ଼ିତେ ଲାଗିଲ,

ଅଲ୍ପଦିନେ ନାନା ବିଦ୍ୟାରେ ନିପୁଣ ହଇଲ ।’’

 

‘ଓଡ଼ିଶା’ ବା ‘କଳିଙ୍ଗ’ ଶବ୍ଦକୁ କବିବର୍ଣ୍ଣ ବହୁବାର ପାଲାରେ ବ୍ୟବହାର କରିଛନ୍ତି । ଏଥିରୁ ତାଙ୍କର ଉତ୍କଳ ପ୍ରତି ଏକ ସ୍ୱତନ୍ତ୍ର ଆନ୍ତରିକତା ଲକ୍ଷ୍ୟ କରାଯାଏ । ‘ଜନ୍ମପାଲା’ର ପ୍ରଥମାଂଶରେ- ‘‘ଜଗନ୍ନାଥ ରୂପେ ଆମି ଓଡ଼ିଶାରେ xx xx xx” ମଧ୍ୟରେ ଓଡ଼ିଶାର ନାମକୁ ପ୍ରଥମେ ବର୍ଣ୍ଣନା କରିଛନ୍ତି । ପୂର୍ବରୁ ଓଡ଼ିଶା ବଙ୍ଗଳା ଓ ବିହାର ସହିତ ଏକତ୍ର ମିଶି ରହିଥିଲା । ଏହାର ମୂଳ ସୂଚନା ରହିଛି ‘ସଦାନନ୍ଦ ସୌଦାଗର ପାଲା’ରେ । ସଦାନନ୍ଦ ଜାହାଜରେ ବିଦେଶ ଯାତ୍ରା ବେଳେ ଅଙ୍ଗ ବଙ୍ଗ ଓ କଳିଙ୍ଗ ଦେଶ ଯାତ୍ରା କରିଛି ।

 

‘‘ଅଙ୍ଗବଙ୍ଗ ବିରାଟ କଳିଙ୍ଗ ଦେଶ ଜିନି,

ମଗଧ କୋଶଲ ଦେଶେ ଗେଲ ଯାଦୁମନି ।’’

 

ସେହିପରି ଅନ୍ୟ ଏକ ସ୍ଥାନରେ ଅଛି –

 

‘‘ମଗଧ କୌଶଳ ଜିନି ହେଙ୍ଗୁଲି ସହର,

ଅଙ୍ଗ ବଙ୍ଗ କଳିଙ୍ଗ ଯେ ଛାଡ଼ିୟା କୁମାର ।’’

 

ମର୍ଦ୍ଦଗାଜୀ କନ୍ୟାର ଅନ୍ୱେଷଣରେ କର୍ଣ୍ଣାଟ ଗଲାବେଳେ ଓଡ଼ିଶା ଭିତରେ ଯାଇଛି –‘ମର୍ଦ୍ଦଗାନୀ ପାଲା’ରେ ଅଛି –

 

ମଘ ମତ୍ସ୍ୟଦେଶେ ଜିନି ବିରାଟ ନଗର,

କଳିଙ୍ଗ ଉତ୍କଳ ଜିନି ଚନ୍ଦ୍ରଭାଗା ତୀର ।’’

 

କେବଳ ଉତ୍କଳ ନୁହେଁ, ଅର୍କତୀର୍ଥ ‘ଚନ୍ଦ୍ରଭାଗା’ ସ୍ଥାନର ନାମ ମଧ୍ୟ ଉଲ୍ଲେଖ ରହିଛି ।

 

ସାମାଜିକ ପ୍ରଥା

ଓଡ଼ିଶାର ପୁରପଲ୍ଲୀରେ ଯେଉଁ ଲୋକ-ଚଳଣି ପ୍ରଚଳିତ, ସେ ସବୁ ବିଭିନ୍ନ ପାଲାରେ ବର୍ଣ୍ଣନା କରାଯାଇଛି । ବର୍ତ୍ତମାନ ଏ ଦିଗରେ କିଞ୍ଚିତ୍‌ ବିଶ୍ଲେଷଣ କରାଯାଇଛି ।

 

(କ) ଗର୍ଭାବସ୍ଥା :

ଅଧିକାଂଶ ପାଲାରେ ଗର୍ଭାବସ୍ଥା ସମୟରେ ନାରୀର ବିଭିନ୍ନ ଲକ୍ଷଣ ବର୍ଣ୍ଣନା କରାଯାଇଛି । ଗର୍ଭବତୀ ନାରୀ ‘ସାଦ’ (ସଦ) ଖାଇବା ପ୍ରଥାର ବାରମ୍ବାର ବର୍ଣ୍ଣନା ବିଭିନ୍ନ ପାଲାରେ ରହିଛି । ଏହି ସାଦ ଖାଇବା ସଂର୍ପକୀୟ ନିର୍ବାଚିତ ଅଂଶ କେତୋଟି ପାଠକଲେ ଏ ସଂପର୍କରେ ପାଠକ ସ୍ପଷ୍ଟ ଧାରଣା କରିପାରିବେ ।

 

ପଦ୍ମଲୋଚନ ପାଲା –

 

‘‘ଯଦି ମୋରେ ସାଦା ଦିବେ ଶୂନ ମହାରାଜା

ବାସି ପଖାଳରେ ଦିବେ କାଠ୍ୱାମାଛ ଭାଜା ।।

ଆଲୁ, ବଡ଼ି, ରୋହୀମାଛ କରି ଝୋଲେ ଝାଲ୍‌

ଭାଜିବା ପ୍ରଲତା କଢ଼ି ସୋରିଷର ତେଲ ।।

ମୁଗଡାଲି, ହେଙ୍ଗୁ, ମେଥି, ଅଦାରସ ଦିଆ

ରାନ୍ଧିଆ ଖାଇବ ଆମି ଘ୍ରିତେ ସନ୍ତୋନିଆ ।।

ନିମେ ନିମେ ମିଶାଇୟା କୋମଳ ବାର୍ତ୍ତକୀ

ଖାଇବ ରାନ୍ଧିଆ ଆମ ମୋର ମତି ।।

 

ଚୁନା ମାଛ ଦିବ କିଛୂ ଜମ୍ବିଲେର୍‌ ରସ

ଗଡିସ ମାଛେତେ ଦେବ ତୈଲ ଯେ ସୋରିଷ ।।

କୌତୁକେ ବଥୁଆ ଶାଗ ଯତନେ ରାନ୍ଧିବେ

ପୋଇ ସଙ୍ଗେ ଚିଙ୍ଗୁଡ଼ି ଦିଆଁ ଘାନ୍ତନ କରିବେ ।।

କ୍ଷୀର ଯେ କ୍ଷୀରିସା ତୁମି ଦିବ ଦଣ୍ଡରାୟେ

ସେହି ସବ ସାଦ ଖାଇତେ ମୋର ଇଚ୍ଛା ହୈୟେ ।।’’

 

ମର୍ଦ୍ଦଗାଜୀ ଜନ୍ମପାଲା –

 

କୋଶିଲା ଶାଗେତେ ବଡି ମନ ଆଚ୍ଛେ ମୋର

ବଡ଼ ବଡ଼ ଭାକୁରେର ମାଛ ଅନାଇବେ,

ତେନ୍ତୁଳିର ରସେ ତାକେ ଆମ୍ବିଲ କରିବେ । ।।

 

ମନୋହର ଫାଶ୍ୟାରା ପାଲା –

 

କସିକାଁଠାଲେର ମଞ୍ଜି ଜିରା ମିର୍ଚ୍ଚି ଦିୟାଁ

ବାସି ଭାତେ ଖାବ ଆମି କୌମାଛ ପୁଡ଼ିୟାଁ ।।

ଆଲୁ, ବଡି, ରୋହିମାଛ କରି ଝୋଲାଝୋଲ,

ଭାଜିବେ ଉତ୍ତମେ ଦିୟା ସର୍ଷପେର ତେଲ ।।

 

ଆର୍‌ ଏକ ସାଦ ରାଜା ମନେତେ ବିଚାରି

ହାପୋରିଆ ଖାଦ ଆମି ସେର ଚାର କ୍ଷୀରି ।।

ମହାରାଜ ସାଦ ଦିବେ ନା କରିବେ ହେଲା

ପୂର୍ଣ୍ଣକରି ଖଇ ଦହି ଦିବେ ଚାରିବେଲା । ।।

 

ଅଭିନ୍ନ ମଦନ ପାଲା –

 

‘‘ଆଉ ଏକ ସାଧ ଆଚ୍ଛେ ଶୁନ୍‌ ମହାରାଜା,

ବାସୀ ଭାତ ସଙ୍ଗେ ଖାବ ବେଗୁନେର ଭାଜା ।।

ବୋଇତାଲ କୁହୁଣ୍ଡାର ରାଇତାର ସନେ,

ରସକୋରା ଖାବ ଆମି ସାଧୁଆଚ୍ଛେ ମନେ ।।’’

 

(ଖ) ନାଭିଚ୍ଛେଦନ :

ନାଭିଚ୍ଛେଦନ, ଏନ୍ତୁଡ଼ିଶାଳାରେ ଷଠୀପୂଜା ଆଦିର ପୁଙ୍ଖାନୁପୁଙ୍ଖ ଚିତ୍ର ପାଲାଗୁଡ଼ିକରେ ବର୍ଣ୍ଣନା କରାଯାଇଛି ।

 

ପଦ୍ମଲୋଚନ ପାଲା –

 

‘‘ନାଭି ଚ୍ଛେଦନର କାଲେ ଜୟ ଶଙ୍ଖ ଧ୍ୱନି,

ନାପିତେ ଗଜ ତୁରଙ୍ଗ ଦେଖି ନୃପମନି ।

ଚାର ଫେରାଇୟା ରାଜା ଆନନ୍ଦ ହଇଲ,

ଚନ୍ଦନ କାଠାରେ ରାଜା ଅନ୍ତୁଡ଼ି ଜାଲିଲ ।

ତିନିଦିନେ କରିଲ ଯେ ସୁପଥ୍ୟ ପାଠନ,

ଗୋମୁଣ୍ଡ ଦୁଆରେ ଥାପି ଷଠୀ ଆରାଧନ ।

ଦେଶେ ଦେଶେ ଦିଲେ ରାଜା ଶୁଭ ଯେ ବାରତା,

ପାଂଚଦିନେ କରିଲ ଯେ ପଞ୍ଚୁଆତି କଥା ।

ଦୈବଜ୍ଞ ଡକାଇ ଆଣି କରିଲ ଗଣନ,

କୋଷ୍ଠୀର ବ୍ୟବସ୍ଥା ସର୍ବ ବୋଲେ ବିପ୍ରଗନ । ‘’

 

ମନୋହର ଫାଶ୍ୟାରା ପାଲା –

 

ଛଏ ଦିନେ ଷଷ୍ଠି ପୂଜା ପୁହାଲ ଜାଗିୟା,

ସପ୍ତଦିନେ ଉଠିୟାରି କରି ସାଧୂ ଜାୟା ।।।

 

(ଗ) ଶିଶୁ-ଲାଳନ ପାଳନ :

ବିଭିନ୍ନ ବୟସରେ ପିଲାମାନେ ଲାଳନ ପାଳନ ପ୍ରସଙ୍ଗ ବିଭିନ୍ନ ପାଲାରେ ମଧ୍ୟ ଚିତ୍ରିତ ହୋଇଛି ।

 

ମର୍ଦ୍ଦଗାଜୀ ଜନ୍ମପାଲା –

 

‘‘ଦଶମାସ ହୈଲ ବାଛାର ମୁଖେ ଦିଶେ ଦନ୍ତ

ପଣ୍ଡିତ ଆନିୟ କ୍ଷୀର ଦିଲ ସୀତାକାନ୍ତ ।

ଏକାଦଶ ମାସେ ବାଛା ଚଲିଆସି ଯାଏ,

ରଙ୍ଗୀନ୍‌ ନେପୁର ଦୁଟି ବାଜେ ରାଙ୍ଗାପାୟେ ।

ବତ୍ସରେ ବତ୍ସରେ ହୈଲ ପଂଚମ ବତ୍ସର,

ଚୁଡ଼ାକର୍ମ କରାଇଲ ଫକୀର ତାହାର ।’’

 

ପଦ୍ମଲୋଚନ ପାଲା ଓ ବିଦ୍ୟାଧର ପାଲାରେ ଏହିପରି ବିସ୍ତୃତ ବର୍ଣ୍ଣନା ରହିଛି ।

 

(ଘ) ବିବାହ ପ୍ରଥା :

 

ଓଡ଼ିଶାରେ ପୂର୍ବରୁ ବାଲ୍ୟବିବାହ ପ୍ରଚଳିତ ଥିଲା । ତେଣୁ ଝିଅର ବିବାହ ହେବାର ବୟସ ସମ୍ପର୍କରେ ପଦ୍ମଲୋଚନ ପାଲାରେ ଲେଖା ଅଛି –

 

‘‘ପଞ୍ଚମ ବତ୍ସରେ ଯେହୁ କନ୍ୟାଦାନ କରେ,

ତାହାରେ ତୁଳନା ପୁଣ୍ୟ ଅଛି କେ ସଂସାରେ

ସପ୍ତମ ବତ୍ସରେ ଯେହୁ କରେ କନ୍ୟାଦାନ,

ଶତଶତ ସମ୍ବତ୍ସରେ ନା ସରଇ ପୂଣ୍ୟ ।

ନବମ ବତ୍ସରେ ଯେହୁ କନ୍ୟା ଦାନ କରେ,

ପାପ-ପୁଣ୍ୟ କିଛିନାହିଁ ବୋଲଇ ତୁମାରେ ।

ଦଶବର୍ଷ ହେଲେ କନ୍ୟା କୂଳକୁ କଳଙ୍କ,

ସପତ ପୁରୁଷ ପଡ଼େ ଅହିଅ ନରକ ।’’

 

ବିବାହ ଉତ୍ସବରେ ବେଦୀ ବାନ୍ଧିବା, ପୁରୋହିତେ ଆସି ପଞ୍ଚଦେବତାଙ୍କୁ ପୂଜା କରିବା, ନାନ୍ଦିମୁଖୀ ଶ୍ରାଦ୍ଧ ଦେବା, ଗଣ୍ଠିଆଳ ବାନ୍ଧିବା, ଯୌତୁକ ଦେବା, ପଶାଖେଳ, ପୁଷ୍ପଶଯ୍ୟା, ଚତୁର୍ଥୀ ଦିବସ ପାଳନ ଓ ଅଷ୍ଟମଙ୍ଗଳା ବିଧି ଆଦି ଏହି ପାଲାମାନଙ୍କରେ ପରିଲକ୍ଷିତ ହୁଏ । ବିଦ୍ୟାଧର ପାଲା ଓ ମର୍ଦ୍ଦଗାଜୀ ବିଭାପାଲାରେ ଏ ସବୁର ବର୍ଣ୍ଣନା ବିସ୍ତୃତ ଭାବରେ ରହିଛି ।

 

ବିଦ୍ୟାଧର ପାଲା –

 

ପଞ୍ଚ ଦେବତାୟ ପୂଜି ଆନନ୍ଦିତ ମନେ,

ନନ୍ଦିମୁଖୀ ଶ୍ରାଦ୍ଧ ରାଜା କରିଲ ତଖନ,

ପୁରୋହିତ ନାମ ଗୋତ୍ର କରେ ଉଚ୍ଚାରନ,

କୁଶଗ୍ରନ୍ଥି ଦିୟା ବିପ୍ର କରିଲ ବନ୍ଧନ ।

ଗଇଣ୍ଠାଲ ବାନ୍ଧି ଦିଲା ହରିଦ୍ରାର ଧୋତି,

ମୁକୁଟ ବାନ୍ଧିୟା ବାମେ ବସେ ତାରାବତୀ,

ଶଙ୍ଖେ ଦିଲ୍‌ ଦିୟା ରାଜା ସମର୍ପଣ କରେ,

କତରତ୍ନ ଯଉତୁକ ଦିଲ ରାଜା ତାରେ ।’’

 

(ଙ) ଲୋକବିଶ୍ୱାସ :

ଅପୁତ୍ରିକକୁ ଆଣ୍ଠୁକୁଡ଼ା କହି ସମସ୍ତେ ତାକୁ ଘୃଣା କରିଥାନ୍ତି । ତା ମୁହଁ ଚାହିଁଲେ ଅଶୁଭ ବୋଲି ଲୋକ-ବିଶ୍ୱାସ ରହିଛି । ଏହାର ଦୃଷ୍ଟାନ୍ତ ରହିଛି ବିଭିନ୍ନ ପାଲାରେ ।

 

‘‘ତାରା ବୋଲେ ଶୁନ ଆରେ ହୀରାଧର ହାଡ଼ି,

ରାଜା ତୁମାର ଆଣ୍ଠୁକୁଡ଼ା ରାନୀ ଆଣ୍ଠୁକୁଡ଼ି ।

କାଲି ଅପୁତ୍ରିକ ମୁଖ ନା ଦେଖି ନୟନେ,

ପିଣ୍ଡଦାନ ଦିଆଁ ତୁଷ୍ଟକର ପିତୃଗାନେ ।।

ଅପୁତ୍ରିକ ନା ଦେଖି ନୟନେ,

ପିଣ୍ଡଦାନ ଦିଆଁ ତୁଷ୍ଟକର ପିତୃଗାନେ ।

ଅପୁତ୍ରିକ ଦେଖି ଯେହୁ ଦିଏ ପିଣ୍ଡଦାନ,

ସେହି ପିଣ୍ଡଦାନ ପିତୃ ନ କରନ୍ତି ପାନ ।’’

(ପଦ୍ମଲୋଚନ ପାଲା)

 

ଆଣ୍ଠୁ କୁଡ଼ାକୁ ଦେଖିଲେ କେବଳ ଅଶୁଭ ନୁହେଁ, ତାର ଜିନିଷ ଗ୍ରହଣ କଲେ ବା ଖାଇଲେ ସେ ଏକଶହ ଜନ୍ମ ପର୍ଯ୍ୟନ୍ତ ଅପୁତ୍ରିକ ହୁଏ ବୋଲି ବିଶ୍ୱାସ ରହଛି ।

 

‘‘ଆଣ୍ଠୁକୁଡ଼ା ମାଲମତା ଯେଉଁ ଜନ ଖାଏ,

ସେହୁ ଅପୁତ୍ରିକ ହଏ ଶତ ଜନ୍ମଯାଏ ।

ଆଣ୍ଠୁକୁଡ଼ା ମୁଖ ବାରେ ଯେଇ ଜନ ଦେଖେ,

ତାର ପିତୃ ମାତୃ ସବେ ପଡ଼େ ନର୍କେ ଦୁଃଖେ ।’’

 

(ଚ) ଅଳଙ୍କାର :

ନାରୀର ଭୂଷଣ-- ଅଳଙ୍କାର । ଏହି ଅଳଙ୍କାର ବର୍ଣ୍ଣନା ପ୍ରସଙ୍ଗରେ ସେ ଯେଉଁ ଅଳଙ୍କାର ମାନ ଉଲ୍ଲେଖ କରିଛନ୍ତି, ତାହା ଓଡ଼ିଆମାନେ ବ୍ୟବହାର କରିଥାନ୍ତି । ମନୋହର ଫାଶ୍ୟାରା ପାଲାର ରଙ୍ଗଲତାର ବେଶ ବର୍ଣ୍ଣନା ପ୍ରସଙ୍ଗରେ କବିକର୍ଣ୍ଣ ଲେଖିଛନ୍ତି –

 

‘‘ନାକେଦିଲ ନାକଚଣା ଗୋ,

ରୁଆବସା ଦଣ୍ଡି ଗୁଣା ଗୋ,

କର୍ଣ୍ଣେ ରଞ୍ଜେ ଫିରଫିରା ଗୋ

ନାଗରୀଙ୍କ ମନହରା ଗୋ,

ଗଳେ ଶୋହେ ଚାପସରି ଗୋ,

ଅଷ୍ଟ ଅଳଙ୍କାର ଭରି ଗୋ,

ବାହେ ବାନ୍ଧେ ବାଜୁବନ୍ଧ ଗୋ,

ତାଡ଼ ଡଉଁରିୟା ବିଦ ଗୋ ।

କମ ଚୁଡ଼ି ଶୋହେ ହାତେ ଗୋ,

ଋତ୍ନ ମୁଦି ଅଙ୍ଗୁଷ୍ଠିତେ ଗୋ ।

କଟିରେ ତା’ର କିଙ୍କିଣୀ ଗୋ,

ବାଜୁଥାଇ କିଣି କିଣି ଗୋ ।’’

 

‘ବିଦ୍ୟାଧର ପାଲା’ରେ ବିଦ୍ୟାଧରୀ ନାରୀ ପୋଷାକ ପିନ୍ଧିଲାବେଳେ ସେ ଯେଉଁ ଅଲଂକାରମାନ ପିନ୍ଧିଛି, କବିକର୍ଣ୍ଣ ତାହାକୁ ଏହିପରି ପ୍ରକାଶ କରିଛନ୍ତି –

 

‘‘ହାତେ ଦିଲ ରତ୍ନ ଚୁଡ଼ି ଗୋ

କର୍ଣ୍ଣେ ଦିଲାକା ପଝଡ଼ି ଗୋ,

ଗଲେ ଦିଲ ଚାପସରୀ ଗୋ,

ନାସାରେ ବସନି ପରି ଗୋ

ବାହେ ବାଜୁବନ୍ଧି ଦିଆ ଗୋ,

ଅଙ୍ଗୁଲେ ମୁଦି ପରିୟା ଗୋ ।’’

 

(ଛ) ଲୋକବାଣୀ :

 

ଓଡ଼ିଶାର ପୁରପଲ୍ଲୀରେ ପ୍ରଚଳିତ ଲୋକ-ବାଣୀ ମଧ୍ୟ ଏଥିରେ ସ୍ଥାନ ପାଇଛି । କଥା କହିବାର ଭଙ୍ଗୀ ସଂପୂର୍ଣ୍ଣ ଭାବରେ ଓଡ଼ିଶାର । ଯଥା –

 

‘‘ମାଆ ବୋଲେ ପୁତ୍ର ତୁମି କି ଲାଗି ଶୋଇଁଆ,

ନାଦା ଓ ଉତ୍ତର କେନ ମୋର ମାଥା ଖାଆ ।’’

 

(କ) ଲୋକ ବାଦ୍ୟ :

ଢୋଲ, ଶଙ୍ଖ, ମହୁରୀ, ହୁଳୁହୁଳି ଓଡ଼ିଶାର ସୁପରିଚିତ ଲୋକ ବାଦ୍ୟ । ବିଭିନ୍ନ ଉତ୍ସବରେ ବା ଆନନ୍ଦମୟ ପରିବେଶ ଉପଲକ୍ଷେ ଏହା ବାଦନ କରାଯାଏ । ବିଭିନ୍ନ ପାଲାରେ ବିଶେଷତଃ ବିବାହ, ଶିଶୁଜନ୍ମ ପ୍ରଭତି କ୍ଷେତ୍ରରେ ଏହି ବାଦ୍ୟ ସବୁ ବାଦନ କରାଯାଇଛି । ଦୃଷ୍ଟାନ୍ତ ସ୍ୱରୁପ -

 

‘‘ଶଂଖ, ଘଣ୍ଟା, ହୁଳହୁଳି ଦିବେ କୁତୁହଲେ,

ସବେ ମିଲି ହରି ଶବ୍ଦ କରି କୋଲାହଲେ ।’’

(ଉଗ୍ରତାରା ପାଲା)

 

ଏହି ସମସ୍ତ ବିଶ୍ଲେଷଣପରେ କେତୋଟି କଥା ସୁସ୍ପଷ୍ଟ ହୁଏ । ଯଥା –

୧)

ଓଡ଼ିଶାର ଲୋକ-ସଂସ୍କୃତିରେ ଷୋଳପାଲା ଏକ ବିଶିଷ୍ଟ ଭୁମିକା ଗ୍ରହଣ କରିଛି ।

୨)

ଓଡ଼ିଶାର ସାମାଜିକ ଚଳଣି, ପ୍ରଥା ଏହି ପାଲାମାନଙ୍କରେ ପ୍ରତିଫଳିତ ହୋଇଛି ।

୩)

ଓଡ଼ିଆଣୀ ଅଳଙ୍କାରର ବର୍ଣ୍ଣନା ଏହି ପାଲାମାନଙ୍କରେ ରହିଛି ।

୪)

ଏହି ପାଲାରେ କେବଳ ହିନ୍ଦୁ ଓ ମୁସଲମାନ ଧର୍ମର ମଧୁର ସମନ୍ୱୟ ଘଟିଛି ତାହା ନୁହେଁ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ଏପରିକି ପୂଜାବିଧିର ଅବଦାନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ-

୫)

ଓଡ଼ିଆର ପ୍ରାଚୀନ କାବ୍ୟରୀତି ଚୌପଦୀ, ତ୍ରିପଦୀ, ଡୁହା, ପହଳି, ପୟାର ଓ ନବାକ୍ଷରୀବୃତ୍ତ ପ୍ରଭୁତିର ପ୍ରଚଳନ ଏହି ପାଲାମାନଙ୍କରେ ହୋଇଛି ।

୬)

ଓଡ଼ିଆ, ବଙ୍ଗଳା,ଉର୍ଦ୍ଦୁ, ଇଂରାଜୀ ଓ ଅପଭ୍ରଂଶ ବା କଥିତ ଶବ୍ଦ ଏହି ପାଲା ଗୁଡ଼ିକରେ ଗ୍ରହଣ କରାଯାଇଛି । କିନ୍ତୁ ଓଡ଼ିଆ ଭାଷାକୁ ଅଗ୍ରାଧିକାର ଦିଆଯାଇଛି ।

୭)

ଏହି ପାଲାଗୁଡ଼ିକରେ ଉତ୍କଳୀୟଭାବ (ଦେବତା, ସ୍ଥାନ ଓ ଭାଷା ଶିକ୍ଷା ପ୍ରସଙ୍ଗରେ ସୁସ୍ପଷ୍ଟ ।

୮)

ଓଡ଼ିଆ ଲୋକ-ବାଣୀ ଓ ଓଡ଼ିଆ ଲୋକ-ବାଦ୍ୟର ପ୍ରଚଳନ ସ୍ଥଳ ବିଶେଷରେ ପାଲାଗୁଡିକରେ ପରିଦୃଷ୍ଟ ହୁଏ ।

 

କବିକର୍ଣ୍ଣ ଓଡ଼ିଶା ଓ ବଙ୍ଗଳାର ସୀମାଦେଶ ମେଦିନୀପୁରର ଅଧିବାସୀ ହୋଇଥିବାରୁ ଏବଂ ଓଡ଼ିଆ ଲୋକ-ସଂସ୍କୃତି ପ୍ରସଙ୍ଗରେ ପ୍ରଚୁର ଧାରଣା ଥିବାରୁ ସେ ସବୁକୁ ବିଭିନ୍ନ ପାଲାରେ ରୂପାୟିତ କରିଛନ୍ତି ଏବଂ ସେଇଥିପାଇଁ ଓଡ଼ିଶାର ଜନଜୀବନରେ ‘ଷୋଳପାଲା’ ଏପର୍ଯ୍ୟନ୍ତ ମଧ୍ୟ ପୂଜାବିଧି ଓ ସଙ୍ଗୀତାନୁଷ୍ଠାନ ମଧ୍ୟରେ ବଞ୍ଚି ରହିଛି ।

 

ଏବର ଠିଆପାଲା ବା ପାଲା ନାମରେ ଯେଉଁ ଲୋକ-ନାଟ୍ୟ ପ୍ରଚଳିତ, ତାହା ଏହି ଷୋଳପାଲାର ଏକ କ୍ରମ-ବିକଶିତ ରୂପ । ଏହିସବୁ ଦୃଷ୍ଟିକୋଣରୁ ବିଚାର କଲେ ଓଡ଼ିଆ ଲୋଲ-ସଂସ୍କୃତିରେ ଷୋଳପାଲାର ଅବଦାନ ଅବିସ୍ମରଣୀୟ ।

***

 

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟରେ ‘କୃଷକ’

ଜାନକୀ ବଲ୍ଲଭ ମହାନ୍ତି (ଭରଦ୍ୱାଜ)

 

ଓଡ଼ିଶାର ସଭ୍ୟତା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି କୃଷି । ସ୍ୱଧୀନତା ଲାଭ ପର୍ଯ୍ୟନ୍ତ କୃଷିପ୍ରଧାନ ରାଜ୍ୟ ଓଡ଼ିଶାରେ ଯନ୍ତ୍ରଶିଲ୍ପର ବିକାଶ ହୋଇପାରି ନ ଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ । ‘ଜନ୍ମେ କୃଷିକାରୀ’ ସିଦ୍ଧେଶ୍ୱର ପରିଡ଼ା, (ସାରଳା ଦାସ)ଙ୍କ ଯୋଗୁ ହିଁ ଓଡ଼ିଆ ସାହିତ୍ୟର ମୂଳଦୁଆ ସୁଦୃଢ଼ ହୋଇଛି । ମାତ୍ର ପ୍ରାଚୀନ ଓ ମଧ୍ୟକାଳୀନ କବିଗଣ ପ୍ରାଚୀନ ଭାରତୀୟ ସାହିତ୍ୟାଦର୍ଶର ଅନୁଗାମୀ ଥିବାରୁ ସେମାନେ କୃଷକ ଜୀବନକୁ ଉପଜୀବ୍ୟ କରି କାବ୍ୟ କବିତା ରଚନାରେ ବୀତସ୍ପୃହ ଥିବା ଜଣାଯାଏ । ଓଡ଼ିଆ ଲୋକ-ଗୀତରେ ହିଁ କେବଳ ଆମେ କୃଷକ ଜୀବନର ଯତ୍‌ସାମାନ୍ୟ ଚିତ୍ର ଦେଖିବାକୁ ପାଇଁଥାଉ । ବିଗତ ଶତାବ୍ଦୀର ଶେଷ ପାଦରେ, ବିଶେଷତଃ ନଅଁଙ୍କ ଦୁର୍ଭିକ୍ଷର ପରଠାରୁ ହିଁ ଓଡ଼ିଆ ସାହିତ୍ୟରେ କୃଷକର ଅବସ୍ଥା ଚିତ୍ରଣ ଆରମ୍ଭ ହୋଇଅଛି । କହିବା ଅନାବଶ୍ୟକ, ଓଡ଼ିଶାରେ ଇଂରେଜ ଶାସନ ପ୍ରବର୍ତ୍ତିତ ହେବା ଫଳରେ ଓଡ଼ିଶାର କୃଷକମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା । ମାତ୍ର ସେ ଯୁଗର ପ୍ରମୁଖ କବିଦ୍ୱୟ ପାଶ୍ଚାତ୍ୟ ରୋମାଣ୍ଟିକ ଚେତନା ଦ୍ୱାରା ଅଧିକ ପ୍ରଭାବିତ ହେବା ଫଳରେ ସେମାନଙ୍କ ନୂତନ ରୀତିରେ ଲିଖିତ କାବ୍ୟ କବିତାରେ କୃଷକର ଜୀବନ ଉପେକ୍ଷିତ ହୋଇପଡ଼ିଥିଲା । ଏହି ଯୁଗର କବିମାନେ କୃଷକ ଜୀବନକୁ ଏକ ଆଦର୍ଶବାଦୀ ଦୃଷ୍ଟିରୁ ହିଁ ଦେଖିଥିଲେ । କୃଷକ ଜୀବନର ଦୁଃଖ ଦୁର୍ଦ୍ଦଶା ପରିବର୍ତ୍ତେ ସେମାନେ କୃଷକ ଜୀବନରେ କେବଳ ପ୍ରତ୍ୟକ୍ଷ କରିଥିଲେ ସଦ୍‌ଗୁଣ ଓ ସୌନ୍ଦର୍ଯ୍ୟ ! ଭକ୍ତକବି ମଧୁସୂଦନ ଏଣୁ ସରଳ କୃଷକର ଚିତ୍ତାକାଶ ସର୍ବ୍ରଦା ଉଜ୍ଜ୍ୱଳ ବୋଲି ବର୍ଣ୍ଣନା କରି ଲେଖିଥିଲେ –

 

ଛାଡ଼ି ବନ୍ଧୁ ନଗର ଚହଳ

ଯିବା ଚାଲ ଯେଉଁ ସ୍ଥାନେ ଗୋପାଳ କୃଷକମାନେ

ଆନନ୍ଦେ କାଟନ୍ତି ଦିନ ସୁଖେନ୍ଦୁ ବିମଳ

ଯାହାଙ୍କର ଚିତ୍ତାକାଶ ସର୍ବଦା ଉଜ୍ଜ୍ୱଳ । (ଶରତ ପ୍ରଭାତ)

 

ସନ୍ଧ୍ୟାରେ ତଥା ହେମନ୍ତ ଋତୁରେ କୃଷକ ଆନନ୍ଦରେ ଗୀତ ଗାଇ ଘରକୁ ଫେରୁଥିବା ବିଷୟ ମଧ୍ୟ କବି ବର୍ଣ୍ଣନା କରି ଲେଖିଛନ୍ତି –

 

‘‘ହଳ କାମ ସାରି ଚଷା ମହା ଆନନ୍ଦରେ

ନାନା ରଙ୍ଗେ ଗୀତ ଗାଇ ବାହୁଡ଼ଇ ଘରେ ।’’

‘’ପକ୍ୱଶାଳି ପୂର୍ଣ୍ଣ କେଦାର ଦେଖି କୃଷକ ଗଣେ

ଗୀତ ଗାଇ ଶସ୍ୟ କାଟନ୍ତି ଅତି ପ୍ରଫୁଲ୍ଲ ମନେ

ଖଳା କରି ଗ୍ରାମ ସୀମାରେ ଧାନ ଅମଳ କରି

ଗୃହକୁ ନିଅନ୍ତି ଆନନ୍ଦେ ବିଭୁ ଦୟା ସୁମରି’’

 

ଆଧୁନିକଯୁଗର ଅନ୍ୟତମ ନିର୍ମାତା ଫକୀରମୋହନଙ୍କ ରଚନାବଳୀରେ ହିଁ ଆମେ ସର୍ବପ୍ରଥମେ ତତ୍‌କାଳୀନ ଓଡ଼ିଆ କୃଷକର ଯଥାର୍ଥ ରୂପ ଦେଖିବାକୁ ପାଇଥାଉଁ । ରାଧାନାଥ ଓ ମଧୂସୂଦନଙ୍କ ଅପେକ୍ଷା ଫକୀରମୋହନ ଥିଲେ ଅଧିକ ବାସ୍ତବ ସଚେତନ ଓ କୃଷକ ଜୀବନ ସହ ଅଧିକ ଘନିଷ୍ଠ । ଏଣୁ ‘ଉତ୍କଳ କୃଷକ’ କବିତାରେ ସେ ତତ୍‌କାଳୀନ କୃଷକର ବାସ୍ତବ ଜୀବନ ଓ ଅବସ୍ଥାକୁ ଯଥାଯଥ ଭାବେ ବର୍ଣ୍ଣନା କରି ଲେଖିଥିଲେ –

 

‘ମଳିନ ବସନ ଖଣ୍ଡେ ଆଣ୍ଟୁ ଲୁଚୁ ନାହିଁ

ଧନ କାହିଁ ଲୁଗା ଖଣ୍ଡେ କିଣ ପିଲା ପାଇଁ ?

ଧୂଳିରେ ଧୂସର ପିଲାଗୁଡ଼ିକ ଉଲଙ୍ଗ

କି କଥା ବୋଲିବି ଅବା ଗୃହିଣୀ ପ୍ରସଙ୍ଗ ।’

 

କୃଷକ ଗୃହିଣୀ ମଧ୍ୟ ପାଣି କାଦୁଅରେ ସ୍ୱାମୀ ସହ କାମ କରେ, ବିଲ ବାଛେ । ଏକମାତ୍ର ‘ବଳଦ ହଲକ ହିଁ ତା’ର ସାହା ସାଥୀ ବନ୍ଧୁ,’ ଇନ୍ଦ୍ର ଦେବତା ହିଁ ତାର ଭରସା ! ଯାହା ବା ସେ ଫସଲ ଅମଳ କରେ, ସେଥିରୁ ଅଧିକ ଅଂଶ ସାହୁକାର ଘରକୁ ଯାଏ । ବହୁ କଷ୍ଟରେ କୃଷକକୁ ଜୀବନଯାତ୍ରା ଚଳାଇବାକୁ ପଡ଼ିଥାଏ । କବିଙ୍କ ଭାଷାରେ –

 

‘ଆନନ୍ଦ ଉତ୍ସବ ତୋତେ କିଛି ନାହିଁ ଜଣା

ସମାଜର ନିମ୍ନ ଶ୍ରେଣୀ ମଧ୍ୟେ ତୋ ଗଣନା ।

ଜଗତକୁ ଦେଇ ଅନ୍ନ ଆପେ ଉପବାସୀ

ଦୁଃଖ ସୁଖ କେହି କେବେ ନ ପଚାରେ ଆସି ।’

 

କୃଷକକୁ ସମାଜ କରୁଥିବାରୁ କବି ଖେଦୋକ୍ତି ପ୍ରକାଶ କରି ଲେଖିଥିଲେ –

 

‘କୃଷକ ତ କରେ ନାହିଁ ବକ୍ତୃତା ରଚନା

କେ କରିବ ତାହା କଥା କିମ୍ପାଇ ଭାବନା ।’

 

ସେ ସମୟରେ ଇଂରେଜ ସରକାର ଚଳାଇଥିବା ‘ପ୍ରଜାସତ୍ତ୍ୱ ଆଇନ’ ଯେ କୃଷକ ପକ୍ଷେ ଅହିତକର ଏହା ବର୍ଣ୍ଣନା କରି କବି ଲେଖିଥିଲେ –

 

‘ସରକାର ବାହାଦୂର କଲେ ଦୟା ଭାରି

ପ୍ରଜାତତ୍ତ୍ୱ ଆଇନଟା କରି ଦେଲେ ଜାରି

କୃଷକର ବଢ଼ିଗଲା ଗୋଟାଏ ଜୀବିକା

ରେଜେଷ୍ଟରୀ ଅଫିସରେ ଜମି କିଣା ବିକା ।’

 

ସେ ସମୟରେ ଓଡ଼ିଶାରେ ବ୍ୟବସାୟକୁ ଅଣ-ଓଡ଼ିଆ ଲୋକମାନେ ଅଧିକାର କରିଥିବାରୁ ଓଡ଼ିଶାର ଅର୍ଥନିତି ଦୁର୍ବଳ ହୋଇ ପଡ଼ିଥିଲା । ଚାଷକୁ ନିର୍ଭର କରୁଥିବା ଓଡ଼ିଆମାନେ ଅଣ-ଓଡ଼ିଆଙ୍କ ଶୋଷଣରୁ ମୁକ୍ତ ନ ଥିଲେ । କବିଙ୍କ ଭାଷାରେ –

 

‘ଓଡ଼ିଆ କାଟିବେ ଧାନ ଚଷି ଚଷି ମାଟି

ମାତ୍ରକ ଖାଇବେ ରସ ତହୁଁ ଗୁଜରାଟୀ ।’

(ଉତ୍କଳ ଭ୍ରମଣ)

 

ଫକୀରମୋହନଙ୍କ ପରବର୍ତ୍ତୀ କବି ଗଙ୍ଗାଧର ମେହେର କୃଷି ଓ କୃଷକ ଜୀବନର ମହତ୍ତ୍ୱ ଉପଲବ୍‍ଧି କରିପାରିଥିଲେ । ତାହାଙ୍କ ରଚିତ ‘କୃଷି ସଙ୍ଗୀତ’ ଏହାର ପ୍ରକୃଷ୍ଟ ନିଦର୍ଶନ । ତାହାଙ୍କ କବି-ମାନସ ପ୍ରାଚୀନ ଗ୍ରାମୀଣ କୃଷି-ସଭ୍ୟତାରୁ ରସ ଆହରଣ କରି ପରିଦୃଷ୍ଟ । ଏଣୁ ସେ କୃଷକର କଲ୍ୟାଣ କାମନାରେ ଏହି ଉପଦେଶାତ୍ମକ, ଶିକ୍ଷାପ୍ରଦ କବିତାଗୁଚ୍ଛ ରଚନା କରିଥିଲେ । ଚଣା, ଗହମ, କନ୍ଦମୂଳ, ପିଆଜ, କପାଠାରୁ ଆରମ୍ଭ କରି ବ୍ରହ୍ମାଙ୍କର ଧାନ ‘ବିହୁଡ଼ା’ ‘କୃଷକ ସଙ୍ଗୀତ’, ‘ଅନ୍ନର ମହିମା’, ‘କୃଷକର ଆତ୍ମକଥା’, ‘ଗୋ ବିଳାପ’ ପର୍ଯ୍ୟନ୍ତ କୃଷି ଓ କୃଷକ ସମ୍ପର୍କୀୟ ବହୁ କବିତା ରଚନା କରି ସେ ଆପଣା ସ୍ୱାତନ୍ତ୍ର୍ୟର ପରିଚୟ ଦେଇଯାଇଅଛନ୍ତି । କବିତାରାଜ୍ୟର ଏପରି ଆପାଂକ୍ତେୟ ତୁଚ୍ଛ ବିଷୟକୁ ଅବଲମ୍ବନ କରି ତନ୍ମଧ୍ୟରେ କବିତ୍ୱ ସମ୍ପାଦନ କରିବାରେ ଗଙ୍ଗାଧରଙ୍କ ଲେଖନୀର ବୈଶିଷ୍ଟ୍ୟ ସୁସ୍ପଷ୍ଟ ।

 

ସମ୍ବଲପୁର ଅଞ୍ଚଳରେ ପୌଷ ପୂର୍ଣ୍ଣମୀ କୃଷକମାନଙ୍କର ଏକ ବିଶିଷ୍ଟ ପର୍ବ ଭାବରେ ପାଳିତ ହୁଏ । ଏହା କୃଷି-ବର୍ଷର ଶେଷଦିନ ଭାବେ ଗୃହୀତ । ଏହି ଉପଲକ୍ଷେ କୃଷକମାନଙ୍କ ଗୃହରେ ପିଠାପଣା ଓ ଆନନ୍ଦ ଉତ୍ସବ ହୋଇଥାଏ । କବି ବ୍ରଜମୋହନ ପଣ୍ଡାଙ୍କ ଏହି ଉପଲକ୍ଷେ ଏକ କବିତା ରଚନା କରି କୃଷକ ଜୀବନର ମହତ୍ୱ ଦର୍ଶାଇ ଲେଖିଥିଲେ ।

 

‘‘ଧନ୍ୟ ଧନ୍ୟ ତୁହି କୃଷକ

ଧନ୍ୟ ତୋର ଜୀବନ

ତୋହି ଯୋଗୁଁ ଏକା ଭାରତ ।’’

ଧରିଅଛି ଜୀବନ ।’’

 

ପଲ୍ଲୀମାଳିନୀ ଓଡ଼ିଶାର ପଲ୍ଲୀଜୀବନର ସଫଳ ଚିତ୍ରକର ହେଉଛନ୍ତି ନନ୍ଦକିଶୋର ବଳ । ପଲ୍ଲୀର ପ୍ରକୃତି, ଜୀବନଧାରା ଓ କୃଷକଜୀବନକୁ ଉପଜୀବ୍ୟ କରି ସେ ବହୁ କବିତା ରଚନା କରିଅଛନ୍ତି । କୃଷକ ଜୀବନର ମହତ୍ୱ ଦର୍ଶାଇବା ସଙ୍ଗେ ସଙ୍ଗେ ସେ ତାହାର ଦୁଃଖ ଦୁର୍ଦ୍ଦଶାର ଚିତ୍ର ମଧ୍ୟ କବିତାରେ ଉପସ୍ଥାପନ କରିଅଛନ୍ତି । କୃଷକର ମହତ୍ତ୍ୱ ଦର୍ଶାଇ ସେ ଲେଖିଛନ୍ତି –

 

‘‘ଧନ୍ୟ ଧନ୍ୟ କୃଷକରେ ତୋତେ

ଖଟି ଖଟି ପୋଷୁଅଛୁ ମୋତେ

ହେୟ ତୋତେ ମଣେ ଯେହୁ ଅବଶ୍ୟ ନିର୍ମମ ସେହୁ

ତା’ର ଗର୍ବେ ସଂସାରର କି ଲାଭ ହୋଇବ

ତୋ ବିହୁନେ ଏ ସଂସାର କ୍ଷଣେ ନାଶଯିବ ।’’

(ପଲ୍ଲୀଚିତ୍ର---୨ୟ ଦୃଶ୍ୟ)

 

‘ଉତ୍କଳ କୃଷକ’ ଶୀର୍ଷକ କବିତାରେ ସେ ଉପଦେଶ ଛଳରେ କୃଷକ ତାର ସ୍ୱଲ୍ପ–ସନ୍ତୋଷ-ମନୋବୃତ୍ତି ପରିତ୍ୟାଗ କରି ଉଚ୍ଚାଭିଳାଷୀ ହେବା ଉଚିତ ବୋଲି ଲେଖି ଅଛନ୍ତି –

 

କିନ୍ତୁ ଏ କୃଷକ ସର୍ବଦା ସମାନ

ଶାଗଭାତ ଗଣ୍ଡା ଖାଇ

ଅଢ଼େଇ ଦିନକୁ ବଢ଼େଇ ଚାତର

ଦୁଃଖୀ କୃଷକର ନାହିଁ ।

 

ପାର୍ବଣ ଅବକାଶରେ ପଲ୍ଲୀର ଦୁଃଖୀ ବାଳକ ବାଳିକାଙ୍କୁ ଦେଖି ସେ ଯେପରି ଦୁଃଖରେ କାତର ହୋଇଛନ୍ତି (ପାର୍ବଣ ପ୍ରଭାତ ସଂଗୀତ) ସେହିପରି ଦୁଃଖୀ କୃଷକର ସୁନ୍ଦର ସଂସାର ଦେଖି ଆନନ୍ଦାଭିଭୂତ ହୋଇ ଲେଖିଛନ୍ତି –

 

‘‘ସୁନ୍ଦର ସଂସାର ସେହି ଦୁଃଖୀ –କୃଷକର

ଆଜ୍ଞାଦେଲା ଗୁରୁ ଚିତ୍ର ପରାଣେ ମୋହର ।

ବିଚାରିଲି ଏ ପ୍ରକୃତି ହେଲେହେଁ ସୁନ୍ଦର

ନୁହେଁ କି ମାନବ ଗୃହ ମନୋହରତର ?’’

ପ୍ରକୃତି ଓ ସମାଜ (ପ୍ରଭାତ ସଙ୍ଗୀତ)

 

ନନ୍ଦକିଶୋଙ୍କ ସମକାଳୀନ କବି ପଦ୍ମଚରଣଙ୍କ ‘ପଲ୍ଲୀ କୃଷକ’ ଏକ ସାର୍ଥକ କବିତା । ଏହି ଦୀର୍ଘ କବିତାରେ କବି ପଲ୍ଲୀ କୃଷକର ଯଥାର୍ଥ ରୂପକୁ ସଫଳତାର ସହିତ ଉପସ୍ଥାପିତ କରିଅଛନ୍ତି । କୃଷକକୁ ସେ ଭାବପ୍ରବଣତାର ସହିତ କେବଳ ଆଦର୍ଶାନ୍ୱିତ ବା ସୌନ୍ଦର୍ଯ୍ୟସଂପନ୍ନ ରୂପେ ନ ଦେଖି ତାହାର ଯଥାର୍ଥ ସ୍ଥିତିକୁ ପର୍ଯ୍ୟାଲୋଚନା କରିଅଛନ୍ତି । କବିତାଟି ପାଞ୍ଚଗୋଟି ପର୍ଯ୍ୟାୟରେ ନିବଦ୍ଧ । ପ୍ରଥମ ପର୍ଯ୍ୟାୟରେ କବି ସରଳ ନିଷ୍କପଟ ପଲ୍ଲୀ କୃଷକକୁ ଦେଖି ‘ହେ ପଲ୍ଲୀ କୃଷକ ସରଳ ସୁନ୍ଦର, ତୋତେ ଦେଖି ପୁରିଯାଏ ମୋ ଅନ୍ତର’ ଲେଖିଥିଲେ ହେଁ ୨ୟ ପର୍ଯ୍ୟାୟରେ ବହୁ ବ୍ୟକ୍ତିଙ୍କ ଦ୍ୱାରା ଘୋଷିତ, କର ଭାରରେ ନିପୀଡ଼ିତ, ଅବହେଳିତ କୃଷକର ଦୁଃଖକୁ ବିଚାରକରି ଲେଖିଛନ୍ତି – ‘ତୋ ଦୁଃଖେ ବ୍ୟଥିତ ହୁଏ ମୋ ଅନ୍ତର’ ।

 

‘‘କିଏ ତୋହ ପରି ଖଟି ବାରମାସ

ବରଷେ ନ ମାସ ରହେ ଉପବାସ ?’’

କୃଷକର ଦୁରବସ୍ଥା ବର୍ଣ୍ଣନା କରି ସେ ପୁନଶ୍ଚ ଲେଖିଛନ୍ତି –

‘‘ବୁଣୁ କାଟୁ ଧାନ କରୁ ତା ଅମଳ

କୁହୁକେ ଯାଏ ତା ଲଂଘିଣ ସାଗର ।’’

 

ପରାଧୀନତା ଯୋଗୁ ଯେ ଉତ୍କଳ-କୃଷକ ଏପରି ଚରମ ଦୁଃଖ ଦୁର୍ଦ୍ଦଶାର ସମ୍ମୂଖୀନ ହୋଇଛି, ଏହି ଐତିହାସିକ ସତ୍ୟକୁ ପ୍ରଥମ କରି ଦେଶବାସୀଙ୍କୁ ଶୁଣାଇଛନ୍ତି କବି ପଦ୍ମଚରଣ ପଟ୍ଟନାୟକ । ଏହି ଦୃଷ୍ଟିରୁ କବିତାଟି ଅନନ୍ୟ । କୃଷକର ଦୂରବସ୍ଥା ବର୍ଣ୍ଣନା ଅବକାଶରେ କବି ଅତୀତ ଉତ୍କଳର ବୀର କୃଷକସେନାର ଶୋର୍ଯ୍ୟ ସ୍ମରଣ କରୁଛନ୍ତି ଓ ଦୁର୍ଭାଗ୍ୟବଶତଃ ଉତ୍କଳର କୃଷକ ସମାଜର ବିପର୍ଯ୍ୟୟ ଉପସ୍ଥିତ ହୋଇଥିବା ବିଷୟ ବର୍ଣ୍ଣନା କରିଅଛନ୍ତି । କୃଷକମାନଙ୍କର ପୁନଶ୍ଚ ଉତଥାନ ହେବା-ଏପରି ଆଶା ପୋଷଣକରି କବି କବିତାର ଉପସଂହାର କରି ଲେଖିଛନ୍ତି:-

 

‘‘ସବୁକାଳ ଭାତ ନ ଯାଏ ସମାନ

ପଡ଼ିଛୁ ତୁ ଦିନେ ହେବ ତୋ ଉତ୍‌ଥାନ ।’’

 

କବିଙ୍କ ଅଭିଳାଷ ସାର୍ଥକ ହୋଇଛି । ଭାରତର ରାଜନୈତିକ ଇତିହାସରେ ଆବିର୍ଭୂତ ହୋଇଛନ୍ତି ଚାଷୀମୂଲିଆର ବନ୍ଧୁ ମାହାତ୍ମାଗାନ୍ଧୀ । ବିଦେଶୀ ଶାସନ କାଳରେ ଅତ୍ୟାଚାରିତ ଶୋଷିତ କୃଷକର ଦୂରବସ୍ଥାର ଅପନୋଦନ ଲାଗି ସେ ଯେପରି ସାହସିକ ପଦକ୍ଷେପ ନେଇଥିଲେ, ତାହାର ପଟାନ୍ତର ନାହିଁ । ତାହାଙ୍କ ନେତୃତ୍ୱ ଫଳରେ ଭାରତର କୃଷକ ସମାଜର କଲ୍ୟାଣ ସାଧିତ ହୋଇଛି । ଭାରତର ବୁଦ୍ଧିଜୀବୀ ଓ ରାଜନୈତିକ କର୍ମୀମାନଙ୍କର ଦୃଷ୍ଟି କୃଷକ ସମାଜ ପ୍ରତି ଆକୃଷ୍ଟ ହୋଇଛି । ପରିବର୍ତ୍ତିତ ହୋଇଛି ଜାତୀୟ କଂଗ୍ରେସର ଆଭିମୂଖ୍ୟ । ଭାରତର ପ୍ରାନ୍ତୀୟ ତଥା ଉତ୍କଳୀୟ କବି ଓ ଲେଖକମାନଙ୍କ ଦୃଷ୍ଟିଭଙ୍ଗୀରେ ସୃଷ୍ଟି ହୋଇଛି ପରିବର୍ତ୍ତନ । ଏହାର ପ୍ରତିଫଳିତ ଆମେ ଗୋପବନ୍ଧୁ, କୁନ୍ତଳାକୁମାରୀ, ଗୋଦାବରୀଶ, ନୀଳକଣ୍ଠ, ବୀରକିଶୋର, ବାଞ୍ଛାନିଧି ପ୍ରଭୁତି କବିମାନଙ୍କ ରଚନାବଳୀରେ ଦେଖିବାକୁ ପାଇଥାଉ । ଗୋପବନ୍ଧୁ କାରାକକ୍ଷରେ ମଧ୍ୟ ଓଡ଼ିଆ କୃଷକର ଶ୍ରୀହୀନ ଦୟନୀୟ ସ୍ମରଣ କରି ବିଚଳିତ ହୋଇ ଲେଖିଛନ୍ତି –

 

‘‘କେତେ କେତେ ଚାଷୀ କେତେ ଭଲ ଲୋକ

ନ ପାନ୍ତି ଦି’ ବେଳା ପେଟପୁରା ଢୋକ ।

ଥିଲେ ଯେହୁ ମଲ୍ଲ ଉତ୍କଳ ସୈନିକ

ପାଇକ ପ୍ରଧାନ ମାଗୁଛନ୍ତି ଭିକ ।

ଦେହେ ନାହିଁ ମାଂସ ଦୋହଲୁଛି କଣ୍ଟା

ଅନାହାରେ ଆହା ନ ଉଠଇ ଅଣ୍ଟା’’

(ବନ୍ଦୀର ଆତ୍ମକଥା)

 

ନୀଳକଣ୍ଠ ଇଂରାଜୀ କବି ସେଲିଙ୍କ ଏକ କବିତାର ମର୍ମାନୁବାଦ ଛଳରେ ରଚନା କରିଥିଲେ ‘ଚଷାପୁଅ ପ୍ରତି’ କବିତା (ପ୍ର.ପ୍ର--ସତ୍ୟବାଦୀ ୫ମ ଖଣ୍ଡ, ୩ୟ -୪ର୍ଥ ସଂଖ୍ୟା) ଏହାର ଶେଷ ଦୁଇପଦ ଏହିପରି –

 

‘ହେଉ ଯାହାହେବ                         ଦେଖାଯିବ ପଛେ

ସେହି ତନ୍ତ ସେହି ଲଙ୍ଗଳ ଧରି

ସେହି ଦାଆ କୋଡ଼ି                        ଦୃଢ଼େ ଧରି ହାତେ

କର୍ମେ ପଶ ବିଭୁ ପରାଣେ ସ୍ମରି

ସେ କରମେ ତବ                         କୀରତି ମନ୍ଦିର

ଉଠିବ ଲଇଁବେ ବଂଚକେ ତହିଁ

ନ ହେଲେ ଶ୍ମଶାନ                         ହେବ ଜନ୍ମଭୂମି

କରମେ ବିମୁଖ ନହୁଅ ଭାଇ ।’

 

କୁନ୍ତଳାକୁମାରୀ ଥିଲେ ସମାଜ-ସଚେତନ; ମାହାତ୍ମାଗାନ୍ଧୀଙ୍କ ଅସହେଯାଗ ଆଦର୍ଶରେ ଆନୁପ୍ରାଣୀତ । କୃଷକ ଜୀବନର ମହତ୍ତ୍ୱକୁ ସ୍ୱୀକାର କରିବା ସଙ୍ଗେ ସଙ୍ଗେ ସେ ସେମାନଙ୍କ ଦୁଃଖ ଦୁର୍ଦ୍ଦଶାରେ ଗଭୀର ବ୍ୟଥା ଅନୁଭବ କରିଛନ୍ତି । କୃଷକ ପକ୍ଷେ ଖଜଣା ଦେବା ସମ୍ଭବ ହୋଇ-ପାରେନାହିଁ । ଏଣୁ ସେ ଧାର କରଜ କରିବାକୁ ବାଧ୍ୟ ହୁଏ । ଟଙ୍କା ଶୁଝିବା ଲାଗି ବିଦେଶକୁ ଯାଇ କୁଲି କାମକରେ । କୃଷକର ଭାବନା ଛଳରେ କବି କୃଷକକୁ ଆପଣା କୃଷିକ୍ଷେତ୍ରକୁ ଫେରିଯିବାକୁ ଉଦ୍‍ବୋଧନ ଦେଇଛନ୍ତି –

 

‘ନିଜ ସୁନା ଖଳା ଭୁଇଁକି ଫେରିଯିବି ଏଥର

ଚାଷ ବାସ କରି ସୁଖରେ ପୁଣି କରିବି ଘର ।’

କୃଷକ ପୁଅ

 

ଅନ୍ୟ ଏକ କବିତାରେ କବି ଶୁଣାଇଛନ୍ତି ଆଶାର ସ୍ୱର-

 

‘ଦିନ ଖରା ରାତି କାକର ସହି ତୁ

 

ବିଲେ କେତେ କାମ କରିଛୁ

ମହାଜନ ଦାଉ ଟିକସ ଜ୍ୱାଳାରେ

 

ନିତି ନିତି ଆୟୁ ସାରିଛୁ

ଦୀର୍ଘ ହତାଶ ନିଃଶ୍ୱାସ ତୋର

 

ଆଉ ନ ମିଶିବ ମାଟିରେ

ଦେଢ଼ କୋଟି ଆଜି ଉଠିବେ ଓଡ଼ିଆ

 

ଜଡ଼ତାର ମୋହ କାଟିରେ ।’

ପୁରୁଣା ଓଡ଼ିଆ (ସ୍ଫୁଲିଙ୍ଗ)

 

ତାହାଙ୍କ ‘ଓଡ଼ିଆଙ୍କ କାନ୍ଦଣା’ ଓ ଗଡ଼ଜାତ କୃଷକ କବିତାଗୁଚ୍ଛରେ କୃଷକ ଜୀବନ ପ୍ରତି ଗଭୀର ସହାନୁଭୂତି ପ୍ରକଟିତ । କୃଷକ ଓ ଶ୍ରମିକ ଜୀବନର ବହୁ କରୁଣ ଚିତ୍ରର ପ୍ରତିଫଳନ ଦେଖିବାକୁ ମିଳେ ବିପ୍ଲବୀ କବି ଗୋଦାବରୀଶ ମହାପାତ୍ରଙ୍କ କବିତାରେ । ଗ୍ରାମର କୃଷକ ଅଭାବରେ ପଡ଼ି ବିଦେଶ ଯାଏ । କେବେ କେବେ ତା’ର ପତ୍ନୀ ମଧ୍ୟ ସେହିପରି ସ୍ୱାମୀକୁ ଅପେକ୍ଷା କରି ଶେଷରେ କୁଶିକ୍ଷାରେ ପଡ଼ି କୁପଥଗାମିନୀ ହୋଇଥାଏ । ଏହିପରି ଅକସ୍ମାତ ବିଦେଶୀ ସ୍ୱାମୀ ବିଦେଶରେ ତା’ର ପତ୍ନୀକୁ ଫେରିପାଇ ସ୍ୱଗ୍ରାମକୁ ଫେରିଛି ।

 

‘‘ଗାଆଁ ବିଲ ବାଡ଼ି             ଫସଲ ଉଜୁଡ଼ି ହୋଇଲା ପଦା

ବରଷକୁ ନାହିଁ             ଖାଇବା ଅଧା

କି ଅସୁବିଧା

ଯାହା କଲା ଦିନେ ଆମ ଗାଁ ସଦା ।

 

ଫେରିଲା ସଦେଇ କଲିକତା ଯାଇ ବରଷ ଘରେ

କନକବତୀ ତା’ ଫଛରେ ଚାଲେ

ଲାଜରେ ମରେ

କବିର କବିତା ଏଇଠି ସରେ ।

(ଆମ ଗାଁ ସଦା –କଣ୍ଟା ଓ ଫୁଲ)

 

ମାହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ଜାତୀୟ କବି ବୀରକିଶୋର ଓ ବାଞ୍ଛାନିଧିଙ୍କ କବିତାରେ କୃଷକ ଜୀବନର ଦୁଃଖାନୁଭୂତିର ଚିତ୍ରଣ ସହ ସେମାନଙ୍କୁ ବିପ୍ଲବୀ ହେବାଲାଗି ଆହ୍ୱାନ ସୁସ୍ପଷ୍ଟ –

 

‘‘ଚାଷୀ କାରିଗର ପ୍ରାଣ ରକ୍ଷାକର

 

ଆଜି ଫୁଲ ପାଣି ସିଞ୍ଚି ଦେଇ

ଅଚିରେ ଧରଣୀ ସରଗ ସାଜିବ

 

କଳି ଚାଲି ଯିବ ବଳି ପାଇ ।’’

‘‘ଚାଷ ଲାଗି ବଡ ଆମ ଭାରତ

 

ଚାଷୀ ରକ୍ଷା କରେ ପୃଥ୍ୱୀ ମହତ

ଉଧାଇ ନ ପାରେ ଚାଷ ତା’ ଦାଉରେ

 

ଦିନୁ ଦିନ ଦେଖ ଯାଏ ଜଳି ।

କଳ ଘର ନୁହେଁ କଳି ଘର ଭାଇ

 

କଳ ଲାଗି ସିନା ଯାବତ କଳି ।’’

 

ଇଂରାଜୀ ନବ୍ୟ ରୋମାଣ୍ଟିକ ଆଦର୍ଶରେ ଅନୁପ୍ରାଣୀତ ସ୍ୱପ୍ନବାଦୀ, ସୌନ୍ଦର୍ଯ୍ୟସନ୍ଧାନୀ ସବୁଜ ଗୋଷ୍ଠୀର କବିମାନଙ୍କ କାବ୍ୟ ଚେତନାରେ ମଧ୍ୟ ଏହା କମ୍‌ ଆଲୋଡ଼ନ ସୃଷ୍ଟି କରିନାହିଁ । କାଳିନ୍ଦୀ ଚରଣ, ବୈକୁଣ୍ଠନାଥ, ମାୟାଧର ପ୍ରଭୁତି କବିଙ୍କ କେତେକ କବିତାରେ ତାହାର ପ୍ରତିଫଳନ ପରିଲକ୍ଷିତ ହୁଏ । କାଳିନ୍ଦୀଚରଣ ‘ଚାଷୀର ଭାଗ୍ୟ’ କବିତାରେ ବହୁ ଅଭାବ ଅସୁବିଧାଗ୍ରସ୍ତ ଚାଷୀର ମନୋଭାବକୁ ବର୍ଣ୍ଣନା କରି ଶେଷରେ ସେ କିପରି ବିଦ୍ରୋହୀ ହେବାକୁ ପ୍ରଣୋଦିତ ହେଉଛି, ତାହା ସୂଚାଇ ଲେଖିଛନ୍ତି –

 

‘‘ଆପଣା ବରାଦ ଆପେ କରିବାକୁ ହେବ ଆଜି

ଗଲାଣି ସେ ବେଳକାଳ କରିବାକୁ ହାଁଜୀ, ହାଁ ଜୀ ।

କରିବାକୁ ହେବ ରଡି ନାହିଁ ନାହିଁ ନାହିଁ ଯାହା

କରାମତି ଦେଖାଇବ ଖାଲି ଘାସ କଟା ଦାଆ ।’’

(ମହାଦୀପ ପୃ-୯୯)

 

ରୋମାଣ୍ଟିକ କବିମାନଙ୍କ ମଧ୍ୟରୁ ମାୟାଧର ମାନସିଂହଙ୍କ ପଲ୍ଲୀପ୍ରୀତି କୃଷକ ଜୀବନ ପ୍ରତି ସହାନୁଭୂତି ସର୍ବାଧିକ ମନେହୁଏ । ତାହାଙ୍କ ‘ରେଙ୍ଗୁନ ଯାତ୍ରୀ’, ‘ଘରପଶା’, ‘ବିଲ ଲକ୍ଷ୍ମୀ’ କବିତା ବ୍ୟତୀତ ‘ଜେମା’, ‘ଦୁର୍ଭିକ୍ଷ’, ‘କମଳାୟନ’ ପ୍ରଭୃତି କାବ୍ୟରେ କୃଷକ ଜୀବନର ଚିତ୍ର ପ୍ରତିଫଳିତ । ‘ପଲ୍ଲୀ ସନ୍ଧ୍ୟା’ କବିତାରେ ସେ ସଂଧ୍ୟାରେ ଗୃହକୁ ପ୍ରତ୍ୟାଗତ କୃଷକର ଯେଉଁ ଚିତ୍ର ଅଙ୍କନ କରିଛନ୍ତି, ତାହା ଏହିପରି –

 

‘‘କ୍ଲାନ୍ତ ପଦ ଚାଳି ପଗଡ଼ି ଭିଡ଼ି ଶିରେ

ସ୍କନ୍ଧେ ହଳ ଥୋଇ କୃଷକ ଫେରେ ଧୀରେ

ଆଗରେ ଚାଲେ ଧୀରେ ବଳଦ ଦୁଇ ତାର

ଗତି କି ଖର କରେ ଯଷ୍ଠି ମୃଦୁ ଭାର ।’’

 

ରେଙ୍ଗୁନ ଯାଇଥିବା ପୁତ୍ରକୁ ବ୍ୟାକୁଳ ଭାବେ ଅପେକ୍ଷା କରିଥିବା ତା’ର ବୃଦ୍ଧା ଜନନୀ ରାମୀ ଅବଶେଷରେ ରାମୀର କରୁଣ ଅବସ୍ଥା ସମ୍ବଳିତ ଯେଉଁ ପତ୍ରଟି ପାଇଛି, ତାହା ଅତୀବ ନୈରାଶ୍ୟ ଜନକ । ଏହା ‘ରେଙ୍ଗୁନ ଯାତ୍ରୀ’ କବିତାକୁ ମର୍ମସ୍ପର୍ଶୀ କରିଛି । କବିଙ୍କ ‘ଘରପଶା’ କବିତାଟି ସ୍ନେହ-ପ୍ରୀତି-ମମତାବଦ୍ଧ କୃଷକ ଜୀବନର ଏକ ସୁନ୍ଦର ଆଲେଖ୍ୟ । ଗୋକୁଳ ନାୟକ ସାହୁକାରର ଋଣ ଶୁଝିବା ଲାଗି ଆପଣା ଖୁଡ଼ୀ, ପତ୍ନୀ ଓ ନବଜାତ ପୁତ୍ରକୁ ଘରେ ଛାଡ଼ି ବିଦେଶ ଯାଇଛି । ମାତ୍ର ଘରକଥା ମନେ ପଡ଼ିବାରୁ ସେ ସଙ୍ଗେ ସଙ୍ଗେ ଘରକୁ ଫେରି ଆସଛି । ତାକୁ ଦେଖି ଖୁଡ଼ିର ମନ ଆନନ୍ଦରେ ଉଛୁଳି ଉଠିଛି । ଭବିଷ୍ୟତର ସବୁ ଦୁର୍ଯୋଗକୁ ସେ ଭୁଲି ଯାଇଛି ।
 

‘ବତି ଫିଙ୍ଗି ଦେଇ ‘ମୋ ‘ସଂଖାଳି’ ବୋଲି ବୋହୁକୁ ଡାକି

ଗୋକୁଳିର ଦେହ ଆଉଁସି କୋଲେ ତା ଥୋଇଲେ ନାତି ।’

x x x

ମହଲତ ଶେଷେ

ସାହୁକାର ଯେବେ

ଡାକିଲା ହାଙ୍କି

ଭିତରୁ ଖୁଡ଼ୀମା

କହିଲେ ସେଦିନ

ଉଚ୍ଚରେ ଡାକି

ନେଲେ ନିଅ ପଛେ ବାକି ସାତମାଣ       ନକର ଘଟା

ନ ଭୋଗୁ ମୋ ପିଲା ପାଞ୍ଚସାତ ପରି ଏ ହଟହଟା ।’’

 

‘ବିଲଲକ୍ଷ୍ମୀ’ କବିତାରେ ଧାନ କଟା ପରେ ଦିନା ପଧାନ ମନ ଖୁସିରେ କଳେଇ ବାନ୍ଧବା ବେଳେ ତା’ର ପୁଅ ତାକୁ ବାକି ଖଜଣା ଶୁଝା ହୋଇ ନଥିବା ବିଷୟ ଚେତାଇ ଦେଇଛି । ଏହା ପରେ ପଧାନଙ୍କ ପ୍ରତିକ୍ରିୟାକୁ ସୂଚନାତ୍ମକ ରୀତିରେ କବି ଏଥିରେ ଚିତ୍ରଣ କରଅଛନ୍ତି ।

 

ଦରଦୀ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ମଧ୍ୟ କୃଷକ ଜୀବନ ସମ୍ବଳିତ ବହୁ କବିତା ରଚନା କରିଅଛନ୍ତି । କୃଷକ ଜୀବନର କର୍ମପ୍ରବଣତା, ସରଳତା ପ୍ରତି ଶ୍ରଦ୍ଧା ଜଣାଇବା ସଙ୍ଗେ ସଙ୍ଗେ କୃଷକ ଭଳି ଜୀବନଯାପନ ତାହାଙ୍କ ପକ୍ଷେ ସମ୍ଭବ ହୋଇ ପାରିନଥିବାରୁ ସେ ଖେଦୋକ୍ତି ପ୍ରକାଶ କରି ଲେଖିଛନ୍ତି –

 

ଏମାନଙ୍କ ପାଇଁ ସିନା ପୃଥିବୀରେ ସୁନାର ଫସଲ

ଏମାନଙ୍କ ପାଇଁ ସିନା ପୃଥିବୀର କଣ୍ଠେ ଜାଗେ ଗାନ

xx xx xx xx

କୃଷକ ବାଳକ ପରି ଦିନ ଶେଷ ଗୀତ ଗାଇ ଗାଇ

ଗୋଟିଏ ନିମେଷ ମୋର ବିତିଲା ତ ନାଇଁ ।

ଗୋଟିଏ ପଉଷ ସନ୍ଧ୍ୟା –(ରୁପାୟନ ପୃ-୬୫)

 

କବି କୃଷକ ମେଳରେ ହିଁ ରହିବାକୁ ଚାହିଁଛନ୍ତି –

 

‘‘ଯେ ମାଟି ଉପରେ ଚଷା ରୂଣ ଭାର ସହି

ଘର ଛାଡି ବୁଲେ ସାହୁର ନିର୍ଯ୍ୟାତନେ

ନୟନେ ଲୋତକ ବକ୍ଷେ ବେଦନା ବହି

ଏ ଧରଣୀ ପରେ ଗଣାହୁଏ ନାହିଁ ଜଣେ ।’’

 

ଜୀବନ ପଥ (ଅମୃତ ଧାରା ପୃ ୨୦)

 

ଏକ କୃଷକ ବଧୂର ଆତ୍ମକଥନ ଛଳରେ କବି ରଚନା କରିଛନ୍ତି ‘ନୟନ ଲୁହ ନୟନ କଣେ ଭରି’ ଶୀର୍ଷକ ଏକ କରୁଣ ରସସିକ୍ତ କବିତା । ମଡ଼କ ଯୋଗୁ ସେ ଶ୍ୱଶୁର ଓ ସ୍ୱାମୀଙ୍କୁ ହରାଇଛି । ସାହୁକାର ତାର ଘରଡ଼ିହ ଦଖଲ କରିନେଇଛି । ବିଚରା ଶେଷକୁ ସେ ଶିଶୁପୁତ୍ର ସହ ଭିକାରୁଣୀ ଭାବେ ଅନ୍ୟ ଗ୍ରାମରେ ବୁଲିଛି । ତାର ଏକମାତ୍ର କାମନା – ତା’ର ଶିଶପୁତ୍ରଟି ଯେପରି ବଞ୍ଚିରହୁ ।

‘ପିଲାଟି ମୋର ଜୀବନେ ଥାଉ ନ ପଡ଼ୁ ପରମାଦ

ଭିକାରୁଣୀର ଭାଗ୍ୟେ ଦିଅ ସେତିକି ପରସାଦ ।’

ଅମୃତ ଧାରା ପୃ-୨୯

 

କୃଷକ ଜୀବନ ସାରା ଶସ୍ୟ ଉତ୍ପାଦନ କରି ଦିନେ ସଂସାରରୁ ବିଦାୟ ନିଏ । ତାକୁ ସ୍ମରଣ କରିବାକୁ କେହି ତା’ ଲାଗି ସମାଧି ଗଢ଼ିବା ବିଷୟ ଭାବନ୍ତି ନାହିଁ । ମାତ୍ର ସମାଧି ଗଢ଼ାଯାଏ ଧନ ଲୁଣ୍ଠନକାରୀ, ପୀଡ଼ନକାରୀ ଧନିକର । ଏହି ବୈଷମ୍ୟକୁ ‘କବି କୃଷକ’ ସମାଧି କବିତାରେ ଦର୍ଶାଇ କୃଷକକୁ ସମ୍ମାନ ଦେବା ଯେ ସମାଜର କର୍ତ୍ତବ୍ୟ ଏହା ଚେତାଇ ଦେଇଛନ୍ତି –

 

‘‘ସତୁରି ବରଷ ବୃଦ୍ଧ କୃଷକ ଏଇ ମାଟିପରେ ହୋଇଛି ପୋଡ଼ା

ତାହା ପାଇଁ କିଏ ଭାଳିନି ନିମେଷେ ସମାଧି ଦେଉଳ ହୋଇନି ତୋଳା ।

xx xx xx

ସମ୍ମାନ ଦିଅ ଗୌରବ ଦିଅ ସ୍ମୃତି ମନ୍ଦିର ନଥାଉ ତା’ର

ଏ ଜାତି ବୀଣାରେ ତା’ ଜୀବନ ଗୀତି ଫୁଟୁଥିବ କୋଟି ବରଷ କାଳ ।’’

 

କୁଞ୍ଜବିହାରୀ ଦାସଙ୍କ ବହୁ କବିତାରେ ମଧ୍ୟ କୃଷକ ପ୍ରତି ସହାନୁଭୂତିର ସ୍ୱର ଶୁଣିବାକୁ ମିଳେ । କୃଷକ କର୍ମକୁ ହିଁ ଏକମାତ୍ର ଧର୍ମ ମନେକରେ ଓ ଆନୁଷ୍ଠାନିକ ଦେବପୂଜା କରିବାରେ କିପରି ନିଜକୁ ନିୟୋଜିତ କରିପାରିନଥାଏ ତାହା ‘ଶ୍ରମିକର ଭଗବାନ’ କବିତାରେ କବି ବର୍ଣ୍ଣନା କରିଛନ୍ତି –

 

‘‘ହା ହୁତାଶ ହୋଇ ଉଦର ମୋହର ଜଳେ

କାମବେଳେ ମୁହିଁ ନିଜକୁ ତ ଭୁଲିଯାଏ

ତୁମ କଥା କେବେ ଭାବିବାକୁ ମୋର

ଅବସର ନାହିଁ ଥାଏ ।’’

(ନବମାଳିକା, ପୃ-୭୩)

 

କୃଷକ ମାଟି ସଙ୍ଗେ ମାଟି ହୋଇ ମିଶେ । ତା’ରି ଶ୍ରମରେ ଖାଦ୍ୟ ଉତ୍‌ପାଦିତ ହୁଏ । ମାତ୍ର କୃଷକର ଦୁର୍ଭାଗ୍ୟ, ସେ ରହେ ଦୁର୍ବଳ, ଶୀର୍ଣ୍ଣ । କବିଙ୍କ ଭାଷାରେ –

 

‘‘ନଅଁଙ୍କ, ମଡ଼କ, ମହାମାରୀରେ ପଡ଼େ ସିଏ ଆଗେ ବଳି । ଯୁଦ୍ଧର ପହିଲି ବୋମା ତା’ରି ଉପରେ, ଉଠେ ଆଗ ଜଳି । ସବୁ ଶାସକ ତା’ର ମହତ୍ତ୍ୱ ଥାନ୍ତି ଗାଇ, ବୁଝନ୍ତି ନାହିଁ କେବେ ତା’ର ମର୍ମକଥା – ଚିର ସାଥୀ ତାର ଦରିଦ୍ରତା । ବୋହୁଥାଏ ଲୁହ, ଫୁଟି ଦିଶେ ଏ ଅନ୍ଧାରେ ତା’ର ଯୁଝିଲା ଦିହରେ ଏକ କାନ୍ଦୁରା ମୁହଁ ‘’

ଦୁଇଟି ମୁହଁ (ଅପରାହ୍ମର କେତୋଟି ସ୍ୱର,ପୃ ୨୩)

 

ହଳିଆ ଗୀତରୀତିରେ ମଧ୍ୟ ସେ ହଳିଆର ଅନୁଭୂତିକୁ ଲେଖିଛନ୍ତି – ଲେଖିଛନ୍ତି ଶୋଷଣ ବିରୁଦ୍ଧରେ କୃଷକ କିପରି ଆଜି ସମୁଦ୍ୟତ –

 

‘‘ଆରେ ହେଉ ସେ ସାହାବ ନବାବଙ୍କର ନାତି

ଅନାଚାର କଲେ ସହିବା ନାହିଁ ଆଉ

ଆମେ ବସୁଧା ମାଟି ଜ୍ଞାତିରେ

ଆରେ ବସୁଧା ମାଟି ଜ୍ଞାତି ଡରିବା କାହିଁପାଇଁ

ଡରି ତ ଏତେ ଦଶା

ମାଟିଝାଟି ଘରକୁ ତାଟି ଯେ ଲୋକହସା ।’’

 

ସଚ୍ଚିରାଉତରାୟଙ୍କ ‘ପଲ୍ଲୀଶ୍ରୀ’ କବିତାଗୁଚ୍ଛରେ ପଲ୍ଲୀଜୀବନର ଶ୍ରୀମୟ ତଥା ଶ୍ରୀହୀନ-ଦ୍ୱିବିଧ ରୂପ ପ୍ରକଟିତ । କହିବା ଅନାବଶ୍ୟକ, ଏମାନଙ୍କ ମଧ୍ୟରୁ ଅଧିକାଂଶ ପଲ୍ଲୀକୃଷକ ଜୀବନର ହିଁ ଚିତ୍ର । ଅଭାବର, ତାଡ଼ନାରେ କୃଷକ ଦମ୍ପତି କିପରି ଗ୍ରାମର ପ୍ରିୟ କୃଷି କ୍ଷେତ୍ର ଓ ଗୃହର ମାୟାକୁ ପରିତ୍ୟାଗ କରି ବିଦେଶ ଯାଆନ୍ତି, ତାହା ‘ରେଙ୍ଗୁନ୍‌’ ଯାତ୍ରୀ କବିତାରେ କବି ବର୍ଣ୍ଣନା କରିଅଛନ୍ତି । କୃଷକ ଜୀବନ ସମ୍ବଳିତ କବିଙ୍କର ଅନ୍ୟତମ ସାର୍ଥକ କବିତା ହେଉଛି ‘ଜମିଦାରଙ୍କ ଷଣ୍ଢ’ । ସଦେଇ ଜେନା ବହୁ ଆଶା ନେଇ ସକାଳୁ ଆପଣା ଜମିରୁ ଧାନ କାଟିବାକୁ ଯାଇ ଦେଖିଛି, ତା’ର ପାଚିଲା ଧାନକ୍ଷେତଟି ସଂପୂର୍ଣ୍ଣ ଉଜୁଡ଼ି ଯାଇଛି ‘ଗୋଟିଏ ହେଲେ ଧାନ ନାହଁଟି ଆଉ ତହିଁ ’ । ଅଦୂରରେ ଜମିଦାରଙ୍କ ଷଣ୍ଡକୁ ଦେଖି ସେ ବୁଝିପାରିଛି କିଏ ତା’ର ଏକମାତ୍ର ସମ୍ବଳ, ବହୁ ଦିନର ଶ୍ରମର ପରିଣାମ ଏଇ ସୁନାର ଧାନକ୍ଷେତକୁ ଏପରି ହତଶ୍ରୀ କରିଦେଇଛି । ଷଣ୍ଢକୁ ମାରିବା ଲାଗି ପଥର ଉଠାଇଲେ ବି ତାହାର ପରିଣତି ବିଷୟ ଭାବି ତା’ ହାତରୁ ପଥର ଖସି ପଡ଼ୁଛି । ଦୁଃଖ ଓ ନୈରାଶ୍ୟରେ ଘରକୁ ଫେରି ସେ ଶୁଣିଛି- ତା’ର ନେତ ଗାଈ ପଘା ଛିଣ୍ଡାଇ ଜମିଦାର ସାଆନ୍ତଙ୍କ ବାଡ଼କୁ ଭାଙ୍ଗି ଦେଇଥିବାରୁ ସେ ତାକୁ କାଁଜିହତା ପଠେଇ ଦେଇଛନ୍ତି । ଗରିବ କୃଷକ ଧନୀ ଜମିଦାରଙ୍କ ଷଣ୍ଢ ଦ୍ୱାରା କିପରି ନିର୍ଯ୍ୟାତିତ ହୋଇଥାଏ, ନିଷ୍ଫଳ କ୍ରୋଧରେ କିପରି ହନ୍ତସନ୍ତ ହୁଏ, ଏହା ତାହାର ଏକ ମାର୍ମିକ ଚିତ୍ର ।

 

କବି ବିଦ୍ୟୁତପ୍ରଭାଙ୍କ କବିତାବଳୀରେ ମଧ୍ୟ ପଲ୍ଲୀଧର୍ମିତା ପରିଲକ୍ଷିତ ହୁଏ । କୃଷକର ଦୁଃଖରେ ସେ ସମବେଦନା ଜଣାଇ କେତେକ କବିତା ରଚନା କରିଛନ୍ତି । ବନ୍ୟା ଯୋଗୁ କୃଷକର କ୍ଷେତ କିପରି ଉଜୁଡ଼ି ଯାଏ, ଦୈନ୍ୟ ଓ ଅଭାବର ତାଡ଼ନାରେ କିପରି ସେ କୁଲି କାମ କରିବାକୁ ବିଦେଶ ଯାଏ, ତାହା ତାହାଙ୍କ କଲିକତା କୁଲି କବିତାରେ ବର୍ଣ୍ଣିତ । ସ୍ୱାଧୀନତା ପରବର୍ତ୍ତୀ କାଳରେ ମଧ୍ୟ କୃଷକ ଶୋଷଣମୁକ୍ତ ହୋଇପାରିନାହିଁ ଓ ତା’ର ଆଶାନୁରୁପ ଉନ୍ନିତ ହୋଇ ପାରିନାହିଁ ବୋଲି ଖେଦୋକ୍ତି ପ୍ରକାଶ କରିଛନ୍ତି କବି ରାଧାମୋହନ ଗଡ଼ନାୟକ ।

 

‘‘ପଙ୍ଗପାଳର ଅତ୍ୟାଚାରରେ

ସୁନାର ଫସଲ ହେଉଛି ଶେଷ

ଅକାଳେ ମରୁଛି ଚାଷୀ ମଜଦୂର

ଦଗ୍‌ଧ ହେଉଛି ଆମ ଏ ଦେଶ ।’’

(ଆଜି ଏ ରୂପାର ଜୟନ୍ତୀରେ)

 

ସ୍ୱାଧୀନତା ଲାଭ ପରେ କୃଷକ ଅବସ୍ଥାର କ’ଣ ସତରେ ପରିବର୍ତ୍ତନ ହୋଇନାହିଁ ? ଏହା ଏକ ବିଚାର୍ଯ୍ୟ ବିଷୟ । ନୁତନ କୃଷି ପଦ୍ଧତିର ଅନୁସରଣ, ଯାନ୍ତ୍ରିକ ଉପକରଣ ଓ ଉପାଦାନର ଉପଯୋଗ, ଅଧିକ ଶସ୍ୟ ଉତ୍‌ପାଦନ ଫଳରେ ସ୍ୱାଧିନତା ପରବର୍ତ୍ତୀ କାଳରେ କୃଷକ ଜୀବନରେ ଉଲ୍ଲେଖଯୋଗ୍ୟ ପରିବର୍ତ୍ତନ ଘଟିଛି । ସେମାନଙ୍କ ମଧ୍ୟରେ ଶିକ୍ଷାର ପ୍ରସାର ଘଟିଛି, – ଏହାକୁ ଅସ୍ୱୀକାର କରାଯାଇ ନ ପାରେ । ତଥାପି ଏ ଯୁଗର କୃଷକ ଜୀବନରେ ମଧ୍ୟ ନାନାବିଧ ଦୁଃଖ ଓ ନୂତନ ସମସ୍ୟା ସୃଷ୍ଟି ହୋଇଛି । ମାତ୍ର ନମ୍ରତାର ସହିତ କୁହାଯାଇପାରେ ଯେ ସାଂପ୍ରତିକ କାବ୍ୟ କବିତାରେ ଏହା ଯଥାଯଥ ଭାବେ ପ୍ରତିଫଳିତ ହୋଇପାରିନାହିଁ । ସାଂପ୍ରତିକ କବିମାନଙ୍କ ମଧ୍ୟରୁ ଅଧିକାଂଶ ନାଗରିକ ଜୀବନ ସହ ଅଧିକ ସଂପୃକ୍ତ ଓ ଆପଣାର ବ୍ୟକ୍ତିଗତ ସମସ୍ୟା ବିଷୟରେ ଅଧିକ ସଚେତନ; କୃଷକର ଜୀବନଧାରା ସହ ସେମାନଙ୍କ ଯୋଗସୂତ୍ର ମଧ୍ୟ ଶିଥିଳ । ସମ୍ଭବତଃ ଏହି କାରଣରୁ ସମକାଳୀନ ପରୀକ୍ଷାଧର୍ମୀ କବିତାରେ କୃଷକ ଜୀବନର ଚିତ୍ର (ନୈରାଶ୍ୟର ଅଥବା ନୂତନ ସମ୍ଭାବନାର) ବିରଳ କୁହାଯାଇପାରେ ।

 

ଜୟଦେବ ନଗର,

ଭୁବନେଶ୍ୱର

***

 

WITH BEST COMPLIMENTS FROM :

Unknown

ଓଡ଼ିଶା ଖଣି ନିଗମ ଲିମିଟେଡ୍‌

(ଓଡ଼ିଶା ସରକାରଙ୍କ ସଂସ୍ଥା)

ଭୁବନେଶ୍ୱର

ସ୍ଥାପିତ : ୧୯୫୬, ରେଜିଷ୍ଟାର୍ଡ଼ ଅଫିସ୍‌-ଭୁବନେଶ୍ୱର

ଉତ୍ତୋଳନ

ବିକ୍ରୟ

୧.

ଲୁହାପଥର ଖଣ୍ଡ ଓ ଗୁଣ୍ଡ ।

୨.

ସମସ୍ତ ଶ୍ରେଣୀୟ ମାଙ୍ଗାନିଜ ପଥର ।

୩.

ସମସ୍ତ ଶ୍ରେଣୀୟ ତ୍ରୋମ ପଥର ।

୪.

ଚିନାମାଟି ।

୫.

ଫ୍ଲାୟାର କ୍ଲେ ପ୍ଲାଷ୍ଟିକ୍‌ ଓ ଅଣ-ପ୍ଲାଷ୍ଟିକ୍‌।

୬.

ଟିଣ ପଥର ।

୭.

ଗେଟି ପଥର ।

ଅର୍ଥନୈତିକ

ବାଣିଜ୍ୟିକ

କାର୍ଯ୍ୟକ୍ରମ

୧.

ପ୍ରାୟ ୧୫ ନିୟୁତ ଟନ ଖଣିଜ ପଦାର୍ଥ ଉତ୍ପାଦନ ।

୨.

ପ୍ରାୟ ୧୦ ନିୟୁତ ଟନ ଖଣିଜ ଦ୍ରବ୍ୟ ରପ୍ତାନୀରୁ ବିଦେଶୀ ମୁଦ୍ରା ଅର୍ଜନ ।

୩.

ପ୍ରାୟ ୫ନିୟୁତ ଟନ ଖଣିଜ ପଦାର୍ଥର ଆଭ୍ୟନ୍ତରୀଣ ବିକ୍ରୟ ।

୪.

ପ୍ରାୟ ୧୧ କୋଟି ୩୦ ଲକ୍ଷ ଟଙ୍କା ମୋଟ ଉପାର୍ଜନ ।

ଭିତ୍ତିକ

*

ଅଷ୍ଟ୍ରିଆ ଭୋୟେଷ୍ଟ ଆଲପାଇନ ଓ ଫିନ୍‍ଲ୍ୟାଣ୍ଡର ଅଟୋ କୁମ୍ପୁ ସହାୟତାରେ

ଶିଲ୍ପ ପ୍ରତିଷ୍ଠା

*

କେନ୍ଦୁଝରର ବ୍ରାହ୍ମଣୀପାଲିପାଳଠାରେ ବାର୍ଷିକ ୫୦ ହଜାର ଟନ୍‌ ଉତ୍ପାଦନକ୍ଷମ ଚାର୍ଜକ୍ରୋମ କାରଖାନା ପ୍ରତିଷ୍ଠା ।

 

*

ସୁକିନ୍ଦ। ଉପତ୍ୟକାରେ କ୍ରୋମସହାୟକ କାରଖାନା ପ୍ରତିଷ୍ଠା ।

 

*

ଚିନାମାଟି ଧୂଲେଇ ପ୍ରକଲ୍ପ ।

ଆମର

ନୂତନ ଖଣି

ପ୍ରକଳ୍ପ ପ୍ରତିଷ୍ଠା

ଆଭିମୁଖ୍ୟ

 

ମାଣିକ ପଥର

 

ବକ୍‌ସାଇଟ୍‌

 

ଗ୍ରାଫାଇଟ

 

ମନୋରମ ପଥର

କେବଲ-ଓର୍‌ମିନ୍‌କରପ

ଟେଲେକସ-୦୬୭୫-୨୦୧

ଟେଲିଫୋନ୍‌୫୨୨୦,୫୨୩୭୦

୫୨୨୯୩, ୫୪୩୨୨, ୫୨୯୨୫

 

 

 

 

 

 

 

 

 

 

 

 

 

ଓଡ଼ିଶାରେ ରାଧାମାଧବ ଉପାସନା

ଡକ୍ଟର ଲକ୍ଷ୍ମଣ କୁମାର ପଣ୍ଡା

 

‘ଗୀତଗୋବିନ୍ଦ’ ପ୍ରଣେତା ଅମରକବି ଜୟଦେବଙ୍କ ଆବିର୍ଭାବ ସମୟରେ ପ୍ରବଳ ପରାକ୍ରାନ୍ତ ଗଙ୍ଗ ସମ୍ରାଟମାନଙ୍କ ପୃଷ୍ଠପୋଷକତାରେ ଓଡ଼ିଶାରେ ବୈଷ୍ଣବ ଧର୍ମର ବିଶେଷ ଅଭ୍ୟୁଦୟ ଘଟିଥିଲା । ସେ କାଳରେ ଜୟଦେବଙ୍କ ନିଜ ଜନ୍ମଭୂମି ପୁରୀ ଜିଲ୍ଲା ପ୍ରାଚୀନଦୀ ତଟବର୍ତ୍ତୀ କେନ୍ଦୁବିଲ୍ୱ ଗ୍ରାମର ଚର୍ତୁଦିଗରେ ନାରିକେଳ-ତାଳ-ପୂଗ -ପନସ ପୁନ୍ମାଗ-ଆମ୍ର-ବକୁଳ ଉପବନ ସମୂହର ସୁନୀଳ, ସୁଶାନ୍ତ ଓ ଶାନ୍ତିପ୍ରଦ ପରିବେଶ ମଧ୍ୟରେ ପୂର୍ଣ୍ଣ ଅଙ୍ଗ ସୌଷ୍ଠବ, ଐଶ୍ୱର୍ଯ୍ୟ ଓ ଗୌରବରେ ଦଣ୍ଡାୟମାନ ଦେବାଳୟଗୁଡ଼ିକରେ ଅପୂର୍ବ କାରୁକାର୍ଯ୍ୟମଣ୍ଡିତ ବହୁ କମନୀୟ ତଥା ଚିତ୍ତାକର୍ଷକ ମାଧବ ବିଗ୍ରହ ଧର୍ମପ୍ରାଣ ଜନତା ଦ୍ୱାରା ଅଚଳା ଭକ୍ତି ଓ ଏକାନ୍ତ ନିଷ୍ଠା ସହକାରେ ପୂଜିତ ହେଉଥିଲେ । ସ୍ୱ-ଜନ୍ମଭୂମିରେ ମାଧବ ଉପାସନାର ପବିତ୍ର ପ୍ରଭାବରେ ଅନୁପ୍ରାଣିତ ହୋଇ ‘ଶ୍ରୀକୃଷ୍ଣୈକତାନ’ ଭକ୍ତକବି ଜୟଦେବ ସ୍ୱୀୟ ଅମରକୃତି ଶ୍ରୀ ‘ଗୀତଗୋବିନ୍ଦ’ରେ ପରମାରାଧ୍ୟ ଶ୍ରୀକୃଷ୍ଣ ଓ ଅମିତ ପ୍ରଭାବ ମାଧବ (ବିଷ୍ଣୁ)ଙ୍କ ଅଭେଦତ୍ୱ ପ୍ରତିପାଦନ ପୂର୍ବକ ଭକ୍ତିବିହ୍ୱଳ ଚିତ୍ତରେ ମାଧବଙ୍କ ଗୁଣଗାନ କରଛନ୍ତି । ମାଧବଭକ୍ତିରସାପ୍ଲୂତ ତାଙ୍କ ହୃଦୟରୁ ଶ୍ରୀ ରାଧାକୃଷ୍ଣଙ୍କ ମିଳନ ପ୍ରସଙ୍ଗରେ ସ୍ୱତଃସ୍ପୂର୍ତ୍ତି ଭାବରେ ଝଙ୍କୃତ ହୋଇଛି ---

 

‘‘ମଞ୍ଜୁତର-କୁଞ୍ଜତଳ-କେଲି-ସଦନେ,

ବିଲସ-ରତିରଭସ -ହସିତ -ବଦନେ

ପ୍ରବିଶ ରାଧେ ! ମାଧବ ସମୀପ ମିହ ।’’

 

ଏତଦ୍‌ବ୍ୟତୀତ କବିସମ୍ରାଟ କାଳିଦାସ ପରମ ମାହେଶ୍ୱର ଥାଇ ସୁପ୍ରସିଦ୍ଧ ‘ରଘୁବଂଶ’ ମହାକାବ୍ୟରେ ବିଷ୍ଣୁଙ୍କ ଅବତାର ଶ୍ରୀରାମଙ୍କ ଚରିତ ବର୍ଣ୍ଣନା କଲା ଭଳି, ଭକ୍ତକବି ଜୟଦେବ ଏହି ପ୍ରାଚୀନ ପରମ୍ପରାକୁ ଅନୁସରଣ କରି ମଙ୍ଗଳାଚରଣ ଶ୍ଲୋକରେ ସ୍ୱ ଆରାଧ୍ୟ ଦେବତା ଶ୍ରୀ ରାଧାମାଧବଙ୍କ ସ୍ତୁତିଗାନପୂର୍ବକ ସ୍ୱୀୟ ଅମରକୃତି ‘ଶ୍ରୀ ଗୀତଗୋବିନ୍ଦ’ ରଚନାରେ ପ୍ରବୃତ୍ତ ହୋଇଛନ୍ତି । ‘‘ମେଘୈ ମେଦୁର ......ରାଧାମାଧବୟୋ ର୍ଜୟନ୍ତି ଯମୁନାକୂଳେରହଃ କେଳୟଃ’’ । ଏଥିରୁ ସ୍ପଷ୍ଟ ଅନୂମିତ ହୁଏ ଯେ ସେ ଶ୍ରୀ ରାଧାକୃଷ୍ଣଙ୍କ ଭକ୍ତିମାର୍ଗ ଅବଲମ୍ବନ କରିବା ପୂର୍ବରୁ ମାଧବ ଭକ୍ତ ଥିଲେ । ପରେ ପରେ ‘ଗୀତଗୋବିନ୍ଦ’ ମାଧ୍ୟମରେ ରାଧାକୃଷ୍ଣ ବା ରାଧାମାଧବ ପ୍ରେମଲୀଳା ଓଡ଼ିଶାରେ ଅତି ଲୋକପ୍ରିୟ ହେଲା ଓ ରାଧା ଚରିତ୍ର କ୍ରମେ ଓଡ଼ିଆ ପୁରାଣ, କାବ୍ୟ କବିତାରେ ପ୍ରଧାନ ସ୍ଥାନ ଲାଭ କଲା । ଓଡ଼ିଶାରେ ବୈଷ୍ଣବଧର୍ମର ଉତ୍ପତ୍ତି ଓ କ୍ରମବିକାଶରୁ ଏହା ସହଜରେ ଅନୁଧ୍ୟାନ କରିହେବ ।

 

ଛାନ୍ଦୋଗ୍ୟ ଉପନିଷଦ’ ରେ ଘୋର ଅଙ୍ଗିରସଙ୍କର ଶିଷ୍ୟ ଦେବକୀପୁତ୍ର ଭଗବତ୍‌ ବାସୁଦେବ କୃଷ୍ଣଙ୍କର ଉଲ୍ଲେଖ ମିଳେ । ଭଗବତ୍‌ ବାସୁଦେବ ପ୍ରଚାରିତ ଧର୍ମ ପ୍ରାୟ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ ବେଳକୁ ଉତ୍ତର ଭାରତରେ ଲୋକପ୍ରିୟ ହୋଇପାରିଥିଲା । ସେହି ଧର୍ମର ଅଭିବୃଦ୍ଧି କ୍ରମେ ବାସୁଦେବଙ୍କ ବୈଦିକ ବିଷ୍ଣୁଙ୍କ ସହିତ ଏକ ଓ ଅଭିନ୍ନ ବୋଲି ପ୍ରତିପାଦନ କରାଯାଇଥିଲା । ଖ୍ରୀଷ୍ଟପୂର୍ବକାଳରେ ସେହି ଭାଗବତ୍‌ ବା ବୈଷ୍ଣବ ଧର୍ମ ଉତ୍ତର ଓ ପଶ୍ଚିମ ଭାରତରେ ପ୍ରସାରିତ ହୋଇ ଜନପ୍ରିୟ ହୋଇଥିଲେ ସୁଦ୍ଧା ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀଯାଏ କଳିଙ୍ଗ ଅଞ୍ଚଳକୁ ତାହା ପ୍ରଭାବିତ କରିପାରିନଥିଲା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତକରେ ତତ୍‌କାଳୀନ କଳିଙ୍ଗରେ ରାଜତ୍ୱ କରୁଥିବା ମହାମେଘବାହନ ଖାରବେଳଙ୍କ ସମୟରୁ ଓଡ଼ିଶାରେ ବୈଷ୍ଣବଧର୍ମର ପ୍ରସାର ହୋଇଥିବା ଅନେକ ଐତିହାସିକ ମତ ଦିଅନ୍ତି । କିନ୍ତୁ ସେତେବେଳେ ଏହା ବିଶେଷ ଲୋକପ୍ରିୟ ଥିବାର କୌଣସି ସୂଚନା ମିଳେ ନାହିଁ । ଖାରବେଳଙ୍କ ରାଜତ୍ୱର ବହୁବର୍ଷ ପରେ ଗୁପ୍ତବଂଶୀ ଶାସନରେ ଓଡ଼ିଶାରେ ବୈଷ୍ଣବଧର୍ମ ବିଶେଷ ବିସ୍ତାର ଲାଭ କରିଥିବ ବୋଲି ଅନୁମାନ କରାଯାଏ । ଓଡ଼ିଶାରେ ପ୍ରଚଳିତ ମାଧବ ଉପାସନା ଏହି ବୈଷ୍ଣବ ଧର୍ମର ଏକ ଅଂଶବିଶେଷ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ମଧ୍ୟଭାଗରେ ମାଠରବଂଶ ଶାସନ ପ୍ରତିଷ୍ଠିତ ହେବା ସଙ୍ଗେ ସଙ୍ଗେ କଳିଙ୍ଗରେ ଭାଗବତ୍‌ ବା ବୈଷ୍ଣବ ଧର୍ମର ଅଭ୍ୟୁଦୟ ପରିଲକ୍ଷିତ ହୁଏ । ସେତେବେଳେ କଳିଙ୍ଗରେ ବାସୁଦେବ କୃଷ୍ଣ ବା ବିଷ୍ଣୁଙ୍କର ପୂଜା ଅପେକ୍ଷା ନାରାୟଣଙ୍କର ପୁଜା ବିଶେଷ ଲୋକପ୍ରିୟ ଥିଲା । କ୍ରମେ ବିଷ୍ଣୁ ଓ ନାରାୟଣ ଏକ ଏବଂ ଅଦ୍ୱିତୀୟ ରୂପେ ଗୃହିତ ହେଲେ ଏବଂ ମାଠର ଶାସିତ କଳିଙ୍ଗରେ ଉଭୟଙ୍କ ମଧ୍ୟରେ ପାର୍ଥକ୍ୟ ପରିକଲ୍ପନା ନ ଥିଲା । ଗଙ୍ଗଶାସିତ କଳିଙ୍ଗରେ ମଧ୍ୟ ଗଙ୍ଗାବ୍ଦର ପ୍ରଥମ ଶତାବ୍ଦୀରେ ଏହି ନାରାୟଣ ପୂଜା ବିଶେଷ ଆଦୃତ ହୋଇଥିଲା । ସେଥିପାଇଁ ଗଙ୍ଗ ତାମ୍ରଶାସନମାନଙ୍କରେ ନାରାୟଣଙ୍କୁ ଭଗବତ୍‌ ସପ୍ତାର୍ଣ୍ଣବଶାୟୀ, ସପ୍ତ-ସମୋପଗୀତ ଓ ସପ୍ତଲୋକୈକନାଥ ବୋଲି ବର୍ଣ୍ଣନା କରାଯାଇଛି । ଶୈଳୋଦ୍ଭବ ରାଜା ତୃତୀୟ ମାଧବରାଜ ଟିକ୍‌କାଲି ତାମ୍ରଶାସନରେ ଲକ୍ଷ୍ମୀ (ଶ୍ରୀ) ଙ୍କୁ ନାରାୟଣଙ୍କ ଶକ୍ତି ରୂପେ ପ୍ରକାଶ କରିବା ସଙ୍ଗେ କ୍ଷୀର ସମୁଦ୍ରରେ ମଧୁସୂଦନ ଲକ୍ଷ୍ମୀଙ୍କର ସାମୀପ୍ୟ ଉପଭୋଗ କରୁଥିବା ବର୍ଣ୍ଣନା କରିଛନ୍ତି । ଖୋର୍ଦ୍ଧା ତାମ୍ର ଶାସନରେ ଦ୍ୱିତୀୟ ମାଧବରାଜ ନିଜକୁ ଚକ୍ରଧର ଭଗବାନ ମାଧବଙ୍କ ସହିତ ତୁଳନା କରିଥିବା ଦେଖାଯାଏ । ମାଧବ ଅର୍ଥ ମା’ (ଲକ୍ଷ୍ମୀ)ଙ୍କର ସ୍ୱାମୀ । ସୁତରାଂ ସେ କାଳରେ ନାରାୟଣଙ୍କୁ ମଧୁସୂଦନ ଓ ମାଧବ ନାମରେ ଏବଂ ଲକ୍ଷ୍ମୀଙ୍କୁ ଶ୍ରୀ, ମା, କିମ୍ବା ଶ୍ରୀମା ନାମରେ ଅଭିହିତ କରାଯାଇଥିବା ଅଭିଲେଖମାନଙ୍କରୁ ମିଳେ ।

 

ପୁନଶ୍ଚ ଅନୁଶାସନମାନଙ୍କରୁ ଜଣାଯାଏ ଯେ କେତେକ ଗୁପ୍ରସମ୍ରାଟ ବିଷ୍ଣୁଙ୍କୁ ମଧ୍ୟ ‘ମାଧବ’ ରୂପରେ ପୂଜା ଅର୍ଚ୍ଚନା କରୁଥିଲେ । ଆଦିତ୍ୟ ସେନଙ୍କ ଅଫସଡ୍‌ ଶିଳାଲେଖାନୁସାରେ ଗୁପ୍ତ ସମ୍ରାଟ ମାଧବସେନ ମାଧବ ଭକ୍ତ ଥିବାର ସୂଚନା ମିଳେ । ସେ ସମ୍ରାଟ ହର୍ଷବର୍ଦ୍ଧନ ତଥା କର୍ଣ୍ଣ ସୁବର୍ଣ୍ଣର ରାଜା ଶଶାଙ୍କଙ୍କର ସମସାମୟିକ ଥିଲେ । ସେହି ଶଶାଙ୍କଙ୍କର ଅଧୀନରେ ପ୍ରାଚୀନ କଙ୍ଗୋଦ ମଣ୍ଡଳ ବା ବର୍ତ୍ତମାନର ଗଞ୍ଜାମ ଜିଲ୍ଲାର ଉତ୍ତରାଂଶ ଓ ପୁରୀଜିଲ୍ଲାର ଅଧିକାଂଶ ଅଞ୍ଚଳକୁ ନେଇ ଗଠିତ ଭୂ-ଖଣ୍ଡରେ ଶୈଳୋଦ୍ଭବ ବଂଶୀୟ ରାଜା ମାଧବ-ରାଜ ରାଜୁତି କରୁଥିବାର ସୂଚନା ତାଙ୍କ ପ୍ରଦତ୍ତ ଗଞ୍ଜାମ ଅନୁଶାସନରୁ ମିଳିଥାଏ । ସମ୍ଭବତଃ ଗୁପ୍ତ ସାମ୍ରାଜ୍ୟରେ ଉତ୍ପତ୍ତି ଲାଭ କରିଥିବା ମାଧବ ‘ଉପାସନା’ ସମୟ କ୍ରମେ ପ୍ରାଚୀନ ଉତ୍କଳରେ ଶୈଳୋଦ୍ଭବ ରାଜାମାନଙ୍କୁ ଅନେକାଂଶରେ ପ୍ରଭାବିତ କରିଥିଲା । ଉକ୍ତ ରାଜବଂଶର ପ୍ରଥମ ପ୍ରସିଦ୍ଧ ନରପତି ମାଧବରାଜଙ୍କ ଏକ ତାମ୍ର ଶାସନରେ ‘ଚକ୍ରଧର ମାଧବ’ଙ୍କ ସର୍ବପ୍ରଥମ ଉଲ୍ଲେଖ ଦେଖାଯାଏ । ସେହି ଦାନପତ୍ରରେ ତାଙ୍କୁ ‘ଚକ୍ରଧର’ ଭଗବାନ ମାଧବଙ୍କ ସହିତ ତୁଳନା କରାଯାଇଛି । ବିଷ୍ଣୁଙ୍କ ଚତୁର୍ବିଂଶତି ବିଗ୍ରହ କଲ୍ପିତ ଓ ପ୍ରଚାରିତ ହୋଇଥିଲେ ମଧ୍ୟ ପ୍ରଶସ୍ତି କାରଙ୍କ ‘ଚକ୍ରାୟୂଧ ମାଧବ’ ନାମ ପ୍ରତି ବିଶେଷ ଗୁରୁତ୍ୱ ଆରୋପ ବିଶେଷ ପ୍ରଣିଧାନଯୋଗ୍ୟ । ଉକ୍ତ ରାଜବଂଶୀୟ କେତେକ ନରପତିଙ୍କ ‘ମାଧବରାଜ’, ‘ମାଧବସେନ’ ପ୍ରଭୁତି ନାମକରଣ ପ୍ରଜାରାନ୍ତରେ ମାଧବ ଉପାସନାରେ ଲୋକପ୍ରିୟତା ପ୍ରତିପାଦନ କରିଥାଏ । କାରଣ ଆମ ଦେଶରେ ସ୍ୱ-ଇଷ୍ଟ-ଦେବତା ବା ଆଂଚଳିକ ଲୋକପ୍ରିୟତା ଅର୍ଜନ କରିଥିବା ଦେବଦେବୀଙ୍କ ନାମାନୁସାରେ ନିଜ ପ୍ରିୟ ପୁତ୍ରକନ୍ୟାଙ୍କ ନାମକରଣ ପୂର୍ବକାଳରୁ ଆଚଚିତ ଏକ ପ୍ରଥା ରୂପେ ଚଳି ଆସୁଅଛି । ଭଗବାନ ମାଧବଙ୍କ ‘ଚକ୍ରଧର’ ପଦ ବିଶେଷଣ ରୂପେ ବ୍ୟବହାର ମଧ୍ୟ ବିଶେଷାର୍ଥ ଜ୍ଞାପକ । ତେଣୁ ଉତ୍କଳର ବିଭିନ୍ନ ଅଞ୍ଚଳରେ ପୂଜିତ ପ୍ରାୟ ସମସ୍ତ ମାଧବ ବିଗ୍ରହର ଉର୍ଦ୍ଧ୍ୱ ଦକ୍ଷିଣ ହସ୍ତରେ ଚକ୍ର ଏକ ବିଶିଷ୍ଟ ଦୃଷ୍ଟି ଆକର୍ଷଣକାରୀ ଆୟୂଧ ରୂପେ ଶୋଭା ପାଉଥିବାର ଦେଖାଯାଏ ।

 

ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀର ମଧ୍ୟଭାଗ ବା ତାହା ପରେ ପରେ ଉତ୍ତର ଭାରତରେ ରାଜନୈତିକ ଅସ୍ଥିରତା ଲାଗିରହିବାରୁ, ସେଥିରେ ବ୍ୟଥିତ ହୋଇ ବିଭିନ୍ନ ଗୋତ୍ରଧାରୀ ବହୁ ବ୍ରାହ୍ମଣ ସଂପ୍ରଦାୟ ଦେଶାନ୍ତରୀ ହୋଇ ଓଡ଼ିଶାକୁ ବସବାସ କରିବାପାଇଁ ଚାଲିଆସିଥିଲେ । ଉତ୍ତର ଓ ଦକ୍ଷିଣ ତୋଷାଳୀରୁ ପ୍ରାପ୍ତ ଅନେକ ତାମ୍ରଶାସନରୁ ଜଣାଯାଏ ଯେ ସେମାନଙ୍କ ମଧ୍ୟରୁ ଅନେକ ବିଷ୍ଣୁଭକ୍ତ ଥିଲେ ଏବଂ ଓଡ଼ିଶାରେ ଚିରକାଳ ବସତି ସ୍ଥାପନ କରି ରହିବା ପାଇଁ ଅନେକ ନିଷ୍କର ଗ୍ରାମକୁ ଦାନ ସ୍ୱରୂପ ଗ୍ରହଣ କରିଥିଲେ । ଶୈଲୋଭବ ବଂଶ ନରପତି ମାଧବ ବର୍ମନଙ୍କ ପ୍ରଦତ୍ତ ପୁରୁଷୋତ୍ତମପୁର ତାମ୍ରଶାସନରେ ମୁଦ୍‌ଗଲ ଗୋତ୍ରୀ ନାରାୟଣ ନାମଧାରୀ କୌଣସି ଏକ ବ୍ରାହ୍ମଣଙ୍କୁ ‘ଆମ୍ବଗ୍ରାମ’ ପ୍ରଦାନ କରାଯାଇଥିବା ବର୍ଣ୍ଣନା ଏହି ଚିନ୍ତାଧାରାକୁ ଅଧିକ ଦୃଢ଼ୀଭୂତ କରିଥାଏ । ସେମାନଙ୍କ ମଧ୍ୟରୁ ଅନେକ ବିଷ୍ଣୁ ଉପାସକ ଥିଲେ । ବାଲେଶ୍ୱର ଜିଲ୍ଲାର କାଉପୁର ଓ ଦୋଳସାହି ଗ୍ରାମ ଏବଂ ପୁରୀ ଜିଲ୍ଲାର ପ୍ରାଚୀ ନଦୀ ଉପତ୍ୟକାରୁ ସେତେବେଳେ ପୂଜିତ ହେଉଥିବା ଅନେକ ବିଷ୍ଣୁ ବା ମାଧବ ବିଗ୍ରହର ସଂଧାନ ମିଳିଅଛି । ସେଥିମଧ୍ୟରୁ କାକଟପୁର ନିକଟସ୍ଥ ମୁଦ୍‌ଗଲ ଗ୍ରାମରେ ଅଦ୍ୟାବଧି ପୂଜିତ ‘ମୁଦଗଲ୍‌ମାଧବ’ ମୁର୍ତ୍ତି ପ୍ରଣିଧାନଯୋଗ୍ୟ । ମୂର୍ତ୍ତିଟି ଚତୁର୍ହସ୍ତ ବିଶିଷ୍ଟ ଏଲ ବିଷ୍ଣୁ ମୂର୍ତ୍ତି । ସମ୍ମୁଖ ଦୁଇହାତରେ ଜପମାଳା (rosary) ଏବଂ ଶଙ୍ଖ ଧାରଣ କରିଥିବା ବେଳେ ଅନ୍ୟ ଦୁଇହସ୍ତ ତାଙ୍କର ସହଚର (companion), ଚକ୍ରପୁରୁଷ ଓ ଗଦାଦେବୀଙ୍କ ଉପରେ ନ୍ୟସ୍ତ ଥିବାର ଦେଖାଯାଏ । ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ଏ ବିଗ୍ରହ ୭ମ-୮ମ ଶତାବ୍ଦୀର ମୂର୍ତ୍ତି ବୋଲି ଐତିହାସିକମାନେ ମତ ଦିଅନ୍ତି । ଏତଦ୍‌ବ୍ୟତୀତ ପ୍ରାଚୀ ଉପତ୍ୟକାର ଅନ୍ୟାନ୍ୟ ସ୍ଥାନମାନଙ୍କରୁ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ଅନେକ ଅନୁରୂପ ମୂର୍ତ୍ତି ଆବିଷ୍କୃତ ହୋଇଅଛି । ମୂର୍ତ୍ତିତତ୍ତ୍ୱ ଦୃଷ୍ଟିରୁ ଏହା ବାସୁଦେବ ବା ବିଷ୍ଣୁ ମୂର୍ତ୍ତି ହେଲେ ମଧ୍ୟ ସ୍ଥାନୀୟ ବାସିନ୍ଦାମାନେ ଏହାଙ୍କୁ ମାଧବ ରୂପେ ପୂଜା ଅର୍ଚ୍ଚନା କରିଆସୁଛନ୍ତି । ପ୍ରାଚୀ ଉପତ୍ୟକାର ଏଭଳି ମାଧବ ବିଗ୍ରହମାନଙ୍କ ମଧ୍ୟରେ କେନ୍ଦୁଳୀର ଲୁପ୍ତ ମାଧବମନ୍ଦିର, ତ୍ରିବେଣୀ ମାଧବ, ନିଆଳୀର ଲୁପ୍ତ ମାଧବ ମନ୍ଦିର, ସୁଆଗ-ପୁରର ମାଧବ ବିଗ୍ରହ, ମାଧବ ଗ୍ରାମର ମାଧବାନନ୍ଦ ମନ୍ଦିର, ପିତାପଡ଼ା, କୃଷ୍ଣପ୍ରସାଦ, ନିଭରଣ, ବୋଲରା, ନୀଳକଣ୍ଠପୁର, ଲତାହରଣ ପ୍ରଭୃତି ଗ୍ରାମମାନଙ୍କର (ଲୁପ୍ତ ବା ବିଧ୍ୱସ୍ତ) ମାଧବ ବିଗ୍ରହ ବା ମନ୍ଦିର ଅନ୍ୟତମ । ଏପରିକି କାକଟପୁରର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ମଙ୍ଗଳା ଠାକୁରାଣୀଙ୍କ ମନ୍ଦିରବେଢ଼ା ତଥା ବିଜେସ୍ଥଳୀ ମଧ୍ୟରୁ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ ବହୁ ମାଧବ ବିଗ୍ରହରୁ ଅବସ୍ଥିତ ପ୍ରାଚୀ ଉପତ୍ୟକାରେ ‘ମାଧବଉପାସନା’ର ଲୋକପ୍ରିୟତାକୁ ଅଧିକ ଦୃଢ଼ୀଭୂତ କରିଅଛି । ସୋମବଂଶୀ ରାଜତ୍ୱକାଳ ତଥା ଖ୍ରୀଷ୍ଟୀୟ ୧୧ଶ ଶତାବ୍ଦୀରେ ନିର୍ମିତ ମୁଦଗଲ-ମାଧବ ନାମଧାରୀ ଅନ୍ୟଏକ ମାଧବ ମୁର୍ତ୍ତି କାକଟପୁର ନିକଟସ୍ଥ ମୁଦଗଲ୍‌ଗ୍ରାମ ମନ୍ଦିରରେ ଏବେ ମଧ୍ୟ ସଂରକ୍ଷିତ ହୋଇ ରହିଅଛି-। ଏଥିରୁ ପ୍ରାଚୀନ ତଥା ମଧ୍ୟଯୁଗୀୟ ଉତ୍କଳରେ ମାଧବ-ଉପାସନା ଯେ ଅତ୍ୟନ୍ତ ଲୋକପ୍ରିୟ ଥିଲା, ତାହା ସହଜରେ ଅନୁମାନ କରାଯାଇପାରେ ।

 

ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ଉଭୟ ଖିଞ୍ଜଳି ମଣ୍ଡଳରେ ରାଜତ୍ୱ କରୁଥିବା ପରମବୈଷ୍ଣବ ଭଞ୍ଜାମଳ କୁଳତିଳକ ଗନ୍ଧାଟ ନାମରେ ପରିଚିତ ଶତୃଭଞ୍ଜ ମହାନଦୀର ଦକ୍ଷିଣତୀରରେ ବର୍ତ୍ତମାନ ବୌଦ ସହରଠାରୁ ଅନତିଦୂରରେ ଗନ୍ଧାଟପାଟି (ବର୍ତ୍ତମାନର ବନ୍ଧରାଡ଼ି) ଗ୍ରାମ ସ୍ଥାପନ କରିଥିଲେ । ସେଠାରେ ସେ ପ୍ରସ୍ତର ନିର୍ମିତ ଏକ ଉଚ୍ଚ ପୀଠ ଉପରେ ସମାକୃତି ବିଶିଷ୍ଟ କାରୁକାର୍ଯ୍ୟ ଖଚିତ ଦୁଇଟି ମନ୍ଦିର ନିର୍ମାଣ କରି ସେଥିରେ ଯଥାକ୍ରମେ ନୀଳମାଧବ ବିଷ୍ଣୁ ଓ ସିଦ୍ଧେଶ୍ୱର ଶିବଙ୍କ ବିଗ୍ରହଦ୍ୱୟ ପ୍ରତିଷ୍ଠା କରିଥିଲେ । ମନ୍ଦିର ଗର୍ଭଗୃହସ୍ଥ ଶଂଖ, ଚକ୍ର, ଗଦା ଓ ପଦ୍ମଧାରୀ ମୁଗୁନି ପଥରରେ ନିର୍ମିତ ଦଣ୍ଡାୟମାନ ନୀଳମାଧବ ବିଗ୍ରହଟି ଅତ୍ୟନ୍ତ ଜୀବନ୍ତ ଓ କମନୀୟ । ପୂର୍ବେ ଏହି ମନ୍ଦିର ଗାତ୍ରରେ ବିଭିନ୍ନ ସ୍ଥାନରେ ଦଶାବତାର ବିଗ୍ରହ ସମୂହ ଖଚିତ ହୋଇଥିଲା । ସେଥିମଧ୍ୟରୁ ଅଧିକାଂଶ ଏବେ ଅପସାରିତ ହୋଇଅଛି । ଉକ୍ତ ଶତୃଭଞ୍ଜ ‘ନୀଳମାଧବ’ ନାମରେ ପ୍ରଖ୍ୟାତ ବିଷ୍ଣୁଙ୍କ ପାଇଁ ଗନ୍ଧାଟପାଟିର ବାସ୍ତବ୍ୟ ବ୍ରହ୍ମଚାରୀ ଭଟ୍ଟ ମନୋରଥଙ୍କୁ କାର୍ତ୍ତିକ ଶୁକ୍ଲ ମହାଦ୍ୱାଦଶୀ ଦିନ କୁରୁମକେଲା ଗ୍ରାମ ଦାନକରିଥିବା ତାଙ୍କ ଦାନପତ୍ରରେ ବର୍ଣ୍ଣତ ହୋଇଛି । ତେଣୁ ଗନ୍ଧରାଡ଼ି ଗ୍ରାମରେ ଅବସ୍ଥିତ ଉକ୍ତ ନୀଳମାଧବ ବିଗ୍ରହ ଉତ୍କଳର ଏକ ପ୍ରାଚୀନତମ ମାଧବ ବିଗ୍ରହ । ମହାନଦୀକୂଳବର୍ତ୍ତୀ ଗନ୍ଧରାଡ଼ିର ଏହି ନୀଳମାଧବ ମନ୍ଦିର ପରି ସେହି ମହାନଦୀ କୂଳରେ ଅବସ୍ଥିତ ଖଣ୍ଡପଡ଼ା ନିକଟବର୍ତ୍ତୀ କଣ୍ଟିଲୋ ନାମକ ଗ୍ରାମରେ ଉତ୍କଳ ପ୍ରସିଦ୍ଧ ‘ନୀଳମାଧବ’ଙ୍କ ମନ୍ଦିର ଦଣ୍ଡାୟମାନ । ଏହା ନିକଟରେ ଏକ ପ୍ରାଚୀନ ଶିବ ମନ୍ଦିର ମଧ୍ୟ ବିଦ୍ୟମାନ । ଏହି ମନ୍ଦିରଦ୍ୱୟ ସୋମବଂଶୀ ରାଜତ୍ୱ କାଳରେ ନିର୍ମିତ ହୋଇଥିଲା । ଏଥିରୁ ତତ୍‌କାଳୀନ ଓଡ଼ିଶାରେ ନୀଳମାଧବ ତଥା ମାଧବ ଉପାସନା ଚତୁର୍ଦିଗରେ ପରିବ୍ୟାପ୍ତ ହୋଇଥିବା ନିସଃନ୍ଦେହରେ କୁହାଯାଇପାରେ । ଏତଦ୍‌ବ୍ୟତୀତ ବଞ୍ଜୁବଲ୍‌କ (ଆଧୁନିକ ଭଞ୍ଜନଗର) ନାମକ ରାଜଧାନୀରୁ ରାଜତ୍ୱ କରୁଥିବା ପରମବୈଷ୍ଣବ ରାଣକ ଶତୃଭଞ୍ଜଦେବ ତ୍ରିଭୁବନକଳସଙ୍କ ଦଶପଲ୍ଲା ତାମ୍ରଶାସନରେ ସନ୍ତୋଶ ମାଧବ ନାମକ ଗ୍ରାମର ନାମ ମିଳେ । ଏହି ଗ୍ରାମଟି ବର୍ତ୍ତମାନ ସୁଦ୍ଧା ଚିହ୍ନିତ ନ ହୋଇଥିଲେ ମଧ୍ୟ ଏହା ମାଧବ ବିଗ୍ରହଙ୍କ ନାମାନୁସାରେ ପ୍ରତିଷ୍ଠିତ ହୋଇଥିବା ସୁନିଶ୍ଚିତ ।

 

ଗଞ୍ଜାମ ଅଞ୍ଚଳରେ ଅବସ୍ଥିତ ଶ୍ୱେତକରାଜ୍ୟ (ବର୍ତ୍ତମାନର ଚିକିଟି ଓ ଖିମିଣ୍ଡି ଅଞ୍ଚଳ)ରେ ରାଜତ୍ୱ କରୁଥିବା ଗଙ୍ଗ-ବଂଶୀୟ ସମ୍ରାଟ୍‌ ଇନ୍ଦ୍ରବର୍ମାଦେବଙ୍କ ସାନ ଖେମୁଣ୍ଡିରୁ ପ୍ରାପ୍ତ ଏକ ତାମ୍ର ଶାସନରୁ ଜଣାଯାଏ ଯେ ସେ ‘ଲୋକମାଧବ’ ନାମକ ବିଷ୍ଣୁ ମୁର୍ତ୍ତିଙ୍କ ପୂଜାପାଇଁ କେତେକ ଭୂମିଦାନ କରିଥିଲେ । ପରେ ପରେ ଏହି ବଂଶର ଅନନ୍ତବର୍ମନଙ୍କ ରାଣୀ ଓ ଯୁବରାଜ ରାଜେନ୍ଦ୍ର ବର୍ମନଙ୍କ ମାତା ଲୋକ-ମହାଦେବୀ ସ୍ୱ-ସ୍ମୃତି ରକ୍ଷାପାଇଁ ଶ୍ରୀ ‘ଲୋକମାଧବ’ ନାମକ ମାଧବମୂର୍ତ୍ତି ଏକ ମନ୍ଦିରରେ ପ୍ରତିଷ୍ଠା କରିଥିବା ସୁନିଶ୍ଚିତ । ଏଥିରୁ ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀଠାରୁ ଦକ୍ଷିଣ ଓଡ଼ିଶାରେ ମାଧବ ବିଗ୍ରହ ପ୍ରତିଷ୍ଟା ଓ ପୂଜା ପ୍ରଚଳିତ ହୋଇଥିବାର ନିଃସନ୍ଦେହରେ ପ୍ରମାଣିତ ହୁଏ । ଉତ୍ତର ଓଡ଼ିଶାର ମହାନଦୀ, ବୈତରଣୀ ତଥା ପ୍ରାଚୀ ନଦୀର ଅବବାହିକା ଭଳି ଦକ୍ଷିଣ ଓଡ଼ିଶାର ରୂଷିକଲ୍ୟା ନଦୀର ଅବବାହିକା ମାଧବ ଉପାସନା ପାଇଁ ପ୍ରସିଦ୍ଧି ଲାଭ କରିଥିଲା । ଏହି ନଦୀକୂଳସ୍ଥ ନନ୍ଦିକ, ପୁରୁଷୋତ୍ତମପୁର ଓ ପ୍ରତାପପୁର ଗ୍ରାମମାନଙ୍କରେ ଅବସ୍ଥିତ ବିଭିନ୍ନ ସୁନ୍ଦର ମାଧବ ବିଗ୍ରହର ପ୍ରତିଷ୍ଟା ଓ ଉପାସନାରୁ ଏହାର ଜ୍ୱଳନ୍ତ ପ୍ରମାଣ ମିଳେ ।

ପୁରୀଜିଲ୍ଲାର ପ୍ରାଚୀନଦିପରି ପୁଣ୍ୟତୋୟା ପୁରାଣ ଓ ଇତିହାସ ବିସୃତା ବିରଜା କ୍ଷେତ୍ର ଓ ଦଶାଶ୍ୱମେଧ ଘାଟ ଶୋଭିତା ବୈତରଣୀ ତୀରରେ ‘ଦ୍ୱାଦଶମାଧବ’ ବିଗ୍ରହ ପୂଜିତ ହେଉଥିବା ପ୍ରାଚୀନ ‘ବିରଜା ମାହାତ୍ମ୍ୟ’ ଗ୍ରନ୍ଥପାଠରୁ ଜଣାଯାଏ । ‘‘ପ୍ରୋକ୍ତମ୍‌ ଭଗବତା ପୂର୍ବମ୍‌ ମାଧବା ଦ୍ୱାଦଶେତି ମେ, କ୍ଷେତ୍ରେ ବୈର-ଜାସେ ନିତ୍ୟ-ମନ୍ତର୍ଗୃହ ନିବାସିନଃ’’ । ପ୍ରାଚୀ ଉପତ୍ୟକା ପରି ବୈତରଣୀ ଉପତ୍ୟକାରେ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (Archaelogical Survey) ଏ ପର୍ଯ୍ୟନ୍ତ ହୋଇ ନଥିବାରୁ, ଏହି ଦ୍ୱାଦଶମାଧବଙ୍କ ବର୍ତ୍ତମାନ ଅବସ୍ଥା ଓ ଅବସ୍ଥିତି ବିଷୟରେ କିଛି ଜଣାଯାଏନାହିଁ । କିନ୍ତୁ ଭୌମ ଓ ସୋମବଂଶୀ ରାଜତ୍ୱକାଳରେ ଖୋଦିତ ଉକ୍ତ ଦ୍ୱାଦଶ ମାଧବ ବିଗ୍ରହ ଶ୍ରୀ ଜୟଦେବଙ୍କ ଆବିର୍ଭାବ ପୂର୍ବରୁ ଉତ୍କଳରେ ମାଧବ ଉପାସନାର ପ୍ରସାର ସମ୍ବନ୍ଧରେ ଅକାଟ୍ୟ ପ୍ରମାଣ ଦାନ କରେ । ଅଧିକନ୍ତୁ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀର ଓଡ଼ିଶାର ପ୍ରତ୍ନତତ୍ତ୍ୱରୁ ଜଣାଯାଏ ଯେ ଏହି ସମୟରେ ଓଡ଼ିଶାରେ ମାଧବ ଓ ଗୋପୀନାଥ ଉପାସନା ବିଶେଷ ଲୋକପ୍ରିୟତା ଅର୍ଜନ କରିଥିଲା ।

ଉତ୍କଳରେ ଗଙ୍ଗସାମ୍ରାଜ୍ୟର ପ୍ରତିଷ୍ଠାତା ମହାପରାକ୍ରମଶାଳୀ ଚୋଳଗଙ୍ଗଦେବଙ୍କ ନାମାନୁସାରେ ‘ଚୋଳଗଙ୍ଗ ମାଧବ’ ବିଷ୍ଣୁ ବିଗ୍ରହ ସ୍ଥାପିତ ହୋଇଥିବା ବିଷୟ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲୁମ ଜିଲ୍ଲାର ବିଜୟନଗରମ ନିକଟସ୍ଥ ରେଲିଭାଲସା (Rellivalasa) ନାମକ ଗ୍ରାମରେ ନିର୍ମିତ ଏକ ମନ୍ଦିରର ଚାରୋଟି ସ୍ତମ୍ଭଲେଖରୁ ଜଣାଯାଏ । ଉକ୍ତ ସ୍ତମ୍ଭଲେଖଗୁଡ଼ିକର ସମୟ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀର ଶେଷଭାଗରେ ଚିହ୍ନିତ ହୋଇଥିବାରୁ ସେତେବେଳକୁ କେବଳ ଉତ୍କଳରେ ନୁହେଁ, କଳିଙ୍ଗ ନାମରେ କଥିତ ଉତ୍କଳର ଦକ୍ଷିଣ ସୀମାନ୍ତ ଅଞ୍ଚଳରେ ମଧ୍ୟ ମାଧବପୂଜା ବିଶେଷ ପ୍ରସାର ଲାଭ କରିଥିଲା ବୋଲି କହିବା ଅସମୀଚୀନ ନୁହେଁ । ଏତଦ୍‍ବ୍ୟତୀତ ଗଙ୍ଗସମ୍ରାଟ୍‌ ଚୋଳଗଙ୍ଗଙ୍କ ସମୟରୁ ଶ୍ରୀଜଗନ୍ନାଥ ମାଧବ ବିଗ୍ରହ ରୂପେ ମଧ୍ୟ ପୂଜିତ ହୋଇ ଆସୁଛନ୍ତି । ‘ନୀଲାଦ୍ରି ମହୋଦୟ’ ଗ୍ରନ୍ଥରୁ ଜଣାଯାଏ ଯେ ଶ୍ରୀ ଜଗନ୍ନାଥ ଯେଉଁ ‘ସପ୍ତଧା’ ରୂପରେ ପୁଜିତ ହେଉଥିଲେ, ତନ୍ମଧ୍ୟରେ ‘ମାଧବ’ ଅନ୍ୟତମ । ଶ୍ରୀଜଗନ୍ନାଥଙ୍କର ସେହି ‘ସପ୍ତଧା’ ରୂପ ହେଉଛି ବଳଭଦ୍ର, ସୁଭଦ୍ରା, ଜଗନ୍ନାଥ, ସୁଦର୍ଶନ, ଶ୍ରୀଦେବୀ, ଭୁଦେବୀ, ଓ ମାଧବ । ଏହି ସାତୋଟି ମୂର୍ତ୍ତିର ସମ୍ମିଳିତ ରୂପ ଶ୍ରୀମନ୍ଦିରର ରତ୍ନସିଂହାସନରେ ବିରାଜମାନ । ଏବେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନସ୍ଥ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ମଧ୍ୟଭାଗରେ ମାଧବ ବିଗ୍ରହ ଅବସ୍ଥାପିତ ହୋଇଛନ୍ତି । ତେଣୁ ଶ୍ରୀଜଗନ୍ନାଥ ଯେ ମାଧବ, ଏହା ଉତ୍କଳୀୟ ଜନତାଦ୍ୱାରା ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରୁ ଗୃହୀତ ହୋଇଅଛି ।

ମାଧବ ବା କୃଷ୍ଣ ଉପାସନା ବ୍ୟତୀତ ‘ରାଧା’ ଚରିତର ଉଦ୍ଭବ ଓ ବିକାଶ ନେଇ ବହୁ ଆଲୋଚନାତ୍ମକ ଗ୍ରନ୍ଥ ପ୍ରକାଶିତ ହୋଇଅଛି । ଅନେକ ଆଲୋଚକମାନଙ୍କ ମତରେ ‘ରାଧା’ ଶବ୍ଦ କୃଷ୍ଣ ଯଜୁର୍ବେଦ ଠାରୁ ଆରମ୍ଭ କରି କଠକ ସଂହିତା, ମାଧ୍ୟନ୍ଦିନ ସଂହିତା, ବାଜସନେୟ ସଂହିତା ଓ ରୁକ୍‌ପରିଶିଷ୍ଟରେ ବିଭିନ୍ନ ଅର୍ଥରେ ବ୍ୟବହୃତ ହୋଇଅଛି । ‘ରାଧା’ ନାମ ପୁରାତନ ଓ ତାହା ବିଶାଖା ନକ୍ଷତ୍ରର ନାମାନ୍ତର ଥିବାର ମଧ୍ୟ କୁହାଯାଇଛି । ସଂହିତା ସମୂହରେ ରାଧା ଅମୃତର ପତ୍ନୀ ଓ ମାଧବ ପତ୍ନୀ ଭାବରେ କଥିତ । ଅନ୍ୟାନ୍ୟ କାବ୍ୟ ପୁରାଣାଦି ଗ୍ରନ୍ଥ ମଧ୍ୟରେ ହାଳଙ୍କର ଗାଥାଶପ୍ତଶତୀ, ପଞ୍ଚତନ୍ତ୍ର, ଧ୍ୱନ୍ୟାଲୋକ, ପଦ୍ମ, ବାୟୁ, ମତ୍ସ୍ୟ ଓ ବ୍ରହ୍ମ ବୈବର୍ତ୍ତ ପ୍ରଭୁତି ଗ୍ରନ୍ଥମାନଙ୍କରେ ରାଧା ଶବ୍ଦ ପରିଦୃଷ୍ଟ ହୋଇଥାଏ । ଭାରତୀୟ ସାହିତ୍ୟର ପୁରାଣଯୁଗରେ ଆନୁମାନିକ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରୁ ରାଧାଚରିତ ଭାରତର ବିଭିନ୍ନ ସାହିତ୍ୟରେ ବିଶେଷ ଭାବରେ ସ୍ଥାନଲାଭ କରିଅଛି ।

ଚୋଳଗଙ୍ଗଦେବଙ୍କ ରାଜତ୍ୱକାଳରୁ ଓଡ଼ିଶାରେ ବୈଷ୍ଣବଧର୍ମର ସୁବର୍ଣ୍ଣଯୁଗ ଆରମ୍ଭ ହୋଇଥିଲା । ସେତେବେଳେ ଜଗନ୍ନାଥଙ୍କୁ ବିଷ୍ଣୁଙ୍କର ଅବତାର ବୋଲି ଗ୍ରହଣ କରାଯାଇ ତାଙ୍କପାଇଁ ଚୋଳଗଙ୍ଗଙ୍କ ଦ୍ୱାରା ବର୍ତ୍ତମାନର ମନ୍ଦିର ନିର୍ମାଣ କରାଗଲା ଏବଂ ତାଙ୍କ ଠାରେ କାଳକ୍ରମେ ଓଡ଼ିଶାର ସମସ୍ତ ଧର୍ମମତବାଦ ଲୀନ ହୋଇଗଲା । ଏହି ସମୟରେ ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀରେ ଭକ୍ତକବି ଜୟଦେବ ତାଙ୍କର ପ୍ରସିଦ୍ଧ ଗୀତଗୋବିନ୍ଦ ରଚନା କରି ଓଡ଼ିଶାରେ ରାଧାମାଧବ ପ୍ରେମତତ୍ତ୍ୱ ଶ୍ରୀ ଜଗନ୍ନାଥଙ୍କୁ କେନ୍ଦ୍ରକରି ପ୍ରସାର କରିଥିଲେ । ପରେ ପରେ ସମଗ୍ର ଭାରତବର୍ଷରେ ରାଧାମାଧବର ପ୍ରଚାର ଓ ପ୍ରସାରକୁ ମହାପୁରୁଷ ନିମ୍ବାର୍କ ଅଧିକ ପରିବ୍ୟାପ୍ତ କରାଇଥିଲେ । ଚାରିଧାମ ମଧ୍ୟରେ ଶ୍ରୀଜଗନ୍ନାଥ ଧାମ ଅନ୍ୟତମ ହୋଇଥିବାରୁ ଏଠାରେ ମଧ୍ୟ ନିମ୍ବାର୍କ ମଠ ସ୍ଥାପନ ପୂର୍ବକ ରାଧାମାଧବ ପରିପ୍ରସାର ପାଇଁ ବିସ୍ତୃତ କ୍ଷେତ୍ର ଲାଭ କରିଥିଲେ । ଖୁବ୍‌ ସମ୍ଭବତଃ ତାନ୍ତ୍ରିକ ପ୍ରଭାବ ଫଳରେ ସେତେବେଳେ ଜଗନ୍ନାଥଙ୍କୁ ‘ଦୁର୍ଗାମାଧବ’ଙ୍କ ସମ୍ମିଳିତ ବିଗ୍ରହ ବୋଲି କୁହାଯାଇଥିଲା । ଏହାର ପ୍ରମାଣ ସ୍ୱରୂପ କୋଣାର୍କସ୍ଥିତ ପ୍ରତ୍ନତାତ୍ତ୍ୱିକ ସଂଗ୍ରହାଳୟ, ଶ୍ରୀଜଗନ୍ନାଥଙ୍କ ଭୋଗମଣ୍ଡପ ଓ ରାଷ୍ଟ୍ରୀୟ ସଂଗ୍ରହାଳୟ, ଦିଲ୍ଲୀରେ ତିନୋଟି ଦୁର୍ଗାମାଧବ ଫଳକ ପରିଦୃଷ୍ଟ ହୁଏ । ଏଥିରୁ ଅନୁମାନ କରାଯାଏ ଯେ ଜଗନ୍ନାଥଙ୍କୁ ‘ଦୁର୍ଗାମାଧବ’ ବୋଲି ଉପାସନା କରାଯାଇଥିବା ସମୟରେ ନିମ୍ବାର୍କ ଶ୍ରୀକ୍ଷେତ୍ରରେ ଉପସ୍ଥିତ ହୋଇ ଦୁର୍ଗାଙ୍କ ସ୍ଥାନରେ ‘ରାଧା’ଙ୍କୁ ଯୋଗକରି ଶ୍ରୀଜଗନ୍ନାଥଙ୍କୁ ‘ରାଧାମାଧବ’ ବିଗ୍ରହ ରୂପେ ଉପାସନା କରିବାର ଏକ ପରମ୍ପରା ସୃଷ୍ଟି କରିଥିଲେ । ‘ଶ୍ରୀଜଗନ୍ନାଥଷ୍ଟକ’ରେ ବର୍ଣ୍ଣିତ ‘ରାଧାସରସ ବପୁରାଲିଙ୍ଗନ’ ସୁଖଃ’ରୁ ଅନୁମାନ କରାଯାଏ ଯେ ଶ୍ରୀଜଗନ୍ନାଥଙ୍କ ସହିତ ଦୁର୍ଗାଙ୍କ ସ୍ଥାନରେ ରାଧାଙ୍କୁ ଯୋଗ କରାଇବା ମୂଳରେ ତତ୍‌କାଳୀନ କୌଣସି ଏକ ମହାପୁରୁଷଙ୍କର ପ୍ରଚେଷ୍ଟା ନିହିତ ଥିଲା । ସେହି ମହାପୁରୁଷ ନିମ୍ବାର୍କ ହୋଇଥିବାର ଅନୁମାନ ଅସମୀଚୀନ ବୋଲି ମନେ ହୁଏ ନାହିଁ । ତେଣୁ ନିମ୍ବାର୍କ ସଂପ୍ରଦାୟର ଅନ୍ୟତମ ସାଧକ ଆଚାର୍ଯ୍ୟ ଜୟଦେବ ଶ୍ରୀଜଗନ୍ନାଥଙ୍କୁ ‘ରାଧାମାଧବ’ ବିଗ୍ରହ ରୂପେ ଉପାସନା କରିବା ସଙ୍ଗେ ସଙ୍ଗେ ତାଙ୍କରି ଲୀଳାଗାନରେ ଗୀତଗୋବିନ୍ଦ ରଚନା କରିଥିଲେ ।

ସୂର୍ଯ୍ୟବଂଶୀ ରାଜତ୍ୱକାଳରେ ସାରଳାଦାସଙ୍କ ପ୍ରଣୀତ ‘ମହାଭାରତ’ ରେ ମଧ୍ୟ ଆମେ ରାଧାଙ୍କର ବର୍ଣ୍ଣନା ଦେଖିବାକୁ ପାଉ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀଠାରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଜୟଦେବଙ୍କର ଶ୍ରୀରାଧା ଓଡ଼ିଶାରେ କ୍ରମେ ଲୋକପ୍ରିୟ ହେବା ସଙ୍ଗେ ସଙ୍ଗେ ବୈଷ୍ଣବ ଧର୍ମର ମାଧୂର୍ଯ୍ୟମୟ ରାଧାକୃଷ୍ଣ ପ୍ରେମଲୀଳା ଚୈତନ୍ୟଙ୍କର ଆବିର୍ଭାବ ପୂର୍ବରୁ ଓଡ଼ିଶାରେ ବିସ୍ତାର ଲାଭ କରିଥିଲା । ସେଥିପାଇଁ ସାରଳାଦାସ ତାଙ୍କ ‘ମହାଭାରତ’ରେ ରାଧାକୃଷ୍ଣ ଚରିତର ବହୁଳ ବର୍ଣ୍ଣନା କରିଥିଲେ ମଧ୍ୟ ଓଡ଼ିଶାର ଜାତୀୟ ଦେବତା ନୀଳାଚଳ ନାଥ ଜଗନ୍ନାଥଙ୍କର ମହତ୍ୱ ଓ ଗୌରବମୟ ପରମ୍ପରାକୁ ମୁଖ୍ୟସ୍ଥାନ ପ୍ରଦାନ କରିଛନ୍ତି । ତାଙ୍କ ଦୃଷ୍ଟିରେ ଏହି ଜଗନ୍ନାଥ ହିଁ ନାରାୟଣ, ବିଷ୍ଣୁ, କୃଷ୍ଣ, ମାଧବ ଓ ଗୋପୀନାଥ । ସେ ପୁଣି ଅଣାକାର ବିଷ୍ଣୁ ଓ ବୁଦ୍ଧ ନାରାୟଣ । ସେ ହେଉଛନ୍ତି ଅବତାରୀ –ସୃଷ୍ଟି, ସ୍ଥିତ ଓ ପ୍ରଳୟର କାରଣ ସ୍ୱରୂପୀ । ସତୁରାଂ ତାଙ୍କ ପ୍ରଣୀତ ‘ମହାଭାରତ’ରେ ବୈଷ୍ଣବଧର୍ମ ବିଶେଷ ଭାବରେ ନୀଳମାଧବ ବା ଜଗନ୍ନାଥଙ୍କୁ କେନ୍ଦ୍ରକରି ଗଢ଼ିଉଠିଛି ଏବଂ କ୍ରମେ ଏହି ପରମ୍ପରା ପରବର୍ତ୍ତୀ ଓଡ଼ିଆ ବୈଷ୍ଣବ ସାହିତ୍ୟ ବା ସନ୍ଥ ସାହିତ୍ୟକୁ ଓତପ୍ରୋତ ଭାବରେ ପ୍ରଭାବିତ କରିଅଛି ।

‘ଗୀତଗୋବିନ୍ଦ’ର ଅନୁସରଣରେ ଲିଖିତ ଅଭିନବ ଗୀତଗୋବିନ୍ଦ’ରେ ଗଜପତି ଦରବାରର ପ୍ରଧାନ ପଣ୍ଡିତ କବିଚନ୍ଦ୍ର ରାୟ ଦିବାକର ମିଶ୍ର ମଧ୍ୟ ଜଗନ୍ନାଥଙ୍କୁ ଜୟଦେବଙ୍କ ପରି ଶ୍ରୀରାଧାଙ୍କ ସହିତ ଲୀଳାର ସହଚର ରୂପେ ବର୍ଣ୍ଣନା କରିଛନ୍ତି ।

ମୈଥିଳ ଭକ୍ତକବି ବିଦ୍ୟାପତି ପୂର୍ବ ପରମ୍ପରା କ୍ରମେ ରାଧାଭାବକୁ ତାଙ୍କ ପଦ୍ୟାବଳୀରେ, ସୁପ୍ରଚାରିତ କରାଇଥିବାରୁ ରାୟ ରାମାନନ୍ଦ ପଟ୍ଟନାୟକ ‘ଅଚିନ୍ତ୍ୟ ଭେଦାଭେଦ’ ତତ୍ତ୍ୱରେ ରାଧାଙ୍କ, ସ୍ଥାନ ସର୍ବୋପରି ବୋଲି ପ୍ରଚାର କରାଇଥିଲେ । ସେ ‘ଶ୍ରୀ ଜଗନ୍ନାଥ-ବଲ୍ଲଭ’ ନାଟକରେ ଜୟଦେବଙ୍କ ପଦ୍ଧତି ଅନୁସରଣ କରି ରାଧାଙ୍କ ମାହାତ୍ମ୍ୟ ଏପରି ଭାବରେ ବର୍ଣ୍ଣନା କରିଥିଲେ ଯେ, ତତ୍‌କାଳୀନ ସମାଜରେ ବହୁଚର୍ଚ୍ଚିତ ଶ୍ରୀ ଚୈତନ୍ୟଦେବ କେବଳ ‘ରାଧାତତ୍ତ୍ୱ’ ଅନୁଧ୍ୟାନ କରିବା ପାଇଁ ରାମାନନ୍ଦଙ୍କୁ ଗୁରୁ ରୂପେ ଗ୍ରହଣ କରିଥିଲେ ଏବଂ ସଂକୀର୍ତ୍ତନ ମାଧ୍ୟମରେ ସେ ସମଗ୍ର ଭାରତ ବର୍ଷରେ ରାଧାକୃଷ୍ଣଙ୍କ ପ୍ରେମତତ୍ତ୍ୱର ଅଖଣ୍ଡ ଧାରା ପ୍ରବାହିତ କରାଇଥିଲେ । ତତ୍‌ପରବର୍ତ୍ତୀକାଳରେ ଶ୍ରୀ ଚୈତନ୍ୟଙ୍କ ଅନୁଗାମୀ ଓ ଗୌଡ଼ୀୟ ମତର ପରିପୋଷାକ ଭକ୍ତବୃନ୍ଦ ସମଗ୍ର ଭାରତୀୟ ସାହିତ୍ୟରେ ରାଧା ଭାବର ପ୍ରାଧାନ୍ୟ ରକ୍ଷାକରି କାବ୍ୟ କବିତାମାନ ପ୍ରଣୟନ କରିଥିଲେ । ଜୟଦେବଙ୍କ ସମୟରୁ ଯେଉଁ ରାଧାମାଧବ ସାହିତ୍ୟ ମାଧ୍ୟମରେ ଜନତାର ପ୍ରାଣକେନ୍ଦ୍ରକୁ ସ୍ପନ୍ଦିତ କରାଇଥିଲା, ତାହା ଅଷ୍ଟାଦଶ ଶତାବ୍ଦୀରେ ଉତ୍କଳୀୟ ବିଦ୍ୱାନ ଓ ଗୌଡ଼ୀୟ ଦର୍ଶନର ସୁପ୍ରସିଦ୍ଧ ଦାର୍ଶନିକ ତଥା ସୁପ୍ରଚାରକ ବଳଦେବ ବିଦ୍ୟାଭୁଷଣଙ୍କ ପ୍ରଚାର ଫଳରେ ଆଧ୍ୟାତ୍ମିକ ମତବାଦରେ ପରିଣତ ହେଲା । ତାହାରି ଫଳରେ ଓଡ଼ିଶାର ପ୍ରତ୍ୟେକ କୃଷ୍ଣ ମନ୍ଦିରରେ ରାଧାବିଗ୍ରହ ସ୍ଥାପିତ ହେବା ସଙ୍ଗେ ସଙ୍ଗେ ଓଡ଼ିଶାର ଧର୍ମଶାସ୍ତ୍ରରେ ରାଧାଷ୍ଟମୀ ପ୍ରଭୁତି ବତ, ପ୍ରବର୍ତ୍ତନ କରାଗଲା ଏବଂ ଶ୍ରୀମନ୍ଦିରେ ମଧ୍ୟ ରାଧାଷ୍ଟମୀ ବ୍ରତ ପାଳିତ ହେଲା ।

 

ସହାୟକ ଗ୍ରନ୍ଥ ଓ ପ୍ରବନ୍ଧ ସୂଚୀ :

୧.

Archaelogical Remains at Bhubanrswar - ଡଃ କୃଷ୍ଣଚନ୍ଦ୍ର ପ୍ରାଣିଗ୍ରାହୀ ।

୨.

Utkal University History of Orissa - ୰ ଡଃ ନବୀନ କୁମାର ସାହୁ-

୩.

ଓଡ଼ିଆ ଜାତିର ଇତିହାସ - ୰ ଡଃ ନବୀନ କୁମାର ସାହୁ ।

୪.

ଶ୍ରୀ ଗୀତଗୋବିନ୍ଦ ଓ ଜୟଦେବ - ୰ କେଦାରନାଥ ମହାପାତ୍ର ।

୫.

Saivism in Orissa – ଡଃ ଲକ୍ଷ୍ମଣ କୁମାର ପଣ୍ଡା ।

୬.

Proceedings of the Orissa History Congress, Berhampur 1977 and Rourkela 1981.

୭.

Orissa Historical Research Journal Volume I, III, XIII

୮.

Inscriptions of Orissa Vols. I, II, III, IV, - ଡଃ ସତ୍ୟନାରାୟଣ ରାଜଗୁରୁ ।

୯.

Inscriptions of Orissa Vols. VI,--- ଡଃ ସ୍ନିଗଧା ତ୍ରିପାଠୀ ।

୧୦.

Epigraphia Indica Vols. XI, XXIX;

୧୧.

Rise and fall of the Sailadbhavas-- - ୰ଡଃ ଶରତ ଚନ୍ଦ୍ର ବେହେରା ।

୧୨.

ନୀଳାଦ୍ରିମହୋଦୟ – ସୋନପୁର ସଂସ୍କରଣ ।

୧୩.

ମହାଭାରତ – ସାରଳାଦାସ ।

୧୪.

ଓଡ଼ିଶାର ସାଂସ୍କୃତିକ ଇତିହାସ ସଂପାଦନା – ଓଙ୍ଗିଶା କଲଚରାଲ ଫୋରମ, ଭୁବନେଶ୍ୱର ।

୧୫.

ଶ୍ରୀ ଜଗନ୍ନାଥ ସଂସ୍କୃତି

୧୬.

Sidelights on Orissan History and Culture – ସଂପାଦନା, ଡଃ ମନ୍ମଥ ନାଥ ଦାସ ।

 

ପ୍ରାଧ୍ୟାପକ,ଇତିହାସ ବିଭାଗ,

ଢେଙ୍କାନାଳ ମହାବିଦ୍ୟାଳୟ,

ଢେଙ୍କନାଳ

***

 

ସାଂପ୍ରତିକ ଓଡ଼ିଆ ଉପନ୍ୟାସର ସମସ୍ୟା

ପଠାଣି ପଟ୍ଟନାୟକ

 

ଉପନ୍ୟାସର ସୃଷ୍ଟି—ବୈଚିତ୍ର୍ୟ:-

ଆଲୋଚକମାନଙ୍କ ମତରେ ସାହିତ୍ୟ ସଂସାରରେ ‘ଉପନ୍ୟାସ’ ହେଉଛି ଏକ ଆଧୁନିକତମ କଳା । ସାହିତ୍ୟ ରାଜ୍ୟରେ ଉପନ୍ୟାସ ଜନ୍ମଜାତକ ଦୃଷ୍ଟିରୁ ଅର୍ବାଚୀନ ହେଲେହେଁ ଏହି ବିଭାଗଟି ହେଉଛି ସବୁଠାରୁ ଅଧିକ ଲୋକପ୍ରିୟ ଏବଂ ପ୍ରଭାବଶାଳୀ । ମନୁଷ୍ୟ ନିଜେ ସାହିତ୍ୟର ସ୍ରଷ୍ଟା ହେଲେହେଁ ‘ଉପନ୍ୟାସ’ର ଅଭ୍ୟୁଦୟ ନହେଲା ପର୍ଯ୍ୟନ୍ତ ମଣିଷର କଥା ଏତେ ବିଚିତ୍ର ଏବଂ ବହୁଳ ଭାବରେ ଆଉ କୌଣସି ସାରସ୍ୱତ ମାଧ୍ୟମରେ କୁହାଯାଇପାରିନଥିଲା । ଉପନ୍ୟାସ ହିଁ ସମାଜ ଜୀବନର କାହାଣୀକୁ ଅଧିକ ପ୍ରାଣବନ୍ତ ଭାବରେ ରୂପାୟିତ କଲା ଏବଂ ମଣିଷ ମନର ଅକୁହା କାହାଣୀ ଅତ୍ୟନ୍ତ ଲୋଭନୀୟ ଭାବରେ ବର୍ଣ୍ଣିଳ ହୋଇ ଉଠିଲେ ଉପନ୍ୟାସ ସଂସାରରେ । ଅନେକଙ୍କ ମତରେ ଶିଲ୍ପ ସଭ୍ୟତାର ପ୍ରତିକ୍ରିୟା ପ୍ରତିଫଳିତ ସମାଜରେ ଉପନ୍ୟାସ ଜନ୍ମଲାଭ କରିଅଛି । ଗଣତନ୍ତ୍ରମୁଖୀ ସମାଜରେ ଉପନ୍ୟାସ କଳାର ସାର୍ଥକ ରୂପାୟନ ସମ୍ଭବ ହୋଇଥାଏ । ଅତୀତର ସମାଜରେ ଉପନ୍ୟାସ ନଥିଲା, କାରଣ ଅତୀତର ସମାଜ ଗଣତନ୍ତ୍ରମୁଖୀ ହୋଇପାରିନଥିଲା । ଗଣତାନ୍ତ୍ରିକ ସମାଜ ଜୀବନ ହିଁ ଥିଲା ଉପନ୍ୟାସର ଜନ୍ମ ପାଇଁ ଉପଯୁକ୍ତ ପ୍ରସ୍ତୁତିର କ୍ଷେତ୍ର । ଯେଉଁଦିନ ମଧ୍ୟଯୁଗୀୟ ପ୍ରତିକ୍ରିୟାଶୀଳ ସମାଜ ବ୍ୟବସ୍ଥାରୁ ମନୁଷ୍ୟ ମୁକ୍ତିଲାଭ କଲା ଏବଂ ନିଜର ବ୍ୟକ୍ତି ସ୍ୱାତନ୍ତ୍ର୍ୟ ପ୍ରତିଷ୍ଠା ପାଇଁ କ୍ଷମ ହୋଇପାରିଲା, ସେଇଦିନ ଉପନ୍ୟାସ ବସ୍ତୁବାଦୀ ସାମାଜିକ ଜୀବନର ଜୟଗାନ କରିବା ପାଇଁ ଆଗେଇ ଆସିଲା । ଔପନ୍ୟାସିକ ହେଲେ ଜୀବନର ବ୍ୟାଖ୍ୟାକାର । ସେମାନେ କେବଳ ଜୀବନର ଚିତ୍ର ପ୍ରଦାନ କଲେ ନାହିଁ, ଜୀବନର ନାନା ଘାତ ପ୍ରତିଘାତ, ଆଶା ଅଭିଳାଷ, ହର୍ଷ ବିଷାଦ, ସ୍ୱପ୍ନ ଓ ଅନୁଭୂତିର ରସାଳ ଅଭିବ୍ୟକ୍ତି ପ୍ରଦାନ କଲେ । ଅଷ୍ଟାଦଶ ଶତାବ୍ଦୀରେ ଇଉରୋପଖଣ୍ଡରେ ଏପରି କେତେକ ସାମାକିକ ବିବର୍ତ୍ତନ ଘଟିଗଲା, ଯହିଁରେ ସାଧାରଣ ଜନମାନସରେ ସୃଷ୍ଟି ହେଲା ଅପୂର୍ବ ପରିବର୍ତ୍ତନ ଓ ପ୍ରତିକ୍ରିୟା । ସେମାନେ ନିଜ ସମ୍ପର୍କରେ ଅଧିକ ସଚେତନ ହୋଇପଡ଼ିଲେ । ଅବଶ୍ୟ ସେ ଯୁଗ ଥିଲା କଥା କହିବା ଏବଂ କଥା ଶୁଣିବାର ଯୁଗ । ଏହି ଯୁଗ ବହୁକାଳ ଧରି ରାଜତ୍ୱ କରିଆସିଥିଲା ଭାବରାଜ୍ୟରେ । ବସ୍ତୁବାଦୀ ଜୀବନର ଘାତ ପ୍ରତିଘାତ ମଧ୍ୟରେ ଯୁଗ-ସଚେତନ ମନୁଷ୍ୟ ସାହିତ୍ୟ ରାଜ୍ୟରେ ନିଜକୁ ଖୋଜି ବୁଲିଲା ଏବଂ ନିଜପାଇଁ ଆସ୍ଥାନଟିଏ ମଧ୍ୟ ଲୋଡ଼ି ବସିଲା । ସେହି ଅଭାବକୁ ପୁରଣ କଲା ଉପନ୍ୟାସ ଏବଂ ସେହି କାରଣରୁ ଉପନ୍ୟାସ ହୋଇଉଠିଲା ସାମାଜିକ ମନୁଷ୍ୟର ଅତ୍ୟନ୍ତ ଆପଣାର । ଉପନ୍ୟାସ ହେଲା ଜୀବନର ଯଥାର୍ଥ ରୂପାୟନ ଏବଂ ପ୍ରତିଛବି । ଔପନ୍ୟାସିକ ଜୀବନର ଫଟୋଗ୍ରାଫର ହୋଇଗଲା । ମନୁଷ୍ୟର ଏତେ ସୁନ୍ଦର ଚିତ୍ର ସାହିତ୍ୟର କାନଭାସ ଉପରେ ଆଗରୁ କେବେ ଏପରି ସାର୍ଥକ ରୂପ ପରିଗ୍ରହ କରିପାରିନଥିଲା ।

 

*ଏହି ପ୍ରବନ୍ଧଟି ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ତା /୬/୮/୮୬ରେ ଭୁବନେଶ୍ୱରଠାରେ ଆୟୋଜିତ ‘ସାଂପ୍ରତିକ ଓଡ଼ିଆ ଉପନ୍ୟାସର ସମସ୍ୟା’ ଶୀର୍ଷକ ଆଲୋଚନାଚକ୍ରରେ ପଠିତ ଓ ଆଲୋଚିତ ।

 

ଓଡ଼ିଆ ଉପନ୍ୟାସର ମହିମାମଣ୍ଡିତ ବ୍ୟକ୍ତିତ୍ୱ ଫକୀରମୋହନ:-

ସାହିତ୍ୟର ଇତିହାସରେ ଆନ୍ତର୍ଜାତିକ କ୍ଷେତ୍ରରେ ଉପନ୍ୟାସର ଜନ୍ମ ଅଷ୍ଟାଦଶ ଶତାବ୍ଦୀରୁ ହେଲେ ହେଁ ଉନବିଂଶ ଶତାବ୍ଦୀ ଏବଂ ବିଂଶ ଶତାବ୍ଦୀର ପ୍ରଥମ ଭାଗ ହେଉଛି ଉପନ୍ୟାସ ସାହିତ୍ୟର ସୁବର୍ଣ୍ଣ ଅଧ୍ୟାୟ । ଉନବିଂଶ ଶତାବ୍ଦୀର ଶେଷ ପାଦରେ ଏବଂ ବିଂଶ ଶତାବ୍ଦୀର ପ୍ରଥମ ଭାଗରେ ଓଡ଼ିଆ ଉପନ୍ୟାସର ପିତା ଫକୀରମୋହନ ଲେଖନୀ ଚାଳନା କରି ସିଦ୍ଧିଲାଭ କରିଥିଲେ । ସାହିତ୍ୟରେ ରୋମାରୋଲାଁ, ମାର୍ଶଲ ପ୍ରାରଷ୍ଟ, ଆନ୍ଦ୍ରେଜୀଦ, ଜର୍ମାନୀ ସାହିତ୍ୟରେ ଟମାସମାନ୍‍, ଜେକଭ ଭାସରମାନ, ସୋଭିଏଟ ସାହିତ୍ୟରେ ଟୁର୍ଗେନିଭ ତଷ୍ଟୟେଭସ୍‌କୀ, ଚେକଭ, ଲିଓନଡ୍‍ ଆନ୍ଦ୍ରେୟେଭ ଇଭନ୍‌ ବୁନିଚ, ଆଲୋକଜାଣ୍ଡାର ଇଭାନେଭିଚ କୁପରିନ, ମାର୍କିନ ସାହିତ୍ୟରେ ମାର୍କ ଟୁଏନ ହେନେରୀ ଜେମସ, ହେରୀୟେଟ ଷ୍ଟୋଜାକ୍‌ ଲଣ୍ଡନ ସିଙ୍କାଲେୟାର ପ୍ରମୁଖ ଚିରସ୍ମରଣୀୟ ଔପନ୍ୟାସିକମାନଙ୍କର ଆବିର୍ଭାବ ଏହି ଯୁଗରେ ହିଁ ଘଟିଥିଲା । ଓଡ଼ିଆ ସାହିତ୍ୟର ଫକୀରମୋହନ, ବଙ୍ଗ ସାହିତ୍ୟର ବଙ୍କିମ ଚନ୍ଦ୍ର, ଉର୍ଦ୍ଦୁ ସାହିତ୍ୟର ଅବଦୁଲ ହାଲିମ ଶରାର ଓ ହିନ୍ଦୀ ସାହିତ୍ୟର ପ୍ରେମଚାନ୍ଦ ପ୍ରମୁଖ ସୁନାମଧନ୍ୟ ଭାରତୀୟ ଔପନ୍ୟାସିକମାନଙ୍କର ଆବିର୍ଭାବ ମଧ୍ୟ ବିଶ୍ୱ ଉପନ୍ୟାସରେ ଏହି ସ୍ୱର୍ଣ୍ଣ ଯୁଗରେ ଘଟିଥିଲା । ୧ । ଏହି ଆଲୋଚନା ପ୍ରବନ୍ଧରେ ଡଃ ଶ୍ରୀଯୁକ୍ତ ସୁରେନ୍ଦ୍ର ମହାନ୍ତି ମତପ୍ରକାଶ କରିଛନ୍ତି ଯେ ଦ୍ୱିତୀୟ ମହାଯୁଦ୍ଧ ଶେଷ ପର୍ଯ୍ୟନ୍ତ ବିଶ୍ୱ ସାହିତ୍ୟରେ ଉପନ୍ୟାସ ଯୁଗ ରାଜପଣ କରୁଥିଲା । ଏହି ମହାଯୁଦ୍ଧ ପରବର୍ତ୍ତୀ କାଳରେ ବିଶେଷ ଉଲ୍ଲେଖଯୋଗ୍ୟ ଉପନ୍ୟାସ ବିଶ୍ୱ ସାହିତ୍ୟରେ ବିରଳ । ଏହି ନିୟମର ଅନୁରୋଧରେ ସୁରେନ୍ଦ୍ରବାବୁ ମତପ୍ରକାଶ କରନ୍ତି ଯେ ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳରେ ଓଡ଼ିଆ ସାହିତ୍ୟରେ ଉଲ୍ଲେଖଯୋଗ୍ୟ ଉପନ୍ୟାସ ଲେଖାଯାଇନାହିଁ । ୨) ପୁନଶ୍ଚ ତାଙ୍କ ମତରେ ଯାହା ବା କିଛି ଉପନ୍ୟାସ ଲେଖାଯାଇଛି, ତାହା କେବଳ ଯୁଦ୍ଧୋତ୍ତର ବ୍ୟାଧି ମନର ବିକାର । ଶୋୟେଂଦା ଉପନ୍ୟାସ ଏବଂ କଳା ନାମରେ ପ୍ରାଣହୀନ କମରସିଆଲିକମ୍‌ । ଏ ଯୁଗର ଇତସ୍ତତଃ ଭ୍ରାମ୍ୟମାଣ, ଭବିଷ୍ୟତହୀନ, ଆଶାହୀନ, ପଥହୀନ ପାଠକ ସମାଜର ଆଶା ଓ ଆକାଙ୍‌କ୍ଷା ସହିତ ଏହି ଉପନ୍ୟାସ ଗୁଡ଼ିକର କୌଣସି ସମ୍ବନ୍ଧ ନାହିଁ । ୩) ପୁନଶ୍ଚ ସମାଲୋଚକ ସୁରେନ୍ଦ୍ର ମହାନ୍ତି ‘’ଫକୀରମୋହନଙ୍କ ପରବର୍ତ୍ତୀ ଉପନ୍ୟାସ’’୪) ଶୀର୍ଷକ ଆଲୋଚନାରେ ଫକୀରମୋହନଙ୍କ ପରଲୋକ ପ୍ରାପ୍ତିଠାରୁ ସାଂପ୍ରତିକ କାଳ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସର ଏକ ଗୁଣାତ୍ମକ ସମୀକ୍ଷା କରିଛନ୍ତି । ଏଥିରେ ଶ୍ରୀଯୁକ୍ତ ମହାନ୍ତି ପ୍ରତିପାଦନ କରୁଛନ୍ତି ଯେ ଫକୀରମୋହନଙ୍କ ପରବର୍ତ୍ତୀ କ୍ଷୁଦ୍ରଗଲ୍ପ କ୍ଷେତ୍ରରେ ଅଭିବ୍ୟକ୍ତିର ଯେଉଁ ଗତିଶୀଳତା ପରିଲକ୍ଷିତ ହୁଏ, ଉପନ୍ୟାସ କ୍ଷେତ୍ରରେ ତାହା ବିରଳ । ଉପନ୍ୟାସ ଗତି ଓ ପ୍ରକୃତିରେ ଅତ୍ୟନ୍ତ ରକ୍ଷଣଶୀଳ ହୋଇ ପଡ଼ିଅଛି । ପରିମାଣାତ୍ମକ ଦୃଷ୍ଟିରୁ ହୁଏତ ଓଡ଼ିଆ ଉପନ୍ୟାସ ଗତିଶୀଳ । କିନ୍ତୁ ଗୁଣାତ୍ମକ ବିଚାରରେ ତାହା ସେହିପରି ହତାଶାବ୍ୟଞ୍ଜକ । ତାଙ୍କ ମତରେ ଏଯାବତ ଓଡ଼ିଆ ଉପନ୍ୟାସ କେବଳ ପଲ୍ଲୀକୈନ୍ଦ୍ରିକ ହୋଇରହିଅଛି । ଚତିତ୍ରଚିତ୍ରଣ, ଭାଷାଶୈଳୀ ଦୃଷ୍ଟିରୁ ମଧ୍ୟ ଆଧୁନିକ କାଳର ଉପନ୍ୟାସ ଫକୀରମୋହନଙ୍କୁ ବିଶେଷ ଅତିକ୍ରମ କରିପାରିନାହିଁ । କେବଳ ସେତିକି ନୁହେଁ, ଫକୀରମୋହନଙ୍କ ପରବର୍ତ୍ତୀ ଅର୍ଦ୍ଧଶତାବ୍ଦୀ ମଧ୍ୟରେ (ଫକୀରମୋହନ ୧୯୧୮ରେ ମୃତ୍ୟୁବରଣ କଲେ) ଅର୍ଦ୍ଧଡଜନ କାଳୋତ୍ତୀର୍ଣ୍ଣ ଉପନ୍ୟାସର ତାଲିକା ଖୋଜିବସିଲେ ହୁଏତ ହତାଶ ହେବାକୁ ପଡ଼ିବ ।

 

୧.

ଆଧୁନିକ ଉପନ୍ୟାସର ଭୂମିକା – ସୁରେନ୍ଦ୍ର ମହାନ୍ତି – ଡଃ କାହ୍ନୁଚରଣ ମିଶ୍ର ଅଭିନନ୍ଦନ ଗ୍ରନ୍ଥ – ୧୯୮୩-ପୃ.୪୧ ।

୨.

ଏଜନ – ପୃ. ୪୩

୩.

ଏଜନ୍‍ - ପୃ. ୫୨

୪.

ତା/୨/୧୨/୧୯୬୭ ରିଖରେ ଉତ୍କଳ ସାହିତ୍ୟ ସମାଜ ଅଧିବେଶନରେ ପ୍ରଦତ୍ତ ଭାଷଣ-

 

ମୋଟ ଉପରେ ଫକୀରମୋହନ ହେଉଛନ୍ତି ଆଲୋଚକଙ୍କ ମତରେ ଓଡ଼ିଆ ସାହିତ୍ୟରେ ଏକ ଯୁଗାନ୍ତକାରୀ ବ୍ୟକ୍ତିତ୍ୱ । ତାଙ୍କୁ ଅତିକ୍ରମ କରି ଆଜି ପର୍ଯ୍ୟନ୍ତ କୌଣସି ଉଲ୍ଲେଖ ଯୋଗ୍ୟ ଔପନ୍ୟାସିକଙ୍କର ଆବିର୍ଭାବ ହୋଇନାହିଁ ।

 

ଓଡ଼ିଆ ଉପନ୍ୟାସର ପିତା ଫକୀରମୋହନଙ୍କର ମତ –

ସାଧାରଣତଃ ଆଲୋଚକମାନଙ୍କର ମତ ଯେ ପାଶ୍ଚାତ୍ୟ ସାହିତ୍ୟର ପ୍ରଭାବରେ ନ ଆସିଥିଲେ ଭାରତୀୟ ସାହିତ୍ୟରେ ଉପନ୍ୟାସ ସୃଷ୍ଟି ହୋଇ ନଥାନ୍ତା । ମାତ୍ର ଏହି ଭାବନାଟି ଓଡ଼ିଆ ଉପନ୍ୟାସର ସ୍ରଷ୍ଟା ଫକୀରମୋହନଙ୍କ ପ୍ରତି ପ୍ରଯୋଜ୍ୟ ହେବ କି ? ସେ ତ ଇଂରାଜୀ ସାହିତ୍ୟ ଆଦୌ ଅଧ୍ୟୟନ କରି ନଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅଥଚ ତାଙ୍କର ଉପନ୍ୟାସଗୁଡ଼ିକ କଳାଗତ ସାଫଲ୍ୟକୁ ତତ୍‌କାଳୀନ ଇଂରେଜୀ ଔପନ୍ୟାସିକ ଡିକେନ୍‍ସଙ୍କ ସହ ଆଲୋଚକମାନେ ତୁଳନା କରିଥାଅନ୍ତି । ୫) ଫକୀରମୋହନଙ୍କ ଉପନ୍ୟାସ ଯେ ଏଇ ମାଟିରୁ ସୃଷ୍ଟି, ଏଥିରେ ସନ୍ଦେହର ଅବକାଶ ନାହିଁ । ଉପନ୍ୟାସ ରଚନା ପାଇଁ ସେ ଭାରତୀୟ ପରଂପରା ଓ ସଂସ୍କୃତିରୁ ଅଧିକ ପ୍ରେରଣା ଲାଭ କରିଥିଲେ । ମୃତ୍ୟୁର କିଛିକାଳ ପୂର୍ବରୁ ତା ୦୬/୦୯/୧୯୧୪ରିଖ ଦିନ ଉତ୍କଳ ସାହିତ୍ୟ ସମାଜର ଦଶମ ବାର୍ଷିକ ଅଧିବେଶନରେ ଉପସ୍ଥିତ ହୋଇ ନ ପାରି ସେ ଯେଉଁ ସଭାପତି-ଅଭିଭାଷଣଟି ପ୍ରେରଣ କରିଥିଲେ ପାଠ କରିବା ପାଇଁ, ସେଥିରେ ଏହିପରି କହିଥିଲେ –‘‘ଥୋକେ ଲୋକ ମନରେ କରନ୍ତି, ଇଂରାଜୀ ଶିକ୍ଷା ପ୍ରଭାବରୁ ଉପନ୍ୟାସର ନାମ ଜାଣିଲୁ । କିନ୍ତୁ ନିଶ୍ଚୟ କଥା ଉପନ୍ୟାସ, ନାଟକ ଓ ଦର୍ଶନ ଶାସ୍ତ୍ରର ଉତ୍ପତ୍ତିସ୍ଥାନ ଭାରତବର୍ଷ ଅଟେ । ଦର୍ଶନ କିମ୍ବା ନାଟକ ବିଷୟରେ ଯଦିଚ କାହାରି କିଛି ବକ୍ତବ୍ୟ ନାହିଁ, କିନ୍ତୁ ଦୃଢ଼ ରୂପେ ବୋଲାଯାଇପାରେ, ବହୁ ସହସ୍ର ବର୍ଷ ପୂର୍ବେ ରଚିତ ବେଦରେ ଲିଖିତ ନଚିକେତା ଉପାଖ୍ୟାନ କିମ୍ବା ଇନ୍ଦ୍ର, ବରୁଣ ସମ୍ବାଦକୁ ବୈଦିକ ଉପନ୍ୟାସ ବୋଲାଯାଇପାରେ । ଏଥିରେ ଯଦି କାହାରି କିଛି ଆପତ୍ତି ଥାଏ, ତେବେ ସର୍ବସାଧାରଣରେ ଧର୍ମଗ୍ରନ୍ଥ ପ୍ରଚାର ନିମନ୍ତେ ବେଦବ୍ୟାସ ଅଷ୍ଟାଦଶ ପୁରାଣ ବା ଉପନ୍ୟାସ ରଚନା କରିଅଛନ୍ତି । ଏହି ପୌରାଣିକ ବାକ୍ୟ ଅସ୍ୱୀକାର କରିବା କାହାରି ଆୟତ୍ତନାହିଁ । ସମସ୍ତ ପୁରାଣ ରଚନା କରି ମହାଭାରତ ପରିଶିଷ୍ଟରେ ସ୍ୱୟଂ ଭଗବାନ ବେଦବ୍ୟାସ ଇଶ୍ୱରଙ୍କଠାରେ କ୍ଷମା ପ୍ରାର୍ଥନା କରିଅଛନ୍ତି –

 

‘‘ରୁପଂ ରୂପବିବର୍ଜିତସ୍ୟ ଭବତୋ ଧ୍ୟାନେନ ଯଦ୍‌ ବର୍ଣ୍ଣିତଂ

ସ୍ତୁତ୍ୟାନୀବଂନୀୟତା ଖିଳଗୁରୋ ଦୁରୀକୃତଂ ପନ୍ନୟା ।

ବ୍ୟାପିତ୍ୱଂଚ ବିନାଶିତଂ ଭଗବତୋ ଯତ୍ତୀର୍ଥଯାତ୍ରାଦିନ

କ୍ଷନ୍ତବ୍ୟଂ ଯଗଦୀଶ ତଦ୍‌ବିକଳତା ଦୋଷତୟଂ ମତକୃତଂ ।’’

 

୫.

(କ)

ଫକୀରମୋହନ ସମୀକ୍ଷା – ସୁରେନ୍ଦ୍ର ମହାନ୍ତି – ୧୯୫୫, ପୃ–୪୩

 

(ଖ)

ଓଡ଼ିଆ ଉପନ୍ୟାସ– ଡଃ କୃଷ୍ଣଚରଣ ବେହେରା – ୧୯୬୮, ପୃ–୩୧୦

 

କେହି ବା ମନରେ କରିବେ, ମୁଁ ଦୁଇଖଣ୍ଡ ସାମାନ୍ୟ ଉପନ୍ୟାସ ଲେଖିଅଛି ବୋଲି ଉପନ୍ୟାସର ଏତେ ପ୍ରଶଂସା କଲି; କିନ୍ତୁ ମୋ ନିଜ ପକ୍ଷର କୈଫିୟତ ଏହି ଯେ ଗୋଟିଏ ନିବିଡ଼ ଜଙ୍ଗଲରେ ବାଟ ନଥିଲେ କୁଲି ଶ୍ରେଣୀର ଲୋକ ଜଙ୍ଗଲ କାଟି ଛାଞ୍ଚ କରିଦେଲା ଉତ୍ତାରେ ଜ୍ଞାନବନ୍ତ ଇଞ୍ଜିନିୟରମାନେ ଆସି ସୁନ୍ଦର ସଡ଼କ ପ୍ରସ୍ତୁତ କରିଥାନ୍ତି । ଅତଃପର ଶିକ୍ଷିତ ଲୋକମାନେ ଭଲ ଉପନ୍ୟାସ ଲେଖିବେ, ସେଥିପାଇଁ ମୁଁ ଗୋଟିଏ ଛାଞ୍ଚ କରି ଯାଉଅଛି ।’’ (୬)

 

ସେ କାଳର ଉତ୍କଳ ସାହିତ୍ୟ ପତ୍ରିକାରେ ନିଜର ଥଟୁଲି ଭାଷାରେ ଫକୀରମୋହନ ‘‘ଅଜା ନାତି କଥା’’ ଶୀର୍ଷକ ଏକ ସତ୍ୟମୂଳକ ଘଟଣା ସଂଳାପ ଜରିଆରେ ଲେଖିଥିଲେ । ସେହି ଆଲୋଚନାରୁ ଫକୀରମୋହନଙ୍କ ଉପନ୍ୟାସ ରଚନାର ଆଭିମୂଖ୍ୟ ଜଣାଯାଇଥାଏ । ‘‘ଉତ୍କଳ ସାହିତ୍ୟ’’ରେ ପ୍ରକାଶିତ ‘‘ମଉନା ମଉନୀ’’ ଗଲ୍ପକୁ ଉପଲକ୍ଷ୍ୟ କରି ......

 

ଅଜା .xx xx....ତେବେ ଏଇଭଳି ମିଛ କଥା ଗୁଡ଼ାଏ ଥାଏ ? ସେଗୁଡାକ ତୁ କ୍ୟାଁ ପଢ଼ୁରେ ? ତମ ଇସ୍କୁଲରେ କ’ଣ ଏଇ ମିଛ କଥା ଗୁଡ଼ାକ ପଢ଼ାହୁଏ କ୍ୟାଁ ? ହବ ନାହିଁ କ୍ୟାଁ, ମ୍ଲେଛ ପାଠ ତ ?

 

ଗଣପତି-- ନାହିଁ ଅଜା, ସେ ଗୁଡ଼ିକ ମିଛ ନୁହେଁ; ମନୁଷ୍ୟ କେତେ ରକମ କାର୍ଯ୍ୟ କରିପାରେ, କଥା ଛଳରେ ସେହି ଚରିତ୍ର ବର୍ଣ୍ଣନା କରାଯାଇଛି ।

 

ଗଣପତି –ଜାଣ ତ ଅଜା, ପୁରାଣ ବୋଲ, କି ଉପନ୍ୟାସ ବୋଲ, କି ଗଲ୍ପ ବୋଲ, ଲୋକଶିକ୍ଷା ଲାଗି କବିମାନେ ଏପରି ଲେଖିଯାଇଛନ୍ତି । ପୁରାଣ ଅର୍ଥ କ’ଣ ନା ପୁରୁଣା କଥା । ଆଜିକାଲି ଯେ ଉପନ୍ୟାସ ସବୁ ବାହାରୁଛି ତାକୁ ହଜାର ବର୍ଷ ଉତ୍ତାରେ ଲୋକମାନେ ପଢ଼ିଲେ କେହି ସତ ବୋଲି ମଣିବା ଆଶ୍ଚର୍ଯ୍ୟ ନୁହେଁ । ‘’୭)

 

ଫକୀରମୋହନଙ୍କଠାରୁ ଓଡ଼ିଆ ଉପନ୍ୟାସର ଗତି ଓ ପ୍ରକୃତି –

ପାଶ୍ଚାତ୍ୟ ସାହିତ୍ୟ ଓ ବସ୍ତୁଧର୍ମୀ ସଭ୍ୟତାର ସମ୍ପର୍କରେ ଆସି ଭାରତୀୟ ସାହିତ୍ୟରେ ଉପନ୍ୟାସର ଅଭ୍ୟୁଦୟ ହୋଇଥିଲା । ଓଡ଼ିଆ ସାହିତ୍ୟରେ ଫକୀରମୋହନ ହେଲେ ଏ କ୍ଷେତ୍ରରେ ମହାନ୍‌ ଶକ୍ତିଶାଳୀ କଳାକାର । ଫକୀରମୋହନଙ୍କ ଉପରେ ସମକାଳୀନ ବଙ୍ଗଳା ଉପନ୍ୟାସର ପ୍ରଭାବ ଯେ ପଡ଼ିଅଛି ଏହା ଅସ୍ୱୀକାର କରାଯାଇନପାରେ । ୮) ତଥାପି କଥା ସୃଷ୍ଟିରେ ଓ ଚରିତ୍ରଚିତ୍ରଣରେ ଫକୀରମୋହନ ଅନନ୍ୟ ପାରଦର୍ଶିତା ଲାଭ କରିଅଛନ୍ତି । ତତ୍‌କାଳୀନ ସମାଜର ଦୋଷଦୂର୍ବଳତା ପ୍ରଦର୍ଶନ, ଗ୍ରାମ୍ୟ ଓ ଦେଶଜ ଭାଷାର ବ୍ୟବହାର, ମଧ୍ୟବିତ୍ତ ଓ ନିମ୍ନ ଶ୍ରେଣୀର ଚରିତ୍ର ଚିତ୍ରଣରେ ଫକୀରମୋହନ ଅପୂର୍ବ ସାଫଲ୍ୟ ଅର୍ଜନ କରିଥିବା ଜଣାଯାଏ । ଫକୀରମୋହନଙ୍କ ଉପନ୍ୟାସକୁ ଆଖ୍ୟାତ କରାଯାଇପାରେ – “A faithful and chaste cory of life and manners.’’ ଭିକ୍ଟୋରିଆ ଯୁଗର ଇଂରେଜୀ ଉପନ୍ୟାସର ଧର୍ମ ଫକୀରମୋହନଙ୍କ ଉପନ୍ୟାସରେ ପ୍ରତିଫଳିତ । ଚରିତ୍ର ହେଉଛି ସେ ଯୁଗର ଉପନ୍ୟାସର ମୂଳ କଥା । ସେହି ଚରିତ୍ରମାନଙ୍କର ସୁଖ, ଦୁଃଖ, ହସକାନ୍ଦ, ଅତ୍ୟନ୍ତ ନିପୁଣ ଭାବରେ ବର୍ଣ୍ଣିତ ହୋଇଅଛି-। ଏପରିକି ଅତି ଛୋଟ ଛୋଟ ଗୌଣ ଚରିତ୍ରକୁ ମଧ୍ୟ ଫକୀରମୋହନ ଅବହେଳା କରିପାରିନାହାନ୍ତି-। ତେଣୁ ମାମୁଁ ଉପନ୍ୟାସରେ ଫକୀରମୋହନ ଲେଖିଛନ୍ତି –‘‘ସମସ୍ତ ନାୟକ ନାୟିକାଙ୍କ ରୂପ ଗୁଣ ବିଷୟ ଯେ ସ୍ଥୂଳରେ ଲେଖିବାକୁ ବସିଛୁ, ଅତି ସାମାନ୍ୟ ବୋଲି ଜଣକୁ ହେଣ୍ଟି ଦେଇଯିବା ତରପସାନି କଥା ।’’ ଏ କାଳର ଉପନ୍ୟାସରେ ଚରିତ୍ରଗୁଡ଼ିକ ଥିଲେ ଅପରିବର୍ତ୍ତନୀୟ (ଫ୍ଲାଟ) ସେମାନେ ପ୍ରଥମରୁ ଯେପରି ଆଚରଣ ପ୍ରଦର୍ଶନ କରିଛନ୍ତି, ଶେଷରେ ମଧ୍ୟ ସେହିପରି ରହିଛନ୍ତି । ଏମାନେ ଷ୍ଟାଟିକ ଚରିତ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ । ଫକୀରମୋହନଙ୍କ ଉପନ୍ୟାସରେ ସୂରୁଚି ଥିଲା ସାହିତ୍ୟର ଆଦର୍ଶ, ସୁନୀତି ଥିଲା ସାହିତ୍ୟର ଅପରିହାର୍ଯ୍ୟ ପ୍ରକୃତି । ତେଣୁ ନୀତିବାଦୀ ଫକୀରମୋହନ ସମାଜର ଦୁର୍ଗତି ପାଇଁ ଦାୟୀ କରିଛନ୍ତି ବ୍ୟକ୍ତିକୁ । ଶିକ୍ଷାକୁ ଘୃଣା ନକରି ଶିକ୍ଷିତକୁ ଘୃଣା କରିଛନ୍ତି । ଅବଶ୍ୟ ବହୁକାଳ ପର୍ଯ୍ୟନ୍ତ ଫକୀରମୋହନଙ୍କ ଉପନ୍ୟାସ ରଚନାର ଶୈଳୀ ଓଡ଼ିଆ ସାହିତ୍ୟରେ ନିରବଚ୍ଛିନ୍ନ ଭାବରେ ରାଜପଣ କଲା । ଓଡ଼ିଆ ଉପନ୍ୟାସରେ କୌଣସି ବିଚିତ୍ରତା ରହିଲା ନାହିଁ । ପ୍ରେମ ଭାବନାରେ ଫକୀରମୋହନଙ୍କ ରକ୍ଷଣଶୀଳ ଆଦର୍ଶକୁ ବଜାୟ ରଖିଥିଲେ । ଫକୀରମୋହନଙ୍କ ଚରିତ୍ରଗୁଡ଼ିକରେ ସଂଘର୍ଷ ନାହିଁ କହିଲେ ଚଳେ । ଆଦର୍ଶ ଫୁଟାଇବା ହେଲା ବଡ କଥା । କିନ୍ତୁ ଓଡ଼ିଆ ଉପନ୍ୟାସରେ ଏହି ଧାରା ଅବ୍ୟାହତ ରହିପାରିଲା ନାହିଁ । ଫକୀରମୋହନଙ୍କ ଆଦର୍ଶକୁ ଅସ୍ୱୀକାର କରି ଓଡ଼ିଆ ଉପନ୍ୟାସରେ ନୂତନ ପରୀକ୍ଷା ଅତ୍ୟନ୍ତ ସଫଳତାର ସହିତ ଲେଖକମାନେ କରି ଚାଲିଲେ ।

 

୬.

ଉତ୍କଳ ସାହିତ୍ୟ – ୧୮ଶ ଭାଗ ୬ଷ୍ଠ ସଂଖ୍ୟା – ୧୩୨୨, ପୃ–୨୭୨-୨୭୩

୭.

ଉତ୍କଳ ସାହିତ୍ୟ – ୧୩୨୨– ୧୯ଶ ଭାଗ ପୃ- ୫୧-୫୩ ।

୮.

ବିଷବୃକ୍ଷ ଓ ଛମାଣ ଆଠଗୁଣ୍ଠ – ଅଧ୍ୟାପକ କୃଷ୍ଣଚରଣ ସାହୁ, ଝଙ୍କାର । ୧୧ଶ ବର୍ଷ – ୯ମ ସଂଖ୍ୟା ।

 

ଭିକ୍ଟୋରିଆ ଯୁଗର ଚରିତ୍ରମାନେ ସେ କାଳର ପାରମ୍ପରିକ ଅନୁଷ୍ଠାନ ବଦଳିବ ବୋଲି ବିଶ୍ୱାସ କରୁ ନଥିଲେ । ମାତ୍ର ପ୍ରଥମ ମହାଯୁଦ୍ଧ ପରେ ଏହି ବିଶ୍ୱାସ ମୁଳରେ କୁଠାରଘାତ ହେଲା । ଯୌନ ସମ୍ପର୍କ ଉପରେ ଧାରଣା ବଦଳିଗଲା । ତାହା ଏକ ସାମାଜିକ ନୀତିଗତ ପ୍ରଶ୍ନ ହୋଇ ରହିପାରିଲା ନାହିଁ । ବ୍ୟକ୍ତିଗତ ଧାରଣାରେ ତାହାର ଆବେଦନ ବଦଳିଗଲା । ବିଖ୍ୟାତ ହିନ୍ଦୀ ଔପନ୍ୟାସିକ ପ୍ରେମଚାନ୍ଦ କହିଲେ –

 

‘‘ମେଁ ଉପନ୍ୟାସକୋ ମାନବ ଚରିତ୍ରକା ଚିତ୍ର ମାତ୍ର ସମଝତା ହୁଂ । ମାନବଚରିତ୍ର ପର ପର ପ୍ରକାଶ ଡାଲନା ଔର ରସକେ ରହସ୍ୟୋଁ କା ଖୋଲନାହୀ ଉପନ୍ୟାସ କା ମୁଳତତ୍ତ୍ୱ ହୈ ।’’

 

ସେ କାଳର ଉପନ୍ୟାସ ଥିଲା ଘଟଣା ପ୍ରଧାନ । ଆଖ୍ୟାନଭାଗ ଥିଲା ଉପନ୍ୟାସର ଅତ୍ୟନ୍ତ ପ୍ରଭାବଶାଳୀ । ଚରିତ୍ରମାନେ ଘଟଣା ମଧ୍ୟରେ ପ୍ରକାଶିତ ହେଉଥିଲେ । ଔପନ୍ୟାସିକ ଏକ ନିଚ୍ଛକ ଫଟୋଗ୍ରାଫର ଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । କିନ୍ତୁ ଆଧୁନିକ ଉପନ୍ୟାସରେ ଚରିତ୍ରମାନେ ଘଟଣାକୁ ନିର୍ଭର କରି ପ୍ରକାଶିତ ହୁଅନ୍ତି ନାହିଁ । ସେମାନେ ମନକୁ ନେଇ ବଞ୍ଚି ରହନ୍ତି-। ଏଇ ମନର କଥା ଫକୀରମୋହନ ଅଧିକ କହି ନାହାନ୍ତି । ଘଟିଯାଉଥିବା ଘଟଣାଗୁଡ଼ିକର ଅନ୍ତରାଳରେ ଚରିତ୍ରମାନଙ୍କର ମାନସିକ ପ୍ରତିକ୍ରିୟା ବୈଜ୍ଞାନିକ ଅନୁଶୀଳନ ଜରିଆରେ ଆଜିର ଉପନ୍ୟାସ ଅତ୍ୟନ୍ତ ସାର୍ଥକ ଓ ସ୍ୱାଭାବିକ ଭାବରେ ପ୍ରକାଶ କରି ଚାଲିଛନ୍ତି । ଏହି ପରିପ୍ରେକ୍ଷୀରେ କେବଳ ଆଦର୍ଶର ଅନୁରୋଧରେ ଲେଖକ ଚରିତ୍ରମାନଙ୍କର ସୁନୀତି ଦିଗଟି ଉଦ୍‌ଘାଟିତ କରି ସନ୍ତୁଷ୍ଟ ହୋଇ ରହିପାରିଲା ନାହିଁ । ମଣିଷ ଯେ ଏକ ଜାନ୍ତବ ପ୍ରାଣୀ, ତା’ର ଯୌନ-ଭାବନାର ରୂପାୟନ ଛଳରେ ଏହା ଅଧିକ ପ୍ରତିଭାତ ହୋଇପଡ଼ିଲା । ଯୌନ ଭାବନା ଏକ ସାମାଜିକ ନୀତିଗତ ପ୍ରଶ୍ନ ନ ହୋଇ ଅତ୍ୟନ୍ତ ବ୍ୟକ୍ତିଗତ ବ୍ୟାପାର ବୋଲି ପରିଗଣିତ ହେଲା । ତେଣୁ ପାଠକ ଦେଖିଲା, ‘‘ଦାନାପାଣି’’ ଉପନ୍ୟାସରେ ନାୟକ ବଳୀଦତ୍ତ ଆଫିସିକ ସ୍ତରରେ ଉପରକୁ କ୍ରମଶଃ ଉଠିବାରେ ଲାଗିଛି ସ୍ତ୍ରୀ ସରୋଜିନୀର ସତୀତ୍ୱର ବିନିମୟରେ । ‘ଝଞ୍ଜା’ ଉପନ୍ୟାସରେ କ୍ଷଣପ୍ରଭାର ବିକଳ ଚିତ୍ର ଅନ୍ଧହୋଇ ଯାଇଥିବା ସ୍ୱାମୀ ତୁଷାରକାନ୍ତି ଜାଣିବାର ଉପାୟ ନାହିଁ । ‘ହରିଜନ’ କିମ୍ବା ‘ନରକିନ୍ନର’ ଉପନ୍ୟାସରେ ମଣିଷ ମନର ଏହି ବିକଳ ଚିତ୍ରକୁ ସୁରୁଚିର ଅନୁରୋଧରେ ଅତ୍ୟନ୍ତ ସ୍ୱାଭାବିକ ଭାବରେ ରୂପାୟିତ କରାଯାଇଥାଏ । ନୀତିବାଦୀ ଫକୀରମୋହନ ସମାଜର ଯାବତୀୟ ଦୁର୍ଗତି ପାଇଁ ଦାୟୀ କରିଥିଲେ ବ୍ୟକ୍ତିକୁ । ସେ ହୋଇପଡ଼ିଛି ଅତିଶୟ ଭାଗ୍ୟବାଦୀ । ବେଳେ ବେଳେ ନିୟତିର କ୍ରିଡ଼ନକ କରି ସେ ସମ୍ମୋହିତ ହୋଇ କାର୍ଯ୍ୟ କରିଚାଲିଛି । ମାତ୍ର ଆଧୁନିକ ଉପନ୍ୟାସରେ ଏହି ଭାବନା ବଦଳି ଯାଇଛି । ବ୍ୟକ୍ତିର ଦୁର୍ଗତି ପାଇଁ ତା’ର ସାମାଜିକ ପରିବେଶ ଦାୟୀ । କଳଙ୍କିତ ସମାଜ ସୁଧୁରିଲେ ବ୍ୟକ୍ତି ମଧ୍ୟ ବଦଳିଯିବ ବୋଲି ଆଶା କରାଯାଇପାରେ ।

 

ଅବଶ୍ୟ ଫକୀରମୋହନ ଯେଉଁ ଚରିତ୍ର ସୃଷ୍ଟି କରିଯାଇଛନ୍ତି, ତାହା ଅତ୍ୟନ୍ତ ରେଖାପାତ ଧର୍ମୀ ଏବଂ ପ୍ରଭାବଶାଳୀ । ତାଙ୍କର ଗଳ୍ପ ଯେମିତି ପାଠକର ମନକୁ ସମ୍ମୋହିତ କରେ ଚରିତ୍ର ମଧ୍ୟ ସେହିପରି ପ୍ରାଣବନ୍ତ ଓ ଉଲ୍ଲେଖଯୋଗ୍ୟ । ସେମାନେ ଯେ ପ୍ରତିନଧିମୂଳକ ଚରିତ୍ର, ଏକଥା ସ୍ୱୀକାର କରିବାକୁ ହେବ । ଉନବିଂଶ ଏବଂ ବିଂଶ ଶତକର ପ୍ରଥମ ତିନିଗୋଟି ଦଶକରେ ଯେଉଁ ଉପନ୍ୟାସ ରଚିତ ହୋଇଥିଲା, ସେଥିରେ ଏକ ଶିକ୍ଷାପ୍ରଦ ଯବନିକା ଟାଣିବା ପାଇଁ ଲେଖକମାନେ ଉଦ୍ୟମ କରିଛନ୍ତି । ମାତ୍ର ଆଧୁନିକ କାଳର ଔପନ୍ୟାସିକ ପ୍ରକୃତ ପକ୍ଷରେ ଏକ ସ୍ୱାଭାବିକ ମଣିଷର କଥା ହିଁ କହିଥାଏ । ତା’ର ସମସ୍ତ ସବଳତା ଏବଂ ଦୁର୍ବଳତାର ଅବିକଳ ଚିତ୍ରଟି ସେ ପାଠକ ସମ୍ମୁଖରେ ଧରି ରଖିବାକୁ ଚେଷ୍ଟାକରେ । ମନସ୍ତତ୍ୱର ବିଶ୍ଲେଷଣ ଜରିଆରେ ସେ ପ୍ରକୃତ ମନୁଷ୍ୟର ଚିତ୍ର ରୂପାୟନ ପାଇଁ ଯତ୍ନବାନ ହୋଇଥାଏ । ଏହି ବିଚାରରେ ଫକୀରମୋହନଙ୍କ ପରବର୍ତ୍ତୀ କାଳର ଉପନ୍ୟାସକୁ ବିଚାର କରାଯାଇପାରେ ।

 

ଉପନ୍ୟାସ ରଚନାରେ ନୂତନ ଦିଗନ୍ତର ଅନ୍ୱେଷଣ

ଯେଉଁମାନେ କହନ୍ତି ଯେ ଫକୀରମୋହନ ପରେ ଓଡ଼ିଆ ଉପନ୍ୟାସ ଅଗ୍ରଗତି କରିନାହିଁ ବୋଲି, ସେମାନେ ଅତ୍ୟଧିକ ଭାବପ୍ରବଣ ଅଥବା ପାଶ୍ଚାତ୍ୟ ସାହିତ୍ୟର ଐଶ୍ୱର୍ଯ୍ୟ ମଧ୍ୟରେ ଅତ୍ୟନ୍ତ ଭାରାକ୍ରାନ୍ତ ମଧ୍ୟ ! ୯) ତେବେ କ’ଣ ଆମେ ସ୍ୱୀକାର କରିବା ଯେ ଓଡ଼ିଆ ଉପନ୍ୟାସ ସେହି ଭିକ୍ଟୋରିଆନ ଯୁଗର ଶୈଳୀ ମଧ୍ୟରେ ରହିଅଛି ? ଶୈଳୀ, ପ୍ରକାଶଭଙ୍ଗୀ, ମାନସିକ ବିଶ୍ଲେଷଣ ପର୍ଯ୍ୟାଲୋଚନା, ମୂଲ୍ୟବୋଧ ଓ ଆଦର୍ଶର ସଂଘର୍ଷ ପ୍ରଭୁତି ବିଷୟ ବିଚାରକୁ ନେଲେ ଅତୀତ ଓ ବର୍ତ୍ତମାନର ଉପନ୍ୟାସ ମଧ୍ୟରେ ଆକାଶ ପାତାଳ ପ୍ରଭେଦ ଅନୁଭବ କରାଯାଇଥାଏ । ମୁଷ୍ଟିମେୟ ଐତିହାସିକ ଏବଂ ପୌରାଣିକ ଉପନ୍ୟାସକୁ ବାଦ ଦେଲେ ବହୁକାଳ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ସଂସାରରେ ମଧ୍ୟବିତ୍ତ ଶିକ୍ଷିତ ଗୋଷ୍ଠୀର ଜୀବନର ଜୟଯାତ୍ରା ଚାଲିଥିଲା । ସମାଜରେ ଯେଉଁମାନେ ଅବହେଳିତ, ଶୋଷିତ, ଲାଞ୍ଛିତ ଏବଂ ଉତ୍ପୀଡ଼ିତ, ସେମାନଙ୍କର ଜୀବନଚିତ୍ର ଲେଖକମାନଙ୍କର ବିଶେଷ ଦୃଷ୍ଟି ଆକର୍ଷଣ କରିପାରୁନଥିଲା । ‘ଭୀମଭୂୟାଁ’ର ଲେଖକ ଗୋପାଳବଲ୍ଲଭ ଦାଶ ସେ କାଳରେ ଭୂୟାଁ-ଆଦିବାସୀ ଜୀବନର ଚିତ୍ର ପ୍ରକଟିତ କରିବା ପାଇଁ ଉଦ୍ୟମ କରିଥିଲେ ହେଁ ତାହା ଯେପରି ପ୍ରଭାବଶାଳୀ ହୋଇପାରିଲା ନାହିଁ ଅଥବା ପରବର୍ତ୍ତୀ ଚାରିଗୋଟି ଦଶକ ପର୍ଯ୍ୟନ୍ତ ଓଡ଼ିଆ ଲେଖକମାନେ ତହିଁରୁ କୌଣସି ଫଳପ୍ରଦ ପ୍ରେରଣା ଲାଭ କରିପାରିଲେ ନାହିଁ । ଏ କ୍ଷେତ୍ରରେ ଏକ ବୈପ୍ଲବିକ ଯୁଗାନ୍ତକାରୀ ପରିବର୍ତ୍ତନ ଆହ୍ୱାନ କଲେ ଔପନ୍ୟାସିକ ଗୋପୀନାଥ ମହାନ୍ତି । ଆଦିବାସୀ ହରିଜନଙ୍କ ଜୀବନର ରୂପାୟନ କରି ପ୍ରକାଶିତ ହେଲା ‘ପରଜା’ ଉପନ୍ୟାସ ସ୍ୱାଧୀନୋତ୍ତର କାଳରେ । ଏଣିକି ନିର୍ଦ୍ଦିଷ୍ଟ ଗୋଷ୍ଠୀଜୀବନ, ଯାହା ଆଜି ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ଜଗତରେ ଆଦର ଲାଭ କରିପାରିନଥିଲା, ତାହା ଅତ୍ୟନ୍ତ ମାର୍ମିକ ଭାବରେ ସ୍ଥାନ ଲାଭ କଲା ଔପନ୍ୟାସିକ କଳାରେ । ଯେପରି ଅଛୁଆଁ ଅବହେଳିତ ହରିଜନମାନଙ୍କର ଜୀବନ ତଥା ଗୋପୀନାଥ କହିଲେ ‘‘ହରିଜନ’’ ଉପନ୍ୟାସରେ । ସମାଜର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ‘କେଳା’ ମାନଙ୍କ ସମ୍ପର୍କରେ ଲିଖିତ ହେଲା ବ୍ରଜମୋହନ ମହାନ୍ତିଙ୍କର ‘ସାପୁଆ’ ଉପନ୍ୟାସ ଏବଂ ସମୁଦ୍ରକୂଳିଆ ନୋଳିଆ ଧୀବରମାନଙ୍କର ଜୀବନ ଚିତ୍ରିତ ହେଲା ବ୍ରଜମୋହନଙ୍କର ‘ସାଗର କୁମାର’ ଉପନ୍ୟାସରେ । ‘‘ନିପୀଡ଼ିତ’’ କାରାଜୀବନ ଏବଂ ଦାଦନ ଶ୍ରମିକମାନଙ୍କ ସମ୍ପର୍କରେ ଆମେ ବ୍ରଜମୋହନଙ୍କ ‘‘ଅରକ୍ଷିତ ଉପନିଷଦ’’ରେ କିଛି ଚିତ୍ର ପାଉ । ବିଭୂତି ପଟ୍ଟନାୟକଙ୍କ ‘‘ଚପଳଛନ୍ଦା’’ ଉପନ୍ୟାସର ନାୟିକା କେଳାଝିଅ ‘‘ତୋଫାନୀ’’ ନିଶ୍ଚିତ ଭାବରେ ଏକ ଅଭିନବ ଏବଂ ସଫଳ ପରୀକ୍ଷା ବୋଲି କୁହାଯାଇପାରେ । ଶାନ୍ତନୁ କୁମାର ଆଚାର୍ଯ୍ୟଙ୍କ ‘ନରକିନ୍ନର’ ଉପନ୍ୟାସରେ ସହରତଳି ଜୀବନର ଶଠତା, କପଟତା ଏବଂ ନିଉଛଣା ଜୀବନର ପରିବେଶ ମଧ୍ୟରେ ନାୟକ ଜର୍ଜର ପ୍ରତିକ୍ରିୟା ଆଧୁନିକ ସମାଜର ଏକ ସଙ୍କଟଜନକ ପରିସ୍ଥିତିକୁ ପ୍ରକାଶିତ କରୁନାହିଁ କି ? ଆଧୁନିକ ଓଡ଼ିଆ ଉପନ୍ୟାସରେ ଏ ପ୍ରକାର ଚିତ୍ର ଅତ୍ୟନ୍ତ ବଳିଷ୍ଠ ଏବଂ ଅଭିନବ ନିଶ୍ଚୟ । ସେହି ଦୃଷ୍ଟିରୁ ଶାନ୍ତନୁ ଆଚାର୍ଯ୍ୟଙ୍କ ଶକୁନ୍ତଳା, ଶତାବ୍ଦୀର ନଚିକେତା, ତିନୋଟି ରାତିର ସକାଳ, ଚନ୍ଦ୍ରଶେଖର ରଥଙ୍କ ଯନ୍ତ୍ରାରୂଢ଼, ଅସୂର୍ଯ୍ୟ ଉପନିବେଶ, ଜମେଶ୍ୱର ମିଶ୍ରଙ୍କ ‘ଖମାରୀ’, ସୁରେନ୍ଦ୍ର ମହାନ୍ତିଙ୍କ ଅନ୍ଧଦିଗନ୍ତ, ନୀଳଶୈଳ, ଗୋବିନ୍ଦ ଦାସଙ୍କ ଅମାବାସ୍ୟାର ଚନ୍ଦ୍ର, ରାଜକିଶୋର ମହାନ୍ତିଙ୍କ ସଞ୍ଜବତୀ, ଚଲାବାଟ, କୃଷ୍ଣପ୍ରସାଦ ମିଶ୍ରଙ୍କ ନେପଥ୍ୟେ, ପ୍ରତିଭା ରାୟଙ୍କ ‘ଶିଳାପଦ୍ମ’, ଯାଜ୍ଞସେନୀ, ବସନ୍ତ କୁମାରୀ ପଟ୍ଟନାୟକଙ୍କ ଅମଡ଼ାବାଟ ପ୍ରଭୃତି ଆଲୋଚନା କରାଯାଇପାରେ । ଆଧୁନିକତାର ଏହି ଜୟଗାନ ଓ ପରୀକ୍ଷା ନିରୀକ୍ଷା କେବଳ ଓଡ଼ିଆ ସାହିତ୍ୟ ପାଇଁ ଆକସ୍ମିତ ନଥିଲା । ଏହା ଥିଲା ଭାରତୀୟ ସାହିତ୍ୟ-ସ୍ରୋତର ଏକ ସ୍ୱାଭାବିକ ପରିପ୍ରକାଶ । ଭାରତର ବିଭିନ୍ନ ପ୍ରାନ୍ତର ସାହିତ୍ୟରେ ଏହିପରି ବୈପ୍ଲବିକ ପରିବର୍ତ୍ତନ ଲେଖକ ଓ ପାଠକଶ୍ରେଣୀ ସ୍ୱାଗତ କରିଚାଲିଲେ । ଉନବିଂଶ ଶତାବ୍ଦୀର ଉପନ୍ୟାସର ଆଦର୍ଶ ଓ ଧାରା ଆଉ ଲୋକପ୍ରିୟ ହୋଇପାରିଲା ନାହିଁ । ଓଡ଼ିଆ ସାହିତ୍ୟର ଏହି ପରିବର୍ତ୍ତନ ସହିତ ସମଭାବରେ ତାଳ ଦେଇ ଅନ୍ୟ ପ୍ରାନ୍ତରେ ମଧ୍ୟ ଜୀବନଧର୍ମୀ ଉପନ୍ୟାସ ରଚିତ ହେଲା ସମାଜର ଅବହେଳିତ ବିଭାଗକୁ ଉପଲକ୍ଷ କରି । ଏଠାରେ ମରାଠୀ ଉପନ୍ୟାସ ସାହିତ୍ୟର ଉଦାହରଣ ନିଆଯାଇପାରେ । ମହାରାଷ୍ଟ୍ରର ଲେଖକଗଣ କୋନକାନ ଅଞ୍ଚଳର ଚାଷୀମାନଙ୍କ ସମ୍ପର୍କରେ ଉପନ୍ୟାସ ଲେଖିବାକୁ ଆରମ୍ଭ କଲେ । ଆଉ ମଧ୍ୟ କେହି କେହି ଗୋମନ୍ତକ ଅଞ୍ଚଳକୁ ରୂପାୟିତ କଲେ ଅବିକଳ ଆମ ଗୋପୀନାଥଙ୍କ ଲେଖନୀରେ କୋରାପୁଟର ଅରଣ୍ୟ ଜୀବନ ପ୍ରତିଫଳିତ ହେଲାପରି (୧୦)

 

୯.

‘‘ଏହାର ଭଲମନ୍ଦ ଯାହା ଥାଉ, ଏହା ଯେ ଫକୀରମୋହନଙ୍କ ଭାଷା ଶୈଳୀଠାରୁ ବିଶେଷ ଦୂରବର୍ତ୍ତୀ ନୁହେଁ, ତାହା ଏଠାରେ ଉଲ୍ଲେଖ କରିବା ଦ୍ୱିରୁକ୍ତି ମାତ୍ର । ଏହିପରି ବନ୍ଧନ ମଧ୍ୟରେ ଆବଦ୍ଧ ଥାଇ ଓଡ଼ିଆ ଉପନ୍ୟାସରେ କୌଣସି ସ୍ପନ୍ଦନ ସୃଷ୍ଟିକାରୀ ବଳିଷ୍ଠ ଭାବସମ୍ପଦ ପ୍ରକାଶ ପାଇପାରିନାହିଁ । ଏଇଥିପାଇଁ ତାତ୍ତ୍ୱିକ ଦୃଷ୍ଟିରୁ ଓଡ଼ିଆ ଉପନ୍ୟାସଗୁଡ଼ିକ ପ୍ରାୟ ଶୂନ୍ୟଗର୍ଭ କହିଲେ ଅତ୍ୟୁକ୍ତି ହେବନାହିଁ ।’’

ସୁରେନ୍ଦ୍ର ମହାନ୍ତି–‘‘ଫକୀରମୋହନଙ୍କ ପରବର୍ତ୍ତୀ ଉପନ୍ୟାସ’’ ପ୍ରବନ୍ଧ ।

 

୧୦.

“The latest trend in novel is towards regionalism. R.V. Dighe and S. N. Pendse and G.N. Dandekar while about the peasantry and life in Konkan with such an intimacy and faithfulness of detail, freshness and an eye for the color that they have become a class by themselves. Lakshman Rao Sardesai has done the same partly with a different landscape, that is of Gomantak or Goa.”

(Carvam–April, 1956, P.23-24)

 

ଅବଶ୍ୟ ଏହା ସତ୍ୟ ଯେ ଫକୀରମୋହନଙ୍କ ପରେ ବହୁକାଳ ପର୍ଯ୍ୟନ୍ତ ଓଡ଼ିଆ ଉପନ୍ୟାସ ଗୁଡ଼ିକର ସାରବତ୍ତା ହେଲା ଶସ୍ତା ଭାବପ୍ରବଣତା ଏବଂ ସମାଜ ଜୀବନର ଫଟୋଗ୍ରାଫି । ଏଥିରେ ସାମାଜିକତାର ବାସ୍ତବ ରୂପଲେଖ ପ୍ରତିଫଳନ ହେଲା ନାହିଁ । ଦୃଷ୍ଟିଭଙ୍ଗୀ, ଆଦର୍ଶ ଓ ଶୈଳୀ ଦୃଷ୍ଟିରୁ ମଧ୍ୟ ଅଧିକାଂଶ ଉପନ୍ୟାସ ରେଖାପାତଧର୍ମୀ ହୋଇପାରିଲେ ନାହିଁ । ଫକୀରମୋହନଙ୍କ ପରେ ଉପନ୍ୟାସ ରଚନା ଲରି ଯେଉଁମାନେ ଅତ୍ୟନ୍ତ ସ୍ମରଣୀୟ ହୋଇଛନ୍ତି, ସେମାନେ ହେଲେ ନନ୍ଦକିଶୋ‌ର ବଳ, କୁନ୍ତଳା କୁମାରୀ ସାବତ, ଉପେନ୍ଦ୍ର କିଶୋର ଦାସ, ବୈଷ୍ଣବ ଚରଣ ଦାସ, ଚକ୍ରଧର ମହାପାତ୍ର, କମଳାକାନ୍ତ ଦାସ, ରାମପ୍ରସାଦ ସିଂହ, ଲକ୍ଷ୍ମୀଧର ନାୟକ, ରାମଚନ୍ଦ୍ର ଆଚାର୍ଯ୍ୟ, ଗୋଦାବରୀଶ ମିଶ୍ର ଗୋଦାବରୀଶ ମହାପାତ୍ର, ହରିଶ୍ଚନ୍ଦ୍ର ବଡ଼ାଲ, ହରେକୃଷ୍ଣ ମହତାବ ପ୍ରଭୁତି । ଏମାନେ ଥିଲେ ତତ୍‌କାଳୀନ ଲୋକପ୍ରିୟ ଓପନ୍ୟାସିକ । ଦୃଷ୍ଟି ଓ ଦିଗନ୍ତରେ ଏମାନେ ଜଣେ ଜଣେ ପ୍ରତିଭାଦୀପ୍ତ ସ୍ରଷ୍ଟା ହେଲେହେଁ ଫକୀରମୋହନଙ୍କୁ ଅତିକ୍ରମ କରିବା ପ୍ରତିସ୍ପର୍ଦ୍ଧା ଏମାନଙ୍କର ନ ଥିଲା । କିନ୍ତୁ ବିଂଶ ଶତାବ୍ଦୀର ଉତ୍ତର ତିରିଶରେ ଯେତେବେଳେ କାଳିନ୍ଦୀଚରଣ ପାଣିଗ୍ରାହୀ, ନିତ୍ୟାନନ୍ଦ ମହାପାତ୍ର, ଗୋପୀନାଥ ମହାନ୍ତି, କାହ୍ନୁଚରଣ ମହାନ୍ତି, ରାଜକିଶୋର ପଟ୍ଟନାୟକ ପ୍ରଭୃତି ଉପନ୍ୟାସ ରଚନା କରି ଚାଲିଲେ, ସେତେବେଳେ ମନେହେଲା, ଯେପରି ଗତାନୁଗତିକ ଉପନ୍ୟାସର ଗତିପଥକୁ ନୂତନ ମୋଡ଼ ଦେବାପାଇଁ ଏକ ସାରସ୍ୱତ ଆନ୍ଦୋଳନ ଆରମ୍ଭ ହୋଇଯାଇଛି, ଏହାର କାରଣ ହୁଏତ ହୋଇପାରେ-ଆଧୁନିକତାର ଉଚ୍ଛାସ ଧୀରେ ଧୀରେ ଆମର ସମାଜ ଜୀବନକୁ ସଂକ୍ରମିତ କରି ଚାଲିଥିଲା । ସ୍ୱଭାବତଃ ପରାଧୀନ ଭାରତୀୟ ସମାଜରେ ବିଶେଷ ଚଳଚଞ୍ଚଳତା ଅନୁଭୂତ ହେଉ ନଥିଲା । କିନ୍ତୁ ସ୍ୱାଧୀନତା ଆନ୍ଦୋଳନ, ରାଜନୈତିକ ସଂସ୍କାର ଓ ଲୋକଚେତନା, ଶିଳ୍ପ ବିପ୍ଲବର କ୍ରମିକ ପ୍ରତିକ୍ରିୟା ଧୀରେ ଧୀରେ ଜନମାନସରେ ପରିବର୍ତ୍ତନ ଆନୟନ କରିବା ସ୍ୱାଭାବିକ ।

 

ଏହି ନୁତନ ସମାଜର ଲୋକେ ଅନୁଭବ କଲେ, କିପରି ପୁରୁଣା ସମାଜ ସେମାନଙ୍କ ଆଗରେ ଧୀରେ ଧୀରେ ଭାଙ୍ଗିପଡ଼ୁଛି । ସେମାନଙ୍କ ଇଚ୍ଛା ବିରୁଦ୍ଧରେ ମଧ୍ୟ ଅନେକ ଆଲୋଡ଼ନ ଏବଂ ପରିବର୍ତ୍ତନ ହୋଇ ଚାଲିଛି । ତେଣୁ ଯେଉଁଦିନ କାଳିନ୍ଦୀଚରଣଙ୍କ ‘ମାଟିର ମଣିଷ’, ଉପେନ୍ଦ୍ର କିଶୋରଙ୍କ ‘ମଲାଜହ୍ନ’ ଏବଂ ବୈଷ୍ଣବଚରଣଙ୍କ ‘ମନେ ମନେ’ ଉପନ୍ୟାସ ବିଂଶ ଶତାବ୍ଦୀର ଉତ୍ତର ତିରିଶରେ ପ୍ରକାଶିତ ହେଲା, ସେତେବେଲେ ରସିକ ପାଠକଗୋଷ୍ଠୀ ନିଶ୍ଚିତ ଭାବରେ ଉଲ୍ଲସିତ ହୋଇଉଠିଥିଲେ । ଓଡ଼ିଆରେ କ୍ଲାସିକ ଉପନ୍ୟାସ ସୃଷ୍ଟି ହୋଇଥିଲେ ଫକୀରମୋହନଙ୍କ ପରବର୍ତ୍ତୀ କାଳରେ ଏ ପରିବର୍ତ୍ତନର ଧାରା ପ୍ରଚଣ୍ଡ ଭାବରେ ଅନୁଭୂତ ହୋଇଥାଅନ୍ତା । ଦୁର୍ଭାଗ୍ୟର କଥା ଯେ, ଆମର ସାମାଜିକ ଜୀବନର କାନ୍‌ଭାସ ଅତ୍ୟନ୍ତ ସୀମିତ । ଏଠାରେ କଲିକତା, ବମ୍ବେ କିମ୍ବା ମାନ୍ଦ୍ରାଜର ବୈପ୍ଲବିକ ପରିବେଶ ସ୍ୱପ୍ନପ୍ରାୟ ଥିଲା । ତେଣୁ ଏକ କ୍ଷୁଦ୍ର କାନଭାସ ମଧ୍ୟରେ ଏହି ପରିବର୍ତ୍ତନ ଅତ୍ୟନ୍ତ ଉଲ୍ଲେଖ ଯୋଗ୍ୟ । ଫକୀରମୋହନ ଏ ସ୍ୱପ୍ନ ଦେଖିପାରି ନଥିଲେ । କେବଳ ନାୟକ ନାୟିକାଙ୍କର ବୈବାହିକ ସଂପର୍କର ବିଚାର କରାଯାଉ । ରଘୁ ଅରକ୍ଷିତ ଉପନ୍ୟାସରେ କୁନ୍ତଳାକୁମାରୀ ହିନ୍ଦୁ ଘରର ପୁଅ ରଘୁନାଥ ସହିତ ବ୍ରାହ୍ମ କନ୍ୟାକୁ ବିବାହ ଦେଇଛନ୍ତି । ଗଣଧର୍ମର ପ୍ରତିଷ୍ଠା ପାଇଁ ବ୍ୟାକୁଳତା ପ୍ରକାଶିତ ହୋଇଛି । ଧନୀ ଓ ଗରିବଙ୍କ ମଧ୍ୟରେ ସାମ୍ୟଭାବ ପ୍ରକାଶିତ ହେଉ ବୋଲି ଲେଖିବା ଆଶାପ୍ରକାଶ କରିଛନ୍ତି । ‘‘ପୂର୍ବରାଗ’’ ଉପନ୍ୟାସରେ ଧର୍ମ ଧର୍ମ ମଧ୍ୟରେ ସମନ୍ୱୟ ହେଉ ବୋଲି ଲେଖକ ରାମପ୍ରସାଦ ସ୍ୱପ୍ନ ଦେଖିଛନ୍ତି । ମାନବିକତାର ପ୍ରତିଷ୍ଠା, ସ୍ୱାଧୀନତାର ଆବାହନୀ ଏବଂ ଅନ୍ନବସ୍ତ୍ର ପାଇଁ, ବଞ୍ଚିବାର ଅଧିକାର ପାଇଁ ସାମାଜିକ ବିପ୍ଲବର ଆହ୍ୱାନ ଦେଇଛନ୍ତି ଲେଖକ । ‘‘ନୀଳକମଳ’’ ଉପନ୍ୟାସରେ ଔପନ୍ୟାସିକ ପ୍ରାଣକୃଷ୍ଣ ସାମଲ ଓଡ଼ିଆ ଯୁବକ ରାମନାରାୟଣ ସହିତ ବଙ୍ଗୀୟା ତରୁଣୀ କମଳାର ପ୍ରଣୟ ଓ ମିଳନ ଘଟାଇଛନ୍ତି । ସେ କାଳରେ ଏହା ଥିଲା ଏକ ବୈପ୍ଲବିକ ପଦକ୍ଷେପ । ‘‘ପ୍ରେମ’’ ଉପନ୍ୟାସରେ ହିନ୍ଦୁ ଯୁବକ ରଞ୍ଜନ ଏବଂ ମୁସଲମାନ ଯୁବତୀ ନଜ୍‌ମାର ମିଳନ କରାଇଛନ୍ତି ଲେଖକ ପ୍ରାଣକୃଷ୍ଣ । ଏଥିରେ ସାମାଜିକ କୁସଂସ୍କାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରାଯାଇଛି । ‘ବୁଢାଚଚ୍ଚା’ ଉପନ୍ୟାସରେ ଅଶ୍ୱିନୀକୁମାର ହିନ୍ଦୁ ମୁସଲମାନ ସମାଜ ମଧ୍ୟରେ ଅପୂର୍ବ ବୁଝାମଣା ଓ ମିଳନର ସ୍ୱପ୍ନ ଅଙ୍କନ କରିଛନ୍ତି । ମୋଟ ଉପରେ ଏହିସବୁ ଉପନ୍ୟାସ ଗୁଡ଼ିକ କଳାଦୃଷ୍ଟିରୁ କାଲୋତ୍ତୀର୍ଣ୍ଣ ହୋଇ ପାରିନଥିଲେହେଁ ଏମାନେ ଯେଉଁ ସ୍ୱର ଉତ୍ତୋଳନ କରିଛନ୍ତି, ତାହା ଯେ ଫକୀରମୋହନ କାଳଠାରୁ ସ୍ୱତନ୍ତ୍ର, ଅଭିନବ ଏବଂ ବିପ୍ଲବଧର୍ମୀ, ଏଥିରେ କାହାରି ଦ୍ୱିରୁକ୍ତିର ଅବକାଶ ନାହିଁ ।

 

ବହୁକାଳର ପରାଧୀନତା ପରେ ଦ୍ୱିତୀୟ ମହାଯୁଦ୍ଧର ଘନଘଟା ପରେ ଆମେ ସ୍ୱାଧୀନତା ଲାଭକଲୁ । ମହାଯୁଦ୍ଧ ଜନିତ ଧ୍ୱଂସ ବାଲିଚର ଉପରେ ସ୍ୱାଧୀନତାର ଆଗମନୀ କିପରି ଏକ ସବୁଜ ସ୍ୱପ୍ନରେ ସାମାଜିକ ପରିବେଶକୁ ମତୁଆଲା କରିଦେଲା । ଗଣତନ୍ତ୍ର, ନିର୍ବାଚନ, ପଞ୍ଚବାର୍ଷିକ ଯୋଜନା ଜନଜୀବନରେ କିପରି ଏକ ଅଧିକାର-ସଚେତନ ବାତାବରଣ ସଞ୍ଚାରିତ କରିବାରେ ଲାଗିପଡ଼ିଲା । ଧୀରେ ଧୀରେ ଏକ ପୁରୁଣା ସମାଜ ଭାଙ୍ଗିପଡ଼ି ନୂତନ ସମାଜଜୀବନ ମୁଣ୍ଡ ଟେକି ଉଠୁଥିଲା । ଆଭିଜାତ୍ୟର ଅହମିକା ଏବଂ ସାମନ୍ତବାଦୀ ମିନାରର ଦୀପସ୍ତମ୍ଭ ଧୀରେ ଧୀରେ ଚହଲି ଯାଉଥିଲା । ସେହି ବୁନୀୟାଦୀ ଶ୍ମଶାନ ଉପରେ ନୁଆ ଜୀବନ, ନେତୃତ୍ୱ ଏବଂ ଏକ ନୂତନ ମଣିଷ ସ୍ଥାନିତ ହେବାପାଇଁ ବ୍ୟାକୁଳ ହୋଇଉଠୁଥିଲା । ପଡୋଶୀ ବଙ୍ଗଳା ସାହିତ୍ୟରେ ଆମେ ଏହି ଚିତ୍ର ଦେଖିବାକୁ ପାଇଛୁ ତାରାଶଙ୍କରଙ୍କର ‘କାଳିନ୍ଦୀ’ ଏବଂ ‘ହଂସୁଲି’ ବାଙ୍କେର ଉପକଥା ଉପନ୍ୟାସରେ-। ଏଥିରେ ସାମନ୍ତବାଦର ଦୁର୍ଗ ଭୁଷୁଡ଼ି ପଡ଼ୁଛି ଏବଂ ଶିଳ୍ପଭିତ୍ତିକ ସମାଜ ପ୍ରତିଷ୍ଠା ଲାଭ କରୁଛି । ସେଦିନ ପ୍ରାକ୍‌-ସ୍ୱାଧୀନତା କାଳରେ ଲିଖିତ ହରେକୃଷ୍ଣ ମହତାବଙ୍କ ‘ପ୍ରତିଭା’ ଉପନ୍ୟାସରେ ଜମିଦାର ପୁତ୍ର ଓହ୍ଲାଇ ଆସିଥିଲା ସାଧାରଣ ସ୍ତରକୁ ଅସହଯୋଗ ଆନ୍ଦୋଳନର ଆହ୍ୱାନରେ ସମାଜରେ ସଂସ୍କାର ପାଇଁ, ପରିବର୍ତ୍ତନ ପାଇଁ ଏବଂ ଦେଶପ୍ରେମ ସୃଷ୍ଟି କରିବା ପାଇଁ । ନିତ୍ୟାନନ୍ଦ ମହାପାତ୍ରଙ୍କ ‘ହିଡ଼ମାଟି’ ଓ ‘ଭଙ୍ଗାହାଡ଼’ ଉପନ୍ୟାସ ଦ୍ୱୟରେ ଧନୀ ଓ ଦରିଦ୍ର ସଂଘର୍ଷ କରି ଚାଲିଛନ୍ତି-। ସାମନ୍ତବାସୀ ଶୋଷଣକୁ ଅବିଚାରିତ ଭାବରେ ସ୍ୱୀକାର କରିବା ପାଇଁ ସାଧାରଣ କୃଷକଶ୍ରେଣୀ ଆଉ ପ୍ରସ୍ତୁତ ହୋଇପାରିନାହିଁ । ସ୍ୱାଧୀନତା ପରବର୍ତ୍ତୀ କାଳରେ କାହ୍ନୁଚରଣ ‘‘ଝଞ୍ଜା’’ ଉପନ୍ୟାସରେ ଏହି ସାମନ୍ତବାଦୀ ପରିବାରର ଘଟ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି । ରାଜା, ଜମିଦାର ଏଣିକି ଓହ୍ଲାଇ ଆସୁଛନ୍ତି ସମାଜର ତଳ ସ୍ତରକୁ ସେବା କରିବା ପାଇଁ । ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି ଏହି ପ୍ରକାର ସ୍ୱପ୍ନ ଦେଖିଥିଲେ ତାଙ୍କର ପ୍ରଖ୍ୟାତ କ୍ଷୁଦ୍ରଗଲ୍ପ ‘ଡିନସାରର ଆତ୍ମା’ରେ । ‘‘ଅଚଳାୟତନ’’ ଉପନ୍ୟାସରେ ଏହି ଲେଖକ ପୁରୁଣା ଅଭିଜାତ ସମାଜ ଭୁଷୁଡ଼ି ପଡ଼ୁଥିବାର ଚିତ୍ର ଅତ୍ୟନ୍ତ ମାର୍ମିକ ଭାବରେ ପ୍ରଦାନ କରିଛନ୍ତି ।

 

ଦ୍ୱିତୀୟ ମହାଯୁଦ୍ଧ ଏବଂ ଅଗଷ୍ଟ ଆନ୍ଦୋଳନର ପ୍ରତିକ୍ରିୟାକୁ ଉପଲକ୍ଷ୍ୟ କରି ଓଡ଼ିଆ ସାହିତ୍ୟର ଔପନ୍ୟାସିକମାନେ ବିଚଳିତ ହୋଇପାରିନାହାନ୍ତି । ତେଣୁ ଓଡ଼ିଆ ଉପନ୍ୟାସରେ ଏହାର ପ୍ରତିଲିପି ଓ ପ୍ରତିକ୍ରିୟା ବିଶେଷ ଦେଖିବାକୁ ମିଳେନାହିଁ । ତେବେ ସ୍ୱାଧୀନତା ପରେ ପରେ ଦେଶ ବିଭାଜନ ଜନିତ ଯେଉଁ ଜନସ୍ରୋତ ଦେଶର ଗୋଟିଏ ପ୍ରାନ୍ତରୁ ଆଉ ଗୋଟିଏ ପ୍ରାନ୍ତକୁ ଛୁଟି ଚାଲିଲା, ସେଥିରେ ଓଡ଼ିଶାର ଜନଜୀବନ ବାଦ ଯାଇନଥିଲା । ଓଡ଼ିଶାରେ ପୁର୍ବବଙ୍ଗ-ଆଗତ ଶରଣାର୍ଥୀ ଶିବିର ପ୍ରତିଷ୍ଠା ଏବଂ ତଦ୍‍ଜନିତ ସାମାଜିକ ପ୍ରତିକ୍ରିୟାକୁ ସ୍ୱୀକାର କରିବାକୁ ପଡ଼ିବ । ଛିନ୍ନମୂଳ ଜନତାର ଜୀବନ ଏହି ପରିପ୍ରେକ୍ଷୀରେ ଅତ୍ୟନ୍ତ ବିକଳ ହୋଇଉଠେ । ଜନ୍ମ ଜନ୍ମାନ୍ତରର ଭିଟମାଟି ଓ ଜନ୍ମସ୍ଥାନ ପରିତ୍ୟାଗ କରି ହଠାତ୍‌ ସେମାନେ ହୋଇପଡ଼ନ୍ତି ଅତ୍ୟନ୍ତ ଅସହାୟ, ଚରମ ପାଶବିକତା ଏବଂ ହିଂସାର ଶିକାର । ମଣିଷର ନରମେଧ ଯଜ୍ଞରେ ସେମାନଙ୍କର ପରିବାର ବଳି ପଡ଼ନ୍ତି । ପ୍ରାଚୀନ ମୂଲ୍ୟବୋଧ ଏବଂ ମଣିଷ ପାଇଁ ମଣିଷର ଯେଉଁ ବିଶ୍ୱାସ, ପ୍ରେମ ଏବଂ ସଂବେଦନଶୀଳତା, ସବୁକିଛି ଧୂଳିସାତ୍‌ ହୋଇଯାଏ । ତେବେ ସେଇ ଘନ ଅନ୍ଧକାର ମଧ୍ୟରେ ଏକ ନୂଆ ମଣିଷ ବାହାରିଆସେ ସବୁଜ ସଂସାରର ପ୍ରାଣ ପ୍ରତିଷ୍ଠା ପାଇଁ । ଓଡ଼ିଆ ଉପନ୍ୟାସରେ ଏହି ସ୍ୱର ଅତ୍ୟନ୍ତ କ୍ଷୀଣ ହେଲେହେଁ ମନ୍ନଥନାଥ ଦାସଙ୍କର ‘ଅସ୍ତରାଗ’, କାହ୍ନୁଚରଣ ମହାନ୍ତିଙ୍କର ‘‘ତମସାତୀରେ’’ ଏବଂ ଦୟାଲାଲ ଯୋଶୀଙ୍କର ‘‘ଶତଲେଜରୁ ଜୀରା’’ ଉପନ୍ୟାସଗୁଡ଼ିକ ଅତ୍ୟନ୍ତ ସ୍ମରଣୀୟ ବୋଲି ସ୍ୱୀକାର କରିବାକୁ ହେବ ।

 

ସ୍ୱାଧୀନତା ପରବର୍ତ୍ତୀ କାଳର ଔପନ୍ୟାସିକଗଣ କେବଳ ଗଲ୍ପ କହିବା ପାଇଁ ଉଚିତ ମନେ କରି ନାହାନ୍ତି । ସେମାନଙ୍କ ଆଖି ଆଗରେ ଯୌଥ ପରିବାର ଜୀବନ ଧୀରେ ଧୀରେ ଭୁଷୁଡ଼ି ଯାଇଛି । ପାଶ୍ଚାତ୍ୟ ଶିକ୍ଷା, ଶିଳ୍ପଭିତ୍ତିକ ଜୀବନ ଏବଂ ବୈଜ୍ଞାନିକ ଐଶ୍ୱର୍ଯ୍ୟ ଏହି ସାମାଜିକ ପରିବର୍ତ୍ତନ ପାଇଁ ବିଶେଷ ପରିମାଣରେ ଦାୟୀ । ତେଣୁ ଉପନ୍ୟାସ କେବଳ କଲ୍ପନାଧର୍ମୀ ହୋଇ ରହିପାରିବ ନାହିଁ । ଉପନ୍ୟାସ ହେବ ନିଚ୍ଛକ ବାସ୍ତବତାଧର୍ମୀ, ସମାଜ-ଚେତନାଧର୍ମୀ ଏବଂ ମନ ବିଶ୍ଲେଷଣ ହେବ ଆଧୁନିକ ଉପନ୍ୟାସର ପ୍ରାଣଧର୍ମ । ଚର୍ତୁର୍ଦିଗରେ ଘଟିଯାଉଥିବା ଘଟଣା-ପ୍ରବାହକୁ ଉଖାରି ନିଖାରି ସେ ପ୍ରକାଶ କରିବାକୁ ବାଧ୍ୟ ହେବ ତା’ର ଉପନ୍ୟାସରେ । ସେ କେବଳ ସମାଜଚିତ୍ରର ଫଟୋଗ୍ରାଫର ହୋଇପାରିବ ନାହିଁ । ଏ ଯୁଗର ମଣିଷ ଏକ ବିରାଟ ଆହ୍ୱାନର ସମ୍ମୁଖୀନ ହୋଇଛି । ମଣିଷ ଆଜି ହୋଇପଡ଼ିଛି ସଂପୂର୍ଣ୍ଣ ଏକାକୀ ଏବଂ ଏକକଧର୍ମୀ । ନୈରାଶ୍ୟ, ହିଂସା, ହତାଶା ଏବଂ ଗ୍ଲାନିର ବ୍ୟାମୋହ ମଧ୍ୟରେ ସେ ଆଜି ଅତ୍ୟନ୍ତ ସନ୍ତୁଳିତ ଏବଂ ବିଚଳିତ । ଜୀବନଯନ୍ତ୍ରଣା ଏବଂ ଯୌନବିଳାସର ବିକୃତି ମଧ୍ୟରେ ସେ ସାଲିସ କରିପାରୁନାହିଁ । ଚତୁର୍ଦ୍ଦିଗରେ ଆଜି ଶୁଣାଯାଉଛି ତାରୁଣ୍ୟର ବିଦ୍ରୋହ ପ୍ରାଚୀନ ବିରୁଦ୍ଧରେ । ଏହିପ୍ରକାର ପରିବେଶକୁ କେନ୍ଦ୍ର କରି ଓଡ଼ିଆ ସାହିତ୍ୟରେ ବିଶେଷ କ୍ରାନ୍ତିକାରୀ ଉପନ୍ୟାସ ଲିଖିତ ହୋଇନାହିଁ ନିଶ୍ଚୟ, ତଥାପି ପ୍ରଚେଷ୍ଟା ଅବ୍ୟାହତ ରହିଅଛି ।

 

ବଙ୍ଗଳା ସାହିତ୍ୟର ଔପନ୍ୟାସିକ ସମରେଶ ବସୁଙ୍କର ‘‘ବିବର’’, ‘‘ପ୍ରଜାପତି’’ ଏବଂ ବୁଦ୍ଧଦେବ ବସୁଙ୍କର ‘‘ଗୋଲାପ କେନୋ କାଲୋ’’ ଉପନ୍ୟାସରେ ଏହିପ୍ରକାର ଅଭିବ୍ୟକ୍ତି ଅତ୍ୟନ୍ତ ସ୍ୱାଭାବିକ ଓ ଜୀବନ୍ତ । ଏଥିପାଇଁ କଲିକତା ନଗରୀର ପ୍ରଚଣ୍ଡ କାନ୍‍ଭାସ ବହୁ ପରିମାଣରେ ଦାୟୀ-। ତେବେ ଆମର ସୀମିତ ସାମାଜିକ ପରିବେଶ ମଧ୍ୟରେ ଔପନ୍ୟାସିକ ଚନ୍ଦ୍ରଶେଖର ରଥ, ଶାନ୍ତନୁ କୁମାର ଆଚାର୍ଯ୍ୟ, ସୁରେନ୍ଦ୍ର ମହାନ୍ତି ସେମାନଙ୍କ ଉପନ୍ୟାସରେ ଏହାର ଇଙ୍ଗିତ ପ୍ରଦାନ କରିଛନ୍ତି । ଅନେକ ସମୟରେ ଏହି ଆଧୁନିକ ଔପନ୍ୟାସିକଗଣ ଅତ୍ୟନ୍ତ ସ୍ପଷ୍ଟବାକ୍‍ ଏବଂ ବେଳେ ବେଳେ ଅଶ୍ଲୀଳ ମଧ୍ୟ ହୋଇପଡ଼ିଛନ୍ତି । ଇଚ୍ଛାକୃତ ଭାବରେ ଅତ୍ୟନ୍ତ ଦାରୁଣ ଏବଂ କଠୋର ବଚନିକା ମଧ୍ୟ ପ୍ରୟୋଗ କରଛନ୍ତି । ଭାରତର ଅନ୍ୟ ପ୍ରାନ୍ତର ଉପନ୍ୟାସରେ ମଧ୍ୟ ଏହି ସ୍ୱରର ପ୍ରତିଧ୍ୱନି ଶୁଣିବାକୁ ମିଳିଥାଏ । (୧୧) ବୈଜ୍ଞାନିକ ଅନୁଶୀଳନ ଯୋଗୁ ଆଧୁନିକ କାଳର ଔପନ୍ୟାସିକଗଣ ନାନା ଭାବରେ ମନ ବିଶ୍ଲେଷଣ କରିଛନ୍ତି । କେବଳ ଉଦାହରଣ ଛଳରେ ଗୋପୀନାଥଙ୍କର ଲୟ ବିଲୟ, କାହ୍ନୁଚରରଣଙ୍କ ଝଞ୍ଜା, ବସନ୍ତକୁମାରୀଙ୍କ ଅମଡ଼ାବାଟ, କୃଷ୍ଣପ୍ରସାଦଙ୍କ ନେପଥ୍ୟେ, ମହାପାତ୍ର ନୀଳମଣି ସାହୁଙ୍କ ‘ଧରା ଓ ଧାରା’ ଓ ପ୍ରତିଭା ରାୟଙ୍କ ‘ଶିଳାପଦ୍ମ’ ପ୍ରଭୃତି ଉଲ୍ଲେଖ କରାଯାଇପାରେ-

 

୧୧.

(A)

“Cynicism, Pessimism, Distrust and Frustration, and the Key-words which highlight the modern novelists attitude to life–and this rather persistent attitude has now become so universal that to call European or Asian would be a distinction without a difference.”

(Recent Trends in Malayalam Novels–S. Gupton Nair–Indian Literature–July–August, 1976–P.13)

 

 

(B)

X X X The one dominant modern outlook in youth seems to be their uninhibited talk and behabiour regarding sex. They wish to enjoy sex with no mutual commitments.”

 

(New trends in modern Kannad novels–K.S. Karanth–Indian Literature–July–August–1976-P.7)

 

ଫକୀରମୋହନଙ୍କ ପରବର୍ତ୍ତୀ ଉପନ୍ୟାସ–ଏକ ଗୁଣାତ୍ମକ ସମୀକ୍ଷା–ସୁରେନ୍ଦ୍ର ମହାନ୍ତି ।

 

ସୁ-ସମାଲୋଚକ ଏବଂ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କୁ ସମସ୍ତେ ନିଶ୍ଚୟ ଏକମତ ହେବେ ଯେ, ‘‘ଔପନ୍ୟାସିକ କେବଳ ମନୋରଞ୍ଜକ ନୁହେଁ । ସେ ମଧ୍ୟ ଜୀବନ-ବେଦର ଋତ୍ୱିକ ଏବଂ ଉଦ୍‌ଗାତା । ଏ ଅବରୋଧର ଅଭାବରେ ଶୈଳୀ-କୁଶଳତାରେ ଭଲ ଉପନ୍ୟାସ ହୁଏତ ଅନେକ ଲେଖାଯାଇପାରିଅଛି, କିନ୍ତୁ କୌଣସି ମହାନ୍‍ ଉପନ୍ୟାସ ଖୁବ୍‍ କମ ଲେଖାଯାଇଅଛି । ଏ ଅପ୍ରିୟ ସତ୍ୟଟି ସ୍ମରଣ ରଖିଲେ ଆସନ୍ତା ଅର୍ଦ୍ଧଶତାବ୍ଦୀରେ ଓଡ଼ିଆ ଉପନ୍ୟାସର ଗୁଣାତ୍ମକ ଅଭିବୃଦ୍ଧି ଯଥେଷ୍ଟ ସାଧିତ ହୋଇପାରିବ । (୧୨)

 

ଏହା ଏକ ଅପ୍ରିୟ ସତ୍ୟ ଯେ ପ୍ରକାଶକଗଣ ଅତ୍ୟନ୍ତ ବ୍ୟବସାୟଧର୍ମୀ । ସେମାନେ ଉପନ୍ୟାସ ପ୍ରକାଶ କଲାବେଳେ ତାହା ପାଠକସଂସାର କେତେ ଚଞ୍ଚଳ ଆଦର କରି ସଂଗ୍ରହ କରିବେ, ସେଇ ବିଚାରର ଅନୁରୋଧରେ ଉପନ୍ୟାସ ନିର୍ବାଚନ କରିଥାଆନ୍ତି । ଏହି କାରଣରୁ ପୁସ୍ତକ ବଜାରରେ ଅନେକ ଶସ୍ତା ଯୌନଭିତ୍ତିକ ଅଥବା ରୋମାଞ୍ଚ କଲ୍ପନାପ୍ରବଣ ଉପନ୍ୟାସ ପ୍ରକାଶିତ ହୋଇ ବହୁ ସଂସ୍କରଣ ହୋଇଯାଏ । ମାତ୍ର ଏପରି ଉପନ୍ୟାସ ବୁଦ୍ଧିଜୀବୀଙ୍କର ଚେତନାପ୍ରବାହକୁ କେବେହେଲେ ଆଘାତ କରିବାକୁ ସକ୍ଷମ ହୋଇପାରେନାହିଁ । ଏହା ବୋଲି ଯେ ଗୁଣାତ୍ମକ ଉପନ୍ୟାସ ପ୍ରକାଶିତ ହେଉନାହିଁ, ଏପରି କହିଲେ ସତ୍ୟର ଅପଳାପ ହେବ । ଫକୀରମୋହନଙ୍କ ପରେ ଓଡ଼ିଆ ଉପନ୍ୟାସ ନିର୍ଦ୍ଦିଷ୍ଟ ଭାବରେ ନିଜର ଅଭିନବ ବ୍ୟକ୍ତିତ୍ୱ ପ୍ରତିଷ୍ଠା କରିଅଛି, ଆନ୍ତର୍ଜାତିକ ଭାବଧାରା ସହିତ ତାଳ ଦେଇ ନୁତନ ଅଭିରୂଚିର ପରୀକ୍ଷା ନିରୀକ୍ଷା କରିଚାଲିଛି, ସମଭାବରେ ଭାରତର ପ୍ରାନ୍ତୀୟ ସାହିତ୍ୟରେ ଯେଉଁ ପ୍ରତିଧ୍ୱନୀ ଶୁଣିବାକୁ ମିଳୁଛି, ତାହାକୁ ମଧ୍ୟ ଓଡ଼ିଆ ଉପନ୍ୟାସ ଏଡ଼ିଦେଇପାରିନାହିଁ ବା ଅବହେଳା କରିନାହିଁ ।

 

ଓଡ଼ିଆ ଉପନ୍ୟାସ ସାହିତ୍ୟରେ କ୍ଲାସିକ ଉପନ୍ୟାସ ଅଙ୍ଗୁଳିମେୟ । କାରଣ, ଆମର ସାମାଜିକ ଜୀବନର ସୀମିତ ପରିବେଷ୍ଟନୀ ଏଥିପାଇଁ ବହୁ ପରିମାଣରେ ଦାୟୀ । ସାଂପ୍ରତିକ ଯୁଗର ଚଳଚଞ୍ଚଳତା ଆମ ପାଇଁ ବହୁ କ୍ଷେତ୍ରରେ ପ୍ରତ୍ୟକ୍ଷୀଭୂତ ନ ହୋଇ ବାରାନ୍ତରେ ପ୍ରକାଶିତ । ଏହାର ସ୍ରୋତ ଅତ୍ୟନ୍ତ ଧୀର ଓ ମନ୍ଥର । ସେଥିପାଇଁ ସାମାଜିକ ପରିବର୍ତ୍ତନ ମଧ୍ୟ ଆଖିଦୃଶିଆ ନ ହୋଇ ଅତ୍ୟନ୍ତ କୁଣ୍ଠିତ । ଅତଏବ ଅଭାବନୀୟ ବୈପ୍ଲବିକ ପରିବର୍ତ୍ତନ ପାଇଁ ଯେଉଁ ଘାତପ୍ରତିଘାତ, ପ୍ରେରଣା ଏବଂ ପ୍ରତିକ୍ରିୟା ଅନୁଭୂତ ହେବାର କଥା, ତାହାର ଅଭାବ ଏଠାରେ ମର୍ମେ ମର୍ମେ ଉପଲବ୍‌ଧ ହୋଇଥାଏ । ତେଣୁ ଗୁଣାତ୍ମକ ଦୃଷ୍ଟିରୁ ଓଡ଼ିଆ ଉପନ୍ୟାସ ଫକୀରମୋହନଙ୍କ ଯୁଗ ପରେ ଯଥେଷ୍ଟ ଅଗ୍ରସର ହୋଇଥିଲେହେଁ ତାହର ଶାଣିତ ଓ ପ୍ରଚଣ୍ଡ ଦୀପ୍ତି ପରିମାଣଗତ ଅଭାବବୋଧ ମଧ୍ୟରେ ମ୍ଲାନ ହୋଇଯାଉଛି ବୋଲି ଅନେକ ଅନୁଭବ କରିଥାଆନ୍ତି ।

 

କେନ୍ଦୁଝର କଲୋନୀ

କନିକା ରୋଡ଼, କଟକ–୮

***

 

Unknown

ଗୀତଗୋବିନ୍ଦର ଗୀତ-ଲଳିତ ଲବଙ୍ଗଲତା....

ମୂଳ –ଜୟଦେବ

ଅନୁବାଦ-ରାଧାମୋହନ ଗଡ଼ନାୟକ

 

ଲଳିତ ଲବଙ୍ଗ            ଲତିକାର ଅଙ୍ଗ

ଚୁମ୍ବି ମଳୟ ବହେ ମନ୍ଦେ,

ମଞ୍ଜୁଳ କୁଞ୍ଜେ            ମଧୁକର ଗୁଞ୍ଜେ

ପିକ ଗାଏ କୁହୁ କୁହୁ ଛନ୍ଦେ ।

ବିରହୀ ଜନର କାଳ      ବସନ୍ତ କାଳେ ଗୋ

ସଖିଗଣ ସଙ୍ଗେ            ହରି ନାନା ରଙ୍ଗେ

ନୃତ୍ୟ ରରଇ ବନମାଳେ ଗୋ । ଧ୍ରୁବ ।

ଜୀବନର କାନ୍ତ            ଦୁରପଥେ ପାନ୍ଥ

ବିରହଣୀ କାନ୍ଦଇ ଆତୁରେ,

ବକୁଳ ନିକୁଞ୍ଜେ            ସଜ ଫୁଲ ପୁଞ୍ଜେ

ଅଳିକୁଳ ଗୁଞ୍ଜଇ ମଧୁରେ ।

ତମାଳର ପଲ୍ଲବ            କସ୍ତୁରୀ ସଉରଭ

ବିସ୍ତାରେ ଆଜି ଏଇ ଧରାରେ,

ମନସିନ-ନଖ ତୁଲ      ଅରୁଣ ପଲାସ ଫୁଲ

ତରୁଣର ବୁକୁତଳ ବିଦାରେ ।

ମଦନ ରାଜାର ହେମ      ଦଣ୍ଡ କି ଅବା ସତେ

କରୁଣା କୁସୁମରାଜି ରାଜଇ,

ଭୃଙ୍ଗ ପଟଳ ଧରି            ପାଟଳି କୁସୁମାବଳୀ

ମଦନର ତୁଣୀର କି ସାଜଇ ?

ମାଧବିକା କୁସୁମର      ପରିମଳ ସୁମୁଧୁର

ନିଆଳୀର ସଉରଭ ମଦିର,

ମୁନିଜନ-ଅନ୍ତର            କରୁଅଛି ଚଞ୍ଚଳ

ଯୁବା ମନ ସହଜରେ ଅଧୀର ।

ମାଧବିକା ଲତିକାର      ଆଶ୍ଲେଷେ ସହକାର

ପୁଲକିତ, ମୁକୁଳିତ ହେଉଚି,

ଯମୁନାର ଜଳ ସତେ      ବୃନ୍ଦାବନର ପଥେ

ପୁଣ୍ୟ ପରଶ ଭରି ଦେଉଚି ।

ଜୟଦେବ-ବିରଚିତ      ସ୍ମର-ଶିରୀ-ସିଞ୍ଚିତ

ମଧୂ ରୁତୁର ଏ ବନଚିତ୍ର,

ହରି ପାଦପାଦ୍ମ            ସ୍ମରଣର ସଦ୍ମ

ହରୁ ଆଜି ଜଗତର ଚିତ୍ତ ।

***

 

ମେଘାସନ

ନିରଞ୍ଜନ ବେହେରା

 

ମେଘାସନ ପାହାଡ଼ ମୁଁ

 

ମେଘାସନ ପାହାଡ଼

ନେଳି ନେଳି ଦେହ ମୋର

 

ଉଞ୍ଚା ଉଞ୍ଚା ମଥାଟି,

ଏ ପାଖକୁ ଅନେଇଲେ

 

ଆରପାଖ ଉହାଡ଼

ମେଘାସନ ପାହାଡ଼ ।

ମୋ ଦେହରେ ଗଦାଗଦା

 

ସାନବଡ଼ ପଥରର ଯାତରା,

କେଉଁଠି ଅନେକ ଉଞ୍ଚା

କେଉଁଠି ଅନେକ ନୀଞ୍ଚା

 

କେଉଁଠି ଆବୁଖାବୁଡ଼ା

କେଉଁଠି ବା ସମତଳ-ଚତରା ।।

ଖୁନ୍ଦା ଖୁନ୍ଦି ଶାଳକେନ୍ଦୁ,

 

ଧଅ, ଚାର, ଅଶନ ଓ ମହୁଲ,

କେତେ ନଟା ! କେତେ ବୁଦା !!

ହରିଣ ମାରଇ କୁଦା,

ଝରଣା କୂଳର ଓଦା –

 

ଭୂଇଁ ତଳେ ହାତୀ ବାଘ ପାହୁଲ । ।।

ଲୁପୁଙ୍ଗ୍‌ର (୧) ଟାଣ ମଞ୍ଜି

 

ଗୁଣ୍ଡୁଚିଟେ ଖାଉଥାଏ ଭାଙ୍ଗିରେ,

ଦଳଦଳ ମୟୂର, ଖେତା ଖେତା ବିର୍‌ସିମ୍‌ (୨)

ପଲ ପଲ ଖେଡ଼ିଆ;(୩)

ଗୋଠ ବାନ୍ଧି ବୁଲୁଥାନ୍ତି କେତେ ଚଉଶିଙ୍ଗୀରେ !!

କାହିଁ କେଉଁ ପଥୁରିଆ ଖୋଲରେ

ଅବା କେଉଁ ଆକାଶିଆ –

 

ଶାଳଗଛ ଡାଳରେ

ବସା ବାନ୍ଧି ରହିଥାନ୍ତି

 

ଶାର, ଶାରୀ, ଶୁଆ, ଟିଆ ଚଢ଼େଇ,

ପେନ୍ଥା ପେନ୍ଥା ମହୁଫେଣା

 

ଖୋଜି ଖୋଜି ଭାଲୁ ଚଢ଼େ ଗଛକୁ

ବାଘୁଆ ମହୁମାଛିଏଁ

 

କେତେ ତାକୁ ବିନ୍ଧୁଥାନ୍ତି ଗୋଡ଼େଇ !

ମଉସୁମୀ ଝୁମି ଝୁମି

 

ମୋ ଦେହରେ ଛୁଇଁଦିଏ କାଉଁରି,

ଧକ୍‌କା ଖାଇ,ରହି ରହି,

 

ମୋ କୋଳରେ ମେଘ ଖେଳେ

ଚକା ଚକା ଭଉଁରୀ ।

ମୋ ଦେହଟା ଫୁଲୁଫୁଲା

 

ମନ ଭୁଲା, ଖିଲିଖିଲି-ହସନ୍ତ,

ମୋ ସାଥିରେ ସବୁଦିନେ

କାଦମଲ୍ଲୀ (୪) ବସିଥାଏ

 

ରୁତୁରାଜ ବସନ୍ତ ।।

ମୋ ସାଥିରେ ଲଢ଼ି ଲଢ଼ି

 

ପବନଟା ହାରିଯାଏ

 

ମେଘ ମୋର କୋଳପୋଛା ଝିଅଟି,

ଚିରଦିନ ଏଇମିତ ଛନଛନ, କନକନ

 

ଗୀତଭରା, ମିତଭରା

ମୋର ଟାଣ ଦିହଟି ।।

ଏତେ ସବୁ ଖରା ଶୀତ

 

ଝଡ଼ଝଞ୍ଜା, ବରଷା ଓ ବତାସ,

ଦିନେହେଲେ ମୋତେ କେବେ

 

କରିନାହିଁ ହତାଶ

ଜଙ୍ଗଲ ମୋ ସୁନାକ୍ଷେତ

 

ମିଠା ମିଠା ଫଳମୂଳ

ମୋ ବୁକୁର ଫସଲ,

ପଶୁପକ୍ଷୀ ମୋ ପରଜା,

 

ମୁଁ ତାଙ୍କର ମହାରାଜା

ନିତି କେତେ ବସିଥାଏ

 

ମୋ ଦେହରେ ସେମାନଙ୍କ ମିସଲ ।

ସଭିଙ୍କି ମୁଁ ପାଳେଁ ପୋଷେଁ

 

କରେନା ତ କାହାକୁ ବି ଶାସନ

ନେଳି ନେଳି ରୂପ ମୋର

 

ଦୁରକୁ ସୁନ୍ଦର ଦିଶେ

ମେଘାସନ ପାହାଡ଼ ମୁଁ

 

ମେଘରାଣୀ ଆସନ ।।

 

(୧) ଲୁପୁଙ୍ଗ–ବାହାଡ଼ା, ବାହାଡ଼ା ମଞ୍ଜିର ଶସ ବାଦାମ ପରି ସୁସ୍ୱାଦୁ (୨) ଖେତା ଖେତା–ଗୋଠ, ଗୋଠ, ବିରସମ୍‍–ବଣକୁକୁଡ଼ା, (୩) ଖେଡ଼ିଆ–ଠେକୁଆ, (୪) କାଦମଲ୍ଲୀ–କାଦୁଅରେ ଜନ୍ମୁଥିବା ଗୁଲମ, ସୁବାସିତ ପତ୍ର ତା’ର–ଅନେକେ ଚଟଣୀ କରି ଖାଆନ୍ତି, କାଦମଲ୍ଲୀ–ସଙ୍ଗାତ, ବଉଳ ।

 

ସମ୍ପାଦକ, ଚନ୍ଦନଚମ୍ପା,

ନଚ୍ଛିପୁରିଆ–୭୫୭୦୨୮

ମୟୁରଭଞ୍ଜ

***

 

ଆର୍ଯ୍ୟସଂସ୍କୃତିରେ ମଦ୍ୟ ଓ ମାଂସ

ଅଧ୍ୟାପକ ଡଃ ଗୋପୀନାଥ ମହାପାତ୍ର

 

ଥରେ ମାନ୍ଦ୍ରାଜରୁ ତ୍ରିଭେନ୍ଦ୍ରମ ଯିବା ସମୟରେ ରେଳଗାଡ଼ି କୋଚରେ ମୋତେ କିଛି ବିରିଆନୀ ଖାଇବାକୁ ପଡ଼ିଥିଲା । ସେଥିରେ ମାଂସ ପଡ଼ିଥିଲା । ମୁଁ ତାକୁ ଖାଉଥିବାର ଦେଖି ମୋର ସହଯାତ୍ରୀ ବନ୍ଧୁ ହଠାତ୍‌ ମୋତେ ଘୃଣା କରିବାକୁ ଲାଗିଲେ । ସେ ଥିଲେ କେରଳର ଜଣେ ନମ୍ବୁଦ୍ରୀ ବ୍ରାହ୍ମଣ । ବେଶ୍‌ ମୋ ସହିତ ଆଳାପ କରି ସମୟ ଗଡ଼ିଚାଲିଥିଲା ତାଙ୍କର । ମାତ୍ର ହଠାତ୍‌ ନାସିକା କୁଞ୍ଚିତ ହେଲା ମୋର ମାଂସଭୋଜନ ଦେଖି । ସେ ପଚାରିଲେ, ଆପଣ ବର୍ଣ୍ଣରେ କ’ଣ ? ମୁଁ କହିଲି ‘‘ବ୍ରାହ୍ମଣ’’ । ବିଶ୍ୱାସ କରିପାରିଲେ ନାହିଁ ସେ । ଭାବିଲେ, ଓଡ଼ିଶାର ବ୍ରାହ୍ମଣ ମ୍ଲେଚ୍ଛଠାରୁ ମଧ୍ୟ ହୀନ ! କାରଣ,ବ୍ରାହ୍ମଣମାନେ ମାଂସାହାର କରନ୍ତି; ଏକଥା ସେ ମୋଟେ ଜାଣି ନ ଥିଲେ । ତା ପରେ ଓଡ଼ିଆ ଓ ବଙ୍ଗାଳୀ ବ୍ରାହ୍ମଣମାନେ କାହିଁକି ମାଂସ ଖାଆନ୍ତି; ସେକଥା ମୁଁ ବୁଝାଇଥିଲି ଓ ତାଙ୍କର ଏପରି ଭାବାନ୍ତରରେ ବିସ୍ମିତ ହେଲି ।

 

ଆଉ ଦିନକର କଥା । ଆଜିକୁ ବାରବର୍ଷ ତଳେ ମହାକାଳନଗରୀ ଉଜ୍ଜୟିନୀରେ କାଳିଦାସ ସମାରୋହ ମହା ଧୁମଧାମ୍‍ରେ ଚାଲିଥାଏ । ଉତ୍କଳ ବିଶ୍ୱବିଦ୍ୟାଳୟ ତରଫରୁ ମୋତେ ସେଥିରେ ଯୋଗଦେବାର ସୁଯୋଗ ମିଳିଥାଏ । ଖାଇବା ପିଇବାର ମହୋତ୍ସବ ଭାରି ଜୋରସୋରରେ ଲାଗି ରହିଥାଏ । ନିରାମିଷରେ ନାନାବିଧ ଖାଦ୍ୟର ଆୟୋଜନ ହୋଇଥାଏ । ଯୋଗଦେଇଥିବା ସମସ୍ତ ବିଦ୍ୱାନମାନେ ଆନନ୍ଦରେ ଖିଆପିଆ କରୁଥାନ୍ତି । ମାତ୍ର ସେହି ତିନି ଚାରିଦିନ ଭିତରେ ଭୋଜିରେ ଟିକିଏ ମାଛ କି ମାଂସର ବ୍ୟବସ୍ଥା ନ ହୋଇଥିବାରୁ ମୋତେ ସେ ଭୋଜି ଟିକିଏ ନିରସିଆ ଲାଗୁଥାଏ । ହଠାତ୍‌, ଥରେ ସେ ଭାବ ମୋର ଜଣେ ବନ୍ଧୁଙ୍କ ନିକଟରେ ପ୍ରକାଶିତ ହୋଇଗଲା । ତା ବାସିଦିନ ସେ କଥା ସମସ୍ତଙ୍କ ଭିତରେ ପ୍ରଚାରିତ ହୋଇଗଲା । କେତେଜଣ ନୈଷ୍ଠିକ ସଂସ୍କୃତ ବିଦ୍ୱାନ ଚିତା ତିଳକ ମାରି ମୋ ସହିତ ଝଗଡ଼ା କରିବାକୁ ଆଗେଇ ଆସିଲେ । ମୋତେ ପଚାରିଲେ, ‘‘ସଂସ୍କୃତ ପଣ୍ଡିତମାନେ କ ଣ ଭାରତୀୟ ସଂସ୍କୃତିକୁ ଛାଡ଼ିବା ଉଚିତ ? ସେମାନେ କ ଣ ମାଛ, ମାଂସ ଖାଇବା ବିଧେୟ ? ଆପଣ କ ଣ ମାଛ, ମାଂସ ଖାଆନ୍ତି’’ ଇତ୍ୟାଦି ଅନେକ ପ୍ରଶ୍ନବାଣ ! ସେଥିରେ ଶରବ୍ୟ ହେଉଥାଏ ମୁଁ; ଯୋଗଦେଇଥିବା ଏକମାତ୍ର ଓଡ଼ିଆ । ତେବେ ଯାହାହେଉ, ନୈଷଧରୁ କେତୋଟି ଶ୍ଲୋକର ଅବତାରଣା କରି ମୁଁ ସେମାନଙ୍କୁ ମାଛ ମାଂସ ଖାଇବା ପାପ ନୁହେଁ ବୋଲି ବୁଝାଇଥିଲି । ଫଳରେ,ଏକ ସମସ୍ୟା ଏହି ଭାବରେ ମୋ ମନରେ ଉଦ୍ରେକ ହେଲା ଓ ଗୋଟିଏ ପ୍ରବନ୍ଧ ଆକାରରେ ଚତୁର୍ଥ ବିଶ୍ୱସଂସ୍କୃତ ସମ୍ମେଳନରେ ଜର୍ମାନୀର ୱାଇମର୍‌ରୁ ପ୍ରକାଶିତ ମୁଖ୍ୟପତ୍ରରେ ମାଂସଭୋଜନ ସମ୍ବନ୍ଧରେ ସେହି ଆଲୋଚନାଟି ଲୋକଲଚନକୁ ଆସିଲା ।

 

ପୁଣି ୧୯୮୨-୮୩ ମସିହାର କଥା । ଡେନମାର୍କ ସରକାର ତାଙ୍କର କେତେକ ପ୍ରତିନିଧିଙ୍କ ପାଇଁ ମୋତେ ଓଡ଼ିଶାର ଭାଷା ଓ ସଂସ୍କୃତିର ଉପଦେଷ୍ଟା ଭାବରେ ନିଯୁକ୍ତ କରିଥାନ୍ତି ଓ ତେଣେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ୱେତ୍‌ଳନା ନାମକ ଏକ ରୁଷ୍‍ଦେଶୀୟ ଛାତ୍ରୀଙ୍କ ପାଇଁ ମୋତେ ଓଡ଼ିଆ ଶିକ୍ଷା ତତ୍ତ୍ୱାବଧାରକ ଭାବରେ ନିଯୁକ୍ତ ଦେଇଥାନ୍ତି । ଫଳରେ ମୋର ଅନେକ ସମୟରେ ସେମାନଙ୍କ ସହିତ ଏକତ୍ର ଭୋଜନ କରିବାର ସୁଯୋଗ ଆସିଥାଏ । ଦିନେ ସେମାନେ ମୋତେ କହିଲେ, ‘‘ମହାଶୟ’ ! ଆପଣଙ୍କ ଦେଶରେ ମଦ୍ୟପାନ ପାପ ବୋଲି ଗୃହୀତ ହୁଏ । ତେଣୁ ଆମକୁ ଏ ଦେଶରେ ଶଙ୍କି କରି ଚଳିବାକୁ ପଡ଼ୁଛି । ଆମେ ତ ଚୋରି କରୁନାହିୁଁ, ଅନ୍ୟାୟ, ଆନୀତ ଆଦି କିଛି କରୁନାହୁଁ । ତଥାପି ଖାଇସାରି ଏଇ ବିଅର ପିଇଲା ବେଳେ ଆମକୁ ଆପଣଙ୍କ ଲୋକଙ୍କ ଆଗରେ ବଡ଼ ଅଡ଼ୁଆ ଲାଗୁଛି । କାରଣ, ଆପଣଙ୍କ ଲୋକେ ଆମକୁ ଭୁଲ ବୁଝୁଥିବେ ! ମାତ୍ର, ଆମ ଦେଶ ମାନଙ୍କରେ ଏହା ତ ପାପ ବା ଅନ୍ୟାୟରେ ଗଣାଯାଏନାହିଁ; ବରଂ ଏକ ସୁନ୍ଦର ପାନୀୟ ଭାବରେ ଗ୍ରହଣ କରାଯାଏ ।’’

 

ପ୍ରକୃତରେ ସେମାନଙ୍କ କଥାରେ ସତ୍ୟତା ଥିଲା । ମୁଁ ସେମାନଙ୍କୁ ଆମର ପରଂପରାରେ ସୋମରସ ପାନର ଯଥେଷ୍ଟ ଆଦର ଥିଲା ବୋଲି ବୁଝାଇଲି । ଏହା ଶୁଣିବା ପରେ ସେମାନଙ୍କର ମନରେ ଉଠିଥିବା ଏହି ସାମାଜିକ ଭୟ ଅନେକାଂଶରେ ଦୂର ହୋଇଥିଲା ବୋଲି ମୋର ଧାରଣା ହୋଇଥିଲା ।

 

ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶମାନଙ୍କ ପ୍ରତି ଦୃଷ୍ଟି ନିକ୍ଷେପ କଲେ ଦେଖାଯାଏ ଯେ, ଅଧିକାଂଶ ଦେଶର ଜନସାଧାରଣ ମାଂସାହାରୀ ଓ ମଦ୍ୟପାୟୀ । ପୁଣି ଗୋମାଂସ ପ୍ରତି ସେହି ଦେଶମାନଙ୍କରେ ଅଧିବାସୀମାନେ ଅଧିକ ଆଗ୍ରହୀ । ମୋର ମନେ ଅଛି, ଥରେ ଆମକୁ ଜଣେ ବିଦେଶ ଫେରନ୍ତା ଆମର ଅଧ୍ୟାପକ କହିଥିଲେ – ସେ ଯାଇ ଆମେରିକାରେ ପହଂଚି ପ୍ରଥମେ କହଲେ ଯେ, ‘‘ମୁଁ ନିରାମିଷାଶୀ’’ । ସେଦିନ ଭୋଜନଗୃହରେ ଗୋମାଂସ ଆଳୁ ପଡ଼ି ରନ୍ଧାଯାଇଥାଏ । ଆଉ ଅନ୍ୟକିଛି ନିରାମିଷର ବ୍ୟବସ୍ଥା ନଥାଏ । ସଙ୍ଗେ ସଙ୍ଗେ ସେ ସେହି ମାଂସ ତରକାରୀରୁ କିଛି ଆଳୁ ଓ ଝୋଳ ଆଣି ଏହି ଅଧ୍ୟାପକଙ୍କୁ ଦେଲେ ଓ କ୍ଷୁଧାରେ ଅନନ୍ୟଉପାୟ ହୋଇ ତାଙ୍କୁ ଏହା ଖାଇବାକୁ ହୋଇଥିଲା । ପୁଣି ଗତମାସରେ ଜାପାନ ଗସ୍ତରୁ ପ୍ରତ୍ୟାବର୍ତ୍ତନ କରି ଉତ୍କଳ ବିଶ୍ୱବିଦ୍ୟାଳୟର ଅନୁଜୋପମ ଅଧ୍ୟାପକ ଡଃ ଅଲେଖଚନ୍ଦ୍ର ଷଡ଼ଙ୍ଗୀ କହୁଥିଲେ, ତାଙ୍କୁ କିପରି ବାଧ୍ୟ ହୋଇ ଜାପାନରେ କଞ୍ଚାଚିଙ୍ଗୁଡ଼ି, କଞ୍ଚାମାଛ, ଘୁଷୁରୀ ମାଂସ ଇତ୍ୟାଦି ଖାଇବାକୁ ପଡ଼ିଥିଲା । ଏସବୁ ଜାଣିବାପରେ ଆଧୁନିକ ଭାରତରେ ଅନେକ କ୍ଷେତ୍ରରେ ଅତ୍ୟନ୍ତ ଘୃଣ୍ୟ ବୋଲି ବିବେଚିତ ହେଉଥିବା ଆମିଷ ଓ ମଦ୍ୟର ପରଂପରା ଉପରେ କିଛି ଆଲୋଚନା କରିବାକୁ ଏଡ଼ାଇ ଦିଆଯାଇନପାରେ ।

 

ଅବଶ୍ୟ ଆମିଷ ମାତ୍ରେ ହିଁ ହିଂସା ପ୍ରଣୋଦିତ । ମାତ୍ର ଖାଦ୍ୟ ପାଇଁ, ବଞ୍ଚିରହିବା ପାଇଁ ଏପରି ହିଂସା କରିବାକୁ ପଡ଼ିଥାଏ । ଆମ ଦେଶ କୃଷିପ୍ରଧାନ, ଏଣୁ ଏ ଦେଶର କଥା ଭିନ୍ନ । ମାତ୍ର ଗ୍ରୀନଲାଣ୍ଡ ଇତ୍ୟାଦି ଭଳି ଅନେକ ଦେଶ ଅଛି, ଯେଉଁଠି ଚାରିଆଡ଼ ବରଫାଚ୍ଛନ୍ନ ଥାଏ ଓ କିଛି ଫସଲ ଆଦାୟ ହୁଏନାହିଁ । ସେଠାରେ ଯଦି ମନୁଷ୍ୟ ପାଇଁ ମାଂସଭକ୍ଷଣ ପାପ ବୋଲି ଧରି ନିଆହୁଏ, ତେବେ ମଣିଷର ଆଉ ବଞ୍ଚିବାର ଅଧିକାର ରହିବ ନାହିଁ । ଏଭଳି ଦେଶମାନଙ୍କରେ ଶିକାର ହିଁ ଜୀବନର ଏକମାତ୍ର ଉପାୟ । ଆମଦେଶର ବନବାସୀମାନେ ମଧ୍ୟ ଶିକାର ଦ୍ୱାରା ବଞ୍ଚୁଥିଲେ । ସ୍ୱୟଂ ରାମଚନ୍ଦ୍ର ବନବାସକାଳରେ ମୃଗଶିକାର କରୁଥିଲେ । ସେକାଳରେ ମୃଗମାରି ତାହାର ମାଂସ ଖାଇବା ପରେ ଚମଡ଼ାଟି ଆସନ ଭାବରେ ବ୍ୟବହୃତ ହେଉଥିଲା । ଋଷିମାନେ ସେହି ଆସନରେ ବସି ତପସ୍ୟା କରୁଥିଲେ । ପଞ୍ଚବଟୀରେ ମାୟାମୃଗକୁ ଦେଖି ଏକ ବିଚିତ୍ର ମୃତବୋଲି ଜ୍ଞାନକରି ସେହି ଅଦ୍ଭୁତ ମୃତଲାଭ ଆଶାରେ ରାମଚନ୍ଦ୍ର ତାହାକୁ ବଧ କରିଥିଲେ । ଅତଏବ ସେତେବେଳେ ମାଂସ ଓ ଚର୍ମ ପାଇଁ ବିବିଧ ଜାତିର ମୃଗମାନଙ୍କୁ ବଧ କରାଯାଉଥିଲା । ମାୟାମୃଗକୁ ଦେଖି ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ମଧ୍ୟ ଏହିକଥା କହିଥିଲେ । (୧) ପୂର୍ବେ ରାଜାମାନେ ବନ୍ୟକୁ ମୃଗୟା କରିବାକୁ ଯାଇ ମାଂସଭୋଜନ ଓ ମହୋତ୍ସବ ପାଇଁ ଅନେକ ଜୀବଙ୍କୁ ହତ୍ୟା କରୁଥିଲେ । ରାମାୟଣ ଓ ମହାଭାରତରେ ଏହାର ଅନେକ ପ୍ରମାଣ ରହିଅଛି । ମହାଭାରତରେ ବର୍ଣ୍ଣନା କରାଯାଇଛି, ରାଜା ଦୁଷ୍ମନ୍ତ ମୃଗୟା କରିବାକୁ ଯାଇ କଣ୍ୱଙ୍କ ଆଶ୍ରମରେ ପହଞ୍ଚିଥିଲେ । ପାଣ୍ଡବ ଓ କୌରବ ତଥା ଅନ୍ୟାନ୍ୟ ଭାରତୀୟ ରାଜାଗଣ ମହାଭାରତ ଯୁଗରେ ମୃଗୟାରେ ଆନନ୍ଦ ଲାଭ କରୁଥିଲେ । ତେଣୁ ମୋଟାମୋଟି ଦେଖିବସିଲେ ସେହି ପ୍ରାଚୀନ ଯୁଗରୁ ମାଂସ ଭୋଜନରେ ପାପ ହେଉଥିଲା ବୋଲି ବିଚାର କରାଯାଉ ନଥିଲା ।

 

ଖାଲି ମହାଭାରତ ଓ ରାମାୟଣଯୁଗ କାହିଁକି; ତାର ପୂର୍ବବର୍ତ୍ତୀ ଯୁଗରୁ ତଥା ବୈଦିକ-ଯୁଗରୁ ଏହି ମାଂସ ଖାଇବା ଓ ମଦ୍ୟପାନ କରିବାର ଚଳଣି ଆମ ଦେଶରେ ଥିଲା । ଆର୍ଯ୍ୟମାନେ ଭାରତରେ ଆସି ପହଞ୍ଚିଲା ବେଳକୁ ସେମାନେ ଗୋଟିଏ ଯାଯାବର ଜାତି ଥିଲେ । ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ରହଣି ସ୍ଥାନ ନଥିଲା । ସେତେବେଳେକୁ ଆର୍ଯ୍ୟାବର୍ତ୍ତ କୃଷିପ୍ରଧାନ ଅଞ୍ଚଳ ହୋଇ ନଥିଲା । ମହେଞ୍ଜୋଦାରୋ, ହରପ୍‌ପା ଅଞ୍ଚଳରେ ଏକ ଭିନ୍ନ ସଭ୍ୟତା ଗଢ଼ି ଉଠିଥିଲା । ପରେ ଅବଶ୍ୟ ସଭ୍ୟତା କ୍ଷେତ୍ରରେ ଆର୍ଯ୍ୟମାନଙ୍କ ସହିତ ଏହି ସଭ୍ୟତାର ଅନେକ ଅଂଶ ସମନ୍ୱିତ ହୋଇଥିଲା । ମାତ୍ର ଆର୍ଯ୍ୟମାନେ ଯେତେବେଳେ ଯାଯାବର ଭଳି ଭ୍ରମଣଶୀଳ ଜାତିଥିଲେ, ସେତେବେଳେ ମୁଖ୍ୟତଃ ଗୋଧନ ଉପରେ ନିର୍ଭର କରି ସେମାନଙ୍କୁ ଚଳିବାକୁ ପଡ଼ୁଥିଲା । ସେମାନେ ଗୋ ମାଂସ, ଗୋ ଦୁଗ୍‍ଧ ଇତ୍ୟାଦି ଖାଇ ବଞ୍ଚୁଥିଲେ । ପରେ ଯେତେବେଳେ ସେମାନେ ଆସି ଭାରତରେ ବସବାସ କଲେ ଓ ବେଦ ରଚନା କଲେ, ଯଜ୍ଞଯାଗ କଲେ, ସେଥିରେ ମଧ୍ୟ ମେଧଯଜ୍ଞମାନଙ୍କରେ ପଶୁ ଇତ୍ୟାଦିଙ୍କୁ ପୋଡ଼ି ଖାଉଥିଲେ । ମଦ୍ୟ ମଧ୍ୟ ପ୍ରଚୁର ପାନ କରୁଥିଲେ ଓ ଯଜ୍ଞରେ ବ୍ୟବହାର କରୁଥିଲେ । ମଧୁ (୨) ଶବ୍ଦର ଅର୍ଥ ହେଉଛି, ମହୁ ଓ ମଦ୍ୟ । ମଧୁପର୍କ ବୋଲି ଗୋଟିଏ ସୁମିଷ୍ଟ ପାନୀୟ ସେତେବେଳେ ବ୍ୟବହୃତ ହେଉଥିଲା; ଅତିଥିମାନଙ୍କୁ ଦିଆଯାଉଥିଲା, ଯହିଁରେ ମଧୁ ଓ ଗୋମାଂସ ମିଶ୍ରିତ ହେଉଥିଲା । (୩) ରାମାୟଣଯୁଗ ବେଳକୁ ମଧ୍ୟ ଏ ବିଧି ଲୋକବିରୁଦ୍ଧ ନଥିଲା । ରାମଚନ୍ଦ୍ର ବନବାସ କାଳରେ ଅନେକ ଋଷିମୁନିଙ୍କର ଅତିଥି ହୋଇଥିଲେ । ତାଙ୍କୁ ସ୍ଥାନେ ସ୍ଥାନେ ମଧୁପର୍କ ଦ୍ୱାରା ସମ୍ମାନ ପ୍ରଦର୍ଶନ କରାଯିବା ସହିତ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଅର୍ପଣ କରାଯାଉଥିଲା । ଯେତେବେଳେ ରାମଚନ୍ଦ୍ର, ଲକ୍ଷ୍ମଣ ଓ ସୀତା ବନବାସ ସମୟରେ ଯାଇ ଋଷି ଭରଦ୍ୱାଜଙ୍କ ଆଶ୍ରମରେ ଅତିଥି ହେଲେ, ସେତେବେଳେ ମହର୍ଷି ଭରଦ୍ୱାଜ ତାଙ୍କୁ ପାଦ୍ୟ, ଅର୍ଘ୍ୟ ଦେଇ ସ୍ୱାଗତ କଲେ । ତା ’ପରେ ଗୋଟିଏ ଗାଇ, ନାନାବିଧ ଅନ୍ନ ରସ, ବନ୍ୟ ଫଳମୂଳ ଓ ରହିବାପାଇଁ ଏକ କୋଠରୀ ଦେଲେ । (୪) ଏହି ଗାଇଟିକୁ କାହିଁକି ଦେଲେ, ଯଦିଓ ତାହା ଏକ କଠିନ ପ୍ରଶ୍ନ, ତଥାପି ବିଚାରସାପେକ୍ଷ । କାରଣ, ସେ ସ୍ଥାନରେ ‘‘ଗୋ ଦୁଗଧ’’ ମଧ୍ୟ ଦେଲେ ବୋଲି ବାଲ୍ମୀକି ଲେଖିପାରିଥାନ୍ତେ । ତେବେ ଏହି ‘ଗାଈ’ ବୋଲି ଲେଖିବାର ତାତ୍ପର୍ଯ୍ୟ କ’ଣ ? ହୁଏତ ବାଲ୍ମୀକି ଲେଖିଲା ବେଳେ, ଏହା ତାଙ୍କ ପାଇଁ ଏକ ସମସ୍ୟା ଭଳି ଲାଗି ନଥିବ । ବର୍ତ୍ତମାନ ସାମାଜିକ ଚଳଣି ଦୃଷ୍ଟିରୁ ଆମପାଇଁ ଏହା ଏକ ସମସ୍ୟା । ରାମଚନ୍ଦ୍ରଙ୍କୁ ଦୁଗ୍‌ଧ ଦେଇଥିଲେ ସିନା ସେ ପିଇଥାନ୍ତେ; ଗାଈଟାଏ ଦେଲେ ଋଷି ଆଶ୍ରମରେ ସେ କ’ଣ କରିବେ ? ଏହାକୁ ବୁଝିବା ଆମପାଇଁ ବଡ଼ ଅଡ଼ୁଆ କଥା । କାରଣ, ଆମେ ତ ତାଦୃଶ ପ୍ରଗଲ୍‌ଭ ବ୍ରହ୍ମା ନୋହୁ ଯେ ସବୁ ଶାସ୍ତ୍ର, ସବୁ ତତ୍ତ୍ୱ ଅନାଇ ଦେଲାମାତ୍ରେ ବୁଝିପାରିବୁ । ଆମପାଇଁ ଖାଲି ଅନୁମାନ ହିଁ ଏକମାତ୍ର ପନ୍ଥା । ଅବଶ୍ୟ ଭବଭୂତିଙ୍କ ସାହିତ୍ୟରୁ ଜଣା‌ଯାଏ ଯେ, ଅତିଥି ଘରକୁ ଆସିଲେ ତାଙ୍କୁ ପ୍ରାଚୀନ ଯୁଗରେ ମଧୁପର୍କ ଓ ଗୋମାଂସ ଅର୍ପିତ ହେଉଥିଲା । କିନ୍ତୁ ଏହା ଭବଭୂତିଙ୍କ ସମୟରେ ହେଉଥିଲା ବୋଲି କୁହାଯାଇପାରିବାନାହିଁ । ଏହା ଥିଲା ଭାରତୀୟ ପ୍ରାଚୀନତମ ପରଂପରା, ଯାହାର ଆଧାରରେ କି ଭବଭୂତି ଏପରି ଲେଖିଥିଲେ ।

 

୧.

ବାଲ୍ମୀକି ରାମାୟଣ–ଅରଣ୍ୟକାଣ୍ଡ–୧୪/୩୧.

‘‘ମାଂସହେତୋରପି ମୃଗାନ୍‍ ବିହାରାର୍ଥଂଚ ଧନ୍ୱିନଃ

ଘ୍ନନ୍ତି ଲକ୍ଷ୍ମଣ ରାଜାନୋ ମୃଗୟାୟାଂ ମହାବନେ ।’’

୨.

ମଧୁ ଦ୍ୱିରେଫ କୁସୁମୈକ ପାତ୍ରେ ...............(କାଳିଦାସ)

୩.

A socio Political study of Valmiki Ramayana by Ramashraya Sharma–1971–P, 234.

 

ପାଶ୍ଚାତ୍ୟ ଗବେଷକ ମ୍ୟାକ୍‌ଡୋନେଲ୍‌ ଓ କିଥ ହେଉଛନ୍ତି ବେଦରେ ଜଣେ ଜଣେ ବିଶିଷ୍ଟ ବିଦ୍ୱାନ । ସେମାନେ କହନ୍ତି, ‘‘ବୈଦିକଯୁଗରେ ଭାରତୀୟ ଆର୍ଯ୍ୟମାନେ ବୃଷଭ ଓ ଧେନୁର ମାଂସ ଖାଉଥିଲେ’’ (୫) ଏହି ବିଷୟରେ ନିକଟ ଅତୀତରେ ମୁଁ ଏବର ସଂସ୍କୃତ ପ୍ରଫେସର୍‌ ଡଃ କୃଷ୍ଣଚନ୍ଦ୍ର ଆଚାର୍ଯ୍ୟ ଓ ତାଙ୍କର ସଂସ୍କୃତ ବିଦ୍ୱାନ ପିତା ପଣ୍ଡିତ ବନମାଳୀ ଆଚାର୍ଯ୍ୟଙ୍କ ସଙ୍ଗେ ଆଲୋଚନା କରିଥିଲି । ଓଡ଼ିଶାର ଏହି ପଣ୍ଡିତଦ୍ୱୟଙ୍କ ସହିତ ଆଲୋଚନା ଫଳରେ ଏ ଦିଗରେ ମୋର ଚିନ୍ତାଧାରା ଅଧିକ ପ୍ରସାରିତ ହେଲା ଓ ସେ ଦୁହେଁ ମଧ୍ୟ ବୈଦିକ ଋଷିମାନଙ୍କର ଗୋମାଂସ ଭୋଜନକୁ ସ୍ୱୀକାର କଲେ । ଅତଏବ, ଖାଲି ପାଶ୍ଚାତ୍ୟ ପଣ୍ଡିତ କାହିଁକି, ଆମ ଭାରତୀୟ ପଣ୍ଡିତମାନେ ମଧ୍ୟ ଏଥିରେ ଦ୍ୱିମତ ନୁହନ୍ତି ।

 

ବେଦରେ ‘ଗୋ’ (Cow) ବୋଲି ଯେଉଁ ଶବ୍ଦଟି ବ୍ୟବହାର ହୁଏ, ତା’ର ଅର୍ଥ ଅନେକ କ୍ଷେତ୍ରରେ ପ୍ରଧାନତଃ ଗୋଦୁଗ୍‌ଧ ବୋଲି ଗ୍ରହଣ କରାଯାଇଥିବା ବେଳେ ସମୟ ସମୟରେ ଗୋମାଂସ ବୋଲି ମଧ୍ୟ ଅର୍ଥ କରାଯାଏ (୭) ତେଣୁ ଉପରୋକ୍ତ ଉଦ୍ଧୃତ ରାମାୟଣରେ ରାମଚନ୍ଦ୍ରଙ୍କୁ ଅର୍ପିତ ‘ଗା’ (ଗାଇ) ଶବ୍ଦର ଅର୍ଥ ଗୋମାଂସ କି ଗୋଦୁଗ୍‌ଧ, କ’ଣ ହେବ ସଠିକ ଜଣାପଡ଼ୁନାହିଁ । ଅତଏବ ଏହା ପଣ୍ଡିତ ମାନଙ୍କର ପ୍ରଣିଧାନର ବିଷୟ । ସେ ଯାହାହେଉ, ବୈଦିକ ଯୁଗରେ ଅନ୍ତ୍ୟେଷ୍ଟିକ୍ରିୟା, ଶ୍ରାଦ୍ଧ ସମୟରେ ଯେଉଁ ମନ୍ତ୍ର ବ୍ୟବହୃତ ହେଉଥିଲା, ସେଥିରେ ଯେଉଁ ‘ଗୋ’ଶବ୍ଦ ବ୍ୟବହାର କରାଯାଉଥିଲା, ତାହାର ଅର୍ଥ କେବଳ ଗୋମାଂସକୁ ବୁଝାଉଥିଲା । (୭) ଆର୍ଯ୍ୟସମାଜୀମାନେ ତଥା ଆଉ କେତେକ ଅନିରପେକ୍ଷ ମତବାଦିମାନେ ଏହାକୁ ଅନ୍ୟ ଅର୍ଥ କରିସାରିବେଣି । ମାତ୍ର ପ୍ରକୃତ କଥା ହେଉଛି, ହୋମକୁଣ୍ଡରେ ଶ୍ରାଦ୍ଧ ସମୟରେ ଗୋମାଂସକୁ ପକାଇ ଦିଆଯାଉଥିଲା ଓ ପରେ ସେହି ପୋଡ଼ାମାଂସ ଭୋଜନ କରାଯାଉଥିଲା । ଗୋରୁର ଯେଉଁ ଚର୍ମ ଉଦ୍ଧାର କରାଯାଉଥିଲା, ତାହାକୁ ଦଉଡ଼ି ଆକାରରେ (ପଖଉଜରେ ଲାଗିଥିବା ରସି ଭଳି) ଚିରି ଧନୁରେ ଗୁଣ ଭାବରେ ଆର୍ଯ୍ୟମାନେ ବ୍ୟବହାର କରୁଥିଲେ । ଏହି ଦଉଡି (ଧନୁର୍ଗୁଣ)କୁ ମଧ୍ୟ ‘ଗୋ’ ବୋଲି କୁହାଯାଉଥିଲା । (୮) ଏଣୁ, ଅନୁମାନ କରିବାର କଥା ଯେ ବୈଦିକ ଆର୍ଯ୍ୟମାନେ ଗାଈର ଦୁଗ୍‌ଧ, ଶିଙ୍ଗ, ଚର୍ମ, ମାଂସ ଆଦି ସମସ୍ତ ଅଂଶ ନିଜର ବ୍ୟବହାରରେ ଆଣିଥିଲେ ।

 

.

ବାଲ୍ମୀକି ରାମାୟଣ– ଅଯୋଧ୍ୟାକାଣ୍ଡ–ଶ୍ଲୋକ ୧୭-୧୮

‘‘ତସ୍ୟ ତଦ୍‍ବଚନଂ ଶ୍ରୂତ୍ୱା ରାଜପୁତ୍ରସ୍ୟ ଧୀମତଃ ।

ଉପାନୟତ ଧର୍ମାତ୍ମା ଗାଂ ଅର୍ଘ୍ୟଂ ଉଦକଂ ତତଃ ।।୧୭।।

ନାନାବିଧାନ୍‍ ଅନ୍ନରସାନ୍‍ ବନ୍ୟଫଳମୂଳାଶ୍ରୟାନ୍‍ ।

ତେଭ୍ୟୋ ଦଦୌ ତତ୍ପତପା ବାସଂ ଚୈବାଭ୍ୟ କଳ୍ପୟତ୍‍ ।।୧୮।।

୫.

Vedic Index–Vol.1, 1967, iii p.233. Macdonnell.

୬.

ଋଗ୍‍ବେଦ–୧/୩୩, ୧୦, ୧୫୧, ୧୮୧, ୮,/ଓ-୨/୩୦, ୭/ଓ୪/୨୭,୫/ଓ-୯/୪୬, ୪; ୬,୫/ଓ-୧୦/୧୬,୭ ।

 

ହୋମକୁଣ୍ଡ, ଯଜ୍ଞକୁଣ୍ଡରେ ଗାଇ ମାଂସ ପକାଇ ପାକ କରାଯାଉଥିବାରୁ ଅଗ୍ନିଦେବତା ମଧ୍ୟ ଗୋମାଂସ ଭୋଜନ କରୁଥିଲେ ବୋଲି ବିଚାର କରାଯାଉଥିଲା । ତେଣୁ ଅଗ୍ନିଙ୍କୁ ରୁକ୍‌ବେଦରେ ଗୋମାଂସ ଭୋଜୀ ନାମରେ ଅଭିହିତ କରାଯାଇଥିଲା । (୯) ଯଜ୍ଞରେ ବା ହୋମ କୁଣ୍ଡରେ ଘୃତ ବ୍ୟତୀତ ଆହୁରି ଅନେକ ଭୋଜନୀୟ ଦ୍ରବ୍ୟ (କବ୍ୟ) ଦେବତାଙ୍କ ଉଦ୍ଦେଶ୍ୟରେ ପକାଇ ଦିଆଯାଉଥିଲା । ସବୁ ମିଶି ତଥା ଘିଅ ପଡ଼ି ତାହା ଏକ (ପୋଡ଼ାବଳି) ସୁସ୍ୱାଦୁ ଖାଦ୍ୟରେ ପରିଣତ ହେଉଥିଲା । ଏବେ ଆମେ ହୋମରୁ ପୋଡ଼ା ନଡ଼ିଆ ଖାଇ ଖୁସି ହେଲାଭଳି, ସେକାଳରେ ଯଜମାନ ଓ ଉପସ୍ଥିତ ବ୍ରାହ୍ମଣ ଏବଂ ଅନ୍ୟାନ୍ୟ ବର୍ଣ୍ଣର ଲୋକମାନେ ସେହି ଯଜ୍ଞପକ୍ୱ ଖାଦ୍ୟ ଖାଇ ଅପାର ଆନନ୍ଦ ଲାଭ କରୁଥିଲେ । ଆଜି ଅବଶ୍ୟ ଛାଗ, ମୃଗଙ୍କୁ ଆଣି ଆମେ ହୋମରେ ପକାଉ ନାହୁଁ । ପକାଉଛୁ ନଡ଼ିଆ, ଚାଉଳ ଓ ଅନ୍ୟାନ୍ୟ ଦ୍ରବ୍ୟ । ଏବେ ମଧ୍ୟ ହୋମରେ ମାଛ ପକାଇ ଓ ତହିଁରେ ଘୃତାହୁତି ଦେଇ ଭାଜି, ତାକୁ ପୋଡ଼ାବଳି ଭାବରେ ଖାଇ ଆମେ ଆପ୍ୟାୟିତ ହେଉଛୁ । ୧୦) ଏ ଖାଦ୍ୟ ସାଧାରଣ ମାଛ ତରକାରୀଠାରୁ ଆହୁରି ଅଧିକ ସ୍ୱାଦଯୁକ୍ତ ହୋଇଥାଏ ।

 

ରାମଚନ୍ଦ୍ର ଯେତେବେଳେ ବନବାସ କରିବାକୁ ଯାଇ ଚିତ୍ରକୂଟରେ ପହଞ୍ଚିଲେ, ସେଠାରେ ଲକ୍ଷ୍ମଣଙ୍କୁ କହିଲେ, ହେ ଲକ୍ଷ୍ମଣ ! ତୁମେ ଡାଳପତ୍ର ଆଣି ଏଠାରେ କୁଟୀର ନିର୍ମାଣ କର । ଆଜ୍ଞାପାଇ ଲକ୍ଷ୍ମଣ ସୁନ୍ଦର କୁଟୀର ନିର୍ମାଣ କରିଦେଲେ । ତାହାପରେ ରାମଚନ୍ଦ୍ର କହିଲେ, ‘‘ଏ କୁଟୀର ପ୍ରତିଷ୍ଠା ନ କରି ଆମେ ରହିବା କିପରି ? ମାତ୍ର ‘ପ୍ରତିଷ୍ଠା ଦାୟିତ୍ୱ’ ଲକ୍ଷ୍ମଣ ରାମଚନ୍ଦ୍ରଙ୍କ ଉପରେ ନ୍ୟସ୍ତ କଲେ । ସେଠି ଏହି କ୍ଷତ୍ରିୟ ଯୁବକଙ୍କ ପାଇଁ ବ୍ରାହ୍ମଣ ପୁରୋହିତ ଉପସ୍ଥିତ ନଥିଲେ । ଅତଏବ ରାମଚନ୍ଦ୍ରଙ୍କୁ ହିଁ ନିଜେ ନିଜେ ହୋମକାର୍ଯ୍ୟ କରିବାକୁ ପଡ଼ିଲା ।

 

୭.

Vedic Index–Vol. 1, P.234.

୮.

ଋଗ୍‍ବେଦ–୬/୭୫; ୧୦/୨୭,୨୨ ।

୯.

ଋଗ୍‍ବେଦ–୩/୪୩, ୩/୨୧, ୬, ତୈତ୍ତିରୀୟ ସଂହିତା–୧/୩, ୧୪,୭ ।

Weber – Indische Studein 17, 280, 281.

Oldenberg–Religion des Veda 335.

Vedic Index–Vol. II–P.145

୧୦.

ମୋର ପିଲାଦିନେ ପୁରୀ ଜିଲ୍ଲା ରାମଚନ୍ଦ୍ର ପୁରରେ ହୋମରେ ଅର୍ପିତ ସୁସ୍ୱାଦୁ ପୋଡ଼ାବଳି (ବଡ଼ମାଛ) ଅନେକଥର ଖାଇଥିବାର ଅନୁଭୂତି ମନେ ଅଛି ।

 

ସେତେବେଳେ ମାଂସ ସମ୍ଭବତଃ ହୋମକାର୍ଯ୍ୟ ପାଇଁ ଏକ ଅନିବାର୍ଯ୍ୟ ଉପାଦାନ ହୋଇ ପଡ଼ିଥିଲା । ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ କହିଲେ, ‘‘ହେ ଲକ୍ଷ୍ମଣ ! ତୁମେ ଶୀଘ୍ର ଯାଇ ଏଣମାଂସ ବା ମୃଗମାଂସ ଆଣ । ତାକୁ ଅଗ୍ନିରେ ପକାଇ ଆମେ ହୋମ କରିବା । ‘‘ଘିଅ ଆଣ’’ –ଏପରି କହିବାର ଉଲ୍ଲେଖ ରାମାୟଣରେ ନାହିଁ । ରାମଚନ୍ଦ୍ରଙ୍କର ନିର୍ଦ୍ଦେଶ ପାଇ ଲକ୍ଷ୍ମଣ ବନମଧ୍ୟରେ ପ୍ରବେଶ କରି ଏକ କୃଷ୍ଣସାର ମୃଗକୁ ମାରି ଆଣିଲେ । ତାହାପରେ ତାକୁ ଅଗ୍ନିରେ ପକାଇ ପାକ କଲେ (୧୧) । ତାହାପରେ ରାମଚନ୍ଦ୍ରଙ୍କୁ ପୂଜା, ସଂସ୍କାରାଦି କରିବାକୁ ଅନୁରୋଧ କଲେ । ରାମଚନ୍ଦ୍ର ଏହି କୃଷ୍ଣମୁଗ ବଳି ଦ୍ୱାରା ଦେବଗଣପୂଜା, ବୈଶ୍ୱଦେବବଳି, ରୌଦ୍ରଯାଗ, ବୈଷ୍ଣବଯାଗ ଇତ୍ୟାଦି କରି ବାସ୍ତୁଦୋଷ ଶାନ୍ତ କଲେ ଓ କୁଟୀର ପ୍ରତିଷ୍ଠା କଲେ । ଅତଏବ, ରାମଚନ୍ଦ୍ର ଏହି ବଳି ବା ପୋଡ଼ାମାଂସ ଖାଇବା କଥା ମଧ୍ୟ ଉପେକ୍ଷା କରାଯାଇନ ପାରେ ।

 

ରାମଚନ୍ଦ୍ର ତ କ୍ଷତ୍ରିୟ ସନ୍ତାନ । ଅତଏବ ମୃଗ ମାରିବା ଓ ତାହାର ମାଂସ ଆଣି ଯଜ୍ଞ କରିବା, ଅଥବା ମୃଗମାଂସ ଖାଇବା ତାଙ୍କପାଇଁ ହୁଏତ ସାଧାରଣ କଥା ହୋଇପାରେ । ମାତ୍ର ଋଷି ଓ ବ୍ରାହ୍ମଣମାନେ ମେଣ୍ଢା, ଛେଳି ଇତ୍ୟାଦିଙ୍କ ମାଂସ ଶ୍ରାଦ୍ଧଭୋଜିମାନଙ୍କରେ ଖାଉଥିବାର ଶୁଣିଲେ ବାସ୍ତବିକ ଏ ଯୁଗରେ ଆଶ୍ଚର୍ଯ୍ୟ ହେବାକୁ ପଡ଼େ । ପ୍ରଥମ ଶତାବ୍ଦୀରେ କାଳିଦାସ ଅବତୀର୍ଣ୍ଣ ହୋଇ ଆମକୁ ଶୁଣାଇଁ ଦେଇଗଲେ ଯେ ଦୟାଳୁ ବ୍ରାହ୍ମଣମାନେ ମଧ୍ୟ ଯଜ୍ଞବେଳେ ପଶୁମାରଣ ଭଳି ଦାରୁଣ କାର୍ଯ୍ୟ କରନ୍ତି । ‘‘ପଶୁମାରଣ କର୍ମଦାରୁଣ ଅନୁକମ୍ପା ମୃଦୁରେବ ଶୋତ୍ରିୟ’’- ଶାକୁନ୍ତଳମ୍‍ ୫ । ତେବେ ଏହି ପଶୁମାନଙ୍କୁ ମାରି ଯଜ୍ଞରେ ତାକୁ ପାକ କରି ସେହି ବ୍ରାହ୍ନଣମାନେ ନିଶ୍ଚୟ ଭୋଜନ କରୁଥିଲେ । ତା’ ନ ହେଲେ ରାକ୍ଷସ ଇଲ୍ୱଳର କଥାରେ ମାଂସଲୋଭୀ ବ୍ରାହ୍ନଣ ଓ ଋଷିମାନେ ଟିକିଏ ମେଣ୍ଢାମାଂସ ଖାଇବା ପାଇଁ ଯାଇ ଏତେ ସଂଖ୍ୟାରେ ମରିନଥାନ୍ତେ ।

 

ଏହି ଇଲ୍ୱଳ ବାତାପି ଉପାଖ୍ୟାନଟି ବାଲ୍ମୀକିଙ୍କ ରାମାୟଣରେ ଅଛି । ଯାହା, ଜଣାଯାଏ ଆର୍ଯ୍ୟମାନେ ପଶୁପକ୍ଷୀଙ୍କ ମାଂସ ଖାଉଥିବା ବେଳେ ରାକ୍ଷସମାନେ ପଶୁ ପକ୍ଷୀଙ୍କ ସହ ନରମାଂସ ମଧ୍ୟ ଖାଉଥିଲେ । ଏବେ ମଧ୍ୟ ଆଫ୍ରିକା ଇତ୍ୟାଦି ଦେଶରେ ନରଖାଦକ ଅଛନ୍ତି । ତା ଛଡ଼ା ଆର୍ଯ୍ୟମାନେ ମାଂସକୁ ଉତ୍ତମ ରୂପେ ରାନ୍ଧି ଖାଉଥିବା ବେଳେ ରାକ୍ଷସ ବା ଅନାର୍ଯ୍ୟମାନେ (ଦସ୍ୟୁ,ଦାସ) କଞ୍ଚାମାଂସ, କଞ୍ଚାରକ୍ତ ମଧ୍ୟ ଖାଇଯାଉଥିଲେ । ଏବେ ଜାପାନରେ କଞ୍ଚାମାଂସ ଖାଉଥିବା କଥା ପୁର୍ବରୁ ଉଲ୍ଲେଖ କରାଯାଇଛି । ସେ ଯାହାହେଉ, ମାଂସ ପ୍ରତି ଉଭୟ ଆର୍ଯ୍ୟ ଓ ଅନାର୍ଯ୍ୟଙ୍କର ଆଗ୍ରହ ଥିଲା । ଇଲ୍ୱଳ ନାମକ ରାକ୍ଷସ ଚାହୁଁ ଥିଲା ନରମାଂସ ଖାଇବାପାଇଁ । ସେଥିପାଇଁ ସେ ନିଜେ ଅନାର୍ଯ୍ୟ, ଅବ୍ରାହ୍ମଣ ହେଲେ ମଧ୍ୟ କପଟରେ ଏକ ବ୍ରାହ୍ମଣବେଶ ଧାରଣ କଲା । ମୁଣ୍ଡରେ ଚିତା, କାନ୍ଧରେ ପଇତା ପକାଇ ସଂସ୍କୃତ ଶ୍ଲୋକ ପଢ଼ି ଶ୍ରାଦ୍ଧଭୋଜୀ ଖୁଆଇବା ପାଇଁ ବ୍ରାହ୍ମଣ ଓ ଋଷିମାନଙ୍କୁ ପ୍ରତିଦିନ ଡାକି ଆଣୁଥାଏ । ନିଜର ଭାଇ ବାତାପି’କୁ ମେଣ୍ଢା ରୂପରେ ପରିଣତ କରି ରାନ୍ଧି ବ୍ରାହ୍ମଣଙ୍କୁ ଖୁଆଇଦିଏ (୧୨) । ତା’ପରେ ଯେତେବେଳେ ଜାଲିକ ପରି ବଡ଼ ପାଟିରେ ଡାକେ, ‘‘ବାତାପି ଚାଲିଆ’’,- ସେତେବେଳେ ବ୍ରାହ୍ମଣ ଓ ଋଷିଙ୍କ ପେଟ ଫଟାଇ ବାତାପି ବାହାରିଆସେ ଓ ସେହି ବ୍ରାହ୍ମଣ ତଥା ଋଷିମାନେ ମୃତ୍ୟୁ ମୁଖରେ ପଡ଼ନ୍ତି । ଏଣିକି ସେମାନଙ୍କର ନରମାଂସ ଖାଇବାରେ ଇଲ୍ୱଳକୁ ଅସୁବିଧା ହୁଏନାହିଁ । ଯାହାହେଉ, ଥରେ ଅଗସ୍ତ୍ୟ ଋଷିଙ୍କର ପାଳି ପଡ଼ିଲା ଓ ସେ ଇଲ୍ୱଳଠାରୁ ଆହୁରି ଅଧିକତର ଯାଦୁକର ହୋଇପାରିଲେ । ସେ ମେଣ୍ଢାରୂପୀ ବାତାପିକୁ ଖାଇ ହଜମ କରିଦେଲେ (୧୩) ଓ ଇଲ୍ୱଳକୁ କ୍ରୋଧାନ୍ୱିତରେ ଭସ୍ମୀଭୂତ କରିଦେଲେ । ଏହି ଆଖ୍ୟାନଟିରୁ ସୂଚିତ ହେଲା ଯେ ସେତେବେଳେ ଋଷି ମୁନିମାନେ ମେଣ୍ଢାମାଂସ ଖାଉଥିଲେ ଓ ଅଗସ୍ତ୍ୟଙ୍କ ଭଳି ଜଣେ ପ୍ରମୁଖ ବ୍ରାହ୍ମଣ ମଧ୍ୟ ଏହି ମେଣ୍ଡାମାଂସ ଖାଇ ପାରୁଥିଲେ । ଖାଲି ମେଷ କାହିଁକି କୁକୁଡ଼ା ମାଂସ ଋଷିମାନେ ଖାଇବାର କଥା ଯଜୁର୍ବେଦରୁ ହିଁ ଜଣାପଡ଼ିଥାଏ (୧୪) । ଏବେ ମଧ୍ୟ ବ୍ରତୋପନୟନ ବେଳେ ମୁକୁଟ ବନ୍ଧାଯିବା ସମୟର ମନ୍ତ୍ରପାଠରେ କୁକୁଡ଼ା ପ୍ରସଙ୍ଗ ରହିଅଛି । ପାଣିନି ବ୍ୟାକରଣରେ କୁକ୍‌କୁଟ ଓ କୁକ୍‌କୁଟାଣ୍ଡର ଉଲ୍ଲେଖ ଅଛି । (୧୫) (କୁକକଟ୍ୟାଃ ଅଣ୍ଡଂ= କୁକୁକଟାଣ୍ଡମ ।) ପୁଣି ଅଜ, ମେଷ, (୧୬) ଗୌ (୧୭) ଓ ପଳ (୧୮) (ମାଂସ)ର ଉଲ୍ଲେଖ ଏହି ବ୍ୟାକରଣରେ ଥିବାରୁ ଏଥିରୁ ପାଣିନୀକାଳୀନ ସମାଜରେ ଏସବୁର ଆବଶ୍ୟକତା ଓ ଲୋକପ୍ରିୟତା ସହଜରେ ଅନୁମେୟ ।

 

୧୧.

ବାଲ୍ମୀକି ରାମାୟଣ–ଅଯୋଧ୍ୟା କାଣ୍ଡ ୫୬ ଅ/୨୨, ୨୩, ୨୬, ୨୭–ରାମଚନ୍ଦ୍ର କହିଲେ–

*ଏଣେୟଂ ମାଂସମାହତ୍ୟ ଶାଳାଂ ଯକ୍ଷାମହେ ବୟମ୍‍ ।

କର୍ତ୍ତବ୍ୟଂ ବାସ୍ତୁଶମନଂ ସୌମିତ୍ରେ ଚିରଜୀବିଭିଃ ।।୨୨।।

ମୃଗଂ ହତ୍ୱାଽନୟ କ୍ଷିପ୍ରଂ ଲକ୍ଷ୍ମଣେହ ଶୁଭେକ୍ଷଣ ।

କର୍ତ୍ତବ୍ୟଃ ଶାସ୍ତ୍ରଦୃଷ୍ଟୋ ହି ବିଧିର୍ଧର୍ମମନୁସର ।।୨୩।।

ଏହାପରେ ଲକ୍ଷ୍ମଣ ମୃଗ ମାରି ଆଣିଲେ:-

ସ ଲକ୍ଷ୍ମଣଃ କୃଷ୍ଣମୃଗଂ ହତ୍ୱା ମେଧ୍ୟଂ ପ୍ରତାପବାନ୍‍ ।

ଅଥ ଚିକ୍ଷେପ ସୌମିତ୍ରିଃ ସମିଦ୍ଧେ ଜାତବେଦସି ।।୨୬।।

ତତ୍ତୁ ପକ୍ୱଂ ସମାଜ୍ଞାୟ ନିଷ୍ଟପ୍ତଂ ଚ୍ଛିନ୍ନଶୋଣିତମ୍‍

ଲକ୍ଷ୍ମଣଃ ପୁରୁଷବ୍ୟାଘ୍ରମଥ ରାଘବମବ୍ରତୀତ୍‍ ।।୨୭।।

 

*ଟୀକାକାର ‘ଏଣେୟ’ ଶବ୍ଦକୁ ‘ଗଜଦନ୍ତକନ୍ଦ’ ବୋଲି ଏକ ‘କନ୍ଦାଗୁଳ୍ମ’ ଅର୍ଥ କରିଛନ୍ତି । ମାତ୍ର ଏହା ଏକ ଟଣାଓଟରା ଅର୍ଥ । ଏଥିରେ ‘ହତ୍ୱା’, ‘ଶୋଣିତ’ ଶବ୍ଦମାନ ମଧ୍ୟ ଅଛି । ଏଣୁ ଟୀକାକାରଙ୍କ ଅର୍ଥ ଗ୍ରହଣୀୟ ନୁହେଁ ।

୧୨.

ବାଲ୍ମୀକି ରାମାୟଣ:– ଅରଣ୍ୟକାଣ୍ଡ, ଅ: ୧୧/ଶ୍ଲୋ: ୫୫-୬୪ ।

ଇହକ୍ରୁରୋ ବାତାପିରପି ଚେଲ୍ୱଳଃ । ଭ୍ରାତରୌ ସହିତାବାସ୍ତାଂ ବ୍ରାହ୍ମଣଘ୍ନୌ ମହାସୁରୌ ।।୫୫।। ଧାରୟନ୍‍ ବ୍ରାହଣଂରୂପମିଲ୍ୱଳଃ ସଂସ୍କୃତଂ ବଦନ୍‍ । ଆମନ୍ତ୍ରୟତି ବିପ୍ରାନ୍‍ସ ଶ୍ରାଦ୍ଧମୁଦ୍ଦିଶ୍ୟ ନିର୍ଘୁଣଃ ।।୫୬।। ଭ୍ରାତରଂ ସଂସ୍କୃତଂ କୃତ୍ୱା ତତସ୍ତଂ ମେଷରୂପିଣମ୍‍ । ତାନ୍‍ ଦ୍ୱିଜାନ୍‍ ଭୋଜୟାମାସ ଶ୍ରାଦ୍ଧଦୃଷ୍ଟେବ କର୍ମଣା ।।୫୭।।

୧୩.

ବାଲ୍ମୀକି ରାମାୟଣ – ଅରଣ୍ୟ ୧୧/୬୪ ।। ଅଗସ୍ତ୍ୟ ମୁନି କହିଲେ –

କୁତୋ ନିଷ୍କ୍ରମିତୁଂ ଶକ୍ତିର୍ମୟା ଜୀର୍ଣ୍ଣସ୍ୟ ରକ୍ଷସଃ । ଭ୍ରାତୁସ୍ତୁ ମେଷରୂପସ୍ୟ ଗତସ୍ୟ ଯମସାଦନମ୍‍ ।।୬୪।।

୧୪.

Vedic Index–P. 160

୧୫.

ପାଣିନିକାଳୀନ ଭାରତବର୍ଷ–ବାସୁଦେବଶରଣ ଅଗ୍ରୱାଲ୍‍–ବି: ୨୦/୭-ମୋତିଲାଲ୍‍–

ପୃ.୨୧୪ ।। (Here after–ପା.କା.ଭା.)

୧୬.

ପା: କା: ଭା: – ପୃ: ୨୧୪ ।

୧୭.

ପା: କା: ଭା: – ପୃ: ୨୧୬ ।

୧୮.

ପା: କା: ଭା: – ପୃ: ୨୪୪, ୨୬୪ ।

 

ପାଣିନିଙ୍କ ସମୟରେ (ଖ୍ରୀ: ପୂ: ୫ମ ଶତକ)ରାଜାମାନେ ମୃଗୟା (୧୯) କରୁଥିଲେ । ମୃଗ (୨୦) ଶିକାର କରୁଥିଲେ । ପୁଣି ମାଂସ ଓ ଚାଉଳ ମିଶାଇ ସୁନ୍ଦର ପଳାନ୍ନ ବା ମାସୌଦନ (୨୧) ରାନ୍ଧି ଲୋକେ ଆନନ୍ଦରେ ଖାଉ ଥିଲେ । ମହାଭାରତ କାଳରେ ମଧ୍ୟ ରାଜା ମହାରାଜାମାନେ ପଳାନ୍ନ ଖାଉଥିଲେ । ମହାଭରତର ଶାନ୍ତି ପର୍ବରେ ଧୃତରାଷ୍ଟ୍ର ଦୁର୍ଯ୍ୟୋଧନକୁ ପଳାନ୍ନ ଭୋଜନ ବିଷୟରେ କହିଛନ୍ତି । ବୈଦିକ ଯୁଗରେ ପଳାନ୍ନ ବା ମାଂସ ଓ ଓଦନର ଭୋଜନ ବିଷୟରେ ସ୍ପଷ୍ଟ ଉଲ୍ଲେଖମାନ ମିଳୁଅଛି । (୨୨) ଯଜ୍ଞବେଳେ ଅଗ୍ନିରେ ମାଂସ ଛଡ଼ା ଆଉ ଯେଉଁ ଖାଦ୍ୟମାନ ପାକ କରାଯାଉଥିଲା, ବେଦରେ ସେ ସବୁକୁ ‘ପୁରୋଡ଼ାଶ, କ୍ଷୀରପାକ, ଓଦନ ଓ ଅପୂପ’ ନାମରେ କୁହାଯାଇଛି । ଏହି ସବୁ ଖାଦ୍ୟକୁ ‘ଭୋଜ୍ୟ’ ଭାବରେ ଗ୍ରହଣ କରାଯାଉଥିଲା । ରୁକ୍‌ବେଦରେ ପିତୁ-ସୁକ୍ତ ଆଦିରୁ ଦେଖାଯାଏ ଯେ ସେତେବେଳେ ସମାଜରେ ସମସ୍ତେ ମାଂସାହାରୀ ନଥିଲେ । ଅନେକେ ଶାକାହାରୀ ମଧ୍ୟ ଥିଲେ । କାରଣ ଏହି ସବୁ ସୂକ୍ତରେ ଶାକାହାରକୁ (ନିରାମିଷ) ପ୍ରଶଂସା କରାଯାଇଛି ।(୨୩) ନିରାମିଷାଶୀମାନେ ଦୁଗ୍‌ଧଜାତ ଖାଦ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଉଥିଲେ । ତେଣୁ ଯଜ୍ଞରେ ଆମିଷ ଓ ନିରାମିଷ; ଉଭୟ ପ୍ରକାର ଖାଦ୍ୟର ବ୍ୟବସ୍ଥା ଥିଲା ।

 

ଯଜ୍ଞ ସ୍ଥଳରେ ଖିଆପିଆ ସରିବାପରେ ବୈଦିକ ଆର୍ଯ୍ୟମାନେ ମଦ୍ୟପାନ କରୁଥିଲେ । ସୋମରସ ଏବଂ ସୂରା ଏହି ପେୟ ମଧ୍ୟରେ ପ୍ରଧାନ ଥିଲା । ସୁରାଠାରୁ ସୋମରସ ଉତ୍କୃଷ୍ଟତମ ମଦ୍ୟ ବୋଲି ଗୃହିତ ହେଉଥିଲା । ମୁଜବନ୍ତ (୨୪) ପର୍ବତରୁ ସୋମଲତା ଅଣାଯାଇ ତାକୁ ଦୁଇଟି ପଥର ଥିବା (ମେସିନ୍‌) ଯନ୍ତ୍ରରେ ଚାପି ତହିଁରୁ ରସ ବାହାର କରାଯାଉଥିଲା । (୨୫) ସ୍ତ୍ରୀ ମାନେ ଏହି ରସ କାଢ଼ୁଥିଲେ । (୨୬) ତା’ପରେ ଏହି ରସରେ ଅଲ୍ପ ପାଣି ମିଶାଇ ଦିଆଯାଉଥିଲା ଓ ଗୋଟିଏ କମ୍ବଳ ସାହାଯ୍ୟରେ ଛାଣି କଳଶରେ ରଖାଯାଉଥିଲା । (୨୭) ପରେ ଏହି ରସରେ ଦୁଗ୍‌ଧ ଆଦି ସୁମିଷ୍ଟପେୟ ମିଶାଇ (ଭାଙ୍ଗପଣା ପରି) ଅଧିକତର ରୁଚିକର କରାଯାଉଥିଲା । (୨୮) ରୁଗ୍‌ବେଦର ନବମ ମଣ୍ଡଳରେ ଥିବା ସୋମସ୍ତୁତି ଅନୁସାରେ ଏହି ସୋମରସକୁ ସ୍ତୁତିକରି ଦେବତାମାନଙ୍କୁ ଅର୍ପଣ କରାଯାଉଥିଲା । ଏହା ପରେ ଉପସ୍ଥିତ ଲୋକେ ସୋମରସ ପାନ କରି ଆନନ୍ଦରେ ଉତଫୁଲ୍ଲ ହେଉଥିଲେ । ମାତ୍ର, ଦୁଃଖର କଥା; ଏହି ସୋମଲତା ଏପର୍ଯ୍ୟନ୍ତ ଚିହ୍ନାଯାଇ ପାରୁନାହିଁ । ଏହାର ସେହି ଅରୁଣ ବର୍ଣ୍ଣର ପତ୍ର, କୋଣାକାର ଡେମ୍ପ ଇତ୍ୟାଦି ବେଦରେ ବର୍ଣ୍ଣିତ ଥିଲେ ମଧ୍ୟ ଏହାକୁ ଚିହ୍ନିବା ପାଇଁ ସେତିକି କଥା ଯଥେଷ୍ଟ ହେଉନାହିଁ । (୨୯) ମାତ୍ର ଶ୍ରୀଯୁକ୍ତ ୱାଟ୍‌ (watt) ଙ୍କ ମତରେ ଏହା ହୁଏତ ଆଫଗାନ୍‌ ଅଙ୍ଗୁର ହୋଇପାରେ । (୩୦) କିନ୍ତୁ, ଏହା କେବଳ ଏକ ଅନୁମାନ ମାତ୍ର; ସତ୍ୟ ନ ହୋଇପାରେ ।

 

୧୯.

ପା: କା: ଭା: – ପୃ: ୨୬୪ ।

୨୦.

ପା: କା: ଭା: – ପୃ: ୨୧୪ ।

୨୧.

ପା: କା: ଭା: – ପୃ: ୧୨୧, ୧୨୮ ।

୨୨.

ଋଗ୍‍ବେଦ – ୮/୪୩/୧୧, ୬/୩୯/୧, ୧୦/୨୭/୮, ୧୦/୮୬/୧୩-୧୪, ୧୦/୮୯/୧୪ ।।

୨୩.

ଋଗ୍‍ବେଦ–୧/୧୮୭ ।

୨୪.

ଋଗ୍‍ବେଦ–୧/୯୩/୬, ୩/୪୮/୨, ୫/୩୬/୨, ୫/୪୩/୪, ୫/୮୫/୨, ୯/୧/୧୮ ।।

୨୫.

ଋଗ୍‍ବେଦ– ୧/୮୩/୬, ୧/୧୩୫/୭ ।

୨୬.

ଋଗ୍‍ବେଦ– ୯/୬୭/୮

୨୭.

ଋଗ୍‍ବେଦ– ୯/୬୭/୯-୧୨ । Vedic Index, Vol-I. P.137

୨୮.

ଋଗ୍‍ବେଦ– ୭/୮୬/୬, ୮/୨/୧୨ ।

 

ସୋମରସ ଅପେକ୍ଷା ଅଧିକ ନିଶାଯୁକ୍ତ ମଦ୍ୟ ଥିଲା ‘ସୁରା’ । ଋଗବେଦରେ ସୋମକୁ ପ୍ରଶଂସା କରାଯିବା ସଙ୍ଗେ ସଙ୍ଗେ ସୁରାକୁ ନିନ୍ଦା କରାଯାଇଛି । କାରଣ ସୁରାପାୟୀମାନେ ନିଶାରେ ଅଭିଭୂତ ହୋଇ ଅନେକ ପାପ ଓ ଅପରାଧ କରୁଥିଲେ । (୩୧) ଜୁଆ ଖେଳିବା ଯେପରି ଏକ ଅପରାଧ ଥିଲା, ସୁରାପାନ କରି ମାତାଲ ହେବା ସେତିକି ଅପରାଧ ଭାବରେ ଗଣାଯାଉଥିଲା । (୩୨) ଅର୍ଥାତ୍‌, ମଦ୍ୟପାନ କରି ମାତାଲ ହେବାକୁ ସମାଜରେ ପସନ୍ଦ କରାଯାଉ ନଥିଲା । ମାତ୍ର ମାତାଲ ଯେଉଁ ମଦ୍ୟରେ ହେବାକୁ ପଡ଼େନାହିଁ, କେବଳ ଆନନ୍ଦ ହିଁ ମିଳିଥାଏ, ସେହି ମଦ୍ୟ (ସୋମରସ) ସମାଜରେ ଆଦର ଲାଭ କରିଥିଲା । ଏହାକୁ ଉଚ୍ଚ ଶ୍ରେଣୀର ଲୋକେ (ଦେବତା), ବ୍ରାହ୍ମଣ, ରାଜା ଇତ୍ୟାଦି) ଗ୍ରହଣ କରୁଥିଲା ବେଳେ ନୀଚ ଶ୍ରେଣୀର ଲୋକେ ବା ଗରିବମାନେ ସୁରାପାନ କରୁଥିଲେ । ସୁରାକୁ ପରିମିତ ଭାବରେ ପାନ କରି ମାତାଲ ନ ହେଲେ ନିନ୍ଦାର ଅବକାଶ ନଥିଲା । ସେହି ଦୃଷ୍ଟିରୁ ରୁଗ୍‌ବେଦର କେତେକ ସୂକ୍ତରେ ସୁରାକୁ ନିନ୍ଦା ନ କରାଯାଇ ବରଂ ପ୍ରଶଂସା କରାଯାଇଛି । (୩୩) ରାଜ୍ୟର ସଭାରେ (ସଭା ଓ ସମିତି Two chambers of Assembly) ସଭ୍ୟମାନେ ଏହାକୁ ପରିମିତ ଭାବରେ ପାନ କରୁଥିଲେ । (୩୪) ଏହାକୁ ମଧୂ (୩୫) ବୋଲି ମଧ୍ୟ କୁହାଯାଉଥିଲା ଓ ଏହା ଏକ ଚର୍ମବୋତଲ (ମୁଣା)ରେ ରଖାଯାଉଥିଲା । (୩୭) ସୁରାପାନ କରି ମାତାଲ ହେଲେ ତାହାକୁ ସୁରାମ୍‌ (୩୭) ବୋଲି ବେଦରେ କୁହାଯାଇଥିଲା ଓ ସୁରା ପ୍ରସ୍ତୁତକାରୀଙ୍କୁ ‘ସୁରାକାର’ ବୋଲି କୁହାଯାଉଥିଲା । ପୁରୁଷମେଧ ବା ନରମେଧ ଯଜ୍ଞରେ ଯେଉଁ ଲୋକମାନଙ୍କୁ ନେଇ ହତ୍ୟା କରାଯାଉଥିଲା, ତନ୍ମଧ୍ୟରେ ଏହି ‘ସୁରାକାର’ ଅନ୍ୟତମ ଥିଲେ । (୩୮)

 

୨୯.

ଋଗ୍‍ବେଦ – ୭/୯୮/୧, ୧୦/୯୪/୩, ୯/୯୨/୧

୩୦.

Vedic Index–Vol-ii–P.475

୩୧.

ଋଗ୍‍ବେଦ –୭/୮୬/୬, ୮/୨/୧୨ ।

୩୨.

ଋଗ୍‍ବେଦ –୭/୮୬/୬, ୮/୨/୧୨; ୨୧, ୧୪; ମୈତ୍ରାୟଣୀ ସଂହିତା–୧/୨/୬, ୨/୪/୨; ୪/୨/୧ ।

୩୩.

ଋଗ୍‍ବେଦ – ୧/୧୧୬/୭; ୧୦/୧୩୧/୪, ୫, ଇତ୍ୟାଦି ।

୩୪.

ଋଗ୍‍ବେଦ – ୬/୭୦/୧; Bloomfield–Hymns of the Atharva Veda–P.493, Sura is a strong spirit and soma is a light one.

୩୫.

Vedic Index –ii–P.459.

୩୬.

ଋଗ୍‍ବେଦ – ୧/୧୯୧/୧୦ ଓ Hopkins–Journal of American Oriental Society–P.13.121.

୩୭.

ଋଗ୍‍ବେଦ –୧୦/୧୩୧/୫ ।

୩୮.

ବାଜସନେୟୀ ସଂହିତା–୩୦/୨ । ତୈତ୍ତିରୀୟ ବ୍ରହ୍ମଣ–୩/୪, ୭, ୧ ।

 

ସୋମ ଭଳି ‘ପାନ୍ତ’ ନାମରେ ଋଗ୍‌ବେଦରେ (୨/୧୨୨/୧; ୧/୧୫୫/୧; ‌୧୦/୮୮/୧/) ଅନ୍ୟ ଏକ ପ୍ରକାରର ମଦ୍ୟର ନାମ ମିଳୁଛି । ଏହା ଦେବ ଯୋଗ୍ୟ ଓ ଉତ୍କୃଷ୍ଟ ଧରଣର । କିନ୍ତୁ ଏକଥା ମନେ ରଖିବା ଉଚିତ ଯେ, ଏ ସବୁକୁ ମଦ୍ୟ ବୋଲି ବୈଦିକ ଯୁଗରେ କୁହାଯାଊ ନଥିଲା । ‘ମଦ୍ୟ’ ଶବ୍ଦଟି ‘ ମଦ୍‌’ ଧାତୁରୁ ହୋଇଅଛି ଓ ଏହା ମାତାଲ ହେବା ଗୁଣଟିକୁ ପ୍ରକାଶ କରୁଛି । ଛାନ୍ଦୋଗ୍ୟ ଉପନିଷଦ୍‌ ବେଳକୁ ଏ ଶବ୍ଦର ବ୍ୟବହାର ହେଲା ଓ ପରେ ରାମାୟଣ ଓ ମହାଭାରତରେ ବହୁଳ ଭାବରେ ଏ ଶବ୍ଦର ବ୍ୟବହାର କରାଗଲା । ‘ସୋମରସ’ ପ୍ରାୟ ଅବ୍ୟବହୃତ ହୋଇ ଲୋପ ପାଇଗଲା ।

 

ମେଘଦୂତରୁ ଜଣାଯାଏ, ବଳରାମଙ୍କର ପ୍ରିୟ ମଦ୍ୟର ନାମ ଥିଲା ‘ହାଳା’ । ସେ ପୁଣି ତାକୁ ପତ୍ନୀ ରେବତୀଙ୍କ ସହିତ ବସି ପାନ କରି ଆନନ୍ଦିତ ହେଉଥିଲେ । (ପୁର୍ବମେଘ- ‘‘ହିତ୍ୱାହାଳା ମଭିମତରସାଂ ରେବତୀ ଲୋଚନାଙ୍କାମ୍‌) । ମାତ୍ର ଆଜି ଆଉ ସେ ‘ହାଲା’ ନାମକ ମଦ୍ୟ ଦେଖାଯାଉ ନାହିଁ । ଏମିତି କେତେ କଥା ଆଜି ଅଛି ଓ ପୂର୍ବେ ନଥିଲା, ଅଥବା ଆଜି ନାହିଁ ମାତ୍ର ପୂର୍ବେ ଥିଲା । ଆଜି ମଦ୍ୟ କଥା ଚିନ୍ତା କରିବା ପାପ, ମାତ୍ର ପୁର୍ବେ ନଥିଲା, ଏବଂ ସେହିପରି ଗୋମାଂସ କଥା ଭାବିଲାବେଳେ ଆମ ରୋମ ଟାଙ୍କୁରି ଯାଉଛି । ହୁଏତ ପୂର୍ବେ ଏକଥା ନଥିଲା । ଦେବୀଭଗବତର ତ୍ରିଶଙ୍କୁ ଉପାଖ୍ୟାନରୁ ଜଣାଯାଏ, ସତ୍ୟବ୍ରତ ନାମଧାରୀ ତ୍ରିଶଙ୍କୁ, ବିଶ୍ୱାମିତ୍ର ତପସ୍ୟା ପାଇଁ ବାହାରକୁ ଯାଇଥିବା ବେଳେ, ବଶିଷ୍ଠଙ୍କ ଯଜ୍ଞଧେନୁକୁ ମାରି ବିଶ୍ୱାମିତ୍ରଙ୍କ ସ୍ତ୍ରୀ, ପିଲାଙ୍କୁ ଖାଇବାକୁ ଦେଇଥିଲେ । ସେତେବେଳେ ଗୋ ମାଂସ ଭୋଜନୀୟ ନ ହୋଇଥିଲେ ସେ ଏପରି କରିଥାନ୍ତେ କାହିଁକି ? ଯେଉଁ ମାଂସକୁ ଯଜ୍ଞରେ ଦେବତାମାନେ ଖାଆନ୍ତି, ତାକୁ ମନୁଷ୍ୟ ଖାଇବାରେ ବାରଣ କ ଣ ? ଗୋମେଧ ଓ ଅଶ୍ୱମେଧ ଭଳି ଯଜ୍ଞମାନଙ୍କରେ ଗୋରୁ ଓ ଘୋଡ଼ାଙ୍କୁ ମାରି ତାଙ୍କର ମାଂସ ଅଗ୍ନିରେ ପକାଇ ଦିଆଯାଉଥିଲା । ତେଣୁ ବେଦରେ ଅଗ୍ନିଦେବଙ୍କୁ ଅଶ୍ୱ ଓ ଗୋ ଖାଦକ ବୋଲି କୁହାଯାଇଛି । (୩୯) କାଳିଦାସ ଗୋମେଧ ଯଜ୍ଞରେ ଗୋରୁ ମରାଯିବା କଥା ମେଘଦୂତରେ ସୂଚାଇ ସ୍ପଷ୍ଟ ପ୍ରକାଶ କରିଛନ୍ତି ଯେ ସେତେବେଳେ ଗୋରୁ ମରାଯାଉଥିଲା । (୪୦) ରାଜା ରନ୍ତିଦେବଙ୍କ ଗୋମେଧ ଯଜ୍ଞରେ ଗବାଲମ୍ଭନ ଫଳରେ ଗୋ ରକ୍ତରେ ଚର୍ମଣ୍ୱତୀ (ଚମ୍ବଲ) ନଦୀ ପ୍ଲାବିତ ହୋଇଥିଲା । କାଳିଦାସଙ୍କର ଏହି ସବୁ ଉକ୍ତିମାନ କଦାପି ଆଧୁନିକ ତଥାକଥିତ ଶାକାହାରପକ୍ଷପାତୀ ଆଲୋଚକଙ୍କ ଦ୍ୱାରା ଖଣ୍ଡିତ ହୋଇ ନ ପାରେ । ମେଧଯଜ୍ଞମାନଙ୍କରେ ଜୀବମାନଙ୍କୁ ଯୂପରେ ବାନ୍ଧି ହାଣିବା ହିଁ ବିଧି ଥଲା । ଯେପରି ଅଶ୍ୱମେଧ ଯଜ୍ଞରେ ଅଶ୍ୱକୁ ମରାଯାଉଥିଲା, ଗୋମେଧ ଯଜ୍ଞରେ ଗୋରୁକୁ, ଓ ପୁରୁଷମେଧ ଯଜ୍ଞରେ ପୁରୁଷକୁ ମାରିବାର ବିଧି ସେପରି ରହିଥିଲା । ଶୁନଶେଫ ଉପାଖ୍ୟାନରେ ନରମେଧ କଥା ବେଶ ପ୍ରତୀୟମାନ ହୋଇଥାଏ । ପୁଣି ରାମାୟଣରେ ଅଶ୍ୱମେଧର ଯେଉଁ ବର୍ଣ୍ଣନା ଅଛି, ତହିଁରେ ଅଶ୍ୱକୁ ଯୂପରେ ବାନ୍ଧି ମରାଯାଉଥିଲା ବୋଲି ସ୍ପଷ୍ଟ ଉଲ୍ଲେଖ ଅଛି ।

 

୩୯.

ଋଗ୍‍ବେଦ – ୮/୪୩/୨ । ତୈତ୍ତୀରୀୟ ସଂହିତା ୧/୩, ୧୪,୭, Weber–Indische Studein 17, 280, 281 ; Oldenberg–Religion des Veda–P.355

୪୦.

ପୂର୍ବମେଘ – ମେଘଦୂତ– ‘‘ସୁରଭିତନୟାଲମ୍ଭଜାଂ ମାନୟିଷ୍ୟନ୍‍’’ । ଏଥିରେ ବ୍ୟବହୃତ ଆଲମ୍ୱନ ଶବ୍ଦର ଅର୍ଥ ହତ୍ୟା । ମୋର ପ୍ରବନ୍ଧ ‘‘The cow sacrifice in India–Published in the proceedings of Fourth World Sanskrit Conference–Weimar–ଦ୍ରଷ୍ଟବ୍ୟ ।

 

ରାଜା ଦଶରଥ ରାମଙ୍କ ଜନ୍ମ ପୁର୍ବରୁ ଏକ ଅଶ୍ୱମେଧ ଯଜ୍ଞ ଅନୁଷ୍ଠିତ କରିଥିଲେ । ବାଲ୍ମୀକି ରାମାୟଣର ଏହି ଅଂଶଟି ପାଠକଲେ ମେଧ ଯଜ୍ଞମାନଙ୍କରେ ଜୀବମାନଙ୍କୁ କିପରି ମରାଯାଏ ଓ ଯଜ୍ଞର ବିଧାନ କିପରି ହୁଏ, ତାହା ବେଶ୍‌ ଜଣାଯାଏ । ପ୍ରଥମେ ଅଶ୍ୱମେଧ ଯଜ୍ଞ କାଳରେ ସୋମଲତାରୁ ପଥର ଦ୍ୱାରା ରସ ବାହାର କରି ତାହାଦ୍ୱାରା ଇନ୍ଦ୍ରଦେବତାଙ୍କୁ ସନ୍ତୁଷ୍ଟ କରାଯାଉଥିଲା । (୪୧) ତାହାପରେ ଅନ୍ୟ ଦେବତାମାନଙ୍କୁ ଆବାହନ କରାଯାଉଥିଲା । ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୁଦ୍ର, ତପସ୍ୱୀ ଓ ଶ୍ରମଣ; ସମାଜର ଏହି ସମସ୍ତଲୋକେ ସେ ଯଜ୍ଞରେ ଯୋଗଦେଇ ନିଜ ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିଲେ ଓ ଯଥା ସମୟରେ ଭୋଜନ ମଧ୍ୟ କରୁଥିଲେ । (୪୨) ବୃଦ୍ଧ, ରୋଗୀ, ସ୍ତ୍ରୀ ଓ ପିଲାମାନେ ଏହି ଭୋଜନରୁ ବଞ୍ଚିତ ନ ଥିଲେ। (୪୩) ପଣ୍ଡିତମାନେ ଶାସ୍ତ୍ର ଚର୍ଚ୍ଚା କରୁଥିଲେ ଓ ସମସ୍ତେ ବସ୍ତ୍ର, ଅଳଙ୍କାର ଲାଭ କରୁଥିଲେ । ଯଜ୍ଞ ସ୍ଥଳରେ ସମୁଦାୟ ୧୮ଟି ଯୂପ ପୋତା ଯାଉଥିଲା । ବେଲ ଯୁପ ଛଅଟି, ଖଦିରକାଠର ଯୂପ ଛଅଟି ଓ ପଲାଶର ଛଅଗୋଟି ଯୂପ ପୋତା ଯାଇଥିଲା (୪୪) ଖାସ ଅଶ୍ୱମେଧ ପାଇଁ ଗୋଟିଏ ଦେବଦାରୁ ଯୂପ ଓ ଗୋଟିଏ ବାହାଡ଼ା କାଠର ଯୂପ ମଧ୍ୟ ସ୍ଥାପିତ ହେଉଥିଲା । (୪୫) ଯଜ୍ଞର ଶୋଭା ବଢ଼ାଇବା ପାଇଁ ଏଥିରେ ସୁନା ଖଞ୍ଜା ଯାଉଥିଲା ଓ ଏହା ଚିକ୍‌କଣ ଓ ଚକ୍‌ ଚକ୍‌ ଦେଖାଯାଉଥିଲା । ଗରୂଡ଼ ରୂପରେ ଅଗ୍ନିଦେବଙ୍କୁ ସଜା ଯାଉଥିଲା । ତାହାପରେ ଯୁପମାନଙ୍କରେ ବଳି ପାଇଁ ବିଭିନ୍ନ ଦେବତାଙ୍କ ଉଦ୍ଦେଶ୍ୟରେ ପଶୁ, ସର୍ପ, ପକ୍ଷୀ, ଅଶ୍ୱ, କୁମାଦି ଜଲଚର ଇତ୍ୟାଦି ଅନେକ ଜନ୍ତୁ ବନ୍ଧା ଯାଉଥିଲେ । (୪୭) ସେ ସମୟରେ ଦଶରଥଙ୍କ ଯଜ୍ଞରେ ସେହି ଯଜ୍ଞାଶ୍ୱ ସହିତ ତିନିଶହ ପଶୁ ବନ୍ଧା ଯାଇଥିଲେ । କୌଶଲ୍ୟା ରାଣୀ ସେ ଯଜ୍ଞ ଅଶ୍ୱକୁ ସଂସ୍କାର କରି ତିନିଗୋଟି ଖଡ୍‌ଗରେ ତାକୁ ସ୍ପର୍ଶ କରିଥିଲେ । (୪୭) ସେଦିନ ରାତିରେ ଏହି ରାଣୀ ସେ ଅଶ୍ୱପାଖରେ ରହି (ଶୋଇ) ନିଜର ଧର୍ମ ପାଳନ କରିଥିଲେ । (୪୮) ସକାଳ ହେଲାରୁ ପୁରୋହିତମାନେ ଏହି ପଟ୍ଟମହୀଷିଙ୍କ ଛଡ଼ା ଦଶରଥଙ୍କର ଯେଉଁ କୈକେୟୀ, ସୁମିତ୍ରାଙ୍କ ଭଳି କ୍ଷତ୍ରିୟରାଣୀମାନେ ଥିଲେ, ସେମାନଙ୍କର ହାତକୁ ଆଣି ଏହି ମୃତ ଅଶ୍ୱଟିକୁ ଛୁଆଁଇଲେ । ତାହାପରେ ବୈଶ୍ୟ ଜାତୀୟା ସ୍ତ୍ରୀ (ରାଣୀ) ବାବାତା ଓ ତାଙ୍କର ଶୁଦ୍ର ଜାତୀୟା ରାଣୀ (ପରିବୃତ୍ତି)ମାନଙ୍କ ହାତ ଧରି ସେହି ଅଶ୍ୱକୁ ଛୁଆଁଇ ଦେଲେ । ପୁଣି ସେହି ଅଶ୍ୱର (ବପାମ୍‌) ‘ବପା’ ବା ଅଶ୍ୱକନ୍ଦ ନାମକ ଅଂଶକୁ ବାହାର କରି ଅଗ୍ନିରେ ପକାଇଲେ । ତାହାପରେ ସେ ଅଶ୍ୱର ଅନ୍ୟ ଅଂଶମାନ ମଧ୍ୟ ଅଗ୍ନିରେ ପଡ଼ିଲା । ଷୋଳଜଣଯାକ ବ୍ରାହ୍ମଣ ଯଜ୍ଞରେ ଏହି ଆହୂତି ଦେଇଥିଲେ । (୪୯)

 

୪୧.

ବାଲ୍ମୀକି ରାମାୟଣ–ବାଳକାଣ୍ଡ–୧୪/୬ ।।

୪୨.

ବାଲ୍ମୀକି ରାମାୟଣ–ବାଳକାଣ୍ଡ–୧୪/୧୨

ବ୍ରାହ୍ମଣା ଭୁଞ୍ଜତେ ନିତ୍ୟଂ ନାଥବନ୍ତଶ୍ଚ ଭୁଞ୍ଜତେ ।

ତାପସା ଭୁଞ୍ଜତେ ଚାପି ଶ୍ରମଣାଶ୍ଚୈବ ଭୁଞ୍ଜତେ ।

୪୩.

ବାଲ୍ମୀକି ରାମାୟଣ–ବାଳକାଣ୍ଡ–୧୪/୧୩

୪୪.

ବାଲ୍ମୀକି ରାମାୟଣ–ବାଳକାଣ୍ଡ–୧୪/୨୨

ପ୍ରାପ୍ତେ ଯୂପୋଚ୍ଛୟେ ତସ୍ମିନ୍‍ ଷଡ଼ବିଲ୍ୱା ଖାଦିରାସ୍ତଥା ।

ତାବନ୍ୟୋ ବିଲ୍ୱସହିତାଃ ପର୍ଣ୍ଣିନଶ୍ଚ ତଥା ପରେ ।।

୪୫.

ବାଲ୍ମୀକି ରାମାୟଣ–ବାଳକାଣ୍ଡ–୧୪/୨୩ ।

୪୬.

ବାଲ୍ମୀକି ରାମାୟଣ–ବାଳକାଣ୍ଡ–୧୪/୩୦-୩୨

୪୭.

କୌଶଲ୍ୟା ତଂ ହୟଂ ତତ୍ର ପରିଚର୍ଯ୍ୟ ସମନ୍ତତଃ

କୃପାଣୈ ବିସସାରୈନଂ ତ୍ରିଭିଃ ପରମୟାମୁଦା ।।

୪୮.

ବାଲ୍ମୀକି ରାମାୟଣ–ବାଳକାଣ୍ଡ–୧୪/୩୪

ପତଭ୍ରିଣା ତଦା ଦାର୍ଧଂ ସୁସ୍ଥିତେ ନ ଚ ତେତସା ।

ଅବସଦ ରଜନୀମେକାଂ କୌଶଲ୍ୟା ଧର୍ମକାମୟା ।।

 

ବୈଦିକ ଯୁଗ ପରେ ରାମାୟଣ ଯୁଗ । କେତେକ ସମାଲୋଚକଙ୍କ ମତରେ ଏହାର ସମୟ ଖ୍ରୀ: ପୁ: ୨୫୦୦ ବର୍ଷ । (୫୦) ଅତଏବ ବୈଦିକ ଯୁଗର ପରମ୍ପରା ରାମାୟଣ ଯୁଗରେ ବିଶେଷ ବଦଳି ନଥିଲା । ଏହି ଯୁଗରେ ଲୋକେ ବେଦକୁ ମାନୁଥିଲେ ଓ ବୈଦିକ ପନ୍ଥାରେ ଯଜ୍ଞାନୁଷ୍ଠାନ କରୁଥିଲେ । ଯଜ୍ଞକୁଣ୍ଡରେ ପଶୂ ବଳି ଦେଇ ମାଂସ ଭୋଜନ କରୁଥିଲେ । ସୋମରସ ଓ ସୁରା ଆଦି ପାନ କରୁଥିଲେ । ଯେତେବେଳେ ଭରତ ରାମଚନ୍ଦ୍ରଙ୍କୁ ଫେରାଇ ଆଣିବାକୁ ଚିତ୍ରକୂଟକୁ ଗଲେ, ତାଙ୍କ ସହିତ ଅନେକ ସୈନ୍ୟ, ଅନେକ ଅଯୋଧ୍ୟାବାସୀ ଯାଇଥିଲେ । ସମସ୍ତେ ଯାଇ ଭରଦ୍ୱାଜଙ୍କର ଅତିଥି ହେଲେ । ଭରଦ୍ୱାଜ ନିଜର ତୋପବଳରେ ଏତେ ଲୋକଙ୍କୁ ଆତିଥ୍ୟ ପ୍ରଦାନ କରି ସନ୍ତୁଷ୍ଟ କରୁପାରିଥିଲେ । ସେ ସେହି ଲୋକମାନଙ୍କର ତୃପ୍ତିବିଧାନ ପାଇଁ ଯେଉଁ ପଦାର୍ଥମାନ ଭୋଜନ କରିବାକୁ ଦେଇଥିଲେ, ତହିଁରେ ସୁରା ଓ ମାଂସ ଅନ୍ୟତମ ଥିଲା । (୫୧) ସୁନ୍ଦରୀ ନାରୀମାନେ ଅତିଥିମାନଙ୍କୁ ନଦୀରେ ଗାଧୋଇ ଦେଇ ପୋଛାପୋଛି କରି ସେମାନଙ୍କର ମନୋହରଣ କରିଥିଲେ । (୫୨) ଏ ସବୁରୁ ଜଣାପଡୁଛି, ସେ ଯୁଗରେ ବୌଦ୍ଧ ପ୍ରଭାବ ନ ଥିଲା; କେବଳ ବୈଦିକ ପ୍ରଭାବ ଥିଲା । ଋଷି ଆଶ୍ରମରେ ମଧ୍ୟ ଭୋଗବିଳାସର ଉପାଦାନ ଥିଲା ଓ ଲୋକ ଚାହିଁଲେ ତାହା ଭୋଗ କରି ପାରୁଥିଲେ । ଏପରିକି ମାଂସ ଓ ସୁରାର ବ୍ୟବସ୍ଥା ମଧ୍ୟ ଆଶ୍ରମରେ ଥିଲା । ତେଣୁ ‘‘ଅହିଂସା ପରମୋ ଧର୍ମ’’ – ଏହି ଶ୍ଲୋକଟି ହୁଏତ ପରବର୍ତ୍ତୀ ରଚନା ହୋଇଥିବ, କିମ୍ବା ଯଜ୍ଞ, ହୋମରେ ହିଂସାକୁ ହିଂସା ବୋଲି ଗଣାଯାଉ ନଥିବ । ବେଦର ପରମ୍ପରାରେ ଯାହା ଥିଲା, ଋଷି ଆଶ୍ରମର ପରମ୍ପରାରେ ତାହା ହିଁ ଥିଲା । ତେଣୁ ମାଛ, ମାଂସ ବୈଦିକ ପରମ୍ପରାରେ ଥିବାରୁ ଆଶ୍ରମରେ ମଧ୍ୟ ତାହାର ଅନାଦାର ନଥିଲା । ଅବଶ୍ୟ ମାଛ ଅପେକ୍ଷା ମାଂସର ଆଦର ବେଶି ଥିଲା । କାରଣ, ଋଗ୍‌ବେଦରେ ମାଂସର ଉପଯୋଗ ବେଶି ଉପଲବ୍‍ଧ ହେଉଥିବା ବେଳେ ମାଛର (୫୩) ମାତ୍ର ଥରେ ବ୍ୟବହାର ଦେଖିବାକୁ ମିଳେ । ପରେ ଅବଶ୍ୟ ଅନ୍ୟାନ୍ୟ ବୈଦିକ ଗ୍ରନ୍ଥରେ ମାଛର ବ୍ୟବହାର ବହୁଳ ଭାବରେ ଦୃଷ୍ଟିଗୋଚର ହୁଏ । ତଥାପି ମାଂସର ଲୋକପ୍ରିୟତା ବୈଦିକ ଯୁଗରେ ଅଧିକ । ଯେଉଁ ଟୋକେଇରେ ମାଂସ କଟାହେଲାପରେ ବୁହାହୁଏ, ତାହାକୁ ବେଦରେ ‘ସୁନା’ ବୋଲି କୁହାଯାଉଥିଲା । (୫୪) ଏଣୁ ମାଂସକୁ ଲୋକେ ସେ ଯୁଗରେ ଘୃଣା କରୁନଥିଲେ ବୋଲି ସହଜରେ ଅନୁମାନ କରାଯାଇପରେ । ବୈଦିକ ପରଂପରାରେ ମାଛ, ମାଂସର ଏପରି ଆଦର ଥିବାରୁ ପର ଯୁଗରେ କାଳିଦାସଙ୍କ ସାହିତ୍ୟରେ, ନୈଷଧକାର ଶ୍ରୀହର୍ଷଙ୍କ ସାହିତ୍ୟ ଇତ୍ୟାଦିରେ ସେହି ଆମିଷ ପଦାର୍ଥ ବର୍ଣ୍ଣନା ଦେଖିବାକୁ ମିଳେ । (୫୫) ଅତଏବ, ପ୍ରାଚୀନ ଯୁଗରୁ ଆରମ୍ଭ କରି ଆଧୂନିକ ଯୁଗ ପର୍ଯ୍ୟନ୍ତ ଆମିଷ ଆମର ପ୍ରିୟ ଖାଦ୍ୟ ହୋଇପାରିଛି ।

 

୪୯.

ରାମାୟଣ–ବାଳକାଣ୍ଡ–୧୪/୩୪-୩୮ ।

୫୦.

The Vedic Age–Bharatiya Vidya Bhavan–Pusalker A.D.–“Traditional History from earliest time to the accession of Pariksit” PP.–271 ef.

୫୧.

ବାଲ୍ମୀକି ରାମାୟଣ–ଅଯୋଧ୍ୟାକାଣ୍ଡ–୯୧/୫୨

ସୁରାଂ ସୁରାପାଃ ପିବତ ପାୟସଞ୍ଚ ବୁଭୁକ୍ଷିତାଃ ।

ମାଂସାନି ର ସୁମେଧ୍ୟାନି ଭକ୍ଷ୍ୟନ୍ତାଂ ଯୋ ଯଦିଚ୍ଛତି ।।

୫୨.

ବାଲ୍ମୀକି ରାମାୟଣ–ଅଯୋଧ୍ୟାକାଣ୍ଡ–୯୧/୫୩

 

ବୈଦିକ ଆର୍ଯ୍ୟମାନଙ୍କରୁ ମାଂସ ଭୋଜନରେ ମୁଖ୍ୟତଃ ଛାଗ, ମୃଗ, ମେଷ, ବରାହ, ଗଣ୍ଡା, ମହିଷ ପ୍ରଭୁତିଙ୍କ ମାଂସ ଆଦରଣୀୟ ଥିଲା । (୫୬) ମୃଗ କହିଲେ ବେଦରେ କେବଳ ହରିଣକୁ ବୁଝାଉ ନଥିଲା । ଏହା ସବୁବେଳେ ବନ୍ୟ ପ୍ରାଣୀଙ୍କୁ ବୁଝାଉଥିଲା । (୫୭) ଏଥିରେ ନୀଳଗାଈ, ଚମରୀଗାଈର ଇତ୍ୟାଦି ବୁଝାଯାଉଥିଲେ । ମହିଷମୃଗ କହିଲେ କେବଳ ମଇଁଷିକୁ ବୁଝାଉଥିଲା (୫୮) କେତେକ କ୍ଷେତ୍ରରେ ଗବେଷକ ରୋଥଙ୍କ (Roth) ମତରେ ମୃଗର ଅର୍ଥ ମଧ୍ୟ ପକ୍ଷୀ (ମାଂସ ପାଇଁ) ଥିଲା । (୫୯) ଋଷିମାନଙ୍କ ମଧ୍ୟରୁ ଅନେକେ ଆମିଷ ଭୋଜନକୁ ଭଲପାଉଥିଲେ । ସେମାନେ ହିଁ ବେଦର ମନ୍ତ୍ରଦ୍ରଷ୍ଟା ଥିଲେ । ଯାଜ୍ଞବଲ୍‌କ୍ୟ ବୃଷଭ ଓ ଅଦୁହାଁଳୀ ଗାଇ ଖାଇବାକୁ ଭଲପାଉଥିଲେ । (୬୦) ଯଦି ସେହି ଗୋରୁ ଅଲ୍ପ ବୟସ୍କ (ଅଂଶଳ) ଥାଏ, ତେବେ ତାହା ତାଙ୍କ ପାଇଁ ଭଲ ଥିଲା । ବେଦରେ ସେ ପ୍ରକାର ଗାଈକୁ ‘‘ଧେନବ-ଅନଦୁହ’’ ବୋଲି କୁହାଯାଇଛି । (୬୧) ପ୍ରତ୍ୟେକ ଆଶ୍ରମରେ ଏ ପ୍ରକାର ଧେନୁ ଅତିଥିମାନଙ୍କ ପାଇଁ ରଖାଯାଉଥିଲା ଓ ଅତିଥି ଆସିଲେ ତାକୁ କାଟି ଅତିଥି ଚର୍ଚ୍ଚା କରାଯାଉଥିଲା । ଏ ପ୍ରକାର ଧେନୁଙ୍କୁ ‘ଅତିଥିଗ୍‌ଧ’ ବୋଲି କୁହାଯାଉଥିଲା (୬୨) ଶତପଥ ବ୍ରାହ୍ମଣ ଓ ଶାଂଖାୟନ ଗୃହସୁତ୍ରରୁ ଜଣାଯାଏ ଯେ, ସେତେବେଳେ ଅତିଥିଙ୍କ ପାଇଁ ବଡ଼ ବଡ଼ ବଳଦ (‘‘ମହୋକ୍ଷ’’) ଓ ବଡ଼ ବଡ଼ ଛେଳି (‘‘ମହାଜ’’) କଟା ହୋଇ ଭୋଜନ ପାଇଁ ଦିଆଯାଉଥିଲା । (୬୩) ଜଣେ ଋଷି ଆଉ ଜଣେ ଋଷିଙ୍କ ଆଶ୍ରମକୁ ବୁଲି ଆସିଲେ ଏପରି ଭୋଜନ କରୁଥିଲେ । ଏହି ପରମ୍ପରାକୁ ଆଶ୍ରୟ କରି ପର ଯୁଗରେ ଭବଭୂତି ଉତ୍ତର ରାମଚରିତରେ ବିଶିଷ୍ଠ ମୁନିଙ୍କୁ କିପରି ବାଲ୍ମୀକିଙ୍କ ଆଶ୍ରମରେ ଗୋମାଂସ ଓ ମଧୂପର୍କ ଦ୍ୱାରା ଚର୍ଚ୍ଚାକରାଯାଉଥିଲା, ଏବଂ (ଅତିଥିଙ୍କୁ) ତାଙ୍କୁ ଦେଖି ବାଲ୍ମୀକିଙ୍କ ଆଶ୍ରମରେ ବନ୍ଧାଯାଇଥିବା ବାଛୁରୀ କିପରି ଆସନ୍ନ ମୃତ୍ୟୁ ଜାଣି ଚମକି ଉଠୁଥିଲା (ହୁରୁଡ଼ୁ ଥିଲା); ସେ କଥା ବିଶେଷ ଭାବରେ ଆଲୋଚିତ ହୋଇଛି । ତୈତ୍ତୀରୀୟ ବ୍ରାହ୍ମଣରୁ ଜଣାଯାଏ ଯେ ଅଗସ୍ତ୍ୟମୁନି ଯଜ୍ଞକଲାବେଳେ ଏକଶତ ବୃଷଭ (ଭକ୍ଷନ୍‌) କଟା ଯାଇଥିଲେ (୬୪) ବିବାହଭୋଜିରେ ବଳଦ କଟାଯାଇ ମାଂସ ବ୍ୟବହାର କରାଯାଉଥିଲା (୬୫) ପୁଣି ଏ ମାଂସର ବ୍ୟବହାର ଏତେ ଚାଲିଲା ଯେ ସାଧାରଣ କଥାରେ ମଧ୍ୟ ଗୋରୁଟାଏ କାଟିଦିଆ ଯାଉଥିଲା । ଉଦାହରଣ ସ୍ୱରୂପ,କେହି ଜଣେ ମରିଗଲେ ତାର ଶରୀର ସଂସ୍କାର ପାଇଁ ଗୋମାଂସ ଆବଶ୍ୟକତା ପଡ଼ୁଥିଲା । (୬୬) ଗୋମାଂସରେ ସେହି ମୃତ ଶରୀରଟିକୁ ଢାଙ୍କି ଦିଆଯାଇ ସଂସ୍କାର କରାଯାଉଥିଲା । ଏଣୁ କୁହାଯାଇପାରେ ଯେ, ମାଂସର ଉପଚୟ ଅପେକ୍ଷା ସମାଜରେ ଅପଚୟ ମଧ୍ୟ ହେଉଥିଲା । ଲୋକେ ମାଂସ ଖାଉଥିଲେ, ଖୁଆଉଥିଲେ ଓ ନଷ୍ଟ ମଧ୍ୟ କରୁଥିଲେ । କହିବା ବାହୁଲ୍ୟ ଯେ ପରବର୍ତ୍ତୀ ଯୁଗରେ ବୁଦ୍ଧଦେବ ଏହି ଜୀବହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ଓ ନିଜେ ମଧ୍ୟ ଘୁଷୁରୀମାଂସ ଖାଇ ଅନେକ ଅନୁତାପ କରି ଶେଷରେ ମୃତ୍ୟୁ ମୁଖରେ ପଡ଼ିଥିଲେ । (୬୭)

 

୫୩.

ଋଗ୍‍ବେଦ– ୧୦/୬୮/୮–ପରେ ମତ୍ସ୍ୟର ଉଲ୍ଲେଖ ମୈତ୍ରାୟଣୀ ସଂହିତା ୩/୯, ୫; ୧୪,୨, ଅଥର୍ବବେଦ–୧୧/୨/୨୫ । ବାଜସେନେୟୀ ସଂହିତା–୨୪/୨୧/୩୪ । ତୈତ୍ତୀରୀୟ ସଂହିତା ୨/୬,୬,୧ । ଶତପଥ ବ୍ରାହ୍ମଣ–୧/୮,୧,୧, (ମତ୍ସ୍ୟାବତାର ବିଷୟ ଅଛି ।) ଛାନ୍ଦୋଗ୍ୟ ଉପନିଷଦ୍‍ ୧/୪,୩ । କୌଶିତକୀ ଉପନିଶଦ ୧/୨ (‘‘ମହାମତ୍ସ୍ୟ) । ବୃହଦାରଣ୍ୟକ ଉପନିଷଦ–୪/୩,୧୮ । ଶତପଥ ବ୍ରାହ୍ମଣ–୧୩/୪, ୩, ୧୨ । ଆଶ୍ୱଲାୟନ ଶ୍ରୌତସୂତ୍ର–୧୦/୭,୮ । ସାଂଖାୟନ ଶୌତସୂତ୍ର–୧୬/୨, ୨୩, ।। ଗ୍ରନ୍ଥମାନଙ୍କରେ ଅଛି ।

୫୪.

Vedic Index – ii – PP, 464; ଋଗ୍‍ବେଦ–୧/୧୬୧/୧୦; ୧୬୨/୧୩; ୧୦/୮୬/୧୮ । ଅଥର୍ବବେଦ–୬/୧୭/୧୪

୫୫.

ଅଭିଜ୍ଞାନ ଶକୁନ୍ତଳମ୍‍ରେ ୫ମ ଅଙ୍କରେ କୈବର୍ତ୍ତ ପ୍ରସଙ୍ଗ; ଏବଂ ନୈଷଧୀୟ ଚରିତରେ ଦମୟନ୍ତୀଙ୍କ ବିବାହ ଭୋଜୀ ସଭାରେ ମାଂସ ଓ ମାଛ ତରକାରୀ ପ୍ରସଙ୍ଗ ଦ୍ରଷ୍ଟବ୍ୟ ।

୫୬.

Vedic Index–i/265, ii/171, 179, 245 –Vedi Age–P.115, ବେଦକାଳୀନ ସମାଜ–ଶିବଦତ୍ତଜ୍ଞାନୀ–୧୯୬୭ ଚୌଖମ୍ୱା–ପୃ.୪୪ ।

୫୭.

ଋଗ୍‍ବେଦ–୧/୧୭୩, ୨; ୧୯୧/୪, ୮/୧/୨୦; ୫/୩୬; ୧୦୧୪୯/୬ ।। ଇତ୍ୟାଦି ।।

୫୮.

ଋଗ୍‍ବେଦ–୮/୬୯, ୧୫; ୯/୯୨/୬, ୧୦/୧୨୩, ୪ ।।

୫୯.

Vedic Index – ii –P. 171.

୬୦.

Vedic Index – ii – P. 145.

୬୧.

ଶତପଥ ବ୍ରାହ୍ମଣ–୩/୧, ୨, ୨୧

 

ଗୋଟାଏ ଅନ୍ୟାୟ ଯଦି ବହୁତ ହୋଇଥାଏ, ତେବେ ତାହା ଲୋକଙ୍କ ଦୃଷ୍ଟିରେ ପଡ଼େ । ନୋହିଲେ କେହି ତାକୁ ଗୁରୁତ୍ୱ ଦେଉ ନଥାନ୍ତି । ଯେତେବେଳେ ଦେଖାଗଲା, ସବୁ କଥାରେ ଗୋରୁ କଟା ହେଲେ., ସେତେବେଳେ ନେତୃସ୍ଥାନୀୟ ମନ୍ତ୍ରଦ୍ରଷ୍ଟାମାନଙ୍କ ଦୃଷ୍ଟିରେ ତାହା ପଡ଼ିଲା । ଆର୍ଯ୍ୟମାନେ ଭାରତରେ ବସତିସ୍ଥାପନ କରିବା ପରେ କୃଷିକାର୍ଯ୍ୟରେ ତତ୍‌ପର ହୋଇଉଠିଲେ । ଆଉ ଯାଯାବର ହୋଇ ବୁଲିଲେ ନାହିଁ । କୃଷି କାର୍ଯ୍ୟ ଓ ଗମନାଗମନ ପାଇଁ ବଳଦର ଆବଶ୍ୟକତା ସେତେବେଳେ ଅବଶ୍ୟମ୍ଭାବୀ ଥିଲା । ବଳଦ ଗାଡ଼ି ଟାଣୁଥିଲେ ଓ ହଳ କରୁଥିଲେ । କୃଷି ମଧ୍ୟ ସ୍ଥାୟୀ ବସତି ପାଇଁ ଦିନକୁ ଦିନ ଅପରିହାର୍ଯ୍ୟ ହୋଇପଡ଼ିଲା । ଏପରି କ୍ଷେତ୍ରରେ ଗୋହତ୍ୟାକୁ ଯଦି ନିୟନ୍ତ୍ରଣ ନ କରାଯାଏ, ତେବେ ଆର୍ଯ୍ୟମାନଙ୍କ ପକ୍ଷରେ ସ୍ଥାୟୀବସତି ଆଉ ସମ୍ଭବ ହୋଇପାରିବ ନାହିଁ । ତେଣୁ କେତେକ ମନ୍ତ୍ରଦ୍ରଷ୍ଟା ଗାଇକୁ ‘ଅଘ୍ନ୍ୟା’ ବୋଲି ବେଦରେ ଉଲ୍ଲେଖ କଲେ । (୬୮) ଗୋରୁପାଇଁ ‘ଅଘ୍ନ୍ୟ’ ଶବ୍ଦ ପୁଲିଂଙ୍ଗରେ ମଧ୍ୟ ଦେଖିବାକୁ ମିଳେ । ଅର୍ଥାତ, ଗାଈ, ବଳଦ ହତ୍ୟାର ଯୋଗ୍ୟ ନୁହନ୍ତି । ଫଳରେ ଯଜ୍ଞାଦି କେତେକ ବିଶେଷ ସ୍ଥଳକୁ ଛାଡ଼ିଦେଲେ ଆଉ ସାଧାରଣରେ ଗାଈ ଏତେ ସଂଖ୍ୟାରେ କଟାଗଲେ ନାହିଁ । ମାତ୍ର, ଏହି ‘ଅଘ୍ନ୍ୟ ବା ଅଘ୍ନ୍ୟା’ ଶବ୍ଦ ଅନ୍ୟ ଜୀବମାନଙ୍କ ପାଇଁ ଲାଗୁ ନ ହେବାରୁ ଅବାଧରେ ଅନ୍ୟମାନଙ୍କ ମାଂସ ଭୋଜନରେ ବ୍ୟବହୃତ ହେଲା

 

୬୨.

Bloomfield–Journal of the American Oriental Society 16, CXXIV–“Atithir gah” –ଅତିଥିର ଗାଃ ।

୬୩.

ଶତପଥ – ୩/୪, ୧, ୨; ଶାଙ୍ଖାୟନ ଗୃ;ସ୍ୱ–୨/୧୫/୨ ।।

୬୪.

ତୈତ୍ତରୀୟ ବ୍ରାହ୍ମଣ–୨/୭, ୨, ୧ । Vedic Index – P. 145 (ii)

୬୫.

ଋଗ୍‍ବେଦ–୧୦/୮୫, ୧୩ ।. Winternitz–Das altindische Hochzeitsrituell 33.

୬୬.

ଋଗ୍‍ବେଦ – ୧୦/୧୬, ୭ । Vedic Indix –147

୬୭.

Fleet–Journal of the Royal Asiatic Society –1906-P, 881-882-“The death of Buddha from the meal of pork.” Oldenberg–Religion des Veda–356.; Buddha–Oldenberg–231, N. 2. Hopkins–Journal of the American Oriental Society–13, 119, 120.

 

‘ଅଘ୍ନ୍ୟା’ ଶବ୍ଦର ବ୍ୟବହାରକୁ ମଧ୍ୟ ଜଣାଯାଉଛି ଯେ, ପୂର୍ବରୁ ଗୋହତ୍ୟା ହେଉଥିଲା ବୋଲି ଗୋରୁମାନଙ୍କୁ ସେଥରୁ ରକ୍ଷାକରିବା ପାଇଁ ହତ୍ୟା କରିବା ଉଚିତ ନୁହେଁ ବୋଲି ଲେଖାଗଲା-। ଯେପରିକି, ଅଫିସ୍‌ ସମ୍ମୁଖରେ ପାନପିକ ପକାଯାଉଥିଲେ ଯାଇ ସେଠାରେ ସାଇନ ବୋର୍ଡ ମରାଯାଏ ଯେ ‘‘ଏଠାରେ ପାନପିକ ପକାନ୍ତୁ ନାହିଁ ।’’ ଏଣୁ, ଏହି ବାରଣର ମୁଖ୍ୟ କାରଣ ହେଲା (ଗୋବଧ ନିଷେଧ); ଯେହେତୁ ପୁର୍ବରୁ ଗୋବଧ ହେଉଥିଲା; ଅତଏବ ତାକୁ ନିଷେଧ କରାଗଲା । ତା’ ନହେଲେ ଦେଶରେ ଗୋଧନର ଅଭାବ ହୋଇଯିବ । ଥରେ ନୟାଗଡ଼ର ପୁରୁଣା ନଥର ଠାକୁରାଣୀଙ୍କ ପାଖେ ବୁଲୁ ବୁଲୁ ଜଣେ ସେବକଙ୍କୁ (ଟହଲିଆ) ପଚାରିଲି, ‘‘ଏଠି ଏ ଯୂପଟି କ’ଣ ?’’ ସେ କହିଲେ, ପୂର୍ବେ ଧଳବଂଶ ମଣିଷ ଯୋଗାଉଥିଲେ, ଏଠାରେ ମଣିଷବଳି ପଡ଼ୁଥିଲା । ସେଥିରେ ଅସୁବିଧା ହେବାରୁ, ଅର୍ଥାତ ମଣିଷବଳି ସୁବିଧାରେ ନ ମିଳିବାରୁ ସେହି ଧଳବଂଶ ମଣିଷା ଯାଗାରେ ମଇଁଷି ବଳିପାଇଁ ଯୋଗାଇଲେ । ସେ ମଇଁଷି କିଣିବାକୁ ପୁଣି ଅର୍ଥାଭାବ ହେଲା ଓ ସେଥିପାଇଁ ଏବେ ‘ଭୋବନି ଧଳ’ ମାଗୁର ମାଛ ଯୋଗାଉଛନ୍ତି ଓ ଏଠାରେ ମଣିଷ ବଳି ସ୍ଥାନରେ ମାଗୁର ବଳି ପଡ଼ୁଛି । ‘‘ଅତଏବ, ଗୋଟାଏ ଗୋଟାଏ ବଳି ବନ୍ଦ ହେବା ପଛରେ ଅଭାବ ଜନିତ କାରଣ ସହିତ ଆହୁରି ଅନେକ କାରଣ ଥାଏ । ସେହି କାରଣମାନଙ୍କର ବଶବର୍ତ୍ତୀ ହୋଇ ଆଜି ଆମଦେଶରେ ଗୋବଧ ନିଷେଧ ପାଇଁ ସ୍ୱର ଉଠୁଛି ଓ ହିନ୍ଦୁମାନେ ଆଉ ଗୋମାଂସ ଖାଉନାହାନ୍ତି । ବୌଦ୍ଧଧର୍ମ ଓ ଜୈନଧର୍ମର ବହୁଳ ପ୍ରଚାର ଫଳରେ ପରବର୍ତ୍ତୀ ଯୁଗରେ ହିନ୍ଦୁମାନେ ମଧ୍ୟ ଅହିଂସ ହେବାକୁ ବାଧ୍ୟ ହୋଇଥିଲେ । ପୁରାଣମାନେ ଘୋଷଣାକଲେ ଯେ ଗାଇ ହେଉଛି ଦେବତା; ତେଣୁ ଅବଧ୍ୟ । ଫଳରେ ହିନ୍ଦୁମାନେ ଆଉ ବୌଦ୍ଧ, ଜୈନଧର୍ମ ଗ୍ରହଣ କଲେ ନାହିଁ । କାଳିଦାସ ମଧ୍ୟ ପ୍ରଥମ ଶତାବ୍ଦୀରେ ଅଭିଜ୍ଞାନଶାକୁନ୍ତଳମରେ ଘୋଷଣା କଲେ ଯେ ବ୍ରାହ୍ମଣ ଯଜ୍ଞରେ ପଶୁ ମାରିଲେ ମଧ୍ୟ ଦୟାଳୁ ଅଟେ । (୬୯) ଏହା ଫଳରେ ସମାଜରେ ଲୋକେ ପୁଣି ବ୍ରାହ୍ମଣ୍ୟଧର୍ମ ଉପରେ ଆସ୍ଥା ରଖି ଧର୍ମାନ୍ତର ଗ୍ରହଣ କଲେ ନାହିଁ । ପୁଣି ହିନ୍ଦୁ ଧର୍ମ ଅହିଂସାବାଦୀ ହୋଇ ନିଜର ରୂପ କିଞ୍ଚିତ ବଦଳାଇ ଏ ଦେଶରେ ଲୋକପ୍ରିୟ ହୋଇ ପାରିଲା ଓ ବୌଦ୍ଧଧର୍ମ ପ୍ରଭୁତିଙ୍କର ଭାରତଭୂମିରୁ ବିଳୟ ଘଟିଲା । ବେଦକୁ ପ୍ରମାଣ ବୋଲି ଗ୍ରହଣ କରାଗଲା । ସ୍ମୃତିଯୁଗ ବେଳକୁ ‘ଗୋହତ୍ୟା’ ଏକ ମହାପାତକ ଭାବରେ ଗୃହୀତ ହୋଇଥିଲା ଓ ଗୋଦାନ ଏକ ମହାପୁଣ୍ୟ ଭାବରେ ବିଚାର କରାଯାଇଥିଲା । ସମାଜର ଉନ୍ନତି ପାଇଁ ମଦ୍ୟପାନ ଉପେକ୍ଷିତ ହୋଇଥିଲେ ହେଁ ତନ୍ତ୍ରଯୁଗରେ ଏହା ପୁଣି ପ୍ରାଧାନ୍ୟ ଲାଭ କରିଥିଲା । ସମୟର ଏହି ପରିବର୍ତ୍ତନ ମଧ୍ୟରେ ମଦ୍ୟ ମାଂସର ମଧ୍ୟ ଉତ୍‌ଥାନ ପତନ ଗଡ଼ିଚାଲିଲା ।

 

୬୮.

Vedic Index – ii – P.146

୬୯.

ଶାକୁନ୍ତଳମ୍‍ - ‘‘ପଶୁମାରଣକର୍ମଦାରୁଣ ଅନୁକମ୍ପାମୃଦୁରେବ ଶ୍ରୋତ୍ରିୟଃ ।’’ ୫ମ ଅଙ୍କ ।

 

କେତେକ ସମାଲୋଚକ କହନ୍ତି ଯେ ବୈଦିକଯୁଗରେ ଯଜ୍ଞରେ ପଶୁବଳି ଦିଆଯାଉ ନଥିଲା । ସେଥିପାଇଁ ସେମାନେ ଦୈନିକବିଧି ପଞ୍ଚମହାଯଜ୍ଞ ବିଷୟ ଉତ୍‌ଥାପନ କରନ୍ତି । ପଞ୍ଚମହାଯଜ୍ଞ ମଧ୍ୟରୁ ଦେବଯଜ୍ଞ ଅର୍ଥରେ ଦେବତାଙ୍କ ପାଇଁ ହୋମ କରାଯାଏ । ବ୍ରହ୍ମଯଜ୍ଞରେ ସ୍ୱାଧ୍ୟାୟନ ଜପ କରାଯାଏ । ପିତୃଯଜ୍ଞ ପାଇଁ ଦେନିକ ତର୍ପଣ କରାଯାଏ । ନୃ-ଯଜ୍ଞରେ ଘରକୁ ଅତିଥି ଆସିଲେ ତାଙ୍କୁ ପାଦ୍ୟ, ଅର୍ଘ୍ୟ ଓ ମଧୁପର୍କ ଦେଇ ସନ୍ତୁଷ୍ଟ କରାଯାଏ । ଆଉ, ଭୂତ-ଯଜ୍ଞରେ ଦିଗପାଳ, ଭୂତ ଓ ପ୍ରାଣୀମାନଙ୍କ ପାଇଁ ବଳି ଅର୍ପିତ ହୁଏ । ଏଥିରେ ହିଂସାର ସ୍ଥାନ ନ ଥିବାରୁ ଏହି ସମାଲୋଚକମାନେ କହନ୍ତି, ଯଜ୍ଞରେ ହିଂସାର ସ୍ଥାନ ନଥିଲା । ମାତ୍ର ଏହା ଠିକ ନୁହେଁ । ଏହି ପଞ୍ଚଯଜ୍ଞରେ ଯଜ୍ଞର ଅର୍ଥ କର୍ତ୍ତବ୍ୟ ବା duty । କିନ୍ତୁ ମେଧ-ଯଜ୍ଞ ଏ ଯଜ୍ଞଠାରୁ ପୁରାପୁରି ଭିନ୍ନ । ‘ମେଧ’ ର ବିଭିନ୍ନ ଅର୍ଥ ମଧ୍ୟରୁ ହିଂସା ହିଁ ଏକ ପ୍ରଧାନ ଅର୍ଥ । ପୂର୍ବରୁ ଅଶ୍ୱମେଧ ଗୋମେଧ ଯଜ୍ଞମାନଙ୍କର ଆଲୋଚନା ଏ ପ୍ରବନ୍ଧରେ କରାଯାଇଛି । ତହିଁରୁ ବେଶ୍‌ ବୁଝାଯାଏ ଯେ ବଳି ବା ‘ଆଲମ୍ବନ’ ମେଧ-ଯଜ୍ଞର ଏକ ପ୍ରଧାନ ବିଭବ ଥିଲା । ଏହାକୁ ଟାଣି ଓଟାରି ଅହିଂସା ବୋଲି ଅର୍ଥ କଲେ ସତ୍ୟର ଅପଳାପ ଛଡ଼ା ଅନ୍ୟ କିଛି ହେବନାହିଁ । ଏଥିପାଇଁ ପୂର୍ବୋକ୍ତ ଉଦାହରଣମାନ ଦ୍ରଷ୍ଟବ୍ୟ ।

 

ଅତଏବ, ସିଦ୍ଧାନ୍ତ ଭାବରେ ଗ୍ରହଣ କରାଯାଇପାରେ ଯେ, ବୈଦିକ ଆର୍ଯ୍ୟମାନେ ମଦ୍ୟ ଓ ମାଂସ ପ୍ରତି ବିତୃଷ୍ଣ ନଥିଲେ । ପରବର୍ତ୍ତୀ ଯୁଗରେ ସେମାନେ ଧୀରେ ଧୀରେ ଏହି ଅଭ୍ୟାସ ଛାଡ଼ି ଦେଇଥିଲେ । ତଥାପି ପୁଣି ଏବେ କେତେକ ଅଞ୍ଚଳରେ ବ୍ରାହ୍ମଣମାନେ ଆମିଷ ଭୋଜନ କରୁଛନ୍ତି । ଓଡ଼ିଶା ଓ ବଙ୍ଗଳାର ବ୍ରାହ୍ମଣମାନେ ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ । ବୈଦିକ ସଂସ୍କୃତି ସହିତ ଶକ୍ତି ଉପାସନା ଓ ତନ୍ତ୍ରର ମେଳ ହିଁ ଏହାର ଏକ ପ୍ରଧାନ କାରଣ ବୋଲି ଅକ୍ଲେଶରେ କୁହାଯାଇପାରେ । ଏଥିପାଇଁ ଏକ ସ୍ୱତନ୍ତ୍ର ଆଲୋଚନା କରାଯାଇପାରିବାର ଅବକାଶ ରହିଅଛି । ପଣ୍ଡିତମାନଙ୍କର ମାଂସ ଲାଳସା ସମ୍ବନ୍ଧରେ ଏହି ସର୍ବଜନବିଦିତ ଶ୍ଲୋକଟି ଯଥେଷ୍ଟ ବୋଲି ଅନୁଭବ କରି ସେହି ଶ୍ଲୋକଟି ଉଦ୍ଧାର କରି ପ୍ରବନ୍ଧଟି ସାଙ୍ଗ କରୁଛି –

 

‘‘କାଳିଦାସ କବିତା ନବଂ ବୟଃ

ମାହିଷଂ ଦଧି ସଶର୍କରପୟଃ

ଏଣମାଂସମବଳା ସୁକୋମଳା

ସମ୍ଭବନ୍ତୁ ମମ ଜନ୍ମ ଜନ୍ମନି ।।’’

 

ଏହି ଶ୍ଲୋକଟି ଜଣେ ପ୍ରାଚୀନ ସଂସ୍କୃତ ପଣ୍ଡିତଙ୍କର ଜୀବନର ଚରମ ଅଭିଳାଷର ଏକ ଜ୍ୱଳନ୍ତ ନମୁନା ।

 

***

 

ବାଗ୍‌ବିଶେଷ

 

ସଂସ୍କୃତିର ସଂଜ୍ଞା

 

ସଂସ୍କୃତି ପ୍ରତି ଏ ଯାବତ୍‌ ବାଚନିକ ସ୍ତରରେ ବହୁତ ମର୍ଯ୍ୟାଦା ଦିଆଯାଇ ଆସୁଥିଲେ ହେଁ, ଦେଶର ବିଚିତ୍ରବର୍ଣ୍ଣା ଲୋକସଂସ୍କୃତିକୁ, ଜାତୀୟ ସ୍ତରରେ ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଉପସ୍ଥାପିତ କରିବାର ଉଦ୍ୟମ ଏ ପର୍ଯ୍ୟନ୍ତ ହୋଇ ନଥିଲା । ସେହି ଦୃଷ୍ଟିରୁ ନୂଆଦିଲ୍ଲୀରେ ପ୍ରାୟ ପନ୍ଦରକୋଟି ଟଙ୍କା ବ୍ୟୟରେ ଆୟୋଜିତ ‘‘ଆପ୍‌ନା ଉତ୍ସବ’’ର ପରିକଲ୍ପନା, ପ୍ରସ୍ତୁତି ଓ ପରିବେଷଣ ଯେତେ ଅପୂର୍ଣ୍ଣମନେ ହେଲେ ସୁଦ୍ଧା, ଭାରତର ସାଂସ୍କୃତିକ ଇତିହାସରେ ଏହା ଏକ ନୂତନ ଅଧ୍ୟାୟ ଆରମ୍ଭ କରିଛି କହିଲେ ଅତ୍ୟୁକ୍ତି ହେବ ନାହଁ । ଏହି ଉପଲକ୍ଷରେ ଦେଶର ବିଭିନ୍ନ ପ୍ରାନ୍ତରୁ ମୋଟ ୪,୫୦୦ ଲୋକନୃତ୍ୟ, ସଙ୍ଗୀତ ଶିଳ୍ପୀ, ବାଦ୍ୟ ଓ ହସ୍ତଶିଳ୍ପୀ ପ୍ରଭୁତିର ବର୍ଣ୍ଣାଢ଼୍ୟ ଐଶ୍ଚର୍ଯ୍ୟକୁ ‘‘ଦିଲ୍ଲୀର ଗଳି ଉପଗଳିମାନଙ୍କରେ ବାସ କରୁଥିବା’’ ଜନସାଧାରଣଙ୍କ ଆଗରେ ଉପସ୍ଥାପିତ କରିବା ହେଉଛି ‘‘ଆପନା-ଉତ୍ସବ’’ ର ଭାବବସ୍ତୁ ବା ‘ଥିମ୍‌’ । ଏଥିରେ ହିମାଚଳର ତୁଷାରାବୃତ ଅଞ୍ଚଳମାନଙ୍କରେ ବାସ କରୁଥିବା ନରନାରୀଙ୍କର କିନ୍ନର ନୃତ୍ୟଠାରୁ ସୁଦୂର ଦକ୍ଷିଣରେ,କେରଳ ଉପକୂଳରେ କୈବର୍ତ୍ତ ନୃତ୍ୟ ପର୍ଯ୍ୟନ୍ତ, ନାଗାଲ୍ୟାଣ୍ଡର ଭୟଙ୍କର ରସାଶ୍ରିତ ନାଗାନୃତ୍ୟ ବା ଶିଖମାନଙ୍କର ଖଣ୍ଡାନୃତ୍ୟ ଓ ଭାଙ୍ଗଡ଼ାଠାରୁ ମହାରାଷ୍ଟ୍ର ଗୁଜୁରାଟର ଲୋକନୃତ୍ୟ, ପୁଣି କର୍ଣ୍ଣାଟକରେ ଯକ୍ଷଗାନଠାରୁ ଆରମ୍ଭ କରି ଓଡ଼ିଶାର ଘଣ୍ଟପାଟୁଆ ନାଚ ପର୍ଯ୍ୟନ୍ତ ଦେଶର ସବୁ ଅଞ୍ଚଳର ଲୋକନୃତ୍ୟ, ବାଦ୍ୟ ଓ ସଙ୍ଗୀତ, ଏହି ଅବକାଶରେ ଉପସ୍ଥାପିତ କରାଯାଇ ପାରିଅଛି । ଆଜି ଔଦ୍ୟୋଗିକ ଓ ନାଗରିକ ବିକାଶର କ୍ରମବର୍ଦ୍ଧିଷ୍ଣୁ କାଳରେ ପାରମ୍ପରିକ ଲୋକନୃତ୍ୟ, ସଙ୍ଗୀତ ଓ ଶିଳ୍ପ କ୍ରମେ କ୍ଷୟପ୍ରାପ୍ତ ହୋଇଆସୁଥିବା ବେଳେ, ସେ ସବୁର ଉଜ୍ଜୀବନ ଦିଗରେ ‘‘ଆପ୍‌ନା ଉତ୍ସବ’’ ଯେ ସହାୟକ ହେବ, ସେଥିରେ ସନ୍ଦେହ ନାହିଁ ।

 

ଗତବର୍ଷମାନଙ୍କରେ ଆମେରିକା, ବ୍ରିଟେନ ଓ ୟୁରୋପରେ ଅନୁଷ୍ଠିତ ‘‘ଭାରତ ଉତ୍ସବ’’ (Festival of India) ଅବକାଶରେ ଏପରି ଉଦ୍ୟମର ସୂତ୍ରପାତ ହୋଇଥିଲା । ନ୍ୟୁୟର୍କ, ଲଣ୍ଡନ ଓ ପ୍ୟାରିସରେ ଭାରତୀୟ ଲୋକସଂସ୍କୃତିର ଯେଉଁସବୁ ସମାରୋହ ଅନୁଷ୍ଠିତ ହୋଇଥିଲା, ତାହାକୁ ବର୍ତ୍ତମାନ ଦିଲ୍ଲୀର ଗଳି ଉପଗଳି ଓ ପଲ୍ଲୀଗ୍ରାମମାନଙ୍କୁ ଅଣାଯାଇ ପାରିଅଛି । ଦିଲ୍ଲୀର ସଂକୀର୍ଣ୍ଣ ଅନ୍ଧକାର ଗଳି ଉପଗଳିମାନଙ୍କରେ ବାସ କରୁଥିବା ଅର୍ଦ୍ଧଭୁକ୍ତ ପ୍ରାୟୋଲ୍ଲଙ୍ଗ ଶିଶୁ ଓ ମେହେନତୀ ମଣିଷମାନଙ୍କୁ ଆଉ କିଛି ମିଳୁ ବା ନ ମିଳୁ, ବିନା ମାସୁଲ୍‌ରେ ଲୋକ-ସଂସ୍କୃତିର ଏ ବର୍ଣ୍ଣାଢ଼୍ୟ ଉତ୍ସବ ଉପଭୋଗ କରିବା ପାଇଁ ସୁଯୋଗ ମିଳି ପାରିଥିବା ଯେପରି ସୁପରିକଲ୍ପିତ, ସେହିପରି ମଧ୍ୟ ସୂଚିନ୍ତିତ ।

 

ଏହା ଫଳରେ ଭାରତର ଜାତୀୟ ସାଂସ୍କୃତିକ ଐକ୍ୟ ନିବିଡ଼ତର ହୋଇପାରିଅଛି ବୋଲି ଦୂରଦର୍ଶନର ପ୍ରସାରଣମାନଙ୍କରେ ବାରମ୍ବାର ସୋଚ୍ଚାର ଦାବୀ କରାଯାଇଅଛି । କିନ୍ତୁ ଏସବୁ ଦେଖିବା ପରେ ମନେହେଲା, ‘‘ଆପନା ଉତ୍ସବ’’ ର କୌଣସି ନିର୍ଦ୍ଦିଷ୍ଟ ସ୍ଥିରବିନ୍ଦୁ (focus) ନ ଥିଲା । ଅତି ବେଶୀରେ ଏହା ଥିଲା ଲୋକସଂସ୍କୃତିର ଏକ କିମ୍ଭୁତ ଜଗାଖେଚଡ଼ୀ । କିନ୍ତୁ ସେଥିରେ ସାଂସ୍କୃତିକ ଐକ୍ୟର ସେହି କେନ୍ଦ୍ରବିନ୍ଦୁଟିକୁ ଅଣାଯାଇ ପାରିଥିଲେ ‘‘ଆପ୍‌ନା ଉତ୍ସବ’’ ଅଧିକ ତାତ୍ପର୍ଯ୍ୟପୂର୍ଣ୍ଣ ହୋଇପାରିଥାନ୍ତା । ଅପର ପକ୍ଷରେ କର୍ଣ୍ଣାଟକୀ ସଙ୍ଗୀତର ଯଥାର୍ଥ ପରିବେଷଣର ଅଭାବ, ଏଥିରେ ଲକ୍ଷ୍ୟ କରି ଅନେକ ନୈରାଶ୍ୟ ପ୍ରକାଶ କରିଅଛନ୍ତି । ସେହିପରି ଓଡ଼ିଶୀନୃତ୍ୟ ସଙ୍ଗୀତ ଓ ଲୋକନୃତ୍ୟର ପ୍ରସାରଣ ଦୂରଦର୍ଶନରେ ଯଥାର୍ଥ ଭାବରେ ହୋଇପାରିଲାନାହିଁ । ଗୁରୁ କେଳୁ ମହାପାତ୍ରଙ୍କ ନୃତ୍ୟ କୌଣସି ଏକ ମଞ୍ଚରୁ ଦୁରଦର୍ଶନରେ ପ୍ରସାରିତ ହେବା ବେଳେ, କ୍ୟାମେରା ପାଇଁ ଆଲୋକ ଅଭାବରୁ ସବୁ ଛାଇଛାଇଆ ଦିଶିଲା । ପୁଣି ଘଣ୍ଟପାଟୁଆ ନାଚ କ’ଣ ଓଡ଼ିଶାର ଲୋକନୃତ୍ୟର ଶ୍ରେଷ୍ଠ ପରିଚାୟକ ? ଏ ସବୁ ଅବଶ୍ୟ ଅତି ସାମାନ୍ୟ କଥା ମନେ ହୋଇପାରେ । କିନ୍ତୁ ସାଂସ୍କୃତିକ ଐକ୍ୟ ଭାବନାକୁ ଏସବୁ ଛୋଟ ଛୋଟ ଅବହେଳା ଆହତ କରିବା ଅତି ସ୍ୱାଭାବିକ ।

 

ସଂସ୍କୃତି କିନ୍ତୁ କେବଳ ଲୋକନୃତ୍ୟ ବା କିଛି ହସ୍ତଶିଳ୍ପ ନୁହେଁ । ଏସବୁ ତାହାର ଏକ ସାମାନ୍ୟ ଭଗ୍ନାଂଶ ମାତ୍ର । ଗୋଟିଏ ଭାଷାଭାଷୀ ଗୋଷ୍ଠୀ ବା ଜାତିର ସମଗ୍ର ସାଂସ୍କୃତିକ ଚେତନା –ତାହାର ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଚିତ୍ରକଳା, ସ୍ଥାପତ୍ୟ, ହସ୍ତଶିଳ୍ପ ଓ ଧର୍ମାଚାର ମାଧ୍ୟମରେ ପ୍ରକଟିତ ହୋଇଥାଏ । ସେହି ବିଚାରରୁ ୧୯୮୨ ମସିହାରେ ଓଡ଼ିଶା ସାହିତ୍ୟ ଅକାଦମୀର ରଜତ-ଜୟନ୍ତୀ ଅବକାଶରେ ଆୟୋଜିତ ସାତଦିନ ବ୍ୟାପୀ ‘‘ଉତ୍କଳ ଭାରତୀ’’ ସମାରୋହ ପରିଧି ଦୃଷ୍ଟିରୁ ସମଗ୍ର ଦେଶରେ ଏ ପର୍ଯ୍ୟନ୍ତ ଏକ ଅଭିନବ ଉଦ୍ୟମ ହୋଇ ରହି ଆସିଅଛି । ଏଥିରେ ଓଡ଼ିଆ ଲିପି, ଭାଷା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଚିତ୍ରକଳାଠାରୁ ଆରମ୍ଭ କରି ସାମୁଦ୍ରିକ ଓ ସାମରିକ ପରମ୍ପରା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ପୁଣି ଜଗନ୍ନାଥ-ଧର୍ମ ଓ ସଂସ୍କୃତିର ଯେଉଁ ବିପୁଳ ପ୍ରଦର୍ଶନୀ ହୋଇଥିଲା, ତାହା ପ୍ରକୃତରେ ଥିଲା ଅଭିନବ । ‘‘ଅପନା-ଉତ୍ସବ’’ ସୁଦ୍ଧା ଆୟତନ ଓ ଗଭୀରତାରେ ତାହାକୁ ଅତିକ୍ରମ କରି ପାରିଲା ନାହିଁ । ଏହାକୁ କିନ୍ତୁ ସଂସ୍କୃତିର ‘‘ଆଉ ଏକ ବାଲିଯାତ୍ରା’’ କହି ଅନେକେ ସେତେବେଳେ ନାସିକା କୁଞ୍ଚନ କରିଥିଲେ । ଆଜି କିନ୍ତୁ ସେମାନେ ଦୂରଦର୍ଶନରେ ନୁଆଦିଲ୍ଲୀର ଆପନା-ଉତ୍ସବ ମେଳା ଦେଖି ବେଶ୍‌ ତନ୍ମୟ ! ‘‘ଗାଁ କନିଆଁ ସିଂଘାଣୀନାକି’’ର ହୀନମନ୍ୟତା ଓ ଗୌଣ ମନୋବୃତ୍ତିରୁ ଆମେ ଆଜି ସୁଦ୍ଧା ନିଜକୁ ମୁକ୍ତ କରୁ ପାରିଲୁ ନାହିଁ ।

 

ସଂସ୍କୃତିର ଧାରକ ଓ ବାହକ ହେଉଛି ସାହିତ୍ୟ । ସାହିତ୍ୟ ପୁଣି ଜାତୀୟ ଐକ୍ୟର ଭିତ୍ତି ଓ ପ୍ରାଣ । ଅନୁବାଦ ମାଧ୍ୟମରେ ସୋଭିୟେତ ଋଷିଆରେ କିପରି ସେ ଦେଶର ବହୁ ପ୍ରାନ୍ତୀୟ ଭାଷା, ସାହିତ୍ୟ ସମନ୍ୱିତ ହୋଇ ସୋଭିୟେତ ଋଷୀୟ ସାହିତ୍ୟ ସୃଷ୍ଟି କରିପାରିଅଛି, ତାହା ଏହି ପ୍ରସଙ୍ଗରେ ସ୍ମରଣ କରିବା କଥା । କିନ୍ତୁ ଭାରତ ସରକାରଙ୍କ ଅନୁବାଦ ଯୋଜନା ଅଭାବରୁ ଭାରତରେ ଭାରତୀୟ ସାହିତ୍ୟ କହିଲେ ବୁଝାଉଛି ବହୁ ଭାଷା ଓ ସାହିତ୍ୟର ଅବୋଧ୍ୟ କୋଳାହଳ – Babel of tongues । ଅଣହିନ୍ଦୀଭାଷୀ ରାଜ୍ୟମାନଙ୍କରେ ହିନ୍ଦୀଭାଷା ଓ ସାହିତ୍ୟ ପ୍ରତି ବିରୋଧର ମୂଳ ଏହିଠାରେ । ଦେଶର ସାଂସ୍କୃତିକ ଐକ୍ୟ ଓ ସେହି ସୂତ୍ରରେ ଜାତୀୟ ଐକ୍ୟ ପ୍ରତିଷ୍ଠା ପାଇଁ ଯେଉଁମାନେ ଉଦ୍ୟମଶୀଳ, ସେମାନେ ଏଥିପ୍ରତି ସର୍ବାଦୌ ଦୃଷ୍ଟି ଦେବା ଆବଶ୍ୟକ ।

 

ସଂସ୍କୃତି କିନ୍ତୁ ପ୍ରକାଶ ପାଇଥାଏ, ମନୁଷ୍ୟର ହୃଦୟ, ବିଚାର ଓ ଆଚରଣରେ । ମାତ୍ର ଆଜିର ଦୁର୍ନୀତି ଅମାର୍ଜିତ ଆଚରଣ, ଅର୍ଥଲୋଭ ଓ ବର୍ବରତା ମଧ୍ୟରେ ଆମର ଆଜି କୌଣସି ସଂସ୍କୃତି ଅଛି ବୋଲି ଚିନ୍ତା କରିବା ପାଇଁ ସୁଦ୍ଧା କଷ୍ଟ ଲାଗେ ! ମସୃଣ, ବର୍ଣ୍ଣାଢ଼୍ୟ ପୋଷାକ ପରିଚ୍ଛଦ ଓ ମୁଖା ପରି ଆମ ମୁହଁ ସବୁର ନେପଥ୍ୟରେ ଆମେ ସବୁ ପ୍ରତ୍ୟେକ ଯେ କ୍ରମେ କ୍ରମେ ନବ୍ୟ –ବର୍ବର-- ସେଥିରେ ମୋର ଅନ୍ତତଃ ସନ୍ଦେହ ନାହିଁ । ଏ ନବ୍ୟ-ବର୍ବରଟି ପ୍ରଥମେ ମାର୍ଜିତ ଓ ସଂସ୍କୃତ ନ ହେଲେ ସଂସ୍କୃତି ନାମରେ ସବୁ ପହଳି ଆତ୍ମ-ପ୍ରବଞ୍ଚନା ହେବ । ସଂସ୍କୃତି ତେଣୁ ଏକ ସାଧନା । ଏହା ମନୋରଞ୍ଜମ କାର୍ଯକ୍ରମ ନୁହେଁ ।

 

THE TECHNOLOGY YOU CAN TRUST

Konark TV

THE IMAGE OF QUALITY

KONARK TELEVISION LIMITED      

(A GOVT OF ORISSA ENTERPRISE)

B1,B2 and B3 Industrial Estate, Bhubaneshwar-751010

 

 

ଏକାଡେମୀ ସମାଚାର

 

ଡଃ ଆର୍ତ୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତୃତାମାଳା କାର୍ଯ୍ୟକ୍ରମରେ ସୁନାମଧନ୍ୟା ଗବେଷିକା ତଥା ସଂସ୍କୃତିବିଦ୍‌ ଡଃ କପିଳା ବାତ୍ସାୟନଙ୍କର ‘‘ଭାରତୀୟ କଳା ପରମ୍ପରା ଉପରେ ଗୀତଗୋବିନ୍ଦର ପ୍ରଭାବ’’ ଶୀର୍ଷକ ବକ୍ତୃତା ପ୍ରଦାନ :

 

ସ୍ୱର୍ଗତ ପ୍ରଫେସର ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ସ୍ମୃତିରକ୍ଷା ଉଦ୍ଦେଶ୍ୟରେ ଏକାଡେମୀ ପକ୍ଷରୁ ୧୯୬୪ ମସିହାର ପ୍ରବର୍ତ୍ତିତ ହୋଇଥିବା ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତି ସ୍ମାରକୀ ବକ୍ତୁତାମାଳା କାର୍ଯ୍ୟକ୍ରମ ୧୯-୧୦-୮୬ ତାରିଖ ଏବଂ ୧୯-୧୦-୮୬ ଦୁଇଦିନ ବ୍ୟାପୀ ଭୁବନେଶ୍ୱରସ୍ଥ ସୂଚନା ଭବନଠାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଖ୍ୟାତା ଗବେଷିକା ତଥା ସଂସ୍କୃତିବିଦ୍‌ ଡଃ କପିଳା ବାତ୍ସାୟନ ‘‘ଭାରତୀୟ କଳା ପରମ୍ପରା ଉପରେ ଗୀତଗୋବିନ୍ଦର ପ୍ରଭାବ’’ ବିଷୟକ ୩ ଗୋଟି ବକ୍ତୃତା ପ୍ରଦାନ କରିଥିଲେ ।

 

୧୮-୧୦-୮୬ ତାରିଖ ସନ୍ଧ୍ୟା ୬ ଘଣ୍ଟା ୩୦ ମିନିଟ ସମୟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଏହି କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ । ସ୍ୱୀୟ ଉଦ୍‍ଘାଟନୀ ଭାଷଣରେ ମୁଖ୍ୟମନ୍ତ୍ରୀ ମହୋଦୟ ଜୟଦେବଙ୍କ କାବ୍ୟକୃତି ସମ୍ପର୍କରେ ସମ୍ୟକ୍‌ ଆଲୋଚନା ପୂର୍ବକ ଜୟଦେବଙ୍କର ଜନ୍ମସ୍ଥାନ ପୁରୀଜିଲ୍ଲାର କେନ୍ଦୁବିଲ୍ୱ ଗ୍ରାମ ବୋଲି ନିକଟ ଅତୀତରେ ପ୍ରମାଣ ହୋଇ ସାରିଥିବା ବିଷୟ ଉଲ୍ଲେଖ କରିଥିଲେ । ସେ କହିଲେ ଯେ, ଗୀତ ଗୋବିନ୍ଦର ଐଶ୍ଚର୍ଯ୍ୟ ଓ ପରମ୍ପରା ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ।

 

ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଶ୍ରୀ ସୁରେନ୍ଦ୍ର ମହାନ୍ତି ତାଙ୍କ ଅଭିଭାଷଣରେ ଜୟଦେବ ଓଡ଼ିଶାରେ ହିଁ ଜନ୍ମଲାଭ କରିଥିଲେ ବୋଲି ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ତାଙ୍କର ଏହି ଉକ୍ତି ସମ୍ପର୍କରେ ବିଭିନ୍ନ ପ୍ରମାଣ ଉପସ୍ଥାପନ କରିଥିଲେ-

 

ଡକ୍ଟର ଶ୍ରୀମତୀ ବାତ୍ସାୟନ ତାଙ୍କର ୩ ଗୋଟି ବକ୍ତୃତା ମଧ୍ୟରୁ ‘‘ଭାରତୀୟ କଳା-ପରମ୍ପରା ଉପରେ ଗୀତଗୋବିନ୍ଦର ପ୍ରଭାବ’’ ଶୀର୍ଷକ ତାଙ୍କର ପ୍ରଥମ ବକ୍ତୃତାଟି ଏହି ଅଧିବେଶନରେ ଉପସ୍ଥାପନ କରିଥିଲେ । ଜୟଦେବଙ୍କର ଗୀତଗୋବିନ୍ଦ ଭାରତର ବିଭିନ୍ନ ପ୍ରାନ୍ତୀୟ ଭାଷାର ସାହିତ୍ୟ ସହିତ ଭାରତୀୟ ନୃତ୍ୟ, ସଙ୍ଗୀତ, ଓ ନାଟ୍ୟକଳା ଏବଂ ଚିତ୍ରକଳା ପରମ୍ପରାକୁ କିପରି ଗଭୀର ଭାବରେ ପ୍ରଭାବାନ୍ୱିତ କରିଆସିଅଛି, ତାହା ସେ ବିଭିନ୍ନ ଉଦାହରଣ ସହିତ ବୁଝାଇଥିଲେ ।

 

ଏହି ଅଧିବେଶନ ଆରମ୍ଭରେ ଏକାଡେମୀର ସମ୍ପାଦକ ଶ୍ରୀ ସୁରେନ୍ଦ୍ରନାଥ ଶତପଥୀ ସ୍ୱର୍ଗତଃ ଡକ୍ଟର ଆର୍ତ୍ତବଲ୍ଲଭ ମହାନ୍ତିଙ୍କର ଓଡ଼ିଆ ସାହିତ୍ୟକ୍ଷେତ୍ରକୁ ଅବିସ୍ମରଣୀୟ ଅବଦାନ ସମ୍ପର୍କରେ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ଅତିଥି ଏବଂ ସୁଧୀମଣ୍ଡଳିଙ୍କୁ ସ୍ୱାଗତ ଜ୍ଞାପନ କରିଥିଲେ ।

 

ଏକାଡେମୀର ଉପସଭାପତି କବି ଶ୍ରୀ ରାଧାମୋହନ ଗଡ଼ନାୟକ ଡକ୍ଟର ଶ୍ରୀମତୀ ବାତ୍ସାୟନଙ୍କର ପରିଚୟ ପ୍ରଦାନ କରିଥିଲେ ।

 

୧୯-୧୦-୮୬ ତାରିଖ ପୁର୍ବାହ୍ନ ୧୦ ଘଣ୍ଟା ସମୟରେ ଡକ୍ଟର ଶ୍ରୀମତୀ ବାତ୍ସାୟନ ତାଙ୍କର ଦ୍ୱିତୀୟ ବକ୍ତୃତା ପ୍ରଦାନ କରିଥିଲେ । ଏହି ବକ୍ତୃତାର ବିଷୟବସ୍ତୁ ଥିଲା ‘‘ଭାରତୀୟ ଚିତ୍ରକଳା-ପରମ୍ପରା ଉପରେ ଗୀତଗୋବିନ୍ଦର ପ୍ରଭାବ ।’’ ଏହି ବକ୍ତୃତାରେ ସେ ଭାରତର ବିଭିନ୍ନ ପ୍ରାନ୍ତୀୟ ଚିତ୍ରକଳାକୁ ଗୀତଗୋବିନ୍ଦ ବହୁ ପୂରାକାଳରୁ କିପରି ଭାବରେ ପ୍ରଭାବିତ କରିଆସିଅଛି, ତାହା ଉଲ୍ଲେଖ କରିଥିଲେ । ଭାରତର ବିଭିନ୍ନ ପ୍ରାନ୍ତରୁ ସଂଗୃହିତ ଗୀତଗୋବିନ୍ଦ ବିଷୟକ ବିଭିନ୍ନ ପୁରାତନ ଚିତ୍ରକଲାର ରଙ୍ଗୀନ ଆଲୋକଚିତ୍ର ସେ ଉକ୍ତ ଦିନ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିବା ଅଧିବେଶନରେ ପ୍ରୋଜେକ୍ଟର ସାହାଯ୍ୟରେ ପ୍ରଦର୍ଶନ କରିଥିଲେ । ଏହି ଅଧିବେଶନରେ ଏକାଡେମୀର ଉପସଭାପତି ଶ୍ରୀ ରାଧାମୋହନ ଗଡ଼ନାୟକ ପୌରହିତ୍ୟ କରିଥିଲେ ।

 

୧୯-୧୦-୮୭ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ଡକ୍ଟର ଶ୍ରୀମତୀ ବାତ୍ସାୟନ ‘‘ଭାରତୀୟ ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଲା ପରମ୍ପରା ଉପରେ ଗୀତଗୋବିନ୍ଦର ପ୍ରଭାବ’’ ସମ୍ପର୍କରେ ତୃତୀୟ ବକ୍ତୃତା ପ୍ରଦାନ କରିଥିଲେ । ଭାରତର ବିଭିନ୍ନ ପ୍ରା‌ନ୍ତରେ ଗୀତଗୋବିନ୍ଦର ଗାୟନ ଏବଂ ଗୀତ-ଗୋବିନ୍ଦ ଉପରେ ଆଧାରିତ ନୃତ୍ୟ ଓ ନାଟ୍ୟକଳା ସମ୍ପର୍କରେ ସେ ବିଶଦଭାବେ ଉଲ୍ଲେଖ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ଅଞ୍ଚଳରୁ ସଂଗୃହୀତ ରେକଡିଙ୍ଗ୍‌ ସହାୟତାରେ ତାଙ୍କର ବକ୍ତବ୍ୟକୁ ସୂଚନା ସମ୍ବଳିତ କରିଥିଲେ ।

 

ଏହି ଅଧିବେଶନରେ ଅଧ୍ୟକ୍ଷତା କରିଥିବା ଏକାଡେମୀର ସଭାପତି ଶୀ ସୁରେନ୍ଦ୍ର ମହାନ୍ତି ଜୟଦେବଙ୍କ ଋଚନାବଳୀ ସହଜିଆ ବୈଷ୍ଣବ ପରମ୍ପରାର ପୃଷ୍ଠପୋଷକତା କରୁଥିବାରୁ ଜୟଦେବ ଓଡ଼ିଶାରେ ଜନ୍ମଲାଭ କରିଥିଲେ ମଧ୍ୟ ସାଧନାମୁଖୀ ଉତ୍କଳୀୟ ପରମ୍ପରାରେ ତାଙ୍କର ସାହିତ୍ୟକୃତି ପ୍ରତି ପ୍ରଥମେ ବିମୁଖତା ପ୍ରକାଶ ପାଇଥିବା ସ୍ୱାଭାବିକ । ଏହି କାରଣରୁ ବୋଧହୁଏ ଓଡ଼ିଶାର କବି ଜୟଦେବଙ୍କୁ ଓଡ଼ିଶାରେ ସ୍ୱୀକୃତି ଲାଭ କରିବାରେ ଯଥେଷ୍ଟ ବିଳମ୍ବ ଘଟିଥିଲା ।

 

ଏହି ଅଧିବେଶନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ମହୋଦୟ ଅଧିବେଶନ ଆରମ୍ଭରୁ ଶେଷପର୍ଯ୍ୟନ୍ତ ଦର୍ଶକ ଆସନରେ ବସି ଡକ୍ଟର ବାତ୍ସାୟନଙ୍କର ବକ୍ତୃତା ଓ ପ୍ରୋଜେକ୍ଟର ସାହାଯ୍ୟରେ ଗୀତଗୋବିନ୍ଦ ଆଧାରିତ ଚିତ୍ରକଳାର ଆଲୋକଚିତ୍ର ପ୍ରଦର୍ଶନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

 

ପ୍ରତ୍ୟେକ ଅଧରବେଶନରେ ବିଶିଷ୍ଟ ଗବେଷକ, ସଂସ୍କୃତ ପ୍ରେମୀ, ଅଧ୍ୟାପକ, ସମାଲୋଚକ ଏବଂ ସାହିତ୍ୟିକ ତଥା ସାହିତ୍ୟ ପ୍ରେମୀ ବହୁ ଲୋକ ଯୋଗଦାନ କରିଥିଲେ ।

 

ଯୁବଲେଖକମାନଙ୍କ ପ୍ରୋତ୍ସାହନ ପ୍ରଦାନ ଏବଂ ପୁସ୍ତକ ପ୍ରକାଶନ କ୍ଷେତ୍ରରେ ଅଧିକ ସକ୍ରିୟ ପଦକ୍ଷେପ ଗ୍ରହଣ କରିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀର ନିଷ୍ପତ୍ତି ।

 

୧୯-୧୧-୮୬ ତାରିଖ ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ସାହିତ୍ୟ ଏକାଡେମୀ କାର୍ଯ୍ୟକାରୀ କମିଟି ବୈଠକରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବାପାଇଁ ସିଦ୍ଧାନ୍ତ ଗ୍ରହଣ କରାଯାଇଛି ।

 

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଚଳିତବର୍ଷ ପ୍ରକାଶିତ ହୋଇଥିବା ତଥା ପ୍ରକାଶନାଧୀନ ରହିଥିବା ୧୪ ଗୋଟି ପୁସ୍ତକ ସମ୍ପର୍କରେ ସମ୍ପାଦକ କାର୍ଯ୍ୟକାରୀ ସମିତିଙ୍କୁ ଅବଗତ କରାଇଥିଲେ । ସେଥିମଧ୍ୟରୁ ଚଳିତବର୍ଷ ନିମ୍ନଲିଖିତ ପୁସ୍ତକମାନ ପ୍ରକାଶିତ ହୋଇଅଛି ।

 

ବ୍ରଜବିହାରୀ ରଚନାବଳୀ

୨.

ଜଳନ୍ଧରଦେବ ରଚନାବଳୀ

ଓଡ଼ିଶାର ପାଲା

ଓଡ଼ିଶାର ପତ୍ରପତ୍ରିକା (୨ୟ ସଂସ୍କରଣ)

ରୁଦ୍ର ସୁଧାନିଧି (୨ୟ ସଂସ୍କରଣ)

ଗଙ୍ଗ ଗଜପତି ରାଜତ୍ୱରେ ଓଡ଼ିଶାର ସଂସ୍କୃତି

ଭରତମୁନି ପ୍ରଣୀତ ନାଟ୍ୟଶାସ୍ତ୍ର -୧ମ ଭାଗ (୨ୟ ମୁଦ୍ରଣ)

ଓଡ଼ିଆ ଛାନ୍ଦ ସାହିତ୍ୟ (୨ୟ ମୁଦ୍ରଣ)

 

ଏତଦ୍‌ବ୍ୟତୀତ ନିମ୍ନ ୭ ଗୋଟି ପୁସ୍ତକ ମୁଦ୍ରଣାଧୀନ ଅଛି । ସେଗୁଡ଼ିକ ଖୁବ୍‌ ଶୀଘ୍ର ପ୍ରକାଶିତ ହେବାକୁ ଯାଉଛି ।

 

ଆଧୁନିକ ଓଡ଼ିଆ ସାହିତ୍ୟର ଭୂମି ଓ ଭୂମିକା (୩ୟ ସଂସ୍କରଣ)

ଭାରତୀୟ ଦର୍ଶନ (୨ୟ ସଂସ୍କରଣ) (ବଳଦେବ ଉପାଧ୍ୟାୟଙ୍କ ହିନ୍ଦୀ ପୁସ୍ତକର ଓଡ଼ିଆ ଅନୁବାଦ)

ଚରିତ ଚିନ୍ତାମଣି (୨ୟ ସଂସ୍କରଣ)

ପ୍ରାଚୀନ ଓଡ଼ିଆ ଅଭିଲେଖ (୨ୟ ସଂସ୍କରଣ)

ସାହିତ୍ୟ ଦର୍ପଣ ............(’’ ’’)

କାବ୍ୟ ପ୍ରକାଶ .............(’’ ’’)

 

ଏତଦ୍‌ବ୍ୟତୀତ Orissan Heritage Series ପର୍ଯ୍ୟାୟଭୁକ୍ତ ୨୦ଟି ପୁସ୍ତକ ମଧ୍ୟରୁ ୩ଗୋଟିର ପାଣ୍ଡୁଲିପି ଏବଂ ଓଡ଼ିଶାର ସାଂସ୍କୃତିକ ଇତିହାସ ପର୍ଯ୍ୟାୟଭୁକ୍ତ ପୁସ୍ତକଗୁଡ଼ିକ ମଧ୍ୟରୁ ଦୁଇଗୋଟି ପ୍ରସ୍ତୁତ ହୋଇସାରିଛି । ଏହାଛଡ଼ା ନିମ୍ନପୁସ୍ତକ ଗୁଡ଼ିକ ପ୍ରସ୍ତୁତାଧୀନ ରହିଛି ।

 

ହିନ୍ଦୀ କଥାସମ୍ରାଟ୍‌ ପ୍ରେମଚାନ୍ଦଙ୍କ ଜୀବନର ଓଡ଼ିଆ ଅନୁବାଦ

ଦକ୍ଷିଣ ଓଡ଼ିଶାର କଥିତ ଓଡ଼ିଆ ଭାଷା

ପଶ୍ଚିମ ଓଡ଼ିଶାର କଥିତ ଓଡ଼ିଆ ଭାଷା

ଓଡ଼ିଆ ସାହିତ୍ୟରେ ମଣିଷର ପ୍ରତିକୃତି

ଓଡ଼ିଆ ସମାଲୋଚନା ସାହିତ୍ୟ

 

ଯୁବଲେଖକମାନଙ୍କୁ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କ୍ଷେତ୍ରରେ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ପ୍ରତ୍ୟେକ ବର୍ଷ ଏକାଡେମୀ ପକ୍ଷରୁ ଅନ୍ତତଃ ଦୁଇଜଣ ଯୁବଲେଖକଙ୍କର ଦୁଇଟି ପୁସ୍ତକ ପ୍ରକାଶନର ବ୍ୟବସ୍ଥା କରାଯିବା ସଙ୍ଗେ ସଙ୍ଗେ ପ୍ରତ୍ୟେକଙ୍କୁ ଅଗ୍ରୀମ ରୟାଲିଟି ଆକାରରେ ଟ. ୫୦୦୦/- ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଅଛି ।

 

***

 

ସଂପାଦକୀୟ

 

ଆମ ଦେଶର ସାରସ୍ୱତ କ୍ଷେତ୍ରରୁ ୟା’ ଭିତରେ କେତେଜଣ କଥାଶିଳ୍ପୀ, କବି ଓ ସାହିତ୍ୟ ସମାଲୋଚକ ଚିର ବିଦାୟ ନେଇ ଅନାମୟ ଧାମକୁ ଚାଲିଯାଇଛନ୍ତି । ସେମାନେ ହେଲେ ନାରୀନେତ୍ରୀ ଓ ସୁସାହିତ୍ୟିକା ସରଳାଦେବୀ, ହାସ୍ୟ ଓ ବ୍ୟଙ୍ଗ ସାହିତ୍ୟର ସ୍ରଷ୍ଟା ସୁନୀଳ ମୋହନ ମିଶ୍ର, ସାହିତ୍ୟ ସାଧକ କ୍ଷେତ୍ରବାସୀ ନାୟକ, ସାହିତ୍ୟିକ ବିଷ୍ଣୁମୋହନ ମହାନ୍ତି । ସେ ସମସ୍ତଙ୍କର ବିୟୋଗରେ କୋଣାର୍କ ଆଜି ଗଭୀର ଶୋକ ପ୍ରକାଶ କରୁଚି ।

 

ସରଳା ଦେବୀ

 

ସୁନାମଧନ୍ୟା ସରଳାଦେବୀ ଗତ ଅକ୍ଟୋବର ମାସ ୪ ତାରିଖରେ କଟକର ତେଲେଙ୍ଗା ବଜାରସ୍ଥିତ ତାଙ୍କର ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ସ୍ୱାମୀ ଭାଗୀରଥି ମହାପାତ୍ର ଇହଲୋକରୁ ଚାଲିଯାଇଥିଲେ ୧୯୭୫ର ଅଗଷ୍ଟ ୨ ତାରିଖରେ, ଏକମାତ୍ର ପୁତ୍ର ଅମିତାଭ ମହାପାତ୍ର ଗତ ବର୍ଷ ନଭେମ୍ବର ମାସରେ । ତେଣୁ ଶାରୀରିକ ଅସୁସ୍ଥତାଠାରୁ ତାଙ୍କର ମାନସିକ ଚିନ୍ତା ଥିଲା ଅତ୍ୟନ୍ତ ଗୁରୁତର ଓ ଗଭୀରତର । ସରଲାଦେବୀ ଥିଲେ ସାଧନାପଥର ଯାତ୍ରୀ, ବହୁ ଧୈର୍ଯ୍ୟ ଧରି ସେ ଆଘାତ ସହି ନେଉଥିଲେ, ମାତ୍ର ତିନିବର୍ଷ ହେଲା ଶଯ୍ୟାଶାୟିନୀ ହୋଇଗଲେ; ସେଇ ଯାତ୍ରୀ ଏବେ ମହାଯାତ୍ରା ପଥର ଯାତ୍ରୀ ।

 

ସରଳାଦେବୀ ୧୯୦୪ର ଅଗଷ୍ଟ ନଅ ତାରିଖରେ କଟକ ବାଲିକୁଦାର ପ୍ରଖ୍ୟାତ କାନୁନଗୋ ପରିବାରରେ ଭୂମିଷ୍ଠ ହୋଇଥିଲେ । ତାଙ୍କର ୮୨ ବର୍ଷ ଜୀବନକାଳ ମଧ୍ୟରେ ସେ ଦେଶର ମୁକ୍ତିସଂଗ୍ରାମରେ ରାଜନୀତି କ୍ଷେତ୍ରରେ ଓ ଜାତୀୟ ସାହିତ୍ୟରେ ସାଧନାର ଓ କୃତିତ୍ୱର ଉଜ୍ୱଳ ସ୍ୱାକ୍ଷର ରଖିଯାଇଛନ୍ତି ।

 

ସରଳାଦେବୀ ୧୯୩୦ରେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିଲେ । ଦେଶସେବାରେ ତାଙ୍କର ଯେପରି ଉଦଗ୍ର ନିଷ୍ଠା, ଓଜସ୍ୱିନୀ ବକ୍ତୃତା ଦେବାରେ ସେଇପରି ଦକ୍ଷତା ଥିଲା । ସେ ଏକାଧିକ ବାର ଜେଲ୍‌ ଯାଇଥିଲେ ।

 

ପ୍ରାଦେଶିକ କଂଗ୍ରେସ କମିଟିର ମହିଳା ବିଭାଗର ସେ ଥିଲେ ସମ୍ପାଦିକା ଓ ଓଡ଼ିଶା ବିଧାନ ସଭାର ସଭ୍ୟା ହୋଇଥିଲେ ।

 

ଆହୁରି ମଧ୍ୟ ଉତ୍କଳ ସାହିତ୍ୟ ସମାଜର ସେ ସମ୍ପାଦିକା ହୋଇଥିଲେ, ଉପସଭା ନେତ୍ରୀ ମଧ୍ୟ । ଉତ୍କଳ ବିଶ୍ୱବିଦ୍ୟାଳୟର ସିନେଟିୟର ଥିଲେ । ସବୁ କ୍ଷେତ୍ରରେ ସେ ଥିଲେ ଦୃଷ୍ଟି ସାମ୍‌ନାରେ-

 

ସରଳା ଦେବୀ ଜଣେ ନାରୀନେତ୍ରୀ ହୋଇଥିବାରୁ ନାରୀ ସମ୍ପର୍କରେ ନାରୀସମସ୍ୟା ଉପରେ ସେ ବହୁତ ପୁସ୍ତକ ଓ ପୁସ୍ତିକା ଲେଖି ଯାଇଛନ୍ତି - ଯଥା; ନାରୀର ଦାବୀ, ନାରୀ ସମସ୍ୟା, ନାରୀ ଜଗତ, ବୀରା ରମଣୀ ଜନାବାଈ, ଓଡ଼ିଆ ବୋହୂ, ସତ୍ୟଧର୍ମ, ବିଶ୍ୱବିପ୍ଲବିନୀ । ସର୍ବୋପରି ତାଙ୍କର ‘‘ସାରଳା ମହାଭାରତରେ ନାରୀ’’ ଓ ‘‘ଉତ୍କଳ ଭାରତୀ କୁନ୍ତଳା କୁମାରୀଙ୍କ କବି ପ୍ରତିଭା’’ ଦିଓଟି ଓଡ଼ିଆ ସାହିତ୍ୟକୁ ଅମୂଲ୍ୟ ଅବଦାନ ।

 

କଥା ସାହିତ୍ୟକୁ ତାଙ୍କର କୃତିତ୍ୱ ମଧ୍ୟ ଅବିସ୍ମରଣୀୟ । ‘‘ସବୁଜ ସାହିତ୍ୟ ସମିତି’’ର ‘‘ବାସନ୍ତୀ’’ ଉପନ୍ୟାସ ଏକାଧିକ ଲେଖକ ଲେଖିକାଙ୍କ ଦ୍ୱାରା ଲିଖିତ । ତହିଁରେ ସରଳା କେତୋଟି ପରିଚ୍ଛେଦ ଲେଖିଥିଲେ ।

 

ତାଙ୍କର ସ୍ୱାମୀ ଭାଗୀରଥି ୧୯୨୧ରେ ସଂଗ୍ରାମରେ ଯୋଗ ଦେଇଥିଲେ ଉତ୍କଳମଣି ଗୋପବନ୍ଧୁଙ୍କ ସହିତ । ସେ ପୁଣି ପ୍ରଦେଶ କଂଗ୍ରେସ କମିଟିର ସଭାପତି ହୋଇଥିଲେ । ତାଙ୍କର ପରିବାର ଦେଶ ପାଇଁ, ଦଶ ପାଇଁ, ଜାତି ପାଇଁ ପ୍ରାଣ ଦେଇଥିଲେ ।

 

ଅତୀତରେ ଦେଶର ମୁକ୍ତିସଂଗ୍ରାମର ଓଡ଼ିଆ ସାହିତ୍ୟର ବହୁ କ୍ଷେତ୍ରର ସେ ଥିଲେ ନୀରବ ସାକ୍ଷୀ ।

***

 

ସୁନୀଳ ମୋହନ ମିଶ୍ର

 

ଓଡ଼ିଆ ସାହିତ୍ୟର ହାସ୍ୟ, ବ୍ୟଙ୍ଗ ଓ ରମ୍ୟରଚନା ବିଭାଗରେ ସୁନିଳ ମିଶ୍ର ଆଖିଦୃଶିଆ କୃତିତ୍ୱ ଅର୍ଜନ କରିଥିଲେ । ମୁଖ୍ୟତଃ ସେ କଟକର ‘‘ଡଗର’’ରେ ଓ ପଶ୍ଚିମ ଓଡ଼ିଶାର କେତେକ ପତ୍ରିକାରେ ତାଙ୍କର ରଚନାମାନ ପରିବେଷଣ କରୁଥିଲେ ।

 

ସମ୍ବଲପୁରର ମୋତିଝରଣରେ ତାଙ୍କର ଜନ୍ମ । ଆଇନ ପଢ଼ାରେ ଉତ୍ତୀର୍ଣ୍ଣ ହୋଇ ଆଇନଜୀବୀ ଭାବରେ ସେ ଜୀବନ କାଳ କଟାଇ ଦେଇଛନ୍ତି ।

 

ଆମ ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟଥିଲେ । ଥରେ ଥରେ ମୋ ସାଥିରେ ମୋର ବାସଭବନକୁ ଆସି ଆନନ୍ଦ ଦେବାରେ ତୃଟି କରୁ ନଥିଲେ ।

 

୧୯୬୨ ରେ ତାଙ୍କର ‘‘ଖଦଡ଼ ମୁଣି’’ ବ୍ୟଙ୍ଗ ସାହିତ୍ୟର ଖଣ୍ଡିଏ ଉପଭୋଗ୍ୟ ପୁସ୍ତକ ପ୍ରକାଶ ଲାଭ କରିଥିଲା । ଖଦଡ଼ର ପହରଣ ତଳେ ଲୋକ କଅଣ କରିପାରେ, ସେଇକଥା ସେ ପାଠକମାନଙ୍କ ଆଗରେ ଉପସ୍ଥାପିତ କରି ବେଶ୍‌ ଆମୋଦ ସୃଷ୍ଟି କରିଛନ୍ତି ।

 

ବହୁତ ହାସ୍ୟ ଓ ବ୍ୟଙ୍ଗ ଗଳ୍ପ, କେତେକ ରମ୍ୟରଚନା ଓ ରମ୍ୟ କବିତା ମଧ୍ୟ ରଚନା କରିଯାଇଛନ୍ତି ।

 

ସେ ସିନା ହସି ହସି ଚାଲିଯାଇଛନ୍ତି, ମାତ୍ର ତାଙ୍କର ନିରପତ୍ୟ ସଂସାରରେ ଏକାକିନୀ କାନ୍ଦୁଛନ୍ତି ତାଙ୍କର ଧର୍ମ ପତ୍ନୀ ରାସେଶ୍ୱରୀ ଦେବୀ ।

 

ବନ୍ଧୁ ଭାବରେ କହୁଛି, ‘’ମିଶ୍ରେ ଟିକିଏ ସେପୁରରୁ ନଜର କରି ଦେଖିନିଅ ।’’

***

 

କ୍ଷେତବାସୀ ନାୟକ

 

କ୍ଷେତ୍ରବାସୀ ନାୟକ କଟକର ରେଭେନ୍‍ସା କଲେଜରେ ଓଡ଼ିଆ ବିଭାଗର ଅଧ୍ୟାପକ ଥିଲେ । ତାଙ୍କର ଡକ୍ଟରେଟ୍‍ ଉପାଧି ଥିଲା । ସେ କେବଳ ଅଧ୍ୟାପନା ସର୍ବସ୍ୱ ନ ହୋଇ ସାହିତ୍ୟ ଚର୍ଚ୍ଚା ଓ ସାହିତ୍ୟଚର୍ଯ୍ୟାରେ ମନ ଦେଇଥିଲେ । ତେଣୁ ସାହିତ୍ୟର ଭିନ୍ନ ଭିନ୍ନ ବିଭାବରେ ଲେଖନୀ ଚାଳନା କରଛନ୍ତି – ଗଳ୍ପରେ, କବିତାରେ; ସାହିତ୍ୟ ଓ ସମାଲୋଚନାରେ; ସାହିତ୍ୟ ସଙ୍କଳନରେ ଓ ପତ୍ରିକା ସମ୍ପାଦନାରେ ।

 

ସମସ୍ତ ବିଭାବକୁ ତାଙ୍କର ଦାନ ଓ ଅବଦାନ ରହିଅଛି । ସେ ଗଳ୍ପ ଲେଖିଛନ୍ତି – ‘‘ଫୁଲର କବର’’ । କବିତା ଲେଖିଛନ୍ତି – ‘‘ଉଚ୍ଚାରାଣ’’ । ସେଥିପାଇଁ ପୁରସ୍କୃତ ହୋଇଛନ୍ତି, ମାତ୍ର ବେଶି ଲେଖିଛନ୍ତି ନିରୁତା ସାହିତ୍ୟ ସମ୍ପର୍କରେ - ପ୍ରବନ୍ଧ ଓ ପ୍ରାବନ୍ଧିକ, ସାହିତ୍ୟର ସାମାନ୍ୟ କଥନ, ଆଧୁନିକ ଓଡ଼ିଆ ସାହିତ୍ୟରେ ପାଶ୍ଚାତ୍ୟ ପ୍ରଭାବ, ଫକୀରମୋହନଙ୍କ କଥାସାହିତ୍ୟ, ଆଲୋଚନା ପତ୍ର, ଭାରତୀୟ କାବ୍ୟତତ୍ତ୍ୱ, ସାହିତ୍ୟଚର୍ଚ୍ଚା, କବି ଓ କାମିନୀ, କବି ଅର୍ଜ୍ଜୁନ ଦାସ ।

ଗଳ୍ପ ଓ କବିତାରେ ସେ ସୃଜନୀ ଶକ୍ତିର ପରିଚୟ ଦେଇଛନ୍ତି, ମାତ୍ର ମୁଖ୍ୟତଃ ଅଭିନିବେଶ ଦେଇଛନ୍ତି ସମୀକ୍ଷା ଓ ସମାଲୋଚନାରେ, କବି ଟେନସନଙ୍କର କବିତାର ଛତ୍ରଟି ତାଙ୍କ ମନରେ କାର୍ଯ୍ୟ କରିଥିଲା ବୋଧହୁଏ ।

 

‘‘Seldom comes the poet-here

But crit rasog stell ‘’

 

ବାଲେଶ୍ୱର ଜିଲ୍ଲାର ଭଦ୍ରକଠାରେ ତାଙ୍କର ଜନ୍ମ -୧୯୩୯ର ଅକ୍ଟୋବର ଚାରି ତାରିଖରେ -୧୯୬୦ରେ ଓଡ଼ିଆ ଏମ.ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ । ଅଧ୍ୟାପକ ହୋଇଛନ୍ତି ସମ୍ବଲପୁରର ଗଙ୍ଗାଧର ମେହେର କଲେଜରେ, ବଲାଙ୍ଗୀରର ରାଜେନ୍ଦ୍ର କଲେଜରେ । ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ । ଶେଷକୁ ୧୯୭୮ ରେ କଟକ ରେଭେନ୍‍ସା କଲେଜରେ ।

 

୧୯୬୪ରେ ଲାବଣ୍ୟ ନାୟକଙ୍କ ସହିତ ତାଙ୍କର ବିବାହ । ଶ୍ରୀମତୀ ମଧ୍ୟ ଜଣେ ସାହିତ୍ୟିକା । ଶ୍ରୀ ନାୟକ ତାଙ୍କ ସାହିତ ପ୍ରବନ୍ଧ ବିଚିତ୍ରା, ପୋଷ୍ଟାର କବିତା ସମ୍ପାଦନା କରିଛନ୍ତି ।

 

କଟକର ସମାଲୋଚନା ପତ୍ରିକା ‘‘ଏଷଣା’’ ସେ ସମ୍ପାଦନା କରୁଥିଲେ । ବର୍ତ୍ତମାନ ସମ୍ପାଦନା କରୁଛନ୍ତି ତାଙ୍କର ସହଧର୍ମିଣୀ ଲାବଣ୍ୟ ନାୟକ ।

***

 

ବିଷ୍ଣୁ ମୋହନ ମହାନ୍ତି

 

ଗତବର୍ଷ ୮ ନମ୍ବର ଇଉନିଟ୍‍ର ଜଗନ୍ନାଥ ମନ୍ଦିରରେ ଧର୍ମସଭା ହେଉଥିଲା । ବିଷ୍ଣୁମୋହନ ମହାନ୍ତି ଓ ମୁଁ ଉଭୟେ ନିମନ୍ତ୍ରିତ ହୋଇଥିଲୁ ସେଠି ବକ୍ତୃତା ଦେବାପାଇଁ । ସେଇଠି ଆମ ଦୁହିଁଙ୍କର ସାକ୍ଷାତ, ସେଇଠି ପରିଚୟ – ସେ ପରିଚୟ ପୁଣି ଅପାଶୋର ।

 

ଓଡ଼ିଆ ସାହିତରେ ‘‘ଉପେନ୍ଦ୍ର ଭଞ୍ଜ ସମାଲୋଚନା’’ ପୁସ୍ତକଟି ମଁ ଆଗରୁ ପଢ଼ିଥିଲି–ତାହା ପ୍ରକାଶିତ ହୋଇଥିଲା ୧୯୫୮ରେ । ଓଡ଼ିଆ ଲେଖକ ଗୋଷ୍ଠୀକି ଜାଣିବାରେ ମୁଁ ବେଶ୍‍ ପାରଙ୍ଗମ, ମାତ୍ର ତାଙ୍କୁ ମୁଁ ଜାଣି ନ ଥିଲି କି ଦେଖି ନଥିଲି – ସେଇଦିନ ସେଇଠି ତାଙ୍କ ସାଥିରେ ଦେଖା ଓ ପରିଚୟ ।

 

ବିସ୍ମିତ ଭାବରେ ଜାଣିଲି, ସେ ହେଉଛନ୍ତି ସେଇ ସମାଲୋଚନା ପୁସ୍ତକର ଲେଖକ ବିଷ୍ଣୁମୋହନ ମହାନ୍ତି । ସଭାର ଆନନ୍ଦ ଏ ଆନନ୍ଦ ସାଙ୍ଗରେ ଦିଗୁଣିତ ହୋଇପାରିଥିଲା ।

 

କୃଷି ଓ ବୈଶେଷିକ ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗରେ ବିଷ୍ଣୁମୋହନ ମହାନ୍ତି ଥିଲେ ଅଧ୍ୟାପକ । ସେ ଓଡ଼ିଆ ଏମ.ଏ. ଓ ଆଇନ ପରୀକ୍ଷାରେ କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିଲେ ।

 

୧୯୫୩ ରେ ‘‘ଉପେନ୍ଦ୍ର ଭଞ୍ଜ ସମାଲୋଚନା’’ ଲେଖିବାର ଆରମ୍ଭ କରିଥିଲେ । ତାଙ୍କର ଗୁରୁ ଡକ୍ଟର କରୁଣାକର କର ଓ ଅଧ୍ୟାପକ ଜୟକୃଷ୍ଣ ମିଶ୍ରଙ୍କଠାରୁ ସେଥିପାଇଁ ପ୍ରେରଣା ଓ ସାହାଯ୍ୟ ଲାଭ କରିଥିଲେ । ଆଜକୁ ପ୍ରାୟ ୩୦ ବର୍ଷ ତଳେ ଉପେନ୍ଦ୍ର ଭଞ୍ଜଙ୍କର ଦୁରୁହ ସାହିତ୍ୟ ରାଜ୍ୟରେ ପ୍ରବେଶ କରି, ଅନୁସନ୍ଧାନ କରି ଗ୍ରନ୍ଥଟିଏ ଥୋଇବା ଅତି ଦୁରୁହ ବ୍ୟାପାର । ସେତେବେଳେ ସେ ତାହା ଲେଖି ଅଧ୍ୟାପକ ଓ ଛାତ୍ରଙ୍କ ଆଗରେ ଉଜ୍ୱଳ ଦୃଷ୍ଟାନ୍ତ ରଖିଯାଇଛନ୍ତି ।

 

ବିଷ୍ଣୁମୋହନ ମହାନ୍ତି ଜନ୍ମଲାଭ କରିଥିଲେ କଟକ ଧର୍ମଶାଳା ଥାନାର ବନ୍ଧଡିହ ଗ୍ରାମରେ-। ବିଶ୍ୱବିଦ୍ୟାଳୟରୁ ଅବସର ନେବା ପୂର୍ବରୁ ସେ ଆଖି ବୁଜିଦେଲେ ଏଇ ଦୁଇ ତାରିଖ ରାତି ଘ ୪/୧୫ ମିନିଟରେ ।

 

ରାଧାମୋହନ ଗଡନାୟକ

ସଂପାଦକ, କୋଣାର୍କ

 

 

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ

ପୁସ୍ତକାବଳୀ

 

ସଂସ୍କୃତ ସାହିତ୍ୟ :

 

ରସକଲ୍ପଦ୍ରୂମଃ

ପଣ୍ଡିତ ଜଗନ୍ନାଥ ମିଶ୍ର

ଟ ୧୭-୨୫

ନାଟ୍ୟ ମନୋରମା

ଶ୍ରୀ ରଘୁନାଥ ରଥ

ଟ୨-୫୦

ଦଶଗ୍ରୀବ ବଧ ମହାକାବ୍ୟମ

ଶ୍ରୀ ମାର୍କଣ୍ଡେୟ ମିଶ୍ର

ଟ ୩-୭୫

ମେଘଦୂତମ୍‌

ପଣ୍ଡିତ ନରହରି ବ୍ରହ୍ମା

ଟ ୫.୦୦

ବାଙ୍‌ମୟ ବିବେକ

ପଣ୍ଡିତ ଚିନ୍ତାମଣି ମିଶ୍ର

ଟ ୧୮-୭୫

ଯୋଗତତ୍ତ୍ୱ ବାରିଧିଃ

ପଣ୍ଡିତ ଦାମୋଦର ମହାପାତ୍ର ଶାସ୍ତ୍ରୀ

ଟ ୧୧.୦୦

ସାଂଖ୍ୟତତ୍ତ୍ୱ ଦୀପିକା

ପଣ୍ଡିତ ଦାମୋଦର ମହାପାତ୍ର ଶାସ୍ତ୍ରୀ

ଟ ୫-୭୫

ବ୍ୟାପ୍ତି ପଞ୍ଚକମ୍‍

ପଣ୍ଡିତ ଲୋକନାଥ ଶାସ୍ତ୍ରୀ

ଟ ୯.୫୦

ଲିଙ୍ଗରାଜାୟନମ୍‍

ପଣ୍ଡିତ ଗଣେଶ୍ୱର ରଥ

ଟ ୪.୫୦

ଶ୍ରୀ ପୁରୁଷୋତ୍ତମ ଚରିତମ୍‌

ପଣ୍ଡିତ ଗଣେଶ୍ୱର ରଥ

ଟ ୧୧.୦୦

ସର୍ବଦର୍ଶନ କୌମୁଦୀ

ପଣ୍ଡିତ ଦାମୋଦର ମହାପାତ୍ର ଶାସ୍ତ୍ରୀ

ଟ ୧୩.୫୦

ଶ୍ରୀ ଜଗନ୍ନାଥ ଶତକମ୍‌

ପଣ୍ଡିତ ଚନ୍ଦ୍ର ଶେଖର ମିଶ୍ର

ଟ ୧.୨୫

***

 

ଅନୁବାଦ ସାହିତ୍ୟ :

 

ମହାଭାରତ

ଗଦ୍ୟାନୁବାଦ

ପଣ୍ଡିତ ଗୋବିନ୍ଦଚନ୍ଦ୍ର ମହାପାତ୍ର

ଗଚ୍ଛିତ ନାହିଁ

କୌଟିଲ୍ୟ ଅର୍ଥଶାସ୍ତ୍ରମ୍‍ ପୁର୍ବାର୍ଦ୍ଧମ

ଅନୁବାଦକ

ପଣ୍ଡିତ ଅନନ୍ତରାମକର ଶର୍ମା

ଟ ୫୨.୦୦

କୌଟିଲ୍ୟ ଅର୍ଥଶାସ୍ତ୍ରମ୍‍ ଉତ୍ତରାର୍ଦ୍ଧମ୍‌

ଅନୁବାଦକ

ପଣ୍ଡିତ ଅନନ୍ତରାମକର ଶର୍ମା

ଟ ୫୦.୦୦

କାବ୍ୟ ପ୍ରକାଶ

ଅନୁବାଦକ:

ପଣ୍ଡିତ ନାରାୟଣ ମହାପାତ୍ର

ଯନ୍ତ୍ରସ୍ଥ

ଧ୍ୱନ୍ୟାଲୋକ

ଅନୁବାଦକ

ପଣ୍ଡିତ କୁଳମଣି ମିଶ୍ର

ଟ ୩୩.୦୦

ଭାରତୀୟ ଦର୍ଶନ

ଅନୁବାଦକ:

ଗୋବିନ୍ଦ ଚନ୍ଦ୍ର ମିଶ୍ର

ଯନ୍ତ୍ରସ୍ଥ

ଭରତମୁନି ନାଟ୍ୟଶାସ୍ତ୍ରମ

ଅନୁବାଦକ

ପଣ୍ଡିତ ବାନାମ୍ବର ଆଚାର୍ଯ୍ୟ

ଟ ୩୫-୦୦

ନୈଷଧୀୟ ଚରିତ

ଅନୁବାଦକ

ଶ୍ରୀ ବାଲୁଙ୍କେଶ୍ୱର ମହାପାତ୍ର

ଟ ୨୦.୦୦

ଶିଶୁପାଳ ବଧ

ଅନୁବାଦକ

ଶ୍ରୀ ବାଲୁଙ୍କେଶ୍ୱର ମହାପାତ୍ର

ଟ ୧୦.୦୦

ସାହିତ୍ୟ ଦର୍ପଣ

ଅନୁବାଦକ:

ପଣ୍ଡିତ ନାରାୟଣ ମହାପାତ୍ର

ଯନ୍ତ୍ରସ୍ଥ

ବିଦ୍ୟା ପତି ପଦ୍ୟାବଳୀ

ଅନୁବାଦକ:

ପଣ୍ଡିତ ଲକ୍ଷ୍ମିନାରାୟଣ ମିଶ୍ର

ଟ୯.୫୦

ବିଶ୍ୱମାନବର ପଥେ

ଅନୁବାଦକଗଣ

ଡକ୍ଟର କାହ୍ନୁଚରଣ ମିଶ୍ର

ଶ୍ରୀ ଚିନ୍ତାମଣି ବେହେରା

ଡକ୍ଟର ଶୀନିବାସ ମିଶ୍ର

ଟ ୧୦.୦୦

ସୁରଦାସ ପଦାବଳୀ

ଅନୁବାଦକଗଣ

ଶ୍ରୀ ଶ୍ରୀନିବାସ ଉଦ୍‍ଗୀତା

ଡକ୍ଟର ଶଙ୍କର ଲାଲ ପୁରୋହିତ

ଟ ୨.୦୦

କୃଷ୍ଣଚରିତ୍ର

ଅନୁବାଦକ

ଶ୍ରୀ ଗୋଲକ ପ୍ରସାଦ ରାୟ

ଗଚ୍ଛିତ ନାହିଁ

ଦୁର୍ଗ

ଅନୁବାଦକ

ଡକ୍ଟର ସୌଭାଗ୍ୟ କୁମାର ମିଶ୍ର

ଟ ୩୫.୦୦

***

 

ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ :

ଶ୍ରୀ ଭାରତ ଦର୍ପଣ

ପଣ୍ଡିତ ଗୋପୀନାଥ ନନ୍ଦଶର୍ମା

ଟ ୧୨.୮୦

ଭାରତୀୟ ଜ୍ୟେତିଷର ଇତିହାସ

ବାଇକୋଳି ଜ୍ୟୋତିଷ ବିଶାରଦ

ଗଚ୍ଛିତ ନାହିଁ

ଭାରତ ଗୌରବ

ପଣ୍ଡିତ ଦାମୋଦର ଶାସ୍ତ୍ରୀ

ଟ ୧୦.୦୦

ସାବିତ୍ରୀ ମହାକାବ୍ୟ

ସମୀକ୍ଷକ – ଶ୍ରୀ ଧୀରେନ୍ଦ୍ର ନାଥ ଶତପଥୀ

ଟ ୪.୫୦

ସନ୍ଥ (ଭକ୍ତି) ସାହିତ୍ୟ

ଶ୍ରୀ ଚିତ୍ତରଞ୍ଜନ ଦାସ

ଟ ୫୦.୦୦

ପ୍ରାଚୀନ ଉତ୍କଳ ୧ମ ୨ୟ

୰ ଜଗବନ୍ଧୁ ସିଂହ

ଟ ୪୫.୦୦

ଓଡ଼ିଶାର ପ୍ରତ୍ନତତ୍ତ୍ୱ ଓ ଅନ୍ୟାନ୍ୟ ପ୍ରବନ୍ଧ

୧ମ ପରମାନନ୍ଦ ଆଚାର୍ଯ୍ୟ

ଟ ୧୦.୭୫

ଓଡ଼ିଶାର ପ୍ରତ୍ନତତ୍ତ୍ୱ ଓ ଅନ୍ୟାନ୍ୟ ପ୍ରବନ୍ଧ

୨ୟ ପରମାନନ୍ଦ ଆଚାର୍ଯ୍ୟ

ଟ ୧୧.୫୦

ଭୁବନେଶ୍ୱର ଶିଳାଲିପି

ପରମାନନ୍ଦ ଆଚାର୍ଯ୍ୟ

ଟ ୧.୨୫

ପ୍ରବନ୍ଧାବଳୀ

ଶ୍ୟାମସୁନ୍ଦର ରାଜଗୁରୁ

ଟ ୭.୫୦

ପ୍ରାଚୀନଦୀର ଐତିହାସିକ ବିଭବ

ଡକ୍ଟର ରାଧାଚରଣ ପଣ୍ଡା

ଟ ୭.୫୦

ଦେଶ. କାଳ, ପାତ୍ର ଓ ମନୀଷୀ

ଫକୀରମୋହନ

ଡକ୍ଟର ଜେ.ଭି ବୋଲ୍‍ଟନ

ଟ ୪.୦୦

ଓଡ଼ିଆ କବି ଓ କାବ୍ୟ

ପଣ୍ଡିତ ନୀଳମଣି ମିଶ୍ର

ଟ ୨୦.୦୦

ଋାଧାନାଥଙ୍କ ଅନ୍ୟାନ୍ୟ ପ୍ରତିଭା

ପରମାନନ୍ଦ ଆଚାର୍ଯ୍ୟ

ଟ ୫.୬୦

ନନ୍ଦକିଶୋର ସମୀକ୍ଷା

ଡକ୍ଟର ନଟବର ସାମନ୍ତରାୟ

ଟ ୧୮.୦୦

ଓଡ଼ିଶାର ପାଲା

ଶ୍ରୀ ଧୀରେନ୍‍ ଦାଶ,

ଡକ୍ଟର ନିରଞ୍ଜନ ପଣ୍ଡା

ଟ ୧୮.୦୦

ଓଡ଼ିଆ ପୋଇ ସାହିତ୍ୟ

ପଣ୍ଡିତ ନୀଳମଣି ମିଶ୍ର

ଟ ୬.୦୦

ଆଧୁନିକ ଓଡ଼ିଆ କଥା ସାହିତ୍ୟ

(ଉପନ୍ୟାସ)

ଡକ୍ଟର ନରେନ୍ଦ୍ର ନାଥ ମିଶ୍ର

ଟ ୧୪.୦୦

ଓଡ଼ିଆ ଚୌପଦୀ ସାହିତ୍ୟ

ଡକ୍ଟର ଜାନକୀବଲ୍ଲଭ ମହାନ୍ତି (ଭରଦ୍ୱାଜ)

ଟ ୬.୦୦

ଓଡ଼ିଆ ଭାଷାର ଉପଭାଷା

ଡକ୍ଟର ସତ୍ୟନାରାୟଣ ରାଜଗୁରୁ

ଟ ୧୦.୦୦

ଓଡ଼ିଆ ସାହିତ୍ୟ ତନ୍ତ୍ରର ପ୍ରଭାବ

ଡକ୍ଟର ଆଶୁତୋଷ ପଟ୍ଟନାୟକ

ଶ୍ରୀ ଗଣେଶ୍ୱର ପରିଜା

ଟ ୧୪.୦୦

ସାହିତ୍ୟ ଓ ସଂସ୍କୃତି

ଡକ୍ଟର ଶ୍ରୀଶ ପଟେଲ

ଟ ୬.୦୦

ଓଡ଼ିଆ ସାହିତ୍ୟରେ ହାସ୍ୟରସ

ଡକ୍ଟର କୁଳମଣି ରାଉତ

ଟ ୧୨.୦୦

କଳିଙ୍ଗର ଆତ୍ମକଥା

ଡକ୍ଟର ସତ୍ୟନାରାୟଣ ରାଜଗୁରୁ

ଟ ୩.୦୦

ପ୍ରାଚୀନ ଓଡ଼ିଆ ଅଭିଲେଖ

ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ

ଯନ୍ତ୍ରାସ୍ଥ

ଓଡ଼ିଆ ଛାନ୍ଦ ସାହିତ୍ୟ

ପଣ୍ଡିତ ବିନାୟକ ମିଶ୍ର

ଯନ୍ତ୍ରାସ୍ଥ

ଓଡ଼ିଆ ଗ୍ରାମ୍ୟଗୀତି

ଚକ୍ରଧର ମହାପାତ୍ର

ଯନ୍ତ୍ରାସ୍ଥ

ଓଡ଼ିଶାର ସଂସ୍କୃତ ଲେଖ ଓ ଲେଖକ

ପଣ୍ଡିତ ନୀଳମଣି ମିଶ୍ର

ଟ ୧.୨୫

ଓଡ଼ିଆ ଲିପିର କ୍ରମବିକାଶ

ଡକ୍ଟର ସତ୍ୟନାରାୟଣ ରାଜଗୁରୁ

ଟ ୩.୨୫

ଓଡ଼ିଆ ଲୋକ କାହାଣୀ

ଡକ୍ଟର କୁଞ୍ଜବିହାରୀ ଦାଶ

ଟ ୪.୦୦

ଓଡ଼ିଆ ରାମ ସାହିତ୍ୟ

ପଣ୍ଡିତ ନୀଳମଣି ଦାଶ

ଟ ୫.୭୫

ଓଡ଼ିଆ ଛାନ୍ଦର ବିକାଶ

ଡକ୍ଟର ଜାନକୀବଲ୍ଲଭ ମହାନ୍ତି

ଟ ୪.୫୦

ଓଡ଼ିଆ ଉପନ୍ୟାସ ସାହିତ୍ୟ

ଶ୍ରୀ ଚିନ୍ତାମଣି ଦାଶ

ଯନ୍ତ୍ରାସ୍ଥ

ଓଡ଼ିଶାରେ ବୌଦ୍ଧ ଧର୍ମ

ଡକ୍ଟର ନବୀନ କୁମାର ସାହୁ

ଟ ୩.୦୦

ଓଡ଼ିଶୀ ବୈଷ୍ଣବ ଧର୍ମ

ଡକ୍ଟର କାହ୍ନୁଚରଣ ମିଶ୍ର

ଗଚ୍ଛିତ ନାହିଁ

ଓଡ଼ିଶାର ପତ୍ର ପତ୍ରିକା

ଶ୍ରୀ ଚନ୍ଦ୍ରଶେଖର ମହାପାତ୍ର

ଟ ୫.୭୫

ବେତାର ସାହିତ୍ୟ କଳା

ସୁରେନ ମହାନ୍ତି

ଟ ୦.୭୫

ହିନ୍ଦି ସାହିତ୍ୟ ପରିଚୟ

ଶ୍ରୀ ଦୀନବନ୍ଧୁ ରଥ

ଟ ୧.୦୦

ପୃଥିବୀର ଭାଷା

ଡକ୍ଟର ସତ୍ୟସ୍ୱରୂପ ମିଶ୍ର

ଟ ୧.୦୦

ତୀର୍ଥ ପଥେ

ଶ୍ରୀ ଶ୍ରଦ୍ଧାକର ସୂପକାର

ଟ ୫.୨୫

***

 

କାବ୍ୟ କବିତା :

ଅମର ଗୌରବ

ପଣ୍ଡିତ ମାଧବଚନ୍ଦ୍ର ମିଶ୍ର

ଗଚ୍ଛିତ ନାହିଁ

ଅରୁନ୍ଧତୀ

ପରମାନନ୍ଦ ସାହୁ

ଟ ୭.୦୦

ସରୋଜିନୀ

ପଦ୍ମନାଭ ମିଶ୍ର

ଟ ୮.୫୦

ନୀଳଗିରି

ବାଉରୀବନ୍ଧୁ ଦାସ

ଟ ୬.୫୦

ଶ୍ରୀ କୃଷ୍ଣ

ଜୟକୃଷ୍ଣ ପଟ୍ଟନାୟକ

ଗଚ୍ଛିତ ନାହିଁ

ଭାରତ ଚରିତାତ୍ମକ ୧ମ ଭାଗ

ଜଗବନ୍ଧୁ ସିଂହ

ଟ ୧୯.୭୫

ଭାରତ ଚରିତାତ୍ମକ ୨ୟ ଭାଗ

ଜଗବନ୍ଧୁ ସିଂହ

ଟ ୧୬.୦୦

ଭଜନ ସଙ୍ଗୀତ

ଚନ୍ଦ୍ରଶେଖର ମିଶ୍ର

ଟ ୨.୮୦

ସତ୍ୟଭାମା

ଶ୍ରୀ ଗୋଲକଚନ୍ଦ୍ର ପ୍ରଧାନ

ଗଚ୍ଛିତ ନାହିଁ

 

***

 

ସମ୍ପାଦନା ଓ ସଂକଳନ

 

ଆଶ୍ଚର୍ଯ୍ୟ ଚର୍ଯ୍ୟାଚୟ

ଡକ୍ଟର କରୁଣାକର କର

ଟ ୧୩.୨୫

ରୁଦ୍ର ସୁଧାନିଧି

ଡକ୍ଟର କରୁଣାକର କର

ଟ ୧୮.୦୦

ଶତାବ୍ଦୀର ଶେଷ୍ଠ କବିତା

ଶ୍ରୀ ଚିନ୍ତାମଣି ବେହେରା

ଟ ୪୨.୦୦

ଓଡ଼ିଆ ଗୀତି କାବ୍ୟ ସଂକଳନ

ଡକ୍ଟର ଜାନନୀ ବଲ୍ଲଭ ମହାନ୍ତି

ଟ ୨୨.୦୦

ଆଧୁନିକ ଓଡ଼ିଆ ସାହିତ୍ୟର ଭୁମି ଓ ଭୁମିକା

ଡକ୍ଟର କୁଞ୍ଜବିହାରୀ ଦାଶ

ଗଚ୍ଛିତ ନାହିଁ

ବ୍ରଜନାଥ ଗ୍ରନ୍ଥାବଳୀ

ସୁଧାକର ପଟ୍ଟନାୟକ

ଗଚ୍ଛିତ ନାହିଁ

ବଳଭଦ୍ର ଗ୍ରନ୍ଥାବଳୀ ୧ମ

ବଳଭଦ୍ର ଦେବ

ଟ ୧୨.୫୦

ବଳଭଦ୍ର ଗ୍ରନ୍ଥାବଳୀ ୨ୟ

ବଳଭଦ୍ର ଦେବ

ଟ ୧୨.୫୦

ଗୋପବନ୍ଧୁ ରଚନାବଳୀ ୧ମ

ଶ୍ରୀ ରାଧାମୋହନ ଗଡ଼ନାୟକ

ଟ ୩୨.୦୦

ଗୋପବନ୍ଧୁ ରଚନାବଳୀ ୨ୟ

ଡକ୍ଟର ସତ୍ୟନାରାୟଣ ରାଜଗୁରୁ

ଟ ୫୦.୦୦

ଶ୍ରେଷ୍ଠ ଓଡ଼ିଆ ଗଲ୍ପ ସଂକଳନ

ମହାପାତ୍ର ନୀଳମଣି ସାହୁ

ଟ ୬୦.୦୦

ବ୍ରଜବିହାରୀ ରଚନାବଳୀ

ଡକ୍ଟର ଶରତଚନ୍ଦ୍ର ପ୍ରଧାନ

ଟ ୫୩.୦୦

ଜଳନ୍ଧରଦେବ ରଚନାବଳୀ

ଶ୍ରୀ ରାମଚନ୍ଦ୍ର ବ୍ରହ୍ମା

ଟ ୪୫.୦୦

ଲୋକଗଳ୍ପ ସଂଚୟନ

ଡକ୍ଟର କୁଞ୍ଜବିହାରୀ ଦାଶ

ଟ ୩୫.୦୦

ଚରିତ ଚିନ୍ତାମଣି

ପଣ୍ଡିତ ନୀଳକଣ୍ଠ ରଥ

ଟ ୧୨.୫୦

ବାଞ୍ଛାନିଧି ପଦ୍ୟାବଳୀ

ବାଞ୍ଛାନିଧି ମହାନ୍ତି

ଟ ୪.୫୦

ତୂର୍ଯ୍ୟନାଦ

ଶ୍ରୀ ରବିନାରାୟଣ ମହାପାତ୍ର

ଟ ୪.୦୦

ଆଗ୍ନେୟ ଶପଥ ସଂକଳନଗଣ

ନଳିନୀଦେବୀ ରାଉତରାୟ

ଶ୍ରୀ ରମେଶ ଧଳ

ଶ୍ରୀ ରାଜେନ୍ଦ୍ର କୁମାର ନାୟକ

ଟ ୫.୦୦

ସଙ୍ଗୀତ ସାଗର

ଦାମୋଦର ପଟ୍ଟନାୟକ

ଟ ୧୪.୫୦

ଅନଙ୍ଗ ରେଖା

ଶ୍ରୀ ଗୌରୀକୁମାର ବ୍ରହ୍ମା

ଟ ୫.୦୦

ଇଚ୍ଛାବତୀ

ଶ୍ରୀ ଗୌରୀକୁମାର ବ୍ରହ୍ମା

ଟ ୪.୦୦

ଗୋପିଚନ୍ଦନ

ପଣ୍ଡିତ ନୀଳମଣି ମିଶ୍ର

ଟ ୧.୦୦

ଓଡ଼ିଆ ସାହିତ୍ୟ ଓ ଆଦିବାସୀ ସଂସ୍କୃତି

ଓଡ଼ିଶା ସାହିତ୍ୟ ଏକାଡେମୀ

ଟ ୧୫.୦୦

ଓଡ଼ିଆ ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ

ଓଡ଼ିଶା ସାହିତ୍ୟ ଏକାଡେମୀ

ଟ ୯.୦୦

ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ

ଓଡ଼ିଶା ସାହିତ୍ୟ ଏକାଡେମୀ

ଟ ୬.୦୦

ଓଡ଼ିଶାରେ ସଂସ୍କୃତ ଚର୍ଚ୍ଚାର ପରମ୍ପରା

ଓଡ଼ିଶା ସାହିତ୍ୟ ଏକାଡେମୀ

ଟ ୧୩.୦୦

ପ୍ରବନ୍ଧ ସଂକଳନ-୧ମ ଭାଗ

ଡକ୍ଟର ଖଗେଶ୍ୱର ମହାପାତ୍ର

ଟ ୩୫.୦୦

ପ୍ରବନ୍ଧ ସଂକଳନ-୨ୟ ଭାଗ

ଡକ୍ଟର ଖଗେଶ୍ୱର ମହାପାତ୍ର

ଟ ୨୦.୦୦

ପ୍ରାଚୀନ ଓଡ଼ିଆ ଗଦ୍ୟ ସଂକଳନ

ଡକ୍ଟର କୁଞ୍ଜବିହାରୀ ତ୍ରିପାଠୀ

ଟ ୬.୦୦

ଶ୍ରୀ ଜଗନ୍ନାଥ

ଓଡ଼ିଶା ସାହିତ୍ୟ ଏକାଡେମୀ

ଟ ୧୫.୦୦

ଓଡ଼ିଆ ଲିପି ଓ ଭାଷା

ଓଡ଼ିଶା ସାହିତ୍ୟ ଏକାଡେମୀ

ଟ ୧୪.୦୦

ବ୍ରତ ସାହିତ୍ୟ

ଶ୍ରୀ ଅରବିନ୍ଦ ପଟ୍ଟନାୟକ

ଟ ୨୫.୦୦

ବଣ୍ଡା ପର୍ବତର ଅଧିବାସୀ

ଓଡ଼ିଶା ସାହିତ୍ୟ ଏକାଡେମୀ

ଟ ୫.୦୦

ଆଧୁନିକ ଓଡ଼ିଆ ନାଟ୍ୟ ସାହିତ୍ୟ

ଓଡ଼ିଶା ସାହିତ୍ୟ ଏକାଡେମୀ

ଟ ୧୨.୦୦

ଓଡ଼ିଆ ଶିଶୁ ସାହିତ୍ୟ ସଂକଳନ

ଶ୍ରୀ ରାମକୃଷ୍ଣ ନନ୍ଦ

ଟ ୩୦.୦୦

ଓଡ଼ିଆ ଶିଶୁ ସଙ୍ଗୀତ ସଂକଳନ

ଶ୍ରୀ ରାମକୃଷ୍ଣ ନନ୍ଦ

ଟ ୧୮.୦୦

ପ୍ରାଚୀନ ଓଡ଼ିଆ କବିତା ୧ମ ଭାଗ

ଶ୍ରୀ ଯତୀନ୍ଦ୍ର ମୋହନ ମହାନ୍ତି

ଟ ୨୮.୦୦

ରାମଲୀଳା-୧ମ ଭାଗ

ପଣ୍ଡିତ ନୀଳମଣି ମିଶ୍ର

ଟ ୩୫.୦୦

ରାମଲୀଳା -୨ୟ ଭାଗ

ପଣ୍ଡିତ ନୀଳମଣି ମିଶ୍ର

ଟ ୩୦.୦୦

ଓଡ଼ିଆ ଲେଖକ ପରିଚୟ

ଡକ୍ଟର କୃଷ୍ଣଚରଣ ସାହୁ

ଟ ୧୭.୫୦

 

***

 

ସଙ୍ଗୀତ, ନାଟକ, ନୃତ୍ୟ :

 

ସଙ୍ଗୀତରେ ସ୍ୱର

କାଳୀଚରଣ ପଟ୍ଟନାୟକ

ଟ ୦.୭୫

ଗୋପୀନାଥ ବଲ୍ଲଭ ନାଟକ

ରଘୁନାଥ ପରିଚ୍ଛା

ଟ ୨.୦୦

ଦକ୍ଷଯଜ୍ଞ ଗୀତାଭିନୟ

ପଣ୍ଡିତ ନୀଳମଣି ମିଶ୍ର

ଟ ୫.୭୫

ଭାରତୀୟ ସଙ୍ଗୀତ

ଶ୍ରୀ ଉପେନ୍ଦ୍ର କୁମାର ଦାସ

ଗଚ୍ଛିତ ନାହିଁ

ଭାରତୀୟ ନୃତ୍ୟକଳା

ଶ୍ରୀ ଧୀରେନ୍ଦ୍ର ନାଥ ପଟ୍ଟନାୟକ

ଟ ୩୫.୦୦

ମୟୁରଭଞ୍ଜ ଛଉ ନୃତ୍ୟ

ଶ୍ରୀ ଦୁର୍ଗାଚରଣ କୁଅଁର

ଟ ୦.୭୫

 

***

 

ଜୀବନୀ ସାହିତ୍ୟ :

 

କବିସୂର୍ଯ୍ୟ ବଳଦେବ ରଥ

ଡକ୍ଟର ଜାନକୀବଲ୍ଲଭ ମହାନ୍ତି

ଟ ୪.୨୫

କବି ବନମାଳୀ ଦାସ

ପଣ୍ଡିତ ନୀଳମଣି ମିଶ୍ର

ଟ ୫.୫୦

ପଣ୍ଡିତ ମୃତ୍ୟଞ୍ଜୟ ରଥ ଜୀବନୀ

ଡକ୍ଟର ଗୋପାଳ ଚନ୍ଦ୍ର ମିଶ୍ର

ଟ ୩.୫୦

ରାୟରାମାନନ୍ଦ

ଶ୍ରୀମତୀ ସରଳା ଦେବୀ

ଗଚ୍ଛିତ ନାହିଁ

କବି ବ୍ରଜନାଥ ବଡ଼ଜେନା

ଡକ୍ଟର ରବୀନ୍ଦ୍ର କୁମାର ପ୍ରହରାଜ

ଟ ୬.୦୦

ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା

ଡକ୍ଟର ବନମାଳୀ ରଥ

ଟ ୧୦.୦୦

ନାଟ୍ୟକାର ରାମଶଙ୍କର

ଡକ୍ଟର ହେମନ୍ତ କୁମାର ଦାସ

ଟ ୯.୦୦

କବି ମନିଷୀ ନୀଳକଣ୍ଠ

ଶ୍ରୀ ପଠାଣି ପଟ୍ଟନାୟକ

ଟ ୧୫.୦୦

କାନ୍ତକବି ଲକ୍ଷ୍ମୀକାନ୍ତ

ଶ୍ରୀ ସୁଧାଂଶୁ ଶେଖର ରାୟ

ଟ ୧୫.୦୦

ବିଦଗ୍‌ଧ କବି ଅଭିମନ୍ୟୁ

ଡକ୍ଟର କାହ୍ନୁଚରଣ ମିଶ୍ର

ଟ ୧୫.୦୦

ଭକ୍ତକବି ମଧୁସୂଦନ ରାଓ

ଡକ୍ଟର ମଧୁସୂଦନ ପତି

ଟ ୧୪.୦୦

କୁନ୍ତଳା କୁମାରୀ ସାବତ

ଶ୍ରୀ ଅପୂର୍ବ ରଞ୍ଜନ ରାୟ

ଟ ୧୭.୦୦

 

***

 

ବୈଜ୍ଞାନିକ ନିବନ୍ଧ :

ବିବର୍ତ୍ତନବାଦ

ରତ୍ନାକର ପତି

ଟ ୭.୫୦

ସ୍ୱପ୍ନତତ୍ତ୍ୱ

ରତ୍ନାକର ପତି

ଟ ୪.୫୦

ଅଣୁପରମାଣୁ

ଡକ୍ଟର ଗୋକୁଳାନନ୍ଦ ମହାପାତ୍ର

ଟ ୨.୮୦

ମହାଶୂନ୍ୟରେ ମନୁଷ୍ୟ

ଡକ୍ଟର କୁଳମଣି ସାମଲ

ଟ ୨.୨୫

ଧାନ

ଡକ୍ଟର ବିଶ୍ୱନାଥ ସାହୁ

ଟ ୨.୫୦

ସମୁଦ୍ର

ଡକ୍ଟର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ

ଟ ୨.୨୫

ଆମ ଖଣିଜ ସମ୍ପଦ

ଶ୍ରୀ ମନମୋହନ ମହାନ୍ତି

ଟ ୨.୨୫

ପିଲାଙ୍କ ମନ

ଶ୍ରୀ ବିନୋଦ ଚନ୍ଦ୍ର କର

ଟ ୧.୫୦

ବିଶ୍ୱବ୍ରହ୍ମାଣ୍ଡ

ଶ୍ରୀ ଶରତଚନ୍ଦ୍ର ମିଶ୍ର

ଟ ୩.୭୫

ସୁଖର ସଂସାର

ଶ୍ରୀ ଗଣେଶ୍ୱର ନନ୍ଦ

ଗଚ୍ଛିତ ନାହିଁ

ଉତ୍ପାଦନ

ବିଜ୍ଞାନ ପ୍ରଚାର ସମିତି

ଟ ୩.୨୫

 

***

 

ଜାତୀୟ ଗ୍ରନ୍ଥସୂଚୀ :

 

ଜାତୀୟ ଗ୍ରନ୍ଥାଗାର ସଂକଳିତ ଓଡ଼ିଆ ଭାଷାରେ ରଚିତ ଗ୍ରନ୍ଥସୂଚୀ ।

 

୧୯୫୮-୫୯

ଟ ୨.୫୦

୧୯୬୦-୬୧

ଟ ୬.୬୫

୧୯୬୨

ଟ ୨.୫୦

୧୯୬୩ (ପ୍ରଥମାର୍ଦ୍ଧ)

ଟ ୧.୫୦

୧୯୬୩ (ଦ୍ୱିତୀୟାର୍ଦ୍ଧ)

ଟ ୨.୨୫

 

Publications in English :

The People Language

and culture of Orissa

Dr. Suniti Kumar

Chatarjee

Lord Jagannath

Sri Surendra Mohanty

A Glimpse into

Oriya Literature

Sri Chitaranjan Das

Festivals of Orissa

Sri Dhirendranath

Pattnaik

A Descriptive Catalogue

of Sanskrit manuscripts

of Orissa Vol—II

Comp. Sri Kedarnath

Mohapatra

Inscriptions of Orissa Part I

Inscriptions Of Orissa Part II

Inscriptions of Orissa Vol-III

Comp. Dr. Satyanarayana

Rajguru

Phakir Mohan and his times

Dr. J. V. Boulton

Art Tradition Of Orissa

Orissa Sahitya Akademi

My times And I

Dr. J.V. Boulton

 

(ଫକୀରମୋହନ ସେନାପତିଙ୍କ ଆତ୍ମଜୀବନୀର ଇଂରାଜୀ ଅନୁବାଦ)

ଏକାଡେମୀର ତ୍ରୈମାସିକ ସାହିତ୍ୟ ମୁଖପତ୍ର ‘କୋଣାର୍କ’ର ୧ମ ସଂଖ୍ୟାଠାରୁ ୬୨ ତମ ସଂଖ୍ୟା ପର୍ଯ୍ୟନ୍ତ ଏକ ସେଟ୍‍ର ଦାମ୍‌

ଟ ୨୪୮-୦୦

ଏକାଡେମୀ ପ୍ରକାଶିତ ପୁସ୍ତକ ଉପରେ ରିହାତି ବ୍ୟବସ୍ଥା (ପୁସ୍ତକ ବିକ୍ରେତାଙ୍କ ପାଇଁ)

୩୫ %

ପାଞ୍ଚଶହ ଟଙ୍କାରୁ ଉର୍ଦ୍ଧ୍ୱ ପୁସ୍ତକ କ୍ରୟ ଉପରେ ବିଶେଷ ବ୍ୟବସାୟୀଙ୍କ ରିହାତି

୪୦ %

ସ୍କୁଲ, କଲେଜ ଏବଂ ସାହିତ୍ୟନୁଷ୍ଠାନର ଗ୍ରନ୍ଥାଗାର ପାଇଁ

୨୫ %

ସର୍ବସାଧାରଣଙ୍କ ପାଇଁ

୨୦ %

 

ଉପରୋକ୍ତ ରିହାତି ଏକାଡେମୀର ଭୁବନେଶ୍ୱରସ୍ଥ ବିକ୍ରୟ କେନ୍ଦ୍ରରୁ ପୁସ୍ତକ ଓ ପତ୍ରିକାମାନ କିଣିଲେ କ୍ରେତାମାନଙ୍କୁ ମିଳିପାରିବ । ଅନ୍ୟଥା କ୍ରେତାମାନେ ଆମର ମୁଖ୍ୟ ବିତରକ ମେସର୍ସ କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର, କଟକ -୨ଙ୍କ ସହିତ ଯୋଗାଯୋଗ ସ୍ଥାପନ କରିପାରନ୍ତି । ସେ ପ୍ରକାର କ୍ରୟ ଲାଗି ମୁଖ୍ୟ ବିତରକଙ୍କଠାରୁ ସାଧାରଣ ବଜାରରେ ମିଳୁଥିବା ବ୍ୟବସାୟୀକ ରିହାତି ଆଦି ମିଳିପାରିବ ।

 

 

ସୁରେନ୍ଦ୍ର ନାଥ ଶତପଥୀ

ସଂପାଦକ

ଓଡ଼ିଶା ସାହିତ୍ୟ ଏକାଡେମୀ

ଭୁବନେଶ୍ୱର -୧୪

 

***

 

ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରମୁଖ କାର୍ଯ୍ୟକ୍ରମ

 

***

 

ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ

 

ସମସ୍ତ ପୁସ୍ତକର ଓଡ଼ିଶା ପାଇଁ ଏକକ ପରିବେଷକ ଭାବେ କଟକର କେନ୍ଦ୍ରସ୍ଥଳରେ ଅବସ୍ଥିତ

 

କଟକ ଷ୍ଟୁଡେଣ୍ଟସ୍‌ ଷ୍ଟୋର୍ସ

 

ବାଲୁବଜାର, କଟକ -୨ ଙ୍କୁ

ନିଯୁକ୍ତ କରାଯାଇଅଛି ।

 

ସହୃଦୟ ଗ୍ରାହକ ଏବଂ ପୁସ୍ତକ ବ୍ୟବସାୟୀ ଏକାଡେମୀ ପୁସ୍ତକ ପାଇଁ ଏହି ଏକକ ପରିବେଷକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ

 

ସୁରେନ୍ଦ୍ର ନାଥ ଶତପଥୀ

ସଂପାଦକ